ମିରାଡି ଗ୍ରାମରେ ତ୍ରିନାଥ ସେବା ପ୍ରତିଷ୍ଠାନ ଯୁବକ ସଂଘ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର/ପୁରୀ)- ମିରାଡ଼ି ଗ୍ରାମରେ ତ୍ରିନାଥ ସେବା ପ୍ରତିଷ୍ଠାନ ଯୁବକ ସଂଘ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଞ୍ଚାୟତର ମିରାଡି ଗ୍ରାମରେ ତ୍ରିନାଥ ସେବା ପ୍ରତିଷ୍ଠାନ ଯୁବକ ସଂଘ ର ସମସ୍ତ ସଦସ୍ୟ ଏକାଠି ହୋଇ ଗ୍ରାମର ରାସ୍ତା ଘାଟ, କ୍ଲବ୍ ପରିସର ସଫେଇ କରୁଥିବାର ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ତ୍ରିନାଥ ସେବା ପ୍ରତିଷ୍ଠାନ ଯୁବକ ସଂଘର ସଭାପତି ବିଭୁ ସ୍ୱାଇଁ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଏକାଠି କରି ଗ୍ରାମକୁ ରୋଗ ମୁକ୍ତ ଓ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଗ୍ରାମର ରାସ୍ତା ଘାଟ , କ୍ଲବ୍ ପରିସର ସଫେଇ କରିଥିଲେ।ଏଥିରେ ତ୍ରିନାଥ ସେବା ପ୍ରତିଷ୍ଠାନ ଯୁବକ ସଂଘର ସଦସ୍ୟ କୃଷ୍ଣ ଚନ୍ଦ୍ର ସ୍ୱାଇଁ,ହରିହର ଲେଙ୍କା,ହରିହର ସେଠୀ,ମିଥୁନ ଜେନା, ସିଦ୍ଧାନ୍ତ ସେଠୀ,ଭାଗବତ ପରିଡ଼ା ଓ ଅନ୍ୟ ସଦସ୍ୟ ମିଶି ସହଯୋଗ କରିଥିଲେ ।

ସାଙ୍କୁଡା ଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଠାକୁରାଣୀ ମନ୍ଦିର ପରିସରରେ ବେଗୁନିଆପଡା ଶାଖା ସଂଯୁକ୍ତ କିଷାନ ମୋର୍ଚ୍ଚ ପକ୍ଷରୁ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦ କୁ ସଫଳ କରିବା ପାଇଁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଶ୍ରମିକ, କୃଷକ, କୃଷି ଶ୍ରମିକ, ଆଦିବାସୀ, ଦଳିତ, ଯୁବ ଛାତ୍ର, ଶିକ୍ଷକ, କର୍ମଚାରୀ, ବୁଦ୍ଧିଜିବୀ ସେମାନଙ୍କ ଅଧିକାର ଓ ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥିତ ଚାଷି ନେତା ମାନେ ଆଲୋଚନା କରିଥିଲେ ।

ଏଥିସହିତ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ଯ ବିଷଦ ଭାବରେ ଆଲୋଚନା ହୋଇଥିଲା । ସଭାପତି ସତ୍ୟବାଦୀ ସ୍ୱାଇଁ ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିଜୟ ସ୍ଵାଇଁ, ଜିଲ୍ଲା, ଉପସଭାପତି ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ରଙ୍କନାଥ ସ୍ଵାଇଁ, ଓଡିଶା କୃଷକ ସଭା ପକ୍ଷରୁ ପି. ହରିକୃଷ୍ଣ ରେଡି, ଲକ୍ଷ୍ମଣ ସ୍ୱାଇଁ, ନାରାୟଣ ସେଠୀ, ଜୟକୃଷ୍ଣ ନାହକ, ଅରୁପାନନ୍ଦ ପଟ୍ଟନାୟକ, ଦୂତୀକୃଷ୍ଣ ସାମଲ ସମେତ ବହୁ କୃଷକ ନେତା ଓ କୃଷକମାନେ ଉପସ୍ଥିତ ଥିଲେ ।

ପାଇଖାନା କୋଠରୀରେ ୫ବର୍ଷ ଧରି ବିତୁଛି ୯ଜଣଙ୍କ ଜୀବନ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ)- ମୁଣ୍ଡ ଗୁଞ୍ଜିବାକୁ ଯାଗା ନାହିଁ । ଭିଟାମାଟିରେ ନିଜ ଭାଗକୁ ପଡ଼ିଥିବା ଦୁଇହାତ ଘର ବିକ୍ରି କରି ପୋଲସରା ମୌଜା ତଥା ଖଣ୍ଡୁରୁ ପଞ୍ଚାୟତ ଅଧୀନରେ ଥିବା ଦେଉଳପଲ୍ଲୀରେ ନିଜ ଚାଷଜମିରେ ମାଟି ଝାଟିରେ ଗୋଟିଏ ବଖରା ଆଜବେଷ୍ଟ ଘର ତିଆରିକରି ବସବାସ କରୁଥିଲେ । ଗତ ୫ବର୍ଷ ତଳେ କଳମ୍ବ ପଞ୍ଚାୟତରୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ନିର୍ମାଣ କରିଥିଲେ । ଆଶା କରିଥିଲେ ଆବାସ ଯୋଜନାରେ ଘର ଖଣ୍ଡେ ମିଳିବ । କିନ୍ତୁ ଭିଟାମାଟି ଛାଡ଼ିବାର ଦଶ ବର୍ଷ ପରେ ମଧ୍ୟ ତାହା ମିଳିଲା ନାହିଁ । ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଦୁଇଟି କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ତାହା ଗୋଟାଏ ଛାତ ତଳେ ଦୁଇ ଭାଗ ହୋଈ ନିର୍ମାଣ ହୋଇ ଥିବାରୁ ଗୋଟିଏ ପାଇଖାନାର ଅର୍ଥରାଶି ମିଳିଥିଲା । ଏହା ପରେ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେବାରୁ ପାଇଖାନା ଘରର ଦୁଇଟି ଟଏଲଟ୍ ପ୍ୟାନକୁ ବାହାର କରି ସମତୁଲ କରି ତାହାକୁ ବାସ ଉପଯୋଗୀ କରି ବସବାସ କଲେ ଗୋଟିଏ ପରିବାରର ନଅଜଣ ସଦସ୍ୟ ।ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ । ବହୁ ବର୍ଷ ବିତିଯାଇଥିଲେ ମଧ କିଭଳି ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡ଼ିନାହିଁ । ଏହିଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଛକ ନିକଟସ୍ଥ ଦେଉଳପଲି ଗ୍ରାମରେ ସତ୍ୟବାନ ପ୍ରଧାନଙ୍କ କ୍ଷେତ୍ରରେ । ସତ୍ୟବାନଙ୍କ ପରିବାର କହିଲେ ବୃଦ୍ଧା ମାଆ ସାଙ୍ଗକୁ ପୁଅ ବୋହୂ,ତିନି ନାତୁଣୀ ସହ ସତ୍ୟବାନ ଓ ତାଙ୍କ ସ୍ତ୍ରୀ ସୁଲତାଙ୍କୁ ମିଶି ମୋଟ ୯ ଜଣ ସଦସ୍ୟ । ସ୍ତ୍ରୀ ସୁଲତା, ପୁଅ ପ୍ରଶାନ୍ତ ଦିବ୍ୟାଙ୍ଗ ହୋଇଥିବା ବେଳେ ସତ୍ୟବାନଙ୍କ ଦୁଇବର୍ଷ ତଳେ ଦୁର୍ଘଟଣାରେ ଗୋଡ ଭାଙ୍ଗିଯାଇଥିବା ବେଳେ ମାଆ ସାରିଆଙ୍କ ଆଖିକୁ ଦେଖା ଯାଉନଥିବା ଜଣାପଡ଼ିଛି । ଦୀର୍ଘ ଦଶ ବର୍ଷ ଧରି ସତ୍ୟବାନ ଦେଉଳପଲିରେ ସପରିବା ବସବାସ କରୁଥିଲେ ମଧ୍ୟ ସମସ୍ତଙ୍କ ପରିଚୟ ପତ୍ର ଯଥା, ଭୋଟ ଆଧାରକାର୍ଡ, ରାସନ କାର୍ଡ ସବୁ ରହିଛି କଳମ୍ବ ପଞ୍ଚାୟତ ଅଧିନରେ । ଆବାସ ଖଣ୍ଡେ ପାଇବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ସରପଞ୍ଚ , ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗୁହାରି କଲେମଧ୍ୟ କୌଣସି ସୁଫଳ ମିଳୁନଥିବା ନେ଼ଇ କୋହଭରା କଣ୍ଠରେ ସତ୍ୟବାନ ଓ ସୁଲତା କହିଛନ୍ତି । ଉକ୍ତ ସମସ୍ୟାକୁ ନେଇ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ପୂର୍ବରୁ ସରପଞ୍ଚ ନିଜସ୍ଵ କ୍ଷମତାରେ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ଖଣ୍ଡେ ବାଣ୍ଟି ପାରୁଥିଲେ କିନ୍ତୁ ବର୍ତ୍ତମାନ ସେହି କ୍ଷମତା ନାହିଁ । ଗତ ଫାଇଲିନ ପ୍ରଭାବିତ ତାଲିକାରେ ତାଙ୍କ ନାମ ନଥିଲା ଏପରିକି ନିର୍ମାଣ ଶ୍ରମିକ ଆବାସ ଯୋଜନା ତାଲିକାରେ ମଧ୍ଯ ତାଙ୍କର ନାମ ନାହିଁ । ଏନେଇ ସେ ବିଡ଼ିଓଙ୍କ ସହ ଆଲୋଚନା କରିଛନ୍ତି ଏବଂ ଜିଲ୍ଲାପାଳଙ୍କୁ ନିବେଦନ କରିବେ ବୋଲି କହିଛନ୍ତି । ପୋଲସରା ବିଡ଼ିଓ ସୁରଞ୍ଜନ ସାହୁଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଉକ୍ତ ହିତାଧିକାରୀ ବର୍ତ୍ତମାନ ପୋଲସରା ମୌଜାରେ ରହୁଛନ୍ତି ତେଣୁ ପଞ୍ଚାୟତ ତରଫରୁ ଆବାସ ଯୋଜନାରେ ସାମିଲ୍ କରାଯାଇପାରିବ ନାହିଁ । ଏନେଇ ପୋଲସରା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛି ହିତାଧିକାରୀଙ୍କ ସମସ୍ତ ପରିଚୟ ପତ୍ରର ଠିକଣା ବଦଳିବା ପରେ ସହରାଞ୍ଚଳ ଆବାସ ଯୋଜନାରେ ସାମିଲ୍ କରାଯିବ । କିନ୍ତୁ ବାସ୍ତବରେ ସତ୍ୟବାନଙ୍କ ପରିବାର ଯଦି ପୋଲସରା ମୌଜାରେ ପାଇଖାନା ଘରେ ରହୁଛନ୍ତି ତାଙ୍କୁ କଳମ୍ବ ପଞ୍ଚାୟତ ଅଧିନରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଲା କେମିତି ? ବର୍ତ୍ତମାନ ପାଇଖାନା ଘରେ ବସବାସ କରିବା ପ୍ରସଙ୍ଗ ଉଠିବା ପରେ ମୌଜା ବିବାଦକୁ ନେଇ ବ୍ଲକ୍ ପ୍ରଶାସନ ଏନ୍ଏସି ପ୍ରଶାସନକୁ ଦାୟିତ୍ୱ ଲଦୀ ଦେଉଛି । ପ୍ରଶାସନିକ ପଶାପାଲିରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ପାଇଖାନା ଘରେ ଜୀବନ ଅତିବାହିତ କରୁଛି ।

୧୪ଜଣ ଛାତ୍ର ହଷ୍ଟେଲ ଛାଡିଥିବା ଘଟଣାରେ କାଟାମା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିଲମ୍ବନ…!

!!! ଗଜପତି ଜିଲ୍ଲା ମୋହନା ରୁ ପ୍ରତିନିଧି ମଜେଶ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା)- ଗଜପତି ଜିଲ୍ଲା ମୋହନା ବ୍ଳକର କଟାମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ଗୃହରୁ ଖାଦ୍ୟ ନମିଳିବାରୁ ଗତ ଶନିବାର ଦିନ ସକାଳୁ ୧୪ଜଣ ଛାତ୍ର ହଷ୍ଟେଲ ଛାଡିଥିଲେ।ଏହି ବିଷୟରେ ବ୍ଳକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ କୌଣସି ସୂଚନା ଦେଇନଥିଲେ ପ୍ରଧାନଶିକ୍ଷକ ଦେବରଞ୍ଜନ ସୁଆଳସିଂ। ଘଟଣା ଘଟିବାର ୨୪ ଘଣ୍ଟା ପରେ ହଷ୍ଟେଲ ଗୁହକୁ ୭ଜଣ ଛାତ୍ର ଫେରିଥିବାବେଳେ ରବିବାର ସନ୍ଧ୍ୟାରେ ଆଉ ୪ ଜଣ ଫେରିଥିଲେ। କିନ୍ତୁ ଏହା ମଧ୍ୟରେ ୬୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆଉ ୩ଜଣ ଛାତ୍ର ହଷ୍ଟେଲକୁ ଫେରି ନାହାନ୍ତି।

ଏହି ଖବର ପ୍ରକାଶନ ହେବାପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥଙ୍କ ନିର୍ଦ୍ଦେଶକ୍ରମେ ମୋହନା ବ୍ଲକ୍କ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨ ଜଣ ଅଧିକାରୀ କୁନା ପାତ୍ର , ନାରଶୁ କହଁର ଓ ବ୍ଳକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ବିଦ୍ୟାଳୟକୁ ଯାଇ ସମସ୍ତ ବିଷୟରେ ତଦନ୍ତ କରି ଜିଲ୍ଲା ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ପ୍ରଧାନଶିକ୍ଷକ ଶ୍ରୀ ସୁଆଳସିଂକୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି।ଏହା ସହ ଛାତ୍ରମାନଙ୍କର ରହିଥିବା ଅଭିଯୋଗ ଖାଦ୍ୟ ଓ ହଷ୍ଟେଲ ଗୃହର ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି।

ନରହନ୍ତା ଅଧିକାରୀ ଙ୍କୁ ଗିରଫ ଦାବୀରେ ବିଜେପିର ଭୁବନେଶ୍ୱର ମହାନଗର ନିଗମର ଅଫିସ ସମ୍ମୁଖରେ ବିକ୍ଷୋଭ ;ପରିବାରକୁ ପଚାଶ ଲକ୍ଷ୍ୟ କ୍ଷତିପୂରଣ ଓ ଏଥିପାଇଁ ଦାଇ ଲୋକମାନଙ୍କୁ ଉପଯୁକ୍ତ ଦଣ୍ତ ମିଳୁ – ବାବୁସିଂ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୁକୁଳା ଡ୍ରେନ୍‌ ଯୋଗୁ ୨୦୧୯ରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଥିଲା ଅଘଟଣ। ଅସରାଏ ବର୍ଷାରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ବିଏମ୍‌ସିର ଅବହେଳା କାରଣରୁ ସେତେବେଳେ ଏହି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।  କୌଣସି ପରିସ୍ଥିତିରେ ଡ୍ରେନ୍‌ ମୁକୁଳା ରହିପାରିବ ନାହିଁ। ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ। କିନ୍ତୁ ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡ୍‌ଲାଇନକୁ ବିଏମ୍‌ସି ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛି। ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣିଥରେ ପଦାରେ ପକାଇଛି। ଜଳଜଳ ହୋଇ ଦିଶୁଛି, ବିଏମସି ଓ ପ୍ରଶାସନର ଅବହେଳା। ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସିକୁ ଏକ ହଜାର କୋଟି ପ୍ରଦାନ କରିଥିଲେ ଡ୍ରେନେଜ୍‌ ସମସ୍ୟା ସମାଧାନ କରିବାକୁ। ସମସ୍ୟାର ସମାଧାନ ହେବ କ’ଣ, ମୁକୁଳା ଡ୍ରେନ୍ ଯୋଗୁଁ  ଏଭଳି ଅଘଟଣ ଘଟୁଛି।ଡ୍ରେନରେ ଭାସି ଛୁଆ ମଲା, ଏଇଟା ପୁଣି ଦୈବୀ ଦୁର୍ବିପାକ। ବାସ୍ତବରେ ଆମ ବିଜେଡି ନେତାଙ୍କୁ ଏ କଥା ଜଣା ନାହିଁ ଯେ, କୋଉଠି କ’ଣ କହିବେ । କାଲିର ଅଘଟଣ ସାରା ରାଜ୍ୟକୁ ସ୍ତବ୍ଧ କରିଛି। ୧୦ମ ଶ୍ରେଣୀର ନାବାଳକ ରାଜା ଓରଫ ଜ୍ୟାତିପ୍ରକାଶ ବେହେରା ଟିଉସନ୍ ଯାଉଥିବା ବେଳେ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଲେ ।ତାଙ୍କ ମତରେ ଏ ଅଘଟଣର ଯୋଡିଏ କାରଣ ।
୧- ଏହା ଦୈବୀଦୁର୍ବିପାକ ପର୍ଯ୍ୟାୟ ଭୁକ୍ତ, ଏଣୁ କିଛି କରାଯାଇପାରିବ ନାହିଁ।
୨- ଇଲେକ୍ଟ୍ରାନିକ୍ସ ଗଣମାଧ୍ୟମ ସଚେତନ କରୁ ନ ଥିବାରୁ ଲୋକୋ ବର୍ଷାରେ ଘରୁ ବାହାରିବା ଭୁଲ୍ । ସେଥିପାଇଁ ଡ୍ରେନରେ ପଡି ପ୍ରାଣ ହରାଉଛନ୍ତି।
ଏବେ କୁହନ୍ତୁ ଏ ଦୁଇଟି କାରଣ ଆପଣଙ୍କୁ କେମିତି ଲାଗିଲା। ଏହା ଯଦି ଦୈବୀ ଦୁର୍ବିପାକ ତା ହେଲେ ଏଥିରେ ବିଏମସିର କୌଣସି ଭୁଲ୍ ନାହିଁ। ସେମାନେ ଡ୍ରେନ ଖୋଳିବେ। ତା ଉପରେ ସ୍ଲବ ପକାଇବେ ନି । ଏଇଟା ସେମାନଙ୍କର ଇଚ୍ଛା। ଦୁଇ ଦୁଇଥର ମେୟର ହୋଇ ଭୁବନେଶ୍ୱରର ଭଲମନ୍ଦ ବୁଝିଥିବା ମେୟର ଓ ବିଧାୟକଙ୍କ ଏହି ଅଘଟଣ ପାଇଁ ପ୍ରଶାସନର କୌଣସି ତ୍ରୁଟି ଆଖିକୁ ଦିଶିଲାନି। ହଉ ଧରି ନିଆଯାଉ ଏହା ଠିକ୍। ହେଲେ ସେ ଯେଉଁ ୨ୟ କାରଣ ଦର୍ଶାଇଲେ ତାହା ତାଙ୍କୁ ଆହୁରି ଲଜ୍ଜିତ କଲା ବୋଲି କହିଲେ ଠିକ୍ ହେବ । ଯଦି ଭୁବନେଶ୍ୱର ସ୍ମାର୍ଟ ସିଟି, ତା ହେଲେ ଏଠାରେ ଥିବା ସବୁ ବ୍ୟବସ୍ଥା ସ୍ମାର୍ଟ । କିନ୍ତୁ ବର୍ଷା ହେଲେ ଘରୁ ବାହାରିବା ମନା। ଗୋଟିଏ ପଟେ ଆପଣ କହୁଛନ୍ତି ଏହା ସ୍ମାର୍ଟ ସିଟି ଆଉ ଗୋଟିଏ ପଟେ ଏ କଥା ବି କହୁଛନ୍ତି ଯେ, ବର୍ଷାରେ ବାହାରକୁ ବାହାରନ୍ତୁ ନାହିଁ । ନଚେତ୍ ଏମିତି ଅଘଟଣ ପାଇଁ ଆପଣ ନିଜେ ହିଁ ଦାୟୀ ହେବ । ଧନ୍ୟ କହିବ ଆପଣଙ୍କୁ। ଯା ହେଉ ଦୀର୍ଘ ୧୦ ବର୍ଷ କାଳ ଭୁବନେଶର ମେୟର ହୋଇ ଆମ ଭୁବନେଶ୍ୱରୀଆଙ୍କ ମୁରବୀ ହୋଇ ମୁରବୀପଣିଆକୁ ଆପଣ ଠିକ୍ ଚରିତାର୍ଥ କରିଦେଲେ ଯାହା। ଗୋଟିଏ ଛୁଆ ମରିଗଲା। ତା ବାପା, ମା’ଙ୍କ ହୃଦୟରେ କ’ଣ ହେଉଥିବ ସେ କଥା ଭାବିଲେ ଆମ ହୃଦ୍ ସ୍ମନ୍ଦନ ବଢି ଯାଉଛି। ହେଲେ ଏକ୍ସ ମେୟର ତଥା ଶାସକ ଦଳର ବିଧାୟକ ବାବୁ କହୁଛନ୍ତି ଏଇଟା ଦୈବି ଦୁର୍ବିପାକ । ତାଙ୍କ ମୁହଁକୁ ଲାଜ ନାହିଁ ଯାହା।


ମୁକୁଳା ଡ୍ରେନରୁ ଛାତ୍ର ନିଖୋଜ ଘଟଣା, ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି ପ୍ରଶ୍ନ କଲେ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ।ମୁକୁଳା ଡ୍ରେନରୁ ଛାତ୍ର ନିଖୋଜ ଘଟଣା, ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି ପ୍ରଶ୍ନ କଲା ବିଜେପି।ରାଜଧାନୀରେ ଖୋଲା ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ । ୧୯ ଘଣ୍ଟା ଖୋଜାଖୋଜି ପରେ ପଞ୍ଚସଖା ନଗର ନାଳରୁ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍ । ଗତକାଲି ଟ୍ୟୁସନ୍ ଯାଇ ଫେରିବା ବେଳେ ଖୋଲା ଡ୍ରେନରେ ଖସି ପଡ଼ିଥିଲେ ଜ୍ୟୋତିପ୍ରକାଶ । ପାଣି ସୁଅରେ ଭାସି ଯାଇଥିଲେ । ମୃତ ଜ୍ୟୋତିପ୍ରକାଶ। ତେବେ ଭୁବନେଶ୍ୱର ଜିଲ୍ଲା ବିଜେପି ଗତ କାଲି ଭୁବନେଶ୍ୱର ମହାନଗର ନିଗମର କମିଶନର ସଂଜୟ ସିଂ ଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ।ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ର ସହ ସହ କାର୍ଯ୍ୟକର୍ତା ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରେ ଧାରଣା ରେ ବସିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇ ଥିଲେ କାର୍ଯ୍ୟକର୍ତା।ପୋଲିସ ଗିରଫ କରିଥିଲା ଅନେକ କର୍ମୀ ଙ୍କୁ।ଜିଲ୍ଲା ସଭାପତି ବାବୁସିଂ ଦାବି କରିଛନ୍ତି ଯେ ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରିବା ସହ ଜ୍ୟୋତିପ୍ରକାଶ ଙ୍କ ପରିବାରକୁ ପଚାଶ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ।ଏହି ବିକ୍ଷୋଭ ରେ ରାଜ୍ୟ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉର୍ମିଳା ମହାପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ର ଉପସଭାପତି କସ୍ତୁରୀ ମିଶ୍ର,ରାଜ୍ୟ ମହିଳା ମୋର୍ଚ୍ଚା ର ଇରାନୀ ରାୟ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ,ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା,ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର,ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ଜିଲ୍ଲା ସମ୍ପାଦକ ତାପସ ଦଳାଇ,ଉର୍ଣ୍ଣତି ପରିଡ଼ା,ଜିଲ୍ଲା ମଣ୍ଡଳ ସଭାପତି ଦାମୋଦର ବେହେରା,ସୁରେନ୍ଦ୍ର ପ୍ରଧାନ, ଅରୁଣ ପୁରହିତ,ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି,ବିଜୟ ରାଉତ,ଅମରଜ୍ଵତି ଜଗଦ୍ଦେବ, ଜିଲ୍ଲା ଉପ ସଭାପତି ବିଭାସ ସେନଗୁପ୍ତା,ମାନସୀ ରାୟ,ନିରଞ୍ଜନ ରାଉତରାୟ,ଶିବ ବେହେରା,ଜିଲ୍ଲା କାର୍ଯ୍ୟକର୍ତା ସୁଶାନ୍ତ ସାବତ, ବସନ୍ତ ରାଉତ, ଶରତ ଜେନା, ପ୍ରସାନ୍ତ କୁମାର ମହାନ୍ତି,ପ୍ରସାନ୍ତ ନାୟକ,ସୁମିତ୍ରା ଆଚାର୍ଯ୍ୟ, ଅଭିଷେକ ନାୟକ,ସବିତା ପଟ୍ଟନାୟକ,ଲିପ୍ସା ଦାସ,ପ୍ରତୀକ୍ଷା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ୭ଟି ଦଳର ରାଜ୍ୟସ୍ତରୀୟ ମିଳିତ ଗଣଧାରଣା ;୨୭ ସେପ୍ଟେମ୍ବର ଭାରତ ବନ୍ଦଙ୍କୁ ସମର୍ଥନ ଘୋଷଣା

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ୧୭ଦଫା ଦାବିରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ୭ଟି ଦଳର ରାଜ୍ୟସ୍ତରୀ ମିଳିତ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏଠାରେ ଆୟୋଜିତ ପ୍ରତିବାଦ ସଭାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସିପିଆଇଏମର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସମାଜବାଦୀପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ସିପିଆଇ ଏମଏଲ (ରେଡଫ୍ଲାଗ)ର ନେତ୍ରୀ ପ୍ରମିଳା ବେହେରା ଏବଂ ଏନ୍‌ସିପି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ସ୍ୱାଇଁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳି ପରିଚାଳନା କରିଥିଲେ । କଂଗ୍ରେସ ନେତା ଯଜେ୍ଞଶ୍ୱର ପ୍ରତିବାଦ ଧାରଣା ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରର ବିନାଶକାରୀ ନୀତିର କଠୋର ସମାଲୋଚନା କରି ଗତ ୭୦ ବର୍ଷରେ ଏ ଦେଶରେ ନିର୍ମିତ ହୋଇଥିବା ସରକାରୀ ସଂପତି ଓ ସଂସ୍ଥାନ ଗୁଡିକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଶାଗମାଛ ମୂଲ୍ୟରେ ବିକିଦେବା ବିରୋଧରେ ସମସ୍ତ ଗଣତନ୍ତ୍ର ଓ ଦେଶପ୍ରେମୀ ରାଜନୈତିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ମୋଦି ସରକାରର ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧି ନୀତିଗୁଡ଼ିକୁ ନିସର୍ତ ସମର୍ଥନ ଜ୍ଞାପନ କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ଜନସ୍ୱାର୍ଥ ନୀତି ପ୍ରଚଳନ କରୁଥିବାର ଏହା ବିରୋଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ଜରୁରୀ ବୋଲି କହିଥିଲେ । କଳାକୃଷି ଆଇନ ବିରୋଧରେ ଦେଶତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ନିବେଦନ କରିଥିଲେ । ଏଆଇସିସି ସଂପାଦକ ରୁଦ୍ର ରାଜୁ ମଧ୍ୟ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟୀକ ଦଳଗୁଡ଼ିକର ଗୁପ୍ତ ଏଜେଣ୍ଡା ପ୍ରତି ସର୍ତକ କରିବା ସହ ମିଳିତ ଏବଂ ଐକ୍ୟବଦ୍ଧ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇ ଏମଏଲ (ରେର୍ଡଷ୍ଟାର) ନେତ୍ରୀ ହେନା ବାରିକ ଏବଂ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ସମାଲୋଚନା କରିଥିଲେ । ଏହି ଧାରଣାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନଦେବ ବେଉରା, ପଦ୍ମାକର ଗୁୁରୁ, ଶମ୍ଭୁ ନାଥ ପାଣିଗ୍ରାହୀ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ରତ୍ନମଣୀ ଉଲ୍ଲାକା, ସ୍ୱାଧୀନ ବାଳା ଦାସ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ଦେବରାଜ ମିଶ୍ର, ଏସ୍‌କେ ଆଫତାବ ଅଲ୍ଳୀ, ମିହିର ଆଚାର୍ଯ୍ୟ, ସୁବ୍ରତ ସେନାପତି, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋଜ ସାହୁ, ମଂଟୁ ମଲ୍ଲିକ, ଶୁଭ୍ରଜ୍ୟୋତି ଲେଙ୍କା, ସମରେନ୍ଦ୍ର ମହାନ୍ତି, ମାନସ ସେଠୀ, ଲୁଲୁ ଏହମ୍ମଦ, ଇଂ ଶିବନ, ସେକ ନିଆଜୁଲ ଇସଲାମ, ଏମଡି ସାହାଦୁଲ୍ଳା, କୁଳମଣି ସାହୁ, ବାମପନ୍ଥୀ ନେତା ସନ୍ତୋଷ ଦାସ, ଡ. ଅମିୟ ମହାନ୍ତି ଏବଂ ପ୍ରଶାନ୍ତ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ଭାରତ ବନ୍ଦକୁ ସମର୍ଥନ କରି ଏକ ପ୍ରସ୍ତାବ ମଧ୍ୟ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ଏବଂ ଏହି ବନ୍ଦକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆଗରେ ସଂଗୀତା ଓ ଶ୍ରୀମୟୀ ଙ୍କ କଳି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)-  ବଲାଙ୍ଗିର ପାଟଣାଗଡ଼ରେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ ମୁହାଁମୁହଁ ହୋଇଛନ୍ତି। ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଭିତରେ ବାକ୍‌ଯୁଦ୍ଧ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଦୁଇ ନାରୀନେତ୍ରୀ କଥା କଟାକଟି ହୋଇଛନ୍ତି। କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଯୋଜନା ଓ ରାଜ୍ୟର ‘BSKY’ ଏବଂ ରେଳ ପ୍ରକଳ୍ପକୁ ନେଇ ଦୁଇ ନେତ୍ରୀ କଥା କଟାକଟି ହୋଇଛନ୍ତି। ସଭାରେ ସାଂସଦ ସଙ୍ଗୀତା ସିଂଦେଓ କହିଛନ୍ତି, “ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ସାରା ଦେଶରେ ଲୋକ ଚିକିତ୍ସା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେବଳ ରାଜ୍ୟ ଭିତରେ ସୀମିତ ରହିଛି।” ସଙ୍ଗୀତା ଆହୁରି ମଧ୍ୟ କହିଛନ୍ତି, “ବଲାଙ୍ଗିରରୁ ନୂଆପଡ଼ା ଭାୟା ପାଟଣାଗଡ଼ ରେଲୱେ ଲାଇନ୍‌ ୮୦ କିମି ରାସ୍ତାର ସର୍ଭେ କାମ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ମୁଁ ସାଂସଦ ଥିଲି। ସେହି କାମକୁ ରାଜ୍ୟ ସରକାର ଆଉଥରେ ପୁନରୁଦ୍ଧାର କରନ୍ତୁ। ସମ୍ୱଲପୁରରୁ ଗୋପାଳପୁର ଭାୟା ସୁବର୍ଣ୍ଣପୁର ରେଲୱେ ଲାଇନ୍‌କୁ ମଧ୍ୟ ଆଉ ଥରେ ପୁନରୁଦ୍ଧାର କରାଯାଉ।”ସାଂସଦ ସଙ୍ଗୀତା ସିଂଦେଓଙ୍କ ମନ୍ତବ୍ୟକୁ ଶ୍ରୀମୟୀ ମିଶ୍ର କାଉଣ୍ଟର କରିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି, ପରବର୍ତ୍ତୀ ସମୟରେ ଅନ୍ୟମାନେ ତାଙ୍କୁ ଅନୁକରଣ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡକୁ କପି କରୁଛନ୍ତି କେନ୍ଦ୍ର ସରକାର। ଆମେ ଯେଉଁ ଯୋଜନା କରୁଛୁ, କେନ୍ଦ୍ର ସରକାର ତାକୁ ଅନୁକରଣ କରୁଛନ୍ତି।”ସଙ୍ଗୀତାଙ୍କ ରେଳ ପ୍ରକଳ୍ପ ମନ୍ତବ୍ୟକୁ ନେଇ ଶ୍ରୀମୟୀ କହିଛନ୍ତି-“ରେଲୱେ ଲାଇନ୍‌ ପାଇଁ ସାଂସଦ ଯଦି କେନ୍ଦ୍ରରୁ ଅଧିକ ବଜେଟ ଆଣିପାରିବେ, ତାହାହେଲେ ଆମେ ଅଧିକ ଉପକୃତ ହୋଇପାରିବୁ।” ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି। ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ୍‌ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାର ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ମାର୍ଟ ହେଲ୍‌ଥ କାର୍ଡ ଗ୍ରହଣ କରିଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପିତ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି।

ନବୀନଙ୍କ ଗସ୍ତ ପରେ ଦ୍ୱନ୍ଦ୍ୱରେ ଭୋଟର: ସିଂହଦେଓ ପରିବାର କୋଣଠେସା, ଫେରିଲେ ଶ୍ରୀମୟୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲାରେ ଆଜି ଏକକାଳୀନ ୩ଟି କାର୍ଯ୍ୟକ୍ରମ ଏବେ ଜିଲ୍ଲାରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ସାଂସଦ, ବିଧାୟକ ଓ କଂଗ୍ରେସ ବିଧାୟକମାନେ ଏକାଠି ବସିବା ଜିଲ୍ଲାର ଭୋଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବାବେଳେ ଏୟୁ ସିଂହଦେଓ ପରିବାର କୋଣଠେସା ହେବା ଓ ପାଟଣାଗଡ଼କୁ ଶ୍ରୀମୟୀ ମିଶ୍ର ପୁଣିଥରେ ଫେରିବା ବଲାଙ୍ଗିର ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟା ସମାରୋହକୁ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଆସିନଥିଲେ, ମାତ୍ର ବଲାଙ୍ଗିରରେ ବିଜେପି ସାଂସଦ ଶ୍ରୀମତୀ ସିଂହଦେଓ ଟିଟିଲାଗଡ଼ ପରିବର୍ତ୍ତେ ପାଟଣାଗଡ଼ରେ ତାଙ୍କୁ ସଭା ମଂଚରେ ରଖିବାକୁ ଦାବି କରିଥିଲେ । ଯାହା ସରକାରୀ ଦଳ ପୂରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ପାଟଣାଗଡ଼ ଓ ବଲାଙ୍ଗିର ଟାଉନରେ ୩ଟି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟନର ଶୁଭାରମ୍ଭ କରିବା ସହ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି। ଅବଶ୍ୟ ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ କିଛି ପ୍ୟାକେଜ୍ ନବୀନ ଦେଇନାହାନ୍ତି, ଯାହା ଜିଲ୍ଲାକୁ ପୂର୍ବରୁ ଘୋଷଣା ହୋଇଥିଲା ତାକୁ ଶିଳାନ୍ୟାସ ଅବା ଉଦଘାଟନ କରିଛନ୍ତି। ମାତ୍ର ନବୀନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ବଲାଙ୍ଗିରରେ ରାଜନୀତିକ ଉଷ୍ମତା ବଢ଼ାଇବା ସହ ଅନେକ ନୂଆ ରାଜନୀତିକ ସମୀକରଣକୁ ଇଙ୍ଗିତ କରାଇଛି। ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବାହାରେ ବିରୋଧ କରୁଥିବାବେଳେ ଉଭୟ ଦଳର ବିଧାୟକ ଓ ସାଂସଦଙ୍କୁ ନବୀନଙ୍କ ସହ ସଭାମଂଚରେ ପ୍ରଶଂସା କରିବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଲାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ କାର୍ଯ୍ୟକ୍ରମରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ରହିଥିବାବେଳେ ସେ ସଭାମଂଚରୁ ଆୟୁଷ୍ମାନ ଯୋଜନାକୁ ଲାଗୁ ଏବଂ ନୂଆ ରେଳମାର୍ଗ ନିର୍ମାଣର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଶ୍ରୀମତୀ ସିଂହଦେଓଙ୍କ ଭାଷଣ ନସୁରୁଣୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏହାର ପାଲଟା ଜବାବ ଦେଇ ସାଂସଦଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିଲେ। ଶ୍ରୀମତୀ ସିଂହଦେଓଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା କେଭି ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ଓ ବିଜେଡିର ଏଭଳି ଛକାପଞ୍ଝା ରାଜନୀତିକ ଉଷ୍ମତା ବଢାଇଛି। କେବଳ ସେତିକି ନୁହେଁ, ପାଟଣାଗଡ଼ ସଭାରେ ଶ୍ରୀମୟୀଙ୍କୁ ମାତ୍ରାଧିକ ଗୁରୁତ୍ୱ ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ସାଂଗଠନିକ ରାଜନୀତିକୁ ସରଗରମ କରିଛି। ୨୦୧୭ ପଂଚାୟତ ନିର୍ବାଚନ ପରେ ପାଟଣାଗଡ଼ରେ ଦଳୀୟ ସଂଗଠନର ନେତୃତ୍ୱ ନେଇଥିବା ଶ୍ରୀମୟୀଙ୍କୁ ୨୦୧୯ ସାଧାରଣ ନିର୍ବାଚନବେଳେ ଦଳୀୟ ଟିକେଟରୁ ବଂଚିତ ହେବାକୁ ପଡ଼ିଥିଲା। ତେବେ ଆଜି ପାଟଣାଗଡ଼ ସଭାରେ ଶ୍ରୀମୟୀଙ୍କୁ ଅଧିକ ଗୁରୁତ୍ୱ ମିଳିବା ପରୋକ୍ଷରେ ବିଭିନ୍ନ କାରଣ ପାଇଁ ବିବାଦୀୟ ଥିବା ସ୍ଥାନୀୟ ବିଜେଡି ବିଧାୟକ ସରୋଜ ମେହେରଙ୍କ ପାଇଁ ସତର୍କ ଘଣ୍ଟ ହୋଇଛି। ଏପରିକି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗତକାଲି ରାତିରୁ ବଲାଙ୍ଗିର ଡେରା ପକାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏକ ବୃହତ୍ ପ୍ରକଳ୍ପ(ନୃସିଂହନାଥ ମନ୍ଦିରର ସାମଗ୍ରିକ ବିକାଶ)କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାବେଳେ ବିଭାଗ ତରଫରୁ କେବଳ ଶ୍ରୀମୟୀ ଉପସ୍ଥିତ ରହିଥିଲେ । ଶ୍ରୀମୟୀଙ୍କୁ ଦଳ ପାଟଣାଗଡ଼ରେ ଗୁରୁତ୍ୱ ଦେଇ ପରୋକ୍ଷରେ ଉଭୟ ସିଂହଦେଓ ପରିବାର ଓ ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କୁ ଚିନ୍ତାରେ ପକାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଟାଉନ୍ ସଭା କାର୍ଯ୍ୟକ୍ରମରେ କଂଗ୍ରେସର ଦୁଇ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିଥିଲେ। ଉଭୟ କଂଗ୍ରେସ ବିଧାୟକ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ପାଦେ ଆଗେଇ ଯାଇ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ନକରିବା ପାଇଁ ଦାବି କରିଥିଲେ । ଆୟୁଷ୍ମାନକୁ କଂଗ୍ରେସ ଖୋଲାଖୋଲି ବିରୋଧ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପ୍ରଶଂସା ରାଜନୀତିକ କାରଣରୁ ବିଜେଡି ଓ ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତିକର ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚରେ କଂଗ୍ରେସ ଓ ବିଜେପି ବିଧାୟକମାନେ ବସିଥିବାବେଳେ ସିଂହଦେଓ ପରିବାର ସଦସ୍ୟ କୋଣଠେସା ହୋଇ ରହିଥିଲେ । ସିଂଦେଓ ପରିବାର ଦର୍ଶକ ଗ୍ୟାଲେରୀରେ ବସି ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ବାଲ୍ୟ ବନ୍ଧୁ ଓ ତାଙ୍କ ପରିବାର ସହ ପଦୁଟିଏ କଥା ହେବାକୁ ବି ଉଚିତ୍ ମଣିନଥିଲେ। ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଯାକ କାର୍ଯ୍ୟକ୍ରମ ସରକାରୀସ୍ତରରେ ହୋଇଥିଲେ ମଧ୍ୟ ଦର୍ଶକ ଭାବେ ବିଜେଡି କର୍ମୀମାନେ ଅଧିକ ପରିମାଣରେ ସାମିଲ ହୋଇଥିଲେ। ୨୦୧୭ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଜିଲ୍ଲାରେ ଆଖିଦୃଶିଆ ସଫଳତା ମିଳିନଥିବାବେଳେ ବିଜେପି ଓ କଂଗ୍ରେସର ଭିତରି ବିଜେଡି ପ୍ରୀତି ଏହି ଦୁଇ ଦଳ ପାଇଁ ବି ବୁମେରାଂ ସାବ୍ୟସ୍ତ ହୋଇପାରେ। ତେଣୁ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେପି ଓ କଂଗ୍ରେସର ‘ନବୀନ ପ୍ରେମ’ ବିଜେଡିକୁ ସୁହାଇବାର ସମ୍ଭାବନା ଥିବାବେଳେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବି ଉଗ୍ର ରୂପ ନେବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ।

୭ବର୍ଷ ଧରି ଅଫିସ୍ ଆସୁନାହାନ୍ତି ପ୍ରମୁଖ ସଚିବ, ଲୁଟ୍ ହେଉଛି କର୍ପସ ପାଣ୍ଠି – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତାରେ ବୁଡ଼ିଯାଇଛି ଓ ସ୍ୱାସ୍ଥ୍ୟବୀମା ନାଁରେ ଏଠାରେ ୫୦କୋଟି ଟଙ୍କାର କର୍ପସ ପାଣ୍ଠିକୁ ଲୁଟ୍ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ସରକାରୀ ଟଙ୍କାକୁ କିଭଳି ଦୁର୍ନୀତିଗ୍ରସ୍ତ ଅଫିସରମାନେ ଲୁଟ୍ କରୁଛନ୍ତି ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି ଯେ, ଗତ ୭ ବର୍ଷ ହେଲା ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ କୌଣସି କାମ ନକରି ଆଡ଼ା ଜମାଇ ବସିଛନ୍ତି। ଦିନଟିଏ ମଧ୍ୟ ଅଫିସକୁ ଆସୁନାହାଁନ୍ତି। ଏପରିକି ବିଧାନସଭା ଅଧିବେଶନବେଳେ ବି ସମ୍ପୃକ୍ତ ସଚିବ ନିଜ ଅଫିସ ଆସିନଥିଲେ। ସେହିପରି ୨୦୧୮ ମାର୍ଚ୍ଚ ମାସରେ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଯଦି କୌଣସି ବିଭାଗ ସ୍ୱତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରେ, ଅତିବେଶିରେ ସେମାନେ ମାସିକ ୪୨ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ନେଇପାରିବେ । ମାତ୍ର ଏଠାରେ ନିଯୁକ୍ତ ପରାମର୍ଶଦାତାମାନେ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଦରମା ନେଉଛନ୍ତି କିପରି? ୪-୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଅଥଚ କେହି କିଛି କାମ କରୁନାହାନ୍ତି। ବିଭାଗର ସହାୟତା ପାଇଁ ଗଠିତ ଓଏସଆରଏଫଏସ୍ ସୋସାଇଟି ସକାଶେ ସରକାର ଦେଇଥିବା ୫୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ ବେଆଇନ ଭାବେ ଖର୍ଚ୍ଚ ହେଉଛି । ପ୍ରମୁଖ ସଚିବ ଅଫିସକୁ ଆସୁନଥିଲେ ମଧ୍ୟ ମାସକୁ ୩୦ ହଜାର ଟଙ୍କାରେ ଜଣେ ଡ୍ରାଇଭର ତାଙ୍କ ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି ଏବଂ ଦିନକୁ ୮୦ କିଲୋମିଟର ଯାତ୍ରା କରୁଥିବା ଦର୍ଶାଇ ସେ ଇନ୍ଧନ ବାବଦ ଅର୍ଥ ବିଲ କରୁଛନ୍ତି । ସୋସାଇଟ୍‌ର ବାଇ-ଲ’ ଅନୁଯାୟୀ ପ୍ରତି ୬ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକଥା ମାତ୍ର ତାହା ଆଦୌ ହେଉନାହିଁ। ବିଭାଗରେ ୫ଜଣ ଅତିରିକ୍ତ ସଚିବ ଥିବାବେଳେ ଅଧିକ ସଂଖ୍ୟାରେ ନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତି ହେବାର କାରଣ କ’ଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଯେଉଁଦିନ ସଂପୃକ୍ତ ଅତିରିକ୍ତ ସଚିବ ଅବସର ଗ୍ରହଣ କଲେ ଠିକ ତା ପରଦିନ ତାଙ୍କୁ ନିର୍ବାହୀ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଗଲା କାହିଁକି? ତାଙ୍କ ପାଇଁ ପ୍ରକୋଷ୍ଠ ଏବଂ କେତେ କର୍ମଚାରୀ ଆଣି ନିଯୁକ୍ତ କରାଗଲା। ସେ ବିନା ସରକାରୀ ଚିଠିରେ ଓଡ଼ିଶା ଖଣି ନିଗମର ଏକ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଛନ୍ତି ଏବଂ ଏ ବାବଦରେ ସମସ୍ତ ଖର୍ଚ୍ଚ ଓଏମସି ବହନ କରୁଛି । ଅନ୍ୟ ସମସ୍ତ ବିଭାଗର ନଥିପତ୍ର ଦୂରସଂଚାର କାର୍ଯ୍ୟକ୍ରମ “ଓସ୍ୱାସ” ମାଧ୍ୟମରେ ପ୍ରସ୍ତୁତ ହେଉଥିବାବେଳେ ଏହି ବିଭାଗରେ ଏଥିପ୍ରତି ଆଦୌ ଆଗ୍ରହ ପରିଲକ୍ଷିତ ନହେବା ସନ୍ଦେହଜନକ । କେବଳ ଏହି ବାବୁମାନଙ୍କ ଅପାରଗତା ଯୋଗୁ ୨୦୧୯-୨୦ ବର୍ଷରେ ୯ଟି ନିଗମରେ ୧୭୩୩ କୋଟି ଟଙ୍କା କ୍ଷତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଶ୍ରୀ ପାଣ୍ଡବ କହିଛନ୍ତି ଯେ ଏହି ସରକାରୀ ଉଦ୍ୟୋଗ ବିଭାଗର କାର୍ଯ୍ୟାଳୟଟି ଗତ ୪ ବର୍ଷ ହେଲା ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକର ଶାଖା କାର୍ଯ୍ୟାଳୟ ପାଲଟି ଯାଇଛି ଏବଂ ସେଠି ସରକାରୀ କର୍ମଚାରୀ ଓ ବିଭିନ୍ନ ନିଗମ କର୍ମଚାରୀଙ୍କୁ ବର୍ଷତମାମ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବାର କାମ ଚାଲିଛି । ତେଣୁ ଏ ସମସ୍ତ ଦୁର୍ନୀତି ଓ ଅନିୟମିତାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏବଂ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

ବିଜେଡିର କାର୍ଡ ବଣ୍ଟା ରାଜନୀତି;ମୁଖ୍ୟମନ୍ତ୍ରୀଙ୍କ ସଭାରେ ରହିବେ ନରସିଂହ ଓ ସଙ୍ଗୀତା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଥିବା ବିଜେଡିକୁ ଏବେ ଉଭୟ କଂଗ୍ରେସ ଓ ବିଜେପିର ସମର୍ଥନ ଦେବା ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଯାଇ ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଥିବାବେଳେ ବିଜେଡି ନିଜର ମନ୍ତ୍ରୀ ଓ ୩ ଡଜନରୁ ଅଧିକ ନେତାଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକରେ ମୁତୟନ କରାଇ କାର୍ଡ ବଣ୍ଟା ଆଳରେ ସଂଗଠନକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୬୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ରହିବେ। ଏହି ରହଣୀ ମଧ୍ୟରେ ଟିଟିଲାଗଡ଼ ସରକାରୀ ମହିଳା କଲେଜ ପଛପଟ ପଡ଼ିଆ, ପାଟଣାଗଡ଼ର ରମାଇ ହାଇସ୍କୁଲ ଓ ବଲାଙ୍ଗିର ଟାଉନର ଗାନ୍ଧି ଷ୍ଟାଡ଼ିୟମରେ ଆୟୋଜିତ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। କୋଭିଡ୍ କଟକଣା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ଜୋରଦାର ଉଦ୍ୟମ ହୋଇଛି। ଦଳର ସାଂଗଠନିକ ସମ୍ପାଦକଙ୍କଠୁ ଆରମ୍ଭ କରି ୧୨ରୁ ଅଧିକ ମନ୍ତ୍ରୀ ବଲାଙ୍ଗିରରେ ଡେରା ପକାଇ ରହିଛନ୍ତି। ମାଲକାନଗିରି ଓ ସୁନ୍ଦରଗଡ଼ ତୁଳନାରେ ବଲାଙ୍ଗିର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ବେଶ୍ ଭବ୍ୟ ଆକାରରେ ହେଉଥିବା ଜଣାପଡ଼ିଛି । ଏହି ୩ଟି ଯାକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବେ। ଏଥିରେ ହରିଶଙ୍କର ମନ୍ଦିରର ସାମଗ୍ରିକ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବଲାଙ୍ଗିର ବସ୍ ଟର୍ମିନାଲ ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମ ସାମିଲ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ବଲାଙ୍ଗିର ଗାନ୍ଧି ଷ୍ଟାଡ଼ିୟମ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି। ଅବଶ୍ୟ ବିଜେପି ଓ କଂଗ୍ରେସର ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେକି ନାହିଁ ତାହା ସେମାନେ ସ୍ପଷ୍ଟ କରିନାହାନ୍ତି। ମାତ୍ର ଯେଉଁ ଢଙ୍ଗରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବଲାଙ୍ଗିରରେ କାର୍ଯ୍ୟକ୍ରମ ହେଉଛି ସେଥିରେ ବିଜେଡି ନିଜର ପତିଆରା ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । କରୋନା ମହାମାରୀ କାଳରେ ପ୍ରଥମ ସାଧାରଣ ସଭା ବଲାଙ୍ଗିର ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ବିଜେଡି ବଲାଙ୍ଗିରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ରେ କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ବିଜେଡି ନେତା ଓ ମନ୍ତ୍ରୀମାନଙ୍କୁ ସ୍ଥାନୀୟ ବିଜେପି ବିଧାୟିକା କୁସୁମ ଟେଟେ ସହଯୋଗ କରିବା ସହ କାର୍ଡ ବାଣ୍ଟିଥିଲେ। ସୂଚନାଯୋଗ୍ୟ, ୨୦୧୭ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ବଲାଙ୍ଗିର ଜିଲ୍ଲାରେ ଆଶାନୁରୂପ ସଫଳତା ମିଳିନାହିଁ। ପଂଚାୟତ ନିର୍ବାଚନରେ ବିଜେଡିକୁ ମୋଟ ୩୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ମାତ୍ର ୯ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସକୁ ୨ଟି ଓ ବାକି ବିଜେପି କବଜାରେ ରହିଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୫ଟି ବିଧାନସଭାରୁ କଂଗ୍ରେସକୁ ୨ଟି ଓ ବିଜେପିକୁ ଗୋଟିଏ ମିଳିଥିବାବେଳେ ବିଜେଡି ଭାଗରେ ମାତ୍ର ୨ଟି ଆସନ ରହିଛି। ଏହା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ଏୟୁସିଂହଦେଓ ପରିବାରକୁ ଅଣଦେଖା କରାଯିବା ଓ ତାଙ୍କ ପରିବର୍ତ୍ତେ କାହାରିକୁ ଜିଲ୍ଲାର ନେତୃତ୍ୱ ନେବା ପାଇଁ ବିଜେଡିକୁ ଆଗକୁ ଆଣୁନଥିବା ଯୋଗୁ ବିଜେଡିର ସ୍ଥିତି ପୂର୍ବବତ ରହିଛି। ଜିଲ୍ଲାର ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ ଥିଲେ ମଧ୍ୟ ସାଂଗଠନିକ ଦକ୍ଷତା ପ୍ରତିପାଦନ କରିବାରେ ସେ ସକ୍ଷମ ହୋଇପାରିନାହାନ୍ତି। ତେଣୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ନିଜସ୍ୱ ଭୋଟବ୍ୟାଙ୍କ ବଢ଼ାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।