ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଥିବା ସୂଚନା ଦେଲେ ଗୁଣୁପୁର ଥାନା ଭାରପ୍ରାପ୍ତ ଅଧିକାରୀ ।

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଏକ ବିଶେଷସୂତ୍ରରୁ ଖବର ପାଇ ଗୁଣୁପୁର ଆଦର୍ଶ ପୋଲିସ ଥାନା ଅଧିକାରୀ ଯଶମନ୍ତ ହିଆଲ ଏକ ସ୍ୱତନ୍ତ୍ର ଟିମ ସହ କନ୍ଧମାଳ ଜିଲ୍ଲା ର ଚକାପାଦ ଗ୍ରାମ ରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଯନ୍ତ୍ରପାତି ସହ ତିନୋଟି ପିସ୍ତଲ, ଦୁଇଟି ଦେଶୀ ବନ୍ଧୁକ ଏବଂ ବିପୁଳ ପରିମାଣ ରେ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ କୁ ଜବତ କରିଥିବା ଥାନା ଅଧିକାରୀ ଯଶୋବନ୍ତ ହିଆଲ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଦେଶୀ ବନ୍ଧୁକ ତିଆରି ଅଭିଯୋଗ ରେ ଦେବ ବଲ୍ଲଭ ମହାପାତ୍ର, ତ୍ରିନାଥ ବିନ୍ଧାଣି ଏବଂ ଭାବଗ୍ରାହୀ ବିନ୍ଧାଣି ଙ୍କୁ ଗିରଫ କରାଯାଇଛି ।ଗୁଣପୁର ଥାନା କେସ ନଂ ୧୪୦ ରେ କେଶ ଦାୟର କରାଯାଇ ଭାରତୀୟ ଦଣ୍ଡବିଧି ଆଇନ ର ୨୫(୧-କ),୨୫(୮)(୨୯) ଅସ୍ତ୍ର ସସ୍ତ୍ର ନିରୋଧ ଆଇନ ଅନୁଯାଇ କେସ ନମୋଦ କରାଯାଇଛି । ଗିରଫ ୩ଜଣ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ରାକେଟ ରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ।ଏହାର ଶାଖା କେତେଦୂର ଲମ୍ବିଛି ଏନେଇ ପୋଲିସ ଖୋଳ ତାଡ଼ କରୁଛି । ଗୁଣପୁର ଥାନା ଅଧିନସ୍ତ ଉକୁମ୍ବା ଗ୍ରାମର ଦେବ ଦୁଲ୍ଲଭ ମହାପାତ୍ରଙ୍କ ଘରେ ଦେଶୀ ବନ୍ଧୁକ ଥିବା ଖବର ପାଇ ପୋଲିସ ମହାପାତ୍ରଙ୍କ ଘର ଉପରେ ଚଢ଼ାଉ କରି ଗୋଟିଏ ସିଙ୍ଗଲ ବ୍ୟରଲ ଦେଶୀ ପିସ୍ତଲ,ତିନୋଟି ଗୁଳି,ପାଞ୍ଚଟି ଲୁହା ଚିପିସ ଗୋଟିଏ ବଡ ଖଣ୍ଡା ଜବତ କରିବା ପରେ ତାଙ୍କର ସୂଚନା କ୍ରମେ କନ୍ଧମାଳ ଜିଲ୍ଲା ଚକପାଦ କୁ ଯାଇ ପୋଲିସ ଏହି ଦେଶୀ ବନ୍ଧୁକ ତିଆରି କାରଖାନା ଠାବକରି ସେଠାରୁ ଦୁଇଟି ରାଇଫଲ, ଗୋଟିଏ ରିଭଲଭର,ଗୋଟିଏ ପିସ୍ତଲ ,ଦୁଇଟି ରାଇଫଲ କଥାଫ୍ରେମ, ଚାରୋଟି ଲୁହା ବେରେଲ, ଗୋଟିଏ ଡ୍ରିଲ ମେସିନ,ଗୋଟିଏ କଟିଂ ମେସିନ ଓ ବନ୍ଧୁକ ନିର୍ମାଣରେ ବ୍ୟବହୃତ ସାମଗ୍ରି ସହ ଦୁଇଟି ମୋବାଇଲ ଜବତ କରିଛି ।

ଓଡିଶା-ଆନ୍ଧ୍ର ବିବାଦର ସ୍ଥାୟୀ ସମାଧାନ ତଥା ସୀମାନ୍ତ ପଞ୍ଚାୟତ ମାନଙ୍କରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଅଞ୍ଚଳବାସୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ଗଣଧାରଣା ଓ ସ୍ମାରକ ପତ୍ର ପ୍ରଦାନ …..!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଓଡିଶା-ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାର ମାଣିକପାଟଣା ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ କ୍ରମ-ବର୍ଦ୍ଧମାନ ଅନୁପ୍ରବେଶ ଓ ଦାଦାଗିରିକୁ ବନ୍ଦ କରିବା ଏବଂ ସୀମାନ୍ତ ପଞ୍ଚାୟତଞ୍ଚଳ ଲୋକମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟସେବା ଓ ରାସ୍ତା ପ୍ରଭୃତି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ଦାବୀରେ ସୋମବାର ଦିନ ସୀମାନ୍ତ ପଞ୍ଚାୟତଞ୍ଚଳ ବାସୀ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ , ଗଣଧାରଣା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ଏହି ଅବସରରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କେରାଣ୍ଡି ଓ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳବାସୀ ଆଦିବାସୀ ନେତା ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ ଓ ପୂର୍ବତନ ସରପଞ୍ଚ ଶ୍ରୀ ହରିବନ୍ଧୁ କାର୍ଜିଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ଵ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସି ବିକ୍ଷୋଭ ସଭା କରିଥିଲେ ।
ଏଥିରେ ଆଦିବାସୀ ନେତା ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ , ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜି , ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ମାଣିକପାଟଣା ଗ୍ରାମର ଶ୍ରୀ ସଡ଼ଗ ଶବର ପ୍ରମୁଖ ଭାଷଣ ଦେଇ ଆନ୍ଧ୍ର ସରକାର କିଭଳି ଓଡିଶା ସୀମା ଭିତରେ ଅନୁପ୍ରବେଶ କରି ଗ୍ରାମବାସୀଙ୍କ ପ୍ରତି ଦମନଳିଲା ଚଳାଇ ଭୟଭିତ କରି ରଖିଛି , ସେ ସମ୍ପର୍କରେ କହିଥିଲେ ।

ଅନ୍ୟପକ୍ଷରେ ବିଭିନ୍ନ ସର୍ବନିମ୍ନ ମୌଳିକ ଓ ନ୍ୟାଯ୍ୟ ଦାବୀ ଶିକ୍ଷା ସ୍ୱାସ୍ଥ୍ୟସେବା , ରାସ୍ତା , ବଜାର ସୁବିଧା , ମୋବାଇଲ ଟାୱାର , ସ୍ଥାୟୀ ସୀମା ଚିହ୍ନଟ ପ୍ରଭୃତିର ଅଭାବ ଯୋଗୁଁ ଆମକୁ ପ୍ରତି କ୍ଷେତ୍ରରେ ଏସବୁ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଫଳରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରି ବଢୁଛି । ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏସବୁ ସର୍ବନିମ୍ନ ମୌଳିକ ସମସ୍ୟା ପ୍ରତି ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣକାର୍ଯ୍ୟ ଆଗେଇ ନେବାକୁ ଦାବି କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠ ଦଫା ସମ୍ମିଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

୧୦୮ ଫାର୍ମାଶିଷ୍ଟଙ୍କ ମହାନତା, ଗର୍ଭବତୀ ମହିଳାଙ୍କୁ ଷ୍ଟେଚ଼ରରେ ବୋହି ଆଣିଲେ ୩ କିମି ରାସ୍ତା….!

!!! ଗଜପତି ଜିଲ୍ଲା ମୋହନା ରୁ ପ୍ରତିନିଧି ମଜେସ୍ ରଇତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା)-କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଳକର ଉପାନ୍ତ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ଳକରେ ଏବେ ମଧ୍ୟ ବହୁ ଗ୍ରାମ ରହିଛି ଯେଉଁଠି କି ଗମନାଗମନ କରିବା କାଠିକର ପାଠ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ଅଲଣ୍ଡା ଗ୍ରାମରେ। ଏହି ଗ୍ରାମର ଜଣେ ଗର୍ଭବତୀ ମହିଳା ସୁନିଲା ଶବର (୩୩) ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲେନ୍ସକୁ ଖବର କରିଥିଲେ। ଖବର ପାଇ ୧୦୮ର ଫାର୍ମାଶିଷ୍ଟ ବିବ୍ୟାଧର ସାହୁ ଓ ଚାଳକ ଯାଇଥିଲେ। ଗାଡିଟି ରାଜ୍ୟ ରାଜପଥ କଡରେ ପଡୁଥିବା ଅଲଣ୍ଡା ଛକଠାରେ ଅଟକି ଥିଲା।ସେଠାରୁ ୫ କି.ମି ଦୂର ଅଲଣ୍ଡା ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ୧୦୮ ଯିବା ସମ୍ଭବପର ହୋଇନଥିଲା। ଏଣୁ ଫାର୍ମାଶିଷ୍ଟ ବିଦ୍ୟାଧର ଷ୍ଟେଚର ଧରି ପାଦରେ ଚାଲି ଚାଲି ଅଲଣ୍ଡା ଗ୍ରାମରେ ପହଞ୍ଚିଲେ। ସେଠାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟେଚ଼ରରେ ଶୁଆଇ ବୋହି ବୋଲି ୩ କି.ମି ଦୁର୍ଗମ ରାସ୍ତା ପାର ହୋଇ ଅଟକି ରହିଥିବା ୧୦୮ରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିଛି ଘଣ୍ଟାର ବ୍ୟବଧାନ ପରେ ସୁନିଲାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି। ମା’ ଓ ପୁଅ ଉଭୟେ ସୁସ୍ଥ ଅଛନ୍ତି।

ରାୟଗଡ଼ରେ ସ୍ଥାୟୀ ଲୋକ ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ ର ସ୍ଥାୟୀ ଲୋକ ଅଦାଲତର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚୈଠକରେ ସଦସ୍ୟ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଓ ଡଃ. ସାଲଭା ରାଜୁଙ୍କ ଉପସ୍ଥିତରେ ଅଦାଲତରେ ତିନୋଟି ଭତ୍ତା ସମ୍ବନ୍ଧୀୟ ଓ ଦୁଇଟି ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ ସମ୍ବନ୍ଧୀୟ ମକଦ୍ଦମାର ସମାଧାନ କରାଯାଇଛି । ସ୍ଥାୟୀ ଲୋକ ଅଦାଲତର ନିର୍ଦ୍ଧେଶ କ୍ରମେ ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ , ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଦୁଇ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇଥିଲେ । ଏଥି ସହ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ସହରରେ ବ୍ରାହ୍ମଣ ସାହିରେ ଦୀର୍ଘଦିନ ରୁ ଜମା ହୋଇଥିବା ଅଳିଆ ଆବର୍ଜନା ପୌର ପରିଷଦ ସଫା କରିଥିଲେ । ରାୟଗଡ଼ା ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଜନସାଧାରଣଙ୍କୁ ସାଧାରଣ ସେବା ଓ ସୁବିଧା ଯଥା ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ , ବିଦ୍ୟୁତ୍ ସେବା,,ବାର୍ଦ୍ଧକ୍ୟ ଭତ୍ତା, ରେସନ , ଆଧାରକାର୍ଡ ପ୍ରଦାନ ଇତ୍ୟାଦି କ୍ଷେତ୍ରରେ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ । ଜନସାଧାରଣଙ୍କୁ ବିନା ଖର୍ଚ୍ଚରେ ଏହାର ସୁଯୋଗ ନେବା ପାଇଁ ସ୍ଥାୟୀ ଲୋକ ଅଦାଲତ ତରଫରୁ ଅନୁରୋଧ କରାଯାଇଛି।

ବିଜେଡିରେ ମିଶିଲେ ରାୟଗଡ଼ା ଜିଲ୍ଲାର କଂଗ୍ରେସ ଓ ବିଜେପି ର ଶତାଧିକ କର୍ମୀ ଓ ନେତା…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଜାଡ଼ିବା ରେ ଆରମ୍ଭ କରିଛି ବିଜେଡି। କଂଗ୍ରେସ,ବିଜେପିକୁ ଚକମା ଦେବାକୁ ଦଳ ଆରମ୍ଭ ହୋଇଛି ଗୋଟିଚାଳନା ରାୟଗଡ଼ା ଜିଲ୍ଲାର ବହୁ କଂଗ୍ରେସ ଓ ବିଜେପି ନେତା ସୋମବାର ଦିନ ବିଜେଡିରେ ସାମିଲ୍ ହୋଇଛନ୍ତି।ଏହା ଜିଲ୍ଲା ରାଜନୀତିକୁ ସରଗରମ କରିଛି।ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳ‌ରେ ସାମିଲ୍ ହୋଇଥିବା ସମସ୍ତ ନେତାଙ୍କୁ ସ୍ବାଗତ କରିବା ସହ ସଂଗଠନକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ।ବିଜେଡିରେ ମିଶିଥିବା ନେତାମ‌ାନେ ହେଲେ ଗୁଣପୁର ନିର୍ବାଚନମଣ୍ଡଳୀରୁ ଗୁଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବାଳି ଗମାଙ୍ଗ,ସାଂସଦଙ୍କ ପ୍ରତିନିଧି ତଥା ଗୁଣପୁର ନଗର କଂଗ୍ରେସ ସଭାପତି ଏସ୍. ବାବା ପ୍ରସାଦ,ଗୁଣପୁର ବ୍ଲକ୍ କଂଗ୍ରେସ ସଭାପତି ତଥା ଚାଲକମ୍ବା ସରପଞ୍ଚ ବିଘ୍ରାଞ୍ଚି ଗମାଙ୍ଗ,ପଦ୍ମପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବୃନ୍ଦାବନ ଶବର,ପଦ୍ମପୁର ବ୍ଲକ ସଭାପତିଏମ୍.ସୁରେଶ କୁମାର, ଆଖୁସିଂ ସରପଞ୍ଚ ତଥା ବିଜେପି ନେତ୍ରୀ କୌଶଲ୍ୟା ଶବର,ଚନ୍ଦ୍ରପୁର ବ୍ଲକ୍‌ର ବରିଷ୍ଠ ବିଜେପି ନେତା ସୁନାମଣି ପଟିଙ୍ଗା, କଂଗ୍ରେସ ନେତା ବାସେକା ମୁଡ୍ରିଙ୍ଗା ପ୍ରମୁଖ ବିଜେଡିରେ ସାମିଲ୍ ହୋଇଛନ୍ତି।

ସେହିପରି ରାୟଗଡ଼ା ନିର୍ବାଚନ ମଣ୍ଡଳୀରୁ ଯୁବ କଂଗ୍ରେସ ନେତା ସନ୍ତୋଷ କୁମାର ପାତ୍ର,ରାମଚନ୍ଦ୍ର ପାଢ଼ୀ,ଜିଲ୍ଲା ଏସ୍‌ଟି ସେଲ୍ ସଭାପତି ରାୱଲା ମାଝୀ,ଏମ୍. ଶ୍ରୀନିବାସ ରାଓ,ବାଦଲ ମହାନ୍ତି, ଶେକ୍ ଅବଦୁଲ୍ ସଦାଖତ,ଦିଲ୍ଲୀପ କୁମାର ନାୟକ,ସୁରେନ୍ଦ୍ର ଖମାରି,କାଶୀପୁର ବ୍ଲକ୍‌ର ବୈକୁଣ୍ଠ ନାୟକ,କେଶବ ନାୟକ, ମୋହନ ମାଝି, ବିଜେପି ନେତା ଭବାନୀ ମାଝି,ତ୍ରିନାଥ ଦୋରା,ଅଜିତ୍ ଭତ୍ରା, ନିରଞ୍ଜନ ଖୋସଲା,ବିଷମକଟକ ନିର୍ବାଚନ ମଣ୍ଡଳୀରୁ କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସାଲିର ଅଭିମନ୍ୟୁ ଭତ୍ରା, ଡଙ୍ଗରିଆ ନେତା ଗୋବିନ୍ଦ ବାଘ,ସଞ୍ଜୟ ସିକକା,ସାଧବ ଭତ୍ରା,କୋଲନରା ବ୍ଲକ୍‌ରୁ ଗୋରଖ ଚନ୍ଦ୍ର ନାଗ,ରାଜ କୁମାର ଲିମାଙ୍କ ସମେତ ୭୭ ନେତା ଓ କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି।ରାୟଗଡ଼ା ପୌରାଞ୍ଚଳ ଓ କାଶୀପୁର ବ୍ଲକରୁ ସର୍ବାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି।ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ,ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ଓ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ।

କୋରିଅରରେ ରାୟଗଡାରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ,କାବୁ କଲା ଅବକାରୀ ବିଭାଗ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାରୁ ଜିଲ୍ଲା ବାହାରକୁ ତଥା ରାଜ୍ୟ ବାହାରକୁ ଗଂଜେଇ ଚୋରା ଚାଲାଣ ପାଇଁ ବ୍ୟବସାୟୀମାନେ ଏବେ ବିଭିନ୍ନ ପ୍ରକାର ନୂଆ ଉଦ୍ୟମଗୁଡିକର ସାହାରା ନେଉଛନ୍ତି।ଆଜି କୋରିୟର ମାଧ୍ୟମରେ କାନପୁରକୁ ଗଂଜେଇ ଚୋରା ଚାଲାଣ କରିବା ପାଇଁ ବୁକିଂ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ସନ୍ଦେହ କରି ରାୟଗଡା ଟାଉନ ଥାନାରେ ଅଟକ ରଖାଯାଇ ସେ ଆଣିଥିବା ପାର୍ସଲକୁ ଜବତ କରାଯାଇଛି।ତେବେ ଅଟକ ଯୁବକଙ୍କ ଅସଲ ପରିଚୟ ମିଳିପାରି ନ ଥବା ବେଳେ ସେ ନିଜକୁ ଶୁଭମ୍‌ ନାୟକ ବୋଲି ପରିଚୟ ଦେଉଥୁବା ଜଣାପଡିଛି।ଏ ନେଇ ରାୟଗଡା ଥାନା ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ବକ୍ସକୁ ଓଜନ କରାଯିବ ବୋଲି ଜଣାପଡିଥିବା ବେଳେ ଆନୁମାନିକ ଭାବେ ଏହା ପାଖାପାଖି ୩୦କେଜିର ଗଂଜେଇ ରହିଥିବା ପ୍ରାଥମିକ ତଦନ୍ତରେ ସନ୍ଦେହ କରାଯାଉଛି।କୋରିୟରରେ କାର୍ଯ୍ୟରତ କର୍ମଚାରୀଙ୍କ ବୁଦ୍ଧି ଯୋଗୁଁ ଗଂଜେଇ ଚୋରା ଚାଲାଣର ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇପାରିଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।ଗତ ସେପ୍ଟେମ୍ବର ୧୭ତାରିଖରେ ରାୟଗଡା ସହରସ୍ଥିତ ନ୍ୟୁ କଲୋନୀର ହୋଟେଲ ସ୍ବାଗତ ରୋଡରେ ଥୁବା ଦି ପ୍ରୋଫେସନାଲ କୋରିୟରରେ କାନପୁରର ସନିଗାଁଓର ଭାବନଗର ଠିକଣାରେ ରହୁଥିବା କ୍ରିଷ୍ଣା ସିଂଙ୍ଗ ନାମକ ବ୍ୟକ୍ତିଙ୍କୁ ରାୟଗଡା କଲେଜ ରୋଡର ରବିନ୍ଦ୍ର ନାୟକ ନାମକ ବ୍ୟକ୍ତିଙ୍କ ଠିକଣାରୁ ଏକ ବଡ ପାର୍ସାଲ ବୁକିଂ କରାଯାଇ ପଠାଯାଇଥିଲା।

ରାୟଗଡା ରୁ ଭୁବନେଶ୍ବର ଯାଉଥିବା ନୀଳକଣ୍ଠେଶ୍ବର ବସରେ କୋରିୟର ସଂସ୍ଥା ପକ୍ଷରୁ ଉକ୍ତ ବକ୍ସଟି ପଠାଯାଇଥିବା ବେଳେ ବ୍ରହ୍ମପୁର ଠାରେ ପୋଲିସ ଯାଞ୍ଚ ବେଳେ ଉକ୍ତ ବକ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା।ଏ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ କୋରିୟର ସଂସ୍ଥାକୁ ଗତକାଲି ଅବଗତ କରାଯାଇଥିଲା।ଇତି ମଧ୍ୟରେ ପୁଣିଥରେ ଆଜି ଉକ୍ତ ଯୁବକ ଜଣକ ସନ୍ଧ୍ୟାରେ ଏକ ବକ୍ସ ସେହି ଠିକଣାରେ ବୁକିଂ କରିବାକୁ ଆସି ଉକ୍ତ ବକ୍ସରେ ବାଦାମ ରହିଥିବା କହିଥିବା ବେଳେ କୋରିୟର ସଂସ୍ଥାର କର୍ମଚାରୀ ଏମ.ଏସ.ରାଓ ସନ୍ଦେହ କରି ବକ୍ସଟିକୁ କାର୍ଯ୍ୟାଳୟ ଭିତରେ ରଖୁବାକୁ କହି ବାହାର ପଟୁ ସଟ୍ଟର ବନ୍ଦ କରି ଦେଇଥିଲେ।ପରେ ତୁରନ୍ତ ୧୧୨ ନମ୍ବରକୁ ଡାଏଲ କରି ଘଟଣା ସଂପର୍କରେ ଖବର ଦେବା ପରେ ପୋଲିସ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ରାୟଗଡା ଥାନାରେ ଅଟକ ରଖୁଥିବା ଜଣାପଡିଛି।ଏ ନେଇ ରାୟଗଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ଶ୍ରୀ ରଶ୍ମିରଂଜନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।

ବିଜେପି ପକ୍ଷରୁ ବ୍ରହ୍ମପୁର ବଡ଼ମେଡିକାଲ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହୋଇଥିବା ସେବା ସମର୍ପଣ ସପ୍ତାହ ଉପଲକ୍ଷେ ଏବଂ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁଙ୍କ ଜନ୍ମଦିନ ଅବସରରେ ବ୍ରହ୍ମପୁର ବଡ଼ମେଡିକାଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିସହ ମଧୁସୂଦନ ସାହୁ ରକ୍ତଦାନ କରିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼. ମଧୁସୂଦନ ସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଡ଼. ସୁବାଷ ସାହୁ , ନିମନ୍ତ୍ରିତ ଅତିଥିରୂପେ, ଜିଲ୍ଲା ହେଲଥ୍ ସେଲ୍ ସଂଯୋଜକ ରାଜୀବ ମିଶ୍ର,ରାଜ୍ୟ କୃଷକ ମୋର୍ଚ୍ଚା କାଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଚୌଧୁରୀ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କିରଣ କୁମାର ସାହୁ ପ୍ରମୂଖ ଯୋଗଦେଇଥିଲେ । ଏଥିରେ ରବୀନ୍ଦ୍ର ସାହୁ, ଦେବୀପ୍ରସାଦ ପାଢ଼ୀ, ସୁଶୀଳା ମାଲିକ, ରବୀନ୍ଦ୍ର ସାବତ ଶିବ ନାୟକ,ବିନୋଦ ସିଂ, ଜଗଦୀଶ ପ୍ରଧାନ, ମାତା ପ୍ରସାଦ ନାୟକ, ସୁମିତ ପାତ୍ର, ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ ।

ତାତିଲେଣି ସାହାରା ଜମାକାରୀ ଓ ଏଜେଣ୍ଟ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଅର୍ଥଲଗାଣକାରୀ ସଂସ୍ଥା ସାହାରା ଇଣ୍ଡିଆରେ ଟଙ୍କା ଜମାକରିଥିବା ଜମାକାରୀ ମାନେ ଅବଧି ସରିଥିଲେ ମଧ୍ୟ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରୁନାହାନ୍ତି । ଏହାର ପ୍ରଭାବ ଜମାଟଙ୍କା ସଂଗ୍ରହ କରୁଥିବା ଏଜେଣ୍ଟ ମାନଙ୍କ ଉପରେ ମଧ୍ୟ ବିଶେଷ ଭାବେ ପଡିଥିବା ଲକ୍ଷ୍ୟ କରାଯାଇଛି । ଆଜି କୋଦଳା ସ୍ଥିତ ଶ୍ରୀ ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜମାକାରୀ ଓ ଏଜେଣ୍ଟ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ଜମା ଟଙ୍କା କିପରି ଫେରସ୍ତ ପାଇବେ ଆଲୋଚନା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ଏଥିରେ ହସ୍ତକ୍ଷେପ କରି ଦୃଢ ପଦକ୍ଷପ ନନେଲେ ଆଗାମୀ ଦିନରେ ଜମାକାରୀ ଓ ଏଜେଣ୍ଟଙ୍କ ପକ୍ଷରୁ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବବୋଲି ଚେତାବନୀ ଦିଆଯାଇଅଛି । ଆଜିର ବୈଠକରେ ମୁଖ୍ୟ ଦାବିଗୁଡିକ ହେଲା

୧. ଜମାକାରୀଙ୍କ ଜମାଟଙ୍କା ସୁଧ ସହ ତୁରନ୍ତ ଫେରସ୍ତ ।
୨. ନୁଆଁ ଜମା ସଂଗ୍ରହ ଉପରେ ରୋକ୍ ଲଗାଯାଉ ।
୩. ସଂସ୍ଥାର ଠକାମି କାର୍ଯ୍ୟକଳାପ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।


୪.ଭଞ୍ଜନଗର ରେ ଥିବା ସାହାରା ଆଞ୍ଚଳିକ କାର୍ଯ୍ୟାଳୟକୁ ,ବ୍ରହ୍ମପୁର ସହରକୁ ଶୀଘ୍ର ଅଣାଯାଉ,କାରଣ ବ୍ରହ୍ମପୁର ସହର ହେଉଛି ଗଂଜାମ ଓ ଗଜପତି ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳ ଏବଂ ଗମନାଗମାନର କେନ୍ଦ୍ରସ୍ଥଳ ଅଟେ । ଏମ୍. ଶ୍ୟାମଘନ ପାତ୍ରଙ୍କ ତତ୍ୱାବଧାନରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥିଭାବେ ସାହାରା ଜମାକାରୀ ମଞ୍ଚ(ଓଡିଶା)ର ସଭାପତି ବିଜୟ କୁମାର ପାଢୀ ଓ ସମ୍ପାଦକ ସଂଜୀବ କୁମାର ପଣ୍ଡା ଓ ସଭ୍ୟ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଉପସ୍ଥିତ ଥିଲେ । କୋଦଳା ଓ ପୁରୁଷୋତ୍ତମପୁର ର ଜମାକାରୀ ସଂଘର ସଭାପତି ଏମ୍. ଶ୍ୟାମଘନ ପାତ୍ର, ସମ୍ପାଦକ ଗିରିଧାରୀ କର, ଏବଂ ସଦସ୍ୟ ପ୍ରଳୟ କୁମାର ସାହୁ, ପଞ୍ଚାନନ ଷଡଙ୍ଗୀ, ଗଙ୍ଗାଧର ସ୍ୱାଇଁ, ରମାକାନ୍ତ ଆଚାର୍ଯ୍ୟ, ଜୁମର ଜେନା, ସୁଦାମ ଚରଣ ପ୍ରଧାନ ଜଗନ୍ନାଥ ଦାଶ, ପବନା ମୁନି,ବି. ସୀମାଞ୍ଚଳ ପାତ୍ର, ରବୀନ୍ଦ୍ର ପରିଡା ସମେତ ୫୦ ରୁ ଊର୍ଦ୍ଧ୍ଵ ଜମାକାରୀ ଓ ଏଜେଣ୍ଟ ଏହି ବୈଠକରେ ସାମିଲ୍ ଥିଲେ ।

ପବିତ୍ର ସୁନିଆ ପର୍ବ ଅବସରରେ କଳିଙ୍ଗ ସାହିତ୍ୟ ସମାଜ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଓଡ଼ିଶାର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ସୁନିଆ ପର୍ବ ଅବସରରେ ଓଡ଼ିଶା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବିଗତ ୧୯୭୦ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଶିଷ୍ଟ ଅନୁଷ୍ଠାନ ବହୁ ପ୍ରତିଷ୍ଠିତ ସାହିତ୍ୟିକ ଶିକ୍ଷାବିତ ମାନଙ୍କୁ ନେଇ ଗଢ଼ିଉଠିଥିଲା ।ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅତ୍ୟନ୍ତ ଯାକଜମକରେ ପାଳନ ହୋଇପାରିଥାନ୍ତା କିନ୍ତୁ ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ର ଭୟ ପ୍ରଶମିତ ହୋଇ ନଥିବା ରୁ ଏବଂ ସରକାରୀ କଟକଣା ନିୟମ କୁ ସମ୍ମାନ ଜଣାଇ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠାନ ର କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସାହିତ୍ୟ ସମାଜର ଉପସଭାପତି ଡ଼. ବନମାଳୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ବକ୍ତା ଭାବରେ ଭାରତୀୟ ଲଳିତା କଳା ଏକାଡେମୀ ନୂଆଦିଲ୍ଲୀ ର ସହ ସଂଯୋଜକ ତଥା ସୁସାହିତ୍ୟିକ ବିଜ୍ଞକଳା ଓ ଐତିହାସିକ ଗବେଷକ ଡ଼. ଦିଲ୍ଲୀପ କୁମାର ତ୍ରିପାଠୀ , ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଏବଂ ପରିଚାଳନା ସମ୍ପାଦକ ତଥା ଶାନ୍ତି ନିକେତନ ର ସହକାରୀ ପ୍ରଫେସର ଡକ୍ଟର ଶରତ କୁମାର ଜେନା ଅଂଶଗ୍ରହଣ କରି ଏହାକୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ପ୍ରଫେସର ପଟ୍ଟନାୟକ ଅନୁଷ୍ଠାନ ର ପ୍ରତିଷ୍ଠାତା ଉତ୍କଳ ଭାରତୀ ଡ଼. ବେଣୀ ମାଧବ ପାଢ଼ୀ,ଡ଼ ସୀତା ରାମ ମହାପାତ୍ର,ଡ଼ ବସନ୍ତ କୁମାର ପାଣିଗ୍ରାହୀ
ସାହିତ୍ୟିକ ଶିବରାମ ପାତ୍ର ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଅନୁଷ୍ଠାନ ର ରୌପ୍ୟ ଜୟନ୍ତୀ ସମାରୋହ ତିନି ଧରି ଆୟୋଜିତ ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ଭିଡିଓ କନଫରେନ୍ସିଂ ଜରିଆରେ ବିଧି ପାଳନ କରାଯାଇଛି ଆଗାମୀ ଦିନରେ ଏହା ପୁନଶ୍ଚ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟବକ୍ତା ଡ଼. ତ୍ରିପାଠୀ ଓଡ଼ିଶାର କଳା ଭାସ୍କର୍ଯ୍ୟ ସ୍ଥାପତ୍ୟ, ଇତିହାସ ଓ ସାହିତ୍ୟ ବିଶେଷ କରି ଲୋକକଳା ଲୋକ ସାହିତ୍ୟ ସମଗ୍ର ବିଶ୍ବରେ ବିରଳ ବୋଲି ମତପ୍ରକାଶ କରିଥିଲେ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ସ୍ବହସ୍ତାକ୍ଷର ସୁଇଜରଲ୍ୟାଣ୍ଡ ର ଏକ ଲାଇବ୍ରେରୀ ରେ ସୁରକ୍ଷିତ ଥିବା କଥା ବ୍ୟକ୍ତ କରିଥିଲେ।ଏବଂ ଓଡ଼ିଶା ବିଶିଷ୍ଟ ଚିତ୍ରକଳା ଗବେଷକ ମହାନ ଶିଳ୍ପୀ ତଥା କଳିଙ୍ଗ ସାହିତ୍ୟ ସମାଜ ର ଭଞ୍ଜ ଭାରତୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ଦିନନାଥ ପାଠୀ ଙ୍କ ବିଭିନ୍ନ କୃତି ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ‘କଳିଙ୍ଗ ସାହିତ୍ୟ ସମାଜ’ର ସାହିତ୍ୟ ର ଜୟଯାତ୍ରା ସମ୍ପର୍କରେ ଆଲୋଚନା କରି ଭୂୟସୀ ପ୍ରଶଂସା କରିଥିଲେ । ସଭାପତିତ୍ବ କରିଥିବା ଡ଼. ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ଯେ ସାହିତ୍ୟ ସମାଜ ଏକ ପୁରାତନ ଅନୁଷ୍ଠାନ, ସାହିତ୍ୟିକ ମାନଙ୍କର କୃତି ଲୋକ ଲୋଚନକୁ ଆଣିବା ପାଇଁ ଏବଂ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବା ଏହାର ଲକ୍ଷ୍ୟ । ପରିଚାଳନା ସମ୍ପାଦକ ପ୍ରଫେସର ଜେନା ଆଭାସୀ ସଂଯୋଜନା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ଏହି ସମାରୋହରେ ଡ଼. ବୃଷକେତୁ ଦାଶ, ଦୀନବନ୍ଧୁ ଶ୍ରୀପଲ୍ଲବ, ଡ କୁଳମଣି ଓଝା, ଅଧ୍ୟକ୍ଷ ଡ଼. ବି. ପ୍ରକାଶଚନ୍ଦ୍ର ପାତ୍ର,ଡ଼.ହୃଷିକେଶ ପଣ୍ଡା, ଡ଼. ସଞ୍ଜୟ କୁମାର ପଣ୍ଡା, ଶ୍ରୀମତୀ ପଦ୍ମିନୀ ମିଶ୍ର, ଶ୍ରୀମତୀ ଭାରତୀ ପାତ୍ର ,ଶ୍ରୀମତୀ ଲୋପା ସାମଲ, ଇଂ.ସୁଚେତା ପାଣିଗ୍ରାହୀ, ଦେବାଶିଷ ଦାଶ,ନଳିନୀ କାନ୍ତ ଗୌଡ଼, ନୀଳକଣ୍ଠ ସାହୁ ପ୍ରମୁଖ ସାହିତ୍ୟିକ ସାହିତ୍ୟିକା ଅଂଶଗ୍ରହଣ କରିଥିଲେ ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିବଲରେ ୪ ଟି ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହେଲା କଣ୍ଢେଇଯାତ୍ରା ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିବଲରେ ନିଜର ସଫଳତାର ପୁଣି ଏକ ନୂଆଁ ଇତିହାସ ରଚିଲା ଡ଼କୁମେଣ୍ଟାରୀ ଫିଲ୍ମ କଣ୍ଢେଇ ଯାତ୍ର। ବ୍ରହ୍ମପୁର ସହରର ଅନନ୍ୟ ପରମ୍ପରା କଣ୍ଢେଇ ଯାତ୍ରା ଯାହା ପ୍ରତି ବର୍ଷ ଆଷାଢ଼ ମାସର ପୂର୍ଣ୍ଣମୀ ଅବସରରେ ବ୍ରହ୍ମପୁର ବଡବାଜର ଖସ୍ପା ସାହିରେ ୩୦୦ ବର୍ଷ ହେଲା ପାଳିତ ହେଉଅଛି ।ସେହି ବିଷୟକୁ ନେଇ ଯୁବ ସିନେ ନିର୍ମାତା ସନ୍ୟାସୀ ମହାରଣା ଏକ ଡକୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିଥିଲେ। ଏହି ଚଳଚିତ୍ର ଆଜି ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିବଲରେ ମନୋନୀତ ହୋଇଥିଲେ। ଚଳିତ ମାସର ୧୪ ତାରିଖ ଦିନ ଏହି ଚଳଚ୍ଚିତ୍ର ମହୋତ୍ସବର ବିଜେତା ଘୋଷଣା କରାଯାଇଥିବା ବେଳେ କଣ୍ଢେଇ ଯାତ୍ରା ଚାରି ଗୋଟି ବିଭାଗରେ ପୁରସ୍କୃତ ହୋଇଅଛି। ଶ୍ରେଷ୍ଠ ଟୁରିଜମ ଫିଲ୍ମ ଶ୍ରେଷ୍ଠ ନିର୍ଦ୍ଧେଶନା ପାଇଁ ସନ୍ୟାସୀ ମହାରଣା ଶ୍ରେଷ୍ଠ ଚିତ୍ରୋତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ଶ୍ରେଷ୍ଠ ପୋଷ୍ଟର ବିଭାଗରେ ଟିକିରି ବେହେରା ପୁରସ୍କୃତ ହୋଇଥିଲେ। ଏହି ଚଳଚ୍ଚିତ୍ର ମହୋତ୍ସବରେ ୨୫ ଦେଶର ୧୫୦୦ ରୁ ଅଧିକା ଚଳଚ୍ଚିତ୍ର ଭାଗ ନେଇଥିଲେ। ଓଡିଶାରୁ ୪ଟି ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ଟୁରିଜମ ବିଭାଗରେ ଗଞ୍ଜାମରୁ ଏକ ମାତ୍ର ଚଳଚିତ୍ର କଣ୍ଢେଇଯାତ୍ରା ୪ ବିଭାଗରେ ପୁରସ୍କୃତ ହୋଇଅଛି। ତେବେ ରବିବାର ଦିନ ଏହି ଚଳଚିତ୍ର ମହୋତ୍ସବ ପକ୍ଷରୁ ମାନପତ୍ର ଏବଂ ପୁରସ୍କାର ଶ୍ରୀ ମହାରଣାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ତ୍ରିପତି ନାୟକ, ହୃଷିକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ଅନନ୍ତରାମ କର କୌଣ୍ଡିନ୍ୟ ତାଙ୍କୁ ସାହାଯ୍ୟ କରିଥିବା ସହ ଆଜି ଏହାର ସଫଳତା ବ୍ରହ୍ମପୁର ମାଟିର କଳା ସଂସ୍କୃତି ବିଶ୍ଵଦରବାରେ ପହଞ୍ଚାଇବା ପାଇଁ ଶ୍ରୀ ମହାରଣାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଚଳଚିତ୍ର କଣ୍ଢେଇ ଯାତ୍ରାକୁ ଇଂରାଜୀ ହିନ୍ଦୀ, ତେଲୁଗୁ, ବଙ୍ଗାଳି, ମରାଠୀ ଏଭଳି ସାତୋଟି ଭାଷାରେ ପ୍ରସ୍ତୁତ କରି ଆମ ବ୍ରହ୍ମପୁରର କଳା ଏବଂ ସଂସ୍କୃତି ଦେଶ ବାହାରେ ପ୍ରଚାର କରିବା ପାଇଁ ବିଚାରକଙ୍କର ମତକୁ ନେଇ ଏହାର ଅନ୍ୟାନ୍ୟ ସଂକଳନ ପ୍ରସ୍ତୁତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସନ୍ୟାସୀ ମହାରଣା ସୂଚନା ଦେଇଛନ୍ତି। କଣ୍ଢେଇଯାତ୍ରା ଏବେ ସୁଧା ବ୍ଲାକ ବୋର୍ଡ ଫିଲ୍ମ ଫେଷ୍ଟିବଲ ଲଣ୍ଡନ ଏବଂ ଜାତୀୟ ପୁରସ୍କାର ଚିତ୍ରଭାରତୀ ସମ୍ମାନ ପାଇଁ ମନୋନୟନ ପର୍ଯ୍ୟାୟରେ ନିଜକୁ ସାମିଲ କରି ସାରିଛି। ଆଗକୁ କଣ୍ଢେଇଯାତ୍ରା ନିଶ୍ଚୟ ପୁଣି ଥରେ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବ ବୋଲି ନିର୍ମାତା ଆଶା ବ୍ୟକ୍ତ କରିଛନ୍ତି ।