ବାବୁଲ ସୁପ୍ରିୟୋ ଓ ମମତାଙ୍କ ମଧ୍ୟରେ ମ୍ୟୁଜିକାଲ ମିଟିଂ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବଲିଉଡ କଣ୍ଠଶିଳ୍ପୀରୁ ରାଜନେତା ବନିଥିବା ବାବୁଲ ସୁପ୍ରିୟୋଙ୍କୁ ନେଇ ଏବେ ଚର୍ଚ୍ଚା। ସେ ବିଜେପି ଛାଡ଼ି ଟିଏମସିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମ୍ୟୁଜିକା ମିଟିଂ କରିଛନ୍ତି। ଟିଏମସିରେ ମିଶିବା ପରେ ବାବୁଲ ଓ ମମତାଙ୍କର ଏହା ପ୍ରଥମ ଭେଟଘାଟ। ମମତା ତାଙ୍କୁ ଦଳକୁ ସ୍ୱାଗତ କରିବା ସହ ବର୍ତ୍ତମାନ ଗୀତ ଗାଇବା କାମ ଜାରି ରଖିବାକୁ କହିଛନ୍ତି। ମମତାଙ୍କ ସହ ବୈଠକ କରିବା ପରେ ବାବୁଲ କହିଛନ୍ତି, “ମୁଁ ଦିଦିଙ୍କୁ ଭେଟିବା ପରେ ବହୁତ ଖୁସି। ବେଶ ଆନନ୍ଦର ସହ ସେ ମୋତେ ଟିଏମସି ପରିବାରକୁ ସ୍ୱାଗତ କରିଛନ୍ତି। ସେ ମୋତେ କାମ କରିବା ସହ ହୃଦୟରୁ ଗୀତ ଗାଇବାକୁ କହିଛନ୍ତି। ମୁଁ ଭାବୁଛି ଏହା କେକ୍‌ ଉପରେ କ୍ରିମର ଲେପ ସଦୃଶ। ସେ ମୋତେ କହିଛନ୍ତି ଯେ ଏବେ ପୂଜା ସମୟ ତୁମେ ଗୀତ ଗାଇବା କାମ ଜାରି ରଖ। ତାଙ୍କ କଥା ମୋତେ ବେଶ ଛୁଇଁଛି। ମୁଁ ଦଳ ପାଇଁ କାମ କରିବା ସହ ଗୀତ ମଧ୍ୟ ଗାଇବି। ଆମ ଭିତରେ ମ୍ୟୁଜିକାଲ ମିଟିଂ ହୋଇଛି। ମିଟିଂ ବେଳେ ସେ ମୋତେ ଯାହା ବି କହିଲେ, ସେସବୁ ମୋ କାନକୁ ସଂଗୀତ ଭଳି ଲାଗିଥିଲା। ମୋତେ ଦଳକୁ ସ୍ୱାଗତ କରିଥିବାରୁ ମୁଁ ଦିଦି ଓ ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଉଛି।” ଶ୍ରୀ ସୁପ୍ରିୟୋଗ ଆହୁରି କହିଛନ୍ତି, ବୁଧବାର ସେ ଦିଲ୍ଲୀ ଯାଇ ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ। ନିଜର ଇସ୍ତଫାପତ୍ର ସେ ବାଚସ୍ପତି ଓମ ବିର୍ଲାଙ୍କୁ ହସ୍ତାନ୍ତର କରିବେ। ତେବେ ଟିଏମସିରେ ତାଙ୍କ ଦାୟିତ୍ୱ କ’ଣ ରହିବ, ସେକଥା ଜଣାପଡ଼ିନି। ତଥାପି ବାବୁଲ କହିଛନ୍ତି, “ଦଳରେ ମୋ ଭୂମିକା କ’ଣ ରହିବ, ସେକଥା ସଂପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ରହିଛି। ସେ ଯାହା ଦାୟିତ୍ୱ ଦେବେ, ସେହି ଅନୁସାରେ ମୁଁ କାର୍ଯ୍ୟ କରିବି।”

ନବୀନ ସରକାର ଏସସି-ଏସଟି ବିରୋଧୀ; ୨୦୧୪ରୁ ଗଠନ ହୋଇନି ଆଦିବାସୀ ଉପଦେଷ୍ଟା ପରିଷଦ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନବୀନ ପଟ୍ଟନାୟକ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ। ଆଦିବାସୀଙ୍କ ନ୍ୟାଯ୍ୟ ହକ୍ ଦେବା ପାଇଁ କାର୍ଯ୍ୟ କରୁଥିବା ସାମ୍ବିଧାନିକ ସଂସ୍ଥାକୁ ନବୀନ ସରକାର ପଙ୍ଗୁ କରି ରଖିଛନ୍ତି। ୨୦୧୪ ମସିହାରୁ ଆଦିବାସୀ ଉପଦେଷ୍ଟା ପରିଷଦ, ଉପଦେଷ୍ଟା ବୋର୍ଡ ଏବଂ ଭିଜିଲାନନ୍ସ ମନିଟିରିଂ କମିଟି ଗଠନ ହୋଇନି। ଏହା ହିଁ ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଓଡ଼ିଶା ଜନସଂଖ୍ୟାର ୪୦ ଭାଗ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଲୋକ। ସମ୍ବିିଧାନର ଧାରା ୪୬ ମୁତାବକ ଏହି ବର୍ଗର ସାମାଜିକ, ଆର୍ôଥକ ଓ ଶିକ୍ଷାଗତ ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ନର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୧୪୭ରୁ ୫୭ ଜଣ ବିଧାୟକ ଏବଂ ୨୧ରୁ ୮ ଜଣ ସାଂସଦ ଏହି ବର୍ଗରୁ ନିର୍ବାଚିତ ହୋଇଛନ୍ତି । ଏହି ବର୍ଗର ୪୦ ଭାଗ ଲୋକଙ୍କର ସାମଗ୍ରିକ ବିକାଶ ପାଇଁ ଗଦା ଗଦା ଯୋଜନା ହେଉଛି, କିନ୍ତୁ ଏମାନଙ୍କର ବିକାଶ ହୋଇପାରୁ ନାହିଁ । ଯୋଜନାର ଅର୍ଥ ବାଟମାରଣା ହେଉଛି । ଏହି ବର୍ଗର ଲୋକଙ୍କ ପାଇଁ ସରକାରୀ ଯୋଜନା ଓ ଆଇନ ଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସମୀକ୍ଷା କରି ପ୍ରତିକାରାତ୍ମକ ପଦକ୍ଷେପ ପାଇଁ ରହିଥିବା ଆଦିବାସୀ ଉପଦେଷ୍ଟା ପରିଷଦ, ଅନୁସୂଚିତ ଜାତି କଲ୍ୟାଣ ବୋର୍ଡ ଓ ଭିଜିଲାନ୍ସ ମନିଟରିଂ କମିଟିଗୁଡ଼ିକୁ ଏ ସରକାର ଦୀର୍ଘ ବର୍ଷ ହେବ ଗଠନ କରୁନାହାଁନ୍ତି । ରାଜ୍ୟରେ ସାମ୍ବିଧାନିକ ନିର୍ଦ୍ଦେଶକୁ ବେଖାତିର କରି ଚାଲିଥିବା ନବୀନ ସରକାର ସଂବିଧାନର ୫ମ ସିଡ୍ୟୁଲ ଅନୁଯାୟୀ ଧାରା ୨୪୪ (୧) ରେ ନିର୍ଦ୍ଦେଶ ସତ୍ୱେ ଆଦିବାସୀ ଉପଦେଷ୍ଟା ପରିଷଦ (ପ୍ରତିବର୍ଷ ଗଠନ ହେବା କଥା), ଉପଦେଷ୍ଟା ବୋର୍ଡ ରୁଲ ୧୯୫୭ (୪) ମୁତାବକ- ଅନୁସୂଚିତ ଜାତି ଉପଦେଷ୍ଟା ବୋର୍ଡ (ଗତ ୨୦୧୪ ରୁ ଗଠନ ହୋଇନି), ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରାକରଣ ନିୟମ ୧୯୯୫ (୧୬) ଅନୁଯାୟୀ ଉଚ୍ଚସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟିର ବୈଠକ ୨୦୧୪ ମସିହାରୁ ହୋଇନାହିଁ । ସେହିପରି ଜଙ୍ଗଲ ଅଧିକାର ଆଇନ କମିଟି ଏବଂ ଟ୍ରାଇବାଲ ସବ ପ୍ଲାନ ଓ ଅନୁସୂଚିତ ଜାତି କମ୍ପୋନେଟ ପ୍ଲାନର ମନିଟରିଂ କମିଟି ଗୁଡ଼ିକ ମଧ୍ୟ ଓଡ଼ିଶା ସରକାରରେ କାର୍ଯ୍ୟ କରୁନାହିଁ । ନିଜେ ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ସମ୍ବିଧାନର ଧାରା ୧୬୪ (କ) ର ଉଲ୍ଲଂଘନ କରିଛନ୍ତି । ସେହିପରି ବିଧାନସଭା ଓ ଲୋକସଭାରେ ଏହି ବର୍ଗ ନିମିତ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଆସନ ସଂରକ୍ଷଣ ପାଇଁ ସମ୍ବିଧାନ ଧାରା ୩୩୪ର ସଂଶୋଧନ ବିଲ ଗତ ୨୦୨୦ ମସିହାରେ ସଂସଦରେ ପାସ ହେଲାପରେ ଓଡ଼ିଶା ବିଧାନ ସଭାରେ ଏହାକୁ ଅନୁମୋଦିତ (ରେଟିଫାଏ) କରାଗଲା ନାହିଁ । ରାଜ୍ୟ ସରକାର ଏବଂ ରାଜ୍ୟ ବିଧାନସଭା ଏହି ସମ୍ବିିଧାନ ସଂଶୋଧନବେଳେ ସେମାନଙ୍କ ଦାୟିତ୍ୱ ଭୁଲିଯାଇଛନ୍ତି । ଫଳରେ ରାଜ୍ୟରେ ୫୭ ସଂରକ୍ଷିତ ବିଧାୟକ ଥାଇ ମଧ୍ୟ ସରକାରୀ ଦଳର ଅପାରଗତା ଓ ଅଜ୍ଞତା ପାଇଁ ଓଡ଼ିଶା ବିଧାନସଭାରେ ଏହା ପାରିତ ହୋଇପାରିନାହିଁ । ଦେଶର ପ୍ରାୟ ୧୫ ଗୋଟି ଅନୁସୂଚିତ ଜାତି ଓ ଜନଜାତି ବହୁଳ ରାଜ୍ୟରେ କେନ୍ଦ୍ରୀୟ ଢ଼ାଂଚାରେ ରାଜ୍ୟସ୍ତରୀୟ ଆୟୋଗ ଗଠନ ହୋଇଥିବା ବେଳେ ଓଡ଼ିଶାରେ ଏହି ବର୍ଗର ଜନ ସାଧାରଣଙ୍କ ଦାବିକୁ ନବୀନ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଓଡ଼ିଶାରେ ଗତ ୨୦ ବର୍ଷର ନବୀନ ଶାସନ କାଳ ମଧ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କ ଉପରେ ୧୦ ପ୍ରତିଶତରୁ ଅଧିକ ଅତ୍ୟାଚାର ମାମଲା ସଂଗଠିତ ହୋଇଛି । ଅତ୍ୟାଚାରିତ ମହିଳା, ଶିଶୁ ଓ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବାରେ ବିଜେଡି ସରକାର ଆଦୌ ସମ୍ବେଦନ ନୁହଁନ୍ତି । ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ଶ୍ରମିକ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲା ବେଳେ ଗତ କରୋନା ମହାମାରୀ ସମୟରେ ସେମାନଙ୍କ ସାମାଜିକ ଓ ଆର୍ଥିକ ସମସ୍ୟା ପ୍ରତି ସରକାର ନିଦାବ୍ରହ୍ମ ସାଜିଲେ । ଏଣୁ ଏ ସରକାର ଅନୁସୂଚିତ ଜାତି ଓ ଜନାଜାତି ବିକାଶର ବିରୋଧି ବୋଲି ପ୍ରମାଣିତ ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ହଳଧର ସେଠୀ ଉପସ୍ଥିତ ଥିଲେ ।

ବାପି ଲହରୀଙ୍କ ନାଁରେ ମିଛ ପ୍ରଚାର …!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍ ଅନ୍ୟତମ ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ବିଷୟରେ ସୋଶାଲ୍ ମିଡିଆରେ ଏକ ମିଛ କଥା ପ୍ରଚାର କରାଯାଇଥିବା ବେଳେ ସେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ସୋଶାଲ୍ ମିଡିଆରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ଓ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଲେଖିଛନ୍ତି। ବାପି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ କିଛି ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ରିପୋର୍ଟ ପ୍ରକାଶ କରାଯାଇଥିବା ଖବର ପାଇଛନ୍ତି। ଏହା ତାଙ୍କୁ ଖୁବ୍ ଦୁଃଖିତ କରିଛି। ତାଙ୍କ ଫ୍ୟାନ୍ ଓ ଶୁଭେଚ୍ଛୁଙ୍କ ଆଶୀର୍ବାଦରୁ ସେ ଭଲ ଅଛନ୍ତି ବୋଲି ଲେଖିଛନ୍ତି।ବାପିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବା ଓ ତାଙ୍କ ଗଳା ଖରାପ ହୋଇଯାଇଥିବା ନେଇ କିଛି ଦିନ ଧରି ସୋଶାଲି ମିଡିଆରେ ଏକ ଖବର ପ୍ରଚାର ହୋଇଥିଲା। ସେ ଆଉ କେବେ ଗୀତ ଗାଇ ପାରିବେ ନାହିଁ ବୋଲି ମଧ୍ୟ ଏଥିରେ କୁହାଯାଇଥିଲା। ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ବାପି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା’ପରେ ସେ ଚିକିତ୍ସାଧୀନ ଥିଲେ ଓ ସୁସ୍ଥ ହୋଇଯାଇଥିଲେ।

୨୧ ସେପ୍ଟେମ୍ବର,ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ବ୍ୟବସାୟରେ ଲାଭ ପାଇବେ।

ବୃଷ: ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟି ଯିବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବା ସହ ମାନସିକ ଏକାଗ୍ରତା ବଜାୟ ରହିବ।

ମିଥୁନ: ଶରୀର ସୁସ୍ଥ ରହିବ।  ଧନପ୍ରାପ୍ତିର ଯୋଗ ରହିଛି। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।

କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କଠିନ ପରିଶ୍ରମ କରିପାରନ୍ତି।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟରେ ଅଧିକ ଲାଭ ମିଳିବ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ତୁଳା: ଭଲ କାମ କରି ପ୍ରଶଂସିତ ହେବେ। ସଭାସମିତିରେ ସଫଳତା ମିଳିବ। ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ। ଆୟବୃଦ୍ଧି ହେବ।

ବିଚ୍ଛା: କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: କୌଣସି କଥାକୁ ନେଇ  ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।  ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଯାତ୍ରା କରନ୍ତୁ ନାହିଁ।

ମକର: ଶତ୍ରୁମାନେ ଦୁର୍ବଳ ହେବେ। ଆୟରପନ୍ଥା ସହଜ ହେବ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ।

କୁମ୍ଭ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ। ଉପହାର ମିଳିପାରେ।

ମୀନ: ମନ ପ୍ରଫୁଲ୍ଲ ରହିବ। ବାକି ପଡ଼ିଥିବା ଆଦାୟ ହେବ। ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ।