ସୁରଟ୍‌ରେ ଓଡ଼ିଆ ଭୋଟର; ବିଜେଡି ଭୁଲିଗଲା, ବିଜେପି ପଠାଇଲା ଟିମ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୁଜୁରାଟର ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ବିଜେଡି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ଏବେ ସେସବୁ ଭୁଲି ଯାଇଥିବାରୁ ତା’ର ରାଜନୀତିକ ଫାଇଦା ନେବା ପାଇଁ ବିଜେପି ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁରଟ ପଠାଇଛି। ଆଜି ଏହି ଟିମ୍ ସୁରଟ ଗସ୍ତ କରିଥିବାବେଳେ ସେଠାରେ ୩ଦିନ ରହି ସୁରଟରେ ଦଳୀୟ ସାଂଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଂଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶେଷ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିନିଧି ଦଳର ସୁରଟ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଦଳୀୟ ତଥା ରାଜନୀତିକ ସାଂଗଠନିକ ସଂରଚନା ଓ କାର୍ଯ୍ୟଶୈଳୀରେ ବିଶେଷ ଅନୁଧ୍ୟାନ ନିମନ୍ତେ ରାଜ୍ୟସ୍ତରୀୟ ୯ଜଣିଆ ଟିମ୍ ସୁରଟ ଗସ୍ତ କରିଛନ୍ତି। ଏହି ଟିମରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗ, ଅଭିମନ୍ୟୁ ସେଠୀ, ଶାରଦା ଶତପଥୀ, ଅଶୋକ ମିଶ୍ର ଓ ବିଜେପି ଆଇଟି ସେଲ୍ ମୁଖ୍ୟ ସ୍ୱୟଂପ୍ରକାଶ ବରାଳ ସୁରଟ ଗସ୍ତ କରିଛନ୍ତି। ଏହି ଟିମ୍ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ସୁରଟଠାରେ ଦଳୀୟ ସାଂଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଂଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗ ଦେଇ ବିଶେଷ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦିନରେ ରାଜ୍ୟରେ ଉଭୟ ପୌର ଓ ପଂଚାୟତ ନିର୍ବାଚନ ହେବାକୁ ଥିବାରୁ ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ରାଜ୍ୟ ବିଜେପି ଏବେଠୁ ପ୍ରୟାସ ଆରମ୍ଭ କରିଛି। ସୁରଟରେ ପ୍ରାୟ ୭ଲକ୍ଷ ଓଡ଼ିଆ ରହୁଥିବାବେଳେ ସେଠାରେ ୧ଲକ୍ଷରୁ ଅଧିକ ଓଡ଼ିଆ ନିଜର ମତାଧିକାର ସୁରଟରେ ସାବ୍ୟସ୍ତ କରିଥାନ୍ତି। ବାକି ୬ଲକ୍ଷ ଲୋକ ଓଡ଼ିଶାରେ ନିଜର ମତାଧିକାର ସାବ୍ୟସ୍ତ କରିଥାନ୍ତି। ଏହି ଲୋକମାନେ ସୁରଟର ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି, ଜୁଏଲାରୀ ଆଦି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ବିଶେଷକରି ଉଧାନା, ଲିମ୍ବାୟତ୍‌, ପାଣ୍ଡସେରା, ସଚିନ, କାଟାରଗାମ୍ ଆଦି ଅଂଚଳରେ ଗଞ୍ଜାମ ଅଂଚଳରୁ ଯାଇଥିବା ଓଡ଼ିଆ ଲୋକମାନେ ବହୁ ପରିମାଣରେ ରହୁଛନ୍ତି। ଏହି ଓଡ଼ିଆ ଭୋଟରମାନେ ମୁଖ୍ୟତଃ ସୁରଟ ଓ ନଭସାରୀ ନିର୍ବାଚନମଣ୍ଡଳୀରେ ରହୁଥିବାବେଳେ ଗତ ଫେବୃୟାରୀରେ ଶେଷ ହୋଇଥିବା ସୁରଟ ମହାନଗର ନିର୍ବାଚନରେ ବିଜେପି ନିଜର ଦବଦବା କାଏମ ରଖିଛି। ଆସନ୍ତାବର୍ଷ ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶାରେ ପଂଚାୟତ ଓ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ବିଜେପିର ପ୍ରତିନିଧି ଦଳ ଏବେଠୁ ସୁରଟ ଗସ୍ତ କରି ସେଠାରେ ରହୁଥିବା ଓଡ଼ିଆଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଗଞ୍ଜାମ ଜିଲ୍ଲା ବିଜେଡିର ଗଡ଼ ପାଲଟିଥିବାବେଳେ ସୁରଟରେ ରହୁଥିବା ଜିଲ୍ଲାର ପ୍ରାୟ ୬ଲକ୍ଷ ଭୋଟରଙ୍କ ମାଧ୍ୟମରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସେଠାରେ ଏକାଧିକ କାର୍ଯ୍ୟକ୍ରମ ଓ ପ୍ରତିଶ୍ରୁତି ଦେଇ ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିଥିଲା । ମାତ୍ର ନିର୍ବାଚନ ପରେ ସେମାନଙ୍କୁ ଭୁଲି ଯାଇଥିବାରୁ ରାଜ୍ୟ ବିଜେପି ତା’ର ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରିଛି ବୋଲି ଜଣାପଡ଼ିଛି।

ଆଶୀର୍ବାଦ ଯୋଜନା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିଜେପି ଓ କଂଗ୍ରେସ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କରୋନାରେ ନିଜର ପିତାମାତା ହରାଇଥିବା ଶିଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘ଆଶୀର୍ବାଦ’ ଯୋଜନାକୁ ସେପ୍ଟେମ୍ବର ୧୫ତାରିଖରୁ ବନ୍ଦ କରିଦେବା ପ୍ରସଙ୍ଗରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଆଶୀର୍ବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡ଼ିଶାର ଶିଶୁମାନଙ୍କୁ ଉପେକ୍ଷିତ କରିଛନ୍ତି ଓ ଏହା ଏକ ବଡ଼ ସ୍କାମ ବୋଲି ବିଜେପି ଅଭିଯୋଗ କରିଥିବାବେଳେ କରୋନାରେ ଅନାଥ ପିଲାଙ୍କ ପ୍ରତି ଏହା ନବୀନ ସରକାରର ଉପହାସ ବୋଲି କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି ତାହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଉର୍ଦ୍ଦିଷ୍ଟ । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ମୁଖ୍ୟ ରୋଜଗାର ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଜୁନ ୨୦ରେ ଘୋଷଣା କଲେ । ମାତ୍ର ଏହି ଯୋଜନା ଘୋଷଣା କରିବାର ୨ ମାସ ୨୪ ଦିନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ଏପର୍ଯ୍ୟନ୍ତ ୩୧ ହଜାର ପିଲା ଅଭିଭାବକମାନଙ୍କୁ ହରାଇଥିବା ସ୍ଥଳେ ମାତ୍ର ୧୦ ହଜାର ପିଲାଙ୍କୁ ଏହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ୨୦ ହଜାର ପିଲା ଅପେକ୍ଷାରେ ଅଛନ୍ତି । ଓଡ଼ିଶାର କରୋନା ଅନାଥ ପିଲାଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ପ୍ରତାରଣା କରିବା ଦୁର୍ଭାଗ୍ୟଜନକ । ଏବେ ସରକାର କହୁଛନ୍ତି ଆର୍ଥିକ ସଂକଟ ପାଇ ଏ ନିଷ୍ପତ୍ତି ନେବାକୁ ପଡ଼ୁଛି। ବିଜୁ ଯୁବ ବାହିନୀ, ମୋ ସାଇକେଲ ଆଦି ନାଁରେ କୋଟିକୋଟି ଟଙ୍କା ନଷ୍ଟ କରୁଥିବା ସରକାର ଅନାଥ ପିଲାଙ୍କ ପାଇଁ ଟଙ୍କାର ଅଭାବ ଦେଖାଇବା ଅତ୍ୟନ୍ତ ଦୁଃଖଦାୟକ କଥା। ତେଣୁ ବାକିଥିବା ଅନାଥ ପିଲାମାନଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବାକୁ କଂଗ୍ରେସ ଦାବି କରୁଛି। ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଛନ୍ତି ଯେ, ଆଶୀର୍ବାଦ ଯୋଜନାର ସବୁଠୁ ବଡ ସ୍କାମ୍ ହେଉଛି ଏହା ଏକ ମିଥ୍ୟା ଯୋଜନା। ରାଜ୍ୟ ସରକାର ଘୋଷଣା ସର୍ବସ୍ୱ ସରକାର । ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ନୂଆ ନୂଆ ମିଥ୍ୟା କଥା କହୁଛନ୍ତି । ଯେତେବେଳେ କରୋନା ଭଳି ଭୟଙ୍କର ମହାମାରୀ ବିଶ୍ୱକୁ ଘାରିଲା ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁ ମାନଙ୍କ ପାଇଁ ଆର୍ଥିକ ସହାୟତାର ଗୋଟିଏ ବିସ୍ତୃତ ଯୋଜନା। ୧୮ବର୍ଷ ପରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ତାଙ୍କୁ ୧୦ଲକ୍ଷ ଟଙ୍କାର ଗୋଟିଏ କର୍ପସ୍ ଫଣ୍ଡ ମିଳିବ ଏହି ସବୁ ବ୍ୟବସ୍ଥା ପାଇଁ ପିଏମ କେୟାରସ୍ ଫଣ୍ଡ୍‌ରୁ ଅର୍ଥ ଆସିବ । ସାଙ୍ଗେ ସାଙ୍ଗେ ଏହି ଘୋଷଣାକୁ ଦେଖି ଓଡିଶାର ୨୧ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଲାଳ ଗଡ଼ିଲା ଯେ ସେ ବି ଓଡ଼ିଶାବାସୀଙ୍କଠୁ ପୁଣି ବାହାବା ଆଶାରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ । ମାସିକ ୧୫୦୦ରୁ ୨୫୦୦ଟଙ୍କା ଦେବେ ବୋଲି ଏହି ଯୋଜନାରେ କହିଥିଲେ । କିନ୍ତୁ ଅଚାନକ ସେପ୍ଟେମ୍ବର ୧୫ରୁ ଏହି ଯୋଜନାକୁ ବନ୍ଦ କରିଦେବା ପାଇଁ ଘୋଷଣା କଲେ । ତେବେ ବିଜେପି ଜାଣିବାକୁ ଚାହୁଁଛି ଯେ, ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ହଟିଗଲା ନା କରୋନାରେ ଆଉ କେହି ମୃତ୍ୟୁ ବରଣ କଲେନାହିଁ । କୌଣସି ପିଲା ଅନାଥ ହେଉନାହାଁନ୍ତିି କି? ଯଦି ସେମିତି କଥା ତେବେ ରାଜ୍ୟ ସରକାର ଘୋଷଣା କରନ୍ତୁ ଯେ ସେପ୍ଟେମ୍ବର ୧୫ରୁ ଓଡ଼ିଶା କରୋନା ମୁକ୍ତ ହେଲା। ‘ଆର୍ଶିବାଦ’ କେବଳ ନାରେ କହିଲେ ହେବନାହିଁ ସେତିକି ମାନସିକତା ରାଜ୍ୟ ସରକାରଙ୍କର ରହିବା ଦରକାର । ଏହି ଯୋଜନାରେ କେତେ ପିଲା ସାମିଲ ହୋଇଛନ୍ତି, ଟଙ୍କା କେଉଁଠୁ ଆସିଛି ତାହା ବି ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହିତ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିବାକୁ ଦଳ ପଛାଇ ନାହିଁ।

ରାମ ମନ୍ଦିର ପାଇଁ ଆସିଲା ୧୧୫ଟି ଦେଶରୁ ଜଳ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଶ୍ୱର ୭ ମହାଦ୍ୱୀପର ୧୧୫ଟି ଦେଶରୁ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିର ପାଇଁ ଆସିଛି ଜଳ। ବସୁଧୈବ କୁଟୁମ୍ବକମ ନୀତିକୁ ସମ୍ମାନ ଜଣାଇ ଏପରି ଅଭିନବ ଉପାୟ ଅବଲମ୍ବନ କରାଯାଇଥିବା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶ୍ରୀ ସିଂହ ସିଂହ ୧୧୫ଟି ଦେଶ ଦେଇ ପ୍ରବାହିତ ନଦୀ, ଝରଣା ଓ ସମୁଦ୍ରରୁ ସଂଗୃହୀତ ହୋଇଥିବା ଜଳକୁ ଆଜି ଆକବର ରୋଡ୍‌ ସ୍ଥିତ ନିଜ ବାସଭବନରେ ଗ୍ରହଣ କରିଛନ୍ତି। ଏହି ସମୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଡେନମାର୍କ, ଫିଜି ଓ ନାଇଜେରିଆ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ରହିଥିଲେ। ଏହି ଜଳଗୁଡ଼ିକୁ ଦିଲ୍ଲୀ ଷ୍ଟଡି ସର୍କଲ ନାମକ ଗୋଟିଏ ଏନଜିଓ ବିଭିନ୍ନ ଦେଶରୁ ସଂଗ୍ରହ କରିଥିଲା। ଏହି ଏନଜିଓଟି ବିଜେପି ନେତା ବିଜୟ ଜଲିଙ୍କ ଦ୍ୱାରା ପରିଚାଳିତ। ଏନଜିଓର ଏପରି ଉଦ୍ୟମକୁ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ପ୍ରାୟ ସମସ୍ତ ଦେଶରୁ ଜଳ ଆଣିବା ଭାରତର ବସୁଧୈବ କୁଟୁମ୍ବକମଙ୍କ ନୀତିକୁ ପ୍ରତିଫଳିତ କରୁଛି। ୧୧୫ଟି ଦେଶରୁ ରାମ ମନ୍ଦିର ପାଇଁ ଜଳ ସଂଗ୍ରହ କରିବା ଏକ ଚମତ୍କାର ବିଷୟ। ମୁଁ ଆଶା କରୁଛି ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଅନ୍ୟ ୭୭ଟି ଦେଶରୁ ମଧ୍ୟ ଜଳ ଆସିପାରିବ। ଏହି ଜଳରେ ଆମେ ‘ରାମ ଲାଲା’ଙ୍କ ଜଲାଭିଷେକ କରିପାରିବୁ ବୋଲି ରାଜନାଥ କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଭାରତୀୟ ସଂସ୍କୃତି ଅତ୍ୟନ୍ତ ସମୃଦ୍ଧ। ଜାତି, ବର୍ଣ୍ଣ ଓ ଧର୍ମ ଆଧାରରେ ଏଠାରେ କୌଣସି ଭେଦଭାବ ପ୍ରଦର୍ଶିତ ହୁଏନାହିଁ ବୋଲି ମଧ୍ୟ ରାଜନାଥ ଆଜି କହିଛନ୍ତି। ଚମ୍ପତ ରାୟ ଏହି ଅବସରରେ କହିଛନ୍ତି, ବିଶ୍ୱର ବିଭିନ୍ନ ଦେଶରୁ ଜଳ ଆସିବା ଗୋଟିଏ ଐତିହାସିକ ମୁହୂର୍ତ୍ତ। ଅଯୋଧ୍ୟାରେ ‘ସାପ୍ତସାଗରା’ ନାଁରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଅଛି। ତ୍ରେତୟା ଯୁଗରେ ଭଗବାନ ରାମଙ୍କ ରାଜତିଳକ ସମୟରେ ବିଶ୍ୱର ସମସ୍ତ ମହାସାଗରର ଜଳ ଏଠାକୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ। ଆଜି ଯେତେବେଳେ ତାଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ମନ୍ଦିର ନିର୍ମାଣ ହେଉଛି ସେତେବେଳେ ପୃଥିବୀର ସମସ୍ତ ମହାସାଗରର ଜଳ ପୁଣି ଥରେ ଏଠାକୁ ଅଣାଯାଇଛି। ଏହା ଆମ ପାଇଁ ଏକ ଭାବପ୍ରବଣର ବିଷୟ ବୋଲି ସେ କହିଛନ୍ତି।

ପ୍ରିୟଙ୍କା ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରିୟଙ୍କା ଗାନ୍ଧି ଭଦ୍ରା ହେବେ କି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପିକୁ କଡ଼ା ଟକ୍କର ଦେବାକୁ କଂଗ୍ରେସ ପ୍ରିୟଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ କରୁଛି କି ମାନସ ମନ୍ଥନ? ଶନିବାର ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ୍ଦ ଦେଇଥିବା ମନ୍ତବ୍ୟ ପରେ ଉଠିଛି ଏଭଳି ପ୍ରଶ୍ନ। ଗତକାଲି ପ୍ରୟାଗରାଜରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଲମାନ ଖୁର୍ସିଦ୍ଦ କହିଥିଲେ, କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ଦଳ ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ। ତେବେ ସେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ, ସେ ନିଷ୍ପତ୍ତି ସେ ନିଜେ ନେବେ। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଚର୍ଚ୍ଚା ସଂପର୍କରେ ମଧ୍ୟ ସେ ନିଜ ପ୍ରତିକ୍ରିୟା ଦେଇଥିଲେ। ସଲମାନ ଖୁର୍ସିଦ୍ଦ କହିଥିଲେ, ଆମର ଜଣେ ଅଧ୍ୟକ୍ଷ ଅଛନ୍ତି। ଆମେ ଆଉ ଜଣେ ଅଧ୍ୟକ୍ଷ ଚାହୁଁନାହୁଁ। ଆମ ଅଧ୍ୟକ୍ଷଙ୍କ ଉପରେ ଆମେ ପୂରା ସନ୍ତୁଷ୍ଟ। ତେବେ ଲାଗୁଛି ବାହାର ଲୋକମାନେ ତାଙ୍କୁ ନେଇ ଖୁସି ନୁହଁନ୍ତି। ଅନ୍ୟପକ୍ଷରେ ଶନିବାର କଂଗ୍ରେସର ସୋଶାଲ୍ ମିଡିଆ ଟିମ୍ ସର୍ବସମ୍ମିତି କ୍ରମେ ଏକ ସଂକଳ୍ପ ପାରିତ କରିଛି, ଯେଉଁଥିରେ ରାହୁଲ ଗାନ୍ଧିଙ୍କୁ ଦଳର ଅଧ୍ୟକ୍ଷ କରାଯାଉ ବୋଲି ଦାବି ହୋଇଛି। ଏହା ପୂର୍ବରୁ ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏହି ସମାନ ପ୍ରକାରର ସଙ୍କଳ୍ପ ପାରିତ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ବିଜୟ ମିଳିଥିଲା। ଦଳ ୩୧୨ଟି ଆସନ ଜିତି ଥିଲା। ଅନ୍ୟପକ୍ଷରେ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ କଂଗ୍ରେସ ମାତ୍ର ୭ଟି ଆସନ ଜିତିବାରେ ସଫଳ ହୋଇଥିଲା। ସମାଜବାଦୀ ପାର୍ଟି ୪୭ଟି ଓ ବହୁଜନ ସମାଜବାଦୀ ପାର୍ଟି ୧୯ଟି ଆସନ ଜିତିଥିଲେ।

ବାବୁଲ ସୁପ୍ରିୟୋଙ୍କ ସୁରକ୍ଷା ବଳୟ ହ୍ରାସ କଲା କେନ୍ଦ୍ର….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ମାତ୍ରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ବାବୁଲ ସୁପ୍ରିୟୋଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର କମାଣ୍ଡୋଙ୍କୁ ନିୟୋଜିତ କରିଥିଲେ। ହେଲେ ଆଜି ଏହି ସୁରକ୍ଷା ବଳୟକୁ ହ୍ରାସ କରି ଦିଆଯାଇଛି। ପୂର୍ବରୁ ତାଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ମିଳୁଥିଲା। କିନ୍ତୁ ଏବେ ଏହାକୁ ହ୍ରାସ କରି ୱାଇ ସ୍ତରୀୟ କରି ଦିଆଯାଇଛି। ଦେଶର ଭିଭିଆଇପି ଓ ଜୀବନ ପ୍ରତି ବିପଦ ଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ସ୍ଥିତିକୁ ଦେଖି ଜେଡ+, ଜେଡ, ୱାଇ+, ୱାଇ ଓ ଏକ୍ସ ବର୍ଗର ସୁରକ୍ଷା ବ୍ୟବସ୍ଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯୋଗାଇ ଦିଆଯାଏ। ଏହି କ୍ରମରେ ବାବୁଲଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ବିଭାଗର ତଥ୍ୟ ଆଧାରରେ ବାବୁଲଙ୍କ ସୁରକ୍ଷା ବଳୟକୁ ଆଜି ହ୍ରାସ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ପୂର୍ବରୁ ବାବୁଲଙ୍କୁ ସିଆରପିଏଫ ଯବାନମାନେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେଉଥିଲେ। ସେ ଯିବା ଆସିବା କରିବା ବେଳେ ୬ରୁ ୭ ଜଣ କମାଣ୍ଡୋ ତାଙ୍କୁ ଘେରି ରହୁଥିଲେ। ହେଲେ ଏବେ କେବଳ ଦୁଇ ଜଣ ଯବାନ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ପୂର୍ବରୁ ମଧ୍ୟ ବିଜେପି ଛାଡ଼ି ଟିଏମସିରେ ମିଶିଥିବା ମୁକଲ ରୟଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ସମାନ ପଦକ୍ଷେପ ନେଇଥିଲେ।

କାଲିଠୁ ଆରମ୍ଭ ହେଲା ଚାରିଧାମ ଯାତ୍ରା; ଦର୍ଶନ ପାଇଁ ଜରୁରୀ ଇ-ପାସ୍‌ ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ) – ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କରୋନା ଯୋଗୁଁ ଦୀର୍ଘ ସମୟ ଧରି ସ୍ଥଗିତ ଥିବା ଚାରିଧାମ ଯାତ୍ରା ଆଜିଠୁ ଅର୍ଥାତ୍‌ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ପକ୍ଷରୁ ଏହା ଉପରୁ ଗୁରୁବାର ରୋକ ହଟାଯାଇଥିଲା। ପରେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଚାରିଧାମ ଯାତ୍ରା ନେଇ ଏସ୍‌ଓପି ଜାରି ହୋଇଛି। ଯାତ୍ରା ବେଳେ କୋଭିଡ-୧୯ର ସହ ଜିଡତ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ତେବେ ଚାରିଧାମ ଯାତ୍ରା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଇ-ପାସ୍‌ ଦରକାର ପଡିବ। ବିନା ଇ-ପାସରେ ଠାକୁର ଦର୍ଶନ ମନା ହୋଇଛି। କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଧାମର ​​ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ଏହା ପରେ ଇ-ପାସ୍ ପ୍ରଦାନ କରାଯିବ। ଏହା ପରେ ହିଁ ସମସ୍ତ ଚାରୋଟି ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ମାର୍ଟ ସିଟି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଏଥିସହ କରୋନା ଟିକାର ଦୁଇଟି ଡୋଜ୍‌ ନେବାର ୧୫ ଦିନ ପରେ ପ୍ରମାଣ ପତ୍ର ଦେଖାଇବା ପରେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ। କିନ୍ତୁ କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଯାତ୍ରୀଙ୍କୁ କରୋନା ଟିକାର ଦୁଇଟି ଡୋଜ୍‌ ନେବାର ୭୨ ଘଣ୍ଟା ପରେ ଆର୍‌ଟି-ପସିଆର୍‌ ଟେଷ୍ଟ କରିବାକୁ ପଡିବ। ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌ରେ କୁହାଯାଇଛି। ସେପଟେ ଭକ୍ତଙ୍କ ସଂଖ୍ୟାକୁ ସୀମିତ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ବଦ୍ରିନାଥରେ ସର୍ବାଧିକ ୧୦୦୦, କେଦାରନାଥରେ ୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରିରେ ୪୦୦ ଭକ୍ତଙ୍କ ସଂଖ୍ୟା ସ୍ଥିର କରାଯାଇଛି। ଛୋଟ ପିଲା, ଅସୁସ୍ଥ ବ୍ୟକ୍ତି ଏବଂ ଅଧିକ ବୟସ୍କ ଲୋକଙ୍କୁ ଯାତ୍ରା କରିବାକୁ ମନା ହୋଇଛି। ସେହିପରି ଦର୍ଶନ ପାଇଁ ଏକ ସମୟରେ କେବଳ ତିନିଜଣ ଭକ୍ତ ମନ୍ଦିରରେ ଭିତରେ ପ୍ରବେଶ କରିପାରିବେ। ମନ୍ଦିରରେ ପ୍ରତିମା କିମ୍ବା ଘଣ୍ଟି ଛୁଇଁବା ନିଷେଧ। ଦେବସ୍ଥାନମ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାଥ ରମଣ କହିଛନ୍ତି, ତୀର୍ଥଯାତ୍ରୀମାନେ ସାମାଜିକ ଦୂରତା ସହିତ ପୂଜାରେ ଯୋଗ ଦେଇ ପାରିବେ। କିନ୍ତୁ ସେମାନଙ୍କୁ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଭକ୍ତଙ୍କୁ ପବିତ୍ର କୁଣ୍ଡରେ ବୁଡ଼ ପକାଇବାକୁ ମଧ୍ୟ ବାରଣ କରାଯାଇଛି। ଏହି ଚାରିଧାମ ଯାତ୍ର ମାର୍ଗରେ ଅନେକ ଚେକପୋଷ୍ଟ ଲଗାଯାଇଛି, ଯାହାଦ୍ୱାରା ନିୟମ ଗୁଡିକର ସଠିକ୍ ଭାବରେ ପାଳନ କରାଯାଇପାରିବ। ମେ’ ୧୭ରେ କେଦାରନାଥ, ମେ ୧୮ରେ ବଦ୍ରିନାଥ, ମେ’ ୧୪ରେ ଯମୁନୋତ୍ରି ଏବଂ ମେ’ ୧୫ରେ ଗାଙ୍ଗୋତ୍ରିର ଦ୍ୱାର ଖୋଲାଯାଇଥିଲା କିନ୍ତୁ ସେତେବେଳେ କରୋନା ଯୋଗୁଁ ଭକ୍ତମାନଙ୍କୁ ଦର୍ଶନ ମନା ହୋଇଥିଲା।

ପୁଣି ବଢ଼ିଲା ପାନ୍‌-ଆଧାର ଲିଙ୍କ୍ ଅବଧି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସରକାର ଶୁକ୍ରବାର ପାନ୍ (ପରମାନେଣ୍ଟ ଆକାଉଣ୍ଟ ନମ୍ବର) ସହିତ ଆଧାର ଲିଙ୍କର ଅବଧିକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ଆୟକର ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ଯୋଗୁ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏଥିରେ କୁହାଯାଇଛି। ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଥିବା ବେଳେ ଏବେ ଏହାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ସରକାର ବହୁବାର ପାନ୍-ଆଧାର ଲିଙ୍କ୍ ଅବଧି ବଢ଼ାଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଆୟକର ବିଭାଗ ପକ୍ଷରୁ ପାନ୍-ଆଧାର ଲିଙ୍କର ଅବଧିକୁ ମାର୍ଚ୍ଚ ୩୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କରୋନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା।

ଆଜିଠାରୁ ପୁଣି ଆରମ୍ଭ ଆଇପିଏଲ ; ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ-ଚେନ୍ନାଇ ଟକ୍କର

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନା କାରଣରୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ୧୫ତମ ସଂସ୍କରଣର ବଳକା ମ୍ୟାଚ୍‌ କାଲିଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସବୁ କିଛି ପ୍ରସ୍ତୁତି ଶେଷ ହୋଇଛି। ଆଇପିଏଲ୍‌ରେ ୩ଥର ଚାମ୍ପିୟନ ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଆସନ୍ତାକାଲି ଦୁଇ ପ୍ରମୁଖ ଖେଳାଳିଙ୍କ ବିନା ମୈଦାନକୁ ଓହ୍ଲାଇବ। ସାମ କୁରାନ ଓ ଫାଫ ଡୁପ୍ଲେସିସି ଡେରିରେ ଦୁବାଇ ଆସିଥିବାରୁ ପ୍ରୋଟକଲ ଅନୁଯାୟୀ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ଉଭୟ କିଛି ମ୍ୟାଚ୍‌ ଖେଳିବେ ନାହିଁ। ଅନ୍ୟପକ୍ଷରେ ଆଇପିଏଲରେ ୫ଥମ ଚାମ୍ପିୟନ ହୋଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ନିଜକୁ ଲଢ଼େଇ ପାଇଁ ପ୍ରସ୍ତୁତ କରିଛି। ଦଳ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, କାଏରନ ପୋଲାର୍ଡ ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ରହିଛନ୍ତି। ଆଇପିଏଲ ପରେ ୟୁଏଇରେ ହିଁ ଟି-୨୦ ବିଶ୍ୱକପ ଖେଳାଯିବ। ତେଣୁ ସବୁ ଦେଶର ଖେଳାଳି ଆଇପିଏଲ ଜରିଆରେ ନିଜର ଦକ୍ଷତାକୁ ମାପିବେ। ଆଇପିଏଲ ୨୦୨୧ର ସଂସ୍କରଣ ବନ୍ଦ ହେବା ବେଳକୁ ୨୯ଟି ମ୍ୟାଚ ଖେଳା ଯାଇଥିଲା। ପଏଣ୍ଟ ଟେବୁଲ କଥା ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ସହ ୧ନଂରେ ଥିବା ବେଳେ ଧୋନିଙ୍କ ଚେନ୍ନାଇ ୧୦ ପଏଣ୍ଟ ସହ ଦ୍ୱିତୀୟ, ବିରାଟ କୋହଲିଙ୍କ ଆରସିବି ସମାନ ୧୦ ପଏଣ୍ଟ ସହ ତୃତୀୟ ଓ ରୋହିତଙ୍କ ମୁମ୍ବାଇ ୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।ଆଇପିଏଲ ଇତିହାସର ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ହେଲେ ମୁମ୍ବାଇ ଓ ଚେନ୍ନାଇ। ଏହି ଦୁଇ ଦଳର ଫ୍ୟାନମାନଙ୍କ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ। ଦୁଇ ଦଳ ପରସ୍ପରକୁ ଆଇପିଏଲରେ ୩୨ ଥର ଭେଟିଛନ୍ତି। ଏଥିରୁ ମୁମ୍ବାଇ ୧୯ ଥର ଜିତିଥିବା ବେଳେ ଚେନ୍ନାଇ ୧୩ଥର ବାଜିମାତ କରିଛି। ଫାଇନାଲରେ ଉଭୟ ଦଳ ୪ଥର ମୁହାମୁହିଁ ହୋଇଥିବେ ବେଳେ ମୁମ୍ବାଇ ୩ଥର ଚାମ୍ପିୟନ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଶେଷ ୬ଟି ମୁକାବିଲାରୁ ମୁମ୍ବାଇ ୫ଥର ବିଜୟୀ ହୋଇଛି। କରୋନା ପାଇଁ ଚଳିତ ବର୍ଷ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ଶେଷ ମ୍ୟାଚ୍‌ରେ ମୁମ୍ବାଇ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ। ଏଥିରେ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଜିତିଥିଲା। ତେଣୁ ଆସନ୍ତାକାଲି ୟୁଏଇରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି। ଚଳିତ ଆଇପିଏଲ ସିଜନର ବାକି ୩୧ ମ୍ୟାଚ୍ ଯଥାକ୍ରମେ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୨୭ ଦିନ ଧରି ଚାଲିବ। ସେପ୍ଟେମ୍ବର ୨୦ ତାରିଖରେ ଆବୁଧାବିରେ କୋଲକାତା ନାଇଟ୍ ରାଇଡର୍ସ ଓ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ। ସେହିପରି ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ। ସେପ୍ଟେମ୍ବର ୨୪ ତାରିଖରେ ଶାରଜାରେ ପ୍ରଥମ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଆରସିବି ଓ ଚେନ୍ନାଇ ପରସ୍ପରକୁ ଭେଟିବେ। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

ନୀରଜଙ୍କ ଜାଭେଲିନର ଦାମ ୧୦ କୋଟି; ମୋଦି କରିବେ ନିଲାମ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଅଲିମ୍ପକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଜାଭେଲିନର ଦାମ ୧୦ କୋଟି ଟଙ୍କା। ନୀରଜ ଯେଉଁ ଜାଭେଲିନ ଦ୍ୱାରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ, ତା’କୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଆକାରରେ ଦେଖିଥିଲେ। ଏବେ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକୁ ସଂସ୍କୃତି ମନ୍ତ୍ରଣାଳୟ ଇ-ଅକ୍ସନ ଜରିଆରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ନୀରଜଙ୍କ ଜାଭେଲିନ ଓ ଅଲିମ୍ପକ୍ସରେ ଭାରତ ପାଇଁ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲୀନାଙ୍କ ଗ୍ଲୋବ୍ସ ମଧ୍ୟ ରହିଛି। ଏହାବାଦ ଅନେକ ପଦକ ବିଜେତାଙ୍କ କ୍ରୀଡ଼ା ଉପକରଣକୁ ମଧ୍ୟ ନିଲାମ କରାଯିବ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଇ-ଅକ୍ସନ ପ୍ରକ୍ରିୟା ଅକ୍ଟୋବର ୭ ଯାଏ ଚାଲିବ। ଅକ୍ସନର ଦ୍ୱିତୀୟ ଦିନରେ ବେଶ ଅଧିକ ଦାମର ବିଡିଂ ଦେଖିବାକୁ ମିଳିଛି। ନୀରଜଙ୍କ ଜାଭେଲିନ ଓ ଲଭଲୀନାଙ୍କ ଗ୍ଲୋବ୍ସକୁ ନେବା ପାଇଁ ୧୦ କୋଟି ଲେଖାଏ ଟଙ୍କା ଦେଖାବାକୁ ଲୋକମାନେ ଆଗ୍ରହ ଦେଖାଇଛନ୍ତି। ସେହିପରି ପାରାଲିମ୍ପିକ୍ସରେ ଭାରତ ପାଇଁ ଜାଭେଲିନରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଉକ୍ତ ଜାଭେଲିନକୁ ମଧ୍ୟ ସେ ମୋଦିଙ୍କୁ ଉପହାର ଆକାରରେ ଦେଇଛନ୍ତି। ଏହାକୁ କିଣିବା ପାଇଁ ସର୍ବାଧିକ ୩ କୋଟି ଟଙ୍କାର ବିଡ୍‌ ଲାଗିଛି। ଭାରତ ପାଇଁ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ। ଉକ୍ତ ରାକେଟ ସହ ଗୋଟିଏ ବ୍ୟାଗ ମଧ୍ୟ ନିଲାମରେ ସାମିଲ ହୋଇଛି। ରାକେଟକୁ କିଣିବା ପାଇଁ ୨,୦୦,୨୦,୦୦୦ ଟଙ୍କାର ବିଡ୍‌ ଡକାଯାଇଛି। ସେହିପରି ମହିଳା ଟିମ୍‌ର ଖେଳାଳିଙ୍କ ଦସ୍ତଖତ ଥିବା ହକି ଷ୍ଟିକ୍‌କୁ କିଣିବା ପାଇଁ ଲୋକମାନେ ସର୍ବାଧିକ ୧,୦୦,୦୦,୫୦୦ ଟଙ୍କା ଦେବାକୁ ଆଗ୍ରହ ଦେଖାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୀରଜଙ୍କ ଜାଭେଲିନର ବେସ୍‌ ପ୍ରାଇସ ୧ କୋଟି ଟଙ୍କା ଓ ଲଭଲୀନଙ୍କ ଗ୍ଲୋବ୍ସର ମୂଳ ଦାମ ୮୦ ଲକ୍ଷ ଟଙ୍କା ରହିଥିଲା। ଇ-ଅକ୍ସନରୁ ମିଳିବାକୁ ଥିବା ଟଙ୍କା ନମାମୀ ଗଙ୍ଗା ମିଶନରେ ଖର୍ଚ୍ଚ କରାଯିବ ବୋଲି ସରକାର କହିଛନ୍ତି।

 

ମହେଶ ବାବୁ ପଚାରିଲେ, ଝିଅମାନେ କେବେ ସୁରକ୍ଷିତ ହେବେ….?

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ନିକଟରେ ତେଲେଙ୍ଗାନାରେ ଘଟିଛି ଲଜ୍ଜାଜନକ ଘଟଣା। ମାତ୍ର ୬ ବର୍ଷର ଜଣେ ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଛି। ଏହି ଘଟଣା ଏବେ ସମସ୍ତଙ୍କୁ ଥରାଇ ଦେଇଛି। ଏହାକୁ ନେଇ ଚାରିଆଡୁ ବିରୋଧର ସ୍ୱର ଉଠିଛି। ଏପରିକି ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ମଧ୍ୟ ଏହି ଘଟଣା କ୍ରୋଧିତ କରିଦେଇଛି। ମହେଶ ବାବୁ ଟୁଇଟ୍‌ କରି ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ “ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?” ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ମହେଶ ବାବୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ସିଙ୍ଗାରେନି କଲୋନୀରେ ଜଣେ ୬ ବର୍ଷର ବାଳିକାଙ୍କ ବିରୋଧରେ ହୋଇଥିବା ଜଘନ୍ୟ ଅପରାଧ, ଏହା ସ୍ଣରଣ କରାଏ ଯେ ଆମେ କେତେ ତଳକୁ ଖସିଯାଇଛୁ। ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?, ଏହା ସର୍ବଦା ଏକ ଚିନ୍ତାର ପ୍ରଶ୍ନ। ପୀଡିତାଙ୍କ ପରିବାର ବର୍ତ୍ତମାନ କେଉଁ ପର୍ଯ୍ୟାୟ ଦେଇ ଗତି କରୁଥିବ ତାହା କଳ୍ପନା କରି ହେବନାହିଁ।’ ଅନ୍ୟ ଏକ ଟ୍ୱିଟରେ ସେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ସାଉଥ ଅଭିନେତା  ଲେଖିଛନ୍ତି, ‘ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛି। ପିଡିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ମହେଶ ଦାବି କରିଛନ୍ତି। ମହେଶ ବାବୁଙ୍କ ଏହି ଟୁଇଟ୍ ପରେ ଅନେକ ସେଲିବ୍ରିଟି ମଧ୍ୟ ଏହି ପ୍ରସଙ୍ଗରେ ସ୍ୱର ଉଠାଇଛନ୍ତି। ସେମାନେ ନିଜ ନିଜର ମତାମତ ଦେଇଛନ୍ତି। ସୂଚନା ମୁତାବକ, ସେପ୍ଟେମ୍ବର ୯ ତାରିଖରେ ହାଇଦ୍ରାବାଦର ସିଙ୍ଗାରେନି କଲୋନୀର ଜଣେ ୬ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିଲା। ପରେ ତାଙ୍କ ମୃତଦେହ ଏକ ନିର୍ଜନ ସ୍ଥାନରୁ ମିଳିଥିଲ। ପୀଡିତା ଜଣେ ଅଟୋ ଡ୍ରାଇଭରର ଝିଅ।ମହେଶ ବାବୁ ସାଉଥ ଫିଲ୍ମର ଜଣେ ଜଣାଶୁଣା ଚେହେରା। ଆଜିକାଲି ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସାର୍‌କୁରୁ ବାରୀ ପାଟା’ରେ ବ୍ୟସ୍ତ ଅଛନ୍ତି। ଏଥିରେ ଅଭିନେତ୍ରୀ କିର୍ତ୍ତୀ ସୁରେଶ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ପର୍ଶୁରାମ ଦେଇଛନ୍ତି।