ସରକାରୀ ଜାଗାରେ ବିଜେଡି ବିଧାୟକ ନିର୍ମାଣ କରୁଛନ୍ତି ଘର…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗରିବ ଖଟିଖିଆ ଭୂମିହୀନ ଘରଟିଏ ନିର୍ମାଣ ପାଇଁ ଜାଗା ଖଣ୍ଡିଏ ପାଉନାହିଁ। ହେଲେ ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଜୁ ପାଠାଗାର ନାଁ ନେଇ ସରକାରୀ ଜାଗାରେ ନିଜସ୍ୱ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଜି.ଉଦୟଗିରିର ଜନପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବିଧାୟକ ନିର୍ମାଣ କରିଥିବା ଘରକୁ ସିଲ୍‌ କରିବା ଦାବିରେ ଧାରଣାରେ ବସିଛନ୍ତି। ଜି.ଉଦୟଗିରି ବିଜେଡି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ। ସେ ବେଆଇନ ଭାବେ ସରକାରୀ ଜମିକୁ ଅକ୍ତିଆର କରି କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ଇଙ୍ଗିତରେ କୁଆଡ଼େ ଦାରିଙ୍ଗବାଡି ବ୍ଲକ୍‌ ନିର୍ବାହୀ ଅଧିକାରୀ ବବୃହାନ ବେହେରା ବେଆଇନ କାର୍ଯ୍ୟ ଚଳାଇ ଆସୁଛନ୍ତି। ଗୋଟିଏ ପଟେ ଗରିବ ଲୋକେ ଘର ନିର୍ମାଣ ଲାଗି ଜମି ଖଣ୍ଡିଏ ପାଉନଥିବା ବେଳେ ଖୋଦ୍‌ ବିଧାୟକ କିଭଳି ସରକାରୀ ଜମିରେ କୋଠା ନିର୍ମାଣ କରୁଛନ୍ତି ବୋଲି ଜନ ପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ଜନ ପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ଚେୟାରମ୍ୟାନ୍‌ ରୁଦା ମଲିକ ଏହାର ନେତୃତ୍ୱରେ ଜନ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି। ପ୍ରଶାସନ ତୁରନ୍ତ ବିଧାୟକଙ୍କ ବେଆଇନ୍‌ କୋଠାକୁ ସିଲ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ପ୍ରତିନିଧିମାନେ ଦାବି କରିଛନ୍ତି। ଜନ ପ୍ରତିନିଧିଙ୍କ ଏପରି ଅଭିଯୋଗ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆନ୍ଦୋଳନ କରୁଥିବା ଜଣେ ଜନ ପ୍ରତିନିଧି କହିଛନ୍ତି-“ଗରିବ ଲୋକଟି ଘର ଖଣ୍ଡିଏ ନିର୍ମାଣ ପାଇଁ ଜାଗା ପାଉନାହିଁ। ହେଲେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜୁ ପାଠାଗାର ନାଁରେ ସରକାରୀ ଜାଗାରେ ନିଜର କୋଠା ନିର୍ମାଣ କରୁଛନ୍ତି। ଏହାର ବିହିତ ତଦନ୍ତ କରାଯାଇ ଉକ୍ତ ଘରକୁ ସିଲ୍‌ କରାଯାଉ।”

ସୁନ୍ଦରଗଡ଼ରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ବିଜେପି ବିଧାୟିକା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି ସରକାର ୩ବର୍ଷ ପୁରୁଣା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ‘ସ୍ମାର୍ଟ ହେଲଥ କାର୍ଡ’କୁ ଏବେ ବଣ୍ଟନ କରୁଥିବାବେଳେ ଏହାକୁ ଏବେ ଖୋଲାଖୋଲି ଭାବେ ରାଜ୍ୟ ବିଜେପିର ସମର୍ଥନ ମିଳିଛି। ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ବୁଧବାର ଏହି ବିଜୁ କାର୍ଡ ବଣ୍ଟନ ଉତ୍ସବରେ ସାମିଲ ହୋଇ କାର୍ଡ ବାଣ୍ଟିବା ପରେ ଏଭଳି ଆକଳନ ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ସମେତ ପ୍ରାୟ ୪୦ରୁ ୫୦ ଜଣ ରାଜ୍ୟସ୍ତରୀୟ ବିଜେଡି ନେତାମାନେ ଏବେ ପଂଚାୟତୱାରି କାର୍ଡ ବଣ୍ଟା ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ତୁରନ୍ତ ଲାଗୁ କରିବା ପାଇଁ ଦୀର୍ଘ ୩ବର୍ଷ ଧରି ରାଜ୍ୟ ବିଜେପି ଦାବି କରି ଆସୁଥିବାବେଳେ ବିଜେପି ବିଧାୟିକା ଶ୍ରୀମତୀ ଟେଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବାକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ବୁଧବାର ହେମଗିରି ବ୍ଲକରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ବିଜେଡି ନେତ୍ରୀ ସୁଲତା ଦେଓ, ଅନୀତା ବିଶ୍ୱାଳ ଓ ଅନ୍ୟମାନଙ୍କ ସହ ମିଶି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଥିବା ଜଣାପଡ଼ିଛି। ତେବେ ଏହି କାର୍ଡ ବାଣ୍ଟିବା ଆଳରେ ଶାସକ ବିଜେଡି ସୁନ୍ଦରଗଡ଼ ଜିଲ୍ଲାରେ ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଯୋଜନା ରଖିଥିବାବେଳେ ବିଜେପି ବିଧାୟିକା ଶ୍ରୀମତୀ ଟେଟେ ଏଥିରେ କିଭଳି ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟିକା ଶ୍ରୀମତୀ ଟେଟେ କହିଛନ୍ତି ଯେ, ଭୋଟ୍ କଟିଯିବ ବୋଲି ରାଜ୍ୟ ସରକାର ‘ଆୟୁଷ୍ମାନ’ ଯୋଜନାକୁ ଏଠାରେ ଲାଗୁ କରୁନାହାନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାବେଳେ ସ୍ଥାନୀୟ ବିଜେପି ବିଧାୟକ ଆଦିତ୍ୟ ମାଢ଼ୀଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଂଚରେ ବିଧାୟକ ଶ୍ରୀ ମାଢ଼ୀ ଖୋଲାଖୋଲି ଭାବେ ‘ଆୟୁଷ୍ମାନ’ ଯୋଜନାକୁ ଲାଗୁ କରିବା ନିମନ୍ତେ ଦାବି ଦୋହରାଇ ବିଜେଡିକୁ ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଥିଲେ। ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦ ଜୁଏଲ ଓରାମଙ୍କୁ ଆମନ୍ତ୍ରଣ କରାଯାଇଥିଲେ ବି ସେ ଅନୁପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ  ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବୁଧବାରଠୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସପାଲଟିରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଏହି କାର୍ଡକୁ ବଣ୍ଟନ କରୁଛନ୍ତି । ସରକାରୀସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରି ଏହି କାର୍ଡ ବଣ୍ଟା ଯାଉଥିଲେ ମଧ୍ୟ ସେଠାରେ ବିଜେଡି ସମର୍ଥିତ ଲୋକଙ୍କୁ ଦେଖିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନିଜସ୍ୱ ଫ୍ଲାଗସିପ୍ ଯୋଜନା କହି ବିଜେଡି ସରକାର କେନ୍ଦ୍ରର ‘ଆୟୁଷ୍ମାନ’ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରୁନାହାନ୍ତି । ଯେଉଁଥିପାଇଁ ରାଜ୍ୟ ବିଜେପି ଦୀର୍ଘଦିନ ଧରି ବିଜେଡି ସରକାରକୁ କଡ଼ା ସମାଲୋଚନା କରି ଆସୁଛି । ଏଭଳି ସ୍ଥିତିରେ ବିଧାୟିକା ଶ୍ରୀମତୀ ଟେଟେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଏବେ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି ।

ପିପିଲି ପାଇଁ ବିଜେଡିର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ; ଅରୁଣ ଓ ରଣେନ୍ଦ୍ର ବାଦ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପିପିଲି ଉପନିର୍ବାଚନ ପାଇଁ ବିଜେପି ପରେ ବିଜେଡି ପକ୍ଷରୁ ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ପିପିଲି ନିର୍ବାଚନ ପ୍ରଚାର କାର୍ଯ୍ୟରୁ ଦଳ ନିଜର ବରିଷ୍ଠ ତଥା ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଥିବାବେଳେ ମନ୍ତ୍ରୀ ଅରୁଣ ସାହୁ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସଙ୍କ ସମେତ ଅଧିକାଂଶ ମନ୍ତ୍ରୀଙ୍କୁ ଦୂରେଇ ରଖିଛି। କେବଳ ପୁରୀ ଜିଲ୍ଲାର ୨ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ତୁଷାରକାନ୍ତି ବେହେରାଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଷ୍ଟାର ପ୍ରଚାରକ ତାଲିକାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ହେଡକ୍ୱାର୍ଟର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦଳର ଉପସଭାପତି ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ସମେତ ଯୁବ,ଛାତ୍ର ଓ ମହିଳା ସଂଗଠନର ମୁଖିଆ ଯଥାକ୍ରମେ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ପ୍ରୀତିରଞ୍ଜନ ଘଡ଼େଇ, ଉମାକାନ୍ତ ସମାନ୍ତରାୟ, ପ୍ରଣବ ବଳବନ୍ତରାୟ, ବିଭୂତି ବଳବନ୍ତରାୟ ଓ ସୁଧୀର କୁମାର ସାମଲଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ଦଳ ସାମିଲ କରିଛି। ବିଜେଡି ପକ୍ଷରୁ ଏନେଇ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିବାବେଳେ ଏହି ନେତାମାନେ ଆସନ୍ତା ୨୦ରୁ ୨୭ତାରିଖ ପର୍ଯ୍ୟନ୍ତ ପିପିଲିରେ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାରର ମଙ୍ଗ ଧରିବେ ବୋଲି ଜଣାପଡ଼ିଛି।

ଶାସକ ଦଳ ପାଇଁ ଓକିଲାତି କଲେ ଦାମ ; ଅପରାଜିତାଙ୍କୁ ଦେଲେ ଦିଲ୍ଲୀ ଉଦାହରଣ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜଧାନୀରେ ଜଳ ନିଷ୍କାସନକୁ ନେଇ ଜୋରଧରିଛି ରାଜନୀତି। ଟ୍ୱିଟ୍‌ ୱାର ସାଙ୍ଗକୁ କ୍ୟାମେରା ସାମ୍ନାରେ ଚାଲିଛି ଆକ୍ଷେପ-ପ୍ରତିଆକ୍ଷେପ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଥିବା ବେଳେ ଜଳବନ୍ଦୀ ଚିତ୍ର ଉଠାଇ ବିଜେଡିକୁ ଟାର୍ଗେକରି କରିଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍କୀ। ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରି ଶାସକ ଦଳକୁ କଟାକ୍ଷ କରିଥିଲେ। କହିଥିଲେ ଇଏ ହେଉଛି ୨୧ ବର୍ଷ ଶାସନକ କାଳର ଚିତ୍ର। ତେବେ ସ୍ମାର୍ଟ ସିଟିର ନଗ୍ନ ଚିତ୍ରକୁ ଦେଖାଇଇ ଅପରାଜିତା ବିଜେଡି ସରକାରକୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଜବାବ ଦେଇଥିଲେ ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଖାଲି ସେତିକି ନୁହେଁ ଶ୍ରୀମୟୀ ମିଶ୍ରଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡିରୁ ବିଦା ହୋଇଥିବା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ୍। ଏନେଇ ଦାମ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ସମାଲୋଚନାମୂଳକ ପୋଷ୍ଟ କରିଛନ୍ତି। ସେଥିର ସେ ଲେଖିଛନ୍ତି ଯେ, ଲଘୁଚାପ ଜନିତ ଭୀଷଣ ଲଗାଣ ବର୍ଷା ଦ୍ୱାରା ଭୁବନେଶ୍ୱରରେ ସାମୟିକ ଭାବେ କିଛି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ। ୨୧ ବର୍ଷ ବିଜେଡି ଶାସନରେ ୪ ବର୍ଷ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ ନିଜେ ଅପରାଜିତା l ସେକଥା ଭୁଲିବା ଉଚିତ ନୁହେଁ l ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଷାଜନିତ ସମସ୍ୟାକୁ ନେଇ ସମାଲୋଚନା କରୁଥୁବା ସାଂସଦ ଅପରାଜିତା ଉତ୍ତର ଦେବେ କି? ଦେଶର ରାଜଧାନୀ ଦିଲ୍ଲୀ ବିମାନ ବନ୍ଦର ବର୍ଷା ପାଣିରେ ଉବୁଟୁବୁ ହେଲାବେଳେ ବିଜେପି ଦଳ କ’ଣ କରୁଛି ? ଦୀର୍ଘବର୍ଷ ଗୁଜୁରାଟରେ ବିଜେପି ଶାସନ ସତ୍ତ୍ୱେ କିଛି ଘଣ୍ଟା ବର୍ଷାରେ ଅହମ୍ମଦାବାଦ ସହର ପାଣିରେ ବୁଡ଼ୁଛି। ଜାମନଗରରେ ସରକାରୀ କାଗଜପତ୍ର ବର୍ଷାପାଣିରେ ଧୋଇଗଲା। ସୁରତ ସହରର ୮୦% ଜଳନିମଗ୍ନ ହେଉଛି। ଭଦୋଦରାରେ ସହର ଭିତରକୁ କୁମ୍ଭୀର ପଶି ଯାଉଛନ୍ତି l ବିଜେପି ଶାସିତ ମଧ୍ୟପ୍ରଦେଶର ଇନ୍ଦୋରରେ ଲୋକ ପହଁରି ଯିବାଆସିବା କରିଛନ୍ତି। ବର୍ଷା ପାଣିରେ ବେଙ୍ଗାଲୁରୁ ସହରର ଅବସ୍ଥା ଖରାପ। ବର୍ଷାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ମଥୁରା ଅବସ୍ଥା ଅତ୍ୟନ୍ତ ଖରାପ ହୁଏ।  ଆଗ୍ରା ସହର ଭିତରେ କେତୋଟି ଡଙ୍ଗା ବି ଚାଲେ l ଯଦି ସାତବର୍ଷ ଦେଶ ଶାସନ କଲାପରେ ଦେଶର ରାଜଧାନୀରେ ବିମାନ ବନ୍ଦର ପାଣିକୁ ଅଟକାଇ ପାରୁନାହାନ୍ତି, ବର୍ଷାପାଣିରେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଜନଜୀବନ ବିପର୍ଯ୍ୟସ୍ତ, ସହରରେ କୁମ୍ଭୀର ବୁଲିଲେଣି, ଡଙ୍ଗା ଚାଲିଲାଣି, ତେବେ ନିଜେ ଚାରିବର୍ଷ ମ୍ୟୁନିସପାଲିଟି କମିଶନର ଚାକିରୀ କରିଥିବା ସହରକୁ ସମକାରଣ ପାଇଁ ସମାଲୋଚନା କରିବା ପୂର୍ବରୁ ଅପରାଜିତା ଆତ୍ମାସମୀକ୍ଷା କରନ୍ତୁ । ସୂଚନାଅନୁଯାୟୀ, ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ବେଳେ ସ୍ମାର୍ଟସିଟିର ଅବସ୍ଥାକୁ ନେଇ ଟ୍ୱିଟ୍ କରିଥିଲେ  ସାଂସଦ ଅପରାଜିତା ଷ଼ଡଙ୍ଗୀ।  ରାଜଧାନୀର କିଛି ଫଟୋ ସେୟାର କରି ଅପରାଜିତା ଲେଖିଛନ୍ତି, ଏହା ହେଉଛି ଆମର ସ୍ମାର୍ଟସିଟି । ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି।   କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ନେଇ ପରାମର୍ଶ ଦେଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ପ୍ରଶ୍ନ କରିଥିଲେ ସାଂସଦ ।

ନବଗଠିତ ପିସିସି କମିଟିର ପ୍ରଥମ ବୈଠକ;ଜିଲ୍ଲା ବୁଲିବେ ଓଡ଼ିଶା ପିସିସି ପ୍ରଭାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପ୍ରାୟ ଦୀର୍ଘ ଦେଢ଼ବର୍ଷ ପରେ ନିଜର ପୁର୍ନଗଠନ କରିଥିବାବେଳେ ଆଜି ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଯିବେ ବୋଲି ପୂର୍ବରୁ ଘୋଷଣା କରିଥିବା ବେଳେ ଓଡ଼ିଶା ପିସିସି ପ୍ରଭାରୀ ଏ.ଚେଲ୍ଲା କୁମାର ମଧ୍ୟ ଆସନ୍ତାମାସରୁ ପ୍ରତି ଜିଲ୍ଲା ଗସ୍ତ କରି ବିଜେଡି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବଗଠିତ ପିସିସି କମିଟିର ଆଜି ପ୍ରଥମ ବୈଠକରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ, ପିପିଲି ଉପନିର୍ବାଚନ ଏବଂ ସଂଗଠନକୁ ସୁଦୃଢ଼ କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ପିସିସି ପ୍ରଭାରୀ ଚେଲ୍ଲାକୁମାର କହିଛନ୍ତି ଯେ, ପିପିଲି ସହ ପଂଚାୟତ ନିର୍ବାଚନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ସଂଗଠନ ଠିକ୍‌ ଚାଲିଛି। ମାତ୍ର ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଏବେ ପିସିସି ସଭାପତି ପରିବର୍ତ୍ତନ ହେବାର ମଧ୍ୟ ପ୍ରଶ୍ନ ଉଠୁନି। ସେ ଆସନ୍ତାମାସରୁ ପ୍ରତି ଜିଲ୍ଲା ଗସ୍ତ କରିବେ। ସାଧାରଣ ଲୋକଙ୍କ ସହ ମିଶିବେ। ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ନିକଟରେ ପହଂଚାଇବେ। କଂଗ୍ରେସର ଅନେକ ଯୋଜନା ବିଜେଡି କିଭଳି ହାଇଜ୍ୟାକ୍ କରିଛି ତାହା ଜଣାଇବେ ବୋଲି ସେ କହିଛନ୍ତି। ଏହି ବୈଠକରେ ପିସିସି କମିଟିର ଅଧିକାଂଶ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଲେ ଶ୍ରୀମୟୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଜଳ ନିଷ୍କାସନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ୨୧ବର୍ଷର ଶାସନରେ ରାଜଧାନୀର ବିକଟାଳ ଚିତ୍ର ଶେୟାର କରିବା ଓ ଆଜି ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ ନିମନ୍ତେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶ ସତ୍ତ୍ୱେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନହେବାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଆଉ ବିଜେଡିର ମାଳମାଳ ନେତା ଓ ମନ୍ତ୍ରୀ ଥିବା ସତ୍ତ୍ୱେ ଅପରାଜିତାଙ୍କୁ ଜବାବ ଦେବା ପାଇଁ ବିଜେଡି ନିଜର ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି। ପଶ୍ଚିମଓଡ଼ିଶା ଗସ୍ତରେ ଥିବା ଶ୍ରୀମୟୀ ସମ୍ବଲପୁରରୁ ନିର୍ଦ୍ଦିଷ୍ଟ କିଛି ଟିଭି ଚ୍ୟାନେଲକୁ ଡାକି ଅପରାଜିତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଭୁବନେଶ୍ୱରର ବର୍ଷା ଜଳ ନିଷ୍କାସନକୁ ନେଇ ଉଭୟ ଅପରାଜିତା ଓ ଶ୍ରୀମୟୀଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟ୍ ୱାର୍ ଏବେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁହାଁମୁହିଁ ସ୍ଥିତିକୁ ଆସିଛି। ଆଉ ଏହାସହିତ ଅପରାଜିତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଏବେଠୁ ଶ୍ରୀମୟୀଙ୍କୁ ଆଗକୁ ଆଣିବା ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜଧାନୀର ବିଭିନ୍ନ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଟ୍ୱିଟରେ ଫଟୋ ଛାଡ଼ିବା ସହ ୨୧ବର୍ଷର ନବୀନ ପଟ୍ଟନାୟକ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶସତ୍ତ୍ୱେ ଏହି ଜଳ ନିଷ୍କାସନ ନିମନ୍ତେ କାହିଁକି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେଉନି ଓ ଏହାର ତ୍ୱରିତ୍ କାର୍ଯ୍ୟାନ୍ୱୟନ ହୋଇନି ବୋଲି ପ୍ରଶ୍ନ କରିଥିଲେ। ଆଜି ସକାଳେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ କରିବାରେ ବିଏମସି ଓ ରାଜ୍ୟ ସରକାରଙ୍କ ମନ୍ଥର ଗତିକୁ କଡ଼ା ସମାଲୋଚନା କରିବା ସହ ସ୍ଥାୟୀ ସମାଧାନ ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି ଓ ରାଜନୀତିକ ଇଚ୍ଛାଶକ୍ତି ଅଭାବରୁ ସ୍ମାର୍ଟ ଭୁବନେଶ୍ୱରର ଏଭଳି ଅବସ୍ଥା ବୋଲି ଅପରାଜିତା କହିଥିଲେ। ଅପରାଜିତା ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନକୁ ଗସ୍ତ କରି ଜଳମଗ୍ନ ପରିସି୍ଥତି ଅନୁଧ୍ୟାନ କରିଛନ୍ତି।ଆଉ ଅପରାଜିତାଙ୍କ ଟ୍ୱିଟର ଜବାବ ଦେଇ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଭୁବନେଶ୍ୱର ଜଳ ନିଷ୍କାସନ ସମସ୍ୟାକୁ ନେଇ ଅପରାଜିତାଙ୍କ ବୟାନ ହାସ୍ୟାସ୍ପଦ । ନିଜକୁ ଭୁବନେଶ୍ୱରର ବୋହୂ ବୋଲି ଦର୍ଶାଇ ଶ୍ରୀମୟୀ କହିଥିଲେ, ଏହା ସାଂସଦ ଓ ପୂର୍ବରୁ ବିଏମସି କମିଶନର ଭାବେ ଅପରାଜିତାଙ୍କ ଅପାରଗତାକୁ ପଦାରେ ପକାଉଛି । ସେ ତାଙ୍କୁ ତାତ୍ସଲ୍ୟ କରି କହିଥିଲେ, ସାଢ଼େ ୩ବର୍ଷ ଧରି ବିଏମସି କମିଶନର ଦାୟିତ୍ୱରେ ଥିବା ଅପରାଜିତାଙ୍କ ଉନ୍ନତ ମସ୍ତିଷ୍କରେ ୨୦୦୬-୦୯ ମସିହା ମଧ୍ୟରେ ଯେଉଁ ଭଲ କାମ କରିଥିଲେ ତା’ର ପରିଣାମ ଏବେ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି। ବିଏମସି କମିଶନର ଭାବେ ଅପରାଜିତାଙ୍କ କାମର ପ୍ରାୟଶ୍ଚିତ କରୁଛନ୍ତି। ଗୁଜୁରାଟ ମଡେଲର ଡିଣ୍ଡିମ ବିଜେପିି ପିଟୁଛି, ଆଉ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଅପରାଜିତା ଅହମ୍ମଦାବାଦରେ ୨-୪ଘଣ୍ଟା ଲଗାଣ ବର୍ଷାରେ ସହରର ବିକଳ ଚିତ୍ର ଦେଖି କାହିଁକି ଚୁପ୍ ଥିଲେ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟବେଳେ ମାନବିକ ସମ୍ବେଦନାହୀନ କାର୍ଯ୍ୟ କରି ଅପରାଜିତା ଶସ୍ତା ଲୋକପ୍ରିୟତା ଚାହୁଁଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି। ତେବେ ବର୍ଷା ଜଳ ନିଷ୍କାସନ ଆଳରେ ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ଶ୍ରୀମୟୀଙ୍କୁ ଆଗକୁ ଅଣାଯିବାକୁ ନେଇ ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇପଡ଼ିଛି । ଶ୍ରୀମୟୀ ସମ୍ବଲପୁରରୁ ଗଣମାଧ୍ୟମକୁ ରାଜଧାନୀ ଭୁବନେଶ୍ୱରର ଜଳମଗ୍ନ ପରିସ୍ଥିତି ଓ ଅପରାଜିତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିବା ପରେ, ଶ୍ରୀମୟୀଙ୍କୁ ଅପରାଜିତାଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ସ୍ପଷ୍ଟ ହୋଇଛି । ଆଗକୁ ବିଏମସି ନିର୍ବାଚନ ଥିବାରୁ ଶ୍ରୀମୟୀଙ୍କ ଏଭଳି ଆବିର୍ଭାବକୁ ଦେଖି ଉଭୟ ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଜଳ ନିଷ୍କାସନ ପ୍ରସଙ୍ଗରେ ମୁହଁ ଖୋଲି ନିଜର ସ୍ଥିତି ରକ୍ଷା କରିଛନ୍ତି । ତେବେ ପଶ୍ଚିମଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଆଗରେ ରଖିଥିବା ବିଜେଡି ପୂର୍ବ ଓଡ଼ିଶା ବିଶେଷକରି ରାଜଧାନୀ ରାଜନୀତିରେ ସମ୍ପୃକ୍ତ କରିବାପରେ ଶ୍ରୀମୟୀଙ୍କ ଗତି କୁଆଡ଼େ ତାହା ବି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ଅପରାଜିତାଙ୍କ ପ୍ରଶ୍ନ, ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି..?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହୋଇନାହିଁ? ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି। ମୋ’ ପରି ସବୁ ଭୁବନେଶ୍ୱରବାସୀଙ୍କର ପଚାରିବାର ଅଧିକାର ଅଛି। ଏହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ପଚାରିଛନ୍ତି। ସେ କହିଛନ୍ତି-“ଆଜି ମୁଁ ଭୁବନେଶ୍ୱରରେ ବହୁ ଅଞ୍ଚଳ ବୁଲି ଲୋକଙ୍କ ସ୍ଥିତି ଦେଖିଛି। ସେମାନଙ୍କ ଶୋଇବା ଘରେ ଓ ରୋଷେଇ ଘରେ ପଶିଛି ନର୍ଦ୍ଦମା ପାଣି। ସେମାନେ ରୋଷେଇ କରି ଖାଇପାରି ନାହାନ୍ତି। ଲୋକମାନେ ବହୁ ଅସୁବିଧାରେ ରହିଛନ୍ତି। ନର୍ଦ୍ଦମା ପାଣି ଉଛୁଳି ରାସ୍ତାରେ ପ୍ରବାହିତ ହେଉଛି। କୌଣସି ନର୍ଦ୍ଦମାରେ ପାଣି ଯାଇପାରୁ ନାହିଁ। କାରଣ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ଭାବେ ତିଆରି ହୋଇନାହିଁ। ଯେଉଁଥିପାଇଁ ଘରେ ନର୍ଦ୍ଦମା ପାଣି ପଶୁଛି। ଏପରି ସମୟରେ ଶାସକ ଦଳର ନେତା ଓ ପ୍ରଶାସକମାନେ ଲୋକଙ୍କ ପାଖରେ ଠିଆ ହେବା କଥା। ମାତ୍ର ସେମାନଙ୍କର ଦେଖାନାହିଁ। ଲୋକଙ୍କ ଘରେ କାହିଁକି ପାଣି ପଶିଲା? ଏହାର ଉତ୍ତର ସରକାର ଦିଅନ୍ତୁ। ବର୍ତ୍ତମାନ ଆରୋପ ଓ ପ୍ରତ୍ୟାରୋପ କରିବାର ସମୟ ନୁହେଁ। ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ଲୋକଙ୍କର ସମସ୍ୟା ସମାଧାନ କରାଯାଉ।” ଶ୍ରୀମତୀ ଷଡଙ୍ଗୀ ଆହୁରି କହିଛନ୍ତି-“ଭୁବନେଶ୍ୱରରେ ଡ୍ରେନେଜ୍‌ ସମସ୍ୟା ସମାଧାନ ନେଇ ୨୦୨୦ ଜାନୁଆରୀ ମାସରେ ପୂର୍ବତନ ବିଏମ୍‌ସି କମିଶନରଙ୍କ ସହିତ ମୋର ଆଲୋଚନା ହୋଇଥିଲା। ୧୩ଟା ଷ୍ଟର୍ମ ୱାଟର ଡ୍ରେନେଜ୍‌ ସିଷ୍ଟମର କେମିତି ମରାମତି ହେବ? ଏଥିପାଇଁ ରାଜ୍ୟ ସରକାରଙ୍କର କଣ ଆଭିମୁଖ୍ୟ ଅଛି? ସେ ସମ୍ପର୍କରେ ମୋତେ କୁହନ୍ତୁ। ସେ(ପୂର୍ବତନ କମିଶନର) ସେତେବେଳେ କହିଥିଲେ, ଆମେ ମାଷ୍ଟର ପ୍ଲାନ୍‌ କିଛି କରିନାହୁଁ। କିନ୍ତୁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ଦେଉଛନ୍ତି। ଯେଉଁସ୍ଥାନରେ ସମସ୍ୟା ଅଛି, ସେଠାରେ ଏହି ଅର୍ଥ ଖର୍ଚ୍ଚ କରାଯାଇ ମରାମତି କରାଯିବ। ତେବେ ବର୍ତ୍ତମାନ କଥା ଉଠୁଛି, ଏହି ୧୧୦ କୋଟି ଟଙ୍କା ଗଲା କେଉଁଠି? ଯଦି ଠିକ୍‌ ଭାବେ ମରାମତି ହୋଇଥାଆନ୍ତା, ତାହାହେଲେ ଆଜି ଏ ଅବସ୍ଥା ହୋଇନଥାଆନ୍ତା।” ସୂଚନାରୁ ପ୍ରକାଶ, ଗତ ଦୁଇ ଦିନ ଧରି ହୋଇଥିଲା ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। କେଉଁଠି କାର୍‌ ବୁଡ଼ିଗଲାଣି ତ ଆଉ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତି ଦେଖି ସାଂସଦ ଶ୍ରୀମତୀ ଷଡଙ୍ଗୀ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସମସ୍ୟା ନେଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ପରିଦର୍ଶନ ବେଳେ ଡ୍ରେନେଜ୍‌ ସମସ୍ୟା ଥିବା ଜଳଜଳ ଦେଖାଯାଉଥିବା ଶ୍ରୀମତୀ ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି।

ଅନୀଲ କୁମ୍ବଲେ ପୁଣି ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଟି୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଛି। ତା’ପରେ ଅନୀଲ କୁମ୍ବଲେଙ୍କୁ ବିସିସିଆଇ ମୁଖ୍ୟ କୋଚ୍ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଅନୀଲଙ୍କୁ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିବା ପାଇଁ କହିପାରେ। ୨୦୧୬-୧୭ରେ ବର୍ଷେ ପାଇଁ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ତତ୍‌କାଳୀନ କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଦଳ ହାରିବା ପରେ ଅନୀଲ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ଆହୁରି ମଧ୍ୟ ଖବର ଆସିଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଅନୀଲ କୁମ୍ବଲେଙ୍କ ସହିତ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମଧ୍ୟ ଆବେଦନ କରିବାକୁ କହିପାରେ ବିସିସିଆଇ। ତେବେ ଅନୀଲ କୁମ୍ବଲେ ହିଁ ବିସିସିଆଇର ପ୍ରଥମ ପସନ୍ଦ ରହିଛନ୍ତି। ସେହିଭଳି କୌଣସି ବିଦେଶୀ ଖେଳାଳିଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେବାକୁ ବିସିସିଆଇ ଦ୍ୱିତୀୟ ବିକଳ୍ପ ଭାବେ ରଖିଛି। ଏନ୍‌ଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସେତେବେଳେ ଅନୀଲ କୁମ୍ବଲେଙ୍କ ସହିତ ଯେଉଁ ଅନ୍ୟାୟ କରାଯାଇଥିଲା, ତାକୁ ସୁଧାରିବାକୁ ଚାହୁଁଛି ବିସିସିଆଇ। ସେତେବେଳେ ସେ ଯେଉଁ ଢଙ୍ଗରେ ମୁଖ୍ୟ କୋଚ୍ ପଦବରୁ ବାହାରି ଯାଇଥିଲେ, ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା। ତେବେ କୁମ୍ବଲେ ଏହି ପଦ ପାଇଁ ଆବେଦନ କରିବେ କି ନାହିଁ, ତାହା ତାଙ୍କ ଉପରେ ନିର୍ଭର କରେ। ସୂଚନାଯୋଗ୍ୟ, ଟି୨୦ ଅଧିନାୟକ ପଦ ଛାଡ଼ିବାକୁ ବିରାଟ କୋହଲି ଘୋଷଣା କରିଛନ୍ତି। ଟି୨୦ ବିଶ୍ୱକପ୍ ପରେ ସେ ଏହି ପଦ ଛାଡ଼ିବେ।

୧୮ ସେପ୍ଟେମ୍ବର, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: କର୍ମ ସଂସ୍ଥାନରେ ବିବାଦ ଦେଖା ଦେଇପାରେ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ।

ବୃଷ: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ କରିବେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।

ମିଥୁନ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଅପମାନ ପାଇପାରନ୍ତି, ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ପାଇବେ।

କର୍କଟ: ବ୍ୟବସାୟରେ ଆୟ ଭଲ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ପାରିବାରିକ ଶାନ୍ତି ପାଇବେ।

ସିଂହ: ମାନ-ସମ୍ମାନ ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନିତ ହେବେ। ଆୟ ଅଧିକ ହେବ।

ତୁଳା:  କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମନାନ୍ତର ଘଟିପାରେ।

ବିଛା: ଆଜି ଦିନଟି ଭଲରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।

ଧନୁ: ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିବେ।

ମକର: ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ମୀନ: ଆଜି ଦିନଟି ଭଲରେ କଟିବ। ବକେୟା ଅର୍ଥ ପ୍ରାପ୍ତ ହେବ। ସୁସମ୍ବାଦ ପ୍ରାପ୍ତି ହେବ।