ରାତି ଅଧିଆ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କାହିଁକି ହେଲା …?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ଦୁଃଖଦାୟକ ଓ ସମ୍ବେଦନଶୀଳ ବିଷୟ। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ। ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଯଦି ସରକାର ଦୁଷ୍ମନ୍ତଙ୍କ ପାଇଁ ସବୁ ପ୍ରକାର ଚିକିତ୍ସାର ବ୍ୟବସ୍ଥା କରିଥିଲେ, ରାତିରେ ପୋଷ୍ଟମର୍ଟମ କଲେ କାହିଁକି? ତାଙ୍କ ଘରକୁ କାହିଁକି ଶବ ନେଲେ ନାହିଁ? ଶବ ସତ୍କାର ବେଳେ ଦୁଷ୍ମନ୍ତଙ୍କ ପରିବାର ପକ୍ଷରୁ ମହିଳାମାନେ ସାମିଲ ହୋଇଥିଲେ। ପୁରୁଷମାନଙ୍କୁ କାହିଁକି ଏଥିରେ ସାମିଲ କରାଗଲା ନାହିଁ? ସେ ଆହୁରି କହିଛନ୍ତି, ଯଦି ସରକାରଙ୍କ ଛବି ଏତେ ଭଲ, ତାହାହେଲେ ଦୁଷ୍ମନ୍ତଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଦେବା ସହ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଅନ୍ତୁ। ଏହି ଘଟଣାରେ ସିବିଆଇ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ଏହାସହ ଦୁଧ ଓ ପାଣି ଅଲଗା ଅଲଗା ହୋଇଯିବ। ମନମୋହନ କହିଛନ୍ତି, “ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାର ନିଜର ଅହଙ୍କାର ଓ ଗର୍ବ କାରଣରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ମୁହଁରେ ଭୋକ ଓ ପେଟରେ ଲାଜ ଥିବା ଭଳି କାମ କରୁଛନ୍ତି। ସ୍ୱାସ୍ଥ୍ୟ ସେବାରେ ଦଳ, ଜାତି, ଧର୍ମ ନାହିଁ। ଏହା ଜଣକର ମୌଳିକ ଅଧିକାର। ରାଜ୍ୟ ସରକାର ଗର୍ବ ଅହଂକାର ଛାଡ଼ି ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରନ୍ତୁ।” ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅପରେସନ୍ କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଚିକିତ୍ସା ପାଇବା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ। କିନ୍ତୁ ସେହି ହସ୍‌ପିଟାଲ୍‌ ଗୁଡ଼ିକ ବିଏସ୍‌କେୱାଇ କାର୍ଡ ଗ୍ରହଣ କରିବାକୁ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିବା ପରେ ନିରାଶ ହୋଇ ସେ ବୁଧବାର ବିଧାନସଭା ସମ୍ମୁଖରେ ହାତ କାଟି ଦେବା ସହିତ ବିଷ ପିଇ ଦେଇଥିଲେ। ଆଉ ସେହି ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରଶାସନ ତରଫରୁ ତରବରିଆ ଭାବେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିଲା। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାତାରାତି କୁଜଙ୍ଗ ବିଡିଓ ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ତାଙ୍କୁ ଆଉ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବାକୁ ମୌଖିକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତ। ହେଲେ ବଞ୍ଚିଥିବା ବେଳେ ଚିକିତ୍ସା ପାଇଁ ଗୁହାରୀ କରୁଥିବା ଯୁବକଙ୍କ ଦୁଃଖ ସରକାର ଶୁଣୁ ନ ଥିବା ବେଳେ ମରୁ ମରୁ କିପରି ସହାୟତା ଅଜାଡ଼ି ଦେଲେ ତାକୁ ନେଇ ନାନା ଆଲୋଚନା ହେଉଛି।

ଆଶୀର୍ବାଦ ନାହିଁ, ତଥାପି ବାନ୍ଧିବାକୁ ସାହସ ପାଉନି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଲୋକ ପ୍ରତିନିଧି ହୋଇ ଦାଦାଗିରି ଦେଖାଉଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ? ବିଚ୍ ରାସ୍ତାରେ ଜଣେ ଦଳିତ ନେତାଙ୍କୁ ମାଡ଼ ଓ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଜଗଦେବଙ୍କୁ ବାନ୍ଧିବ କି ପୁଲିସ? ଗତକାଲି ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି  ନିରଞ୍ଜନ ସେଠୀଙ୍କୁ ଧକ୍କା ମାରିଥିବାର ଭିଡିଓ ଭାଇରାଲ ପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ଜଗଦେବଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟବି ଲାଗିଛି । ବାଲୁଗାଁ ଏସଡିପିଓଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସ୍ପି । ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି । ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି। ଏପଟେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ପୁରୀର ତତ୍କାଳୀନ ଏସ୍ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ହେଲେ ଏ ସବୁ ଘଟଣାରେ ମାଫ୍ ପାଇଯାଉଥିବା ଜଗଦେବଙ୍କୁ କିନ୍ତୁ କାଲିର ଘଟଣା ମହଙ୍ଗା ପଡ଼ିଛି । ବାଲୁଗାଁରେ ବିଧାୟକଙ୍କ ଦାଦାଗିରି ଖବର ଗଣମାଧ୍ୟମରେ ପ୍ରଚାର ହେବା ମାତ୍ରେ ତାଙ୍କୁ ବିଜେଡିରୁ ତତକ୍ଷଣାତ୍ ନିଲମ୍ବନ କରିଥିଲେ ଖୋଦ୍ ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ । ଏପରିକି ତାଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ବି ବିଦା ହେବାକୁ ପଡ଼ିଛି।  ତେବେ ଏହି ଦଳୀୟ କାର୍ଯ୍ୟାନୁଷ୍ଠାନକୁ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର କହି ଆଇନକୁ ହାତକୁ ନେଇ ଜନପ୍ରତିନିଧିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ସେପଟେ ଅଭିଯୋଗ ମାତ୍ରେ କାର୍ଯ୍ୟାନୁଷ୍ଠାନ ନେଇ ଅନେକ ଦିନ ପରେ ନବୀନ ପୁଣି ତାଙ୍କ ସ୍ୱଚ୍ଛ ଶାସନ ଅନ୍ଦାଜକୁ ଆପଣାଇଛନ୍ତି । ତେବେ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ କେବେ ନେବ ବୋଲି  ପ୍ରଶ୍ନ କରିଛି କଂଗ୍ରେସ। ଗତକାଲିର ଘଟଣା ଓ ବିଜେଡିର ଦଳୀୟ କାଯର୍ୟାନୁଷ୍ଠାନ ପରେ ଦଳର ଶୃଙ୍ଖଳାକୁ ଦେଖି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ମନ୍ତବ୍ୟ ଦେଇଥିଲେ ପ୍ରଶାନ୍ତ ଜଗଦେବ । ତେବେ ତାଙ୍କ ବିରୋଧରେ ଏବେ ଆଇନ୍ କି କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ବିଧାୟକ ତାକୁ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ବୌଦ୍ଧ ମାଟି ପ୍ରତି ଚରମ ଅବହେଳା କରିଛନ୍ତି ସ୍ଥାନୀୟ ବିଧାୟକ – ଲେଖାଶ୍ରୀ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- “ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଦୀର୍ଘ ବର୍ଷ ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ମଧ୍ୟ ନିଜର ମାଟି ପ୍ରତି ଚରମ ଅବହେଳା କରିଛନ୍ତି।” ଏପରି ଅଭିଯୋଗ ଆଣି ବିଜେଡି ବିଧାୟକ ପ୍ରଦୀପ ଅମାତଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର। ଶ୍ରୀମତୀ ସିଂହାର ଦୁଇଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବୁଧବାର ସେ ବୌଦ୍ଧରେ ରହିଥିଲେ। ସେ ଜିଲ୍ଲାର ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ। ଏପରିକି ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ଼ କରାଯାଇପାରିବ ସେ ନେଇ ମାରାଥନ ଆଲୋଚନା କରିଥିଲେ। ଗତକାଲି ସନ୍ଧ୍ୟା ବେଳେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ, ବୌଦ୍ଧ ଜିଲ୍ଲାର ମୌଳିକ ସମସ୍ୟା ସମାଧାନ କରିବାରେ ବିଜେଡି ବିଧାୟକ ଓ ସରକାରଙ୍କ ଆନ୍ତରିକତା ନାହିଁ। କେନ୍ଦ୍ର ସମସ୍ତ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଖୋର୍ଦ୍ଧା-ବୌଦ୍ଧ-ବଲାଙ୍ଗିର ରେଳପଥ ପାଇଁ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ପ୍ରଶାସନ ଓ ସରକାର ବିଫଳ ହୋଇଥିବା ସାମନ୍ତ ସିଂହାର କହିଥିଲେ।

କିଏ ହେବେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ? ଚାଲିଛି ଭିତିରିଆ ଅଙ୍କକଷା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-କିଏ ହେବେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ? ଚାଲିଛି ଭିତିରିଆ ଅଙ୍କକଷା। ସମସ୍ତେ ହାଇକାମଣ୍ଡଙ୍କ ପାଖରେ ନିଜ ନିଜ ବାର୍ତ୍ତା ପହଞ୍ଚାଇ ସିଟ୍‌ ହାତେଇବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ରାଜ୍ୟସଭାର ୬ଟି ସିଟ୍‌ରେ ଉପନିର୍ବାଚନ ନେଇ ଘୋଷଣା କରାଯାଇଥିଲା। ଏହାପରେ କଂଗ୍ରେସରେ ଟିକେଟ୍‌କୁ ନେଇ ଲାଗିଛି ଲଢ଼େଇ। ଦଳରୁ ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟସଭା ଆସନ ପାଇଁ କିଏ ହେବ ପ୍ରାର୍ଥୀ, ତାକୁ ନେଇ ଚାଲିଛି କସରତ। ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ମୁକୁଲ ୱାସନିକ, ମିଲିନ୍ଦ ଦେଓରା, ସଂଜୟ ନିରୁପମ ଏବଂ ପ୍ରମୋଦ ତିୱାରୀଙ୍କ ସମେତ ଅନେକ ନେତା ମଇଦାନରେ ଅଛନ୍ତି। ଏପରିକି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଏହି ଟିକେଟ ରେସ୍‌ରେ ଥିବା ଏକ ସୂତ୍ରରୁ ଜଣାପଡିଛି। ତାମିଲନାଡୁରେ ଡିଏମ୍‌କେ ଏବଂ କଂଗ୍ରେସର ମେଣ୍ଟ ସରକାର ରହିଛି। ଖାଲିପଡିଥିବା ଆସନରୁ ଡିଏମ୍‌କେ ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଇବା ବିଚାରକୁ ବିରୋଧ କରୁଛି। ତେଣୁ ଏହି ସଂଯୋଗକୁ ଦେଖିଲେ କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ଆଜଦାଙ୍କୁ ଡିଏମ୍‌କେ ରାଜ୍ୟସଭାକୁ ପଠାଇପାରେ। କାରଣ ଡିଏମ୍‌କେ ସହିତ ଗୁଲାମନବୀ ଆଜାଦଙ୍କ ସମ୍ପର୍କ ବହୁତ ଭଲ। ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସରିବା ପରେ କଂଗ୍ରେସର ଟପ୍‌ ନେତାଙ୍କ ସହ ତାଙ୍କର ସେଭଳି କିଛି ଆଉ ଭଲ ସମ୍ପର୍କ ନାହିଁ। ତେଣୁ ଏହି ଅଭିଜ୍ଞ ରାଜନୈତିଜ୍ଞ ଜଣକ ରାଜ୍ୟସଭାକୁ କଂଗ୍ରେସ ତରଫରୁ ନିର୍ବାଚିତ ହେବା ଆଶା ବହୁତ କମ୍‌। ସେହିପରି ମହାରାଷ୍ଟ୍ରରେ କଂଗ୍ରେସ ଗୋଟିଏ ମାତ୍ର ରାଜ୍ୟସଭା ଆସନ ଖାଲିପଡିଛି। ହେଲେ ଏଥିପାଇଁ କଂଗ୍ରେସ ପକ୍ଷରୁ ତିନି ଜଣ ନେତା ଆଶାୟୀ ପ୍ରାର୍ଥୀ ଭାବେ ରେସ୍‌ରେ ଅଛନ୍ତି। ମୁକୁଲ ବାସନିକ, ମିଲିନ୍ଦ ଦେୱଡା, ଯିଏକି ରାହୁଲ ଗାନ୍ଧିଙ୍କ ଖାସ୍‌ ଲୋକ ଏବଂ ମୁମ୍ବାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ନିରୂପମ। ଏହି ତିନି ନେତାଙ୍କୁ ନେଇ କିଏ ହେବ ପ୍ରାର୍ଥୀ? ତାକୁ ନେଇ ମଧ୍ୟ ଦଳ ଭିତରେ ବିଚାର ବିମର୍ଶ ଚାଲିଛି। ନିର୍ବାଚନ ଆୟୋଗ ଗୁରୁବାର ରାଜ୍ୟସଭାର ତାମିଲନାଡୁର ଦୁଇଟି ସିଟ୍‌ , ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏଁ ଖାଲିପଡିଥିବା ସିଟ୍‌ରେ ଉପନର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୪ରେ ଏହି ସବୁ ସିଟ୍‌ ପାଇଁ ଭୋଟିଂ ହେବ। ସେହିପରି ବିହାର ବିଧାନ ପରିଷଦ ଉପନିର୍ବାଚନ ମଧ୍ୟ ସମାନ ତାରିଖରେ ହେବ। ଏହ ସମ୍ବନ୍ଧରେ ସେପ୍ଟେମ୍ବର ୧୫ ତାରିଖରେ ବିଜ୍ଞପ୍ତି ଜାରି ହେବ। ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ରଖାଯାଇଛି। ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

ବେଙ୍ଗଲରେ ମମତା ବନାମ ପ୍ରିୟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା। ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭାରେ ମମତା ବାନାର୍ଜୀଙ୍କୁ ଚେକ୍‌ ଦେବାକୁ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ଦିଦିଙ୍କ ବିରୋଧରେ ଏଥର ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ଠିଆ କରିଛି। ଭବାନୀପୁର ଆସନରୁ ବିଜେପି ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି। ଏନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ବିଜେପିର ଟାଣୁଆ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା। ବିଜେପିର ଏହି ୪୧ ବର୍ଷୀୟ ପ୍ରାର୍ଥୀ ଜଣକ ପେଶାରେ ଜଣେ ଓକିଲ। ସେ ଉଭୟ କୋଲକାତା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଓକିଲ। ସେ ବିଜେପି ନେତା ବାବୁଲ ସୁପ୍ରିୟୋଙ୍କ ଆଇନ୍‌ ପରାମର୍ଶଦାତା ମଧ୍ୟ ରହିସାରିଛନ୍ତି। ସେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ଲଗାତର ଭାବେ ଶାସକ ଦଳକୁ ଘେରିଛନ୍ତି । ୨୦୧୫ରେ ସେ କୋଲକାତା ନଗର ପରିଷଦ ନିର୍ବାଚନ ଲଢିଥିଲେ। ସେ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । ବିଜେପି ତାଙ୍କୁ ଦଳର ଯୁବମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ କରିଥିଲା। ସେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ। ଭବାନୀପୁରର ପ୍ରାର୍ଥୀ ହୋଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ମମତା ଆଜି ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ। ପୂର୍ବରୁ ମମତା ଭବାନୀପୁରରୁ ଦୁଇଥର ନିର୍ବାଚନ ​​ଜିତିଛନ୍ତି। ତାଙ୍କ ଆସନ ବଜାୟ ରଖିବା ପାଇଁ ଏହି ଉପ-ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜୟୀ ହେବା ଦରକାର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମମତା ବାନାର୍ଜୀ ବର୍ତ୍ତମାନ ବିଧାନସଭା ସଦସ୍ୟ ନୁହଁନ୍ତି। ସେପଟେ କଂଗ୍ରେସ ମମତାଙ୍କ ସମର୍ଥନରେ ଭବାନୀପୁରରୁ ପ୍ରାର୍ଥୀ ଘୋଷଣା କରିନାହିଁ।

ଧୋନି ମେଣ୍ଟର, ଡରିଗଲେ ଗାଭାସ୍କର….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଟିମରେ କିଛି ଅଭିଜ୍ଞ ଖେଳାଳିଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ମୁହଁଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ତେବ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ଟିମର ମେଣ୍ଟର କରାଯିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇଟି ବିଶ୍ୱକପ୍ ଟ୍ରଫି ଓ ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଜିତିଛି। ବୋଧହୁଏ ଏହି କାରଣରୁ ବିସିସିଆଇ ତାଙ୍କୁ ଟିମର ମେଣ୍ଟର ଭାବେ ନିଯୁକ୍ତ କରିଛି। ଧୋନିଙ୍କୁ ମେଣ୍ଟର କରାଇବା ନିଷ୍ପତ୍ତିରେ ବହୁତ ଖୁସି ହୋଇଛନ୍ତି ପୂର୍ବତନ କ୍ୟାପଟେନ୍ ସୁନୀଲ୍ ଗାଭାସ୍କର। କିନ୍ତୁ ତାଙ୍କ ମନରେ ଏକ ଭୟ ମଧ୍ୟ ରହିଛି। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ଗାଭାସ୍କରଙ୍କୁ ଧୋନିଙ୍କ ସମ୍ବନ୍ଧିତ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ଗାଭାସ୍କର ୧୭ ବର୍ଷ ତଳର ପୁରୁଣା ଘଟଣାକୁ ଉଜାଗର କରିଥିଲେ। ଗାଭାସ୍କର କହିଛନ୍ତି ଯେ ସେ ୨୦୦୪ରେ ଟିମ୍ ଇଣ୍ଡିଆର ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ସେତେବେଳେ ଟିମର କୋଚ୍ ଥିଲେ ଜନ୍ ରାଇଟ୍। ଜନ୍ ନିଜ ପଦବୀକୁ ନେଇ ବହୁତ ଚିନ୍ତିତ ଥିଲେ। ତାଙ୍କୁ ଲାଗୁଥିଲା ଯେପରି ମୁଁ ତାଙ୍କ ସ୍ଥାନ ନେଇଯିବ, କିନ୍ତୁ ଏଭଳି କିଛି ହୋଇନଥିଲା। ଏବେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ଉପସ୍ଥିତିରେ ଧୋନିଙ୍କୁ ମେଣ୍ଟର କରାଗଲା। ଆଶା କରୁଛି କୋଚ୍ ଶାସ୍ତ୍ରୀ ଓ ଧୋନିଙ୍କ ମଧ୍ୟରେ ଯେପରି କୌଣସି ମତଭେଦ ନହେବ। କାରଣ ଶାସ୍ତ୍ରୀ ଜାଣିଛନ୍ତି ଯେ କୋଚିଂରେ ଧୋନିଙ୍କର କୌଣସି ରୁଚି ନାହିଁ। ଯଦି ଧୋନି ଓ ଶାସ୍ତ୍ରୀଙ୍କର ଚିନ୍ତାଧାରା ମିଶିଗଲା, ତାହେଲେ ଟି-୨୦ ବିଶ୍ୱକପରେ ଭାରତକୁ ଏହାର ବହୁତ ଫାଇଦା ହେବ। କିନ୍ତୁ ରଣନୀତି କିମ୍ବା ଟିମ୍ ଚୟନକୁ ନେଇ ଅସହମତି କିମ୍ବା ମତଭେଦ ହେଲେ, ଏହାର ପ୍ରଭାବ ଟିମର ପ୍ରଦର୍ଶନ ଉପରେ ପଡ଼ିବ। ଧୋନିଙ୍କର ଟିମ୍ ସହ ଯୋଗଦେବା ଭାରତ ପାଇଁ ବହୁତ ବଡ଼ କଥା। ତାଙ୍କ ପାଖରେ ଅଭିଜ୍ଞତାର ଅଭାବ ନାହିଁ। ଯେତେବେଳେ ସେ କ୍ରିକେଟ୍ ଖେଳୁଥିଲେ, ତାଙ୍କ ଠାରୁ ବଡ଼ ଓ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ କେହି ନଥିଲେ। ଗାଭାସ୍କରର ଆହୁରି କହିଛନ୍ତି, ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ବିଶ୍ୱକପ୍ (୨୦୧୧) ଜିତିଥିଲା। ଏହାର ୪ ବର୍ଷ ପୂର୍ବରୁ ଭାରତ ଟି-୨୦ ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ତେଣୁ ଆଗାମୀ ଟି-୨୦ ବିଶ୍ୱକପରେ ଧୋନିଙ୍କ ଉପସ୍ଥିତି ଟିମ୍ ଇଣ୍ଡିଆ ଏକ ବୁଷ୍ଟ ଭଳି କାମ ଦେବ ବୋଲି ଗାଭାସ୍କର କହିଛନ୍ତି।

‘ବଚପନ୍ କା ପ୍ୟାର୍’ ପରେ ସହଦେବଙ୍କ ଆଉଏକ ଗୀତ ଭାଇରାଲ୍….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ‘ବଚପନ୍ କା ପ୍ୟାର୍’ ଭାଇରାଲ୍ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଛତିଶଗଡ଼ର ସହଦେବ ଦିର୍ଦୋଙ୍କର ଆଉ ଏକ ଗୀତ ଭାଇରାଲ୍ ହେଉଛି। ସେ ‘ମନୀ ହିଷ୍ଟ’ର ଆଇକନିକ୍ ଗୀତ ‘Bella Ciao’ ଗୀତ ଗାଇଛନ୍ତି। ଏହି ଭିଡିଓ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସୁଛି ଏବଂ ଏହା ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ‘ମନି ହିଷ୍ଟ’ର ଆଇକନିକ୍ ଗୀତ ‘Bella Ciao’ ଏବେ ଚାରିଆଡ଼େ ଧୁମ୍ ମଚାଇଛି। ୱେବ ସିରିଜକୁ ନେଇ ଚାଲିଥିବା କ୍ରେଜ୍ ଭିତରେ କିଛି ଦିନ ତଳେ ମୁମ୍ବାଇ ପୁଲିସର ପାଖାପାଖି ୨୦ ଜଣ କର୍ମଚାରୀ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ଏହି ଲୋକପ୍ରିୟ ଗୀତ ବଜାଇଲେ। ଏହା ପରେ ଏବେ ସହଦେବଙ୍କର ‘Bella Ciao’ ଭର୍ସନ୍ ଖୁବ୍ ଭାଇରାଲ୍ ହେଉଛି। ଫେସବୁକ୍ ପେଜ୍ ‘ଦେଶୀ ହୋମୀ’ ଦ୍ୱାରା ଶେଆର୍ କରାଯାଇଥିବା ଏହି ଭିଡିଓକୁ ପୋଷ୍ଟ କରାଯିବାର କେଇ ଘଣ୍ଟା ଭିତରେ ହଜାର ହଜାର ଲାଇକ୍ସ ଓ ଅନେକ କମେଣ୍ଟ ମିଳିଛି। କିଛି ଲୋକେ ସହଦେବଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଏଠାରେ କହିରଖୁଛୁ ଯେ ୧୯୬୨ରେ ଇଟାଲୀୟ ଲୋକ ଗାୟକ ଜିଓଭାନ୍ନା ଡେଫାନୀ ‘Bella Ciao’ ଗୀତର ରେକର୍ଡ କରିଥିଲେ। ଛତିଶଗଡ଼ର ସହଦେବ ଚଳିତ ବର୍ଷ ଆରମ୍ଭରେ ନିଜର ଦୁଇଟି ପୁରୁଣା ଭିଡିଓ ପାଇଁ ରାତାରାତି ଲୋକପ୍ରିୟତା ହାସଲ କରିଥିଲେ। ଗୋଟିଏ ଭିଡିଓରେ ତାଙ୍କୁ ସ୍କୁଲ୍ ପୋଷାକରେ ‘ବଚପନ୍ କା ପ୍ୟାର୍’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ଏତେ ଭାଇରାଲ୍ ହେଲା ଯେ ଶେଷରେ ଜଣାଶୁଣା ରାପର୍ ବାଦଶାହ୍ ତାଙ୍କୁ ନେଇ ଏହା ଉପରେ ଏକ ଗୀତ ପ୍ରସ୍ତୁତ କରିଥିଲେ।

୧୧ ସେପ୍ଟେମ୍ବର, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ। ସେଥିପାଇଁ ସତର୍କ ରହିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।

ବୃଷ: ସରକାରୀ କାର୍ଯ୍ୟରେ ଲାଭବାନ ହେବେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

 ମିଥୁନ: ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ । ବନ୍ଧୁଙ୍କ ସାହାଯ୍ୟ ସହାନୁଭୂତି ମିଳିବ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ । ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ଓ ପ୍ରେମ ଭାବ ବଢ଼ିବ।

କର୍କଟ: କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ । ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ । ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ ନାହିଁ ।

ସିଂହ:  କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ପାରିବାରିକ ଜୀବନ ହସଖୁସିରେ କଟିବ ।

କନ୍ୟା: ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ । ଦୂରସ୍ଥାନକୁ ଭ୍ରମଣ କରିବାର ଯୋଗ ରହିଛି।

ତୁଳା: ବ୍ୟବସାୟରେ ସଫଳତା ପାଇବେ ଏବଂ ବନ୍ଧୁଙ୍କର ସାହାଯ୍ୟ ନେବେ । ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ସଭା ସମିତିରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

ଧନୁ: ବ୍ୟବସାୟରେ ଅଚାନକ ଧନ ଲାଭ ହେବ । କ୍ୟାରିୟରକୁ ଆଗକୁ ବଢିବା ଲାଗି ସୁଯୋଗ ମିଳିବ । ଭ୍ରମଣ ଯୋଗ ରହିଛି, ସୁସ୍ୱାଦୁ ଭୋଜନ କରିବେ ।

ମକର: ପାରିବାରିକ ସମସ୍ୟାର ସମାଧାନ ହେବ । ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ: ଚାକିରୀରେ ମାନ ସମ୍ମାନ ମିଳିବ । ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟରେ ଲାଭ ପାଇପାରିବେ।

 ମୀନ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେବେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। କର୍ମକ୍ଷେତ୍ରକୁ ନେଇ ବନ୍ଧୁ ସାହାଯ୍ୟ ସହଯୋଗ କରିବେ।