“ଆକାଂକ୍ଷା” ଓ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ଥିବା ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ଓ ” ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ “ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଡକ୍ଟର ବାଞ୍ଜରୀ ଗ୍ରାମ ସ୍ଥିତ ଅଙ୍ଗନବାଡି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା” ଓ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଙ୍ଗଠନ ପକ୍ଷରୁ ଗ୍ରାମର ଅଧିକାଂଶ ଲେଖାପଢ଼ା ଜାଣି ନ ଥିବା ମହିଳା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସାକ୍ଷରତା ସମ୍ବନ୍ଧୀୟ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ତାପରେ ମହିଳା ମାନଙ୍କୁ ମାସ୍କ ପିନ୍ଧାଇ ହାତ ସେନିଟାଇଜ କରିଥିଲେ । ସମସ୍ତ ମହିଳାଙ୍କୁ “ଛବିଳ ବର୍ଣ୍ଣବୋଧ” ବହି ଦେଇ ସେମାନଙ୍କୁ ଅ’ଆ ପାଠ ପଢ଼ାଇଥିଲେ ।

ପରେ “ଆକାଂକ୍ଷା” ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଗଠନର ସମ୍ପାଦିକା ମିନା କୁମାରୀ ଟହଲ , ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ , “ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ମଞ୍ଚାସୀନ ରହି ମହିଳାମାନେ ପାଠ ନ ପଢିଥିଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମହିଳା ମାନଙ୍କ ବିକାଶରେ ସାକ୍ଷରତାର ନିହାତି ଆବଶ୍ୟକତା ରହିଛି । ଗୋଟିଏ ସ୍ତ୍ରୀ ସାକ୍ଷର ହେଲେ ସମଗ୍ର ପରିବା ସାକ୍ଷର ହେବାରେ ସହାୟକ ହୋଇଥାଏ । ଦସ୍ତଖତ ସହ ଲେଖିବା ଓ ପଢିବା ଜାଣିଲେହିଁ ତାକୁ ସାକ୍ଷରତା କୁହାଯିବ । ଏହା ହେଲେ ହିଁ କାହା ପାଖରେ ଠକାମୀର ଶିକାର ହେବା ସମ୍ଭାବନା ନ ଥାଏ ବୋଲି କହିଥିଲେ ଓ ନାରୀ ନିର୍ଯ୍ୟାତନା ବିଷୟରେ ଓ ”ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ଭୂମିକା ଉପରେ ଆଲୋକ ପାତ କରାଯାଇଥଲା। ସଙ୍ଗଠନର ସୁନିତା ବେହେରା , ଅନିତା ମିଶ୍ର , ଉଷାରାଣୀ ମିଶ୍ର ଓ ମମତା ପାଢ଼ୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରାଜ୍ୟ ଅର୍ଥନୀତିର ଅଧୋଗତି;ଋଣ ବୋଝରୁ ଋଣ ଜନ୍ତାକୁ ଦ୍ରୁତଗତି ରାଜ୍ୟ କରିଥିବା ଋଣ ଟଙ୍କାର ସଠିକ୍ ବିନିଯୋଗ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶା ସରକାରଙ୍କ ଅର୍ଥନୀତିର କୁ-ପରିଚାଳନା ଯୋଗୁଁ ରାଜ୍ୟ ଋଣବୋଝରୁ ଯାଇ ଋଣ ଜନ୍ତାରେ ପଡ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ମୁଖପାତ୍ର ପ୍ରଶାନ୍ତ ଶତପଥି ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୭ ଶହ ୬୧ ଟଙ୍କା କୁ ବୃଦ୍ଧି ପାଇବା ରାଜ୍ୟ ଅର୍ଥନିତୀର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ପବିତ୍ର ବିଧାନସଭା ଗୃହ ଭିତରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ସ୍ପଷ୍ଟ କରିଛି ଯେ, ବିଗତ ୧୦ ବର୍ଷ ଭିତରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି । ୨୦୧୧ – ୨୦୧୨ ମସିହାରେ – ୯ ହଜାର ୧ ଶହ ୪୪ ଟଙ୍କା ଥିବାବେଳେ ବର୍ତ୍ତମାନ ୨୦୨୧-୨୨ ମସିହାରେ -୨୩ ହଜାର ୭ ଶହ ୬୧ ଟଙ୍କାରେ ପହଂଚିଛି । ଏହା ପୂର୍ବରୁ ୨୦୧୯ ମସିହାରେ – ୧୮ ହଜାର ୨ ଶହ ୨୮ ଟଙ୍କା ଥିବାବେଳେ, ୨୦୨୦ ମସିହାରେ – ୨୩ ହଜାର ୫ ଶହ ୨୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାର ମୁଣ୍ଡ ପିଛା ଋଣ ଭାର କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି । ଶାସକ ବିଜୁ ଜନତା ଦଳ ତରଫରୁ ସଫେଇ ଦିଆଯାଇ ଯାହା କୁହାଯାଉଛି ଯେ, ରାଜ୍ୟର ଋଣଭାର ଜି.ଏସ୍‌.ଡ଼ି.ପି. ବା ରାଜ୍ୟର ସକଳ ଘରୋଇ ଉତ୍ପାଦର ଏଫ୍‌.ଆର.ବି.ଏମ୍‌. ଆଇନ୍ ବା ବିତିୟ ଦାୟିତ୍ୱ ଓ ବଜେଟ ପରିଚାଳନା ନିୟମ – ୨୦୦୩ ଅନୁସାରେ ୨୫ ପ୍ରତିଶତ ଭିତରେ ରହିଛି, ତେଣୁ ଏହାଚିନ୍ତାଜନକ ବିଷୟ ନୁହେଁ, ଯାହା ଆଦୌ ଗ୍ରହଣ କରାଯାଇନପାରେ । ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ୧,୨୨,୯୧୭ କୋଟି ଟଙ୍କାରେ ପହଂଚିବାରେ ଆକଳନ କରାଯାଇଛି । ଏକଥା ସତ୍ୟ ଯେ, ପୂର୍ବରୁ ଥିବା ଋଣ ଉପରେ ସ୍ଥାୟୀ ସୁଧ ହାର ଯଥାକ୍ରମେ ୧୪ ପ୍ରତିଶତ ଓ ୧୮ ପ୍ରତିଶତ ଥିବାବେଳେ ଦ୍ୱାଦଶ ଅର୍ଥକମିଶନଙ୍କ
ସୁପାରିଶ ଆଧାରରେ ଏହାକୁ କମ୍ କରାଯାଇ ବର୍ତ୍ତମାନ ୩ ପ୍ରତିଶତ, ୫ ପ୍ରତିଶତ ଓ ୭ ପ୍ରତିଶତ କରାଯାଇଅଛି । ତେଣୁ ରାଜ୍ୟ ସରକାର ଋଣ ଉପରେ ପ୍ରଦାନ କରୁଥିବା ସୁଧ କମିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ରାଜ୍ୟ ସରକାର କରୁଥିବା ଋଣ କିଭଳି ଭାବେ ବିନିଯୋଗ କରୁଛନ୍ତି ଯଦ୍ୱାରା କି ଦୀର୍ଘ ମିଆଦି ସୁତ୍ରରେ ସରକାରଙ୍କର ଆୟବୃଦ୍ଧି ଘଟିବ । ଶ୍ରୀ ଶତପଥି ଏକଥା ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରଦେଶ କଂଗ୍ରେସ ବିକାଶଶୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ଯେଉଁ ଋଣ କରିବାର ବ୍ୟବସ୍ଥା ରହିଛି ତାକୁ ବିରୋଧ କରେ ନାହିଁ । କିନ୍ତୁ ଋଣ କରିଥିବା ଅର୍ଥକୁ ସରକାର ସଠିକ୍ ମାର୍ଗରେ ବିନିଯୋଗ ନ କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଓ ଭୋଟ ହାତେଇବା ପାଇଁ ନେଉଥିବା ପଦକ୍ଷେପକୁ ବିରୋଧ କରେ । ସରକାର ବିଭିନ୍ନ ସୁତ୍ରରୁ ଋଣ କରି ତାକୁ ପୁଞ୍ଜି ଭାବରେ ବିନିଯୋଗ କରି ରାଜ୍ୟର ଆୟବୃଦ୍ଧି ଘଟାଇବା ତଥା ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତ୍ତି ସୃଷ୍ଟି କରିବା ପରିବର୍ତ୍ତେ ଋଣ ଟଙ୍କାର କୁ-ବିନିଯୋଗ ରାଜ୍ୟର ମୁଣ୍ଡ ପିଛା ଋଣଭାର ବଢ଼ାଇ ଚାଲିଛନ୍ତି । ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟ ଏହି ଯେ, ସରକାର ଋଣ ଟଙ୍କାର ୯୭ ପ୍ରତିଶତ ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତି ସୃଷ୍ଟି କରିବାରେ ବିନିଯୋଗ କରନ୍ତି ନାହିଁ । ଯାହାଫଳରେ ଆଜି ଓଡ଼ିଶା ଭଳି ରାଜ୍ୟ ଦାଦନ ଶ୍ରମିକ ସମସ୍ୟା ନେଇ ଜର୍ଜରିତ ଅବସ୍ଥାରେ ରହିଛି । ରାଜ୍ୟରେ ରୋଜଗାରର ଅବକାସ ନାହିଁ, କର୍ମନିଯୁକ୍ତି ଆଶାରେ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । ବିଗତ ଦଶବର୍ଷ ଭିତରେ ସରକାର ସ୍ଥାୟୀ ସଂପତି ( Long Term Assets) ସୃଷ୍ଟି କରିବାରେ ଋଣ ଟଙ୍କାକୁ ଆଦୌ ବିନିଯୋଗ କରିନାହାନ୍ତି । ବଜେଟରେ କ୍ୟପିଟାଲ ଇନ୍‌ଭେଷ୍ଟମେଂଟ
ପାଇଁ ଥିବା ଅର୍ଥ ରାଶି ଅନ୍ୟବାବଦରେ ଖର୍ଚ୍ଚ କରାଯାଏ । ରାଜ୍ୟରେ ୧୫ ହଜାରରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଏମ୍‌.ଏସ୍‌.ଏମ୍‌.ଇ ବନ୍ଦ ପଡ଼ିଛି । ନବୀନ ବାବୁ ୨୦୧୫ ମସିହାରେ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ଏମ୍‌.ଏସ୍‌.ଏମ୍‌.ଇ କୁ କ୍ୟାପିଟାଏ ଇନ୍‌ଭେଷ୍ଟମେଂଟ
ଉପରେ ୨୫ ପ୍ରତିଶତ ସବ୍‌ସିଡ଼ି ଦିଆଯିବ, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ ।

*କଂଗ୍ରେସର ଦାବୀ*

୧. ରାଜ୍ୟ ସରକାର ଚଳିତ ବିଧାନ ସଭାରେ ବିଭିନ୍ନ ସୂତ୍ରରୁ କରିଥିବା ଋଣ, ଏହାର ସୁଧ ହାର ଓ ଏହାର ବିନିଯୋଗର ବ୍ୟବସ୍ଥାକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।

୨. ବିଗତ ୨୧ ବର୍ଷ ଧରି ଶାସନ କରୁଥିବା ବି.ଜେ.ଡ଼ି ସରକାର ଋଣକୁ ପୁଞ୍ଜିଭାବରେ ବ୍ୟବହାର କରି ରାଜ୍ୟର ଆୟ କେତେ ବୃଦ୍ଧି କରିଛନ୍ତି ତାକୁ ସର୍ବସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ ।

୩. ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଠାରୁ ଆଣିଥିବା ଋଣର ପରିମାଣ ଓ ଖର୍ଚ୍ଚ କରୁଥିବା ଦିଗ ଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଉପସ୍ଥିତ ଥିଲେ ।

“ମାଗଣା ଖାଦ୍ୟ ଓ ବସ୍ତ୍ର ବାଣ୍ଟିଲେ କାସିମ୍ ଚାଚା”…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିଜେ ଗରିବ ହୋଇ ବି ଅନ୍ୟ ଜଣେ ଗରିବର ପେଟକୁ ଚିହୁଥିବା ଜଣେ ବଦାନ୍ୟ ବ୍ୟକ୍ତି ଜଣକ ହେଲେ ମହମ୍ମଦ କାସିମ।ଦିନେ ପେଟ ଚାଖଣ୍ଡକ ପାଇଁ ଗାଁ ଗାଁ ବୁଲି ଶେଷରେ କଲ୍ୟାଣସିଂହପୁର ବ୍ଲକ୍ ସଦର ମହକୁମାର ପୁରୁଣା ବସଷ୍ଟାଣ୍ଡ ନିକଟରେ ଛୋଟିଆ ଚିକେନ୍ ସେଣ୍ଟର ଦୋକାନ ଦେଇ ନିଜକୁ ଆତ୍ମନିର୍ଭରଶୀଳ ହୋଇ ଦୁଇ ପଇସା ରୋଜଗାର କରିଥିଲେ କାସିମ୍ ଚାଚା।ଏହାପରେ ଅନ୍ୟର ଭୋକିଲା ପେଟକୁ ଚିହ୍ନିବା ପାଇଁ ପ୍ରତି ଗୁରୁବାର ଦିନ ଗରିବଙ୍କୁ ଦୁଇ ମୁଠା ଭାତ ଦେଇ ବେଶ ଚର୍ଚ୍ଚାକୁ ଆସିଥିଲେ କାସିମ ଚାଚା ପୂର୍ବ ଦିନରେ ବର୍ଷା ଆସିଥିବାରୁ ଛତା ବାଣ୍ଟିଥିବା ବେଳେ ଆଜି ସେ ଗରିବଙ୍କୁ ବସ୍ତ୍ର ବାଣ୍ଟିଥିବା ଦେଖିବାକୁ ମିଳିଥିଲା।ଗତ ତିନି ବର୍ଷ ହେବ ଗରିବଙ୍କୁ ମାଗଣାରେ ପ୍ରତି ଗୁରୁବାର ଦିନ ଦୁଇମୁଠା ଖାଦ୍ୟ ପହଞ୍ଚାଇବା ବେଳେ ତାଙ୍କ ସାଥୀରେ ତାଙ୍କ ଧର୍ମପତ୍ନୀ ମଧ୍ୟ ହାତ ମିଳାଇଛନ୍ତି। ସେହିପରି କାସିମ ଚାଚାଙ୍କ କାମ କୁ ଦେଖି ରାଜ୍ୟ ଓ ରାଜ୍ୟ ବାହାରୁ ଗରିବଙ୍କ ପାଇଁ କାସିମ ଚାଚାଙ୍କୁ କିଏ ଅର୍ଥ ପଠାଇ ଲୋକଙ୍କୁ ଖାଦ୍ୟ ଓ କିଏ ବସ୍ତ୍ର ଆଉ କିଏ ଆମିଷ ଦେବା ପାଇଁ ମଧ୍ୟ କାସିମଙ୍କ ହାତକୁ ହାତ ମିଶାଉଥିବା ଦେଖିବାକୁ ମିଳିଛି।କାସିମ୍ ନିଜେ ମୁସଲିମ ସଂପ୍ରଦାୟ ହୋଇଥିଲେ ବି ତାଙ୍କ ନିକଟରେ ନା ମୁସଲିମ୍ ନା ହିନ୍ଧୁ ନା ଖ୍ରୀଷ୍ଟିଆନ ଭଳି ଭେଦଭାବ କିଛି ଅଛି।

“ଗୁପ୍ତ ଧନ ଖୋଜୁଥିବା ୧୧ ଜଣ, ଗାଁ ଲୋକଙ୍କ ଦ୍ବାରା ଅଟକ”.!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ରେ ଗୁପ୍ତଧନ ସନ୍ଧାନରେ ରାତି ଅନ୍ଧାରରେ କରୁଥିଲେ ପୂଜାର୍ଚ୍ଚନା। ଗୁଣିଆ କହିଥିବା ଦିଗରେ ଖୋଳାଖୋଳି ବି କରିଥିଲେ। କିନ୍ତୁ ଗୁପ୍ତଧନ ବଦଳରେ ମିଳିଲା ନିସ୍ତୁକ ମାଡ଼। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକ୍‌ରେ ଏମିତି ଘଟଣା ଘଟିଛି। ଗୁପ୍ତଧନ ସନ୍ଧାନ କରୁଥିବା ୧୧ଜଣଙ୍କୁ ଗତକାଲି ରାତିରୁ ଗ୍ରାମବାସୀ ଗୋଟିଏ କୋଠାରୀରେ ବନ୍ଦ କରି ରଖିଛନ୍ତି। ଆଜି ବିଷମକଟକ ପୁଲିସ ପହଞ୍ଚି ବୁଝାସୁଝା କରିବା ସତ୍ତ୍ବେ ଛାଡ଼ିନାହାନ୍ତି।ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ୩ ଜଣ, ବିଶ୍ବନାଥପୁରର ୩ଜଣ ଓ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜଣେ, ବିଷମକଟକ ଥାନା ଅଞ୍ଚଳର ୪ ଜଣ କିଛି ଦିନ ହେଲା ଗୁପ୍ତଧନ ସନ୍ଧାନରେ ରହିଥିଲେ। ଆମାବାସ୍ୟା ରାତିରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ଗୁପ୍ତଧନ କେଉଁଠି ରହିଛି ତାହା ଜାଣିହେବ ବୋଲି ଜଣେ ଗୁଣିଆ ପରାମର୍ଶ ଦେଇଥିଲେ।

ଗତକାଲି ବିଷମକଟକ ବ୍ଲକ ଡୁକୁମ ପଞ୍ଚାୟତର ଡେଡ଼ିପଡ଼ା ଗାଁ କାଣିମାଣି ଠାକୁରାଣୀ ଝାଙ୍କିରି ମା ପୀଠରେ ଏମାନେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏପରିକି ମନ୍ଦିର ନିକଟରେ ଥିବା ଶିମିଳି ଗଛ ତଳେ ଖୋଳିବା ଆରମ୍ଭ କରିଥିଲେ। ତେବେ ଗାଁ ବାହାରର ଏହି ଲୋକଙ୍କ ସନ୍ଦିଗ୍ଧ ଗତିବିଧିକୁ ନେଇ ଗ୍ରାମବାସୀ ସମସ୍ତଙ୍କୁ ଧରି ମାର୍‌ପିଟ୍‌ କରି ଗାଁର ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମନ୍ଦିର ନିକଟରୁ କାର୍‌ (ଓଆର୦୨ ଏଡବ୍ଲୁ ୧୫୫୫) ସହ ତିନୋଟି ବାଇକ ଜବତ କରିଥିଲେ। ଗାଁରେ ବୈଠକ କରି ଏମାନଙ୍କ ସଂପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀ କହିଛନ୍ତି।ଗତକାଲି ରାତି ୮ଟାରୁ ୧୧ଜଣ ବ୍ୟକ୍ତି ଗ୍ରାମବାସୀଙ୍କ ଦ୍ବାରା ଅଟକ ଥିବା ଖବର ଆଜି ସକାଳେ ବିଷମକଟକ ପୁଲିସ ପାଇଥିଲା। ଅପ୍ରୀତିକର ପରିସ୍ଥିିତିକୁ ଏଡ଼ାଇବା ପାଇଁ ଗୋଟିଏ ଟିମ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। କିନ୍ତୁ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିବାରୁ ଖାଲି ହାତରେ ଫେରିବାକୁ ପୁଲିସ ବାଧ୍ୟ ହୋଇଥିଲା। ଖବର ଲେଖାଯିବା ସୁଦ୍ଧା ଗ୍ରାମବାସୀ ସମସ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ଗ୍ରାମବାସୀ ଅଟକ ରଖି ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଧରାପଡ଼ିଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି।