କାହିଁକି କଟିଲା ମନ୍ତ୍ରୀଙ୍କ ନାମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କୁ ନେଇ ହୁଲସ୍ତୁଲ ମୌସୁମୀ ଅଧିବେଶନ।  ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାର FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ କାହିଁକି ଚାର୍ଜସିଟ୍‌ରୁ କାଟି ଦିଆଗଲା ? FIRର ୧୩ ନମ୍ବରରେ ଥିବା ମନ୍ତ୍ରୀ ପ୍ରତାପଙ୍କ ସମ୍ପର୍କରେ ତଦନ୍ତ ପାଇଁ ସାଲେପୁର JMFC କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାହିଁକି ପଦକ୍ଷେପ ନିଆଯାଉନି ? ଏଭଳି ଏକାଧିକ ପ୍ରଶ୍ନ ଉଠାଇ ମନ୍ତ୍ରିପଦରୁ ପ୍ରତାପ ଜେନାଙ୍କୁ ବହିଷ୍କାର ଦାବି କରି ଆଜି ଗୃହ ବାହାରେ ଓ  ଭିତରେ ସ୍ୱର ଉତ୍ତୋଳନ କରିଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି । ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା । ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍। ଉଭୟ ଦଳର ସେହି ସମାନ ଦାବି । ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର କର । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, FIRର ୧୩ ନମ୍ବରରେ ଥିବା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC । ଅଥଚ କୌଣସି ପଦକ୍ଷେପ ନେଇନାହାଁନ୍ତି ରାଜ୍ୟ ସରକାର। ଯଦି ବି ତାଙ୍କ ବିରୋଧରେ ତଦନ୍ତ ହୁଏ, ତାହେଲେ କେଉଁ ଆଧାରରେ ଜଣେ ଥାନା ଅଧିକାରୀ ଆଇନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବ ? ତେଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବହିଷ୍କାର କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରି ଗୃହ ଭିତରେ ଓ ବାହାରେ ଅଡ଼ିବସିଛି ବିଜେପି । କଂଗ୍ରେସ ବି ପ୍ରତାପ ଜେନାଙ୍କୁ ନିଶାନା କରି ୨୦୧୪ରୁ ୫ଟି ହତ୍ୟା ମାମଲା ତାଙ୍କ ନାଁରେ ଥିବାବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠାଇ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି। ୨ ଜାନୁଆରୀ, ୨୦୨୧ । ବିଜେପି ନେତା କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଆଉ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀଙ୍କ ନାଁ ଥିଲା FIRରେ।  ଏହାର ପ୍ରାୟ ୫ ମାସ ଧରି ତଦନ୍ତ ପରେ ମେ’ରେ ଚାର୍ଜସିଟ୍ ଦାଖଲ କରିଥିଲା ମାହାଙ୍ଗା ପୁଲିସ।  ସେଥିରେ କିନ୍ତୁ ନଥିଲା ମନ୍ତ୍ରୀଙ୍କ ନାଁ। ଏନେଇ ଗତ ଅଗଷ୍ଟ ୧୬ରେ ସାଲେପୁର JMFC କୋର୍ଟରେ ରମାକାନ୍ତ ଦାଖଲ କରିଥିଲେ ଏକ ପ୍ରୋଟେଷ୍ଟ ପିଟିସନ। ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀଙ୍କ ସଂପୃକ୍ତିର ସାନି ତଦନ୍ତ କରି ରିପୋର୍ଟ ଦେବାକୁ ଗତ ୨୫ ତାରିଖରେ ମାହାଙ୍ଗା ପୁଳିସକୁ ନିର୍ଦ୍ଦେଶ ଦେଇଥିଲେ।  ତାପରଠୁ ଖଡ୍ଗହସ୍ତ ବିରୋଧୀ । ଚଳିତ ଅଧିବେଶନରେ ସରକାରଙ୍କୁ ହଲାପଟା କରୁଥିବାବେଳେ ଶାସକ ଦଳ କହିଛି, ଆଲୋଚନା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ୨ଟି ଅପରାଧିକ ମାମଲାକୁ ଧରି ବିରୋଧୀ ନିଜର ଦଳୀୟ ପ୍ରଚାର କରୁଛନ୍ତି । ତେଣେ ମରୁଡ଼ି ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗରେ ପାଟିତୁଣ୍ଡ କରିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ନିଷ୍ପତ୍ତି ହେଲା ମରୁଡ଼ି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହେବ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ୮୨ ବିଧାୟକ ଓ ମନ୍ତ୍ରୀଙ୍କର ଆସ୍ଥା ନାହିଁ: ନରସିଂହ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଗୋଟିଏ ଅଚଳ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକମାନଙ୍କର ଆସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ଆଜି ଗୃହ ବାହାରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଏବେ ଅଦ୍ଭୂତ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି କେବେ ଆଗରୁ ହୋଇନଥିଲା । ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ୧୭୭ଟି ହାଇସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦାବି କରି ଶିକ୍ଷକମାନେ ତାଙ୍କୁ ଏଭଳି ଏକ ଦରଖାସ୍ତ ଦେଇଛନ୍ତି ଯେଉଁଥିରେ ୮୨ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଦସ୍ତଖତ ରହିଛି। ଏହି ଦରଖାସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଯେ କାହିଁକି ଏସବୁ ସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦିଆଯାଉ ନାହିଁ। ଏଠି ଗ୍ରାଣ୍ଟ-ଇନ-ଏଡ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କ୍ୟାବିନେଟ୍ ମନ୍ତ୍ରୀ ଲେଖୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏ ସରକାରରେ ମନ୍ତ୍ରୀମାନଙ୍କର କିଛି ଭୂମିକା ନାହିଁ। ମନ୍ତ୍ରୀମାନେ ଅପାରଗ ହୋଇପଡ଼ିଛନ୍ତି। ମନ୍ତ୍ରୀ ଯେତେବେଳେ ଅନୁଭବ କରନ୍ତି ଯେ ସେ ସରକାର ନୁହଁନ୍ତି, ତାଙ୍କୁ ସରକାର ବୋଲି ମାନ୍ୟତା ଦିଆଯାଉ ନାହିଁ, ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥାନ୍ତି। ବୋଧହୁଏ ମୁଖ୍ୟମନ୍ତ୍ରୀ ଅବା ତାଙ୍କ ତରଫରୁ ସେମାନଙ୍କୁ ସରକାରର ମାନ୍ୟତା ଦିଆଯାଉ ନାହିଁ । ମନ୍ତ୍ରୀଙ୍କର କଲେକ୍ଟିଭ ରେସପନ୍ସିବିଲିଟି ରହିଛି। ସ୍କୁଲକୁ ଅନୁଦାନ ଦେବା ପାଇଁ ମନ୍ତ୍ରୀମାନେ ଏଠି ବିରୋଧୀ ଦଳକୁ ସାହାଯ୍ୟ ମାଗୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସୂଚନାଯୋଗ୍ୟ, ୧୭୭ଟି ହାଇସ୍କୁଲକୁ ସରକାର ଗ୍ରାଣ୍ଟ-ଇନ-ଏଡ୍ ଦେବା ଦାବିରେ ବିଧାୟକ ଓ ମନ୍ତ୍ରୀମାନଙ୍କର ଦ୍ୱାରସ୍ଥ ହୋଇଛି। ସେମାନେ ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କୁ ଏକ ଚିଠି ଲେଖି ସହାୟତା ମାଗିଛନ୍ତି,ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କର ଦସ୍ତଖତ ରହିଛି ବୋଲି ସେ କହିଛନ୍ତି।

ସାହିତ୍ୟିକ ଜୟକୃଷ୍ଣ ଗୌଡ଼ ସମ୍ବର୍ଦ୍ଧିତ ….!

!!! ଗଞ୍ଜାମ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନରସିଂହ ପରିଡା ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପୋଲସରା)-ପୋଲସରା ବିଜ୍ଞାନମହାବିଦ୍ୟାଳୟର ସମୂହ ସମ୍ମାନ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ତରଫରୁ ଓ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସେବା ନିବୃତ ପ୍ରାଧ୍ୟାପକ ,ସୁ ସାହିତ୍ୟିକ ତଥା ସୁ ବକ୍ତା ଶ୍ରୀଯୁକ୍ତ ଜୟକୃଷ୍ଣ ଗୌଡ଼ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିବା ସହିତ ସମ୍ବର୍ଦ୍ଧିତ କରାଯାଇ ଅଛି । ସମ୍ମାନ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟକାଳୀନ ଓ ସ୍ୱାଗତ ସଭା ଅନୁଷ୍ଠିତ ହେବା ସ୍ଥଳରେ ସମ୍ପୃକ୍ତ କାର୍ଯ୍ୟକ୍ରମ ଡ଼.ଯୋସ୍ନା ରାଣୀ ପଟ୍ଟନାୟକ ଓ ଅଧ୍ୟାପକ ବିରଞ୍ଚି ନାରାୟଣ ରଥ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଲ ରାଜୁପାତ୍ର ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀଯୁକ୍ତ ଗୌଡ଼ଙ୍କ ଦୀର୍ଘ ଦିନର ସାହିତ୍ୟ ସାଧନା ,ଅଧ୍ୟାପନା ଓ ଭାଷା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ପ୍ରଶିକ୍ଷଣ ପଦ୍ଧତି ନେଇ ଉପସ୍ଥିତ ଅଧ୍ୟକ୍ଷ ,ଅଧ୍ୟାପକ ଓ ଅଧ୍ୟାପିକା ନିଜ ନିଜର ବକ୍ତବ୍ୟରେ ଶ୍ରୀ ଗୌଡ଼ଙ୍କୁ ଘୁରି ଘୁରି ପ୍ରଶଂସା କରିଥିଲେ ।

ନିଜ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଗୌଡ଼ ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତଉପରେ ଆଲୋକ ପାତ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଙ୍କର ଓଡ଼ିଆ ରେ ଦସ୍ତଖତ କରାଯାଇଥିଲା । ଓଡ଼ିଆ ଭାଷା ପ୍ରତି ଆଗ୍ରହ ଜନ୍ମିବା ପାଇଁ ବାକ୍ତା ମାନେ ନିଜ ନିଜର ମାନ୍ତବ୍ୟ ରଖିଥିଲେ ।ଶ୍ୟାମ ସୁନ୍ଦର ଆଚାରି ଙ୍କୁ ମଧ୍ୟ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ବିରଞ୍ଚି ନାରାୟଣ ରଥ ଓ ଡ଼.ଯୋସ୍ନା ରାଣୀ ପଟ୍ଟନାୟକ ଙ୍କ ଶିକ୍ଷାଦାନ ଶୈଳୀର ପାରଦର୍ଶୀତା ପାଇଁ ଆଜିର ଅତିଥି ଶ୍ରୀଯୁକ୍ତ ଜୟକୃଷ୍ଣ ଗୌଡ଼ ସେମାନଙ୍କୁ ଛାତ୍ର ଛାତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଉତ୍ତରୀୟ ଓ ଫୁଲ ତୋଡା ପ୍ରଦାନ ସ୍ୱରୂପ ସମ୍ମାନିତ କରିଥିଲେ। ଶେଷରେ ଅଧ୍ୟାପକ ବିରଞ୍ଚି ନାରାୟଣ ରଥ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗଞ୍ଜାମ ଜିଲ୍ଲାରୁ ଗଜପତି ଜିଲ୍ଲାକୁ ୫୦ କିମି ଆସି ଟୀକା ନେବା ପାଇଁ ଲମ୍ବା ଧାଡ଼ି । ୨୦୦ରୁ ଉର୍ଦ୍ଧ୍ୱ ପରିବାର ସ୍ୱାସ୍ଥ୍ୟ କେନ୍ଦ୍ରରେ…!

!!! ଗଜପତି ଜିଲ୍ଲା ମହୋନା ବ୍ଲକ ରୁ ମୋଜେଶ ରଇତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ମୋହନା)- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ପ୍ରଥମ ଓ ଦୁତୀୟ ଡୋଜ ଟୀକାକରଣ । ପ୍ରତେକ ଦିନ ୩୦୦ରୁ ଉର୍ଦ୍ଧ୍ଵ ଲୋକ ନେଉଛନ୍ତି ଟୀକା । ମୋହନା ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ନ୍ୟୁଷିତ ଅଞ୍ଚଳରେ ରହୁଥିବା ଲୋକମାନେ ଚାଷ କାମ ସାରି ୧୧ଟା ରୁ ୧୨ଟା ମଧ୍ୟରେ ଆସନ୍ତି ଟୀକା ନେବା ପାଇଁ । ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଟୀକା ସରିଯାଇଥାଏ। କାରଣ ପଡୋଶି ଜିଲ୍ଲା ଗଞ୍ଜାମର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର କିଛି ଗ୍ରାମରୁ ପ୍ରତେକ ଦିନ ୧୦୦ରୁ ଉର୍ଦ୍ଧ୍ୱ ଲୋକେ ନିଜ ପରିବାର ସହ ଆସି ୪୫ରୁ ୫୦କିମି ଦୂର ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଉଛନ୍ତି ଟୀକା । ଯାହାକି ତିନି ଦିନ ମଧ୍ୟରେ ୧୫ ଶହରୁ ଉର୍ଦ୍ଧ୍ଵ ଲୋକେ ନେଇଛନ୍ତି ଟୀକା । ଯାହାଫଳରେ ମୋହନା ବ୍ଲକର ଲୋକେ ପାଇପାରୁନାହାନ୍ତି କରୋନା ଟୀକା । ମଙ୍ଗଳବାର ଦିନ ସକାଳ ପ୍ରାୟ ୮ଟାରୁ ଲମ୍ଭା ଧାଡିରେ ଗଞ୍ଜାମର ସୁଣ୍ଡିପୋଲି,ନୂଆସାହି ଓ ଅନ୍ୟାନ୍ୟ ଗ୍ରାମର ଲୋକେ ୨ ଶହରୁ ଉର୍ଦ୍ଧ୍ୱ ଆସିଥିଲେ ପରିବାର ସହିତ ଟୀକା ନେବା ପାଇଁ। ଏହି ଖବର ଜାଣିବା ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଣି ଡ଼.ନମିତା ପଣ୍ଡା ଓ ମେଡିକାଲ ପ୍ରୋଜେକ୍ଟ ମ୍ୟାନେଜର ସିଧା ସଳଖ ମନା କରିଦେଇଥିଲେ ବାହାର ଜିଲ୍ଲାର ଲୋକଙ୍କୁ ଟୀକା ଦେବା ପାଇଁ। କାରଣ ପ୍ରଥମ ଟୀକା ନେବା ପରେ ଦୁତୀୟ ଟୀକା ନେବା ପାଇଁ ଆସୁନାହାନ୍ତି ଗଞ୍ଜାମରୁ ଲୋକେ ।ବର୍ତ୍ତମାନ ସୁରାଟ ଯିବା ସକାଶେ ଟ୍ରେନ ଟିକଟ ପାଇଁ ଆବଶ୍ୟକ ପଡୁଛି ପ୍ରମାଣ ପତ୍ର I ତେଣୁ ମୋହନା ଆସି ନେଉଛନ୍ତି ଟୀକା ।ଅପରପକ୍ଷେ ମୋହନା ଅଞ୍ଚଳରେ ଟୀକା ପାଇ ପାରୁନାହାନ୍ତି ଲୋକେ । ଯାହାଫଳରେ ପ୍ରତ୍ୟେକ ଦିନ ଟୀକା କେନ୍ଦ୍ରରେ ଲାଗି ରହୁଛି ଝଗଡା । ଟୀକା ନ ପାଇବାରୁ ଗଞ୍ଜାମରୁ ଆସିଥିବା ଲୋକେ କିଛି ସମୟ ପାଇଁ ଉତେଜନା କରିଥିଲେ। ପରେ ମୋହନା ବିଡିଓଙ୍କୁ ଦେଖା କରିବାକୁ ଯାଇଥିଲେ । ଏହି ବିଷୟ ରେ ସାନଖେମୁଣ୍ଡି ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ବ୍ଲକ ରେ ଟୀକା ଭରପୁର ରହିଛି । ସମସ୍ତ ଟୀକା ଦାନ କେନ୍ଦ୍ରରେ ୧୨ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟୀକା ଦିଆଯାଉଛି। କିନ୍ତୁ ଯେଉଁ ବ୍ୟକ୍ତି ଗଜପତି ଯାଉଛନ୍ତି ଟୀକା ନେବା ପାଇଁ ସେମାନେ ସୁରାଟ ଫେରନ୍ତା କିମ୍ବା ଯିବାକୁ ଚାହୁଁଥିବେ । ଲୋକେ ଅପେକ୍ଷା ନକରି ମୋହନା ଯାଉଛନ୍ତି ଟୀକା ନେବା ପାଇଁ। ତେଣୁ ସେମାନଙ୍କୁ ନିଜ ଅଞ୍ଚଳରେ ଯାଇ ଟୀକା ନେବା ପାଇଁ କହିଛନ୍ତି ସାନଖେମୁଣ୍ଡି ବିଡିଓ ।