କୂଳ ଲଂଘୁଛି, ୧୦ରୁ ୧୨ ଫୁଟ ଜୁଆର ଉଠୁଛି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଗତକିଛି ଦିନ ଧରି ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିବା ବଙ୍ଗୋପସାଗରରେ ଅଜବ ଧରଣର ପରିସ୍ଥିତି ଦେଖିବାକୁ ମିଳିଛି। ଯାହାଦ୍ଵାରା ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗତ କିଛି ଦିନ ଧରି ଆନ୍ଧ୍ରପ୍ରଦେଶ ଉପକୂଳରେ ବଙ୍ଗୋପସାଗର କୁଳ ଲଂଘିବା ସହ ବହୁ କ୍ଷୟକ୍ଷତି କରିବାରେ ଲାଗିଛି। ବେଳେ ବେଳେ ସମୁଦ୍ରରେ ହଠାତ ୩ ରୁ ୪ ଘଣ୍ଟା ଯାଏ ୧୦ ରୁ ୧୨ ଫୁଟର ଜୁଆର ଆସିବା ବେଳେ ଏହା କିଛି ସମୟ ପରେ କମିଯାଇଛି। ବଡ଼ ବଡ଼ ଜୁଆର ଯୋଗୁଁ ସହ ଉପକୂଳରେ ରହିଥିବା ମତ୍ସ୍ୟଜୀବୀଙ୍କ ଘର, ଡଙ୍ଗା ଓ ଉପକୂଳରେ ରହିଥିବା ଦୋକାନରେ ଜୁଆରରେ ଭାସି ଯାଇଥିଲା। ହେଲେ ଆଜି ବଙ୍ଗୋପସାଗର ପୂର୍ବ ଗୋଦାବରୀ ଜିଲ୍ଲାର ୨ କିଲୋମିଟର ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଇଥିଲା। ଯାହା ଦ୍ଵାରା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ପୂର୍ବ ଗୋଦାବରୀ ଜିଲ୍ଲାର ସାଖିନେଟିପାଲ୍ଲି ପଞ୍ଚାୟତର ଆଣ୍ଟାରଭେଡି ହେଉଛି ଗୋଦାବରୀ ନଦୀ ଓ ବଙ୍ଗୋପସାଗରର ମିଳନ ସ୍ଥଳ। ଏଠାରେ ପୂର୍ଣ୍ଣମୀ ସମୟରେ ସମୁଦ୍ର ସାଧାରଣତଃ ୧୦୦ ରୁ ୨୦୦ ମିଟର ଭିତରୁ ଚାଲିଯାଏ। କିନ୍ତୁ ଆଜି ୨ କିଲୋମିଟର ପର୍ଯ୍ୟନ୍ତ ଚାଲିଯିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ଏଠାରେ ପ୍ରଥମ ଥର ଘଟିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ଏହି ପରିସ୍ଥିତି ଜାଣିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉପକୂଳ ଖାଲି କରିବା ସହ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ଆନ୍ଧ୍ରପ୍ରଦେଶ ସମୁଦ୍ର ଉପକୂଳ ଜାଗା ମାନଙ୍କରେ ହାଇଆଲର୍ଟ ଜାରି କରିବା ସହ ସୁରକ୍ଷିତ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ହାଇକମାଣ୍ଡଙ୍କୁ ସିଦ୍ଧୁଙ୍କ ଚେତାବନୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୀତି ଜାରି ରହିଛି। ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହା ମଧ୍ୟରେ କଂଗ୍ରେସ ନେତୃତ୍ୱକୁ ଖୋଲା ଚେତାବନୀ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁ। ସେ କହିଛନ୍ତି ଯେ ଯଦି ତାଙ୍କୁ ନିଷ୍ପତ୍ତି ନେବାକୁ ଦିଆଯିବ ନାହିଁ, ତା’ହେଲେ ସେ କାହାକୁ ଛାଡ଼ିବେ ନାହିଁ। ସିଦ୍ଧୁ କହିଛନ୍ତି, ‘ମୁଁ ହାଇକମାଣ୍ଡଙ୍କୁ କହି ଦେଇଛି ଯେ ଯଦି ଆପଣ ମୋତେ ନିଷ୍ପତ୍ତି ନେବାକୁ ଦେବେ ନାହିଁ, ତା’ହେଲେ ମୁଁ କାହାକୁ ଛାଡ଼ିବି ନାହିଁ। ମୁଁ ଏକ ସୁଦୃଶ୍ୟ ଘୋଡ଼ା ହୋଇ ରହିବା ପାଇଁ ଚାହେଁ ନାହିଁ।’ ସେ ଆହୁରି କହିଛନ୍ତି, ‘ନିଷ୍ପତ୍ତି ନିଆଯିବା ଦରକାର। ଶିଳ୍ପ ବିନା କୌଣସି ରାଜ୍ୟ ଉନ୍ନତି କରିପାରିବ ନାହିଁ। ଅନ୍ୟ ଦେଶ ଗୁଡ଼ିକ ସହିତ ବ୍ୟବସାୟ ଆରମ୍ଭ କରାଯିବା ଦରକାର। ପଞ୍ଜାବବାସୀ ଏବେ ଆଶାଶୂନ୍ୟ ହୋଇଯାଇଛନ୍ତି। ମାଲବିନ୍ଦର ସିଂହ ମାଲି ଆଜି ସିଦ୍ଧୁଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତା’ପରେ ସିଦ୍ଧୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ମାଲବିନ୍ଦର କଶ୍ମୀରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ଦଳ ଭିତରୁ ବି ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ତାଙ୍କୁ ପରାମର୍ଶଦାତା ପଦରୁ ବାହାର କରିବାକୁ ସିଦ୍ଧୁଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ପଞ୍ଜାବ ପ୍ରଭାରୀ ହରିଶ ରାଓ୍ୱତ କହିଛନ୍ତି ଯେ ଦଳର ରାଜ୍ୟ ମୁଖ୍ୟମାନେ ସେମାନଙ୍କର ନିଷ୍ପତ୍ତି ଦଳୀୟ ନୀତି ଓ ସମ୍ବିଧାନ ମଧ୍ୟରେ ରହି ନେଇପାରିବେ। ଯଦି ସେମାନେ ନିଷ୍ପତ୍ତି ନ ନେବେ ଆଉ କିଏ ନେବ। ଏହା ସହିତ ପଞ୍ଜାବର ଦଳୀୟ ନେତାମାନଙ୍କୁ ସେ ଚେତାବନୀ ଦେଇଛନ୍ତି ଯେ ସେମାନେ ଏମିତି କିଛି କାମ ନକରନ୍ତୁ, ଯାହା ଦ୍ୱାରା ଦଳର ଛବି ଖରାପ ହେବ।

ଲକ୍ଷ୍ୟ ବିଶାଳ, ତଥାପି ଟିମ୍‌ ଇଣ୍ଡିଆ ପାଖରେ ‘ବିରାଟ’ ବଳ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଥମ ଇନିଂସ୍‌ରେ ମାତ୍ର ୭୮ ରନ୍‌ କରି ଅଲଆଉଟ ହୋଇଯାଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସ୍‌ରେ ଦମ ଦେଖାଇଛି। ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ବିଶାଳ ୪୩୨ ରନ୍‌ କରିବା ସହ ଭାରତର ପ୍ରଥମ ଇନିଂସ୍‌ ଠାରୁ ୩୫୪ ରନ ଲିଡ୍ ହାସଲ କରିଥିଲା। ତେବେ ଭାରତ ତା’ର ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ କରିଛି। ଏବେ ବି ଦଳ ଇଂଲଣ୍ଡର ସ୍କୋର ଠାରୁ ଯଥେଷ୍ଟ ଦୂରରେ ରହିଛି। କିନ୍ତୁ ଦଳର ସବୁ ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିବାକୁ ପଣ କରିଛନ୍ତି। ତୃତୀୟ ଦିନରେ ଏହାର ଉଦାହରଣ ମଧ୍ୟ ଦେଇଛନ୍ତି। ଇଂଲଣ୍ଡ ୪୩୨ ରନରେ ଅଲଆଉଟ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ତୃତୀୟ ଦିନରେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳ ୨ ୱିକେଟ ହରାଇ ୨୧୫ ରନ୍ କରି ନେଇଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଘରୋଇ ଟିମର ସ୍କୋର ଠାରୁ ୧୩୯ ରନ୍ ପଛରେ ରହିଛି। ଖରାପ ଆଲୋକ ପାଇଁ ତୃତୀୟ ଦିନର ଖେଳ ଶେଷ ହେବା ବେଳରୁ ଚେତେଶ୍ୱର ପୂଜାରା ୯୧ ଓ ଅଧିନାୟକ ବିରାଟ କୋହଲି ୪୫ ରନ୍ କରି ଅପରାଜିତ ରହିଛନ୍ତି। ଦୀର୍ଘ ଦିନ ପରେ ବିରାଟ ଓ ପୂଜାରା ଲୟରେ ଥିବା ଦେଖିବାକୁ ମିଳିଛି। ତେଣୁ ଉଭୟଙ୍କ ଠାରୁ ଦଳ ‘ବିରାଟ’ ଇନିଂସ ଆଶା କରୁଛି। ଦ୍ୱିତୀୟ ଦିନର ସ୍କୋରରେ ଆଉ ୯ ରନ୍ ଯୋଡ଼ି ଇଂଲଣ୍ଡ ୪୩୨ରେ ଅଲଆଉଟ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ତେବେ ରାହୁଲ ୮ ରନ୍‌ କରି ଓଭରଟନଙ୍କ ବଲରେ ଠିକ୍‌ ଲଞ୍ଚ ପୂର୍ବରୁ ଆଉଟ ହୋଇଥିଲେ। ତେଣୁ ଲଞ୍ଚ ପରେ ବ୍ୟାଟିଂ ବିପର୍ଯ୍ୟୟ ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଏହାକୁ ଭୁଲ ପ୍ରମାଣିତ କରିଥିଲେ। ଏଯାଏ ସିରିଜ୍‌ରେ ନିଜର ବ୍ୟାଟିଂକୁ ନେଇ ସମାଲୋଚିତ ହୋଇ ଆସୁଥିବା ପୂଜାରା ତୃତୀୟ ଦିନରେ ନିଜର କ୍ଲାସ ଦେଖାଇଥିଲେ। ରୋହିତ ଶର୍ମା ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଚା’ ପାନ ବିରତି ଯାଏ ଦଳକୁ ଆଦୌ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋହିତଙ୍କ ତୁଳନାରେ ପୂଜାର ଭଲ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଚା’ ପାନ ବିରତି ଯାଏ ଦଳକୁ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ରୋହିତ ମଧ୍ୟ ଏହି ସମୟରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଚା’ ପାନ ବିରତି ପରେ ସମାନ ସ୍ଥିତି ଜାରି ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରୋହିତ(୫୯)ଙ୍କୁ ରବିନସନ ଆଉଟ କରି ଇଂଲଣ୍ଡକୁ ସଫଳତା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ପୂଜାରାଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୮୫ ରନ୍‌ ଯୋଡ଼ିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ପୂଜାରାଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ପୂଜାରା ଇତି ମଧ୍ୟରେ ନିଜର ଅର୍ଦ୍ଧଶତକ ହାସଲ କରିନେଇଥିଲେ। ପ୍ରଥମଥର ପାଇଁ ପୂଜାରା ଆଟାକିଂ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ରନ୍‌ ପାଇଁ ପୂରା ସିରିଜ୍‌ରେ ସଂଘର୍ଷ କରୁଥିବା ବିରାଟ ମଧ୍ୟ ତୃତୀୟ ଦିନରେ କିଛି ଦର୍ଶନୀୟ ଶଟ୍‌ ଖେଳିଛନ୍ତି। ଉଭୟ ତୃତୀୟ ୱିକେଟ ପାଇଁ ଅପରାଜିତ ୧୦୧ ରନ୍‌ ଯୋଡ଼ି କ୍ରିଜ୍‌ରେ ଅଛନ୍ତି। ଭାରତୀୟ ଇନିଂସର ୮୦ ଓଭର ପରେ ନୂଆ ବଲ ଉପଲବ୍ଧ ହୋଇଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏହାକୁ ନେବା ପାଇଁ ମଧ୍ୟ ଚାହିଁଥିଲେ। କିନ୍ତୁ ଖରାପ ଆଲୋକ ପାଇଁ ଅମ୍ପାୟାର ତୃତୀୟ ଦିନର ଖେଳକୁ ସେହିଠାରେ ହିଁ ବନ୍ଦ କରିଦେଇଥିଲେ। ଖେଳ ବନ୍ଦ ହେବା ବେଳକୁ ପୂଜାରା ୧୫ ଚୌକା ସହ ୯୧ ଓ ବିରାଟ ୬ ଚୌକା ସହ ୪୫ ରନ୍ କରି ଅପରାଜିତ ରହିଛନ୍ତି।ଉଭୟ ପୂଜାରା ଓ ବିରାଟ କ୍ରିଜରେ ଥିବାରୁ ୪ର୍ଥ ଦିନ ଇଂଲଣ୍ଡ ପାଇଁ ସହଜ ହେବନାହିଁ ବୋଲି ଆଶା କରାଯାଉଛି। ସେହିପରି ମ୍ୟାଚ୍ ବଞ୍ଚାଇବାକୁ ହେଲେ ଭାରତକୁ ଆଜି ଦିନ ତମାମ ବ୍ୟାଟିଂ କରିବାକୁ ପଡ଼ିବ।

ଅମିତାଭଙ୍କ ଅଙ୍ଗରକ୍ଷୀ ଥିବା ପୁଲିସ୍ କନଷ୍ଟେବଲଙ୍କ ବାର୍ଷିକ ଆୟ ଦେଢ଼ କୋଟି, ତଦନ୍ତ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍ ଷ୍ଟାର ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବେ ନିଯୁକ୍ତ ହୋଇଥିବା ମୁମ୍ବାଇ ପୁଲିସର ଜଣେ କନଷ୍ଟେବଲଙ୍କ ବାର୍ଷିକ ଆୟ ଦେଢ଼ କୋଟି ବୋଲି ଜଣାପଡ଼ିବା ପରେ ତାଙ୍କୁ ବଦଳି କରି ଦିଆଯାଇଛି। ଏହା ସହିତ ଏହି ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କନଷ୍ଟେବଲଙ୍କ ନାଁ ଜିତେନ୍ଦ୍ର ଶିନ୍ଦେ। ସେ ଅନେକ ବର୍ଷ ହେଲା ଅମିତାଭଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ନିକଟରେ ଜଣାପଡ଼ିଲା ଯେ ତାଙ୍କର ବାର୍ଷିକ ଆୟ ଦେଢ଼ କୋଟି ଟଙ୍କା। ତାଙ୍କୁ ଅମିତାଭ ବଚ୍ଚନ ଟଙ୍କା ଦେଉଥିଲେ ନା ସେ ଆଉ କାହାଠାରୁ ଟଙ୍କା ଆଣୁ ଥିଲେ, ମୁମ୍ବାଇ ପୁଲିସ୍ ଏବେ ସେ ନେଇ ତଦନ୍ତ କରୁଛି। ଶିନ୍ଦେ ମୁମ୍ବାଇ ପୁଲିସ୍ ଅଧିକାରୀମାନଙ୍କୁ କହିଛନ୍ତି ଯେ ତାଙ୍କ ପତ୍ନୀ ଏକ ସିକ୍ୟୁରିଟି ଏଜେନ୍ସୀ ଚଲାନ୍ତି। ଏହି ଏଜେନ୍ସୀ ଅନେକ ସେଲେବ୍ରିଟି ଓ ଜଣାଶୁଣା ଲୋକଙ୍କୁ ସୁରକ୍ଷା ଯୋଗାଇଥାଏ। ସେହିପରି ଅମିତାଭ ବଚ୍ଚନ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଅନ୍ତି ନାହିଁ ବୋଲି ସେ ପୁଲିସକୁ କହିଛନ୍ତି। ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଜଣେ ପୁଲିସ୍ କର୍ମଚାରୀ ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତ ହୋଇପାରିବେ ନାହିଁ। ଜିତେନ୍ଦ୍ର ଶିନ୍ଦେ ୨୦୧୫ ମସିହାରୁ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରିଆସୁଥିଲେ। ଅମିତାଭ ବଚ୍ଚନଙ୍କୁ ଏକ୍ସ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। ସଦାବେଳେ ଦୁଇ ଜଣ କନଷ୍ଟେବଲ ତାଙ୍କ ସହିତ ରହନ୍ତି। ଅଙ୍ଗରକ୍ଷୀଙ୍କ ମଧ୍ୟରୁ ଶିନ୍ଦେ ଅମିତାଭ ବଚ୍ଚନଙ୍କର ସବୁଠୁ ପ୍ରିୟ ଥିଲେ। ଅମିତାଭଙ୍କ ସହିତ ତାଙ୍କୁ ସବୁ ଜାଗାରେ ଦେଖିବାକୁ ମିଳୁଥିଲା। ତେବେ ଏବେ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏକ ପୁଲିସ୍ ଥାନାକୁ ବଦଳି କରି ଦିଆଯାଇଛି।

ଡ୍ରଗ୍ସ କେସ୍‌ରେ ଫସିଲେ ରକୁଲ ଓ ରାଣା…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଡ୍ରଗ୍ସ କେସ୍‌ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ। ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍‌ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। କେବଳ ରାଣା ଦଗୁବତୀ ନୁହନ୍ତି ତାଙ୍କ ସହ ଏକାଧିକ ସାଉଥଷ୍ଟାର ମଧ୍ୟ ଫସିଛନ୍ତି। ଅଭିନେତ୍ରୀ ରକୁଲ ପ୍ରିତ, ରବି ତେଜା ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ମଧ୍ୟ ଇଡିରୁ ଡ଼ାକରା ଆସିଛି। ରକୁଲ ପ୍ରୀତି ସିଂହଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସେହିପରି ରାଣା ଦଗୁବାତୀଙ୍କୁ ସେପ୍ଟେମ୍ବର ୮, ରବି ତେଜାଙ୍କୁ ସେପ୍ଟେମ୍ବର ୯ ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ଇଡି ନୋଟିସ ଜାରି କରିଛି। ଏମାନଙ୍କ ଛଡା ଚାର୍ମୀ କୌର, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍‌ ପଠାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ୪ ବର୍ଷ ତଳର ଏହି ଡ୍ରଗ୍ସ ଲିଙ୍କ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ସମନ୍‌ ପଠାଇସାରିଲାଣି ଇଡି। ୨୦୧୭ ମସିହାରେ ଜୁଲାଇ ମାସରେ ଏକ ବାର୍‌ ଉପରେ ଚଢଉ ବେଳେ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା। ଏହି ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍‌ ଦାଖଲ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ରକୁଲ ପ୍ରିତ ସିଂହ ସାଉଥ ସିନେମା ବ୍ୟତୀତ ଅନେକ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କୁ ୟାରିଆଁ, ଅୟାରୀ, ଦେ ଦେ ପ୍ୟାର୍‌ ଦେ, ସରଦାର କା ଗ୍ରାଣ୍ଡସନ ଭଳି ଫିଲ୍ମରେ ଦେଖିବାକୁ ମିଳିଛି। ସେହିପରି ବ୍ଲକବଷ୍ଟର ଫିଲ୍ମ ବାହୁବଳୀରେ ଖଳନାୟକ ଚରିତ୍ରରେ ପ୍ରସିଦ୍ଧ ଲାଭ କରିଥିବା ଭଲ୍ଲାଲଦେବ ଓରଫ ରାଣା ଦଗୁବତୀ ସାଉଥ ସିନେମାର ଜଣାଶୁଣା ଚେହେରା। ତାଙ୍କୁ ବାହୁବଳୀ ବ୍ୟତୀତ, ଗାଜି ଆଟାକ, ବେବି, ଦମ୍ ମାରୋ ଦମ୍‌, ହାତୀ ମେରା ସାଥୀ ଓ ହାଉସଫୁଲ-୪ରେ ଦେଖିବାକୁ ମିଳିଛି। ସେହିପରି ରବି ତେଜା ମଧ୍ୟ ତେଲୁଗୁ ଫିଲ୍ମର ଜଣେ ଦମ୍‌ଦାର ଅଭିନେତା ରୂପେ ବେଶ୍‌ ଜଣାଶୁଣା। ସାଉଥ ଇଣ୍ଡଷ୍ଟ୍ରିକୁ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ ଜାଦୁରେ ଦର୍ଶକ ହୃଦୟ ମଧ୍ୟ ଜିତିଛନ୍ତି। ଅନ୍ୟ ପଟେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଧର୍ମ ପ୍ରଡକ୍ସନ ସହ ମିଶି ନିଜ ଅପ୍‌କମିଂ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାଉଥ ଫିଲ୍ମ ବ୍ୟତୀତ ପୁରୀ ଜଗନ୍ନାଥ ହିନ୍ଦୀ ଫିଲ୍ମ ‘ବୁଢ଼ା ହୋଗା ତେରା ବାପ’ର ନିର୍ଦ୍ଦେଶନା ଦେଇଥିଲେ।

୨୮ ଅଗଷ୍ଟ, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟୀମାନେ କାରବାରରେ ଅଧିକ ଲାଭବାନ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ।

ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶିକ୍ଷା କ୍ଷେତ୍ରରେ ଊତ୍ସାହିତ ହେବେ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପ୍ରଶଂସା ପାଇବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ବହୁତ ଦିନରୁ ପଡ଼ି ରହିଥିବା କାମ ଆଜି ପୂରଣ ହେବ। ବ୍ୟବସାୟରେ ସହଯୋଗୀମାନଙ୍କର ସହଯୋଗ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କର୍କଟ: ମନ ଖୁସି ରହିବ। ପରିବାରରେ ହସଖୁସିର ବାତାବରଣ ଦେଖାଯିବ। ଘରକୁ ଅତିଥି ଆସିପାରନ୍ତି।

ସିଂହ: ବନ୍ଧୁଙ୍କ ସହଯୋଗ ମିଳିବ। ଗୃହୋପକରଣ କ୍ରୟ କରିବା ଯୋଗୁ ବ୍ୟୟ ଅଧିକ ହେବ । ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିପାରିବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନ କଲେ କ୍ଷତିରେ ପଡିବେ।

ତୁଳା: ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ଯୋଗ ରହିଛି।  ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ଧନୁ: ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଯାତାୟତ କଲାବେଳେ ସତର୍କ ଅବଲମ୍ବନ କରନ୍ତୁ।

ମକର: ସୁସମ୍ବାଦ ଶୁଣିବେ। ଆର୍ଥିକ ସଙ୍କଟ ଦୂରେଇ ଯିବ। ଅନ୍ୟମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ।

କୁମ୍ଭ: ଶରୀର ସୁସ୍ଥ ରହିବ। ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ନ୍ୟାୟ ମାର୍ଗରେ କର୍ମ କଲେ ପ୍ରଶଂସିତ ହେବେ।

ମୀନ: ଦିନଟି ଭଲରେ କଟିବ। ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ ।

ପୋଲିସ ବିଭାଗର ଅଜବ ନୀତି; ଯାଦୁଆ ବିକୁଛନ୍ତି ଯାଦୁ ମଲମ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଯୋଜନା ପ୍ରଣୟନ କରିବା ସହିତ ଜାତୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ପାଇଁ ମାନବାଧିକାର କମିଶନ ଭଳି ଅର୍ଧନାୟିକ ଅନୁଷ୍ଠାନ ମାନ ଗଠନ କରିଛନ୍ତି । ଏସବୁ ସତ୍ୱେ ଦେଶରେ ମାନବଧିକାର ଉଲ୍ଲଙ୍ଘନ ରୋକିବାରେ ନା ଧରୁନାହିଁ । ଏ ସମ୍ପର୍କରେ ଗତ କିଛିଦିନ ତଳେ ଭାରତର ମାନ୍ୟବର ମୁଖ୍ୟ ବିଚାରପତି ମତବ୍ୟକ୍ତ କରି କହିଥିଲେ ଯେ ଦେଶରେ ପୋଲିସ ଥାନା ମାନଙ୍କରେ ସବୁଠାରୁ ଅଧିକ ମାନବଧିକାର ଉଲ୍ଲଙ୍ଘନ ହେଉଛି । ମାନ୍ୟବର ମୁଖ୍ୟ ବିଚାରପତି ଯେଉଁ ଉକ୍ତି ପାଇଁ ସମଗ୍ର ଭାରତବର୍ଷରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ଯେଉଁମାନେ ମାନବଧିକାର ଉଲ୍ଲଙ୍ଘନ କରି ବଦଳି ହେଉଛନ୍ତି ସେମାନଙ୍କୁ ଅନ୍ୟ ଏକ ଥାନାର ଦାୟିତ୍ୱ ଦିଆଯାଉଥିବା ସ୍ଥଳେ ଯେଉଁମାନେ ମାନବଧିକାର ଉଲ୍ଲଙ୍ଘନ କରି ମାନବଧିକାର କମିଶନଙ୍କ ଦ୍ୱାର ଦଣ୍ଡିତ ହୋଇଛନ୍ତି ସେମାନେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷୀତ ହୋଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଆସିଛି ସେମାନଙ୍କୁ ମହିଳା ଏବଂ ଶିଶୁ ଡେକ୍ସରେ ଅଧିଶୀତ କରାଯାଇଅଛି । ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି ରାଜ୍ୟ ସରକାର ଯାଦୁଆ ହାତରେ ଯାଦୁ ମଲମ ବିକୁଛନ୍ତି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର କହିଛନ୍ତି ।

ପ୍ରକାଶ ଯୋଗ୍ୟ ରାଜ୍ୟରେ ଏକାଧିକ ପୋଲିସ ଅଧିକାରୀ ରାଜ୍ୟ ମାନବଧିକାର ଉଲ୍ଲଙ୍ଘନ ଘଟଣାରେ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରା ଦଣ୍ଡିତ ହୋଇ ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ ହୋଇଛନ୍ତି ଏବଂ କୌଣସି ଥାନରେ ହାଜତ ମୃତ୍ୟହେଲେ ସଂପୃକ୍ତ ଥାନା ଅଧିକାରୀଙ୍କୁ ବଦଳି କରାଯାଇ ଅନ୍ୟ ଏକ ଥାନାର ଦାୟିତ୍ୱ ଦିଆଯାଉଛି । ଏହି ପରିସ୍ଥିତିରେ ସଂପୃକ୍ତ ଅଧିକାରୀ ମାନଙ୍କ ଠାରୁ ମାନବାଧିକାର ସୁରକ୍ଷା ଆଶାକରିବା ବୃଥା ବୋଲି କଂଗ୍ରେସ କହିଛି । ସବୁଠାରୁ ଗରୁତ୍ୱପୂର୍ଣ୍ଣ ଘଟଣା ଗତ କିଛିଦିନ ତଳେ ଅନୁଗୁଳର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ନାରୀ ନିର୍ଯ୍ୟାତନାର ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ସଂପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଇ କଟକ ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟର ମହିଳା ଏବଂ ଶିଶୁ ବିଭାଗର ଦାୟିତ୍ୱ ଦିଆଯାଇଛି । ଏହି ସମସ୍ତ ଘଟଣା ସୂଚାଉଛି ରାଜ୍ୟ ସରକାର ମାନବଧିକାର ସୁରକ୍ଷା ଦିଗରେ ଯେତିକି ଯତ୍ନବାନ ହେବା କଥା ସେତିକି ଯତ୍ନବାନ ନୁହଁନ୍ତି ବୋଲି କଂଗ୍ରେସ କହିଛି । କଂଗ୍ରେସର ଦାବି ରାଜ୍ୟ ସରକାର ମାନବାଧିକାର ଉଲ୍ଲଙ୍ଘନ କରିଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା ପାଇଁ ପୋଲିସ୍‌କୁ କଡ଼ା ନିର୍ଦ୍ଦେଶ ଦିଅନ୍ତୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିେଲେ ।

ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିମ୍ନମାନର କାମ ହେଉଥିବା ଅଭିଯୋଗ..!

!!! ରାୟଗଡା ଜିଲ୍ଲା କୋଲନରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁକୁନ୍ଦପୁର)- କେନ୍ଦ୍ର ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗ୍ରାମଠୁ ସହର ପର୍ଯ୍ୟନ୍ତ ସଂଯୋଗ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଯାତାୟାତର ସୁବିଧା କରିବା ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପିଚୁ ରାସ୍ତା ନିର୍ମାଣ କରିବା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନ ରେଖାପଦର ଗ୍ରାମ ପଞ୍ଚାୟତର ପାଣ୍ଡ୍ରୋତଲାରୁ ଲହରୀଗାଡ଼ା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟାଦେଶ ଠିକାଦାର ସୁନିତା ବେହେରାଙ୍କ ନାମରେ ରହିଥିବା ବେଳେ କାର୍ଯ୍ୟଟି ୩୦ ଏପ୍ରିଲ ୨୦୨୧ ରେ ଆରମ୍ଭ ହୋଇ କାର୍ଯ୍ୟ ଶେଷ ଅବଧି ୨୯ ମାର୍ଚ୍ଚ ୨୦୨୨ ରେ ଶେଷ ହେବାକୁ ଫଳକରେ ଲେଖାଯାଇଛି। ରାସ୍ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଲଭେର୍ଟ ନିର୍ମାଣରେ ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଏହି ରାସ୍ତାର ସମ୍ପୂର୍ଣ୍ଣ ଅଟକଳ ମୂଲ୍ୟ ୩୮୦.୨୫ ଲକ୍ଷ ଥିବାବେଳେ ପୁଣି ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୭.୫୩ ଲକ୍ଷ ଫଳକରେ ଲେଖାଯାଇଛି। ହେଲେ ନିର୍ମାଣ କରାଯାଉଥିବା ରାସ୍ତା କାମକୁ ଦେଖିଲେ ବିଶ୍ୱାସ କରିହେଉନି କି ରାସ୍ତା ନିର୍ମାଣ କାମ ଠିକରେ ହେଉଛି।

ଏଥିରୁ ସନ୍ଦେହ ହେଉଛି ଯେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାର୍ଯ୍ୟଟି ସମ୍ପାଦନ ହେବା ଆଗରୁ ପକେଟ ଗରମ ହୋଇ କାର୍ଯ୍ୟ ଅଧାରୁ ଅଟକି ଯିବନି ତୋ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଏହିଭଳି ସାରା ରାଜ୍ୟରେ ଥିବା ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୩ରୁ ୪ ଦିନ ପରେ ଚେକା ଚେକା ପିଚୁ ଉଠି ପଡୁଥିବା ଲୋକ ମାନଙ୍କ ବିରୋଧ କରୁଥିବା ସାମାଜିକ ଗଣମାଧ୍ୟମ ସହ ଗଣମାଧ୍ୟମରେ ଖବର ପ୍ରକାଶ ଦେଖି ଅନ୍ୟ ଗ୍ରାମ ଭଳି ଏଠି ରାସ୍ତା କାମ ହେବନି ତୋ ପାଣ୍ଡ୍ରୋତଲାରୁ ଲହରୀଗାଡ଼ା ରାସ୍ତା !ତେଣୁ ବେଳ ଥାଉନୁ ଅଧିକାରୀ ମାନେ ସଚେତନ ହୋଇ ରାସ୍ତା ନିର୍ମାଣ କାମକୁ ଠିକ ଭାବେ ତଦାରଖ କରିବା ପାଇଁ ଅଞ୍ଚଳବାସୀ କହୁଛନ୍ତି। ଠିକାଦାର ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ବେଳେ ଡ୍ରାଇଭସନ ରାସ୍ତା ଦେଇ ନଥିବା ଦେଖିବାକୁ ମିଳିଛି। ଯେହେତୁ ନା ନା ସମସ୍ୟାରେ ଲହରୀଗାଡ଼ା ଓ ମୂର୍ତ୍ତେଲି ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ, ପେନସନ ଓ ଜରୁରୀ କାର୍ଯ୍ୟରେ ଆସିପାରୁ ନଥିବା କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ନେଇ ରାତି ଅଧିଆ ଯଦି ସ୍ୱାସ୍ଥ୍ୟ ସେବାରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଏ ତାହେଲେ ସାଇକେଲ କି ମଟର ସାଇକେଲ କାଦୁଅ ପଚ ପଚରେ ଗଡୁନଥିବା ବେଳେ ୧୦୮ କି ୧୦୨ର କଥା ମା ଗଙ୍ଗେଇ ଜାଣନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କରାଯାଉଥିବା ଏହି ରାସ୍ତା କେତେ ମଜବୁତ କାମ ହେବ ତାହା ଦେଖିବାକୁ ବାକି ରହିଲା। ଏହି ରାସ୍ତାର ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପାରା ସେଠଙ୍କୁ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହୋଇଛି।

ସୂଚନା ଅଧିକାର ଆଇନକୁ କୋଣ ଠେଷା କରୁଛି ଗଜପତି ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଜନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଷ୍ଟ୍ରରେ ରାଷ୍ଟ୍ରପତି ରାଜ୍ୟରେ ରାଜ୍ୟପାଳ ସୂଚନା ଅଧିକାର ଆଇନ କୁ ସମ୍ମାନ ଦେଉ ଥିବା ବେଳେ ଗଜପତି ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଜନ ବିଭାଗ ପକ୍ଷରୁ ଏହାକୁ ଅବମାନନା କରିବା ଦେଖା ଦେଇଛି। କିଛି ବିଭାଗୀୟ ତଥ୍ୟ ପାଇବା ପାଇଁ ଜୈନିକ ବ୍ୟକ୍ତି ଗତ ୩୧/୧୨/୨୦୨୦ ତାରିଖ ଦିନ ସୂଚନା ଅଧିକାର ଆଇନ ଅନୁଯାୟୀ ଦରଖାସ୍ତ କରିଥିଲେ ସୁଦ୍ଧା ଏଯାବତ ତାଙ୍କୁ ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଦୀର୍ଘ ୮ମାସ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇନଥିବା ସୂଚନା ଅଧିକାର ଆଇନ କୁ ଉଲଂଘନ କରାଯାଉନାହିଁ କି ବୋଲି ପ୍ରଶ୍ନ ଉଠିଛି ।  ବିଭାଗୀୟ ଅଧିକାରୀ ଙ୍କ ବିଷୟ ନେଇ ତଥ୍ୟ ମଗାଯାଇଥିବାରୁ ଏହାକୁ ନଦେବା ନିମନ୍ତେ ମସୁଧା ଚଳାଇଥିବା ସ୍ଵଷ୍ଟ ଅନୁମେୟ ହେଉଛି । ଏଣୁ ସୂଚନା ଅଧିକାର କମିଶନର ଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି । ସମ୍ପୃକ୍ତ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ରାଉତ ଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ ହେଉଥିବା ସତ୍ତ୍ୱେ ଏଥି ପ୍ରତି ଉଚ୍ଚ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁନଥିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରୁଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ; ଓବିସି କ’ଣ ପୋଇଲି ପୁଅ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଓ.ବି.ସି. କ’ଣ ପୋଇଲି ପୁଅ? କାହିଁକି ଓବିସି ପ୍ରତି ଅବିଚାର ଓ ଅଣଦେଖା କରାଯାଉଛି? ପ୍ରଥମେ କେନ୍ଦ୍ର ବିଜେପି ନେତୃତ୍ୱାଧିନ ସରକାରଙ୍କ ଠାରୁ ଶ୍ରୀ ବେହେରା ନିମ୍ନମତେ କେତେଗୁଡ଼ିଏ ତଥ୍ୟ ଉପସ୍ଥାପନ କରି ଜାଣିବାକୁ ଚାହିଁଛନ୍ତି ଯେ, କାହିଁକି ଜାତିଭିତିକ ଜନଗଣନାର ବିରୋଧ କରାଯାଉଛି । ସେ ପଚାରିଛନ୍ତି (କ) ୨୦୧୦ ମସିହାରେ ଉପା ସରକାର ସମୟରେ ବିଜେପି ଜାତିଭିତିକ ଜନ ଗଣନା ପାଇଁ ଦାବି କରିଥିଲା । (ଖ) ୨୦୧୮ ଜୁଲାଇ ୩୧ ତାରିଖରେ ତତ୍କାଳୀନ ଘରୋଇ ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଗଣନା ସଂକ୍ରାନ୍ତ ବୈଠକରେ ୨୦୨୧ ଜନଗଣନା ସହ ଓବିସି ଜନଗଣନା କରାଯିବାର ନିଷ୍ପତି ନିଆଯାଇଥିଲା । (ଗ) ଜୁଲାଇ ୧୪, ୨୦୨୧ ରେ ଓବିସି କଲ୍ୟାଣ ସଂସଦୀୟ କମିଟି ଏଥିନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ (ଘ) ଜାତୀୟ ଓବିସି ଆୟୋଗ ଏପ୍ରିଲ ୨୦୨୧ ରେ କେନ୍ଦ୍ର ସରକାରଙ୍କୁ ଓବିସି ଜନଗଣନା ନିମିତ ଅନୁରୋଧ କରିଥିଲେ । (ଙ) ଅଗଷ୍ଟ ୧୦, ୨୦୨୧ ରେ ସଂସଦର ୧୨୭ ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଲୋଚନା ବେଳେ ସାଂସଦ ଶ୍ରୀମତୀ ସଂଘମିତ୍ରା ମୌର୍ଯ୍ୟ ବକ୍ତବ୍ୟ ରଖି ସୁଚାଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଜନ ଗଣନା ଚାହାନ୍ତି । ଏ ସମସ୍ତ ସତ୍ୱେ ଆଜି କେନ୍ଦ୍ର ସରକାର ଜାତି ଜନଗଣନା ପାଇଁ ପଛଘୁଂଚା ଦେଉଛନ୍ତି କାହିଁକି? ମୋଦି ସରକାରଙ୍କର ଏହି ଆଭିମୁଖ୍ୟ ପ୍ରମାଣ କରେ ଯେ ଓବିସି, ବିଜେପିର ଏଜେଣ୍ଡାରେ ନାହିଁ । ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ୨୦୧୧ ମସିହାରେ ତତ୍କାଳୀନ ଉପା ସରକାର ଦ୍ୱାରା କରାଯାଇଥିବା ସାମାଜିକ ଅର୍ଥନୈତିକ ଜାତି ଗଣନା (SECC) ରିପୋର୍ଟ ତ୍ରୁଟି ଥିବାର ଆଳ ଦର୍ଶାଇ ପ୍ରକାଶ କରୁନାହାନ୍ତି ଯାହା ସଂପୂର୍ଣ୍ଣ ନିରାଧାର । ଗ୍ରାମ୍ୟ ଉନ୍ନୟନ ସଂସଦୀୟ କମିଟି ୨୦୧୬ ଅଗଷ୍ଟ ୩୧ ରେ ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ପ୍ରଦତ ରିପୋର୍ଟରେ ଦର୍ଶାଇଛନ୍ତି ଯେ,ସାମାଜିକ ଅର୍ଥନୈତିକ ଜାତି ଗଣନା(SECC)ରିପୋର୍ଟ-୨୦୧୧ର ତଥ୍ୟ ୯୮.୮୭ ଶତାଂଶ ତ୍ରୁଟି ଶୂନ୍ୟ । ଏଥି ସହ ରେଜିଷ୍ଟର ଜେନେରାଲ ଅଫ ଇଣ୍ଡିଆ (RGI) ଙ୍କ ତଥ୍ୟ ଅନୁଶାରେ ୧୧୮ କୋଟି ୬୪ ଲକ୍ଷ ୩୭୭୦ ସଂଖ୍ୟା ମଧ୍ୟରୁ ମାତ୍ର ୧ କୋଟି ୩୪ ଲକ୍ଷ ୭୭ ହଜାର ୩୩୦ ସଂଖ୍ୟାରେ ତ୍ରୁଟି ଅଛି । ଯାହା ୧ ଶତାଂଶରୁ କମ୍ । ଶ୍ରୀ ବେହେରା ପୁନଶ୍ଚ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଓବିସି ଜନଗଣନାର ତର୍ଜମା କରି ଏହାର ବର୍ଗୀକରଣ ନିମନ୍ତେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗରିଆଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ମିଳିନାହିଁ? ବା ମିଳିଥିଲେ ସାଧାରଣଙ୍କ ଅବଗତି ନିମନ୍ତେ କାହିଁକି ପ୍ରକାଶ ପାଇନାହିଁ? ଏଥିରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ କେନ୍ଦ୍ର ବିଜେପି ସରକାର ଓବିସି ପ୍ରତି କେତେ ଦରଦ ଜଣାପଡ଼େ । କେନ୍ଦ୍ର ସରକାରଙ୍କ ଠାରୁ ସେ ନିର୍ଦ୍ଦିଷ୍ଟ ଭାବରେ ଜାଣିବାକୁ ଚାହିଁଛନ୍ତି ଯେ, କେବେହେବ ଜାତି ଜନଗଣନା? ୫୦ ପ୍ରତିଶତ ସଂରକ୍ଷଣ କଟକଣା ଉଚ୍ଛେଦ ପାଇଁ କେବେ ପ୍ରଣୟନ ହେବ ଆଇନ? ଅନୁରୂପ ଭାବରେ ରାଜ୍ୟ ନବୀନ ସରକାରଙ୍କ ଓବିସି କଲ୍ୟାଣ ପ୍ରତି ଆନ୍ତରିକତାଙ୍କୁ ପ୍ରଶ୍ନକରି ଶ୍ରୀ ବେହେରା ନିମ୍ନମତେ ଜବାବ ଚାହିଁଛନ୍ତି : (କ) କାହିଁକି ଓଡ଼ିଶାର ସ୍ୱତନ୍ତ୍ର ସ୍ଥିତି ଉପସ୍ଥାପନ କରି ସ୍ରୁପ୍ରିମକୋର୍ଟରେ ୫୦ ପ୍ରତିଶତ ସଂରକ୍ଷଣ ଅଂକୁଶ ଉଚ୍ଛେଦ ନିମନ୍ତେ ଯୁକ୍ତି ଉପାସ୍ଥାପନ କରାଯାଇନାହିଁ (ଖ) ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ଓବିସି ସରଂକ୍ଷଣ ଆଜି ପର୍ଯ୍ୟନ୍ତ କାହିଁକି କରାଯାଇ ନାହିଁ । ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ଯେ ଆଗାମୀ ସେପ୍ଟେମ୍ବର ବିଧାନସଭାର ମୌସୁମୀ ଅଧିବେଶନରେ ଜାତି ଜନଗଣନା ପାଇଁ ସରକାରୀ ପ୍ରସ୍ତାବ ଆଣିବେକି? (ଘ) ଜାତି ଜନଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପସୃଷ୍ଟି କରିବାକୁ ସମସ୍ତ ରାଜନୈତିକ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ କି? ଏଠାରେ ଉଲ୍ଲେଖ ଯୋଗ୍ୟଯେ, କଂଗ୍ରେସ ଓବିସିଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ସଚେତନ ଥାଇ ନିମ୍ନମତେ ପଦକ୍ଷେପ ନେଇଥିଲା : (କ) ୧୯୯୩ ରେ ନରସିଂହ ରାଓଙ୍କ ସରକାର ଜାତୀୟ ସ୍ତରରେ ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିଥିଲେ । (ଖ) ୨୦୦୭ ରେ ମନମୋହନ ସିଂହ ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମାନଙ୍କରେ ୨୭ ପ୍ରତିଶତ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଆଇନ ପ୍ରଣୟନ କରିଥିଲେ । (ଗ) ୨୦୧୧ ରେ ସାମାଜିକ ଅର୍ଥନୈତିକ ଜାତି ଜନଗଣନା କରିଥିଲେ (ଘ) ଜୁଲାଇ ୩, ୨୦୨୦ ରେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଜ୍ୟମାନଙ୍କରେ ଥିବା ମେଡିକାଲ କଲେଜ ମାନଙ୍କରେ ଅଲ ଇଣ୍ଡିଆ କୋଟାରେ ୨୭ ଶତକଡ଼ା ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସୁତରାଂ, କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଲୋକ ଦେଖାଣିଆ ମନୋଭାବ ଛାଡ଼ି ଦେଶର ଅର୍ଦ୍ଧାଧିକ ଓବିସି ଜନସଂଖ୍ୟା ପାଇଁ କଂଗ୍ରେସ ପ୍ରସ୍ତାବ ମୁତାବକ ଠୋସ ପଦକ୍ଷେପ ଗ୍ରହଣ କରନ୍ତୁ । ତାନହେଲେ ଓବିସି ଐତିହାସିକ ଅବିଚାରକୁ ଦେଶ ଓ ରାଜ୍ୟବାସୀ ବରଖାସ୍ତ କରିବେ ନାହିଁ ବୋଲି ପିସିସି ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ଦୁଇ ବରିଷ୍ଠ ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରା ଓ ଶ୍ରୀ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।