ପୁରୀ ଶୈଳୀରେ ଲକ୍ଷ୍ନୌରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ଜମି ଦେଲେ ଯୋଗୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଓଡ଼ିଶାର ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଜଗନ୍ନାଥ ମନ୍ଦିର ତିଆରି ହେବ ଲକ୍ଷ୍ନୌରେ। ଏଥିପାଇଁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ଶୈଳୀରେ ଲକ୍ଷ୍ନୌରେ ମଧ୍ୟ ଜଗନ୍ନାଥ ମନ୍ଦିର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଏକର ଜମି ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ସେହିପରି ସରୋଜିନ ନଗରର ବିଜନୋରରେ “ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର” ମଧ୍ୟ ତିଆରି ହେବ। ୨୦୧୮ରେ ଯୋଗୀ ଓଡ଼ିଆ ସମାଜର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଏସବୁ ପ୍ରକଳ୍ପ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ, ଜଗନ୍ନାଥ ମନ୍ଦିର ଓ ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର ତିଆରି କରିବାକୁ ଜମି ଯୋଗାଇ ଦେଇଛନ୍ତି। ୨୦୧୮ ଉତ୍କଳ ଦିବସରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେମାନେ ଯୋଗୀଙ୍କ ଆଗରେ ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିବାକୁ ଦାବି ଜଣାଇଥିଲେ। ଯୋଗୀ ଏଥିରେ ରାଜି ହେବା ସହ ଜଗନ୍ନାଥ ମନ୍ଦିର ମଧ୍ୟ ପ୍ରତିଷ୍ଠା ପାଇଁ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିକଟରେ ପ୍ରଶାସନ ତରଫରୁ ଓଡ଼ିଆ ସାମାଜକୁ ଅବଗତ କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶକ୍ରମେ ଓଡ଼ିଶାର କଲଚର ସେଣ୍ଟର ଓ ମନ୍ଦିର ପାଇଁ ସରୋଜିନ ନଗରର ବିଜନୋରରେ ଥିବା ୫ ଏକର ଜମି ହସ୍ତାନ୍ତର କରାଯିବ। ଏହାପରେ ମନ୍ଦିର ଓ କଲଚର ସେଣ୍ଟର ତିଆରି ପ୍ରକ୍ରିୟା ଆରମ୍ଭ ହେବ। ଲକ୍ଷ୍ନୌରେ ଥିବା ଓଡ଼ିଆ ସମାଜର ମହାସଚିବ ଡା ଡିଆର ସାହୁ କହିଛନ୍ତି, “ଏହି ଘୋଷଣା ପରେ ଓଡ଼ିଆ ସମାଜ ବେଶ ଉତ୍ସାହିତ ରହିଛି। ମନ୍ଦିରଟି ସଂପୂର୍ଣ୍ଣ ଭାବେ ଜଗନ୍ନାଥ ମନ୍ଦିର ଭଳି ତିଆରି ହେବ। ପୁରୀର ଜଗନ୍ନାଥ ମନ୍ଦିର ଶୈଳୀକୁ ଲୋକମାନେ ଲକ୍ଷ୍ନୌରେ ଦେଖିପାରିବେ। ସେହିପରି କଲଚର ସେଣ୍ଟର ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ହସ୍ତକଳା ସମ୍ପର୍କରେ ଲୋକମାନେ ଅଧିକ ଜାଣିପାରିବେ। ଏହି ସ୍ଥାନରେ ନିର୍ମାଣ ହେବାକୁ ଥିବା ସଭାଘରେ ଓଡ଼ିଆ ସମାଜର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।”ମନ୍ଦିର ନିର୍ମାଣ ସଂକ୍ରାନ୍ତ ଜମି ହସ୍ତାନ୍ତର ସମ୍ପର୍କରେ ସ୍ୱତନ୍ତ୍ର ସଚିବ ରଣବିଜୟ ସିଂହ ଲକ୍ଷ୍ନୌ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଅଧିକାରୀ ଗୃହ ଓ ନଗର ଉନ୍ନୟନର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହାପରେ ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଓଡ଼ିଆ ଲୋକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ରହିଛି। ୧୯୯୪ରୁ ଓଡ଼ିଆ ସମାଜ ଲକ୍ଷ୍ନୌରେ ବିଭିନ୍ନ ସାଂସ୍କୃତି ଓ ସାମାଜିକ କାମ କରି ଆସୁଛି। ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟା ସମୟରେ ଓଡ଼ିଆ ସମାଜ ପକ୍ଷରୁ ଲୋକଙ୍କ ସାହାଯ୍ୟ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କାର ସହାୟତା କରାଯାଇଥିଲା।

ବିଜେପିକୁ ଶକ୍ତ ଝଟକା, ଦଳ ଛାଡ଼ି ଟିଏମସିରେ ମିଶିଲେ ଆଉ ଜଣେ ବିଧାୟକ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭାରେ ଜୋରଦାର ଲଢ଼େଇ କରି ୭୭ଟି ଆସନ ଜିତିଥିବା ବିଜେପିକୁ ପୁଣି ଗୋଟିଏ ଝଟକା ଲାଗିଛି। ପୂର୍ବରୁ ବିଧାୟକ ମୁକୁଲ ରୟ ଦଳ ଛାଡ଼ିଥିବା ବେଳେ ଏବେ ବିଧାୟକ ତନ୍ମୟ ଘୋଷ ସମାନ ପଦକ୍ଷେପ ନେଇଛନ୍ତି। ତନ୍ମୟ ଘୋଷ ବିଜେପି ଟିକେଟରୁ ବିଷ୍ଣୁପୁର ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ଆଜି ସେ ଦଳକୁ ଗୁଡବାଏ କହି ଶାସକ ଟିଏମସିରେ ସାମିଲ ହୋଇଛନ୍ତି। ବିଜେପି ପ୍ରତିଶୋଧମୂଳକ ରାଜନୀତି କରୁଥିବାରୁ ବିଧାୟକ ତନ୍ମୟ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିସହ ବେଙ୍ଗଲର କଲ୍ୟାଣ ପାଇଁ ସମସ୍ତେ ଟିଏମସିରେ ମିଶନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ଠିକ୍‌ ପୂର୍ବରୁ ଅର୍ଥାତ ମାର୍ଚ୍ଚ ମାସରେ ତନ୍ମୟ ଘୋଷ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ସେ ବିଜେପିରେ ମିଶିବା ପୂର୍ବରୁ ବାଙ୍କୁରା ଜିଲ୍ଲା ବିଷ୍ଣୁପୁର ସହରର ଟିଏମସି ଯୁବ ସଭାପତି ଓ ଜଣେ କାଉନସିଲର ଭାବେ କାର୍ଯ୍ୟ କରୁଥିଲେ। ବିଜେପିରେ ମିଶିବା ପରେ ତାଙ୍କୁ ଦଳ ନିର୍ବାଚନ ବେଳେ ଟିକେଟ ଦେଇଥିଲା। ସେ ବିଜୟୀ ମଧ୍ୟ ହୋଇଥିଲେ। କିନ୍ତୁ ଏବେ ସେ ବିଜେପିର ଆକ୍ରୋଶ ଓ ପ୍ରତିଶୋଧମୂଳକ ରାଜନୀତିରେ କ୍ଷୁବ୍ଧ ହୋଇ ପୁଣି ଟିଏମସିକୁ ଫେରିଛନ୍ତି। ଶ୍ରୀ ଘୋଷଙ୍କୁ ଦଳକୁ ସ୍ୱାଗତ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ବାର୍ତ୍ୟା ବାସୁ କହିଛନ୍ତି, ବିଜେପି ନିର୍ବାଚନ ପରେ ଟିଏମସି ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି। ଆମେ ବିଜେପି ସହ ରାଜନୀତିକ ଲଢ଼େଇ ଜାରି ରଖିବୁ। ଆଗକୁ ଅନେକ ବିଜେପି ନେତା ଟିଏମସିରେ ମିଶିବେ। ଆମେ ସମସ୍ତଙ୍କୁ ଟିଏମସିରେ ମିଶିବାକୁ ଆହ୍ୱାନ କରୁଛୁ। କିନ୍ତୁ ଦଳରେ କାହାକୁ ସୁଯୋଗ ମିଳିବ, ସେକଥା ଟିଏମସିର ନେତୃବୃନ୍ଦ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏଥିସହ ତ୍ରିପୁରାର ଅନେକ ବିଜେପି ବିଧାୟକ ଟିଏମସିର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ବାସୁ ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର ୨୯୨ଟି ଆସନରୁ ବିଜେପି ୭୭ଟିରେ ଜିତିଥିବା ବେଳେ ଟିଏମସି ୨୧୩ଟି ଆସନ ଜିତିଛି। ସେହିପରି ଆଇଏସ୍‌ଏଫ ଓ ଜିଜେଏମ ଗୋଟିଏ ଲେଖାଏ ଆସନ ଜିତିଛନ୍ତି।

ପଙ୍କରୁ ପଦ୍ମ ଫୁଟିଲା ଭଳି ଚହଟୁଛନ୍ତି ଆଦିବାସୀ ଯୁବକ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରି ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ପଙ୍କରୁ ପଦ୍ମ ଫୁଟିଲା ଭଳି ଦୁର୍ଗମ ଅଞ୍ଚଳରେ ଚହଟୁଛି ଆଦିବାସୀ ଯୁବକ ରବି ଶଙ୍କର ମାଝିଙ୍କ ଓଡ଼ିଶୀ ନୃତ୍ୟ କଳାର ପ୍ରତିଭା। ଗାଁଠୁ ସହର ସବୁଠି ସେ ଚର୍ଚ୍ଚାରେ ରହିଛନ୍ତି। ଗରିବ ପରିବାରର ହୋଇଥିଲେ ମଧ୍ୟ ପିଲାଟି ଦିନରୁ ପାଠ ପଢା ସହ ନୃତ୍ୟ ପ୍ରତି ରୁଚି ରଖିଥିବା ରବିଶଙ୍କର ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପ୍ରତିଭା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ଗାଁର ରବି ଶଙ୍କର ମାଝି। ବାପା ସତ୍ୟନାରାୟଣ ମାଝି ଚାଲିଯିବା ପରେ ନିଜ ମାଆ, ଦୁଇ ଭାଇ ଓ ତିନି ଭଉଣୀଙ୍କ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ରବି ଶଙ୍କର। ପିଲାଟି ଦିନରୁ ପାଠ ପଢା ସହ ନୃତ୍ୟ ପ୍ରତି ରୁଚି ରଖିଥିବାରୁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରୁଥିଲେ। ୨୦୦୭  ମସିହାରେ ମୋହନା ସ୍ଥିତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରୁ ରବି ଶଙ୍କର ମାଟ୍ରିକ ପାସ୍‌ କରିଥିଲେ। ପରେ ବ୍ରହ୍ମପୁରରେ ଉଚ୍ଚ ଶିକ୍ଷା ଲାଭ କରିବା ସହ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ ପାଇଁ ଅଙ୍ଗହାର ନୃତ୍ୟାୟନରେ ଯୋଗଦେଲେ। ଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କଠାରୁ ଶିକ୍ଷା ଗ୍ରହଣ କଲେ। ସେଠାରୁ ଦୁଇ ବର୍ଷ ନୃତ୍ୟା ଶିକ୍ଷା ଗ୍ରହଣ କରିବା ପରେ ୨୦୧୨ ମସିହାରେ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ନୃତ୍ୟାୟନ ଅନୁଷ୍ଠାନରେ ଯୋଗଦେଇ ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କଲେ। ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଲାଭ କରିବା ପରେ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ରବିଶଙ୍କର ବେଶ ସୁନାମ ଅର୍ଜନ କରିଛନ୍ତି। ଏବେ ରବି ଶଙ୍କର ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଏକ ସରକାରୀ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜ ଉଦ୍ୟମରେ ଯୁବକ ଓ ଯୁବତୀମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି। ଯେତେବେଳେ ସେ ଘରକୁ ଆସନ୍ତି, ଘର କାମରେ ନିଜକୁ ନିୟୋଜିତ କରାନ୍ତି। ଜଣେ ଗରୀବ ପଛୁଆ ଆଦିବାସୀ ପରିବାରର ହୋଇ ଆଜି ସେ ନିଜର କଳା ପାଇଁ ସାରା ଦୁନିଆରେ ବେଶ ପରିଚିତ ହୋଇ ପାରିଛନ୍ତି।  ଓଡ଼ିଶୀ ନୃତ୍ୟଶିଳ୍ପୀ ରବିଶଙ୍କର ବିଭିନ୍ନ ଅନୁଷ୍ଠାନଠାରୁ ପୁରସ୍କୃତ ହୋଇଛନ୍ତି। ଏଥିସହ ସରକାରଙ୍କ ଭାରତୀୟ ସାଂସ୍କୃତି ମନ୍ତ୍ରଣାଳାୟ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ଜାତୀୟ ମେଧା ବୃତ୍ତି ପାଇଛନ୍ତି। ସେହିପରି ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ହୋଇପାରିଛନ୍ତି। ରବି ଶଙ୍କରଙ୍କ ଓଡ଼ିଶୀ ନୃତ୍ୟ ଏବେ ଦୁର୍ଗମ ଅଂଚଳର ଯୁବ ଗୋଷ୍ଠୀ ପାଇଁ ପ୍ରେରଣା ଦାୟକ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଲ୍ଲିକ କହିଛନ୍ତି।

 

ବିଜେପିର ହିନ୍ଦୁତ୍ୱକୁ ଚେକ୍‌ ଦେବାକୁ ଆପ୍‌ର ବ୍ଲୁ ପ୍ରିଣ୍ଟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ର ଫୋକସରେ ରହିଛି। ଏଠାରେ ସବୁ ରାଜନୀତିକ ଦଳକୁ ମାତ୍‌ ଦେବା ପାଇଁ ଆପ୍‌ ତା’ର କାର୍ଯ୍ୟକଳାପ ଜାରି ରଖିଛି। ପଞ୍ଜାବରେ ଆପ୍‌ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ କଂଗ୍ରେସକୁ ହଟାଇ କ୍ଷମତା ଦଖଲ କରିବା ମୁଡ୍‌ରେ ରହିଛି। କିନ୍ତୁ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ହିନ୍ଦୁତ୍ୱ କାର୍ଡ ଖେଳିବାକୁ ଯୋଜନା କରିଛି। ବିଜେପି ଏହି ଦୁଇ ରାଜ୍ୟ ସମେତ ସମଗ୍ର ଦେଶରେ ହିନ୍ଦୁତ୍ୱ ରାଜନୀତି କରୁଛି। ବିଜେପିର ହିନ୍ଦୁତ୍ୱକୁ ଚେକ୍‌ ଦେବାକୁ ଆପ୍‌ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଦଳ ଏଥିରେ କେତେ ସଫଳ ହେବ, ସେକଥା କେହି ଜାଣିନାହାନ୍ତି। କିନ୍ତୁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ତା’ର ହିନ୍ଦୁତ୍ୱ ରାଜନୀତି ଆରମ୍ଭ କରିଛି।

ଉତ୍ତର ପ୍ରଦେଶ

ଗତବର୍ଷ ଡିସେମ୍ବରରେ ଆପ୍‌ ଉତ୍ତର ପ୍ରଦେଶ ବିଧାନସଭାରେ ନିର୍ବାଚନରେ ଲଢ଼ିବ ବୋଲି ଘୋଷଣା କରିଥିଲା। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବାରମ୍ବାର ଉତ୍ତର ପ୍ରଦେଶ ଯାଇ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଉତ୍ତର ପ୍ରଦେଶରେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଆପ୍‌ ପକ୍ଷରୁ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯିବ। ଏହି ତ୍ରିରଙ୍ଗା ଯାତ୍ରା ଅଯୋଧ୍ୟାର ରାମ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।ବିଜେପି ଏଠାରେ ସମାନ ନୀତି ଗ୍ରହଣ କରିଥିବା ବେଳେ ଏହାକୁ ଚେକ୍‌ ଦେବାକୁ ଆପ୍‌ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ପୂର୍ବରୁ ବିଜେପି ଏଠାରେ ତ୍ରିରଙ୍ଗା ଯାତ୍ରା କରି ଗଣମାଧ୍ୟମରେ ଶୀର୍ଷକ ସ୍ଥାନ ଅଳଂକୃତ କରିଥିଲା। ଏବେ ଅରିବନ୍ଦ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆ ଓ ସାଂସଦ ସଞ୍ଜୟ ସିଂହ ସେପ୍ଟେମ୍ବର ୧୪ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରାର ନେତୃତ୍ୱ ନେବେ। ଉଭୟଙ୍କ ତ୍ରିରଙ୍ଗା ଯାତ୍ରା ରାମ ଲାଲା ଓ ହନୁମାନଗଡ଼ିରେ ରହିବ। ଭାରତର ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ଆପ୍ ଏପରି ତ୍ରିରଙ୍ଗା ଯାତ୍ରା କରୁଥିବା କହିଛି। ୨୦୨୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଘଟଣାକୁ ପ୍ରଚାର ପ୍ରସାର କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଲାଗିଛି। କାରଣ ଦଳ ନିଜର ନିର୍ବାଚନ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିନ୍ଦୀ ଦିବସ ସେପ୍ଟେମ୍ବର ୧୪ରେ ପଡ଼ୁଥିବା ବେଳେ ସେହିଦିନ ଆପ୍‌ ତ୍ରିରଙ୍ଗା ଯାତ୍ରା ଆୟୋଜନ କରୁଛି। ଅଯୋଧ୍ୟାରେ ବିଶାଳ ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଆପ ଏହାର ଝଲକ ରବିବାର ଆଗ୍ରାରେ ଦେଖାଇଛି। ଆଗ୍ରାରେ ଦଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା। ସେପ୍ଟେମ୍ବର ୧ରେ ମଧ୍ୟ ଆପ୍‌ ନୋଏଡାରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଖାଲି ଏତିକି ନୁହେଁ, ଆପ୍ ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ୪୦୩ ନିର୍ବାଚନମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା କରିବ ବୋଲି କୁହାଯାଉଛି।

ଉତ୍ତରାଖଣ୍ଡ

ଏହି ଛୋଟିଆ ରାଜ୍ୟ ମଧ୍ୟ ଆପ୍‌ର ଫୋକସରେ ରହିଛି। ଦିଲ୍ଲୀରେ କ୍ରମାଗତ କ୍ଷମତା ଦଖଲ କରିବା ଓ ପଞ୍ଜାବରେ ଦ୍ୱିତୀୟ ବୃହତ୍ତର ଦଳର ମାନ୍ୟତା ପାଇବାକୁ ଆୟୁଧ କରି ଆପ୍ ଉତ୍ତରାଖଣ୍ଡରେ ନିଜର ଦବଦବା ଦେଖାଇବାକୁ ଲକ୍ଷ୍ୟ ରଖିଛି। ଏବେଠାରୁ ହିଁ ଦଳ ଉତ୍ତରାଖଣ୍ଡରେ କ୍ଷମତାକୁ ଆସିଲେ ରାଜ୍ୟକୁ ହିନ୍ଦୁମାନଙ୍କ ଆଧ୍ୟାତ୍ମିକ ରାଜଧାନୀ ଭାବେ ଗଢ଼ି ତୋଳିବ ବୋଲିତ ଘୋଷଣା କରି ସାରିଛି। ଦଳ ପକ୍ଷରୁ ଅବସରପ୍ରାପ୍ତ ଆର୍ମି ଅଫିସର କର୍ଣ୍ଣେଲ ଅଜୟ କୋଠିୟାଲଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଦିଲ୍ଲୀରେ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନରେ ସଫଳତା ପାଇଥିଲା। ହେଲେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିବାରୁ କ୍ଷମତା ଦଖଲ କରିବାକୁ ଅସମର୍ଥ ହୋଇଥିଲା। ଏହି କାରଣରୁ ଉତ୍ତରାଖଣ୍ଡରେ ଆଗୁଆ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ନିଜକୁ ହନୁମାନଙ୍କ ପରମ ଭକ୍ତ ବୋଲି କହିଥିଲେ। ଏଥିସହ ସେ ବିଭିନ୍ନ ହନୁମାନ ମନ୍ଦିରକୁ ଯାଇ ହିନ୍ଦୁତ୍ୱ କାର୍ଡ ଖେଳିଥିଲେ। ଏଥିସହ ଆପ୍‌ ଦେଶଭକ୍ତିକୁ ମଧ୍ୟ ନିଜ ପ୍ରଚାରର ଅଂଶ ବିଶେଷ କରିଛି।

ଲୋକାର୍ପଣ ସମାରୋହରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସଭା ଅଧାରୁ ମଞ୍ଚ ଛାଡ଼ି ଚାଲିଗଲେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟା ଶଙ୍କର ମିଶ୍ର। ଏହା ଅନ୍ୟ ଅତିଥିଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ସମୟର ଠେଲାପେଲା ଓ ହୋ-ହଲ୍ଲା ପରେ ହସ୍ତକ୍ଷେପ କରିଥିଲେ ପୁଲିସ ଏବଂ ମଞ୍ଚରେ ବସିଥିବା ରାଜନେତା। ବୁଝାସୁଝା ପରେ ପରିବେଶ ଶାନ୍ତ ପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ମାନହୋରପୁର ଓପିସିଏଲ କୋଇଲା ଖଣିରୁ ଆଜିଠାରୁ ଓପିଜିସି ଇବ୍‌ ତାପଜ ବିଦ୍ୟୁତ କେନ୍ଦ୍ରକୁ ରେଳପଥ ଯୋଗେ କୋଇଲା ପରିବହନର ଲୋକାର୍ପଣ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ କୁସୁମ ଟେଟେ ଓ ଭବାନୀ ଶଙ୍କର ଭୋଇ ଯୋଗଦେଇଥିଲେ।

ଉଦ୍‌ଘାଟନ ସମାରୋହ ସରିଲା ପରେ ଭାଷଣ ଚାଲିଥିବା ସମୟରେ ମନ୍ତ୍ରୀ ମଞ୍ଚରୁ ଉଠି ପଳାଇ ଯାଇଥିଲେ। ଯାହା ମଞ୍ଚରେ ଥିବା ଅନ୍ୟ ଅତିଥିଙ୍କୁ ଅପମାନିକ କଲା ପରି ଲାଗିଥିଲା। ମନ୍ତ୍ରୀଙ୍କ ଏପରି ଆଚରଣରେ ଉତ୍‌କ୍ଷିପ୍ତ ହୋଇ ମଞ୍ଚ ତଳେ ବସିଥିବା ବିଜେପି ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏପରିକି ମନ୍ତ୍ରୀ ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ବିଜେପି କର୍ମୀଙ୍କ ନାରାବାଜିକୁ ବିରୋଧ କରିଥିଲେ ବିଜେଡି ଗୋଷ୍ଠୀ। ଫଳରେ ଉଭୟ ପକ୍ଷ ମଧ୍ୟରେ ହୋ-ହଲ୍ଲା ଓ ଠେଲାପେଲା ହୋଇଥିଲା। କିଛି ସମୟ ଉତ୍ତେଜନା ପରେ ପୁଲିସ ଓ ନେତାଙ୍କ ହସ୍ତକ୍ଷେପ ଯୋଗୁ ପରିବେଶ ଶାନ୍ତ ପଡ଼ିଥିଲା। ମାତ୍ର ଏନେଇ ଉଭୟ ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ମୁଡ୍ ବଦଳିବା ସହିତ ତାରାଙ୍କ ମନ୍ତବ୍ୟ ବଦଳିଲା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କିଛି ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା। ସେ କହିଛନ୍ତି, ରାଗ କ’ଣ ସବୁ ବେଳେ ରହେ। ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି। ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି। ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ। ଶ୍ରୀ ବାହିନୀପତି କହିଛନ୍ତି, ଗତକାଲି ଆମର (କଂଗ୍ରେସର) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି। ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍‌ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି। ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକ୍ଫୁଟ୍ରେ ଅଛି। କରୋପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’ ଏହା ସହିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ କୋରାପୁଟ ସପ୍ତଗିରି ଉଲ୍ଲାକଙ୍କ ସହିତ ଆଜି ଆଲୋଚନା କରିବେ ବୋଲି ତାରା କହିଛନ୍ତି। ସେହିଭଳି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସଂପର୍କରେ କିଛି ପତ୍ରପତ୍ରିକାରେ ବାହାରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନରସିଂହ ମିଶ୍ର ବିଜେଡି ସହିତ ସାଲିସ କରିଛନ୍ତି ବୋଲି ମୁଁ କହିଥିବା ନେଇ କିଛି ପତ୍ରପତ୍ରିକାରେ ବାହାରିଥିଲା। କିନ୍ତୁ ମୁଁ ଏମିତି କେବେ ବି କହିନି। ସେ ମୋ ପାଇଁ ଭଗବାନ ଭଳି। ସେ ଜଣେ ସ୍ୱାଭିମାନୀ ଲୋକ। ସେ କାହା ସହ ସଲାସୁତରା କରନ୍ତିନି। ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ। ସେଥିପାଇଁ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହୀନିପତି। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ତାରା ମଧ୍ୟ ପିସିସି ସଭାପତିଙ୍କୁ କଡ଼ା ସମାଲୋଚନା କରିଥିଲେ।

୭୦ ବର୍ଷରେ ସୃଷ୍ଟି ଦେଶର ସଂପତି ଶାଗମାଛ ଦରରେ ବିକିଲେ ମୋଦି, ଶ୍ୱେତପତ୍ର ଦାବି କଲା କଂଗ୍ରେସ;ଆସେଟ୍ ମନିଟାଇଜେସନ ପଲିସି ନାମରେ ଦେଶର ସଂପତି ବିକ୍ରୀ ସର୍ବାଦୌ ନିନ୍ଦନୀୟ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୋଦି ସରକାରଙ୍କର ମିଛ ବିକ୍ରୀ ପରେ ଏବେ ଦେଶର ସଂପତି ବିକ୍ରୀ ପର୍ବ ଆରମ୍ଭ ହେଲା । ଦେଶର ବିକାଶ ନାଁରେ ଗୁଡ଼ାଏ ମିଛ କହି ବିଗତ ୭ବର୍ଷ ଭିତରେ କେବଳ ବିନାସର ପ୍ରକ୍ରିୟା ସୃଷ୍ଟି ହୋଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ମୁଖପାତ୍ର ରଜନୀ ମହାନ୍ତି ଓ ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କ ଆସେଟ ମନିଟାଇଜେସନ ପାଇପଲାଇନ ନାମରେ ରାଷ୍ଟ୍ରୀୟ ସଂପତି ବିକ୍ରୀକୁ କଡା ନିନ୍ଦା ଓ ସମାଲୋଚନା କରିଥିଲେ । ଏହି ଦୀର୍ଘ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସୃଷ୍ଟି କରିଥିବା ସଂପତି ବିକ୍ରୀ ପାଇଁ ମୋଦି ସରକାର ଆସେଟ ମନିଟାଇଜେସନ ପାଇପଲାଇନ ଘୋଷଣା ନିଷ୍ପତି କରିଛନ୍ତି । ଏଥିରେ ସମୁଦ୍ର ପଥ, ବନ୍ଦର, ବିମାନ ବନ୍ଦର, ଜାତୀୟ ରାଜପଥ, ବିଦ୍ୟୁତ ସରବରାହ ବ୍ୟବସ୍ଥା, ପାନ୍ଥିକା, ପାନ୍ଥନିବାସ ଓ ଅନେକ ସରକାରୀ ଉଦ୍ୟୋଗ ଓ ମୂଲ୍ୟବାନ ଜମି ରହିଛି । ଓଡ଼ିଶାର ଗର୍ବ ଓ ଗୌରବ ତଥା ଓଡ଼ିଶାର ଅବଦାନରେ ତିଆରି ପାରଦ୍ୱିପ ବନ୍ଦର, ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦର ଏବଂ ଅନେକ ପର୍ଯ୍ୟଟନସ୍ଥଳୀ ଏହି ସଂପତି ବିକ୍ରୀ ପ୍ରକ୍ରିୟାର ଅନ୍ତର୍ଭୁକ୍ତ । ଏ ବାବଦରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କା ଆସନ୍ତା ୪ ବର୍ଷରେ ପାଇବା ପାଇଁ ଲକ୍ଷ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ବର୍ଷକୁ ମୋଦି ସରକାର ମାତ୍ର ଦେଢ଼ ଲକ୍ଷ କୋଟି ଟଙ୍କା ପାଇଁ ଭାରତୀୟ ରେଳପଥର ୪୦୦ ଷ୍ଟେସନ, ୯୦ ଯାତ୍ରୀବାହୀ ଟ୍ରେନ, ୧୫ଟି ରେଳ ଷ୍ଟାଡିୟମ, ୭୪୧ କି.ମି. କୋଙ୍କଣ ରେଲୱେ, ୧୪୦୦ କି.ମି. ରେଳ ଟ୍ରାକ, ୨୬୭୦୦ ଜାତୀୟ ରାଜମାର୍ଗ (ସଡ଼କପଥ), ୨୫ଟି ବିମାନ ବନ୍ଦର ଏବଂ ତତ୍‌ସଂଲଗ୍ନ ସଂପତି, ବିଦ୍ୟୁତ ବିତରଣ ପାଇଁ ଥିବା ୨୮୬୦୦ ସର୍କିଟ କି.ମି., ୪୦୦ କେଭି ଏବଂ ତାଠାରୁ ଅଧିକ କ୍ଷମତା ଥିବା ପାୱାର ଗ୍ରୀଡ଼, ୧୬୦ଟି କୋଇଲା ଖଣି, ବିଏସଏନଏଲ ଏବଂ ବିବିଏନଏଲ ର ୨ଲକ୍ଷ ୮୬ ହଜାର କିଲୋମିଟର ଅପ୍ଟିକାଲ ଫାଇବର ଏବଂ ଗ୍ରମାଂଚଳ ପାଇଁ ଉର୍ଦ୍ଦିଷ୍ଟ ଥିବା ଭାରତ ନେଟୱାର୍କର ବ୍ରଡବ୍ୟାଣ୍ଡ ସେବା ଓ ତା ସହିତ ହଜାର ହଜାର ମୋବାଇଲ ଟାୱାର ଏବଂ ଦେଶର ସମସ୍ତ ବଡ଼ ବଡ଼ ବନ୍ଦର, ପଣ୍ୟାଗାର ଇତ୍ୟାଦି ବହୁମୂଲ୍ୟ ସଂପତିକୁ ବିକ୍ରୀ କରିବାକୁ ବସିଛନ୍ତି ।

ଯେତେବେଳେକି ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରୀ ମାସକୁ ଜିଏଷ୍ଟି ବାବଦରେ ୧ଲକ୍ଷ କୋଟି ଟଙ୍କା ଆଦାୟ ହେଉଥିବାର ଦାବି କରନ୍ତି ସେ ସମୟରେ ମାତ୍ର ଦେଢ଼ ମାସର ଜିଏଷ୍ଟି ଆଦାୟ ସହିତ ବର୍ଷକରୁ ସଂପତି ବିକ୍ରୀ ବାବଦରେ ଆସିବାକୁ ଥିବା ଟଙ୍କା ସମାନ ଅଟେ । ତେଣୁ ମୋଦି ସରକାରଙ୍କ ଏ ସଂପତି ବିକ୍ରୀ ନିଷ୍ପତିକୁ କଂଗ୍ରେସ ଦଳ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ଏ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରାଯାଉଛି । ଏହାପୂର୍ବରୁ କଂଗ୍ରେସ ସରକାର ସମୟରେ ଯେଉଁ “ପ୍ରାଇଭେଟାଇଜେସନ” ବା ଘରୋଇକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା ତାହା ଥିଲା ଆର୍ଥିକ ଅବସ୍ଥାକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ବି.ତ୍ତ୍ୱଓ.ଟି (ବିଲ୍ଟ୍‌, ଅପରେଟ, ଟ୍ରାନସଫର) / ବି.ଓ.ଓ. (ବିଲ୍ଟ୍‌, ଅପରେଟ, ଓନ୍‌) ପ୍ରଚଳନ ଥିଲା । ଅର୍ଥାତ ସଂପତି ଦେଶ ତଥା ସରକାରଙ୍କର ପୂର୍ଣ୍ଣ ଅଧିକାରରେ ରହିବ ଏବଂ ତାସହିତ ପୁଞ୍ଜି ଲଗାଣରେ କିଛି ସେବା ବ୍ୟବସ୍ଥା (ସର୍ଭିସ ସେକ୍ଟର) ବଢ଼ାଇବା ପାଇଁ ବାହାର ପୁଂଜିର ସାହାଯ୍ୟ ନିଆ ଯାଇଥିଲା । ଯେପରି ପାରଦ୍ୱୀପ ବନ୍ଦରରେ କ୍ୟାପ୍ଟିଭ ବର୍ଥ ସାରକାରଖାନା ପି.ପି.ଏଲ, ଓସ୍‌ୱାଲ ତିଆରି କରିବାକୁ ଅନୁମତି ପ୍ରାପ୍ତ ହୋଇଥିଲେ । ଅଧିକନ୍ତୁ ତୈଳ ବିଶୋଧନାଗାର ମଧ୍ୟ ଅଏଲ ଜେଟି ତିଆରି କଲା । ତେବେ ଏ ସବୁର ଆୟ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ହାତରେ ରହି ଆସିଛି । ଏବେ ଯେଉଁ ଯୋଜନା ମୋଦି ସରକାର କଲେ ତାହା ପୁରାପୁରି ଲୋକଙ୍କ ଅର୍ଥରେ ନିର୍ମିତ ସଂପତିକୁ ବେପାରୀଙ୍କ ହାତକୁ ଟେକ ଦେବାର ପୂର୍ଣ୍ଣ ମସୁଧା । ମୋଦି ସରକାର ୨୦୧୬ ମସିହାରେ ନୋଟବନ୍ଦି ନାମରେ ସୃଷ୍ଟି କରିଥିବା ଅର୍ଥନୈତିକ ମାନ୍ଦାବସ୍ତାରୁ ମୁକୁଳିବାର କୌଣସି ଉପାୟ କଲେ ନାହିଁ । ଉପରମୁହାଁ ହୋଇଥିବା ଅଭିବୃଦ୍ଧି ହାର ୨୦୧୬ରୁ ତ୍ରୈମାସିକ ଓ ବାର୍ଷିକ ହାରରେ କମିବାରେ ଲାଗିଛି । ମୋଦି ସରକାରଙ୍କ ଅପରିଣାମଦର୍ଶୀତା ପାଇଁ ବିମୁଦ୍ରାୟନ ପରଠାରୁ ବିପର୍ଯ୍ୟୟ ଆରମ୍ଭ ହେଲା । ସଂପତି ବିକ୍ରୀ ପ୍ରକ୍ରିୟା ମାନସିକ ବିକୃତି, ଦେବାଳିଆ ପଣ ଓ ହତାଶାର ସଂକେତ । ଏହା ଆଦୌ ସୁସ୍ଥ ଅର୍ଥନୈତିକ ନିଷ୍ପତି ନୁହେଁ । ପ୍ରଥମେ Under Utlised Assets ବା ଅବ୍ୟବହୃତ ସଂପତି କଥା କହି ଦେଶର ସମସ୍ତ Well Utilised ବା ମୂଲ୍ୟବାନ ସଂପତି ବିକ୍ରୀ ହେବାର ବ୍ୟବସ୍ଥା କରାଯାଇଛି । Creating Infrastrcuture Investment Trust (INVIT) ନାମରେ ଗୁଡ଼ିଏ ଅର୍ଥ ଅବ୍ୟବହୃତ ଅବସ୍ଥାରେ ଅଛି । ଦେଶର ବୈଦେଶିକ ମୁୂଦ୍ରା, ପେନସନ ଫଣ୍ଡ, କେନ୍ଦ୍ରସରକାର ପରିଚାଳିିତ ବୀମା ଫଣ୍ଡ, ରଜିର୍ଭ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କରେ ଅବ୍ୟବୃତ ପାଣ୍ଠି ରହିଛି । ସବୁଠାରୁ ବଡ଼ କଥା ହେଉଛି ଦେଶର ଏ ସଂପତି ଲୋକଙ୍କ ଠାରୁ ଆଦାୟ ପ୍ରଭୃତ ଅର୍ଥ- କର (ଟ୍ୟାକ୍ସ / ସେସ୍‌) ରେ ତିଆରି ହୋଇଚାଲିଥିଲା । ପେଟ୍ରୋଲ ଡିଜେଲ ଉପରୁ ବାର୍ଷିକ ରୋଡ ସେସ୍ ବାବଦରେ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ଆଦାୟ ହେଉଛି । ରାଷ୍ଟ୍ରୀୟ ସଂପତି ସୃଷ୍ଟି ସର୍ବଦା ଗ୍ରହଣୀୟ କିନ୍ତୁ ରାଷ୍ଟ୍ରୀୟ ସଂପତି ବିକ୍ରୀ ସବୁବେଳେ ବର୍ଜନୀୟ । ସମଗ୍ର ଦେଶର ବହୁ ମୂଲ୍ୟ ସଂପତିକୁ ଶାଗମାଛ ମୂଲରେ ବିକିବା ପାଇଁ ମୋଦି ସରକାରଙ୍କ ନିଷ୍ପତି ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ସାବ୍ୟସ୍ଥ କରୁଛି । କଂଗ୍ରେସର ଦାବି- କେନ୍ଦ୍ର ସରକାର ନେଇଥିବା ସମସ୍ତ ସଂପତି ବିକ୍ରୀ ତାଲିକା ଓ ଏ ସଂପର୍କରେ ରାଜ୍ୟ ମାନଙ୍କ ସହିତ କରିଥିବା ଆଲୋଚନାକୁ ଶ୍ୱେତପତ୍ର ମାଧ୍ୟମରେ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ।

ଜୈବିକ ଚାଷ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ …!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପଦ୍ମପୁର)-ବିଭିନ୍ନ ରାସାୟନିକ ସାର ଚାଷ କୁ ଦ୍ୱିଗୁଣିତ କରିବା ପାଇଁ ଚାଷୀ ଙ୍କୁ ପ୍ରବର୍ତ୍ତାଇବା ଫଳରେ ଚାଷଜମି ଧିରେଧିରେ ନଷ୍ଟ ହେବାରେ ଲାଗିଛି lଏପରିକି ରାସାୟନିକ ସାର ବ୍ୟବହାର ଦ୍ୱାରା ଉପୁଜୁଥିବା ଶସ୍ୟ, ପନିପରିବା ଖାଇବା ଫଳରେ ଲୋକେ ଏସିଡିଟି ଠୁ ଆରମ୍ଭ କରି ଅଚିହ୍ନା ରୋଗ ର ଶିକାର ହେବାକୁ ଲାଗିଛନ୍ତି lଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ସ୍ଥିତ ଅହିଂସା କ୍ଳବ ର ଆନୁକୂଲ୍ୟରେ ଭୂବନେଶ୍ୱରପୁର ଗ୍ରାମଠାରେ ଜଳବାୟୁ ପରିବର୍ତ୍ତିତ କୃଷି ଭିତ୍ତିକ ସମ୍ମାନିତ ଜଳସେଚନ ପ୍ରକଳ୍ପ(Oiipcra) ଯୋଜନା ରେ ଜଡିତ ଥିବା ଚାଷୀ ଭାଇମାନଙ୍କୁ ପାରମ୍ପରିକ ପଦ୍ଧତି ଅନୁସରଣ କରି କିଭଳି ଭାବେ ଚାଷକାର୍ଯ୍ୟ ର ଅଗ୍ରଗତି କରିବେ ତାଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ତାଲିମ ଶିବିର ରେ ଅହିଂସା କ୍ଳବ ର ପବିତ୍ର ଭୋଇ ଏବଂ ବିଦ୍ୟା ଚରଣ ପିଞ୍ଜରା ଚାଷୀ ଭାଇମାନେ କିପରି କମଖର୍ଚ୍ଚରେ ବିଷମୁକ୍ତ ଭାବେ ଚାଷ କରି କମଖର୍ଚ୍ଚରେ ଅଧିକରୁ ଅଧିକତର ଲାଭ ପାଇପାରିବେ ଓ ନିଜେ କିଭଳି ଭାବେ ନିଜ ଗାଁ ରେ ଉପଲବ୍ଧ ସାମଗ୍ରୀ କୁ ନେଇ ଜୈବିକ ଉପାୟରେ ଯଥା-ଯିବାମୃତ,ହାଣ୍ଡିଖତ,ଭେରୁଅର୍କ,ବ୍ରହ୍ମାସ୍ୱ ପଦ୍ଧତି ରେ ଅବଲମ୍ବନ କରି ତିଆରି କରିପାରିବେ ସେ ବିଷୟରେ ତାଲିମ ଦିଆଯାଇଥିଲା l

ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ପାଣି ସମସ୍ୟା କୁ ନେଇ ତାତିଲେ ଗ୍ରାମବାସୀ l ହାଣ୍ଡି ମାଠିଆ ରଖି ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି .ଢ଼ଉଗାଁ ଗ୍ରାମରେ ବହୁଦିନ ରୁ ଲାଗିରହିଥିବା ପାଣି ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମର ମହିଳା ମାନେ ଢ଼ଉଗାଁ ଛକ ଠାରେ ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ରାସ୍ତା ଅବରୋଧ କହିଛନ୍ତି l ଯାହାରୀ ଫଳରେ ଆସିକା ଠାରୁ ସୋରଡ଼ା, ଦିଗପହଣ୍ଡି, ଶେରଗଡ଼ କୁ ଯାତାୟତ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥବା ଦେଖିବାକୁ ମିଳିଛି l ଅନ୍ୟପଟେ ଧରାକୋଟ ତହସିଲଦାର ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମବାସୀ ଙ୍କୁ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା l

୩୦ ଅଗଷ୍ଟ, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଦୂରଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ସୁଖସମୃଦ୍ଧି ବୃଦ୍ଧି ହେବ। ସମସ୍ତ ଆଶା ପୂରଣ ହେବ।

ମିଥୁନ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ ହେବ। ଅଟକି ଥିବା କାର୍ଯ୍ୟକୁ ଆଗେଇ ନେବାକୁ ସମସ୍ତ ପ୍ରକାର ପ୍ରୟାସ କରିବେ। ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ।

କର୍କଟ: ଶୁଭ ଖବର ପାଇ ମନ ଖୁସି ହେବ। କୌଣସି କଥାରେ ଆଶ୍ୱାସନା ପାଇ ମାନସିକ ଶାନ୍ତି ପାଇବେ।

ସିଂହ: ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ନୂଆ ଯୋଜନାରେ ସଫଳ ହେବେ।

କନ୍ୟା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ।

ତୁଳା: ବନ୍ଧୁବାନ୍ଧବ ମାନେ ଆର୍ଥିକ ସହାୟତା କରିବେ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଦୃଷ୍ଟିରେ ରଖି କାମ କଲେ ଭଲ ହେବ।

ବିଚ୍ଛା: ବ୍ୟବସାୟ କ୍ଷେତ୍ରରେ ଯୋଜନା ଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। ଯାନବାହନରେ ତ୍ରୁଟି ଦେଖା ଦେଇପାରେ।

ଧନୁ: ଅର୍ଥଲାଭ ହେବ। ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପଦୋନ୍ନତିର ସୂଚନା ପାଇବେ।

ମକର: ପାରିବାରିକ ଜୀବନ ଭଲ ରହିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ମନ ଭଲ ରହିବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

ମୀନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ଲାଭର ସୁଯୋଗ ପାଇବେ। ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।