ତଦନ୍ତକୁ ପ୍ରଭାବିତ କରି ନିଜ ନାଁ କାଟିଛନ୍ତି ଆଇନମନ୍ତ୍ରୀ, ବହିଷ୍କାର କର – ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ତଦନ୍ତକୁ ପ୍ରଭାବିତ କରିବା ସହ ପଦବୀର ଅପବ୍ୟବହାର କରି ଆଇନମନ୍ତ୍ରୀ ପ୍ରତାପ ଜେନା ଚାର୍ଜସିଟରୁ ନିଜ ନାଁକୁ ବାଦ୍ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଏ ସମସ୍ତ ଘଟଣା ଘଟିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ , ଆଉ ଏ ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆଜି ରାଜ୍ୟବାସୀଙ୍କୁ ଆହ୍ୱାନ କରିଛି। ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁକୁ ପୁଣିଥରେ ଚାର୍ଜସିଟରେ ଯୋଡ଼ିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶାସକ ବିଜେଡିର ଅସଲ ମୁଖା ଖୋଲିବା ସହ ତଦନ୍ତକୁ ପ୍ରଭାବିତ କରିଥିବାକୁ ପ୍ରମାଣିତ ମଧ୍ୟ କରୁଛି। ଡବଲ ମର୍ଡର ଘଟଣାକୁ ଚାପି ଦେଇ ଏହାର ଅନ୍ୟତମ ଅଭିଯୁକ୍ତ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ଏହି ଘଟଣାର ସଠିକ ତଦନ୍ତ ହେବା ଆବଶ୍ୟକ। କିନ୍ତୁ ମାହାଙ୍ଗା ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇ ବାଟବଣା କରିବାର ପ୍ରୟାସ କରାଯାଇଅଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡ଼ି ଅନ୍ୟ ୧୨ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ପଦବୀର ଅପବ୍ୟବହାର କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରି ମନ୍ତ୍ରୀ ପ୍ରତାପ ଜେନା ନିଜ ନାଁ ଚାର୍ଜସିଟରୁ ବାଦ୍ କରାଇଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ।ପୋଲିସ ବହୁ ଚଂଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟ୍‌ରୁ ବାଦ୍ ଦେଇଥିବାବେଳେ ଆଜି ପୁଣି ଥରେ ତାଙ୍କ ନାଁକୁ ଚାର୍ଜସିଟ୍‌ରେ ଯୋଡ଼ିବା ପାଇଁ ସାଲେପୁର ଜେଏମ୍‌ଏଫ୍‌ସିି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର କୋର୍ଟଙ୍କ ଏହି ନିର୍ଦ୍ଦେଶ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି। ତେଣୁ ନୈତିକତା ଦୃଷ୍ଟିରୁ ଶ୍ରୀ ଜେନା ଆଇନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଉପସ୍ଥିତ ଥିଲେ।

ନିର୍ବାଚନୀ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଦୁଇ ନମ୍ବରରେ ରହିଛି ବିଜେଡି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନିର୍ବାଚନୀ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଦୁଇ ନମ୍ବରରେ ରହିଛି ବିଜେଡି ସରକାର। ୨୦୧୮ ଅପେକ୍ଷା ୨୦୧୯ ମସିହାରେ ପ୍ରଚାର ପ୍ରସାରରେ ୨୪୯ ପ୍ରତିଶତ ଅଧିକ ବ୍ୟୟ ହୋଇଥିବା ନେଇ ଏସ୍‌ବିଆଇ ଇକୋରାପ୍‌ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏସ୍‌ବିଆଇ ନିଜ ରିପୋର୍ଟରେ ଦର୍ଶାଇଛି, ୨୦୧୯ ମସିହାରେ ପୂର୍ବ ବର୍ଷ ତୁଳନାରେ ବିଭିନ୍ନ ଯୋଜନାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଲାଗି ବିଜେଡି ସରକାରରେ ବ୍ୟୟ ୨୪୯ ପ୍ରତିଶତ ବଢ଼ିଛି। ତେବେ ଏକ  ନମ୍ବରରେ ରହିଛି ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାର। ପୂର୍ବବର୍ଷ ତୁଳନାରେ ନିର୍ବାଚନ ବର୍ଷରେ କେଜରିୱାଲ ସରକାରଙ୍କ ବିଜ୍ଞାପନ ବାବଦକୁ ୪୯୩  ପ୍ରତିଶତ ବଢ଼ିଛି। ଏହି କାରଣରୁ ସେମାନେ ପୁଣି ବିଜୟୀ ହୋଇଛନ୍ତି ବୋଲି ଏସ୍‌ବିଆଇ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଲୋକଙ୍କ ଅର୍ଥକୁ ଶାସକ ଦଳ ବିଜେଡି ସରକାରୀ ଯୋଜନାର ବାହାନା କରି ଭୋଟ ହାତେଇବା ପାଇଁ ଖର୍ଚ୍ଚ କରୁଛି। ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି।ସେପଟେ ରାଜ୍ୟ ସରକାରଙ୍କ ଗତ ୧୦ ବର୍ଷର ବଜେଟ ତଥ୍ୟ ବିଶ୍ଳେଷଣ କହୁଛି, ସରକାରୀ ବିଜ୍ଞାପନ, ହୋର୍ଡିଂ ବାବଦରେ ୮୮୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ସାଧାରଣ ନିର୍ବାଚନ ଲାଗି ୨୦୧୮-୧୯ ଆର୍ଥିକ ବର୍ଷ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସର୍ବାଧିକ ୨୬୯ କୋଟି ୧୩ ଲକ୍ଷ ଟଙ୍କା। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପରିମାଣ ୭୭ କୋଟି ୫ ଲକ୍ଷ ଟଙ୍କା ଥିଲା ବେଳେ ନିର୍ବାଚନ ପର ବର୍ଷ ଖର୍ଚ୍ଚ ହୋଇଛି ୮୯ କୋଟି ୮୬ ଲକ୍ଷ ଟଙ୍କା। ଏହି ସମାନ ଚିତ୍ର ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବି ଦେଖିବାକୁ ମିଳିଥିଲା। ୨୦୧୬-୧୭ ରେ ରାଜ୍ୟ ସରକାର ପ୍ରଚାର ପ୍ରସାର ଲାଗି ୫୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ। କିନ୍ତୁ ନିର୍ବାଚନ ଲାଗି ସଂଶୋଧିତ ବ୍ୟୟକୁ ୮୧ କୋଟି ୨୦ ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଥିଲେ। ଏନେଇ ଓଡ଼ିଶା ଇଲେକ୍ସନ ୱାଚ ସଂଯୋଜକଙ୍କ ମତ, ଶାସନରେ ଥିବା ଦଳଗୁଡ଼ିକ ଭୋଟର ହାତେଇବାକୁ ସରକାରୀ ପ୍ରଚାର ପ୍ରସାର ବାବଦ ଅର୍ଥକୁ ବ୍ୟବହାର କରିଥାନ୍ତି। କିନ୍ତୁ ନିର୍ବାଚନର ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ଏଭଳି ବ୍ୟୟବରାଦରେ ରୋକ ଲାଗିବା ଆବଶ୍ୟକ ବୋଲି ଓଡ଼ିଶା ଇଲେକ୍ସନ ୱାଚ ସଂଯୋଜକ ରଞ୍ଜନ ମହାନ୍ତି କହିଛନ୍ତି।

୨୭ ଅଗଷ୍ଟ, ଶୁକ୍ରବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରାସ୍ତାଘାଟରେ ସତର୍କତାର ସହ ଯାତାୟତ କରିବା ଉଚିତ।

ବୃଷ: କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ଫଳରେ ନୂତନ ଦ୍ରବ୍ୟ କ୍ରୟ କରିବେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପାଠପଢାରେ ମନଯୋଗ ଦେବେ ।

ମିଥୁନ: ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ମା’ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ସିଂହ:  ଅର୍ଥପ୍ରାପ୍ତିର ସୁଯୋଗ ଆସିବ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ।

କନ୍ୟା: ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ତୁଳା: ଆର୍ଥିକ ସ୍ଥିତି ସୁଧୁରିବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ମନ ଖୁସି ରହିବ ।

ବିଚ୍ଛା: ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି। ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତିର ସମାଧାନ କରି ପ୍ରଶଂସା ପାଇବେ।

ଧନୁ: ଘରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଗୃହୋପକରଣ କ୍ରୟ କରିବା ଯୋଗୁ ବ୍ୟୟ ଅଧିକ ହେବ ।

କୁମ୍ଭ:ସହକର୍ମୀମାନଙ୍କ ସହିତ ବାଦବିବାଦ ମେଣ୍ଟିଯାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାନସମ୍ମାନ ବୃଦ୍ଧି ପାଇବ ।

ମୀନ: ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭବାନ ହେବେ । ନ୍ୟାୟମାର୍ଗରେ କର୍ମ କଲେ ପ୍ରଶଂସିତ ହେବେ । କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରଖିଲେ ବିପଦରେ ପଡିବାର ଆଶଙ୍କା ରହିଛି।