ଆରଟିଆଇ ରିପୋର୍ଟରେ ସାଂଘାତିକ ତଥ୍ୟ ; ବିପଦପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାର …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଛି। ବାହାର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି। ଭିତର ଭଣ୍ଡାର ଅବସ୍ଥା ମଧ୍ୟ ସମାନ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସରକାରୀ ତଥ୍ୟରୁ ଏପରି ଅନେକ କଥା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ଦିନେ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା। ହେଲେ ୨୦୧୮ ମସିହାର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ ଉଲ୍ଲେଖ ନାହିଁ। ଫଳରେ ଚାବି ହଜିଯିବା ଘଟଣାର ସତ୍ୟତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବାକୁ ୨୦୧୮ ମସିହାରେ ଆରଟିଆଇ ଆକ୍ଟରେ ଆବେଦନ ହୋଇଥିଲା । ଏହା ଆଧାରରେ  ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଏପରି ଚାଞ୍ଚଲ୍ୟକର ତଥ୍ୟ।  ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳଙ୍କୁ ମିଳିଥିବା ସୂଚନା ଅନୁସାରେ ଉଭୟ ବାହାର ଭଣ୍ଡାର ଓ ଭିତର ଭଣ୍ଡାର ଅବସ୍ଥା ବିପଦପୂର୍ଣ୍ଣ ରହିଛି। ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବାବେଳେ କାନ୍ଥ ଓଦା ରହିଛି ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୮ ଏପ୍ରିଲ୍ ୪ରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା। ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ। ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା। ସେହିପରି ବାହାର ଭଣ୍ଡାର ଜାଲି ବାଟ ଦେଇ ଭିତର ଭଣ୍ଡାର ଘର କାନ୍ଥ ଓ ଛାତକୁ ମଧ୍ୟ ଲାଇଟ୍ ପକାଇ ପ୍ରାଧିକୃତ ସଦସ୍ୟ ଓ ପ୍ରଶାସକମାନେ ଦେଖିଥିଲେ। ତେବେ କେହି ଜଣେ ବି ଭିତର ଭଣ୍ଡାର ତାଲା ଖୋଲିବାକୁ ଆବଶ୍ୟକ ମନେ କରିନଥିଲେ। ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା। ସେଥିରୁ ଗୋଟିକରେ ଜଉମୁଦ ରହିଥିଲା। ବାହାରୁ ଏକ ଲୁହା ପାଇପ୍ ଆଣି ଜାଲି ବାଟ ଦେଇ ପାଇପ ଭର୍ତ୍ତି କରି ଭିତର ଭଣ୍ଡାରର ଦୈର୍ଘ୍ୟ ଓ ପ୍ରସ୍ଥ ମାପିଥିଲେ। ହେଲେ କେହି ବି ଭିତର ଭଣ୍ଡାର ଖୋଲିବାକୁ ଚାହିଁନଥିଲେ କି ଉଦ୍ୟମ କରିନଥିଲେ।ବଡ଼ କଥା ହେଲା ସେଦିନର ପୂରା ବିବରଣୀରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ  ଉଲ୍ଲେଖ ନଥିଲା। ତେଣୁ ରତ୍ନ ଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରୁ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହାଛଡ଼ା ଭଣ୍ଡାର ଘରର ମରାମତି ଜରୁରୀ ଥିଲେ ବି ସେନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ମଧ୍ୟ ଏହି ତଥ୍ୟରୁ ଜଣାପଡ଼ିଛି। ଆଇନମନ୍ତ୍ରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ପାଇଁ ଯାହା ପଦକ୍ଷେପ ଦରକାର ତାହା ନିଆଯିବ।

କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଯେତେ ଯାହା କଲେ ବି କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର। କେବଳ ସେତିକି ନୁହେଁ ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ବି କାଟୁ କରୁନି। ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ। ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି। ଗଲା ୩ ଦିନ ହେଲା ପାର୍ବତୀପୂରମ ଆଇଟିଡିଏ, ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି, ଗଂଜେଇପଦର ଗାଁକୁ ଯାଇ ଆନ୍ଧ୍ର ଅଧିକାରୀ ଚାରା ବଣ୍ଟନ କରିଛନ୍ତି। ଅପରପକ୍ଷେ ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଈ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ  ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଈଙ୍କୁ ଟିକାକରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୪ ତାରିଖ ଯାଏଁ ଏଭଳି ଚିକିତ୍ସା ସେବା ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି ୪୬ ଜଣ ଚାଷୀ ଏବଂ ଗ୍ରାମବାସୀଙ୍କୁ  ସାଲୁର ମଣ୍ଡଳ ଡାକ୍ତରଙ୍କ ଦ୍ୱାରା ଆନିମଲ୍ ହେଲ୍‌ଥ କାର୍ଡ ଦିଆଯାଇଛି। ଆନ୍ଧ୍ର ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ କୋରାପୁଟ ବିକାଶ ପରିଷଦ ଓ ଆମ କୋଟିଆ ସଂଗଠନ ବିରୋଧ କରିଛି। ଏଥିସହ କୋରାପୁଟ ପୁଲିସ ଓ ପ୍ରଶାସନ ଦୃଡ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ସେପଟେ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ସିପିଏମ୍ ନେତା,  ଆଦିବାସୀ ସମ୍ପ୍ରଦାୟର ନେତା ଏ. କୋଟାୟା କୋଟିଆ ପଂଚାୟତର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି। କୋଟିଆ ଅଂଚଳର ସାମଗ୍ରିକ ବିକାଶ ଲାଗି ସେ ନିଜର ମତ ରଖିଥିଲେ। ଅନ୍ୟପଟେ ସାଲୁର ବିଧାୟକ ରାଜନ ଦୋରା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କୋଟିଆ ସମ୍ପର୍କରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଉଦ୍ୟମ କରୁଥିବା ସେ ସୂଚନା ଦେଇଛନ୍ତି।

‘ପୌର ନିର୍ବାଚନ: ୪ ସପ୍ତାହ ମଧ୍ୟରେ ଜବାବ ଦିଅ’

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପୌର ନିର୍ବାନକୁ ନେଇ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂବରୁ ଭୁବନେଶ୍ୱର, ପୁରୀ ଓ କଟକରେ ପୌର ନିର୍ବାଚନ ପାଇଁ ତିନୋଟି ପୃଥକ ପୃଥକ ମାମଲା ହୋଇଥିଲା। କଟକରୁ ବିଜେପି ନେତା ସମୀର ଦେ, ପୁରୀ ପାଇଁ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ଭୁବେନଶ୍ୱର  ମହାନଗର ନିଗମ ପାଇଁ ଅବସରପ୍ରପ୍ତ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା। କଟକ,ପୁରୀ ଓ ଭୁବନେଶ୍ୱରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୌରାଞ୍ଚଳ ନିର୍ବଚନର କାର୍ଯ୍ୟକାଳ ୨୦୧୯ରୁ ଶେଷ ହୋଇଛି। ଜନପ୍ରତିନିଧିତ୍ୱ ଅନୁସାରେ ଯେଉଁ ସଂସ୍ଥା ପରିଚାଳିତ ହେବା କଥା ତାକୁ ଏବେ ସରକାରୀ ଅଧିକାରୀମାନ ଚଳାଉଛନ୍ତି। ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଇତି ମଧ୍ୟରେ ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।ଆଜି ଏହି ମାମଲାର ପ୍ରାଥମିକ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିଛନ୍ତି। ସେ ଅନୁଯାୟୀ ରାଜ୍ୟ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କରାଯାଇ ନାହିଁ ଏବଂ କେବେ ସୁଦ୍ଧା ନିର୍ବାଚନ ହେବ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ଜବାବ ଦାଖଲ ପରେ ଏହା ଉପରେ ଚୂଡାନ୍ତ ଶୁଣାଣି ହେବ।

‘ରାଜଦ୍ରୋହ’ ଆଇନର ଅପବ୍ୟବହାର, ବର୍ଷିଲେ ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ‘ରାଜଦ୍ରୋହ’ ଆଇନର ଅପବ୍ୟବହାର ହେଉଛି କହି ସୁପ୍ରିମକୋର୍ଟ ଛତିଶଗଡ଼ ସରକାର ଉପରେ ବର୍ଷିଛନ୍ତି। ଏପରି ରାଜଦ୍ରୋହ ଆଇନର ଅପବ୍ୟବହାର କରାଯାଇ ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କହିଛନ୍ତି। କ୍ଷମତା ପରିବର୍ତ୍ତନ ପରେ ଏଭଳି ‘ରାଜଦ୍ରୋହ’ ମାମଲା ଅଧିକାଂଶ ରୁଜୁ କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଗୁରୁବାର କହିଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଯାଇ ଛତିଶଗଡ଼ର ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ରାଜ୍ୟ ପୁଲିସ ଏହି ପୂର୍ବତନ ଆଇପିଏସଙ୍କ ବିରୋଧରେ ରୁଜୁ କରିଥିବା ମାମଲା ଅନୁଯାୟୀ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହେଲେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଗୁରଜିନ୍ଦେର ପଲ ସିଂହଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। କହି ରଖୁଛୁ ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଆୟ ବହିର୍ଭତ ସମ୍ପତ୍ତି ଠୁଳ ମାମଲାରେ ରାଜଦ୍ରୋହ ସହିତ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି। ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଦେଶରେ ରାଜଦ୍ରୋହକୁ ନେଇ ଯେଉଁଭଳି ଟ୍ରେଣ୍ଡ ଚାଲିଛି ତାହା ଚିନ୍ତାଜନକ। ପୁଲିସ ବିଭାଗ ଏହି ଅବସ୍ଥା ପାଇଁ ମଧ୍ୟ ଦାୟୀ। ଯେତେବେଳେ ରାଜ୍ୟରେ କ୍ଷମତା ବଦଳୁଛି ସେତେବେଳେ ପୁଲିସମାନେ ମଧ୍ୟ ଶାସକ ଦଳ ଆଡକୁ ଢ଼ଳୁଥିବା କୋର୍ଟ କହିଛନ୍ତି। ଏହା ପରେ ଯେତେବେଳେ ଅନ୍ୟ ଦଳ କ୍ଷମତାକୁ ଆସୁଛି ସେତେବେଳେ ସରକାର ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି। ଏପରି ପ୍ରକ୍ରିୟା ବନ୍ଦ ହେବାର ଆବଶ୍ୟକ ରହିଛି। ଆସନ୍ତା ଚାରି ସପ୍ତାହ ମଧ୍ୟରେ ଛତିଶଗଡ଼ ସରକାର ନିଜର ପ୍ରତିକ୍ରିୟା ଦେବା ଦରକାର ବୋଲି ବେଞ୍ଚର ଅନ୍ୟତମ ସଦସ୍ୟ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି। ଏହି ମାମଲାରେ ଗୁରଜିନ୍ଦେର ପଲ ସିଂହଙ୍କ ପାଇଁ ଆଇନଜୀବୀ ଏଫଏସ ନରିମନ ଏବଂ ବିକାଶ ସିଂହ ପକ୍ଷ ରଖିଥିବା ବେଳେ ଛତିଶଗଡ଼ ସରକାର ପାଇଁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ। ସୂଚନାଯୋଗ୍ୟ, ଦେଶରେ ରାଜଦ୍ରୋହ ଆଇନର ଅପବ୍ୟବାହର ହେଉଛି ବୋଲି କଂଗ୍ରେସ ଅଭିଯୋଗ କରୁଛି। କଂଗ୍ରେସ ଏଭଳି ଅଭିଯୋଗ କରି ବିଜେପି ଶାସିତ ରାଜ୍ୟ ଏବଂ କେନ୍ଦ୍ର ସରକାର ବିରୋଧରେ ଗର୍ଜୁଛି। ହେଲେ ଏଠି ଓଲଟା ସେହି କଂଗ୍ରେସ ଦ୍ୱାରା ଶାସିତ ରାଜ୍ୟ ଛତିଶଗଡ଼ ସରକାର ରାଜଦ୍ରୋହ ଆଇନର ଅପବ୍ୟବହାର କୁରଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କୋର୍ଟଙ୍କ ବଡ଼ ରାୟ: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବଳପୂର୍ବକ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖି କାଠଗଡ଼ାକୁ ଟଣା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଆଇନ ଅନୁସାରେ ବିବାହ ପରେ ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଆଦୌ ଦୁଷ୍କର୍ମ ନୁହେଁ। ପତ୍ନୀଙ୍କ ଇଚ୍ଛା ବିରୋଧରେ ବି ଯଦି ସ୍ୱାମୀ ଶାରୀରିକ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ଆଜି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। ଏଥିସହ ଏପରି ଏକ ‌ଅଭିଯୋଗରେ ଫସିଥିବା ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଛନ୍ତି। ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଯଦି ଆଇନଗତ ଉପାୟରେ ବାହାଘର ହୋଇଛି ଓ ପତ୍ନୀଙ୍କ ବୟସ ୧୮ ବର୍ଷରୁ ଅଧିକ, ତା’ହେଲେ ସ୍ୱାମୀ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଲେ ବି ଏହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯାଇ ପାରିବ ନାହିଁ। ଏହି ଅଭିଯୋଗରେ ଆବେଦନକାରୀ ହେଉଛନ୍ତି ଅଭିଯୁକ୍ତଙ୍କ ଆଇନଗତ ପତ୍ନୀ। ତେଣୁ ଆବେଦନକାରୀଙ୍କ ସହ ତାଙ୍କ ସ୍ୱାମୀ ଯଦି କୌଣସି ଶାରୀରିକ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ ଦୁଷ୍କର୍ମ ଜନିତ ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ। ସ୍ୱାମୀ ଜଣଙ୍କ ଯଦି ପତ୍ନୀଙ୍କ ଇଚ୍ଛା ବିରୋଧରେ ଓ ବଳପୂର୍ବକ ଶାରିରୀକ ସମ୍ପର୍କ ରଖୁଛନ୍ତି, ତା’ହେଲେ ବି ଏହାକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟ ବ୍ୟକ୍ତି ଜଣଙ୍କୁ ଦାମ୍ପତ୍ୟ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିଥିଲେ ହେଁ ଧାରା ୩୭୭ (ଅପ୍ରାକୃତିକ ଶାରୀରିକ ସମ୍ପର୍କ) ଅନୁଯାୟୀ ତାଙ୍କ ବିରୋଧରେ ହୋଇଥିବା ଚାର୍ଜଫ୍ରେମକୁ କାଏମ ରଖିଛନ୍ତି। ଏହାପୂର୍ବରୁ ମୁମ୍ବାଇର ଆଡିସନାଲ ସେସନ୍ସ ଜଜ୍‌ ମଧ୍ୟ ପତ୍ନୀଙ୍କ ଇଚ୍ଛା ବିରୋଧରେ ଯଦି ସ୍ୱାମୀ ଶାରୀରିକ ସମ୍ପର୍କ ରଖୁଛନ୍ତି, ତା’ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି କହିଥିଲେ।

‘ଆଦିବାସୀଙ୍କୁ ହକ ମିଳୁନି, ପଂଚାୟତସ୍ତରରେ ହେବ ଆନ୍ଦୋଳନ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଆଦିବାସୀଙ୍କ ଅଧିକାରକୁ ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକ ଭାବେ କ୍ଷୂଣ୍ଣ କରୁଛନ୍ତି। ୨୨ବର୍ଷ ଧରି ଆଦିବାସୀଙ୍କୁ ସେମାନଙ୍କର ହକରୁ ବଂଚିତ କରିଛନ୍ତି । ଆଦିବାସୀଙ୍କୁ ନ୍ୟାୟ ନମିଳିଲେ ପଂଚାୟତସ୍ତରକୁ ଯାଇ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ଆଜି ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ବିଜେଡି ସରକାର ସ୍ଥାଣୁତା ଓ ଅପାରଗତା ଯୋଗୁ ରାଜ୍ୟର ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ଥିବା ଅନୁସୂଚିତ ଜନଜାତି ବର୍ଗର ଲୋକେ ଦିନକୁ ଦିନ ପଛେଇବାରେ ଲାଗିଛନ୍ତି। ଆଦିବାସୀ ବିକାଶ ପରିଷଦରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବା, ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଆଦିବାସୀଙ୍କ ଭାବାବେଗ ସହ ଖେଳିବାକୁ ବିଜେଡି ସରକାର ପଛାଉ ନାହିଁ ।‘ବସୁନ୍ଧରା ଯୋଜନା’ରେ ପ୍ରତ୍ୟେକ ଗ୍ରାମାଂଚଳ ପରିବାରକୁ ୪ଡିସିମିଲ ଏବଂ ସହରାଂଚଳରେ ଥିବା ପ୍ରତ୍ୟେକ ପରିବାରକୁ ୨ଡିସିମିଲ ଘରଡିହ ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ହିତାଧିକାରୀ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି । ଆଦିବାସୀ ବିରୋଧୀ ରାଜ୍ୟ ସରକାର ଏହି ଆଇନକୁ ଖୋଲାଖୋଲି ଉଲଂଘନ କରି ଖଣିଜ ପାଣ୍ଠିକୁ ଦଳୀୟ କାର୍ଯ୍ୟ ଓ ନେତାଙ୍କ ପାଇଁ ବ୍ୟବହାର କରୁଛନ୍ତି । ଶାସନ ପ୍ରଣାଳୀକୁ ଗ୍ରାମାଭିମୁଖି କରିବା ହେଉଛି କେନ୍ଦ୍ର ସରକାରଙ୍କ ମୂଳ ଉଦ୍ଦେଶ୍ୟ ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦେଇଛନ୍ତି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିକ୍ରମେ ଆସୁଥିବା ଅନୁଦାନ ଅର୍ଥକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉନାହିଁ । ରାଜ୍ୟ ସରକାର ଗ୍ରାମସଭାକୁ କୋଣଠେସା କରିଦେଇ ଆଦିବାସୀମାନଙ୍କୁ ପ୍ରତାରଣା କରୁଥିବାରୁ କାର୍ଯ୍ୟକାରିଣୀ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଏକଲବ୍ୟ, ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ସମେତ ଆବାସିକ ବିଦ୍ୟାଳୟଗୁଡିକର ଦୟନୀୟ ହଷ୍ଟେଲ ବ୍ୟବସ୍ଥା, ଛାତ୍ରଛାତ୍ରୀ ଅନୁପାତରେ କମ୍ ସଂଖ୍ୟାରେ ଶିକ୍ଷକ, ବାଳିକା ଆବାସିକ ବିଦ୍ୟାଳୟରେ ନିର୍ଯ୍ୟାତନା ଆଦି ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ନୀରବ ରହିବା ଏବଂ ସମସ୍ୟାର ସମାଧାନ ପାଇଁ କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ଆଦିବାସୀ ବିଧାୟକ, ବିଭିନ୍ନ ବିଭାଗର ଅଧ୍ୟକ୍ଷ, ସେମାନଙ୍କ ଅଧିକାରରୁ ବଂଚିତ ହେଉଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଆଦିବାସୀ ଓ ଜନଜାତି ବର୍ଗର ଲୋକଙ୍କୁ ଉପେକ୍ଷା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଆଜି ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଗଜେନ୍ଦ୍ର ସିଂ ପଟେଲଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ସମୀର ଓରାଙ୍ଗ, ରାଜ୍ୟ ପ୍ରଭାରୀ ଲକ୍ଷ୍ମଣ ଟୁଡ଼ୁ, ସହପ୍ରଭାରୀ ମହେଶ ଗାଗଡ଼ା ପ୍ରମୁଖଙ୍କ ସମେତ ଜନଜାତି ବର୍ଗର ସମସ୍ତ ବିଧାୟକ, ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକାରିଣୀରେ ପୌର ଓ ପଂଚାୟତ ନିର୍ବାଚନ ଦିଗରେ ଆବଶ୍ୟକ ପ୍ରସ୍ତୁତି ପାଇଁ ମଧ୍ୟ ଆଲୋଚନା ହୋଇଛି ।

କଂଗ୍ରେସରେ ତାରାଙ୍କୁ ଏକଘରିକିଆ ପାଇଁ ରଣନୀତି, ନେତୃତ୍ୱ ନେଲେ ପ୍ରଦୀପ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ କଂଗ୍ରେସରେ ଏକଘରିକିଆ କରିବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି ପାଇଁ କାମ କରୁଥିବା ନେଇ ଗଣମାଧ୍ୟମରେ ବୟାନ ଦେଇଥିବା ତାରାଙ୍କୁ କଂଗ୍ରେସରେ ସାଇଡଲାଇନ୍ କରିବାକୁ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ସକ୍ରିୟ ହୋଇଛି। ତାରାଙ୍କ ବିରୋଧୀ ଭାବେ ପରିଚିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ କାନ୍ଧରେ ବନ୍ଧୁକ ରଖି ଏବେ ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀଙ୍କୁ କୋରାପୁଟ ଜିଲ୍ଲା ସଂଗଠନ ଓ ରାଜ୍ୟ ସଂଗଠନରେ ଏକଘରିକିଆକୁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଗତ କିଛିଦିନ ତଳେ ଶ୍ରୀ ବାହିନୀପତି ରାଜ୍ୟରେ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କୁ ଖୋଲାଖୋଲି ବିରୋଧ କରି ଗଣମାଧ୍ୟମରେ ପିସିସି ସଭାପତିଙ୍କ ବିରୁଦ୍ଧରେ ବୟାନ ଦେଇଥିଲେ। ଯାହା ଉପରେ ପ୍ରତିକ୍ରିୟା ଦେବାକୁ ପିସିସି ସଭାପତି ମନା କରିଦେଇଥିବାବେଳେ ଆଜି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ସିଧାସଳଖ କଡ଼ା ଭାଷାରେ ତାରାଙ୍କୁ ଚେତାବନୀ ଦେବାକୁ ପଛାଇ ନାହାନ୍ତି । ବିଶୃଙ୍ଖଳାକୁ କଦାପି ପିସିସି ବରଦାସ୍ତ କରିବ ନାହିଁ କିମ୍ବା ଆଦିବାସୀମାନଙ୍କ ଉପରେ କାହାରି ଆଧିପତ୍ୟରେ କାର୍ଯ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହିତ ଶ୍ରୀ ମାଝୀ ମଧ୍ୟ ପିସିସି ପକ୍ଷରୁ ସାଂସଦ ଶ୍ରୀ ଉଲାକାଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ଡକାଯାଇଥିଲା ଓ ସାଂସଦଙ୍କର କୌଣସି ଭୁଲ୍ ନାହିଁ ବୋଲି ସ୍ପଷ୍ଟ କରି ତାରାଙ୍କୁ କଡ଼ା ଜବାବ ଦେଇଛନ୍ତି । ତାରା ଦଳର କୌଣସି ପଦବୀରେ ନାହାନ୍ତି, କିନ୍ତୁ ଜିଲ୍ଲାର ୧୨ଜଣ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ତାରା ସବୁବେଳେ ଟାର୍ଗେଟ୍ କରୁଛନ୍ତି । ଯାହାକି ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି । ତେବେ ଶ୍ରୀ ମାଝୀଙ୍କ ବୟାନ ଉପରେ ତାରା ପାଲଟା ଜବାବ ରଖିଛନ୍ତି । ଆଦିବାସୀଙ୍କ ପାଇଁ କାମ ଯଦି କରୁଛନ୍ତି ତା’ହେଲେ ପ୍ରଦୀପ ମାଝୀ କାହିଁକି ଦୁଇଥର ହାରିଲେଣି ବୋଲି ତାରା ପ୍ରଶ୍ନ କରିଛନ୍ତି । ପିସିସି ଯେଉଁ ପର୍ଯ୍ୟବେକ୍ଷକ ତାଲିକା କରିଛି ସେଥିରେ ନିରଞ୍ଜନ ପଟ୍ଟନାୟକଙ୍କ ମାରୁତି କମ୍ପାନୀରେ କାର୍ଯ୍ୟରତ ଦୁଇଜଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେତେ ବିଭ୍ରାଟ ହେଉଛି ତାହା ପଛଷର ପ୍ରଦୀପ ମାଝୀ ଅଛନ୍ତି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରଦୀପ ମାଝୀ ଗାଳି କରନ୍ତି । ସେ ପିସିସିକୁ ଖୋଲା ଚ୍ୟାଲେଞ୍ଜ କରି କହିଛନ୍ତି ଯେ ତାଙ୍କ ସହ ଲଢ଼େଇ କଲେ ତାଙ୍କୁ ପାରିବେନି । ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନିରି ବୁଲି ସେ ବୈଠକ କରିବେ । ସେ ସଚ୍ଚୋଟ ନଥିଲେ ଏତେଥର ବିଧାୟକ ଭାବେ ଜିତିନଥାନ୍ତେ । ପ୍ରଭାରୀ ଆସିଲେ ସେ ତାଙ୍କର ଉତ୍ତର ରଖିବେ ବୋଲି ତାରା କହିଛନ୍ତି । ତେବେ ତାରାଙ୍କର ଏଭଳି ଆଚରଣକୁ କଂଗ୍ରେସ ବିଧାୟକମାନେ ଏବେ ଦୁଇଭାଗ ହୋଇଥିବାବେଳେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜର ସମର୍ଥକମାନଙ୍କୁ ତାରାଠୁ ଦୂରେଇ ରହିବାକୁ କହିଥିବା ସୂଚନା ମିଳିଛି ।

ମୁକୁନ୍ଦପୁର ଗ୍ରାମରେ ୭ ଟି ପଞ୍ଚାୟତର ୨୦୧ ଜଣ ହିତାଧକାରୀଙ୍କୁ ନୂତନ ଭତ୍ତା ବଣ୍ଟନ…!

!!! ରାୟଗଡା ଜିଲ୍ଲା କୋଲନରା ବ୍ଲକ ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ୨୦୧ ଜଣ ନୂତନ ହିତାଧିକାରୀ ମାନଙ୍କୁ ବିଭିନ୍ନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିବା ବେଳେ ନିମନ୍ତ୍ରଣ ଅତିଥି ଭାବେ ସୂଚନା ପକ୍ଲପ ତଥା କ୍ରୀଡ଼ା ସେବା ମନ୍ତ୍ରୀ ତୃଷାର କାନ୍ତ ବେହେରା ଯୋଗ ଦେଇଥିଲେ।

କୋଲନରା ବିଡିଓ ତାପସ ଭୋଇ ତତ୍ୱାବର୍ଦ୍ଧନ ରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ୭ ଟି ପଞ୍ଚାୟତର ୨୦୧ ଜଣ ବୃଦ୍ଧ ବୃଦ୍ଧା ଓ ବିଧବାମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଲନରା ଏ ବିଡ଼ିଓ ନୃଷିହ ଚରଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରି ପିଇଓ କମଳାକାନ୍ତ ରାଉତ,ଏପିଓ ପ୍ରଭାକର ପଟ୍ଟନାୟକ ବିଯୁଜୁବକ୍ ଦଳର ସଭାପତି ଜି ରବି କୁମାର, ମାଦା ରାଓ କଣ୍ଡାଗରୀ ,୭ ଟା ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ରହିଥିଲେ ।

୨୬ ଅଗଷ୍ଟ, ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସନ୍ତାନସନ୍ତତିଙ୍କ ନିକଟରୁ ଶୁଭ ସମ୍ବାଦ ପାଇ ଖୁସି ହେବେ । ପ୍ରତିକୂଳ ପରିସ୍ଥିତି ଦୂରେଇ ଯିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନେଇପାରନ୍ତି । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।

ବୃଷ: ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ସହ ସମାଜ ସେବାରେ ସମ୍ମାନ ଅର୍ଜନ କରିପାରିବେ । ଯାନବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବାକୁ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ।

ମିଥୁନ: ଶତ୍ରୁ ପରାଜିତ ହେବେ ଓ ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ। ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବା ସହ ଶିକ୍ଷା କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ ।  କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଯୋଗେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ।

କର୍କଟ:ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ସନ୍ତାନଙ୍କ ଚିନ୍ତାରେ ମାନସିକ ଚିନ୍ତା ବୃଦ୍ଧି ପାଇପାରେ ।

ସିଂହ:ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପାରିବାରିକ ମାମଲା ବହୁତ ଆନନ୍ଦଦାୟକ ରହିବ ଓ ପ୍ରେମ ପ୍ରସଙ୍ଗରେ ଶୁଭ ସୂଚନା ଶୁଣିବାକୁ ପାଇବେ । ଆପଣଙ୍କର ଅପ୍ରୀତିକର କଥାବାର୍ତ୍ତାରେ ଲୋକମାନେ ବିରକ୍ତ ହୋଇପାରନ୍ତି।

କନ୍ୟା:ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଫଳରେ ହସ ଖୁସିରେ ସମୟ ବିତାଇବେ । ଶାରିରୀକ ଅସୁସ୍ଥତା ଦୂର ହେବା ସହ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।  ଜମିଜମା ସଂକ୍ରାନ୍ତିୟ  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ।

ତୁଳା: ଅର୍ଥଲାଭ ହେବ। ସମସ୍ତ ସମସ୍ୟାର ସମାଧାନ ହୋଇଯିବ। କାହା କଥାରେ ପ୍ରଭାବିତ ହୋଇ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି କରିପାରନ୍ତି।

ବିଛା: ମନ ଅଶାନ୍ତ ରହିବ। ନୀରବ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମ୍ନା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଯେକୌଣସି ନୂଆ କାମ ଆରମ୍ଭ କରିପାରିବେ।

କୁମ୍ଭ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ପରିବାରରେ ହସଖୁସିରେ ବାତାବରଣ ରହିବ। ନୂଆ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।