ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର…!

!!! ଦକ୍ଷୀଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମାଲକାନଗିରି)- ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ,  ଟେଣ୍ଡର ଅନିୟମିତତାରେ ପୂର୍ବତନ  ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ସମ୍ପୃକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ ।  ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇ ତାହାକୁ ବଦଳାଇଥିବା ଅଭିଯୋଗ ହୋଇଥିଲା।   ଏପରିକି କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପ୍ରଦୀପ ମାଝୀ। ଏହାପରେ ପୂର୍ବତନ ଜିଲ୍ଲାପାଳଙ୍କ ବଦଳି କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି । ପ୍ରାୟ ୬ ମାସ ପରେ ସମସ୍ତ ୪୮ ଖଣିର ଟେଣ୍ଡର ବାତିଲ କରାଯିବା ପରେ ଏହା ପଛରେ ଥିବା ସାଂଘାତିକ ଚଞ୍ଚକତା ପଦାରେ ପଡ଼ିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା। ଖଣି ଟେଣ୍ଡର ଫିକ୍ସି ନେଇ ଗତ ମାର୍ଚ୍ଚରେ ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝି ବହୁ ସାଂଘାତିକ ତଥ୍ୟ ସାମନାକୁ ଆଣିଥିଲେ। ପ୍ରଦୀପଙ୍କ କହିବାନୁଯାୟୀ, ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ସରିଥିଲା। ହେଲେ ଟେଣ୍ଡର ବକ୍ସ ଏହାର ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ଗୋଟାଏ ୪୦ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଲା ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ। ପ୍ରଦୀପ ଆହୁରି କହିଥିଲେ, ନିଲାମ ପାଇଥିବା ସିଏଚ୍ ବେନୁଗୋପାଳ ଟେଣ୍ଡର ଆବେଦନ ପାଇଁ ଯେଉଁ ସଲଭେନ୍ସି ଦେଇଥିଲେ, ସେଥିରେ ଏପଟସେପଟ ହୋଇଛି। ସଲଭେନ୍ସିରେ ଦର୍ଶାଯାଇଥିବା ଘରର ମୂଲ୍ୟ ୪ କୋଟି ୯୮ ଲକ୍ଷ ଥିଲେ ମଧ୍ୟ ଏହାର ବାସ୍ତବ ମୂଲ୍ୟ ତା’ଠୁ ଯଥେଷ୍ଟ କମ୍। ସେହିଭଳି ଦୁଇଟି ଜମିର କିସମ ଅନୁସାରେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ଟଙ୍କା ହେଲା କିପରି ? ଏସବୁ ବାଦ ୭ଟି ପଥର ଖାଦାନର ମିନିମମ୍‌ ଗ୍ୟାରେଣ୍ଟି କ୍ୱାଣ୍ଟିଟି (MGQ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିଲେ ବି ମାତ୍ର କୋଟିଏ ଟଙ୍କାର ସଲଭେନ୍ସି ସାର୍ଟିଫିକେଟରେ ଲିଜ୍ ମିଳିଲା କେମିତି? ଟେଣ୍ଡର ମିଳିବା ପରଦିନ ଅର୍ଥାତ ମାର୍ଚ୍ଚ ୩୧ରେ ପଞ୍ଜୀକରଣ ହୋଇଥିବା ଏକ ଦାମୀ ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଛନ୍ତି। ସଂପୃକ୍ତ ଗାଡ଼ିଟି ଜଣେ ମହିଳାଙ୍କ ନାଁରେ କିଣାଯାଇଥିବାରୁ ଏହା ଜିଲ୍ଲାପାଳଙ୍କୁ ଟେଣ୍ଡର ପିକ୍ସିଂର ଭେଟି ବୋଲି ଅଭିଯୋଗ ଉଠାଇଥିଲେ ପ୍ରଦୀପ। ହେଲେ ପ୍ରଦୀପଙ୍କ ଅଭିଯୋଗ ଭିତ୍ତିହୀନ। ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଥିବା କହିଥିଲେ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟ। ଏଥିସହ ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜି ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲି। କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲି। ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଲି ବୋଲି ସେ କହିଥିଲେ। ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ ।  ଖଣି ଦୁର୍ନୀତିରେ ବହୁ ଉଚ୍ଚପଦସ୍ଥ ଅଫିସର ଓ ମାଫିଆ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ସତ୍ୟତା ପଦାକୁ ଆସିଛି  । ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ମିନାକ୍ଷୀଙ୍କ ବିଦ୍ରୋହ, ଉତ୍ତର ରଖିଲେ ନିରଞ୍ଜନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋରାପୁଟ କଂଗ୍ରେସର ସ୍ୱାସ୍ଥ୍ୟ ଭଲ ନାହିଁ। ଦିନକୁ ଦିନ କନ୍ଦଳ ବଢ଼ିବାରେ ଲାଗିଛି। ବିବାଦ ସମାଧାନ ହେଉନଥିବାରୁ ସ୍ୱରକୁ ଶାଣିତ କରୁଛନ୍ତି ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିବାଦ ଭିତରକୁ ଟାଣିଛନ୍ତି। ନିରଞ୍ଜନ କୋରାପୁଟ କଂଗ୍ରେସକୁ ଦି’ ଭାଗ କରିଛନ୍ତି ବୋଲି ମିନାକ୍ଷୀ ଅଭିଯୋଗ କରିଛନ୍ତି। ମିନାକ୍ଷୀ ଅଭିଯୋଗର ଜବାବ ରଖିଛନ୍ତି ନିରଞ୍ଜନ। ଦାୟିତ୍ୱରେ ରହିଲେ ଦାୟୀ ରହିବେ ବୋଲି ସେ କହିଛନ୍ତି। ମିନାକ୍ଷୀ ଗଣମାଧ୍ୟମକୁ କହିଛନ୍ତି, “କୋରାପୁଟ ଜିଲ୍ଲାରେ ଆଜି ଯେଉଁ ବିବାଦ ଚାଲିଛି, ତାହା ପିସିସି ଭଲ ଭାବେ ଜାଣିଛି। ଯେ ପର୍ଯ୍ୟନ୍ତ ଏ ବିବାଦ ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ମୁଁ ପିସିସି ଅଫିସ୍‌ ଯିବାର ଆବଶ୍ୟକତା ନାହିଁ। ବିବାଦ ସମାଧାନ ପାଇଁ ପିସିସି ଯଦି ଡାକେ, ତାହାହେଲେ ମୁଁ ନିଶ୍ଚିତ ଭାବେ ଯିବି।” ସେ ଆହୁରି କହିଛନ୍ତି, “ନିରଞ୍ଜନ ବାବୁ ଆସିଥିବା ବେଳେ ମୁଁ କୋରାପୁଟ ଜିଲ୍ଲା ସଭାପତି ଥିଲି। ଏବେ ମୁଁ ମଧ୍ୟ କୋରାପୁଟ ଜିଲ୍ଲା ସଭାପତି ଅଛି। କିନ୍ତୁ ପିସିସି କଣ ପାଇଁ ମୋତେ ଅଣଦେଖା କରୁଛନ୍ତି, ତାହା ମୁଁ ବୁଝିପାରୁନାହିଁ। ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଯିବି। ମୋ ସହିତ ଜିଲ୍ଲା କମିଟି, ବ୍ଲକ କମିଟି ଓ ମୋ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଦିଲ୍ଲୀ ଯାଇ ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧିଙ୍କୁ ଭେଟିବୁ।” କୋରାପୁଟ ଜିଲ୍ଲାରେ ଦେଖାଦେଇଥିବା କନ୍ଦଳର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ କି? ଗଣମାଧ୍ୟମ ପ୍ରତିନିଧିଙ୍କ ଏପରି ପ୍ରଶ୍ନରେ ଶ୍ରୀମତି ବାହିନୀପତି କହିଛନ୍ତି, “କନ୍ଦଳ ସମାଧାନ ନହେଲେ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ। ଦିନେ ଯେଉଁ କୋରାପୁଟ ଥିଲା କଂଗ୍ରେସର ଦୁର୍ଗ, ସେଠାରୁ କଂଗ୍ରେସ ପୋଛି ହୋଇଯିବ।” ସେ ଆହୁରି କହିଛନ୍ତି, “କୈଳାସବାବୁ ଦଳରୁ ଇସ୍ତଫା ଦେଲେ। ଏ ସମ୍ପର୍କରେ ପିସିସି ଜାଣିଲେ। କୈଳାସଙ୍କ ଇସ୍ତଫା ସମ୍ପର୍କରେ କଣ ନିଷ୍ପତ୍ତି ନିଆଗଲା, ସେ ସମ୍ପର୍କରେ ମୋତେ ଜଣାଗଲା ନାହିଁ। ସେପଟେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର କର୍ମୀମାନେ ମୋତେ ବାରମ୍ୱାର ଫୋନ୍‌ କରି ସେ ସମ୍ପର୍କରେ ପଚାରୁଥିଲେ। କିନ୍ତୁ ପିସିସି ସଭାପତି ନିଷ୍ପତ୍ତି ସମ୍ପର୍କରେ ଜାଣାଇନଥିବାରୁ ମୁଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରୁନଥିଲି। ପରେ ମୋତେ ଫୋନ୍‌ କରିବାକୁ ପଡ଼ିଲା। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ସେପଟେ ସାଂସଦ ତାଙ୍କୁ(କୈଳାସ) ନେଇ ମଞ୍ଚରେ ବସାଇଲେ। ସଭାରେ ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିବା ଦେଖିବାକୁ ପାଇଲି। ହେଲେ ବର୍ତ୍ତମାନର ବିଧାୟକଙ୍କୁ ଦେଖିବାକୁ ପାଇଲି ନାହିଁ।” ମିନାକ୍ଷୀଙ୍କ ଆରୋପର ଜବାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ‘ସଭାପତି ପଦରେ ରହିଲେ କେହି ନା କେହି ଦାୟୀ କରିବେ। ତେବେ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ନାହିଁ’ ବୋଲି ନିରଞ୍ଜନ କହିଛନ୍ତି।

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ଜିଲ୍ଲା ବୁଲିବେ ନିରଞ୍ଜନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଗୋଷ୍ଠୀକନ୍ଦଳରେ ଲିପ୍ତ କଂଗ୍ରେସ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୩୧ତାରିଖରେ ଦଳର ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେପ୍ଟେମ୍ବର ୧୫ରୁ ଜିଲ୍ଲା ଗସ୍ତରେ ଯାଇ ଦଳୀୟ ସଂଗଠନକୁ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ପିସିସି ମଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଜି କଂଗ୍ରେସ ଭବନଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ନିଆଯାଇଥିବା କାର୍ଯ୍ୟକ୍ରମକୁ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିବା ସହ ଚଳିତମାସ ୩୧ ତାରିଖ ସୁଦ୍ଧା ବ୍ଲକ କଂଗ୍ରେସ କମିଟି ଓ ପଂଚାୟତ କଂଗ୍ରେସ କମିଟି ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରଠାରେ ଦଳୀୟ କର୍ମକର୍ତ୍ତାଙ୍କର ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ପ୍ରଭାରୀ ଏ. ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ ଯୋଗ ଦେବେ। ଦଳୀୟ ଶୃଙ୍ଖଳା ବଜାୟ ରଖି ସମସ୍ତ ନେତୃମଣ୍ଡଳୀ ପରସ୍ପର ସହଯୋଗରେ ଉଭୟ ପଂଚାୟତ ଓ ପୌର ନିର୍ବାଚନର ସମ୍ମୁଖୀନ ହେବାପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା। ଉଭୟ ବିଜେଡ଼ି ଓ ବିଜେପି ସରକାରର ବିଭିନ୍ନ ଜନବିରୋଧି ନିଷ୍ପତ୍ତିକୁ ନିରବଚ୍ଛିନ୍ନ ଆନ୍ଦୋଳନ ଜରିଆରେ ପ୍ରତିବାଦ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେପ୍ଟେମ୍ବର ୧୫ ତାରିଖରୁ ସମସ୍ତ ଜିଲ୍ଲା ଗସ୍ତ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି। ସେପ୍ଟେମ୍ବର ୧୫ରେ ନୂଆପଡ଼ା ଓ ୧୬ରେ କଳାହାଣ୍ଡି ଜିଲ୍ଲା ଗସ୍ତ ସୂଚୀ ମଧ୍ୟ ନିର୍ଦ୍ଧାରଣ ହୋଇଛି।

ମରୁଡ଼ି ସ୍ଥିତି: ଆକଳନ କରିବ ବିଜେପିର ୪ଟିମ୍‌, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବର୍ଷା ଓ ଜଳସେଚନ ଅଭାବରୁ ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଇ ବିଜେପି ଆଜି କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ମରୁଡ଼ି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ଅଛି କି ବୋଲି ପ୍ରଶ୍ନ କରିବା ସହ ମରୁଡ଼ି ମୁକାବିଲା ପାଇଁ ତୁରନ୍ତ ଟାସ୍କଫୋର୍ସ ଗଠନ କରନ୍ତୁ ବୋଲି ବିଜେପି ଦାବି କରିଛି। ଏହାସହିତ ରାଜ୍ୟବ୍ୟାପୀ ମରୁଡ଼ି ସ୍ଥିତି ଆକଳନ କରିବାକୁ ବିଜେପି ନିଜର ୪ଟି ଟିମ୍ ଗଠନ କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଆସନ୍ନ ମରୁଡ଼ି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ,ଚଳିତବର୍ଷ ମୌସୁମୀ ବର୍ଷା ଅଭାବ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଆଜି ପ୍ରାୟତଃ ମରୁଡ଼ି ଆସନ୍ନ। ବାସ୍ତବସ୍ଥିତିକୁ ଭଲ ଭାବେ ଆକଳନ କଲେ ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚାଷୀକୁଳ ଏବେଠାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍‌ଡି) ର ବାରମ୍ବାର ପୂର୍ବାନୁମାନ ସତ୍ୱେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ନିରୁଙ୍କଶ ଶାସନ କ୍ଷମତା ଏବଂ ପ୍ରଚାର ସର୍ବସ୍ୱ ବିଜେଡି ସରକାର କେବଳ କଥାରେ ସୀମିତ। ମାତ୍ର ଘେଷଣା କରିଥିବା ବିଭିନ୍ନ ଜଳସେଚନ, ମେଗାଲିଫ୍ଟ ଇରିଗେସନ ଆଦି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ଆସନ୍ନ ମରୁଡି ସ୍ଥିତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ଅଛି ତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସରକାର ଏକ୍ସପର୍ଟମାନଙ୍କୁ ନେଇ ତୁରନ୍ତ ଏକ ଟାସ୍କ ଫୋର୍ସ ଓ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମରୁଡ଼ି ଆସନ୍ନ ଜିଲ୍ଲାମାନଙ୍କରେ ନିକଟସ୍ଥ ଜଳ ଉତ୍ସ ସ୍ଥାନମାନଙ୍କରୁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ବିଭାଗୀୟ ସଚିବମାନଙ୍କୁ ମରୁଡି ଆସନ୍ନ ଅଂଚଳକୁ ପ୍ରେରଣ କରି ସଂକଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ସେ କହିଚନ୍ତି ଯେ, ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବେ ବୋଲି ଗତ ୨୦୧୪ ଏବଂ ୨୦୧୭ ମସିହା ନିର୍ବଚନୀ ଇସ୍ତାହାରରେ ଶାସକ ବିଜେଡି ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୮,୩୫୦ ହେକ୍ଟର ଚାଷଜମିକୁ ପାଣି ଯୋଗାଇଛନ୍ତି, ଯାହାକି ରାଜ୍ୟ ଚାଷୀକୁଳ ପ୍ରତି ଆଉ ଏକ ପ୍ରବଂଚନା ବୋଲି ସେ କହିଛନ୍ତି। ରାଜ୍ୟର ମରୁଡ଼ି ସ୍ଥିତି ଆକଳନ ପାଇଁ ବିଜେପି ପକ୍ଷରୁ ୪ଟି ଟିମ୍ ଗଠନ ହୋଇଛି । ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗଠିତ ଏହି ଚାରିଟି ଟିମ୍ ବିଭିନ୍ନ ମରୁଡି ଅଂଚଳ ଗସ୍ତ କରି ପରିସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ମିଳିବା ପରେ ଚାଷୀକୁଳକୁ କିଭଳି ସାହାଯ୍ୟ କରି ହେବ, ସେ ନେଇ ବିଜେପି ପକ୍ଷରୁ ରାଜନୀତିକ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଓ କାମାକ୍ଷା ପ୍ରସାଦ ପ୍ରଧାନ ଉପସ୍ଥିତ ଥିଲେ।

ପରଦାକୁ ଫେରିବେ ରକି ଭାଇ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପୁଣି ଶୁଭିବ ସଲାମ ରକି ଭାଇ.. ସଲାମ ରକି ଭାଇ..। କରତାଳିରେ ଫାଟିବ ସିନେମା ହଲ। ବଡ଼ ପରଦାକୁ ଫେରିବେ ରକି ଭାଇ। ଅପେକ୍ଷାର ଘଟିବ ଅନ୍ତ। ମୁହାଁ ମୁହିଁ ହେବେ ଅଧିରା ଓ ରକି। ଅସନ୍ତା ବର୍ଷ ଏପ୍ରିଲ ମାସରେ ଦେଖିବାକୁ ମିଳିବ ୟଶ ଓ ଅଧିରାଙ୍କ ଜୋରଦାର ଟକ୍କର। ବହୁ ପ୍ରତିକ୍ଷିତ ଫିଲ୍ମ କେଜିଏଫ-୨ର ରିଲିଜ ଡେଟ୍‌ ଘୋଷଣା ହୋଇଛି। ଏଥିସହ ସାମ୍ନାକୁ ଆସିଛି ଫିଲ୍ମର ନୂଆ ପୋଷ୍ଟର। ଏହି ପୋଷ୍ଟରକୁ ନିଜେ ରକି ଭାଇ ଓରଫ ଫିଲ୍ମର ଲିଡ୍‌ ଅଭିନେତା ୟଶ୍‌ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପକୁ ବିଳମ୍ବ କରିବ, କିନ୍ତୁ ଯେମିତି ପ୍ରତିଶ୍ରୁତି ଦିଆଯାଇଥିଲା, ସେମିତି ହିଁ ହେବ। ଆମେ ୧୪ ଏପ୍ରିଲ ୨୦୨୨ରେ ବଡ଼ ପରଦାକୁ ଆସିବୁ।’ ୟଶଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କରୋନା ମହାମାରୀ ଯୋଗୁଁ ଫିଲ୍ମ କେଜିଏଫ୍‌-୨ର ରିଲିଜ ଡେଟ୍‌କୁ ଲଗାତାର ଟାଳିବାକୁ ପଡିଥିଲା। ଫିଲ୍ମର ନିର୍ମାତା ସଠିକ ସମୟକୁ ଅପେକ୍ଷା କରିଥିଲେ। ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି। ଆସନ୍ତା ବର୍ଷ ଏପ୍ରିଲ ୧୪ରେ ଫିଲ୍ମଟି ମୁକ୍ତିଲାଭ କରିବ। ଏହି ଘୋଷଣା ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି। ପ୍ରଶଂସକଙ୍କ ଭଳି ପୂରା ଟିମ୍‌ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଏକ୍ସାଇଟେଡ୍‌ ରହିଛି। ସେପଟେ ରିଲିଜ ହୋଇଥିବା କେଜିଏଫ୍‌-୨ର ନୂଆ ପୋଷ୍ଟରରେ ଫିଲ୍ମର ସମସ୍ତ ଚରିତ୍ର ନଜର ଆସିଛନ୍ତି। ବ୍ଲାକ ଆଣ୍ଡ ହ୍ୱାଇଟ୍‌ ପୋଷ୍ଟରଟି ବେଶ୍‌ ଦମ୍‌ଦାର ରହିଛି। ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ମଧ୍ୟ ଏହି ପୋଷ୍ଟରକୁ ଶେଆର କରିଛନ୍ତି। ସୂଚନା ମୁତାବକ, ଫିଲ୍ମ କେଜିଏଫ୍‌ର ପ୍ରଥମ ଭାଗକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ। ବହୁବଳୀ ଫିଲ୍ମ ପରି କେଜିଏଫ୍‌ ଚାପ୍ଟର-୧କୁ ମଧ୍ୟ ପ୍ରଶଂସକମାନେ ଗ୍ରହଣ କରିଥିଲେ। ସାରା ଦେଶରେ ଫିଲ୍ମକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏବେ କେଜିଏଫ୍ର ଚାପ୍ଟର-୨ ଆସିବ। ଏହାକୁ ୫ଟି ଭାଷାରେ ରିଲିଜ କରାଯିବ ବୋଲି ଫିଲ୍ମର ନିର୍ମାତା ସୂଚନା ଦେଇଛନ୍ତି।

ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ‘ଶ୍ରୀମନ୍ଦିର’ର ଶୀର୍ଷକ ଗୀତ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଅଗଷ୍ଟ ୩୦ ତାରିଖରୁ ‘ତରଙ୍ଗ ଟିଭି’ ଓ ‘ତରଙ୍ଗ ପ୍ଲସ’ରେ ପ୍ରସାରିତ ହେବ ଧାରାବାହିକ ‘ଶ୍ରୀମନ୍ଦିର’। ପ୍ରତି ସୋମବାରରୁ ଶନିବାର ରାତି ସାଢ଼େ ୯ଟାରେ ଏହା ପ୍ରସାରିତ ହେବ। ମହାପ୍ରଭୁ ଜଗନ୍ନାଥଙ୍କ ମାହାତ୍ମ୍ୟ ଓ ବୀର ପ୍ରତାପ ପୁରୁଷୋତ୍ତମଦେବଙ୍କ ଘଟଣାବହୁଳ କାହାଣୀକୁ ନେଇ ଏହି ଧାରାବାହିକ ପ୍ରସ୍ତୁତ ହୋଇଛି। ପ୍ରସାରଣ ପୂର୍ବରୁ ଆସିଛି ଏହି ଧାରାବାହିକର ଟାଇଟଲ୍ ସଙ୍ଗ୍ ବା ଶୀର୍ଷକ ଗୀତ। ଏହି ଗୀତର ବିଶେଷତ୍ତ୍ୱ ହେଉଛି ଏହାକୁ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇନି। ଶୀର୍ଷକ ଗୀତଟିକୁ କିଛି ନୂଆ କରିବା ଲକ୍ଷ୍ୟରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ କେବଳ ଗାୟକ ଓ ଗାୟିକାଙ୍କ କଣ୍ଠସ୍ୱରରେ ଏହାକୁ ପ୍ରସ୍ତୁତ କରାଯାଇଛି। ତାଳି ଓ ସ୍ୱରକୁ ବ୍ୟବହାର କରାଯାଇ ଗୀତଟିକୁ ପ୍ରସ୍ତୁତ କରାଯାଇଛି। ଏହି ଶୀର୍ଷକ ଗୀତଟିର ଆଉ ଏକ ବିଶେଷତ୍ତ୍ୱ ହେଉଛି ଏଥିରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ଆଗଧାଡ଼ିର ୧୫ ଜଣ କଣ୍ଠଶିଳ୍ପୀ। ଗୀତଟିକୁ ଲେଖିଛନ୍ତି ଗୀତିକାର ଦେବୀଦତ୍ତ ମହାନ୍ତି।

ଚଢ଼ା ଦର ବେଳେ ଅପ ମିଶ୍ରଣ ପେଟ୍ରୋଲ ଓ ଡ଼ିଜେଲ ପାଇ ଗ୍ରାହକ ହନ୍ତସନ୍ତ ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦେଶରେ ହୁହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଏହାକୁ ନେଇ ଏବେ ଚିନ୍ତା ରେ ଗ୍ରାହକ। ଏପରି ସମୟରେ ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଠାରେ ଥିବା ପେଟ୍ରୋଲ ପମ୍ପ ରେ ଅପ ମିଶ୍ରଣ ପେଟ୍ରୋଲ ଓ ଡିଜେଲ ମିଳୁଥିବା ଗ୍ରାହକ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି। ଏଭଳି ଅପ ମିଶ୍ରିତ ପେଟ୍ରୋଲ ଯୋଗାଣ ଅଭିଯୋଗ ନେଇ ସ୍ଥାନୀୟ ରାମ କ୍ରିଷ୍ଣା ଫିଲିଙ୍ଗ ଷ୍ଟେସନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବନ୍ଦ କରିବା ନିମନ୍ତେ ତାଗିଦ୍ କରାଯାଇଥିଲା। ବାରମ୍ବାର ଏଭଳି ଅପମିଶ୍ରଣ ଓ ଓଜନର ହେରଫେର ହେଉଥିବା ଅଭିଯୋଗ ସମ୍ପୃକ୍ତ ପେଟ୍ରୋଲ ପମ୍ପ ବିରୋଧରେ ଆସୁଥିଲେ ମଧ୍ୟ ନିର୍ଦ୍ଧାରିତ ନିୟମ ପ୍ରକାରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ର ଘନତା ପରୀକ୍ଷା, ଟିସୁ ପେପର ପରୀକ୍ଷା ଓ ଶୁଦ୍ଧତା ପରୀକ୍ଷା ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯାଉନାହିଁ ।

ଅନ୍ୟ ପକ୍ଷରେ ସରକାର ଙ୍କ ନିୟମକୁ ବେଖାତିର କରିଥିବା ହେତୁ ଆନୁସାଙ୍ଗୀକ ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ରେ ଏହି ପେଟ୍ରୋଲ ବଙ୍କକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ବଙ୍କ ମାଲିକ ଙ୍କ ବେଖାତିର୍ ମନୋଭାବ କୁ ନେଇ ଜନ ଅସନ୍ତୋଷ ଦେଖା ଦେବା ସହ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ କର୍ମକର୍ତ୍ତା ଙ୍କ ଏଥିପ୍ରତି ନଜର ପଡୁ ନଥିବା ଉପଭୋକ୍ତା ଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିବା ସହ ଏନେଇ ଅନେକ୍ ପ୍ରଶ୍ନ ଉଠୁଛି। ଗତ ଦିନରେ ଭୁବନେଶ୍ବର ସ୍ଥିତ ରାଜ ଭବନ ନିକଟରେ ହୋଇଥିବା ବଙ୍କ ବ୍ଲାଷ୍ଟ ଘଟଣା ଆଜି ଯାଏଁ ଜନ ସାଧାରଣଙ୍କ ମନରୁ ପାଶୋରା ଯାଇନଥିବା ବେଳେ ପୌର ପରିଷଦ ର ମୁଖ୍ୟ ହୃଦୟ ସ୍ଥଳରେ ରହିଥିବା ଏହି ରାମ କ୍ରିଷ୍ଣା ଫିଲିଙ୍ଗ ଷ୍ଟେସନ ଜନ ସାଧାରଣଙ୍କୁ ଆଗାମୀ ଅସମ୍ଭାବି ଦୁର୍ଘଟଣା ନେଇ ଆଶଙ୍କା ସୃଷ୍ଟି କରିଛି।

ଏହି ଫିଲିଙ୍ଗ ଷ୍ଟେସନ ପରିସୀମା କାନ୍ଥକୁ ଲାଗି ଜନ ବସତି ଓ ଧାନ ମିଲ୍ ରହିଥିବା ବେଳେ ଏହାର ୫୦ ମିଟର ଦୂରରେ ଏକ ବେସରକାରୀ ଶିଶୁ ବିଦ୍ୟାଳୟ , ହୋଟେଲ, ଲଡ୍ଜ୍ ରହିଛି। ଏଭଳି ୧୦୦ ମିଟର ଦୂରରେ ଏକ ସରକାରୀ ସ୍କୁଲ, ମନ୍ଦିର, ଚର୍ଚ୍ଚ ଓ ପୌର ବଜାର ରହିଅଛି। ଯଦି କୌଣସି କାରଣ ବସତ ଅଘଟଣ ଘଟେ ତାହାହେଲେ ବିପୁଳ ପରିମାଣର କ୍ଷୟ କ୍ଷତି ସହ ଜନ ଜୀବନ ନଷ୍ଟ ହେବା ଆଶଙ୍କା କୁ ଦୁରେଇ ଦିଆ ଯାଇ ନପାରେ। ଏଣୁ ଏହି ଫିଲିଙ୍ଗ ଷ୍ଟେସନ କୁ ଏଠାରୁ ସ୍ଥାନାନ୍ତରିତ କରିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି । ଆଗାମୀ ଦିନରେ ଏହାକୁ ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଗୁଣପୁର ଶାଖା ପକ୍ଷରୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିବା ସହ ଅପର ପକ୍ଷରେ ଏକ ଜନ ସ୍ଵାର୍ଥ ମାମଲା ରୁଜୁ କରିବା ନିମନ୍ତେ ପରିଷଦ ଅଣ୍ଟା ଭିଡିଥିବା ଜଣାପଡିଛି।

ଚିକିତ୍ସା ରେ ଅର୍ଥ ସାଜିଛି ବାଧକ; ସରକାରୀ ସହାୟତା କୁ ଅପେକ୍ଷା …!

!!! ଗଞ୍ଜାମ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନାରାୟଣ ପରିଡା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପୋଲସରା)- ଆଜି କାଲି ଦୁନିଆରେ ଅର୍ଥ ଅଛି ତ ସବୁ କିଛି ଅଛି ଅର୍ଥ ନାହିତ୍ ଆଜିର ସମାଜରେ ଚାଲିବା ଅସମ୍ଭ ବ,ଆଜି ଏମତି ଏକ ଅଘଟଣ ଗଞ୍ଜାମ ଜିଲ୍ଲା ପୋଲସରା ଏନ ଏ ସି ୱାର୍ଡ ନମ୍ବର 3 କମଳା ପାଟଣା ସାହିରେ ଦେଖିବାକୁ ମିଳିଛି ,ସୂଚନା ମୁତାବକ ବଳରାମ ପରିଡ଼ା ଙ୍କ ପରିବାରରେ ପରିବାର କହିଲେ ଦୁଇ ପୁଅ ଓ ଝିଅ ଓ ସ୍ତିରି ଭାଗ୍ୟ ଲତା ପରିଡ଼ା,ବଳରାମ ଙ୍କ ସାନ ପୁଅ ଦଶ ବର୍ଷ ଅଣ୍ଡା କୋଷରେ ଦ୍ରିଘ ଦି ନ ଧରି ଯନ୍ତ୍ରଣା ରେ ଛଟପଟ ହୋଇ ଆସୁ ଥିବା ଦେଖିବାକୁ ମିଳିଛି ନା ଅଛି ସରକାରୀ ସହାୟତା ନା କେହି ପରିଜନ ଆସୁଛନ୍ତି ସାହାଯ୍ୟ କରିବା ପାଇଁ ବି ଡ ମ୍ୱାନର ବିଷୟ ୨୦୧୭ ମସିହାରେ ପ୍ରଥମେ ସମସ୍ୟା ଦେଖା ଦେବାରୁ କଟକ ଶିଶୁ ଭବନ ଓ ତାପରେ ଅଚାଜ୍ୟ ହରିହର ମେଡିକାଲ ରେ ଚିଖିଚା କରାଇଥିଲେ।କିଛି ଦିନ ମଧ୍ୟରେ ଯନ୍ତ୍ରଣା ରୁ ମୁକ୍ତି ପାଇ ଥିଲେ ମଧ୍ୟ ପୁଣି ପ୍ରଦୁନ ଙ୍କ ଅବସ୍ଥା ବିଗିଡି ବାରେ ଲାଗିଲା,ବଳରାମ ନିଜ ପୁଅଙ୍କୁ ବଞ୍ଚାଇବା କୁ ପରି ଶେଷରେ ରହୁଥିବା ନିଜର ବାସ ଗୃହକୁ ବିକ୍ରି କରି ମୁଁ ବାଇ ନେଇ ଯାଇଥିଲେ ,ସେଠାରେ ଚିଖିଚିତ୍ ହୋଇ ଘରକୁ ଫେରିଥିଲେ ବଳରାମ ଙ୍କ କହିବା ମୁତାବକ ପ୍ରାୟ ଦଶ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି ଘରେ ଥିବା ସୁନା ଅଳଙ୍କାର ମଧ୍ୟ ବିକ୍ରି କରି ସାରି ଲେଣି କେବଳ ଭଗବାନ୍ ହ୍ନି ଭରସା ବୋଲି କୋହ ଭରା କଣ୍ଠ ରେ କହିଥିଲେ ।ପରିଶେଷରେ ସେନିଜ ର କୋହଭରା କଣ୍ଠରେ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ ,ଜିଲ୍ଲା ମୁଖ୍ୟ ଚିଖିଚା ଅଧିକାରୀ, ସ୍ଥାନୀୟ ବିଧାୟକ ,ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।

ମୁକୁନ୍ଦପୁର ଗ୍ରାମରେ ଇଣ୍ଡିଆନ ଗ୍ୟାସ ଗ୍ରାମୀଣ ବିତରକ କାର୍ଯ୍ୟାଳୟ ଉଦଘାଟିତ…!

!!! ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ମୁକୁନ୍ଦପୁର) – ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମରେ ଆଜି ଇଣ୍ଡେନ ଗ୍ରାମୀଣ ବିତରକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଶିବ କଣ୍ଡାଗରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟର ଉଦଘାଟନ କରିଥିବା ବେଳେ ମୁକୁନ୍ଦପୁର ସମିତିସଭ୍ୟ ଡକ୍ଟର ଆଇ ଗୋବର୍ଦ୍ଧନ ରାଓ, ଜୟପୁର ସ୍ଥିତ ଇଣ୍ଡେନ ଗ୍ରାମୀଣ ଗ୍ୟାସର ଆସିଷ୍ଟାଣ୍ଟ ମ୍ୟାନେଜର ବଜ ମାରାଣ୍ଡି ଓ କୈଳାଶପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜାଲୁଦୁ କଣ୍ଡାଗରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଉପସ୍ଥିତ ଅତିଥି ମାନଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁକୁନ୍ଦପୁର ଭଳି ଏକ ଆଦିବାସୀ ଅଞ୍ଚଳରେ ଲୋକେ ଇଣ୍ଡିଆନ ଗ୍ୟାସର ଏହି ଇଣ୍ଡେନ ଗ୍ରାମୀଣ କାର୍ଯ୍ୟାଳୟ ଦ୍ୱାରା ଲୋକେ ସୁଲଭ ମୂଲ୍ୟରେ ଗ୍ୟାସ ସିଲିଣ୍ଡର ପାଇବା ସହ ମୁକୁନ୍ଦପୁର ଠାରେ ଏହି କାର୍ଯ୍ୟାଳୟ ଯୋଗୁଁ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଉପସ୍ଥିତ ଅତିଥିଗଣ କହିଥିଲେ। ଏହି ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ପିଛା ୮୮୮ ଟଙ୍କା ରହିଥିବା ବେଳେ ଯଦି ଜଣେ ବ୍ୟକ୍ତି ନୂତନ ଭାବେ ସେଟ ନେଲେ ୫ ହଜାର ୨ ଶହ ଟଙ୍କା ରହିଥିବା ଶ୍ରୀ ମାରାଣ୍ଡି କହିଥିଲେ। ମୁକୁନ୍ଦପୁର କାର୍ଯ୍ୟାଳୟରେ ପ୍ରଶାନ୍ତ କୁମାର ନାୟକ ଓ ସୀମାଞ୍ଚଳ ବେହେରା ରହି ପରିଚାଳିତ କରିବା ଜଣାପଡ଼ିଥିବା ବେଳେ ଡିଷ୍ଟିବୁଟର ଅମିତ କୁମାର ସାହୁ, ରାମ ଶଙ୍କର, ରଜନୀ ପାଲ ଏବଂ ମାନସ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

୨୪ ଅଗଷ୍ଟ, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। ସାମାନ୍ୟ ଚେଷ୍ଟା କଲେ ବକେୟା ଅର୍ଥ ମିଳିଯିବ।

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନ୍ୟାୟ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ପରିବାରରେ କିଛି ଅସୁବିଧା ଥିଲେ ତା’ର ସମାଧାନ ହୋଇଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

କର୍କଟ: ଲୋକସମ୍ପର୍କ ବଢ଼ିବ। ନକାରାତ୍ମକ ଭାବନା ରଖୁଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍।

ସିଂହ: ମାନସମ୍ମାନ ବଢ଼ିବ। ପୂର୍ବ ଯୋଜନା ସଫଳ ହେବ। ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି।

କନ୍ୟା: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପୂର୍ଣ୍ଣ ହେବ। ପରିବାରରେ ଶାନ୍ତି ବଜାୟ ରହିବ। ଅର୍ଥଲାଭ ହେବ।

ତୁଳା: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ଦୃଢ଼ କରିବ। ଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ଅର୍ଜନ କରିବେ।

ବିଛା: ପ୍ରିୟଜନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ। କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱରେ ରହିବେ।

ଧନୁ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। କୌଣସି ପ୍ରକାର ପ୍ରତିବନ୍ଧକକୁ ଭୟ କରିବେ ନାହିଁ।

ମକର: ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପୁରୁଣା ରୋଗ କାରଣରୁ ସାଧାରଣ ଜୀବନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ପାଇବେ। ନିକଟ ସମ୍ପର୍କୀୟ ମାନଙ୍କ ସହିତ ମଧୁର ସମ୍ପର୍କ ରହିବ। ଦାମ୍ପତ୍ୟ କଳହର ଅବସାନ ଘଟିବ।

ମୀନ: ଆଶା ପୂରଣ ହେବ। କୌଣସି କର୍ମ କରି ପ୍ରଶଂସା ପାଇବେ। ପିଲାମାନଙ୍କ ସଫଳତାରେ ଆତ୍ମସନ୍ତୋଷ ପାଇବେ।