ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ରତ୍ନସିଂହାସନରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ସର୍ବସାଧାରଣ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ।ସରକାରୀ ଗାଇଡଲାଇନ୍‌ ଅନୁଯାୟୀ,  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ । ଶୃଙ୍ଖଳିତ  ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି।  ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ। ସେହିପରି  ଆଜି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର।  କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି।  ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ ।

ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ  । ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ । ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି।  ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ  । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।  ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍‌ରେ ଉଲ୍ଲେଖ ଅଛି।

ମନ ଜିଣିବାକୁ ନବୀନ ଙ୍କ ବଡ଼ ଷ୍ଟ୍ରାଟେଜି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗରିବଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ, ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଯୁବବର୍ଗଙ୍କୁ ଫୋକସ୍ ଦିଆଯାଇଛି। ଆଉ ଏବେ ମହିଳାଙ୍କ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।  ପ୍ରଶାସନର ଶୀର୍ଷସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ରୋଜଗାର ସୁଯୋଗ ଦେବାପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତାସହିତ ଯେଉଁ ସବୁ ବିଭାଗ ଏ କ୍ଷେତ୍ରରେ ପଛରେ ପ଼ଡିଛନ୍ତି ସେମାନଙ୍କୁ କରାଯାଇଛି ତାଗିଦ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର କଡ଼ା ମନିଟରିଂ ହେଉଥିବା ଏହି ଚିଠାରୁ ଜଣାପଡ଼ିଛି। ସମୀକ୍ଷା ପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ହସ୍ତତନ୍ତ ଓ ବୟନଶିଳ୍ପ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗକୁ ବି ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ କରାଯାଇଛି ତାଗିଦ।  SHG ସଦସ୍ୟାମାନଙ୍କୁ ଅଧିକରୁ ଅଧିକ କାମ ଦେବା ପାଇଁ ମୋଟ୍ ୧୯ଟି ବିଭାଗକୁ ଦିଆଯାଇଛି  ଟାସ୍କ । ଯେମିତିକି ଏବେ ୧୧ଟି ଜିଲ୍ଲାରେ SHG ଗ୍ରୁପ୍ ଧାନ ସଂଗ୍ରହ କରୁଥିବା ବେଳେ ସବୁ ଜିଲ୍ଲାରେ ସେମାନଙ୍କୁ ଏଥିରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସେଭଳି ପିଡିଏସ୍ ସାମଗ୍ରୀ ବଣ୍ଟନ, ମାଛ ଚାଷ, ପରିବା ଚାଷ, ଛତୁ ଚାଷ, ସ୍କୁଲ ଗୁଡ଼ିକୁ ଯୁନିଫର୍ମ ଯୋଗାଣ, ଇଲେକ୍ଟ୍ରି ମିଟର ରିଡିଂ ଓ ବିଲ୍ କଲେକ୍ସନ, ଆହାର ଯୋଜନା ଓ ବୃକ୍ଷ ରୋପଣ ଆଦି କାମ ଦେବାକୁ କୁହଯାଇଛି।  ମିଶନ୍ ଶକ୍ତିକୁ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦିଆଯିବା ପରେ ଏସବୁ ଉପରେ ଫୋକସ୍ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷରୁ ଏହି ବିଭାଗ ପାଇଁ ବଜେଟରେ ମଧ୍ୟ ବ୍ୟବସ୍ଥା ରହିବ। ରାଜ୍ୟରେ ଏବେ ୬ ଲକ୍ଷ ସ୍ୱୟଂ ସହାୟକ ଗ୍ରୁପ୍ ଥିବା ବେଳେ ସେଥିରେ ପ୍ରାୟ ୭୦ ଲକ୍ଷ ସଦସ୍ୟ ଅଛନ୍ତି । ତେଣୁ ବିଭିନ୍ନ ଯୋଜନା କରି ସେମାନଙ୍କ ମନ ଜିଣିବାକୁ ତିଆରି ହୋଇଛି ବଡ଼ ଷ୍ଟ୍ରାଟେଜି । ବିଭିନ୍ନ ନିର୍ବାଚନରେ ସରକାରୀ ବିରୋଧୀ ହାଓ୍ୱା ଥିବା ସତ୍ତ୍ୱେ ମହିଳାମାନଙ୍କ ଭୋଟ୍ ବିଜେଡି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ତେଣୁ ମହିଳା ଭୋଟ୍‌ ବ୍ୟାଙ୍କରେ ଯେପରି ବିରୋଧୀ ଭାଗ ନବସାନ୍ତି ଓ ନିଜ ଭୋଟ୍ ବ୍ୟାଙ୍କ ଅକ୍ଷୁଣ୍ଣ ରଖିବାକୁ ବିଜେଡି SHG କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । ତେବେ ବିରୋଧୀ କହିଛନ୍ତି ମହିଳା ସଶକ୍ତୀକରଣ ନାଁରେ ଏସ୍ଏଚ୍‌ଜିଙ୍କୁ ବ୍ୟବହାର କରି ପଂଚାୟତ ଓ ପୌର ନିର୍ବାଚନ ପାର ହେବାକୁ ବିଜେଡିର ଏସବୁ ଯୋଜନା।   ମହିଳା ହୁଅନ୍ତୁ କି ଚାଷୀ, ଯୁବବର୍ଗ ହୁଅନ୍ତୁ କି ଗରିବଗୁରୁବା ବିଭିନ୍ନ ସ୍କିମ୍ ଆଣି ଏବେଠାରୁ ନିଜ ସପକ୍ଷରେ ମାହୋଲ୍ ବନାଇବାକୁ ଚେଷ୍ଟା କରୁଛି ବିଜେଡି । ତେବେ ଏସବୁ ଷ୍ଟ୍ରାଟେଜି କେତେ କାମ ଦେଉଛି ତା ଉପରେ ନଜର ରହିଛି।

ଦଳ ଛାଡ଼ିବେ କି ବାହିନୀପତି ….?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।  କହିଛନ୍ତି  ସମ୍ମାନ ପାଇଁ ଲଢ଼େଇ ଜାରି ରହିବ । ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି। କଂଗ୍ରେସ କାହାର ପୈତୃକ ସଂପତ୍ତି ନୁହେଁ। ସମ୍ମାନ ହାସଲ ପାଇଁ ଦିଲ୍ଲୀ ଯାଏଁ କଥା ନେବି। ଦଳର ଗତି ନିମ୍ନଗାମୀ ହେଲାଣି।  ପିସିସି ସଭାପତି ଦଳକୁ ଏକଜୁଟ କରିବା କଥା ବୋଲି ତାରା କହିଛନ୍ତ।  ପୂର୍ବରୁ ତାରା କହିଥିଲେ ଯେ, କଂଗ୍ରେସରେ ରହିବି, ହେଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ।  ସେ ବିବାଦର ସମାଧାନ କରିବା ବଦଳରେ ଏହାକୁ ବଢ଼ାଉଛନ୍ତି। ତାଙ୍କର ବୟସ ହେଇଗଲାଣି। ସେ ପିସିସି ସଭାପତି ପଦ ଛାଡି ଦେବା କଥା। ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ, ସେ ଜାଣି ନାହାନ୍ତି। ଆହୁରୀ କହିଥିଲେ ଯେ, ପିସିସି ସଭାପତି ପଦ କ’ଣ ତାଙ୍କ ପୈତୃକ ସମ୍ପତ୍ତି। ପିସିସି ସଭାପତି ପଦ ପାଇଁ ସେ ଯୋଗ୍ୟ ନୁହନ୍ତି। ମୋ ସମ୍ମାନ ଉପରକୁ ଆଞ୍ଚ ଆସିଛି। ଦରକାର ପଡ଼ିଲେ ବିଧାନସଭାରୁ ଇସ୍ତଫା ଦେବି । ପୁଣି ଥରେ ଲଢ଼ିବି। ଦିଲ୍ଲୀ ଯାଏ ଯିବି। ତାରା କହିଥିଲେ ଯେ, ପୂର୍ବତନ ବିଧାୟକ କୈଳାସ କୁଲେସିକା ଯଶବନ୍ତପୁର ଓ ନାରାୟଣପାଟଣା ବ୍ଲକ ସଭାପତି ନିଯୁକ୍ତି ନିମନ୍ତେ ଟଙ୍କା ମାଗାଯାଇଥିବା ଅଭିଯୋଗ ଆଣି ଜିଲ୍ଲା ସଭାପତି (ମୀନାକ୍ଷୀ ବାହିନୀପତି) ଓ ମୋ ବିରୋଧରେ ଫେସବୁକ୍‌ରେ ଛାଡ଼ିଲେ।  ନିର୍ବାଚନର ଅଢ଼େଇ ବର୍ଷ ପରେ ଟଙ୍କା ମାଗିବା ଘଟଣା କିପରି ଉଠିଲା? ଏନେଇ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି କଥା ହେଲେ। ଯଦି କୈଳାସ କୁଲେସିକା ଜିଲ୍ଲାରେ ରହିବେ, ତା’ହେଲେ ଏନେଇ ଜିଲ୍ଲା ସଭାପତିଙ୍କୁ କାହିଁକି ଜଣାଗଲା ନାହିଁ? କୈଳାସ କୁଲେସିକା ଦଳ ଛାଡ଼ିବା ନିଷ୍ପତ୍ତି ପ୍ରତ୍ୟାହାର କଲେ ବୋଲି କାହିଁକି ଜିଲ୍ଲା ସଭାପତିଙ୍କୁ ନିରଞ୍ଜନ ପଟ୍ଟନାୟକ ଜଣାଇଲେ ନାହିଁ? ଯେଉଁମାନେ ଦଳକୁ ବିଶୃଙ୍ଖଳିତ କରୁଛନ୍ତି, ଇସ୍ତଫା ଦେବେ ବୋଲି ଧମକ ଦେଉଛନ୍ତି, ତାଙ୍କୁ ସୁଯୋଗ  ଦିଆଯାଉଛି।  କଂଗ୍ରେସ ଦିନକୁ ଦିନ ତଳକୁ ତଳ ଯାଉଛି। ଆମେ  ଲଢ଼େଇ ଜାରି ରଖିବୁ। ସେ ଆହୁରି କହିଥିଲେ ଯେ, ବିଜେଡି ବିଧାୟକ ନବୀନଙ୍କ ନାଁରେ ଜିତନ୍ତି।  ମୋଦିଙ୍କ ନାଁରେ ବିଜେପି ବିଧାୟକ ଜିତନ୍ତି । କଂଗ୍ରେସ ବିଧାୟକ କିନ୍ତୁ ନିରଞ୍ଜନଙ୍କ ନାଁରେ ଜିତିପାରନ୍ତି ନାହିଁ।

ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ବୁଥସ୍ତରରେ ତତ୍କାଳ ଭୋଟ୍ ଗଣତି ବ୍ୟବସ୍ଥାରେ ଅବାଞ୍ଝିତ ପରିବର୍ତ୍ତନ କରି ରାଜ୍ୟ ସରକାର ପ୍ରଚଳିତ ଭୋଟ୍ ଗଣତି ପ୍ରକ୍ରିୟାକୁ ସନ୍ଦେହଘେରକୁ ଠେଲି ଦେଇଛନ୍ତି। ଏହା ରାଜ୍ୟରେ ପଂଚାୟତ ନିର୍ବାଚନରେ ଭୋଟ ହେରାଫେରି ଉଦ୍ୟମର ଆଭାସ ଦେଉଛି ଓ କପି କରି ପ୍ରଥମ ହେବାକୁ ବିଜେଡି ସରକାର ଏବେଠୁ ଲକ୍ଷ୍ୟ ରଖିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ଶାଖା ପଂଚାୟତିରାଜ ସମିତି ସଂଯୋଜକ ଶଙ୍କର୍ଷଣ ପରିଡ଼ା ଅଭିଯୋଗ କରିଛନ୍ତି ଯେ, କପି କରି ପଂଚାୟତ ନିର୍ବାଚନରେ ପ୍ରଥମ ହେବା ପାଇଁ ଭୋଟ୍ ହେରାଫେରି କରିବାକୁ ଏବେଠୁ ଅସାଧୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପଂଚାୟତ ନିର୍ବାଚନରେ ରାଜ୍ୟର ପ୍ରାୟ ୧ ଲକ୍ଷ ବୁଥ୍‌ର ୪ ଲକ୍ଷ ଭୋଟ ବାକ୍ସକୁ ବିଧିବଦ୍ଧ ଭାବେ ସୁରକ୍ଷା ଦେବା ପାଇଁ ବ୍ଲକସ୍ତରରେ ଆବଶ୍ୟକୀୟ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା ନାହିଁ କିମ୍ବା ଜିଲ୍ଲାସ୍ତରରେ ଏତେ ବିପୁଳ ସଂଖ୍ୟକ ଭୋଟବାକ୍ସ ପାଇଁ ଏ ଯାବତ ରାଜ୍ୟରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ବିଧାନସଭା ଓ ସଂସଦୀୟ ନିର୍ବାଚନ କ୍ଷେତ୍ରରେ ପ୍ରତି ପଂଚାୟତରେ ବୁଥ୍ ମାତ୍ର ୪ କିମ୍ବା ୫ ରେ ସୀମିତ ଥିଲାବେଳେ ପଂଚାୟତ ନିର୍ବାଚନରେ ଏହି ବୁଥ୍ ସଂଖ୍ୟା ପ୍ରାୟ ୧୫ରୁ ୩୦। ପୌର ନିର୍ବାଚନ ପରାଜୟ ଭୟରେ ପ୍ରାୟ ୩ ବର୍ଷ ଧରି ପୌର ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ରାଜ୍ୟ ସରକାର ପୁନଶ୍ଚ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପରୋକ୍ଷଭାବେ ପ୍ରଭାବିତ କରି ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିବାର ଅସାଧୁ ଉଦ୍ୟମ ଜାରି ରଖିଛନ୍ତି। ସେ କହିଛନ୍ତି, ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ୱାର୍ଡ ଏବଂ ପଂଚାୟତସ୍ତରରେ ଦଳୀୟ ନିର୍ବାଚନୀ ବ୍ୟବସ୍ଥା ନାହିଁ, ଏହା ନିର୍ଦଳୀୟ। ନିର୍ବାଚନୀ ପ୍ରକ୍ରିୟାର ଅଂଶ ବିଶେଷଭାବେ ଭୋଟ ବାକ୍ସ ପ୍ରାବଧାନ ଓ ଗଣତିର ଗଣିତକୁ ସହଜ ସରଳ ମାନସାଙ୍କ ପରିବର୍ତ୍ତେ ଜଟିଳ ଜ୍ୟାମିତିରେ ପରିଣତ କରି ତୃଣମୂଳ ଗଣତାନ୍ତ୍ରିକ ବିଧି ବିଧାନର ବ୍ୟାପକ ଉଲଂଘନ କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି। ଶ୍ରୀ ପରିଡ଼ା ଆହୁରି କହିଛନ୍ତି, ଶାସକ ବିଜେଡିର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଷାରେ ରାଜ୍ୟ ସରକାର କପି କରି ଫାଷ୍ଟ ହେଉଛନ୍ତି । ତେଣୁ ସରକାର ଅଭ୍ୟାସଗତ ଭାବେ ପଂଚାୟତ ନିର୍ବାଚନରେ ମଧ୍ୟ କପି କରି ପ୍ରଥମ ହେବାପାଇଁ ଏବେ ଉଦ୍ୟମ କରିବାକୁ ପଛାଇନାହାନ୍ତି । ଲୋକସଭା ଓ ବିଧାନସଭା ଲୋକମାନଙ୍କ ସଭା ନୁହେଁ ଏହା ଲୋକ ପ୍ରତିନିଧିମାନଙ୍କର ସଭା । ଲୋକମାନଙ୍କୁ ପ୍ରତ୍ୟକ୍ଷ ଶାସନରେ ଭାଗିଦାରୀ କରିବା ନିମନ୍ତେ ୧୯୯୩ ମସିହାରେ ଭାରତୀୟ ସଂମ୍ବିଧାନ ସଂଶୋଧନ କାରାଯାଇ ଶକ୍ତିଶାଳୀ ତୃଣମୂଳ ସରକାର (ପଂଚାୟତ) ଗଠନ କରିବାର ପରିକଳ୍ପନାକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିଲା। ତଦନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଭଳି ତୃଣମୂଳ ସ୍ତରରେ ଅନ୍ୟ ଏକ କାର୍ଯ୍ୟନିର୍ବାହୀ ସରକାର ଗଠନ କରିବା ପାଇିଁ ସାମ୍ବିଧାନିକ ଆଇନ ପ୍ରଣୟନ କରାଗଲା । କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ତୃଣମୂଳ ସରକାରର ଗଠନ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରିବାକୁ ରାଜ୍ୟ ସରକାର ଭୋଟ ହେରାଫେରିର ସଙ୍ଗୀନ ଷଡ଼ଯନ୍ତ୍ର ରଚିବା ସହିତ ବିଜେପିର କ୍ରମବର୍ଦ୍ଧିଷ୍ଣୁ ଜନମତ ସପକ୍ଷରେ ବିଜୟ ଲାଭ କରିବା ନିମନ୍ତେ ଗଳାବାଟ ଖୋଜୁଛନ୍ତି । ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥା ଓ ନିର୍ବାଚନୀ ପ୍ରକ୍ରିୟା ଯାହା ୭୩ତମ ସଂମ୍ବିଧାନ ସଂଶୋଧନର ମାର୍ଗଦର୍ଶକ ଭାବେ ଉଭା ହୋଇଥିଲା, ତାକୁ ଏବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ବଳରେ ବ୍ୟାପକ ପରିବର୍ତ୍ତନ କରାଇ ରାଜ୍ୟ ସରକାର ପ୍ରଚଳିତ ପଂଚାୟତିରାଜ ବିଧିବ୍ୟବସ୍ଥାକୁ ଭଣ୍ଡୁର କରିବାରେ ଲାଗି ପଡ଼ିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ନଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ଅନୁରୋଧ କରିବା ସହ ବିଧି ଆଧାରିତ ନିର୍ବାଚନ କରିବାକୁ ଦାବି କରିଛି ବୋଲି ଶଙ୍କର୍ଷଣ ପରିଡ଼ା କହିଛନ୍ତି।

ଖରସ୍ରୋତା ପ୍ରୋଜେକ୍ଟ ପାଇଁ ଫେକ୍ ପରିବେଶ ରିପୋର୍ଟ ଦେଇଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବିବାଦୀୟ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି। ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ନକଲି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ(ଇଏସଆଇଏ) ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ନିମନ୍ତେ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ ଓ ମନୋରଞ୍ଜନ ଦାଶ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ହାଇଦ୍ରାବାଦର ଆଇଆଇଟି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏପରିକି ରାଜ୍ୟ ସରକାର ଯେଉଁ ଇଏସଆଇଏ ରିପୋର୍ଟକୁ ଦେଖାଉଛନ୍ତି ତାହା ଅସଲି ନୁହେଁ ନକଲି। ୯୦୦ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନ ସ୍ତରକୁ ଖସି ଯାଇ ମିଛ ଫେକ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୂଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ। ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପରିବେଶ ସାମାଜକି ପ୍ରଭାବ (ଇଏସଆଇଏ) ପରିବେଶ ସାମାଜିକ ପ୍ରଭାବ ରିପୋର୍ଟର୍ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ଯେହେତୁ ପ୍ରକଳ୍ପଟି ଭିତରକନିକା ଇକୋ ସେନ୍‌ସିଟିଭ ଜୋନ୍ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍‌ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ। ଭିତରକନିକା ଉପରେ ପ୍ରକଳ୍ପର କ’ଣ ପ୍ରତିକୂଳ ପ୍ରଭାବ ବା ପଡ଼ିବ ନାହିଁ ତାର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ କରାଯାଏ, ତା’ପରେ ଇକୋ ସେନ୍‌ସିଟିଭ ଜୋନ କମିଟିର ବୈଠକରେ ଆଲୋଚନା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ  ରହିଛି।  ଏ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ୨୦୧୫ ଜୁନ୍ ୧୬ତାରିଖରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ। ମାତ୍ର ରାଜ୍ୟ ସରକାର ଏହି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି (ପରିବେଶ ସାମାଜିକ ପ୍ରଭାବ) ଅନୁଧ୍ୟାନ କରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମତି ଦେବା ପୂର୍ବରୁ  ଭିତରକନିକା ଉପରେ କ’ଣ ପ୍ରଭାବ ପଡ଼ିବ ସେ ସମ୍ପର୍କରେ କାହିଁକି ଦେଶର ବିଶ୍ୱସନୀୟ ସଂସ୍ଥା ଠାରୁ ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ ପ୍ରସ୍ତୁତ କଲେ ନାହିଁ । ଏହା ଏକ ସ୍ପର୍ଶକାତର ପରିବେଶ ସଂକ୍ରାନ୍ତ ପ୍ରସଙ୍ଗ ହୋଇଥିବାବେଳେ ସରକାର ଆଇଆଇଟି ହାଇଦ୍ରାବାଦର ସିଭିଲ ଇଂଜିନିୟରିଂ ବିଭାଗ ଦ୍ୱାରା କାହିଁକି ପ୍ରସ୍ତୁତ କରାଇଲେ । ଯେଉଁ ରିପୋର୍ଟ ସରକାର ଦେଖାଉଛନ୍ତି ସେଥିରେ ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ। ଯଦି ଅଛି ସରକାର ଦେଖେଇ ଦିଅନ୍ତୁ କେଉଁଠି ଓ କ’ଣ ଉଲ୍ଲେଖ ଅଛି? ପ୍ରକଳ୍ପ ପାଇଁ ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ସରିବାପରେ କାହିଁକି ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂ ଡାକିଲେ? ଏହି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ ସରକାରଙ୍କ ପାଖରେ ନରହି ଠିକା ନେଇଥିବା ସଂସ୍ଥା ମେଘା ଇନ୍‌ଫ୍ରା ପାଖରେ ରହିଲା କେମିତି? ବାସ୍ତବରେ ଏହି ସର୍ଭେ ରିପୋର୍ଟ ରାଜ୍ୟ ସରକାର କରିଛନ୍ତି ନା ଠିକାଦାର ସଂସ୍ଥା ପକ୍ଷରୁ ଲୁଚାଛପାରେ ପ୍ରସ୍ତୁତ କରାଯାଇଛି ସେ ନେଇ କଂଗ୍ରେସ ଜବାବ ମାଗିଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

ମମତାଙ୍କୁ ଲେଡି ତାଲିବାନ କହି ଚୁଗୁଲି କଲେ ବିଜେପି ନେତା….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି। ଏହାରି ଭିତରେ ଏହି ତାଲିବାନୀ ଶବ୍ଦକୁ ବ୍ୟବହାର କରି ଭାରତରେ ମଧ୍ୟ ବିଭିନ୍ନ ପ୍ରକାର ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଯେପରି ରାଜନୀତିକ ହିଂସା ଘଟିଛି ତାକୁ ନେଇ ବିଜେପି ଶାସକ ଟିଏମସିକୁ ବାରମ୍ବାର ସମାଲୋଚନା କରୁଛି। ଏହାରି ଭିତରେ ପଶ୍ଚିମବଙ୍ଗର ଦାନ୍ତୁନରେ ଜଣେ ବିଜେପି ନେତା ହତ୍ୟାର ଶିକାର ହୋଇଛନ୍ତି। ଏହାପରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଡି ତାଲିବାନ କହି ଛିଗୁଲେଇଛନ୍ତି। ନିକଟରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ ଦ୍ୱାରା ଗୋଟିଏ ପରେ ଗୋଟିଏ ଝଟକା ଖାଇଥିବା ମମତା ସରକାରଙ୍କୁ ବିଜେପି ନେତା ଲେଡି ତାଲିବାନ ବୋଲି କହିବା ପରେ ଟିଏମସି ମଧ୍ୟ କହିଛି ଠିକଣା ସମୟରେ ଜବାବ ଦେବ। ମମତାଙ୍କ ପ୍ରତି ଏପରି ଶବ୍ଦ କହିବା ଠିକ୍ ନୁହେଁ ବୋଲି ଟିଏମସି କହିଛି। ଦାନ୍ତୁନରେ ଜଣେ ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସ୍ୟାନତନ ବସୁ କହିଛନ୍ତି ସାରା ରାଜ୍ୟରେ ଏଭଳି ହିଂସା ଓ ଅତ୍ୟାଚାର ଘଟୁଛି। ବିରୋଧୀଙ୍କ ସମସ୍ତ ଅଧିକାରକୁ ଖଣ୍ଡନ କରାଯାଇଛି। ବେଙ୍ଗଲରେ ତାଲିବାନ ଶାସନ ଚାଲିଛି। ଏହା ପରେ ସେ କହିଛନ୍ତି ଯେ ଯଦି କୌଣସି ମହିଳା ତାଲିବାନକୁ ଦେଖିବାକୁ ଚାହାଁନ୍ତି ତେବେ ସେ ବେଙ୍ଗଲକୁ ଆସିବା ଉଚିତ୍। ଟିକେଟ୍ କିଣି କାବୁଲ ଯିବାର କୌଣସି ଆବଶ୍ୟକତା ନାହିଁ। ଲେଡି ତାଲିବାନ ନିଜେ କାଲିଘାଟରେ ରହୁଛନ୍ତି। ବସୁ ଏଭଳି କହି ପରୋକ୍ଷରେ ମମତାଙ୍କୁ ଛିଗୁଲେଇଛନ୍ତି। କାରଣ କାଲିଘାଟରେ ରହିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ। ସେହିପରି ତ୍ରିପୁରାରେ ଟିଏମଲି ରକ୍ଷାବନ୍ଧନ ପର୍ବ ପାଳନ କରୁଛି। ଏହା ଉପରେ ସେ କହିଛନ୍ତି ଯେ ଯଦି ଆପଣ ସେଠାରେ ରାକ୍ଷୀ ପର୍ବକୁ ୩୬୫ ଦିନ ପାଳନ କରନ୍ତି, ତେବେ ଏହାର କ’ଣ ପାର୍ଥକ୍ୟ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜର ବ୍ୟକ୍ତିଗତ ପରାମର୍ଶ ଦେଇ ସେ କହିଛନ୍ତି ଟିଏମସି ଆଫଗାନିସ୍ତାନ ଯାଇ ରକ୍ଷାବନ୍ଧନ ପର୍ବ ପାଳନ କରିବା ଉଚିତ୍।ଅନ୍ୟପକ୍ଷରେ ଟିଏମସି ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ଯଦି ବିଜେପି ନେତାମାନେ ଏଭଳି ବିବୃତ୍ତି ଦିଅନ୍ତି, ତେବେ ଟିଏମସି ଏହାକୁ ବରଦାସ୍ତ କରିବ ନାହିଁ ଏବଂ ଏହାର କଡ଼ା ଜବାବ ଦିଆଯିବ।

ଟପୋରି ଲୁକ୍‌ରେ ଧୋନି, କହିଲେ- ଅସଲ ପିକଚ୍‌ର ଅଭି ବାକି ହୈ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପର୍‌ପଲ ରଙ୍ଗର ଷ୍ଟାର ପ୍ରିଣ୍ଟ ଜ୍ୟାକେଟ୍‌ ସାଙ୍ଗକୁ ହଳଦିଆ କେଶ। କଥା କହିବା ଶୈଳୀ ମଧ୍ୟ ପୂରା ଭିନ୍ନ। ପୂରାପୁରି ଟପୋରି ଲୁକ୍‌ରେ ନଜର ଆସିଛନ୍ତି ସିଏସ୍‌କେର କୁଲ କ୍ୟାପଟେନ୍‌। ପୁଣି ଥରେ ନୂଆ ଲୁକ୍‌ରେ ନଜର ଆସିଛନ୍ତି ମହେନ୍ଦ୍ର ସିଂ ଧୋନି। ବେଶ୍‌ ରଙ୍ଗିଲା ଅନ୍ଦଜରେ ସାମ୍ନାକୁ ଆସିଛନ୍ତି ମାହି। ଖୁବ ଶୀଘ୍ର କ୍ରିକେଟ୍ ପଡ଼ିଆରେ ଧୋନିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିବ। ୟୁଏଇରେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଧୋନି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନୂଆ ହେୟାରଷ୍ଟାଇଲ୍‌କୁ ନେଇ ଧୋନିଙ୍କ ଚର୍ଚ୍ଚା ହେଉଛି। ନିକଟରେ ଧୋନି ଏକ ବିଜ୍ଞାପନର ସୁଟ୍ ପାଇଁ ନୂଆ ହେୟାର୍ ଷ୍ଟାଇଲ୍ କରିଥିଲେ ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି। ଆଇପିଏଲ୍ ୨୦୨୧ର ବ୍ରଡକାଷ୍ଟର୍ ଚ୍ୟାନେଲ୍ ଷ୍ଟାର୍ ସ୍ପୋର୍ଟସ୍ ଦ୍ୱାରା ଏମ୍ଏସ୍ ଧୋନିଙ୍କ ଏହି ବିଜ୍ଞାପନ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ଧୋନିଙ୍କ କେଶ ରଙ୍ଗ-ବେରଙ୍ଗ ହୋଇଛି ଏବଂ ସେ ଷ୍ଟାର ପ୍ରିଣ୍ଟର ଜ୍ୟାକେଟ୍ ପିନ୍ଧିଛନ୍ତି। ଧୋନି ଏକ ଟପୋରି ଭାବରେ ନଜର ଆସିଛନ୍ତି। ଏହି ବିଜ୍ଞାପନରେ ଧୋନି କହୁଛନ୍ତି–‘ଅସଲି ପିକ୍ଚର ଅଭି ବାକି ହୈ’। ସେପଟେ ଏଥିର କିନ୍ତୁ ଧୋନିଙ୍କ ନୂଆ ଲୁକ୍‌ ପ୍ରଶଂସକଙ୍କୁ ପସନ୍ଦ ଆସୁନାହିଁ। ଅନେକ ଫ୍ୟାନ୍ସ ପ୍ରସାରଣ କରିଥିବା ଚ୍ୟାନେଲକୁ ଗାଳି ଦେଉଛନ୍ତି। ଏଥିସହିତ କିଛି ଫ୍ୟାନ୍ସ ଧୋନିଙ୍କୁ ବଲିଉଡ ଷ୍ଟାର ରଣବୀର ସିଂଙ୍କଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ଧୋନି ମୁମ୍ବାଇରେ ଏକ ଫୁଟବଲ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ରଣବୀର ସିଂ ମଧ୍ୟ ଭାଗ ନେଇଥିଲେ। ସେଠାରେ ଧୋନି ଏବଂ ରଣବୀରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟଙ୍କ ଫଟେକୁ ରଣବୀର ସିଂ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ଯାହା ଭାଇରାଲ ହୋଇଥିଲା।

ଆଇପିଏଲ ପୂର୍ବରୁ ଆରସିବିକୁ ଝଟକା, ପଦ ଛାଡ଼ିଲେ ମୁଖ୍ୟ କୋଚ୍‌…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସେପ୍ଟେମ୍ବର ୧୯ରୁ କରୋନା ପାଇଁ ଅଧାରେ ଅଟକିଥିବା ଆଇପିଏଲର ୧୩ର ବଳକା ମ୍ୟାଚ୍‌ ଆରମ୍ଭ ହେବ। ଦୁବାଇରେ ଖେଳା ଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ଆରସିବିକୁ ଜୋରଦାର ଝଟକା ଲାଗିଛି। ଦଳର ମୁଖ୍ୟକୋଚ୍‌ ସିମୋନ କାଟିଚି ହଠାତ୍‌ ନିଜ ପଦରୁ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଆରିସିବି ସହ ଚଳିତ ଆଇପିଏଲ ସଂସ୍କରଣରେ କାମ କରିବେ ନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ଆଜି ଆରିସିବି ପକ୍ଷରୁ ଘୋଷଣା କରାଯାଇଛି। କାଟିଚ ପଦ ଛାଡ଼ିଥିବାରୁ ଦଳର କ୍ରିକେଟ ନିର୍ଦ୍ଦେଶକ ମାଇକ ହେନସନ ଆଇପିଏଲ ୨୦୨୧ରେ ଆରସିବିର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବେ। ଆଜି କାଟିଚଙ୍କ ୪୫ତମ ଜନ୍ମ ଦିନ ହୋଇଥିବା ବେଳେ ସେ ଆରସିବିର ମୁଖ୍ୟ କୋଚ୍‌ ପଦ ଛାଡ଼ିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଓପନର କାଟିଚି ଆଇପିଏଲର ଦୁଇଟି ସଂସ୍କରଣରେ ଆରସିବିର ମୁଖ୍ୟ କୋଚ୍‌ ଭୂମିକା ତୁଲାଇଛନ୍ତି। କାଟିଚିଙ୍କ କୋଚିଂ ବଳରେ ଆରସିବି ୨୦୨୦ରେ ପ୍ଲେ-ଅଫକୁ ଯାଇଥିଲା। ୨୦୧୬ ପରେ ଦଳ ପ୍ରଥମଥର ପାଇଁ ପ୍ଲେଅଫ ଖେଳିବାର ଗୌରବ ଅର୍ଜନ କରିଥିଲା। ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ ସଂସ୍କରଣ ଅଧାରୁ ବନ୍ଦ ହେବା ବେଳକୁ ଆରସିବି ୧୦ଟି ମ୍ୟାଚ୍‌ରୁ ୭ଟି ଜିତିଛି। ଦଳ ୩ ନଂ ସ୍ଥାନରେ ରହିଥିଲା। ଏହି ଠାରୁ ହିଁ ଆରସିବି ବାକି ମ୍ୟାଚ୍‌ ଖେଳିବା ଆରମ୍ଭ କରିବ।

୨୩ ଅଗଷ୍ଟ, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। କୌଣସି ନୂତନ କାମ କରିବାକୁ ଚାହୁଁଥିଲେ ଅବଶ୍ୟ କରିପାରିବେ। ଆୟ ବୃଦ୍ଧି ପାଇବ।

ବୃଷ: କର୍ମକୁ ଅଧିକ ଗୁରୁତ୍ୱ ଦେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇଯିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସମୟ ବିତାଇବେ।

ମିଥୁନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ।

କର୍କଟ: ପରିବାରରେ ସବୁ କିଛି ଠିକ୍‌ଠାକ୍ ରହିବ। ବ୍ୟବସାୟରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ।

ସିଂହ: ମାନସିକ ଶାନ୍ତି ଲାଭ କରିବେ। ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ସବୁଥିରେ ସଫଳତା ମିଳିବ।

କନ୍ୟା: ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। ଉଚ୍ଚ ଆଶା ନେଇ ଆଗେଇ ଚାଲିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ତୁଳା: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଜମିବାଡ଼ି ବିବାଦର ସମାଧାନ ହୋଇପାରେ। ଉଧାର ଦେଇଥିବା ଟଙ୍କା ମିଳିଯିବ।

ବିଛା: ଶତ୍ରୁମାନେ କିଛି କ୍ଷତି ଘଟାଇପାରିବେ ନାହିଁ। ଧନ ଓ ସମ୍ମାନ ପ୍ରାପ୍ତି ହେବ।

ଧନୁ: ସୁସମ୍ବାଦ ଶୁଣିବେ। ଆର୍ଥିକ ସଙ୍କଟ ଦୂରେଇ ଯିବ। ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେତୁ ମନ ପ୍ରସନ୍ନ ରହିବ।

ମକର: ଶତୃମାନେ ଆପଣଙ୍କର ସାମ୍ନା କରିପାରିବେ ନାହିଁ। କିଛି ନୂଆ ଦାମୀ ଜିନିଷ ମିଳିପାରେ। ଲୋକମାନେ ଆପଣଙ୍କ କଥା ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

କୁମ୍ଭ: ବୁଦ୍ଧି ପ୍ରୟୋଗ କରି ନିଜ କାର୍ଯ୍ୟ ହାସଲ କରିବେ। ପରିବାରରେ ଶାନ୍ତି ବଜାୟ ରହିବ। ଶୁଭ ସମାଚାର ମିଳିପାରେ।

ମୀନ: ନିଜର ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ପାଇବେ। ମନ ଖୁସି ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।