ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ‘କିଟ୍ ବିଶ୍ୱବିଦ୍ୟାଳୟ’, ତଥ୍ୟ ଦେବାକୁ ବାଧ୍ୟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍ ) ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି । ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ଦ୍ୱାରା ୨୦୧୪ ମସିହାରେ ଦାଏର ଆବେଦନର ଶୁଣାଣି କରି ରାଜ୍ୟ ସୂଚନା କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ଦୀର୍ଘବର୍ଷ ଧରି ନିଜସ୍ୱ ତଥ୍ୟ ଦେବାକୁ ମନା କରୁଥିବା କିଟ୍ ବିଶ୍ୱବିଦ୍ୟାଳୟକୁ ଶକ୍ତ ଝଟକା ଲାଗିଛି। ସୂଚନା କମିଶନଙ୍କ ଏହି ନିର୍ଦ୍ଦେଶ ପରେ କିଟ୍ ବିଶ୍ୱବିଦ୍ୟାଳୟର ଆର୍ଥିକ କାରବାର ଓ ଜମି ସହ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କିତ ତଥ୍ୟ ଏଣିକି ସାଧାରଣ ଲୋକ ଜାଣିବାରେ ସହଜ ହୋଇପାରିବ। ମିଳିଥିବା ସୂଚନା ଅନୁସାରେ, ସୂଚନା କର୍ମୀ ଶ୍ରୀ ପ୍ରଧାନଙ୍କ ୨୦୧୪ ସେପ୍ଟେମ୍ବର ୧ରେ କିଟ୍ ବିଶ୍ୱବିଦ୍ୟାଳୟର ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନର ଧାରା-୨ ଅର୍ନ୍ତଗତ ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତ କେତେକ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସମ୍ବିଧାନର ଧାରା-୧୨ ଅନ୍ତର୍ଗତ କିଟ୍ ରାଜ୍ୟ କିମ୍ବା କୌଣସି ସରକାରୀ ଅନୁଷ୍ଠାନ ନୁହେଁ ଦର୍ଶାଇ ତାଙ୍କର ଆବେଦନକୁ କିଟ୍ କର୍ତ୍ତୃପକ୍ଷ ଖାରଜ କରିଦେଇଥିଲେ। ବାରମ୍ବାର ତଥ୍ୟ ଦେବାକୁ କିଟ୍ କର୍ତ୍ତୃପକ୍ଷ ମନା କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ପ୍ରଧାନ ୨୦୧୭ ମସିହାରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଆବେଦନ କରିଥିଲେ। କମିଶନଙ୍କ ପାଖରେ ବହୁ ପର୍ଯ୍ୟାୟର ଶୁଣାଣି ପରେ ଶେଷରେ କମିଶନ ତାଙ୍କ ରାୟରେ କହିଥିଲେ ଯେ, ସରକାର ଓ ଅନ୍ୟାନ୍ୟ ସଂସ୍ଥାଙ୍କଠୁ ଅନୁଦାନ ପାଉଥିବା ଅନୁଷ୍ଠାନ ନିଶ୍ଚିତ ଭାବେ ସାର୍ବଜନୀନ ଭାବେ କାର୍ଯ୍ୟ କରୁଛି। ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସରକାରଙ୍କଠୁ ଅନୁଦାନ ପାଉଥିବା ଅନୁଷ୍ଠାନ ନିଶ୍ଚିତ ଭାବେ ଆରଟିଆଇ ଆକ୍ଟର ଧାରା ୨(ଜ) (ଘ) ଅନୁସାରେ ଏକ ସାର୍ବଜନୀନ ଅନୁଷ୍ଠାନ। ତେଣୁ କିଟ୍ ବିଶ୍ୱବିଦ୍ୟାଳୟକୁ ସାର୍ବଜନୀନ ଅନୁଷ୍ଠାନ ଭାବେ ଘୋଷଣା କରି ସୂଚନା ଅଧିକାର ଆଇନ ଅନ୍ତର୍ଗତ ଆବେଦନକାରୀଙ୍କୁ ୩୦ଦିନ ମଧ୍ୟରେ ସେ ମାଗିଥିବା ତଥ୍ୟ ଦେବାକୁ କମିଶନ ଅଧ୍ୟକ୍ଷ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। କମିଶନ ତାଙ୍କର ୯୨ ପୃଷ୍ଠାର ରାୟରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କଠୁ କିଟ୍ ଅନୁଷ୍ଠାନ ଆଖିଦୃଶିଆ ଅନୁଦାନ ଓ ଫାଇଦା ନେଇଛି । ରାଜ୍ୟ ସରକାରଙ୍କ ସହଯୋଗ ନଥିଲେ ସଂସ୍ଥା ଚଳାଇବାକୁ କଷ୍ଟକର ହୋଇଥାନ୍ତା। ତେଣୁ ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ସୂଚନା ଦେବା ଉଚିତ୍ ଥିଲା। କିଟ୍ ସମ୍ପାଦକ ରବିନ୍ଦ୍ରନାଥ ଦାଶ କମିଶନଙ୍କ ପାଖରେ ନିଜର ପକ୍ଷ ରଖି କହିôଥଲେ ଯେ, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ ଅନ୍ତର୍ଗତ କିଟ୍ ବିଶ୍ୱବିଦ୍ୟାଳୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି। ଏହା ସମ୍ବିଧାନର ଧାରା ଅନ୍ତର୍ଗତ ସ୍ଥାପନ ହୋଇନି କିମ୍ବା ସଂସଦ କି ରାଜ୍ୟ ବିଧାନସଭାର ଆଇନ ଅନୁସାରେ ସ୍ଥାପନ ହୋଇନି। ତେଣୁ ଏହି ବିଶ୍ୱବିଦ୍ୟାଳୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ। ମାତ୍ର ଆବେଦନକାରୀ ଶ୍ରୀ ପ୍ରଧାନ ଯୁକ୍ତି ବାଢ଼ିଥିଲେ ଯେ, ସରକାରଙ୍କର ସବୁଠୁ ବଡ଼ ହିତାଧିକାରୀ ହେଉଛି କିଟ୍ ବିଶ୍ୱବିଦ୍ୟାଳୟ। ସେ ସଏଜି ଅଡିଟ୍ ରିପୋର୍ଟକୁ ଉଲ୍ଲେଖ କରି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା କିଟ୍ ବିଶ୍ୱବିଦ୍ୟାଳୟକୁ ୭.୦୮୩ଏକର ଜମି ଆବଣ୍ଟନ କରାଯାଇଥିଲା। ପରେ ଅହେତୁକ ଅନୁକମ୍ପା ଦେଖାଇ ୮୨.୦୮୭ ଏକର ଜମି କିଟ୍ ଦିଆଯାଇଛି । ଜମି ଆବଣ୍ଟନ ନୀତିର ଉଲ୍ଲଘଂନ କରି ଏହି ଜମି ଦିଆଯାଇଥିବାରୁ ସରକାରଙ୍କୁ ୨୫୨.୫୪କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । କିଟ୍ ବିଶ୍ୱବିଦ୍ୟାଳୟ ଏବେ ୧୨୦.୭୦୮ଏକର ସରକାରୀ ଜମି ଦଖଲ କରିଛି । ଯାହାର ୧୧.୫୩୮ଏକର ଜମିରେ ବହୁତଳ ପ୍ରସାଦ କୋଠା ନିର୍ମାଣ ହୋଇଛି। ଏଥିରେ ୧୮ଏକର ଜଙ୍ଗଲ ଜମି ବେଆଇନ ଭାବେ ଦଖଲ ହୋଇଛି। ଇଡକୋଠୁ ପଟିଆ ଓ ପଥରଗାଡ଼ିଆ ଅଂଚଳରେ ବେଆଇନ ଭାବେ ୯୧.୦୭ ଏକର ଜମି ଲିଜ୍ ଆକାର ନେଇଛି। ୨୦୧୩ରୁ ୨୦୧୬ ମସିହା ମଧ୍ୟରେ କିଟ୍ ୧୫୦୬.୩୯କୋଟି ଟଙ୍କା ଋଣ ବିଭିନ୍ନ ବ୍ୟାଙ୍କରୁ ଉଠାଣ କରିଛି। ଲିଜରେ ନେଇଥିବା ଜମିକୁ ବନ୍ଧକ ରଖି ଏହି ଋଣ ନିଆଯାଇଛି ବୋଲି ଶ୍ରୀ ପ୍ରଧାନ ଦର୍ଶାଇଥିଲେ। ତେବେ ତାଙ୍କର ଏହି ଯୁକ୍ତିକୁ ସିଧାସଳଖ କିଟ୍ କର୍ତ୍ତୃପକ୍ଷ ଖାରଜ କରିନଥିଲେ। କମିଶନ ଅଧ୍ୟକ୍ଷ ଶ୍ରୀ ମିଶ୍ର ଉଭୟ ପକ୍ଷର ଯୁକ୍ତି ବିଭିନ୍ନ ପର୍ଯ୍ୟାୟରେ ଶୁଣିବା ପରେ କିଟ୍ ବିଶ୍ୱବିଦ୍ୟାଳୟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ଓ ଆବେଦନକାରୀଙ୍କୁ ୩୦ଦିନ ମଧ୍ୟରେ ସେ ମାଗିଥିବା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ଏହି ନିର୍ଦ୍ଦେଶ ପରେ କିଟ୍ ଅନୁଷ୍ଠାନ ସହ ଜଡ଼ିତ ଅନେକ ଗୁମର ତଥ୍ୟ ପଦାକୁ ଆସିପାରିବ ବୋଲି ଜଣାପଡ଼ିଛି।

ଆୟୁଷ୍ମାନ ଭାରତକୁ ନେଇ ଧର୍ମେନ୍ଦ୍ର ଓ ବବି ଙ୍କ ଟ୍ୱିଟ୍‌ ୱାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହୋଇନାହିଁ। ଏହାକୁ ନେଇ ପୁଣି ଥରେ ଟ୍ୱିଟ୍‌ ୱାର ଆରମ୍ଭ ହୋଇଛନ୍ତି। ଏଥର ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ। କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବବି। ଆଉ ବବିଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ବିଜେପି ନେତା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଓଡ଼ିଶାରେ ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଓଡ଼ିଶାର ଲୋକମାନେ ବିଶେଷ କରି ପ୍ରବାସୀ ଓଡ଼ିଆମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟରେ ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଟ୍ୱିଟ୍‌ କରି ଲେଖିଛନ୍ତି, ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ପ୍ରବାସୀ (ଲୋକ)ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ। ତେଣୁ ଓଡ଼ିଶାର ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରୁଛି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଟ୍ୱିଟ୍‌ କରି ଜବାବ ଦେଇଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଭାଇ ଧର୍ମେନ୍ଦ୍ର ଆୟୁଷ୍ମାନ ଭାରତ ନେବେ କି? ଆୟୁଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ। କିନ୍ତୁ BSKY ର ହିତାଧିକାରୀ ୯୬ ଲକ୍ଷ ପରିବାର, ଯାହା ପ୍ରାୟ ଶତ ପ୍ରତିଶତ। ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ୍‌ ସମେତ ମାତ୍ର ୫ ଲକ୍ଷ ଟଙ୍କା। କିନ୍ତୁ BSKY ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ। ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍‌ସ୍ୟୁରାନ୍ସ କିନ୍ତୁ BSKY ହେଉଛି ଏସୁରାନ୍ସ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଭରସା। ଧର୍ମେନ୍ଦ୍ର ଭାଇ ଆମେ ମମତା ଯୋଜନା କଲୁ ଆପଣ କଲେ, ଆମେ କାଳିଆ ଯୋଜନା କଲୁ ଆପଣ କଲେ। ଆମେ BSKY କରୁଛୁ, ମୁ ସୁନିଶ୍ଚିତ ଆପଣ ବି କରିବେ ବୋଲି ବବି ଦାସ ଲେଖିଛନ୍ତି। ବବିଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ବିଜେପି ଛାତ୍ର ନେତା ଟଙ୍କଧର ତ୍ରିପାଠୀ। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଓଡ଼ିଶାର ପ୍ରତି ଜିଲ୍ଲାର ଡାକ୍ତରଖାନାଗୁଡିକରେ ଖାଲିଥିବା ଡାକ୍ତରଙ୍କର ସଂଖ୍ୟା ଦେଖିଲେ, ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥା ସ୍ପଷ୍ଟ ଜଣାଯାଉଛି। ପର ତିଅଣରେ ଅତିଥି ଚର୍ଚ୍ଚା ଅଭ୍ୟାସ ଛାଡି, ଭୁଲ ତଥ୍ୟରେ ଭୁଆଁ ନ ବୁଲେଇ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁ ବୋଲି ଟଙ୍କଧର ଲେଖିଛନ୍ତି।

ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ‘କଂଗ୍ରେସରେ ରହିବି, ହେଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ।  ସେ ବିବାଦର ସମାଧାନ କରିବା ବଦଳରେ ଏହାକୁ ବଢ଼ାଉଛନ୍ତି। ତାଙ୍କର ବୟସ ହେଇଗଲାଣି। ସେ ପିସିସି ସଭାପତି ପଦ ଛାଡି ଦେବା କଥା। ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ, ସେ ଜାଣି ନାହାନ୍ତି।’ ଏମିତି କିଛି ପ୍ରତିକ୍ରିୟା ଦେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, ପିସିସି ସଭାପତି ପଦ କ’ଣ ତାଙ୍କ (ନିରଞ୍ଜନ ପଟ୍ଟନାୟକ) ପୈତୃକ ସମ୍ପତ୍ତି। ପିସିସି ସଭାପତି ପଦ ପାଇଁ ସେ ଯୋଗ୍ୟ ନୁହନ୍ତି। ମୋ ସମ୍ମାନ ଉପରକୁ ଆଞ୍ଚ ଆସିଛି। ଦରକାର ପଡ଼ିଲେ ବିଧାନସଭାରୁ ଇସ୍ତଫା ଦେବି । ପୁଣି ଥରେ ଲଢ଼ିବି। ଦିଲ୍ଲୀ ଯାଏ ଯିବି। ତାରା କହିଛନ୍ତି, ପୂର୍ବତନ ବିଧାୟକ କୈଳାସ କୁଲେସିକା ଯଶବନ୍ତପୁର ଓ ନାରାୟଣପାଟଣା ବ୍ଲକ ସଭାପତି ନିଯୁକ୍ତି ନିମନ୍ତେ ଟଙ୍କା ମାଗାଯାଇଥିବା ଅଭିଯୋଗ ଆଣି ଜିଲ୍ଲା ସଭାପତି (ମୀନାକ୍ଷୀ ବାହିନୀପତି) ଓ ମୋ ବିରୋଧରେ ଫେସବୁକ୍‌ରେ ଛାଡ଼ିଲେ।  ନିର୍ବାଚନର ଅଢ଼େଇ ବର୍ଷ ପରେ ଟଙ୍କା ମାଗିବା ଘଟଣା କିପରି ଉଠିଲା? ଏନେଇ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି କଥା ହେଲେ। ଯଦି କୈଳାସ କୁଲେସିକା ଜିଲ୍ଲାରେ ରହିବେ, ତା’ହେଲେ ଏନେଇ ଜିଲ୍ଲା ସଭାପତିଙ୍କୁ କାହିଁକି ଜଣାଗଲା ନାହିଁ? କୈଳାସ କୁଲେସିକା ଦଳ ଛାଡ଼ିବା ନିଷ୍ପତ୍ତି ପ୍ରତ୍ୟାହାର କଲେ ବୋଲି କାହିଁକି ଜିଲ୍ଲା ସଭାପତିଙ୍କୁ ନିରଞ୍ଜନ ପଟ୍ଟନାୟକ ଜଣାଇଲେ ନାହିଁ? ଯେଉଁମାନେ ଦଳକୁ ବିଶୃଙ୍ଖଳିତ କରୁଛନ୍ତି, ଇସ୍ତଫା ଦେବେ ବୋଲି ଧମକ ଦେଉଛନ୍ତି, ତାଙ୍କୁ ସୁଯୋଗ  ଦିଆଯାଉଛି।  କଂଗ୍ରେସ ଦିନକୁ ଦିନ ତଳକୁ ତଳ ଯାଉଛି। ଆମେ  ଲଢ଼େଇ ଜାରି ରଖିବୁ। ସେ ଆହୁରି କହିଛନ୍ତି, ବିଜେଡି ବିଧାୟକ ନବୀନଙ୍କ ନାଁରେ ଜିତନ୍ତି।  ମୋଦିଙ୍କ ନାଁରେ ବିଜେପି ବିଧାୟକ ଜିତନ୍ତି । କଂଗ୍ରେସ ବିଧାୟକ କିନ୍ତୁ ନିରଞ୍ଜନଙ୍କ ନାଁରେ ଜିତିପାରନ୍ତି ନାହିଁ।ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବାରୁ କିଛି ଦିନ ପୂର୍ବେ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତି।  ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ମୀନାକ୍ଷୀ କହିଥିଲେ, ଉକ୍ତ ପ୍ରେଟସମିଟ୍‌ରେ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିଲା। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ। ଏମପି ଯେଉଁ କାମ କରୁଛନ୍ତି, ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି  ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି, ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହେଁ। ଏହା ସହିତ ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ମୀନାକ୍ଷୀ କହିଥିଲେ।