ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ତିନି ରାଜନୀତିକ ଦଳ। ଗାଁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନେତାମାନେ ଗାଁ ମୁହାଁ ହେଲେଣି। ଏହିକ୍ରମରେ ଆଜି ବିଜେପି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ପ୍ରଥମ ଦିନରେ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ହେବା ପରେ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ଜନତାଙ୍କ ପାଖକୁ ପହଞ୍ଚିବାକୁ ଉଦ୍ଦେଶ୍ୟ ରଖିଛନ୍ତି। ଆଶୀର୍ବାଦ ନେଇ ଦଳ ପାଇଁ ତୟାର କରିବେ ପଞ୍ଚାୟତ ଭୋଟ୍ ଭିତ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବାହାରିଥିଲେ ପୁରୀ। ପୁରୀ ଯିବା ବାଟରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଉ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ଅଭିଯାନ। କାର୍ଯ୍ୟସୂଚୀ ଅନୁଯାୟୀ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବାକୁ ଥିବା ଏଇ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆଜି ଟ୍ରେନ୍ ଯୋଗେ ପ୍ରଥମେ ରାୟଗଡ଼ା ଓ ସେଠାରୁ ନବରଙ୍ଗପୁର ଓ ବଲାଙ୍ଗିର ଯିବେ। ତେବେ ଜଗନ୍ନାଥ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀକୁ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ ନେଇ ସୂଚନା ଦେଇଥିଲେ। ସେପଟେ ଧର୍ମେନ୍ଦ୍ର ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଗୋଟିଏ ସମୟରେ କରାଯିବା ଉପରେ ଜୋର୍ ଦେଇଥିଲେ। ପଞ୍ଚାୟତ ନିର୍ବାଚନକୁ ଯିବା ପୂର୍ବରୁ ଯୋଜନାର ଅସ୍ତ୍ର ସହ ବିଜେଡି ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡକୁ ମୁଖ୍ୟ ଅସ୍ତ୍ର କରି ବିଜେଡି ପଞ୍ଚାୟତ ନିର୍ବାଚନ ଡାକରା ଦେବ। ଅଗଷ୍ଟ ୧୫ରେ ଏନେଇ ଘୋଷଣା ପରେ ଆସନ୍ତାକାଲି ମାଲକାନଗିରିରୁ ହିଁ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲା ସଂସ୍କୃତି ଭବନରେ ୧୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବାଣ୍ଟି ଯୋଜନାର ଆରମ୍ଭ କରିବେ। ତେଣୁ ତା ପୂର୍ବରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ୮ ମନ୍ତ୍ରୀଙ୍କ ସହ ଆଗଧାଡ଼ିର ବହୁ ଦଳୀୟ ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ସରଗରମ ଜିଲ୍ଲା ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ପରେ ୨୩ ତାରିଖ ପର୍ଯ୍ୟନ୍ତ ଏହିସବୁ ନେତାମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବ୍ଲକ୍‌ୱାରି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯିବ। ଏଥିପାଇଁ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି। ଅପରପକ୍ଷେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବି ରଣନୀତି ଚଳାଇଛି। କଂଗ୍ରେସ ମଧ୍ୟ ସ୍ଥାନୀୟ ପ୍ରସଙ୍ଗ ଆଧାରରେ ନିର୍ବାଚନକୁ ଓହ୍ଲାଇବ ବୋଲି କହିଛି।

୨୦ ଅଗଷ୍ଟ, ଶୁକ୍ରବାର : ଆଜିର ରାଶିଫଳ ।

!!! ପ୍ରବଚକ ଶ୍ରୀ ଜଗଦୀଶ ପ୍ରସାଦ !!! 

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ।

ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ମିଥୁନ: ମାନସମ୍ମାନ ବୃଦ୍ଧିପାଇବ। କୌଣସି କାର୍ଯ୍ୟରେ ଆଶା ଠାରୁ ଅଧିକ ବ୍ୟୟ ହେବ। ଦୁର୍ଘଟଣା ଭୟ ରହିଛି, ତେଣୁ ସତର୍କ ରୁହନ୍ତୁ।

କର୍କଟ: ଆୟ ଭଲ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ପରିବାରରେ ହସଖୁସିର ପରିବେଶ ରହିବ।

ସିଂହ: କର୍ମ କ୍ଷେତ୍ରରେ ଉନ୍ନତି ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ। ମହିଳାମାନେ ସୁଖୀ ହେବେ।

କନ୍ୟା: ଅର୍ଥଲାଭର ସୁଯୋଗ ଆସିବ। କିନ୍ତୁ ଅତ୍ୟଧିକ ବ୍ୟୟ ମଧ୍ୟ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

ତୁଳା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଭଲ ରୋଜଗାର ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ।

ବିଛା: ବ୍ୟବସାୟରେ କ୍ଷତି ହୋଇପାରେ। ଚାକିରି କ୍ଷେତ୍ରରେ ବିବାଦ ଦେଖା ଦେଇପାରେ।

ଧନୁ: କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଅନ୍ୟମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ମକର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। ସହଯୋଗୀ ମାନଙ୍କ ସହିତ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିପାରନ୍ତି।

କୁମ୍ଭ: ବ୍ୟବସାୟରେ ଭଲ ଲାଭ ମିଳିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଅଟକି ରହିଥିବା କାର୍ଯ୍ୟ ବନ୍ଧୁଙ୍କ ସହଯୋଗରେ ସଂପନ୍ନ ହୋଇପାରେ। ଅର୍ଥଲାଭ ହେବ। ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ।