ମେଧାବୀ ଛାତ୍ରୀ ସାକ୍ଷୀ ପ୍ରଧାନ ଙ୍କୁ ହୁଇଲ୍ ଚେୟାର୍ ପ୍ରଦାନ…!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥଣ୍ଡା ପାନୀୟ ଜଳ ର ବ୍ୟବସ୍ଥା ସହ ଉଦଘାଟନ ଉତ୍ସବ ରେ ଡେଲାଙ୍ଗ ତହସିଲଦାର ଶ୍ରୀମାନ ମହେନ୍ଦ୍ର ବଢ଼େଇ ଆସିଥିବା ସମୟରେ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋଢ଼ା ଗ୍ରାମ ପରିଦର୍ଶନ ସମୟରେ ସେଇ ଗ୍ରାମର ଚାଷୀ ଶ୍ରୀଯୁକ୍ତ କୃପାସିନ୍ଧୁ ପ୍ରଧାନ ନିଜ ଝିଅ ର ପାଠ ପଢ଼ା ଏବଂ ଯେଉଁ ସ୍କୁଲ ରେ ପଢୁଛି ସେଇ ସ୍କୁଲ ର ମେଧାବୀ ଛାତ୍ରୀ, ସେ ଜନ୍ମ ରୁ ଜନ୍ମ ରୁ ଦିବ୍ୟାଙ୍କ କିନ୍ତୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ହୁଇଲ୍ ଚେୟାର୍ ଟିଏ ପାଇଁ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଙ୍କୁ ପ୍ରଦାନ ପାଇଁ ଅନୁରୋଧ କରିଥିଲେ l

ତାଙ୍କ ଅନୁରୋଧ କୁ ରକ୍ଷାକରି ଏକ ହୁଇଲ୍ ଚେଆର୍ ଉପହାର ସ୍ବରୂପ ଶ୍ରୀ ବଢ଼େଇ ପାଇକମାଳ ଅଞ୍ଚଳ ର ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇ ଙ୍କ ପାଖକୁ ପଠାଇଲା ପରେ,ସେ ଏବଂ ସାଙ୍ଗରେ ସର୍ବଶ୍ରୀ.ଖିତି ସାହୁ,ବୈଲୋଚନ ପ୍ରଧାନ, ଘନଶ୍ୟାମ ପ୍ରଧାନ,କ୍ଷିରୋଦ୍ର ପ୍ରଧାନ ଯାଇ ସାକ୍ଷୀ କୁ ହୁଇଲ୍ ଚେୟାର ପ୍ରଦାନ କରିଥିଲେ l ପ୍ରଦାନ ସମୟ ରେ ସୋଢା ଗ୍ରାମ ର ସର୍ବଶ୍ରୀ:-ରବିଶଙ୍କର ବାରିକ, ସୁରେଶ ରଣା, ସହଦେବ ରଣା, ଜୟରାମ ବଢ଼େଇ,ସୁରଥ ସାହୁ, ସନ୍ତୋଷ ପ୍ରଧାନ, ଅର୍ଜନ ରଣା,ଦୁଃଖିଶ୍ୟାମ ବାରିକ,ଅରୁପାନନ୍ଦ ରଣା ପ୍ରମୁଖ ଉପସ୍ଥିତ ଥିଲେ lଦୂର ରୁ ଥାଇ ଶ୍ରୀମାନ ବଢେଇ ସାକ୍ଷୀ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

ପଦ୍ମପୁର ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଙ୍କୁ ଭେଟିଲେ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଭାରତୀୟ ଜନତା ପାର୍ଟି ପଦ୍ମପୁର ରୁ ଏକ ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଲୱେ ମନ୍ତ୍ରୀ ଶ୍ରୀମାନ ଅଶ୍ୱିନୀ ବୈଷ୍ଣବ ୩ ଦିନିଆ ଓଡିଶା ଗସ୍ତ ଆସିଥିବା ବେଳେ ତାଙ୍କୁ ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏବଂ ନୂଆପଡା ଭାୟା ପଦ୍ମପୁର ବରଗଡ ନୂତନ ରେଲ ଲାଇନ ସଂଯୋଗ ସକାଶେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ତତ୍ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଠାରେ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ଆୟୋଜିତ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା ରେ ମଧ୍ୟ ଯୋଗ ଦେଇ ଦେଇଥିଲେ l

ଏହି ପ୍ରତିନିଧି ଦଳ ରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ଶ୍ରୀମାନ ପ୍ରଦୀପ ପୁରୋହିତ ଙ୍କ ସହିତ କୃଷକ ମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ , ବ୍ଲକ ଶ୍ରୀମାନ କୁମରମଣୀ ନାଏକ ବ୍ଳକ ଅଧ୍ୟକ୍ଷ ରାଜବୋଡାସମ୍ବର ବ୍ଳକ(ପଦ୍ମପୁର), ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର , ଜିଲ୍ଲା ଉପସଭାପତି ସରୋଜ ସାମଲ , ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ,ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ,ଡଃ ଲମ୍ବୋଦର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ ।

ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ତରଫରୁ ବୃକ୍ଷ ରୋପଣ ସହ ଆଲୋଚନା ଚକ୍ର…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଂଚାୟତର ଲୁହାକୋଟ ଗ୍ରାମରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡାଙ୍କ ଅଧକ୍ଷତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଏକ ଆଲୋଚନା ଚକ୍ର ଲୁହାକୋଟ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଲୋକ ମାନେ ଉପସ୍ଥିତ ରହି ଗ୍ରାମର ଚାରିପାଖ ବୃକ୍ଷ ରୋପଣ କରିସାରିବା ପରେ ଆଲୋଚନାରେ ଜମି ପଟା ନ ହେବା ଆବାସ ଯୋଜନା ରୁ ବଞ୍ଚିତ ହେବା ଗ୍ରୁଫ ଲୋନ ର ସମସ୍ୟା ବିଧବା ଭର୍ତ୍ତା,ବାର୍ଦ୍ଧ୍ୟକ ବର୍ତ୍ତା ଭଳି ଅନେକ ଅଭିଯୋଗ ନେଇ ନିଜ ନିଜ ମନ୍ତ୍ୟବି ରଖିଥିଲେ ଗ୍ରାମବାସୀ l ଏଇ ଅଭିଯୋଗ ଶୁଣିବା ପରେ ଜିଲ୍ଲା ସଭାପତି ସାଇ ପ୍ରସାଦ କହିଥିଲେ କି ସମସ୍ତଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ମାନେ ତୁମସହ ଅଛୁ ।

ସେଇଭଳି ବୁଗୁଡ଼ା ବ୍ଲକ ମହିଳା ସଭାପତି ମଧ୍ୟ କହିଥିଲେ ସମସ୍ତ ଙ୍କୁ ଜେଉଁ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଆମେ ତୁମସହ ଏଇ ସଂଗ୍ରାମ ରେ ଜଡିତ ହୋଇ ରହିବୁ l ଏଇ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରଦିପ କୁମାର ନାୟକ ବୁଗୁଡ଼ା ଏନ ଏ ସି ସଭାପତି ସମୀର କୁମାର ସାମନ୍ତରାୟ,ମାନବ ଅଧିକାର କର୍ମୀ ବୀଣାପାଣି ପାଣିଗ୍ରାହୀ, ଆଶା ରାଣୀ ସେଠି, ବନିତା ସ୍ୱାଇଁ, ଆକାଶ ଜେନା, ଦେବିରହରୀ ସେଠି ଙ୍କ ସମେତ ସମାଜ ସେବି କେଦାରଶ୍ୱର ସାହୁ ଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l

କଲ୍ୟାଣସିଂହପୁରବ୍ଳକରେ ସୁକନ୍ୟା ଶକ୍ତିର କାର୍ଯ୍ୟାଳୟ ଉଦଘାଟନ।…!

!!! ଦକ୍ଷିଣ ଓଡିଶା ବ୍ୟୁରୋ ମୁଖ୍ୟ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦରମହକୁମା ଜଗନ୍ନାଥ ମନ୍ଦିର ପଛପଟ ସ୍ଥାନରେ ସୁକନ୍ୟା ଶକ୍ତିଅଫିସ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାକର ରଇତ ଯୋଗଦେଇଥିବା ବେଳେ,ବ୍ଲକଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡକା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ସୁନା ଓ ବ୍ଲକ ସଂଯୋଜକ ପଦ୍ମନ ଭତ୍ରା ଏବଂ ୧୪ ଗୋଟି ପଞ୍ଚାୟତର ୧୪ ଜଣ ସଂଯୋଜକ ଯୋଗଦେଇଥିଲେ।

ଏହି ବ୍ଲକରେ ସୁକନ୍ୟାଶକ୍ତି ପ୍ରତିଗ୍ରାମରେ ଏହି ସଂଗଠନ ମହିଳାଙ୍କ ଲାଗି ଗୃପ ଓ ଗ୍ରାମରେ ହେଉଥିବା ସମସ୍ତ ସରକାରୀକାମ ତଥା ମନରେଗା କାମରେ ସହଯୋଗକରୁଥିବାରୁ ଶତାଧିକ ଜନସାଧାରଣ ଓ ମହିଳା ଗ୍ରୁପ ଯୋଗ ଦେଇଥିଲେ।ଶେଷରେ ପିଇଓ ପ୍ରଦୀପ କୁମାର ମାଣ୍ଡାଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ।

୨୩ରୁ ଖୋଲିବ ଆଖଣ୍ଡଳମଣି ମନ୍ଦିର; ମୂର୍ତ୍ତି ଛୁଇଁବା ମନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କରୋନା କୋପ କମିବା ହେତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲି ସାରିଲାଣି। ଏହିକ୍ରମରେ ଆସନ୍ତା ୨୩ ତାରିଖରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ।  ଏଥିସହ ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକୁ ବି ଭକ୍ତଙ୍କ ପାଇଁ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ମନ୍ଦିରଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ। ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକରେ କୋଭିଡ କଟକଣା ବଳବତ୍ତର ରହିବ। ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିପାରିବେ, ହେଲେ କୌଣସି ମୂର୍ତ୍ତି ଛୁଇଁ ପାରିବେ ନାହିଁ। ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଶନିବାର ଦିନ ଆଖଣ୍ଡଳମଣି ମନ୍ଦିରକୁ ସାନିଟାଇଜ୍‌ କରାଯିବ। ତେଣୁ ପ୍ରତ୍ୟେକ ଶନିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପରିସରରେ ଅନ୍ନ, ପ୍ରସାଦ ସେବନ, ବିବାହ, ବ୍ରତଘର କିମ୍ବା କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ସୂଚନାଯୋଗ୍ୟ, କରୋନା କଟକଣା ପାଇଁ ଦୀର୍ଘ ମାସ ଧରି ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ଖୁବ୍‌ ଶୀଘ୍ର ଏହା ଖୋଲିବାକୁ ଯାଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

୨୭ରେ ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ। ସୁନ୍ଦରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୫ତାରିଖରେ ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ମାଧ୍ୟମରେ ନିଜର ସଂଗଠନକୁ କ୍ରିୟାଶୀଳ କରିବାକୁ ଶାସକ ବିଜେଡି ଲକ୍ଷ୍ୟ ରଖିଛି । ସୁନ୍ଦରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ବିଜେଡି ପକ୍ଷରୁ ଦଳୀୟସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ଗସ୍ତ କରି ‘ସ୍ମାର୍ଟ ହେଲଥ୍ କାର୍ଡ’ର ରାଜ୍ୟସ୍ତରୀୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ୨୩ତାରିଖରେ ଭର୍ଚୁଆଲରେ ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଆରମ୍ଭ କରିବେ। ୨୭ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରକୁ ଗସ୍ତ କରି ସେଠାରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତକୁ ସଫଳ କରିବା ପାଇଁ ବିଜେଡିର ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ କରିବା ପାଇଁ ବିଜେଡି ଜିଲ୍ଲାର ସମସ୍ତ ୭ଟି ନିର୍ବାଚନମଣ୍ଡଳୀ ଦାୟିତ୍ୱ ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ନେତାମାନଙ୍କୁ ନ୍ୟସ୍ତ କରିଛି। ଏହି ମନ୍ତ୍ରୀମାନେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ଓ ସେମାନଙ୍କୁ ରାଜ୍ୟସ୍ତରୀୟ ଓ ସ୍ଥାନୀୟ ବିଜେଡି ନେତାମାନେ ସହଯୋଗ କରିବେ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତଳସରା ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଟୁକୁନି ସାହୁ ଥିବାବେଳେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ଓ ନବ କିଶୋର ଦାସ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରତାପ ଜେନା ଓ ନିରଞ୍ଜନ ପୂଜାରୀ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ପଦ୍ମନାଭ ବେହେରା ଓ ରଘୁନନ୍ଦନ ଦାସ, ବଣାଇ ବିଧାନସଭା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ର, ରାଉରକେଲା ପାଇଁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅରୁଣ ସାହୁ ଏବଂ ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ପାଇଁ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ବିଜେଡି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ  ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ, କୋଟିଆ ପଂଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି.କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ କଡା ବିରୋଧ କରିଛନ୍ତି  ତାରା ପ୍ରସାଦ ବାହିନୀ ପତି । ଚୋରଙ୍କ ଭଳି ଆସି ଯାଉଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ର  ଏଭଳି କାମକୁ ଆଗାମୀ ଦିନରେ  ଉଚିତ ଜବାବ ଦିଆଯିବ କହିଲେ ତାରା । କୋରାପୁଟ ଜିଲ୍ଲାର ସର୍ବସାଧାରଣ କୋଟିଆ ମାଟିର ସୁରକ୍ଷା ପାଇଁ ବଦ୍ଧପରିକର । ତାର ନିଦର୍ଶନ ଗତ ୧୬ ତାରିଖ ଦିନ କୋଟିଆରେ ଦେଖାଯାଇଛି । ଏଣିକି କୋଟିଆ ଲୋକଙ୍କ ଦ୍ୱାରା ହିଁ ଜବାବ ଦିଆଯିବ । ଯାହା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ଆନ୍ଧ୍ର ଦାୟି ରହିବ ବୋଲି ସେ  ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।ସୂଚନାଯୋଗ୍ୟ,  ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଯୋଜନା କରିଥିଲା  । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଦଳର ନେତା ଏକଜୁଟ୍ ହୋଇ ଘୋର ବିରୋଧ କରିବାରୁ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ ଆନ୍ଧ୍ର ସାଲୁରର ବିଧାୟକ ଓ ସରକାରୀ ଅଧିକାରୀ  । ଓଡ଼ିଶା ମାଟି କଥା ଉଠିଲେ ସବୁ ଦଳ ଏକ ହୋଇ ଛିଡ଼ା ହେଉଛନ୍ତି। ହେଲେ ଆନ୍ଧ୍ର ସରକାର ସଚେତନ ନ ହେଲେ  ହେଲେ ଆନ୍ଧ୍ରର ବହୁ ଗାଁ, ପଞ୍ଚାୟତ ଓଡ଼ିଶାରେ ମିଶିଯିବ ବୋଲି କହିଛନ୍ତି ବିଜେଡି ନେତା ଈଶ୍ୱର ସୁନ୍ଦର ପାଣିଗ୍ରାହୀ ।

ଆଜି ସୋନିଆଙ୍କ ନେତୃତ୍ୱରେ ବିରୋଧୀଙ୍କ ମେଳି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଅଣ୍ଟା ଭିଡ଼ିଛନ୍ତି। ସେ ଆଜି ଅଧିକାଂଶ ବିରୋଧୀ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ବୈଠକ କରିବେ। ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଯୋଗାଦେବେ। ପଶ୍ଚିମବଙ୍ଗ ଓ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏନସି ମୁଖ୍ୟ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ସୋନିଆଙ୍କ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ସୋନିଆଙ୍କ ବୈଠକରେ କଂଗ୍ରେସ ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।ସଂସଦର ମୌସୁମୀ ଅଧିବେଶନରେ ପ୍ରାୟ ୧୫ଟି ବିରୋଧୀ ଦଳ ଏକାଠି ହୋଇ ସରକାରଙ୍କୁ ଘେରିଥିଲେ। ସେମାନେ ବିଭିନ୍ନ ପ୍ରସଙ୍ଗରେ ନାରବାଜୀ କରିବା ସହ ଆଲୋଚନା ପାଇଁ ଦାବି କରିବାରୁ ପୂରା ଅଧିବେଶନ ସମୟରେ ଗୃହ ଠିକ ଭାବେ ଚାଲି ପାରି ନଥିଲା। ଏହି ବିରୋଧୀ ଏକତାକୁ ଆହୁରି ମଜଭୂତ କରିବାକୁ ସୋନିଆ ବୈଠକ କରିବାକୁ ଯାଉଥିବା କୁହାଯାଇଛି। ବୈଠକରେ ସରକାରଙ୍କୁ କେମିତି ଘେରାଯିବ ସେ ବିଷୟରେ ଆଲୋଚନା କରାଯିବ। ସେହିପରି ଆଗକୁ ଦିଲ୍ଲୀରେ ସୋନିଆ ସମସ୍ତଙ୍କୁ ଡିନର ପାର୍ଟି ଦେବାର ସମ୍ଭାବନା ରହିଛି। ତେଣୁ ବୈଠକରେ ଏହାର ତାରିଖ ମଧ୍ୟ ସ୍ଥିର ହେବ। ଏଥସହ ଆଉ କିଛି ରାଜନୀତିକ ରଣନୀତି ସମ୍ପର୍କରେ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଥିଲେ ଯେ “ଏବେ ବିରୋଧୀ ଏକାଠି ହୋଇ ଅଛନ୍ତି। ଅଗଷ୍ଟ ୨୦ରେ ସୋନିଆ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପସ୍ଥିତ ରହିବେ।”

ଧର୍ମେନ୍ଦ୍ର-ଅଶ୍ୱିନୀଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ, ଟ୍ରେନରେ ରାୟଗଡ଼ା ଆସିଲେ ଅଶ୍ୱିନୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଆଜି ୪ଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିବା ସହ ସେମାନଙ୍କର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ନିଜର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତା ଆଶୀର୍ବାଦ ଲୋଡ଼ିବେ ବୋଲି ଜଣାପଡ଼ିଛି। ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ୪ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ରହି ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଦୁଇ ମନ୍ତ୍ରୀ ସିଧାସଳଖ ପୁରୀ ଗସ୍ତ କରିଥିଲେ। ବାଟରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଉଭୟ ମନ୍ତ୍ରୀ ଭୁବନେଶ୍ୱର ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ସେମାନଙ୍କୁ ଦଳର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବହୁମୁଖୀ ବିକାଶ ହେଉଛି ବିଜେପିର ପ୍ରାଥମିକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବଦ୍ୟୋୟର ବିକାଶ। ରାଜ୍ୟର ଗରିବ, ବଂଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ୍ୱ ପଦକ୍ଷେପ ସ୍ୱରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେସନ ବୁଲି ଦେଖିବା ସହ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରାୟଗଡ଼ା ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର କିଛି ନେତା ମଧ୍ୟ ରାୟଗଡ଼ା ଯାଇଛନ୍ତି। ସେ ନିଜର ଜନ ଆଶୀର୍ବାଦ ଯାତ୍ରାରେ ଆସନ୍ତାକାଲି ରାୟଗଡ଼ାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କୋରାପୁଟ ଗସ୍ତ କରିବେ ଓ ସେଠାରେ ରାତ୍ରିଯାପନ କରିବେ। ଶ୍ରୀ ବୈଷ୍ଣବ ୨୧ ତାରିଖରେ କୋରାପୁଟରୁ ବାହାରି ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର, ପାପଡ଼ାହାଣ୍ଡି, କୋକସରା, ଜୁନାଗଡ ଦେଇ ଭବାନୀପାଟଣାଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରଯାପନ କରିବେ । ସେହିପରି ୨୨ ତାରିଖରେ ସେ ଭବାନୀପାଟଣାରୁ କେସିଙ୍ଗା, ଟିଟିଲାଗଡ଼, କଂଟାବାଞ୍ଜି, ପାଟଣାଗଡ଼ ଦେଇ ବଲାଙ୍ଗୀରଠାରେ ପହଂଚିବେ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସଂଗଠନ ଓ ବର୍ଗର ଲୋକମାନଙ୍କ ସହ ଆଲୋଚନା କରି ରାତିରେ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବେ। ସେହିପରି ଆସନ୍ତାକାଲିଠୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ନିଜର ଜନ ଆଶୀର୍ବାଦ ଯାତ୍ରାରେ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଏହି ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବିଜେପି ସଂଗଠନ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ। ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ।

ନିଜ ଅଞ୍ଚଳରେ ରାସ୍ତା କରିପାରୁନି ଆନ୍ଧ୍ର, ଓଡ଼ିଶାରେ ପଶି ଲୋଭ ଦେଖାଉଛି ।

ଏଥର ସମ୍ଭାଳ ବ୍ୟୁରୋ (କୋରାପୁଟ) – ଓଡ଼ିଶାରେ ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ପ୍ରୟାସ କରୁଥିବା ଆନ୍ଧ୍ର ନିଜ ଲୋକଙ୍କ ସମସ୍ୟାକୁ କିନ୍ତୁ ଦେଖିପାରୁନି। ଓଡ଼ିଶାରେ ପଶି ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଆନ୍ଧ୍ର ନିଜର ବହୁ ଅଞ୍ଚଳକୁ ରାସ୍ତା ନ ଥିବା ଭୁଲି ଯାଇଛି। ଫଳରେ ସେଠାକାର ଲୋକେ ଓଡ଼ିଶାକୁ ସାହାଯ୍ୟ କରିବାକୁ ଗୁହାରୀ କରୁଛନ୍ତି।  ନିକଟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ  ଆନ୍ଧ୍ର ସରକାର ଏହାକୁ ସହଜେ ଗ୍ରହଣ କରିପାରି ନାହାନ୍ତି। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଫାଟୁସିନେରୀକୁ ଲାଗି ରହିଛି ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତ । ଏହି ପଞ୍ଚାୟତ ଆନ୍ଧ୍ର ଅଧୀନରେ ଥିବା ବେଳେ ସାଲୁର ମଣ୍ଡଳମର ସବୁଠାରୁ ପଛୁଆ ଅଂଚଳ ଭାବେ  ପରିଚିତ  । ଆନ୍ଧ୍ର ପ୍ରଶାସନj ଅବହେଳା ଯୋଗୁ କୋଡ଼ମା ପଂଚାୟତକୁ ରାସ୍ତା ହୋଇ ନାହିଁ। ସେଥିପାଇଁ ପଞ୍ଚାୟତବାସୀ ନିଜ ଉଦ୍ୟମରେ ରାସ୍ତା କାମ ଆରମ୍ଭ କରିଛନ୍ତି।

ଗତ ସୋମବାର କୋଡମା ଅଧିବାସୀ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ କୋରାପୁଟ ଜିଲ୍ଲାର ୫ ବିଧାୟକଙ୍କୁ  ଅନୁରୋଧ କରିଥିଲେ । ସମସ୍ୟାରେ ଥିବା ପଡୋଶୀ ରାଜ୍ୟ ଲୋକଙ୍କ ଏହି ଅନୁରୋଧକୁ  ରକ୍ଷା କରି କୋରାପୁଟ ଜିଲ୍ଲାର  ୫ ବିଧାୟକ ଏକ ଲକ୍ଷ ଟଙ୍କା ଲେଖାଏ ଦେଇଥିଲେ।  ଫାଟୁସିନେରୀଠାରୁ କୋଡାମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ  । ମଙ୍ଗଳବାରଠାରୁ ସେଠାରେ ରାସ୍ତା କାମ ମଧ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆନ୍ଧ୍ର ସରକାର ଏଥିରେ ବାଧା ଦେଇଥିଲେ। ଉକ୍ତ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବା ଯୋଗୁଁ  ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ ବୋଲି କହିଥିଲେ । ଏହାସହିତ ଆନ୍ଧ୍ରପ୍ରଦେଶର ବନ ବିଭାଗ ରାସ୍ତା ନିର୍ମାଣ କାମକୁ ବନ୍ଦ କରିଦେଇଥିଲା  । ଏହାପରେ ପାର୍ବତୀପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ପି .କୂର୍ମନାଥ ଫାଟୁସିନେରୀ ଅଂଚଳରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯାଇଥିବା ବେଳେ କୋଡ଼ମା ପଞ୍ଚାୟତବାସୀ ତାଙ୍କୁ ଘେରିଥିଲେ । କୋଡ଼ମା ପଂଚାୟତକୁ ପ୍ରଶାସନ ଲଗାତର ଭାବେ ଅବହେଳା କରିଚାଲିଛି ବୋଲି କହିଥିଲେ। ଏହାସହ  ରାସ୍ତା  ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବା ନେଇ କ୍ଷୋଭ ପ୍ରକାଶ କରିଥିଲେ । କୂର୍ମନାଥ ଏ ସମ୍ପର୍କରେ ବନବିଭାଗ ସହ ଆଲୋଚନା କରିବେ ବୋଲି  ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।