୫ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ସହ ଅଟୋ ଜବତ, ଜଣେ ଗିରଫ…!

!!! ଗଞ୍ଜାମ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସକୁ ସଫଳତା ମିଳିଛି । ଆଜି ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଏକ ଅଟୋ ସହ ୫ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ବେଗୁନିଆପଡ଼ା ଫାଣ୍ଡି ପୋଲିସ ଆଜି ଚୋରା ମହୁଲି ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ କଞ୍ଚଣା ଛକ ନିକଟର ଛକି ରହିଥିଲା । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ଇସାକ ସିଂ। ସେ ଗଜପତିରୁ ଆସି କୋଦଳା ବଡଦାଣ୍ଡ ସାହିରେ ରହୁଥିବା ଜଣାପଡିଛି । ଇସାକ ମଦ ନେଉଥିବା ବେଳେ ତାକୁ ଧରିବା ସହ ସେ ମଦ ଆଣିଥିବା ଅଟୋ ଏବଂ ପ୍ରାୟ ୫୦୦ ଲିଟରରୁ ଉର୍ଦ୍ଧ୍ବ ହେବ ଚୋରି ମହୁଲି ମଦ ଜବତ କରିଛି । ଏହି ଚଢ଼ାଉ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏକ ଟିମ କରିଥିବା ଜଣା ପଡ଼ିଛି ।

୩୭ତମ ପ୍ରତିଷ୍ଠା ଦିବସ ପାଳିତ….!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପବିତ୍ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ କପିଲ ମୁନି ଆଶ୍ରମ ଠାରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ର ୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ବୈଠକ ରେ ପାଟଣାଗଡ,ନୂଆପଡା,ପଦ୍ମପୁର ଉପଖଣ୍ଡ ଅଞ୍ଚଳରୁ ଶତାଧିକ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ପ୍ରେମୀ ମାନେ ଯୋଗଦାନ କରିଥିଲେ।ଉକ୍ତ ବୈଠକରେ କେନ୍ଦ୍ରୀୟ ସଭାପତି ରୂପେ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଙ୍କୁ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା,ଗୌତମ ବିଶ୍ଵାଳ,ପୂର୍ବତନ ବିଧାୟକ ଲୋଇସିଂହା ବାଲଗୋପଲ ମିଶ୍ର ସର୍ବ ସମ୍ମତି କ୍ରମେ ମନୋନୀତ କରିଛନ୍ତି ।ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସମ୍ପତି ରୂପେ ଘୋଷଣା କରିବା ସହ ଏହାକୁ ସବୁଦିନ ପାଇଁ ସୁରକ୍ଷା କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ଆଇନ କରାଯାଉ।ପଦ୍ମପୁର ଉପଖଣ୍ଡ ଟି ଅନାବୃଷ୍ଟି ଅଞ୍ଚଳ ରୂପେ ପରିଗଣିତ ଓ ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ମରୁଡ଼ିର ସ୍ଥାୟୀ ବ୍ୟବସ୍ଥା କରାଯାଉ। ନୃସିଂହନାଥ ଠାରୁ ହରିଶଙ୍କର ପର୍ଯ୍ୟନ୍ତ ରୋପ-ୱେ ତୁରନ୍ତ କରାଯାଉ।ପାଇକମାଳ ଠାରୁ ନୃସିଂହନାଥ ଓ ଖପ୍ରାଖୋଲ ଠାରୁ ହରିଶଙ୍କର ପର୍ଯ୍ୟନ୍ତ ପର୍ଯ୍ୟଟନ ରାସ୍ତା ନିର୍ମାଣ କରାଯାଉ।ଆଦି ବିଷୟରେ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରାଗଲା।ଉକ୍ତ ଆଲୋଚନା ବୈଠକ ରେ ସର୍ବଶ୍ରୀ ହରେଗମ୍ ଭୋଇ,ଗମନନ୍ ଭୋଇ,ଗୁପତ ରାମ ବାରିକ,ସୁଶିଲ ନାୟକ,ତେକେନ୍ଦ୍ର ଜାଲ,କଉତୁକ ସାହୁ,ବିଶ୍ଵନାଥ ରଣା, ଧବଳେଶ୍ଵର ସାହୁ (ସରପଞ୍ଚ ପାଇକମାଳ),ଗିରୀମ ଦଂଶେନା,ସୁଧାଂଶୁ ଶେଖର ବାରିକ,ମୋହନ ଜଗତ, ଜଳକର ବେହେରା ସନ୍ତୋଷ ବେହେରା,ଗୋବିନ୍ଦ ପଟେଲ, କ୍ଷୀରସାଗର ନାୟକ,ମନୋଜ ବାରିକ ରାଜକୁମାର ସେଠ ଆଦି ନିଜ ନିଜର ମତାମତ ପ୍ରଦାନ କରିଥିଲେ।ସୁଶିଲ ନାୟକ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବିଶ୍ୱ ଫଟୋ ଗ୍ରାଫି ଦିବସ ପ୍ରତିବର୍ଷ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ର ପବିତ୍ର ତୀର୍ଥ ସ୍ଥଳ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି lଆଜିକାର ଏହି ପବିତ୍ର ଦିବସ “ବିଶ୍ୱ ଫଟୋଗ୍ରାଫର୍ ଦିବସ ଉପରେ ବିଭିନ୍ନ ଆଲୋଚନା କରିବା ସଙ୍ଗେ ସଙ୍ଗେ ମହାମାରୀ କରୋନା ସମୟ ରେ ସମସ୍ତ ଫଟୋ ଗ୍ରାଫର୍ ଙ୍କ ଗୁଜୁରାଣ ଉପରେ ବିଶେଷ ପ୍ରଭାବ ପକାଇଛି lଏ ନେଇ ଅନେକ କ୍ଷୋଭ ପ୍ରକାଶ କରିଥିଲେ lଆସୋସିଏସନ ର ସଭାପତି ଶ୍ରୀମାନ ସୁବାଷ ଚୋପଦାର ଫଟୋଗ୍ରାଫର୍ ମାନଙ୍କ ବିଭିନ୍ନ ସମସ୍ୟା କୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପସ୍ଥିତ ଫଟୋଗ୍ରାଫର୍ ଭାଇ ମାନଙ୍କୁ ଆଶ୍ୱାସନା ଦେଉଥିଲେ lଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ:- ତ୍ରିବିକ୍ରମ ପ୍ରଧାନ (ସଂପାଦକ),ରାଜେଶ ସାହୁ(କୋଷାଧ୍ୟକ୍ଷ) ଙ୍କ ସମେତ ବହୁ ସଂଖ୍ୟା ରେ ଫଟୋଗ୍ରାଫର୍ ଏହି ବୈଠକରେ ଯୋଗଦାନ କରିଥିଲେ l ଶେଷରେ ସୁବାଷ ମେହେର ଏବଂ ରମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରାଯାଇଥିଲା

ଜମି କିଣାରେ ଦୁର୍ନୀତି; ରାମ ମନ୍ଦିର ଟ୍ରଷ୍ଟ ନାଁରେ ଏଫଆଇଆର୍‌…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ହନୁମାନ ଗଡ଼ି ମନ୍ଦିରର ସାଧୁ ମହନ୍ତ ଧର୍ମ ଦାସ ରାମ ମନ୍ଦିର ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ, ସମସ୍ତ ଟ୍ରଷ୍ଟୀ, ବିଧାୟକ ଦୀପ ନାରାୟଣ ଉପାଧ୍ୟାୟ ଓ ଫୈଜାବାଦ ତହସିଲର ସବ୍‌ ରେଜିଷ୍ଟ୍ରାରଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ ଉପରୋକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଭଗବାନ ରାମଙ୍କ ପାଇଁ ଭକ୍ତଙ୍କ ଦାନ ଅର୍ଥରେ ନାଜୁଲ ଜମି କିଣାରେ ବ୍ୟାପକ ହେରଫେର କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଧର୍ମ ଦାସ ହେଉଛନ୍ତି ଦିବଂଗତ ମହନ୍ତ ରାମ ଅବିରାମ ଦାସଙ୍କ ଅନୁଗାମୀ। ୧୯୪୯ ମସିହା ଡିସେମ୍ବର ୨୨ ମଧ୍ୟରାତ୍ରରେ ମହନ୍ତ ଅବିରାମ ହିଁ ବିବାଦୀୟ ସ୍ଥଳରେ ଭଗବାନଙ୍କ ବିଗ୍ରହ ସ୍ଥାପନ କରିଥିଲେ। ଧର୍ମ ଦାସ ରାମ ମନ୍ଦିର ବିପ୍ଳବର ଅନ୍ୟତମ ପୁରୋଧା। ରାମ ଜନ୍ମଭୂମି ଟାଇଟଲ ସୁଟ୍‌ରେ ସେ ହିନ୍ଦୁଙ୍କ ପକ୍ଷରୁ ଆବେଦନ କରିଥିଲେ। କିନ୍ତୁ ଏବେ ସେ ରାମ ମନ୍ଦିର ଟ୍ରଷ୍ଟୀମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏଥିସହ ରାମ ଜନ୍ମଭୂମି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ନାଜୁଲା ଜମି ଦୁଇ ଥର ବିକ୍ରି ହୋଇ ସାରିଥିବା ଖବର ସବ୍ ରେଜିଷ୍ଟ୍ରାର ଜାଣି ନାହାନ୍ତି। ଏହା କେମିତି ସମ୍ଭବ? ଫେବୃଆରୀ ମାସରେ ମହନ୍ତ ଦେବେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏହି ୬୭୬ ବର୍ଗ ମିଟର ଜମିକୁ ଅଯୋଧ୍ୟାର ମେୟର ଋଷିକେଶ ଉପାଧ୍ୟାୟକଙ୍କ ପୁତୁରା ଦୀପ ନାରାୟଣଙ୍କୁ ବିକ୍ରି କରିଥିଲେ। ୨୦ ଲକ୍ଷ ଟଙ୍କାରେ ସେ ଏହି ଜମିକୁ କିଣିଥିଲେ। ମେ’ ମାସରେ ଦୀପ ନାରାୟଣ ୨.୫ କୋଟିରେ ଉକ୍ତ ଜମିକୁ ରାମ ମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଛନ୍ତି। କିନ୍ତୁ ପ୍ରକୃତରେ ଏହି ଜମିର ମୂଲ୍ୟ ଡିଏମ ସର୍କଲ ରେଟ ଅନୁସାରେ ୩୫ ଲକ୍ଷ। ତଥାପି ଟ୍ରଷ୍ଟ ଏହାକୁ ୨.୫ କୋଟି ଟଙ୍କାରେ କିଣିଛି। ଏହି ଜମି କାରବାର ସାକ୍ଷୀ ହେଉଛନ୍ତି ଗୋସାଇଗଞ୍ଜର ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିୱାରୀ ଓ ଟ୍ରଷ୍ଟ୍ରୀ ଅନୀଲ ମିଶ୍ରା। ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟଙ୍କ ନିର୍ଦ୍ଦେଶରେ ସବୁ କିଛି ହୋଇଥିବାରୁ ତାଙ୍କୁ ବହିଷ୍କାର କରାଯାଉ। ସେହିପରି ସରକାର ମନ୍ଦିର ନିର୍ମାଣ କାମରେ ଆଦୌ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ବାହିନୀପତି ଦମ୍ପତ୍ତିଙ୍କ ବିଦ୍ରୋହ: ପିସିସି ବିରୋଧରେ ଯୁଦ୍ଧ ଘୋଷଣା …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଉଗ୍ର ହେଉଛି କୋରାପୁଟ କଂଗ୍ରେସ କନ୍ଦଳ। ପିସିସି ବିରୋଧରେ ଖୁଲମଖୋଲା ବର୍ଷିଛନ୍ତି ବାହିନୀପତି ଦମ୍ପତ୍ତି। ପିସିସିର ମନମାନି ଅଭିଯୋଗ ଆଣି ଉଭୟେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ କହିଛନ୍ତି, ପିସିସି ସଭାପତି ଅଯୋଗ୍ୟ। ଯାହାକୁ ନେଇ କୋରାପୁଟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି। ତାରା କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବାକୁ ହେଲେ  ପିସିସି ସଭାପତିକୁ  ହଟାଇବାକୁ ହେବ।  ପିସିସି ହଟାଇବା ଅଭିଯାନ ଯୋରଦାର କରାଯିବ । ସଂଗଠନକୁ ସୁଦୃଢ କରିବା ପରିବର୍ତ୍ତେ ଦଳ ମଧ୍ୟରେ କନ୍ଦଳ ଲଗାଉଛନ୍ତି।  ଏଥିନେଇ ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି । ପିସିସି ସଭାପତିଙ୍କ  ଉପରେ କୌଣସି ନେତାଙ୍କ ଆସ୍ଥା ନାହିଁ। ରାହୁଲ ଓ ସୋନିଆଙ୍କ ପାଖରେ ଏନେଇ ଦାବି କରିବୁ ବୋଲି ସେ କହିଛନ୍ତି।  ସେମାନେ ନ ଶୁଣିଲେ ଦିଲ୍ଲୀରେ ଲଢେଇ ହେବ ବୋଲି ସେ କହିଛନ୍ତି।  ପିସିସି ସଭାପତି ଜଣେ ଅଯୋଗ୍ୟ । ସଭାପତି ପୂର୍ବରୁ  ସମସ୍ତଙ୍କୁ ଜିତାଇବେ ବୋଲି କହିଥିଲେ।  ମାତ୍ର ୯ ଜଣ ଆଣିଲେ ବୋଲି ସେ କହିଛନ୍ତି। ଏପଟେ ବାହିନୀପତି ଦମ୍ପତିଙ୍କୁ ଟାର୍ଗେଟ କରିଛନ୍ତି  ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।  ଧମକ ନଦେଇ ପ୍ରଥମେ ପଦବୀରୁ ଇସ୍ତଫା ଦେଇ ଦେଖାନ୍ତୁ ବୋଲି  କୈଳାଶ କୁଲେସିକା ଆହ୍ୱାନ କରିଛନ୍ତି।  ସେ ଚତୁର ନେତା ଯାହା  କୁହନ୍ତି କରନ୍ତି ନାହିଁ । ଆମ ପଛରେ ବି ହଜାର ହଜାର କର୍ମୀ  ଅଛନ୍ତି ।  ଆମେ ବି ପିସିସି ସମ୍ମୁଖରେ  ଠିଆ କରାଇ ପାରିବୁ। ଜିଲ୍ଲା ପିଲାଙ୍କୁ  ଚାକିରି ନ ମିଳିଲେ ଆତ୍ମହୁତି ଧମକ ଦେଇଥିଲେ । ଜିଲ୍ଲା ପିଲାକୁ କେତେ ମିଳିଛି ଚାକିରି ।  ତାରା ଅତ୍ମା ହୁତି ଦେଲେ କି ବୋଲି  କୈଳାଶ କୁଲେସିକା ପ୍ରଶ୍ନ କରିଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଧମକ ଦେଇଥିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଥିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବାରୁ ମିନାକ୍ଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଥିଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିବା ମଧ୍ୟ ମିନାକ୍ଷୀ କହିଥିଲେ । ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ।  ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଥିଲେ। ତେବେ ପିସିସି ବିରୋଧରେ ତାରା ଦମ୍ପତ୍ତିଙ୍କ ଖୁଲମଖୋଲା ଯୁଦ୍ଧ ଘୋଷଣା ନେଇ କଂଗ୍ରେସରେ କମ୍ପନ୍ନ ସଅଷ୍ଟି କରିଛି।

ପ୍ରକଳ୍ପ ପାଇଁ ଲୋକଙ୍କୁ ବିଶ୍ୱାସକୁ ନିଅ, ଦମନ ନୀତି ଛାଡ଼ – ବୈଜୟନ୍ତ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅନ୍ତର୍ଗତ ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଦମନ ଆଭିମୁଖ୍ୟକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଲୋକଙ୍କ ପ୍ରତିନିଧି ନୁହେଁ ବରଂ ଅହଙ୍କାରୀ ଓ ମାଫିଆ ଭଳି ରାଜ୍ୟ ସରକାର ଆଚରଣ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ବିନା ଜନଶୁଣାଣିରେ କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀର ଜଳକୁ ଅନ୍ୟତ୍ର ନେବା ପାଇଁ ବଳପୂର୍ବକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ରାପଡ଼ା ଏବେ ଭୂତଳ ଜଳ ହ୍ରାସର ସମ୍ମୁଖୀନ ହେଉଛି ଓ ସାଧାରଣ ଲୋକେ ଏନେଇ ଚିନ୍ତିତ ଅଛନ୍ତି। ଏହି କାରଣରୁ ସେଠାର ଲୋକଙ୍କୁ ପ୍ରଥମେ ବିଶ୍ୱାସକୁ ନିଆଯିବାର ଥିଲା ଓ ସେମାନଙ୍କୁ ଦମନ କରିବା ପରିବର୍ତ୍ତେ ସେମାନଙ୍କ ସହ ପରାମର୍ଶ କରିବା ଉଚିତ୍ ଥିଲା। ଏଭଳି ପରିଯୋଜନାରେ ଯେଉଁଠି ପରିବେଶଜନିତ ସମସ୍ୟା ଥାଏ, ସେଠାରେ ଜନଶୁଣାଣି ଜରୁରୀ ହୋଇଥାଏ। କିନ୍ତୁ ଓଡ଼ିଶା ସରକାର ଲୋକଙ୍କ ପ୍ରତିନିଧି ହେବା ବଦଳରେ ଅହଙ୍କାରୀ ଓ ମାଫିଆ ଭଳି ଆଚରଣ କରୁଛନ୍ତି। ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ଆଭିମୁଖ୍ୟର ପୁନର୍ବିଚାର କରି ନମ୍ରତାର ସହ ଲୋକଙ୍କ ସଙ୍ଗେ ଯୋଡ଼ି ହେବା ଉଚିତ୍ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ରାଜକନିକାର ଭାରିଗଦାଠାରେ ଖରସୋତ୍ରା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ନଦୀ ପାଣି ଶୁଖିବାର ଆଶଙ୍କା କରି ସ୍ଥାନୀୟ ଲୋକେ ବିରୋଧ କରୁଥିବାବେଳେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ଦମନ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାର ପାନୀୟ ଜଳ ପ୍ରକଳ୍ପ କରନ୍ତୁ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦେଇ ଏକତରଫା ଭାବେ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି ।

ସ୍ୱାସ୍ଥ୍ୟ କାର୍ଡରୁ କୋଟିଏ ଓଡ଼ିଆଙ୍କୁ କାହିଁକି ବଞ୍ଚିତ କରୁଛ – ନିରଞ୍ଜନ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର ସାଢ଼େ ୩କୋଟି ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିବା ସହ ଆଉ କୋଟିଏ ଓଡ଼ିଆଙ୍କୁ କାହିଁକି ଏଥିରୁ ବଂଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟର ୯୭ ଲକ୍ଷ ୫୦ହଜାର ପରିବାର ବା ୩କୋଟି ୩୦ଲକ୍ଷ ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ଯୋଗାଇ ଦେବେ। ଏହି ସ୍ୱାସ୍ଥ୍ୟ କାର୍ଡରେ ପ୍ରତି ପରିବାର ବାର୍ଷିକ ୫ଲକ୍ଷ ଟଙ୍କାର ଚିକିତ୍ସା ସେବା ୨୦୦ରୁ ଅଧିକ ବେସରକାରୀ ମେଡିକାଲରେ ପାଇବାକୁ ହକଦାର ହେବେ। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଓଡ଼ିଶାର ପାଖାପାଖି କୋଟିଏ ଲୋକ ଏହି ସେବା ପାଇବାରୁ ବଂଚିତ କାହିଁକି ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ କୋଟିଏ ଲୋକଙ୍କୁ ସରକାର ସ୍ମାର୍ଟ କାର୍ଡରୁ ବଂଚିତ କରୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରାୟ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତ ଦୂରର କଥା ଲକ୍ଷେ କି ଦୁଇଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ। ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଅବା ନିଜେ ସ୍ୱାଧୀନ ଭାବେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକମାନେ ହିଁ ସରକାରଙ୍କ ଏହି ଘୋଷଣାରେ ଅଧିକ ପ୍ରଭାବିତ ହେବେ। ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାର୍ନାଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ କାର୍ଡ ପ୍ରଦାନ କରିଛନ୍ତି। ତେଣୁ ସମସ୍ତ ଓଡ଼ଶାବାସୀଙ୍କୁ ତୁରନ୍ତ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ ପରିବର୍ତ୍ତିତ ଗାଇଡଲାଇନ ଜାରି କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ହେଉଛି ପ୍ରତ୍ୟେକ ମନୁଷ୍ୟର ଏକ ମୌଳିକ ଅଧିକାର। ତେଣୁ ରାଜ୍ୟର ୨୬ ଭାଗ ଜନସାଧାରଣଙ୍କୁ ଏହି ଅଧିକାରରୁ ବଂଚିତ କରିବାର ଅଧିକାର ଓଡ଼ିଶା ସରକାରଙ୍କ ନାହିଁ। ଅବଶ୍ୟ ଯେଉଁମାନଙ୍କର ସ୍ୱାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧାସୁଯୋଗ ରହିଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ପ୍ରେତ୍ସାହନକୁ ପରିତ୍ୟାଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଗରିବଙ୍କୁ ମାଗଣା ଆଇନ ସହାୟତା: ୫ବର୍ଷ ବିତିଲା, ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗାଁ ଗହଳିରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦ୍ୱାରଦେଶରେ ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ବିଜେଡି ସରକାର ଗତ ୫ବର୍ଷ ତଳେ ଆରମ୍ଭ କରିଥିବା ‘ମଧୁବାବୁ ଆଇନ ସହାୟତା ଯୋଜନା’ ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୬ ଅକ୍ଟୋବର ୨ରୁ କାର୍ଯ୍ୟକ୍ଷମ ଏହି ଯୋଜନା ଏପର୍ଯ୍ୟନ୍ତ ରାଜ୍ୟର ୭୦ ପ୍ରତିଶତ ପଂଚାୟତାରେ ଆରମ୍ଭ ହୋଇନଥିବାବେଳେ ବାକି ୩୦ ପ୍ରତିଶତ ପଂଚାୟତରେ ନାଁକୁ ମାତ୍ର ଚାଲିଛି। ୨୦୧୭ ମସିହା ପଂଚାୟତ ନିର୍ବାଚନରେ ଏହି ଯୋଜନାକୁ ଆୟୁଧ କରି ଓକିଲ ଓ ସାଧାରଣ ଲୋକଙ୍କ ଭୋଟ ହାତେଇଥିବା ଶାସକ ବିଜେଡି ଏବେ ସେହି ଯୋଜନାକୁ ଭୁଲି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗାଁ ଗହଳିରେ ଆର୍ଥିକ ଓ ଅନ୍ୟାନ୍ୟ କାରଣରୁ ଆଇନଗତ ସହାୟତା ପାଇବାରୁ ବଂଚିତ ହେଉଥିବା ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ସେମାନଙ୍କର ଦ୍ୱାରଦେଶରେ ଆଇନ ସହାୟତା ଦେବା ପାଇଁ ‘ମଧୁବାବୁ ଆଇନ ସହାୟତା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତି ପଂଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯାଇ ଜଣେ ଲେଖାଏଁ ଓକିଲଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ମହିଳା, ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ଏସଇବିସି ସମେତ ସମାଜର ବଂଚିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଥିଲା। ସବୁ ପଂଚାୟତ ଅଫିସରେ ପ୍ରତି ଶନିବାର ଓ ରବିବାର ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ଗ୍ରାମ ରୋଜଗାର ସେବକ(ଜିଆରଏସ) ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଗାଁ ଗହଳିରେ ଯାହାର ଆଇନ ସହାୟତା ଆବଶ୍ୟକ ଥିବ ସେଭଳି ଲୋକଙ୍କୁ ଚିହ୍ନଟ କରି ଏହି ଓକିଲମାନଙ୍କ ମାଧ୍ୟମରେ ମାଗଣାରେ ସହାୟତା ଦେବା ଦିଗରେ ପଦକ୍ଷେପ ନେଇଥାନ୍ତେ। ଏଥିପାଇଁ ଓକିଲମାନଙ୍କୁ ପ୍ରତିଥର ୫୦୦ଟଙ୍କା ଫି’ ମଧ୍ୟ ସରକାରଙ୍କ ପକ୍ଷରୁ ଦେବାର ବ୍ୟବସ୍ଥା ରହିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରତ୍ୟେକ ପଂଚାୟତ ନିମନ୍ତେ ୩ଜଣିଆ ଓକିଲଙ୍କ ତାଲିକା ସରକାରଙ୍କୁ ସୁପାରିଶ କରିବେ ଓ ସରକାର ସେଥିରୁ ଜଣଙ୍କୁ ଏହି ସହାୟତା କେନ୍ଦ୍ରରେ ନିଯୁକ୍ତି ଦେଇଥାନ୍ତେ। ସମ୍ପୃକ୍ତ ଓକିଲଙ୍କୁ ୨ବର୍ଷ ପାଇଁ ନିଯୁକ୍ତି ମିଳିବାର ପ୍ରାବଧାନ ରହିଛି। ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗାଁ ଗହଳିରେ ଅନେକ ଲୋକ ଅର୍ଥ ଅଭାବ ଓ ବିଭିନ୍ନ ସମସ୍ୟାରୁ ଆଇନଗତ ସହାୟତାରୁ ବଂଚିତ ହେଉଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଘୋଷିତ ‘ମଧୁବାବୁ ଆଇନ ସହାୟତା’ ଯୋଜନାକୁ ଲାଗୁ କରିବାରେ ଆନ୍ତରିକତା ଦେଖାଇ ନାହାନ୍ତି। ରାଜ୍ୟ ଆଇନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମୋଟ ୬୮୦୨ଟି ପଂଚାୟତ ଥିବାବେଳେ ସେଥିରୁ ମାତ୍ର ୨୦୭୪ଟି ପଂଚାୟତରେ ଏବେ ମଧୁବାବୁ ଆଇନ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି। ବାକି ୪୭୨୮ଟି ପଂଚାୟତରେ ଏପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲିନି। ଆଉ ଯେଉଁ ପଂଚାୟତରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ସେଥିରୁ ଅଧିକାଂଶ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଓକିଲଙ୍କର ୨ବର୍ଷିଆ କାର୍ଯ୍ୟକାଳ ମଧ୍ୟ ସରିବାକୁ ବସିଲାଣି। ଜିଲ୍ଲାପାଳମାନେ ଏଦିଗରେ ଆନ୍ତରିକତା ଦେଖାଉନଥିବାରୁ ଏହି ଯୋଜନା ଫେଲ୍ ମାରିଛି। ସବୁଠୁ ବଡ଼ କଥା ହେଉଛି, ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନା ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟର ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଗରିବଙ୍କୁ ଆଇନଗତ ସହାୟତା ଓ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର କାର୍ଯ୍ୟକାରିତାର କେବେ ସମୀକ୍ଷା କରିନାହାନ୍ତି। କିମ୍ବା ଏନେଇ ଜିଲ୍ଲାପାଳମାନଙ୍କୁ ତାଗିଦ୍ ମଧ୍ୟ କରିନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଯୋଜନା ୫ବର୍ଷ ପୂର୍ବରୁ କାର୍ଯ୍ୟକାରୀ ହୋଇ ମଧ୍ୟ ଏବେ କେବଳ ଘୋଷଣା ମଧ୍ୟରେ ସୀମିତ ହୋଇଯାଇଛି।

ଅସହାୟ ମଣିଷ ଙ୍କ ହୃଦୟ ଜିଣିବାରେ ଦେବଦୂତ ସାଜିଛନ୍ତି ମହେନ୍ଦ୍ର ବଢ଼େଇ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଗରିବ, ନିଃସହାୟ ବ୍ୟକ୍ତି ବିଶେଷ ଙ୍କ ଅସହାୟ ସମୟ ରେ ସାହାଯ୍ୟ ପ୍ରଦାନ କ୍ଷେତ୍ରରେ ପଦ୍ମପୁର ଅଞ୍ଚଳ ବାସୀ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀମାନ ମହେନ୍ଦ୍ର ବଢ଼େଇ lସତରେ ସେ ଦେବଦୂତ ଭଳି ଖବର ପାଇବାପରେ ସେ କାଳବିଳମ୍ବ ନକରି ଅଞ୍ଚଳ ର କେତେକ ସମାଜସେବୀ ଙ୍କ ମାଧ୍ୟମରେ ଆର୍ଥିକ ରାଶି ସମେତ ରାଜନ ସାମଗ୍ରୀ ପହଞ୍ଚାଇ ବେଶ ପ୍ରିୟ ଭାଜନ ହୋଇପାରିଛନ୍ତି lଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଯାଉଥିବା ସର୍ଗିବାହାଲ ଗ୍ରାମ ର ଦିନ ମଜୁରିଆ ଶ୍ରୀ ପ୍ରଫୁଲ୍ଲ ବେହେରା lତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଯାଇଛି l

ଏ ସମ୍ପର୍କରେ ଶ୍ରୀମାନ ସର୍ଗିବାହାଲ ଗ୍ରାମ ର ମନୋଜ ମେହେର ଙ୍କ ଠାରୁ ଖବର ପାଇଲେ lତାଙ୍କ ନିର୍ଦ୍ଦେଶକ୍ରମେ ଟାଲ ଗ୍ରାମ ର ଏବଂ ସର୍ଗିବାହାଲ ଗ୍ରାମ ର ଯୁବଗୋଷ୍ଠୀ ପିଡିତ ଙ୍କ ଘରକୁ ଯାଇ କିଛିଦିନ ଚଳିବା ପାଇଁ ଅତ୍ୟାବଶ୍ୟକୀୟ ରାସନ୍ ସାମଗ୍ରୀ ସହ ଓୈାଷଧ ଖର୍ଚ୍ଚ ପାଇଁ ଟ ୫୦୦୦ଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି lଏ ଦୁଃଖଦ ପରିସ୍ଥିତି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ର ସୁବ୍ରତ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜିବ ମେହେର, ଉମେଶ ଅଗ୍ରୱାଲ ଏବଂ ଟାଲ ଗ୍ରାମ ର ମାରୁତି ମିଶ୍ର, ନିରଞ୍ଜନ ସେଠ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ସଞ୍ଜୟ ବଢେଇ ପୀଡ଼ିତ ଙ୍କୁ ଯଥା ସମ୍ଭବ ଆଗକୁ ସାହାଯ୍ୟ ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି l ପିଡିତ ପ୍ରଫୁଲ୍ଲ ବରିହା ଙ୍କ ୫ ଟି ଛୋଟ ସନ୍ତାନ ସହ ସମୁଦାୟ ପରିବାର ସଂଖ୍ୟା ସାତ l

ବ୍ଲକ ସ୍ତରୀୟ ମିଶନ ଚାଟଶାଳୀ ଶିକ୍ଷା ଅଭିଯାନର ଶୁଭାରମ୍ଭ…!

!!! ରାୟଗଡ଼ ଜିଲ୍ଲା କୋନଲରା ରୁ ମୋନଜ ନାଲା ଓ ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନ ବାଙ୍କିଲି ଗ୍ରାମ ପଞ୍ଚାୟତର ଭାଗୁଡ଼ି ଗ୍ରାମରେ ଆଜି ଲୋକ ସଂଗଠନ ଜନ ଜାଗରଣ ମଞ୍ଚ ଅନୁକୂଲ୍ୟରେ ବ୍ଲକ ସ୍ତରୀୟ ମିଶନ ଚାଟଶାଳୀ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଭାଗୁଡ଼ି ଗ୍ରାମ ୱାର୍ଡମେମ୍ବର ଜିଆମା କୁମୁରିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଶନ ଚାଟଶାଳୀ ଶିକ୍ଷାର ଶୁଭାରମ୍ଭ କରିଥିବା ବେଳେ ଜନ ଜାଗରଣ ମଞ୍ଚର ଜୋନାଲ ମ୍ୟାନେଜର ବିଭୁତି ଭୂଷଣ ବିନ୍ଧାଣି ମୁଖ୍ୟ ବକ୍ତା ଏବଂ ଜନ ଜାଗରଣ ମଞ୍ଚର କୋଲନରା ବ୍ଲକ ଜୁନିୟର କୋଡ଼ିନେଟର ସୁମିତ୍ରା କୁଲୁସିକା ଉପସ୍ଥିତ ଥିଲେ। କରୋନା ମହାମାରୀ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ଡୋରି ବାନ୍ଧିଥିବା ଦୃଷ୍ଟିରେ ରଖି ନୂଆଦିଲ୍ଲୀ ସ୍ଥିତ ମାତୃ ସଂଗଠନ ଓ ଆତ୍ମଶକ୍ତି ସଂଗଠନର ନିର୍ଦ୍ଦେଶ ଅନୁଯାୟୀ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚର ଆହ୍ୱାନ କ୍ରମେ ଲୋକ ସଂଗଠନ ଜନ ଜାଗରଣ ମଞ୍ଚ ରାୟଗଡା ଜିଲ୍ଲାର ୧୦ ଗୋଟି ବ୍ଲକରେ ଥିବା ୮୪ ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ମିଶନ ଚାଟଶାଳୀ ଶିକ୍ଷା କେନ୍ଦ୍ର ଖୋଲି ଗ୍ରାମାଞ୍ଚଳରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ସହ ରାଜ୍ୟର ପ୍ରତ୍ୟେକ ବ୍ଲକ, ପଞ୍ଚାୟତ ଏବଂ ଗ୍ରାମାଞ୍ଚଳରେ ମିଶନ ଚାଟଶାଳୀ ଶିକ୍ଷା କେନ୍ଦ୍ର ଖୋଲି ୨୫ ହଜାର ଶିକ୍ଷା ସାଥୀଙ୍କୁ ନେଇ ୫ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ବୋଲି ଜନ ଜାଗରଣ ମଞ୍ଚର ବିଭୁତ ଭୂଷଣ ବିନ୍ଧାଣି କହିଥିଲେ। ଏହି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଖୋଲିବା ପର୍ଯ୍ୟନ୍ତ ଏହି ପାଠ୍ୟକ୍ରମ ଜାରି ରହିବ ବୋଲି ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ ଗାଁ କମିଟି, ଅବିଭାବକ ଓ କିଛି ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଜନ ଜାଗରଣ ମଞ୍ଚର ଏଭଳି ପ୍ରୟାସକୁ ପ୍ରଶଂସା କରିଥିବା ବେଳେ ଜନ ଜାଗରଣ ମଞ୍ଚର ଜନସାଥୀ ପ୍ରକାଶ ଚନ୍ଦ୍ର ପ୍ରଧାନୀ, କୃତ୍ତିବାସ ଦେହୁରୀ, ମୋହନ ରାଓ କୁମୁରିକା ଓ ଅସମନ ହିମିରିକାଙ୍କ ସମେତ ଭାଗୁଡ଼ି ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।