ଗୁଣପୁର ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ….!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ମିନି ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ସକାଳ ଘ ୯.୧୫ମି ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଜ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀଙ୍କ ଆତ୍ମବଳିଦାନକୁ ସ୍ମୃତି ଚାରଣ କରିବା ସହ କୋରୋନା ବିପତି ର ପୂର୍ବରୁ ଯେଉଁଭଳି ମୁକାବିଲା କରିଆସିଛନ୍ତି ଆଗକୁ ମଧ୍ୟ ସେହିଭଳି ମୁକାବିଲା କରିବା ପାଇଁ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ଅନୁରୋଧ କରିଥିଲେ। କୋଭିଡ -୧୯ ଗାଇଡ ଲାଇନ ଅନୁସାରେ ମାସ୍କ ବ୍ୟବହାର ସହ ସୀମିତ ଅତିଥି , ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତନିଧି ଏବଂ କରୋନା ଯୋଦ୍ଧା ଙ୍କୁ ନେଇ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।

ଏହି ଅବସରରେ ମହାମାରୀ କରୋନା ବୀପତି ସମୟରେ ନିଜ ଜୀବନକୁ ବାଜି ଲଗାଇ ନିସ୍ୱାର୍ଥପର ଭାବେ ସେବା ଯୋଗାଇଥିବା ଆଗଧାଡିର କରୋନା ଯୋଦ୍ଧା ଭାବେ ସ୍ବାସ୍ଥ୍ୟ ବିଭାଗ ର ତିନିଜଣ, ପୋଲିସ୍ ବିଭଗର ତିନିଜଣ, ଅଗ୍ନିଶମ ବିଭାଗ ର ତିନିଜଣ,ପୌର ପରିଷଦ କାର୍ଯ୍ୟାଳୟ ର ତିନିଜଣ, ସମନ୍ୱିତ ଶିଶୁ ବିକାଶ ଯୋଜନା ର ତିନିଜଣ ଙ୍କୁ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ଏବଂ ଗୁଡ଼ାରୀ ବ୍ଲକ୍ ର ଜଳନିଧି ଗ୍ରାମର ୧୧ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଆଜିକାର ପ୍ୟାରେଡ୍ ରେ କେବଳ ଭାମିନୀ ଆଇ. ଆର.ବି ଷ୍ଟାଫ୍ ହିଁ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜେନା ଙ୍କ ସମେତ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।

ଏଥର ସମ୍ଭାଳ ଲାଇଭ ର ମହା ଖୁଲାସା ; ଅବକାରୀ ବିଭାଗ ରେ ହୋଇଥିବା ଦୁର୍ନତୀ ଅଭିଯୋଗ ର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଲ ସୁଶାନ୍ତ ପାତ୍ର ଏବଂ ଭବାନୀ ଶଙ୍କର ତ୍ରିପାଠୀ ଙ୍କ ଦବଙ୍ଗଗିରି ଓ ସମସ୍ତ କାର୍ଯ୍ୟ ଜିଲ୍ଲା ସଦର ମହକୁମାର ରାସ୍ତାରେ ପଡି ହାଟରେ ଗଡୁଛି ।ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ନାୟକ ଙ୍କ ସହ ଶ୍ରୀ ପାତ୍ର ଓ ଶ୍ରୀ ତ୍ରିପାଠୀ ଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବର୍ତ୍ତମାନ ଜିଲ୍ଲା କାର୍ଯ୍ୟାଳୟ ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟେ ସେମାନଙ୍କ ବାପାଙ୍କ ମୃତ୍ୟୁ ପରେ ଶ୍ରୀ ପାତ୍ର ୨୦୧୨ ମସିହା ରେ ଓ ଶ୍ରୀ ତ୍ରିପାଠୀ ୧୯୯୩ ମସିହାରେ କନେଷ୍ଟେବଲ ଭାବେ ଯୋଗ ଦେଇ ବର୍ତ୍ତମାନ ଇନ ଚାର୍ଜ ସୁପରିଟେଣ୍ଡେଣ୍ଟ ପ୍ରସନ୍ନ ନାୟକଙ୍କ ଛତ୍ରଛାୟା ତଳେ ରହି ନିଜକୁ ସୁପରିଟେଣ୍ଡେଣ୍ଟ ମଣୁଥିବା ଓ ନିଜ ଉପରିସ୍ଥ କର୍ମଚାରୀଙ୍କୁ ତାଗିଦ କରୁଥିବା ଏବଂ ତାଙ୍କ କଥା ମାନି ଚଳିବାକୁ କହୁଥିବା ଚର୍ଚ୍ଚା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏହି ଘଟଣା କ୍ରମକୁ କୁ ନେଇ ଏମାନେ କାହାବାହୁ ଛତ୍ରଛାୟା ତଳେ ରହି ବଳିୟାନବୋଲି ବୁଦ୍ଧି ଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଶ୍ରୀ ପାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ହେଉଥିଲେ ସୁଦ୍ଧା ଶ୍ରୀ ନାୟକ କାହିଁକି ତାଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି ବୋଲିପ୍ରଶ୍ନ ଉଠୁଛି ।

ନିଜ ପରିବାରର ଜଣେ ଦସଦସ୍ୟ ଙ୍କ ନାମରେ ଥିବା ଜମିକୁ ଏକ ଦେଶୀ ଭାଟିକୁ ଲିଜ ରେ ଦେଇଥିବା ସହ ଆମ୍ଲଭଟ୍ଟା, ମୁନିଗୁଡା, କୁମୁତଲପେଟା ଏବଂ ରାୟଗଡା ରେ ଥିବା ଦେଶୀ ମଦ ଭାଟି ଗୁଡିକ ଠାରୁ ମୋଟା ଅଙ୍କ ର ଟଙ୍କା ଆଦାୟ କରି ନିଜେ ମାଲା ମାଲ ହେବା ସହ ଉପରିସ୍ଥ କର୍ମଚାରୀ ଙ୍କୁ ହାତଗୁଞ୍ଜା ଦେଇ ତାଙ୍କ ହାତ ବାରିସୀ ସାଜିଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭଯୋଗ ଉଠିଛି । ଏଭଳି ବାରମ୍ବାର ଅଭିଯୋଗ ହୋଇ ଆସୁଥିବା କୁ ନଜରରେ ରଖି ସୁପରିଟେଣ୍ଡେଣ୍ଟ ଓ ରାୟଗଡା ଜିଲ୍ଲା ପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଥିବା ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ର ଭିଡିଓ ଏବଂ ଅଡିଓ ଆମ୍ଭ ନିକଟରେ ପହଞ୍ଚିଛି ।

ଏହାକୁ ଆଧାର କରି ବିଭାଗ ର କମିଶନର ଏବଂ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଦାବୀ ହେଉଛି । ଦେଖିବାକୁ ରହିଲା ଦୋଷୀ କେବେ ଠାବ ହୋଇ ଦଣ୍ଡ ପାଉଛି ନା ରାଜନୈତିକ ବାହୁ ଛାୟା ତଳେ ଲୁଚିରହି ଯାଉଛି ।

ସ୍ୱାଧୀନତା ଦିବସ ରେ ସମ୍ମାନିତ ….!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ୭୫ ତମ ସ୍ବାଧିନତା ଦିବସ ଅବସରରେ ଆଜି ବରଗଡ ଜଜ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ରାଜ୍ୟ ସରକାର ଙ୍କ ଅର୍ଥମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ଯୋଗଦାନ କରି ପତାକା ଉତ୍ତୋଳନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରିବା ସହିତ ବିଶ୍ୱଦରବାର ରେ କୋଭିଡ ନିୟନ୍ତ୍ରଣ ରେ ଓଡ଼ିଶା ବେଶ ପ୍ରଶଂସିତ ହୋଇଛି l

ଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଡାକ୍ତର ସୁଦିପ୍ତ କୁମାର ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ, ଆଶାକର୍ମୀ ଶ୍ରୀମତୀ ଗିତାଞ୍ଜଳୀ ଠାକୁର ଙ୍କ କୋଭିଡ ସମୟ ର କାର୍ଯ୍ୟଦକ୍ଷତା ସକାଶେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀ ଙ୍କ ଆମନ୍ତ୍ରଣ କ୍ରମେ କରୋନାଯୋଦ୍ଧା ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ବେଷ୍ଟ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିଲେ l କରୋନା ଯୋଦ୍ଧା ଭାବେ ସମ୍ମାନୀତ ହୋଇଥିବା ଡାକ୍ତର ଶ୍ରୀମାନ ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ଏବଂ ଆଶାକର୍ମୀ ଶ୍ରୀମତୀ ଠାକୁର ଦିବାରାତ୍ର କୁ ଏକାକାର କରି ନିଜ ଜୀବନ କୁ ବାଜି ଲଗାଇ ଜନସାଧାରଣ ଙ୍କ ସେବାକାର୍ଯ୍ୟ ନିଜକୁ ସମର୍ପିତ କରିଥିବା ହେତୁ ଏଇ ଏର୍ଯ୍ୟାଦା ପୂର୍ଣ୍ଣ ସମ୍ମାନ ଦିଆଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ଠାରୁ ପ୍ରକାଶ ହୋଇଛି ।

ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ପାଳନ ….l

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନବରଙ୍ଗପୁର)- ନବରଙ୍ଗପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି ।  ଆଗରୁ ଏହି ଅବସରେ ନବରଂଗପୁରରେ ଉଚ୍ଛାହ ଅନ୍ୟ ଧରଣର ଥିଲା, ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଲୋକଙ୍କ ସମାବେଶ ଦେଖିବାକୁ ମିଳୁଥିଲା । ଏହି ଅବଶରରେ ଓଡିଶା ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି l କରୋନା କଟକଣା ନବରଙ୍ଗପୁର ଭାଧକ ସାଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କରୋନା କଟକଣା କାରଣ ରୁ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ କାର୍ଯ୍ୟକ୍ରମ ରୁ ବାଦ ଦିଆଯାଇଥିବା ବେଳେ ପୋଲିସ ବିଭାଗକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ନିଜ ଅଭିଭାଷଣ ରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ନବରଂଗପୁର ପାଇଁ ସର୍ବଛ ବଳିଦାନ ଦେଇଥିବା ମହାପୁରୁଷ ଓ ସେମାନଙ୍କ ବଳିଦାନ କୁ ପ୍ରଶଂସା କରିଥିଲେ । ଏହାସହ ସାମାଜିକ କ୍ଷେତ୍ରରେ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ । ଏହାସହ କରନା ଯୋଦ୍ଧା ଙ୍କୁ ମଧ୍ୟ ଉଲ୍ଲେଖନିୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । କରନା କଟକଣା ପାଇଁ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା । ଏଥିରେ ଜିଲ୍ଲପାଳ ଓ ନବରଂଗପୁର ଆରୋଖୀ ଅଧିକାରୀ, ଡାବୁଗାଁ ବିଧାୟକ ଯୋଗଦେଇ ଆଜିର ସ୍ୱାଧୀନତା ଦିବସ ରେ ଯୋଗଦେଇଥିଲେ l

ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା, ଜିଲ୍ଲା ଗସ୍ତରେ ପୁଣି ଯିବେ ନବୀନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ବିଜେଡି ଲାଗି ପଡ଼ିଛି। କରେନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଲହର ଆସିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାଗୁଡ଼ିକ ପାଇଁ କୋଟିକୋଟି ଟଙ୍କାର ପ୍ରୋଜେକ୍ଟ ଭେଟି ଦେଉଥିଲେ, ଠିକ୍ ସେହି ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୪ମାସ ପରେ ଆସନ୍ତା ୨୦ତାରିଖରେ ନବୀନ ପୁଣିଥରେ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ବଲାଙ୍ଗିର, ନବରଙ୍ଗପୁର, ଗଜପତି, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କରୋନା ମହାମାରୀ ପ୍ରଥମ ଲହରରେ ନବୀନ ୮ମାସ ଧରି ନିଜକୁ ନବୀନ ନିବାସରେ ରଖିବାପରେ ୨୦୨୧ ଜାନୁୟାରୀ ୧୪ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ କୋଟିକୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ନିଜର ବିଧାୟକ ଓ ମନ୍ତ୍ରୀମାନଙ୍କୁ ସେଠାକୁ ଆଗୁଆ ପଠାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ ଫାଇଦା ନେବାକୁ ପଦକ୍ଷେପ ନେଇଥିଲା। ନବୀନ ସେତେବେଳେ ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟକ୍ରମରେ କୋଟିକୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ ସରକାରୀସ୍ତରରେ ହେଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ ବିଜେଡି ନିୟନ୍ତ୍ରଣରେ ହୋଇଥିଲା। ଏବେ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏବେ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୦ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହୋଇପାରେ ବୋଲି ଅଣଆନୁଷ୍ଠାନିକ ଭାବେ ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ଦୁଇ ଜିଲ୍ଲାର ବିଜେଡି ସଂଗଠନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଚୂଡ଼ାନ୍ତ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସରକାରୀ ହୋଇଥିଲେ ମଧ୍ୟ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସେଥିରୁ ରାଜନୀତିକ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ବିଜେଡି ନିଜର ବିଧାୟକ ଓ ନେତାମାନଙ୍କୁ ସେହି ସବୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଂଚଳରେ ନିୟୋଜିତ କରି ନିଜର ସଂଗଠନକୁ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ଓବିସି ସଂରକ୍ଷଣ ପୂର୍ବରୁ ଅଛି, ଭୂଆଁ ବୁଲାଇବା ବନ୍ଦ କରୁ ବିଜେଡି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାରେ ପଂଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସଇବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଆଗରୁ ରହିଥିଲା, ନବୀନ ପଟ୍ଟନାୟକ ସରକାର ନିଜର ଅପାରଗତା କାରଣରୁ ଏହି ବ୍ୟବସ୍ଥାକୁ ଜାରି ରଖିପାରିଲେ ନାହିଁ। ଏବେ ଓବିସି ବର୍ଗକୁ ୨୭ ପ୍ରତିଶତ ଟିକେଟ୍ ଦେବ କହି ଶାସକ ବିଜେଡି କେବଳ ଭୂଆଁ ବୁଲାଉଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ଏବେ ପଂଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ନିର୍ବାଚନରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବ କହି ମିଛ ବାହାସ୍ପୋଟ ମାରିବା ଓ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରୁ। ବିଜେଡି ସରକାର ଓବିସିମାନଙ୍କ ସ୍ୱାର୍ଥରକ୍ଷା କରିବାରେ ଚରମ ବିଫଳ ହୋଇଛି। ତେଣୁ ଓବିସିଙ୍କ ପାଇଁ ନିର୍ବାଚନରେ ୨୭ ପ୍ରତିଶତ ସରକ୍ଷଣକୁ ଆଇନରେ ପରିଣତ କରିବା ପାଇଁ ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି। ଓଡ଼ିଶାରେ ପଂଚାୟତ ନିର୍ବାଚନରେ ଆର୍ଥିକ ଅନଗ୍ରସର ଶ୍ରେଣୀଭୃକ୍ତ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ କିଛି ନୂଆ କଥା ନୁହେଁ । ପୂର୍ବରୁ ୨୦୧୨ରେ ପଂଚାୟତ ନିର୍ବାଚନରେ ଓଡ଼ିଶା ଆଇନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା, ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ସମ୍ବେଦନହୀନତା କାରଣରୁ ଏହାକୁ ରକ୍ଷା କରାଗଲା ନାହିଁ। ସ୍ଥାନୀୟ ସ୍ୱାୟତ୍ତ ପରିଷଦ ତଥା ପଂଚାୟତ, ପୌର ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଓଡ଼ିଶାରେ ଓବିସି ଓ ଏସଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ପ୍ରାବଧାନ ଥିଲା। ୨୦୧୭ ମସିହା ଜିଲ୍ଳା ପରିଷଦ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସୁବାଷ ଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନରେ ଓବିସି ବର୍ଗ ପାଇଁ ସଂରକ୍ଷଣ ରଖାଯାଇପାରିବ ନା ନାହିଁ ସେ ସମ୍ପର୍କରେ ଶ୍ରୀ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ସରକାର ସେ ସମୟରେ ଯୁକ୍ତିଯୁକ୍ତ ବିଷୟ ଉପସ୍ଥାପନ କରିପାରିଲେ ନାହିଁ। ସବୁ କଥା କୋର୍ଟ ଉପରେ ଛାଡ଼ିଦେଇ ଓଡିଶା ସରକାର ଏହି ମାମଲାରେ ବିଫଳ ହେଲେ। ତେଣୁ ବିଜେଡି ଦଳ ପଂଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ । ନିଜେ ମିଛ କହି ଅନ୍ୟ ରାଜନୈତିକ ଦଳଗୁଡ଼ିକୁୁ ୨୭ ପ୍ରତିଶତ ଆହ୍ୱାନ କରିବା ବିଜେଡିର ସଠତାପୂର୍ଣ୍ଣ ବିଚାରଧାରା । ତେବେ ଓବିସି ବର୍ଗର ଲୋକଙ୍କୁ ନିର୍ବାଚନରେ ବିଜେଡି ୨୭ପ୍ରତିଶତ ସଂରକ୍ଷଣ ଦେଲେ ଏହା କିପରି ସେମାନଙ୍କର ସ୍ୱାର୍ଥରକ୍ଷା ହେବ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଅନୁଭୂତ ହେଲାଣି ରାଜନୈତିକ ଉଷ୍ମତା । ସରଗରମ ମାହୋଲ  । ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ।  ଭୋଟରଙ୍କୁ ମନେଇବାକୁ କଲେଣି ରଣନୀତି । କାରଣ ଆଗକୁ ବାଜିପାରେ ପୌର ଓ ପଞ୍ଚାୟତ ନିର୍ବାଚନ ବିଗୁଲ୍ । ଭାରତୀୟ ଜନତା ପାର୍ଟି ଅଗଷ୍ଟ ୧୯ରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା କରିବ।  ମଙ୍ଗ ଧରିବେ ଦୁଇ କେନ୍ଦ୍ରମନ୍ତ୍ରୀ  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଗଷ୍ଟ ୧୯ରେ ପୁରୀ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରି କାର୍ଯ୍ୟକ୍ରମ ଆରମ୍ଭ କରିବେ।   ସେଇଦିନ ସନ୍ଧ୍ୟାରେ ହୀରାଖଣ୍ଡ ଏକ୍ସପ୍ରେସ୍ ଯୋଗେ ରାୟଗଡ଼ା ଗସ୍ତ କରିବେ ବୈଷ୍ଣବ । ୨୦ରେ କୋରାପୁଟରେ ଜନତାଙ୍କ ଆଶୀର୍ବାଦ ଲୋଡ଼ିବେ।  ୨୧ରେ ଜୟପୁର, ନବରଙ୍ଗପୁର ଓ ଭବାନୀପାଟଣାରେ ଲୋକଙ୍କୁ ଭେଟିବେ । ୨୨ରେ ବଲାଙ୍ଗୀର କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ।  ସେହିଭଳି ଧର୍ମେନ୍ଦ୍ର ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଜନ ଆଶୀର୍ବାଦ ଯାତ୍ରା କରିବେ  ଉଭୟ ମନ୍ତ୍ରୀ । ୪ ଦିନ ଭିତରେ ମୋଟ ୪୧୯ କିଲୋମିଟର ଯାତ୍ରା କରି ୧୧୫ଟି ସ୍ଥାନରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବେ।  ଏ ଅବଧିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବେ । ରାଜ୍ୟରେ ଶାସକ ବିଜେଡିର ଦୋଷ, ତ୍ରୁଟି ଓ ଦୁର୍ବଳତାକୁ ବି ପଦାକୁ ଆଣିବ ବିଜେପି  । ସେପଟେ ଶାସକ ବିଜେଡି ବି ରାଜନୈତିକ କାଯର୍ୟକ୍ରମ ଆଗକୁ ବଢ଼ାଇଛି।  ଆସନ୍ତାକାଲି ସ୍ୱାଧୀନତା ଦିବସରେ ଘୋଷଣା ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ଅଗଷ୍ଟ ୨୦ରେ ମାଲକାନଗିରି ଗସ୍ତ କରି ମେଗା ସୋ ଜରିଆରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାଣୀ । ଉପସ୍ଥିତ ରହିବେ ପ୍ରାୟ ୮ ଜଣ ମନ୍ତ୍ରୀ ଓ ୧୦ରୁ ଅଧିକ ବିଧାୟକ । ଏଥିପାଇଁ ଜିଲ୍ଲାରେ ଜୋରଦାର ହେଲାଣି ତୟାରି।  ଏହା ଜରିଆରେ ତୃଣମୂଳ ସ୍ତରରେ ନିଜ ସ୍ଥିତି ଅଧିକ ମଜବୁତ କରିବା ଲାଗି ଯୋଜନା କରିଛି ବିଜେଡି।  କଂଗ୍ରେସ ବି ପଛରେ ପଡ଼ିନି  । ପଞ୍ଚାୟତ କମିଟି ଗଠନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।  ଦରଦାମ ବୃଦ୍ଧି, କୋଭିଡ୍ ପରିଚାଳନାରେ ବିଫଳତା ଓ ଅର୍ଥନୈତିକ ଶିଥିଳତାକୁ ମୁଖ୍ୟ ଅସ୍ତ୍ର କରି ପଞ୍ଚାୟତ ନିର୍ବାଚନ ପାରି ହେବାକୁ ଲକ୍ଷ୍ୟ ରଖିଛି ଦଳ। ରାଜନୀତି ସମୀକ୍ଷକଙ୍କ ମତରେ, ଯଦିଓ କୋଭିଡ୍ ସ୍ଥିତିରେ ସୁଧାର ଆସିନି, କିନ୍ତୁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି କୌଣସି ଦଳ।  ଏମିତିକି ଦଳଡିଆଁ ଲାଗି ବି ସଜବାଜ ଆରମ୍ଭ ହେଲାଣି  । ନିର୍ବାଚନ ବୈତରଣୀ ପାର ହେବାକୁ ନେତା ଏବେ ଭୋଟରମୁହାଁ। ସରକାର କୋଭିଡ୍ କଟକଣା ମାନିବାକୁ ଜନତାଙ୍କୁ ପରାମର୍ଶ ଦେଉଥିବା ବେଳେ ନେତା ଓ କର୍ମୀ କିନ୍ତୁ ନିୟମକୁ ଫୁ କରି ମଇଦାନ ଓହ୍ଲାଇବାକୁ ତୟାର।

୧୪୪ ଧାରା ପ୍ରତ୍ୟାହାର ଦାବିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଧାରଣା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। କଟକ-ଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଛକରେ ଶତାଧିକ ସଂଗ୍ରାମ ସମିତି ଧାରଣା ଦେଇଛନ୍ତି। ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଏବଂ ପ୍ରକଳ୍ପ କାମ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ତେବେ ଧାରଣାକୁ ଯିବା ଆଗରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିକୁ ଭେଟିଥିଲା କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ । ସେମାନେ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହ ପାନୀୟ ଜଳ ପ୍ରକଳ୍ପ କର୍ଯ୍ୟ ଓ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଗତକାଲି ଆଲୋଚନା କରିଥିଲେ। ପରେ ମନେଇଢି଼ଅ ଗାଁକୁ ଯାଇ ପୁଲିସ ଜୁଲମର ଶିକାର ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିଲେ ପ୍ରତିନିଧି ଦଳର ସଦସ୍ୟ । କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କ୍ଷୀରୋଦ ରାଉତ ପ୍ରମୁଖ ରାଜକନିକା ଗସ୍ତ କରିଥିଲେ । ସେହିପରି କେନ୍ଦ୍ରାପଡ଼ା ବିଜେପିର ଜିଲ୍ଲା ସଭାପତି କିଶୋର ପଣ୍ଡା, ଶଶାଙ୍କ ଶେଖର ସେଠି, ପ୍ରିୟଦର୍ଶିନୀ ନନ୍ଦ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ରାଜ୍ୟର ସାଢ଼େ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ’ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ସାଢ଼େ ତିନି କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ। ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଏହି କାର୍ଡ ପ୍ରଦାନ କରାଯିବ।’ ଆଜି ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ୭୫ତମ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସାରା ଓଡ଼ିଶା ମୋ ପରିବାର। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠପଢ଼ା ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ। ଏଥିପାଇଁ ସାଢ଼େ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଗାଇ ଦିଆଯିବ। ଏଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ। ସେ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ- ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ। ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ। ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍‌ପିଟାଲ ଚେନ୍‌ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହା ସାରା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ। ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ଼ କରିବାରେ ଏହି ବ୍ୟବସ୍ଥା ବିଶେଷ ଭାବେ ସହାୟକ ହେବ। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଏହାକୁ ବିଶ୍ୱର ଶ୍ରେଷ୍ଠ ଦଳରେ ପରିଣତ କରିବାକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇ ଓଡ଼ିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏହା ଓଡ଼ିଶା ପାଇଁ ଗର୍ବର ବିଷୟ। ସୂଚନାଯୋଗ୍ୟ, ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।

ବିକ୍ରି ହେଲା ମାଲ୍ୟାଙ୍କ କିଙ୍ଗ ଫିସର୍‌ ହାଉସ୍‌…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିକ୍ରି ହେଲା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ କିଙ୍ଗ ଫିସର ହାସଉ। ମୁମ୍ବାଇର ସାନ୍ତାକ୍ରୁଜରେ ମୁମ୍ବାଇ ଇଣ୍ଟରନ୍ୟାସନାଲ ବିମାନବନ୍ଦର ପାର୍ଶ୍ୱରେ ଥିବା ଏହି ଘରଟିକୁ ବିକ୍ରି କରାଯାଇଛି। ଏହାକୁ ଡେଟ୍‌ ରିକୋଭରୀ ଟ୍ରିବ୍ୟୁନାଲ ତାଙ୍କର ନବମ ପ୍ରୟାସରେ ହାଇଦ୍ରାବାଦର ସେଟର୍ଣ୍ଣ ରିୟଲ୍ଟର୍ସଙ୍କୁ ବିକ୍ରି କରିଛନ୍ତି। ଏକଦା ବନ୍ଦ ହୋଇଯାଇଥିବା କିଙ୍ଗ ଫିସର ଏୟାରଲାଇନ୍ସର ମୁଖ୍ୟାଳୟ ଥିଲା ଏହି କିଙ୍ଗଫିସର ହାଉସ। ସେଟର୍ଣ୍ଣ ରିୟଲ୍ଟର୍ସ ଏହି ଘରଟିକୁ ୫୨.୨୫ କୋଟି ଟଙ୍କାରେ କିଣିଛି। ଏଥିଲାଗି ମହାରାଷ୍ଟ୍ର ସରକାରଙ୍କୁ ଷ୍ଟାମ୍ପ ଡ୍ୟୁଟି ବାବଦେ ୨.୬୧୨କୋଟି ଟଙ୍କା ଦେଇଛି । ଏହି କାରବାର ଗତ ଜୁଲାଇ ୩୧ ତାରିଖରେ ହୋଇଥିଲା। ମୁମ୍ବାଇ ବିମାନ ବନ୍ଦର ନିକଟରେ ୨୪୦୧.୭୦ ବର୍ଗ ମିଟରରେ ବିସ୍ତୃତ ଏହି ପ୍ରୋପର୍ଟିକୁ ୨୦୧୬ ମସିହାରୁ ନିଲାମ ପାଇଁ ରଖା ଯାଇଥିଲା। ଡେଟ୍ ରିକୋଭରୀ ଟ୍ରିବ୍ୟୁନାଲ ବେଙ୍ଗାଲୁରୁ ଏହାକୁ ନିଲାମ କରିବା ଲାଗି ୮ ଥର ଉଦ୍ୟମ କରିଥିଲା। ହେଲେ ଟ୍ରିବ୍ୟୁନାଲଙ୍କ ପ୍ରତ୍ୟେକ ଉଦ୍ୟମ ବିଫଳ ହୋଇଥିଲା। ଶେଷରେ ନବମ ଥରରେ ସଫଳତା ମିଳିଛି। କିଙ୍ଗଫିସର ହାଉସ୍‌ ଲାଗି ଟ୍ରିବ୍ୟୁନାଲ ୧୩୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଧାର୍ଯ୍ୟମୂଲ୍ୟର ଏକ ତୃତୀୟାଂଶ ଦରରେ ଏହାକୁ ବିକ୍ରି କରାଯାଇଛି। ରିୟଲ ଇଷ୍ଟେଟ୍‌ ରିସର୍ଚ୍ଚ ଫାର୍ମ ‘ଲିୟାସେସ୍‌ ଫୋରାସ’ଙ୍କ ପରିଚାଳନା ନିର୍ଦ୍ଦେଶକ ପଙ୍କଜ କପୁର ଦର ହ୍ରାସ ଲାଗି ପ୍ରପର୍ଟିର ସ୍ଥାନ ଓ ବର୍ତ୍ତମାନର ବଜାର ପରିସ୍ଥିତିକୁ ଦାୟି କରିଛନ୍ତି। ବିମାନ ବନ୍ଦର ଯୋଗୁ ଏହି ଭୂ-ଖଣ୍ଡ ଉପରେ ଉଚ୍ଚତା କଟକଣା ରହିଛି। ଏହା ଛଡା ବର୍ତ୍ତମାନର ରିୟଲଇଷ୍ଟେଟ ବଜାରର ପରିସ୍ଥିତି ଅତ୍ୟନ୍ତ ଖରାପ ବୋଲି ସେ କହିଛନ୍ତି। ନିକଟରେ ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟ ଦେବାଳିଆ ଘୋଷଣା କରିଥିଲେ। ଜୁଲାଇରେ ବିଜୟ ମାଲ୍ୟାଙ୍କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ତାଙ୍କ ଅଂଶଧନ ବିକ୍ରି କରି ୭୯୨.୧୨ କୋଟି ଟଙ୍କା ହାସଲ କରିଥିଲେ। ମନି ଲଣ୍ଡରିଂ ମାମଲାରେ ଇଡି ଏହି ଶେୟାର ଗୁଡ଼ିକୁ ଜବତ କରିଥିଲା। ସୂଚନାଯୋଗ୍ୟ, କିଙ୍ଗଫିସର ଏୟାରଲାଇନ୍ସର ସେବା ଜାରି ରଖିବା ପାଇଁ ମାଲ୍ୟା ଏସବିଆଇ ଓ ଅନ୍ୟାନ୍ୟ ବ୍ୟାଙ୍କରୁ ୯,୯୯୦ କୋଟି ଟଙ୍କା ଋଣ ନେଇଥିଲେ। ତେବେ କିଙ୍ଗଫିସରର ଅବସ୍ଥା ଖରାପ ହେବାକୁ କମ୍ପାନୀ ବୁଡ଼ି ଯାଇଥିଲା। ୨୦ ଅକ୍ଟୋବର ୨୦୧୨ରେ କିଙ୍ଗଫିସର ଏୟାରଲାଇନ୍ସକୁ ବନ୍ଦ କରିଦିଆଯାଇଥିଲା। ଫଳରେ ମାଲ୍ୟା ଋଣ ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିପାରିନଥିଲେ। ସେ ଋଣ ପରିଶୋଧ କରିବା ପରିବର୍ତ୍ତେ ବିଦେଶକୁ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରି ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।