ନବରଙ୍ଗପୁର ଚାଷୀ ୟୁରିଆ ସାର ପାଇଁ କରିଲେ ରାସ୍ତା ରୋକ; ଶତାଧିକ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ …!

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର)- ୟୁରିଆ ସାର ଅଭାବ ବିକ୍ରି ଓ କଳା-ବଜାରୀକୁ କୁ ନେଇ ରାସ୍ତା ଅବୋରାଧ । ଚାଷ କାମ ଜୋରଧାର ଚାଲୁ ଥିବା ସମୟରେ ନବରଙ୍ଗପୁର ବ୍ଲକର ଚାଷୀ କୁଳ ଉରିୟା ସାର ନପାଇ ଚାଷୀ ମାନେ ଆଜି ନବରଙ୍ଗପୁର ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ଠାରେ ରାସ୍ତା ଅବରୋଧ କରିଥିଲେ ।ଗାନ୍ଧୀ ଛକ ଠାରେ ଶତାଧିକ ଚାଷୀ ସରକାରଙ୍କ ଚାଷ ପାଇଁ ଯୋଗାଇଦିଆଯିବା ସାର ଚାଷୀମାରଣ ନୀତିକୁ ବିରୋଧ କରି ଚାଷୀଙ୍କୁ ତୁରନ୍ତ ୟୁରିୟା ସାର ଯୋଗାଇ ଦେବା ଦାବିରେ ରାସ୍ତା ଅବରଧ କରିବା ଯୋଗୁ ଯାତାୟତ ରେ ବାଧା ସୃଷ୍ଟି ହୋଇଥିଲା ।

ଏହି ଅଵସରରେ ଘଟଣା ସ୍ତଲରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରାଇତ,ତହସିଲଦାର ରବୀନ୍ଦ୍ର ରାଉତ ପହଂଚି ଚାଷୀଙ୍କୁ ବୁଝାସୁଝା କରି । ଅଗଷ୍ଟ ୧୫ ତାରିଖରେ ପତ୍ୟକ ଚାଷଙ୍କୁ ୨ ପକେଟ ୟୁରିୟା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ରାସ୍ତାରୁ ହଟି ଥିଲେ ।ଯଦି ୧୫ ତାରିଖରେ ଚାଷୀଙ୍କୁ ୟୁରିୟା ନ ମିଳେ ତାହାହେଲେ ଚାଷୀ ମାନେ ରାଜ ରାସ୍ତାକୁ ଓଳାହିବେ ବୋଲି ଚେତାବନୀ ଦେଇଛନ୍ତି ।ମୋଦି ଜିଙ୍କ ସ୍ୱଚ୍ଛତା ମଧ୍ୟ୍ୟ ବିଜେପିର କିଛି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦେଖିବାକୁ ମିଳିଥିଲା l

ପଶ୍ଚିମ ଓଡ଼ିଶା ର ବହୁଦିନ ର ସ୍ୱପ୍ନ ସାକାର ହେଲା…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବରଗଡ)- ବରଗଡ଼ ଠାରେ ଏକ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ବହୁଦିନରୁ ଦାବି ରହି ଆସୁଥିଲା । କାରଣ ବରଗଡ଼ ଅଂଚଳ ରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଉଚ୍ଚରେ l କର୍କଟ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇଁ ସୁଦୂର କଟକସ୍ଥିତ ଆଚାର୍ଯ୍ୟ ହରିହର କେନସର ଚିକିତ୍ସାଳୟ ଯାହାକି ସରକାରୀ, କିମ୍ବା ରାଜ୍ୟ ବାହାରକୁ ଯାଇ ଅତ୍ୟନ୍ତ ଖର୍ଚ୍ଚାନ୍ତ ଓ ଅନେକ ହଇରାଣ ଭୋଗିଥାଆନ୍ତି । ହେଲେ ଆଜି ରାଜ୍ୟ ସରକାର ଙ୍କର ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଶ୍ଚିମ ଓଡ଼ିଶା ଙ୍କ ପାଇଁ ଆଣିଛନ୍ତି ଏକ ଖୁସିର ଲହର। ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୨୨୮୧୭ ତାରିଖ୧୧/୦୮/୨୧ ଅନୁସାରେ ବରଗଡ଼ ରେ ନବେ କୋଟି ସତେଇଶ ଲକ୍ଷ ଟଙ୍କା ବ୍ୟୟରେ ଜି+୫ କ୍ୟାନ୍ସର କେୟାର ହସ୍ପିଟାଲ ନିର୍ମାଣ କରାଯିବାର ଘୋଷଣା କରାଯାଇଛି ।

ଏହି ହସ୍ପିଟାଲରେ ଗ୍ରାଉଣ୍ଡ ଫ୍ଲୋର ସହିତ ସମୁଦାୟ ଛଅ ଗୋଟି ଫ୍ଲୋର ରହିବ । ରୋଗୀଙ୍କର ପାଇଁ ଅଲଗା ଅଲଗା ଫ୍ଲୋରରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ । ବରଗଡ଼ ଜିଲ୍ଲାବାସୀ ଙ୍କର ଦାବୀ କୁ ହୃଦୟର ସହିତ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ରାଜ୍ୟ ସରକାର ଙ୍କର ଦ୍ୱାରା ଘୋଷଣା କରାଯାଇଥିବା ଏହି ହସ୍ପିଟାଲର କାର୍ଯକ୍ଷମ ହେଲେ ବରଗଡ଼ ସହିତ ଆଖପାଖ ଜିଲ୍ଲା ର ଅନେକ ରୋଗୀ ଉପକୃତ ହେବେ । ବରଗଡ଼ ଜିଲ୍ଲାରେ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ବରଗଡ଼ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟ ର ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟସଭା ସଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବିଧାୟିକା ଶ୍ରୀମତୀ ରୀତା ସାହୁ , ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କୁ ମଧ୍ୟ ତାଙ୍କର ପ୍ରୟାସ ପାଇଁ ଅନେକ ଅଭିନନ୍ଦନ ସହ କୃତଜ୍ଞତା ଜଣାଇଛନ୍ତି l

ବିଜେଡିରେ ମିଶିବେ ପ୍ରଦୀପ ମାଝୀ …..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଖୁବଶୀଘ୍ର ବିଜେଡିରେ ମିଶିବେ। ପଂଚାୟତ ନିର୍ବାଚନରେ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ତଥା ପଶ୍ଚିମ ଓଡ଼ିଶାରେ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଜେଡି ଏବେ ଶ୍ରୀ ମାଝୀଙ୍କୁ ଦଳରେ ସାମିଲ କରିବାକୁ ନୀତିଗତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପାଇଁ ମଧ୍ୟ ସବୁଜ ସଙ୍କେତ ଦେଇସାରିଛନ୍ତି। ବିଜେଡିର ୨ଜଣ ବରିଷ୍ଠ ନେତା ତାଙ୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା କରିଥିବା ଖବର ମିଳିଛି। ‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତାବେଳେ ୪୫ବର୍ଷୀୟ ଶ୍ରୀ ମାଝୀ ଏନେଇ ସ୍ପଷ୍ଟ ଭାବେ କିଛି କହିନଥିଲେ ମଧ୍ୟ ବିଜେଡିରେ ସାମିଲ ହେବା ପ୍ରସଙ୍ଗକୁ ସେ ସମ୍ପୂର୍ଣ୍ଣ ଏଡ଼ାଇ ଯାଇ ନାହାନ୍ତି। ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ତଳକୁ ତଳ ଯାଉଥିବାବେଳେ ଶ୍ରୀ ମାଝୀ ଦଳ ଛାଡ଼ିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। ନବରଙ୍ଗପୁର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ଜଣେ ଦକ୍ଷ ଆଦିବାସୀ ନେତା ନଥିବାରୁ ଦଳ ଏବେ ଶ୍ରୀ ମାଝୀଙ୍କ ଉପରେ ଭରସା କରିବାକୁ ଯୋଜନା ରଖିଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବିଜେଡି ଜନ୍ମରୁ ଗଢ଼ିନି ଓବିସି ସେଲ୍‌, ଏବେ ଆରମ୍ଭ କଲା ଜାତିଆଣ ରାଜନୀତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦେଶ ସ୍ୱାଧୀନତାର ଦୀର୍ଘ ୭୪ବର୍ଷ ପରେ ଓଡ଼ିଶାରେ ଜାତିଆଣ ରାଜନୀତିର ମୂଳଦୁଆ ପକାଇବାକୁ ଶାସକ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଜାତିଭିତ୍ତିକ ରାଜନୀତିଠୁ ଢ଼େର ଦୂରରେ ରହୁଥିବା ଓଡ଼ିଶାବାସୀଙ୍କ ମନରେ ଜାତିଆଣ ଭେଦଭାବର ବୀଜରୋପଣ କରି ବିଜେଡି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ଜିଣିବାକୁ ଲକ୍ଷ୍ୟ ରଖିଛି। ବିଜେଡି ସମସ୍ତ ନିର୍ବାଚନରେ ‘ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି’ ଓ ‘ନିଜ ସରକାରର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ’କୁ ଆଧାର କରି କ୍ରମାଗତ ସଫଳତା ପାଉଥିବାବେଳେ ଆଗାମୀ ନିର୍ବାଚନରେ ‘ଜାତିଆଣ କାର୍ଡ’କୁ ଅସ୍ତ୍ର କରିବାକୁ ଯାଉଛି। ଯଦିଓ ବିଜେଡି ଜନ୍ମ ହେବାର ୨୪ବର୍ଷ ପରେ ବି ଦଳ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ନିଜର ‘ପଛୁଆ ବର୍ଗ ସେଲ୍‌’ଟିଏ ଖୋଲିବାରେ ସକ୍ଷମ ହୋଇନି। ରାଜ୍ୟରେ ପ୍ରାୟ ୫୪ପ୍ରତିଶତ ଓବିସି ବର୍ଗର ଥିବାବେଳେ ସେମାନଙ୍କୁ ୨୭ ପ୍ରତିଶତ ଟିକେଟ୍ ଦେଇ ବିଜେଡି କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି। ୨୧ବର୍ଷ ଧରି କ୍ଷମତାରେ ଥାଇ ମଧ୍ୟ ଓବିସି ବର୍ଗଙ୍କୁ ଶିକ୍ଷାନୁଷ୍ଠାନ ଓ ନିଯୁକ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ଥିବା ବିଜେଡି ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ପଂଚାୟତ ନିର୍ବାଚନ ପୂର୍ବରୁ ଏହି ଜାତିଆଣ କାର୍ଡ ଖେଳିଛି, ଯାହାକୁ ନେଇ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା। ସୂଚନା ଅନୁସାରେ, ଆସନ୍ତା ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ‘ଓବିସି କାର୍ଡ’କୁ ଜୋରଦାର କରିଛି। ରାଜ୍ୟରେ ଓବିସି ଗଣନା ପାଇଁ ପ୍ରସ୍ତୁତି କରି ତାକୁ ଶୀତଳ ଭଣ୍ଡାରରେ ରଖିଥିବା ବିଜେଡି ସରକାର ଦୀର୍ଘବର୍ଷ ଧରି ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତିରେ ଆବଶ୍ୟକ ସଂରକ୍ଷଣ ଦେବାରେ ସକ୍ଷମ ହୋଇନାହାନ୍ତି। ମାତ୍ର ଏବେ ଉତ୍ତରପ୍ରଦେଶ, ବିହାର ଓ କର୍ଣ୍ଣାଟକ ଭଳି ଏଠାରେ ଜାତିଆଣ କାର୍ଡ ଖେଳି ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଯଦିଓ ଓଡ଼ିଶାର ଲୋକେ ଏପର୍ଯ୍ୟନ୍ତ ଜାତିଭିତ୍ତିକ ରାଜନୀତିକୁ ନାପସନ୍ଦ ଓ ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ଜାତିଆଣ ରାଜନୀତି ସପକ୍ଷରେ ଯୁକ୍ତି ବାଢ଼ୁଥିବା ଅନେକ ହେଭିୱେଟ ନେତାମାନେ ବି ଏବେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛନ୍ତି। ଏସବୁ ଜାଣିବା ସତ୍ତ୍ୱେ ବି ବିଜେଡି ‘ଓବିସି ବର୍ଗର’ ଭୋଟ୍ ହାତଛଡ଼ା ହେବା ଭୟରେ ଏବେ ଓବିସିଙ୍କୁ ୨୭ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଛି। ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି କେବଳ ଏହି ଓବିସି ବର୍ଗକୁ ପ୍ରାୟ ୩୫ରୁ ୪୫ ପ୍ରତିଶତ ଟିକେଟ୍ ଦେଇଛି । ୨୦୧୭ ପଂଚାୟତ ନିର୍ବାଚନରେ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ପ୍ରାୟ ୫୨ରୁ ୫୫ ପ୍ରତିଶତ ହେଉଛନ୍ତି ଓବିସି ବର୍ଗର। ବିଜେଡି ନିଜ ଅଜାଣତରେ ହେଉ ବା ଜାଣତରେ ହେଉ ଯଦି ଏତେ ସଂଖ୍ୟକ ଓବିସି ବର୍ଗକୁ ଟିକେଟ୍ ଦେଇପାରିଛି ଓ ସେମାନେ ନିର୍ବାଚିତ ପ୍ରତିନିଧି ହୋଇପାରିଛନ୍ତି ତା’ହେଲେ ବିଜେଡି ଆଗାମୀ ନିର୍ବାଚନରେ ୨୭ ପ୍ରତିଶତ ଟିକେଟ୍ ଏହି ବର୍ଗର ଲୋକଙ୍କୁ ଦେବ କହି ସେମାନଙ୍କୁ ସନ୍ତୁଷ୍ଟ ନା ଅସନ୍ତୁଷ୍ଟ କରିବାକୁ ଚାହୁଁଛି ତାହା ବୁଝାପଡ଼ୁନି। ରାଜ୍ୟରେ ୨୦୯ଟି ଜାତି ଓ ଉପଜାତି ଏବେ ଏସଇବିସି ବା ଓବିସି ବର୍ଗର ହୋଇଥିବାବେଳେ ବିଜେଡି ଆଗାମୀ ନିର୍ବାଚନରେ ୨୭ ପ୍ରତିଶତ ଟିକେଟ୍ ଦେବ ବୋଲି ଉଲ୍ଲେଖ କରିବା ହାସ୍ୟାସ୍ପଦ ସଦୃଶ ।ତା’ଛଡ଼ା ରାଜ୍ୟରେ ପ୍ରାୟ ୨୪ ପ୍ରତିଶତ ଅନୁସୂଚିତ ଜନଜାତି ଓ ୧୭ ପ୍ରତିଶତ ଅନୁସୂଚିତ ଜାତି ବର୍ଗର ଲୋକ ଥିଲେ ମଧ୍ୟ ନିର୍ବାଚନରେ ସେଭଳି ଗୁରୁତ୍ୱର ସହ ଜାତିଭିତ୍ତିକ ପ୍ରଚାର କେବେ ଓଡ଼ିଶାରେ ହୋଇନାହିଁ । ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିର୍ଶେଷରେ ରାଜ୍ୟବାସୀ ନିଜର ପ୍ରତିନିଧିଙ୍କୁ ଭୋଟ୍ ଦେଇଥାନ୍ତି । ମାତ୍ର ପ୍ରଥମଥର ପାଇଁ ବିଜେଡି ଓଡ଼ିଶା ଭଳି ରାଜ୍ୟରେ ଓବିସି କାର୍ଡ ଖେଳି ଜାତିଭିତ୍ତିକ ପ୍ରଚାର ଓ ସମାଜରେ ଭେଦଭାବ ବୃଦ୍ଧି କରିବାର ଆଶଙ୍କାକୁ ବଢ଼ାଇଛି । ରାଜନୀତିକ ବିଶ୍ଲେଷକଙ୍କ ମତରେ, ଯଦି ବିଜେଡି ବାସ୍ତବରେ ‘ଓବିସି ବର୍ଗ’ଙ୍କ ପାଇଁ ଏତେ ଦରଦ ଦେଖାଉଛି ତା’ହେଲେ ୨୪ବର୍ଷ ମଧ୍ୟରେ ଦଳରେ ଗୋଟିଏ ସେଲ୍ ଖୋଲିପାରିଲା ନାହିଁ । ନିଯୁକ୍ତି କିମ୍ବା ଶିକ୍ଷାନୁଷ୍ଠାନରେ ଏହି ବର୍ଗର ଲୋକଙ୍କୁ ଆବଶ୍ୟକ ସଂରକ୍ଷଣ ବି ଦେଲା ନାହିଁ । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୯୯୧ ମସିହାରେ ଦାଖଲ ହୋଇଥିବା ପିଟିସନକୁ ଏପର୍ଯ୍ୟନ୍ତ ପ୍ରତ୍ୟାହାର ପାଇଁ ମଧ୍ୟ ଉଦ୍ୟମ କରିନି । ଯଦିଓ ନିର୍ବାଚନ ଆସିଲେ କୃଷକ ୱିଙ୍ଗ, ଆଇନ ସାମ୍ମୁଖ୍ୟ, ସାଂସ୍କୃତିକ ୱିଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ୱିଙ୍ଗ, ଶ୍ରମିକ ୱିଙ୍ଗ ଭଳି ନୂଆ ନୂଆ ସେଲ୍ ଗଠନ କରି ଭୋଟବ୍ୟାଙ୍କ ସୃଷ୍ଟି କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥାଏ । ଏବେ ଠିକ୍ ସେହି ଢଙ୍ଗରେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ମହିଳା କାର୍ଡ’କୁ ଜୋରସୋର ଖେଳି ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କଲା। ମାତ୍ର ବିଧାନସଭାରେ ୧୫ ପ୍ରତିଶତ ମହିଳା ପ୍ରାର୍ଥୀ(୨୦ଜଣଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି)ଙ୍କୁ ଓହ୍ଲାଇବାକୁ ସାହାସ ଜୁଟାଇ ପାରିଲା ନାହିଁ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୧୭ ପଂଚାୟତ ନିର୍ବାଚନବେଳେ ବିଜେପି ରାଜ୍ୟରେ ପାଇକ ବା ଖଣ୍ଡାୟତ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ଉଦ୍ୟମ କରି ପାଇକ ବିଦ୍ରୋହକୁ ମାନ୍ୟତା ଦେବାକୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟରେ ପ୍ରାୟ ୨୨ ପ୍ରତିଶତ ଖଣ୍ଡାୟତ ସମୁଦାୟର ଲୋକେ ଏବେ ରାଜ୍ୟର ଏସଇବିସି ବର୍ଗରେ ଥିବାବେଳେ ସେମାନେ କେନ୍ଦ୍ର ସରକାରଙ୍କ ଓବିସି ବର୍ଗର ତାଲିକାରେ ସାମିଲ ହୋଇପାରି ନାହାନ୍ତି । ଏହି ବର୍ଗର ଲୋକଙ୍କୁ ନିଜର ଭୋଟବ୍ୟାଙ୍କ କରିବା ପାଇଁ ନବୀନ ଏବେ ‘ଓବିସି କାର୍ଡ’ ଖେଳିବା ସହ ଦୀର୍ଘ ୨୧ବର୍ଷର ସରକାରର ବିଫଳତା ଓ ଉତ୍ତରଦାୟିତ୍ୱରୁ ନଜର ହଟାଇବାକୁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି ।

୨୪ବର୍ଷ ପରେ ବିଜେଡିର ଜାତିଆଣ ରାଜନୀତି, ଓବିସିଙ୍କୁ ଦେବ ୨୭% ଟିକେଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କ୍ରମାଗତ ନିର୍ବାଚନୀ ସଫଳତା ପାଉଥିବା ବିଜେଡି ନିଜର ୨୪ବର୍ଷର ଇତିହାସରେ ପ୍ରଥମଥର ପାଇଁ ଜାତିଆଣ ରାଜନୀତିକୁ ମୋହରା କରିଛି। ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ପଛୁଆ ବର୍ଗ(ଓବିସି)ର ପ୍ରାର୍ଥୀଙ୍କୁ ଦେବ । ମାତ୍ର ୨୧ବର୍ଷ ଧରି ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଜେଡି ସରକାର ବିଫଳ ହୋଇଛି। ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ଆଗାମୀ ଦିନରେ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ଓବିସି ବର୍ଗର ଲୋକଙ୍କୁ ଦେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଘୋଷଣା କରିଛନ୍ତି। ଓବିସି ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏଣିକି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସଇବିସି) ତାଲିକା ପୂର୍ବଭଳି ପ୍ରସ୍ତୁତ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ସଂରକ୍ଷଣ ସୁବିଧା ପାଉଛନ୍ତି। ସେହିପରି ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ସାମିଲ କରିପାରୁଛନ୍ତି । ରାଜ୍ୟର ୨୦୯ଟି ଜାତି ଓ ଉପଜାତି ଏବେ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ଥିବାବେଳେ ରାଜ୍ୟଗୁଡ଼ିକ ଏସଇବିସି ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ହୋଇଛି। କିନ୍ତୁ ସଂରକ୍ଷଣରେ ଥିବା ୫୦ପ୍ରତିଶତ ସୀମାକୁ ଉଠାଇବାକୁ ବିଜେଡି ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି, ଯେଉଁଥିପାଇଁ ଓବିସି ବର୍ଗ ବା ଏସଇବିସି ବର୍ଗର ଲୋକଙ୍କୁ ମାତ୍ର ୨୭% ସଂରକ୍ଷଣ ରାଜ୍ୟରେ ଦିଆଯାଇପାରୁନି । ରାଜ୍ୟ ସରକାରଙ୍କ ଏସଇବିସି ଆଇନ-୨୦୦୮ରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ୨୭% ସଂରକ୍ଷଣ ଦେବା ସମ୍ଭବପର ହେଉନାହିଁ। ତେବେ ପଛୁଆ ବର୍ଗଙ୍କ ସଠିକ ଗଣନା କରାଗଲେ ଅବା ଜାତିଭିତ୍ତିକ ଗଣନା ହେଲେ ତାକୁ ଆଧାର କରି ୫୦% ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ଉଭୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଶ୍ରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ୨୧ବର୍ଷ ଧରି ବିଜେଡି ରାଜ୍ୟରେ ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଫଳ ହୋଇଛି । ନିଜର ଦୀର୍ଘବର୍ଷର ବିଫଳତାକୁ ଲୁଚାଇବା ପାଇଁ ବିଜେଡି ଏବେ ନିର୍ବାଚନରେ ୨୭% ପ୍ରାର୍ଥୀ ଦେବ କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ଏବେବି ଓବିସି ବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଉଛି। ବିଜେପି ଗତକାଲି ସାମ୍ବାଦିକ ସମ୍ମିଳନୀ କରି ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଓବିସିଙ୍କୁ ସଂରକ୍ଷଣ ନଦେବାକୁ କରିଥିବା ଚକ୍ରାନ୍ତକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରୁଛନ୍ତି ବୋଲି କହିବା ପରେ ବିଜେଡିର ଚେତା ପଶିଛି । ପଂଚାୟତ ନିର୍ବାଚନରେ ଭୋଟ୍ ହାତଛଡ଼ା ହେବା ଭୟରେ ଦଳ ଓବିିସି ବର୍ଗଙ୍କୁ ୨୭% ଟିକେଟ୍ ଦେବ ବୋଲି ଘୋଷଣା କରିଛି ।ତେବେ ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଥିବା ବିଜେଡି କେବଳ ଲୋକସଭା ନିର୍ବାଚନରେ ୭ଜଣ ମହିଳା(୩୩%) ଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବାରେ ବିଜେଡି ସତସାହାସ ଜୁଟାଇ ପାରିନଥିଲା। ୨୦୧୯ ନିର୍ବାଚନରେ ଦଳ ମାତ୍ର ୨୦ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଯଦି ୨୦୧୯ ସାଧାରଣ ନିର୍ବାଚନବେଳେ ନିଜ ଘୋଷଣା ଅନୁସାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥାନ୍ତେ, ତା’ହେଲେ ବିଜେଡି ୪୪ଜଣ ମହିଳାଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତା। ନିଜ ସରକାରର ୨୧ବର୍ଷର ବିଫଳତାକୁ ଲୁଚାଇବାକୁ ପଂଚାୟତ ନିର୍ବାଚନରେ ଜାତିକୁ ଆଧାର କରି ଭୋଟ ମାଗିବାକୁ ଲକ୍ଷ୍ୟ ରଖିଥିବା ନବୀନ ପ୍ରଥମଥର ପାଇଁ ଜାତି କାର୍ଡର ରାଜନୀତିକୁ ଅଗ୍ରାଧିକାର ଦେଇଥିବା ଜଣାପଡ଼ିଛି।

ମୁକୁଲ ରୟ କହିଲେ ମୋ ଆସନରେ ଉପନିର୍ବାଚନ ହେଲେ ଗେରୁଆ ଦଳ ବିଜୟୀ ହେବ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଣି ଚର୍ଚ୍ଚାରେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଥିବା ମୁକୁଲ ରୟ। ଶୁକ୍ରବାର ପୁଣି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ରାଜ୍ୟ ରାଜନୀତିରେ କୌତୁହଳ ସୃଷ୍ଟି କରିଛି। ସେ କହିଛନ୍ତି, ‘ମୋ ବିଧାନସଭା ଆସନରେ ଉପନିର୍ବାଚନ ବେଳେ ଗେରୁଆ ଦଳ ବିଜୟୀ ହେବ’। ସପ୍ତାହକ ମଧ୍ୟରେ ମୁକୁଲ ରୟ ଦ୍ୱିତୀୟ ଥର ପାଇଁ ବିଜେପି ସପକ୍ଷରେ ଏପରି ମନ୍ତବ୍ୟ ରଖିଛନ୍ତି। କିନ୍ତୁ ସେ କହିଛନ୍ତି ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଏମସି ଆଗ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ। ତେବେ ମୁକଲ ରୟଙ୍କ ଏପରି ମନ୍ତବ୍ୟକୁ ନେଇ ଟିଏମସିର ଅନ୍ୟତମ ବରିଷ୍ଠ ନେତା ତାପସ ରୟ କୌଣସି ବିବୃତ୍ତି ରଖି ନାହାନ୍ତି। ବିଜେପି କହିଛି ଲୋକେ ଏଭଳି ମତକୁ ନେଇ ବିଚାର କରିବେ। ମୁକୁଲ ଏଭଳି କହିବା ପଛର କାରଣ ହେଲା ମୁକୁଲ ରୟ ବିଜେପି ଟିକେଟରୁ କ୍ରିଷ୍ଣାନଗର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପରେ ସେ ଟିଏମସିରେ ସାମିଲ୍ ହୋଇଛନ୍ତି। ତେଣୁ ଆଇନ ଅନୁଯାୟୀ ମୁକୁଲ ରୟ ବିଧାୟକ ପଦ ହରାଇବେ। ଯଦିଓ ସେ ଇସ୍ତଫା ଦେଇ ନାହାନ୍ତି କି ବିଧାନସଭାର ବାଚସ୍ପତି ତାଙ୍କ ପଦ ରଦ୍ଦ କରି ନାହାନ୍ତି କିନ୍ତୁ ବିରୋଧୀ ବିଜେପି ଏବେ ଏହାକୁ ନେଇ ନ୍ୟାୟଳୟର ଦ୍ୱାରସ୍ଥ ହୋଇସାରିଛି। ତେଣୁ ଆଗାମୀ ଦିନରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣିଥରେ ନିର୍ବାଚନରେ ଭାଗ ନେଇପାରନ୍ତି। ଏହା ପୂର୍ବରୁ ଅଗଷ୍ଟ ୬ରେ ନଦିଆ ଜିଲ୍ଲାର କୃଷ୍ଣନଗରରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ବିଜୟୀ ହେବ। ତେବେ ପାଖରେ ଥିବା ସାମ୍ୱାଦିକମାନେ ଏପରି ମନ୍ତବ୍ୟକୁ ନେଇ ହଠାତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମୁକୁଲ ତ୍ରୁଟି ସୁଧାରି କହିଥିଲେ ଉପନିର୍ବାଚନରେ ଟିଏମସି ବିଜୟୀ ହେବ। ସେତେବେଳେ ମୁକୁଲଙ୍କ ପୁଅ ଶୁଭ୍ରାଂଶୁ କହିଥିଲେ ମାଙ୍କର ଦେହାନ୍ତ ପରେ ବାପା (ମୁକୁଲ ରୟ) ଟିକିଏ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ତେଣୁ ସେ ମଝିରେ ମଝିରେ ଏପରି କିଛି ବିବୃତ୍ତି ରଖୁଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରତି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ସୂଚନାଯୋଗ୍ୟ, ମୁକୁଲ ରୟ ଟିଏମସିର ସାଂସଦ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୟୁପିଏ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ। ହେଲେ ମମତାଙ୍କ ସହ ମତାନ୍ତର ହେବା ପରେ ୨୦୧୮ରେ ସେ ଟିଏମସି ଛାଡି ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ତାଙ୍କୁ ଦଳରେ ଜାତୀୟ ଉପାଧ୍ୟକ୍ଷ ପଦରେ ବସାଇଥିଲା। ଏହାପରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବିଜେପିର ସେ ମଙ୍ଗ ଧରିଥିଲେ। ବିଜେପି ଭଲ ରେଜଲ୍ଟ ମଧ୍ୟ କରିଥିଲା। ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରୁ ମଧ୍ୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପରେ କିନ୍ତୁ ସେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଛନ୍ତି। ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି, ଯାହାକୁ ନେଇ ବିବାଦ ଚାଲିଛି।

କଂଗ୍ରେସରେ ଟଙ୍କା ଅଭାବ! ସାଂସଦମାନଙ୍କୁ ୫୦ ହଜାର ଲେଖାଏ ଦେବାକୁ କହିଲା ଦଳ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ୨୦୧୪ରୁ କ୍ଷମତା ବାହାରେ ଥିବା କଂଗ୍ରେସ ଏବେ ଟଙ୍କା ପାଇଁ ଦଳୀୟ ଖର୍ଚ୍ଚ ତୁଲାଇବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଏହାର ମୁକାବିଲା ପାଇଁ ଖର୍ଚ୍ଚ କାଟ କରିବାକୁ ନିଷ୍ପତ୍ତି ନେଇଛି ଦଳ ।ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଦଳ ଆର୍ଥିକ ସ୍ଥିତିରେ ମଜଭୂତ ହେବାକୁ ଚାହୁଁଛି। ଗୋଟିଏ ପଟେ ବିଭିନ୍ନ ସୂତ୍ରରୁ ବିଜେପିର ଆୟ ହୁହୁ ହୋଇ ବଢ଼ୁଥିବା ବେଳେ ଅନ୍ୟପଟେ କଂଗ୍ରେସର ଆୟ ହ୍ରାସ ପାଉଛି। ଏପରି ସ୍ଥିତିରେ ଦଳ ବିଜେପି ସହ କେମିତି ଲଢ଼େଇ କରିବ, ସେ ଚିନ୍ତା ହାଇକମାଣ୍ଡଙ୍କୁ ଘାରିଛି। ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସ ଦଳର ସାଂସଦମାନଙ୍କୁ ନିଜସ୍ୱ ଅର୍ଥରେ ବିମାନ ଯାତ୍ରା କରିବାକୁ କହିଛି। ପୂର୍ବରୁ ସାଂସଦଙ୍କ ବିମାନ ଖର୍ଚ୍ଚ ଦଳ ବହନ କରୁଥିଲା। ଏଥିସହ ସାଂସଦଙ୍କୁ ପାର୍ଟି ଫଣ୍ଡକୁ ବାର୍ଷିକ ୫୦ ହଜାର ଟଙ୍କା ଲେଖାଏ ଦାନ କରିବାକୁ ନିବେଦନ କରାଯାଇଛି। କଂଗ୍ରେସ ନିଜର ସଚିବଙ୍କ ଠାରୁ ଆରମ୍ଭ କରି ମହାସଚିବଙ୍କ ଖର୍ଚ୍ଚ କାଟ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି। କଂଗ୍ରେସର କୋଷାଧ୍ୟକ୍ଷ ପବନ ବଂଶଲ କହିଛନ୍ତି, “ଖର୍ଚ୍ଚକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଏପରି ଯୋଜନା କରାଯାଇଛି। ମୁଁ ନିଜେ ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରୁଛି।” କଂଗ୍ରେସ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସଚିବମାନଙ୍କୁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ କହିଛି। ଟ୍ରେନ ଯାତ୍ରା ଯେତେବେଳେ ସମ୍ଭବ ହେଉନାହିଁ ସେତେବେଳେ ସବୁଠାରୁ କମ ଦାମର ଟିକେଟ ନେଇ ବିମାନ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଦଳର ଯେଉଁ ମହାସଚିମାନେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି, ସେମାନେ ବିମାନ ଯାତ୍ରାର ଅର୍ଥ ନିଜ ପକେଟରୁ ବହନ କରନ୍ତୁ। ଏଆଇସିସିର କାର୍ଯ୍ୟକର୍ତ୍ତା ଓ ସଚିବମାନଙ୍କୁ ସର୍ବାଧିକ ୧୪ଶହ କିମି ଯାଏ ଟ୍ରେନ ଯାତ୍ରା ବାବଦ ଭଡ଼ା ଦଳ ପକ୍ଷରୁ ଦିଆଯିବ। ୧୪ଶହ କିମିରୁ ଅଧିକ ଦୂରତାର ଯାତ୍ରା ପାଇଁ ସଚିବମାନଙ୍କୁ ସର୍ବନିମ୍ନ ବିମାନ ଭଡ଼ା ଦିଆଯିବ। ଯଦି ଟ୍ରେନ ଭଡ଼ା ବିମାନ ଭଡ଼ା ଠାରୁ ଅଧିକ ରହୁଛି, ତା’ହେଲେ ସେମାନେ ବିମାନରେ ଯିବା ଆସିବା କରିପାରିବେ। ଏ କ୍ଷେତ୍ରରେ ବିମାନ ଭଡ଼ା ମାସକୁ ଦୁଇ ଥର ଦିଆଯିବ। କ୍ୟାଣ୍ଟିନ, ଷ୍ଟେସନାରୀ, ବିଦ୍ୟୁତ୍, ଖବରକାଗଜ ଓ ତେଲ ଇତ୍ୟାଦି ଉପରେ ହେଉଥିବା ଖର୍ଚ୍ଚକୁ ଯଥା ସମ୍ଭବ କମ କରିବା ପାଇଁ ନିଜେ ଏଆଇସିସି କର୍ମକର୍ତ୍ତାମାନେ ଚେଷ୍ଟା କରିବେ। ଦଳ କହିଛି ଯେ ସଚିବ ଓ ମହାସଚିବଙ୍କ ପାଇଁ ଥିବା ୧୨ ହଜାର ଏବଂ ୧୫ ହଜାର ଟଙ୍କାର ଭତ୍ତା ମଧ୍ୟ କଟାଯିବ। ଏହି ଭତ୍ତାକୁ ଅଧିକାଂଶ ସଦସ୍ୟ କ୍ୱଚିତ୍ ବ୍ୟବହାର କରୁଥିବାରୁ ଏହାକୁ କାଟଛାଣ୍ଟ କରିବାକୁ ଯୋଜନା ହୋଇଥିବା ପବନ ବଂଶଲ କହିଛନ୍ତି । ସାଂସଦ ମାନେ ଦଳୀୟ ପାଣ୍ଠିକୁ ପ୍ରତିବର୍ଷ ୫୦ ହଜାର ଟଙ୍କା ଲେଖାଏ ଦେବ ଓ ଦଳର ଦୁଇ ଜଣ ସମର୍ଥକଙ୍କ ଠାରୁ ବର୍ଷକୁ ୪୦୦୦ ଟଙ୍କା ଲେଖାଏ ଆଣିବାକୁ ଚେଷ୍ଟା କରିବେ। ଏହାଦ୍ୱାରା ଦଳ ନିଜ ପାଣ୍ଠିକୁ ବୃଦ୍ଧି କରିବା ସହ ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ କରିପାରିବ ବୋଲି ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ କଂଗ୍ରେସର ନିର୍ବାଚନୀ ବଣ୍ଡ ଆୟ ୧୭% ହ୍ରାସ ପାଇଛି। ୨୦୧୮-୧୯ରେ ଦଳ ନିର୍ବାଚନୀ ବଣ୍ଡରୁ ୩୮୩ କୋଟି ପାଇଥିଲା। କିନ୍ତୁ ୨୦୧୯-୨୦ରେ ମୋଟ ବଣ୍ଡ ପରିମାଣର ମାତ୍ର ୯% ଅର୍ଥ ବା ୩୧୮ କୋଟି ଟଙ୍କା ଆୟ କରିଥିଲା। ଏହି ସମୟରେ ବିଜେପି ବିକ୍ରି ହୋଇଥିବା ମୋଟ ବଣ୍ଡର ୭୬% ବା ୨୫୫୫ କୋଟି ଟଙ୍କା ଆୟ କରିଛି। ୨୦୧୯-୨୦ରେ ମୋଟ ବିକ୍ରି ହୋଇଥିବା ବଣ୍ତର ପରିମାଣ ହେଉଛି ୩୫୫୫ କୋଟି। ଗତବର୍ଷ ବିଜେପି ନିର୍ବାଚନୀ ବଣ୍ଡରୁ ୧୪୫୦ କୋଟି ଟଙ୍କା ପାଇଥିଲେ। ହେଲେ ୨୦୧୯-୨୦ରେ ଦଳ ୭୫% ଅଧିକ ଆୟ କରିଛି।

୧୪ ଅଗଷ୍ଟ, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ବ୍ୟୟ ବଢ଼ିବାରୁ ମନ ଅଶାନ୍ତ ରହିବ।

ବୃଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। କୌଣସି ସମସ୍ୟାକୁ ନେଇ କାହା ସହିତ ଝଗଡ଼ା ହୋଇପାରେ।

ମିଥୁନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳି ନପାରେ।

କର୍କଟ: ପରିବାରରେ ତିକ୍ତତା ଦେଖାଦେବ। ଆର୍ଥିକ ସମସ୍ୟା ଲାଗି ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ବ୍ୟବସାୟରେ ଭଲ ଲାଭ ପାଇବେ। ଆର୍ଥିକ ସମସ୍ୟା ଦୂର ହେବାରୁ ମନ ଖୁସି ରହିବ।

କନ୍ୟା: ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ଦେଖାଯାଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ତୁଳା: ବନ୍ଧୁଙ୍କ ସହିତ ମତଭେଦ ହେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ। ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ମାନସମ୍ମାନ ପ୍ରାପ୍ତି ହେବ।

ବିଛା: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ।

ଧନୁ: ଦୁର୍ଘଟଣା ଘଟିପାରେ। ଭାଇମାନଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ପିଲାଙ୍କ ସହିତ ବାପାମା’ଙ୍କର ବଚସା ହୋଇପାରେ।

ମକର: ମିଡିଆରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଶୁଭଫଳ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଅଚାନକ ଧନପ୍ରାପ୍ତି ହେବ।

କୁମ୍ଭ: ପରିବାରରେ ହସଖୁସିର ବାତାବରଣ ରହିବ। ସ୍ନେହ,ଶ୍ରଦ୍ଧା ମିଳିବ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ।

ମୀନ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଭାବିଚିନ୍ତି ଅନ୍ୟମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।