ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ର ନୂତନ କର୍ମକର୍ତ୍ତା ଚୟନ…!

!!! ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚନ୍ଦ୍ରପୁର)- ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଳକରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ର ଚନ୍ଦ୍ରପୁର ବ୍ଳକ ସଭାନେତ୍ରୀ ଶ୍ରୀମତୀ ପୁଷ୍ପଲତା ପାତ୍ର ଏବଂ ସଂପାଦିକା ଶୀତା ଗାଗେରିଙ୍ଗା ର ନେତୃତ୍ୱରେ ସ୍ଥାନୀୟ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ କୋବିଡ ର ସମସ୍ତ ନିୟମକୁ ପାଳନ କରି ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ଶ୍ରୀ ମହନ ରାଓ ମାଝୀ , ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ର ରାଜ୍ଯ ଉପସଭାପତି ତଥା ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷା ରାଣୀ ଦାଶ ଯୋଗଦେଇ ଚନ୍ଦ୍ରପୁର ବ୍ଳକ ରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ତାସହ କାର୍ଯ୍ୟାଳୟ ରେ କର୍ମଚାରୀ ଖାଲି ଥିବା ଦୃଷ୍ଟିରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ଖାଲି ଥିବା ସ୍ଥାନ ତୁରନ୍ତ ପୂର୍ନ କରିବା ସହ ସମସ୍ତ ସମସ୍ୟାକୁ ତଥା ଗରମ ରନ୍ଧାଖାଦ୍ୟ , କେନ୍ଦ୍ରମାନଙ୍କରେ ଚାଉଳ ଠିକ୍ ସମୟରେ ଦିଆ ଯାଉନଥିବା , ଦରମା ୭୫୦ /- ଟଙ୍କା ହୀସାବରେ ଆସିବା କଥା କିନ୍ତୁ କମ୍ ଦରମା ଆସୁଥିବା ରୁ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ଚିନ୍ତା କରିବେ ନଚେତ୍ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ତାର ଦୃଢ଼ ଜବାବ ଦେବ ବୋଲି ଶ୍ରୀ ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି। ଏହି ଅବସରରେ ବ୍ଳକର ପୂର୍ବ କମିଟି କୁ ଭଂଗ କରାଯାଇ ନୂତନ କମିଟି ଚୟନ କରାଯାଇଥିଲା ।  ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକଙ୍କ ଶ୍ରୀ ଦାସ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ ର ରାଜା ଉପସଭାପତି ତଥା ଜିଲ୍ଲା ସଂପାଦିକା ଶ୍ରୀମତୀ ଦାଶଙ୍କ ଉପସ୍ଥିତିରେ ଚନ୍ଦ୍ରପୁର ବ୍ଳକ ର ନୂତନ କର୍ମକର୍ତ୍ତା ଭାବେ ସଭାନେତ୍ରୀ ଶ୍ରୀମତୀ ପୁଷ୍ପଲତା ପାତ୍ର , ଉପସଭାନେତ୍ରୀ ଭାବେ ଅନାମିକା ଲିମା , ସୁଜାତି ପଟ୍ଟନାୟକ , ସଂପାଦିକା ଶ୍ରୀମତୀ ପ୍ରିତୀବାଳା ମାହାନୀ , ସହ ସଂପାଦିକା ବବିତା ସାହୁ , କୋଷାଧ୍ୟକ୍ଷ ଭାବେ ଶ୍ରୀମତୀ ସଂଯୁକ୍ତା ପାତ୍ର ସହ ୩ ଟି ସେକ୍ଟର ରୁ ୨ ଜଣ ଲେଖାଏଁ ଲିଡର ଚୟନ କରାଯାଇଥିଲା ।

ବିଏମସିର ନୂଆ ବେଆଇନ୍‌ କୋଠା …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିବାଦ ଘେରରେ ଭୁବନେଶ୍ୱର ମହାନଗର ନିଗମର ନୂଆ କୋଠା । ୧୧ ମହଲା କୋଠା ଗତ ୪ ବର୍ଷ ଧରି ନିର୍ମାଣ ହେଉଛି। ହେଲେ ବିଲ୍ଡିଂ ପ୍ଲାନକୁ ଅନୁମୋଦନ ମିଳିନି। ଖୋଦ୍ ବିଏମ୍ସି କାର୍ଯ୍ୟାଳୟକୁ ବିଡିଏର ବିନା ଅନୁମୋଦନରେ କିପରି ନିର୍ମାଣ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଅଭିଯୋଗକୁ ସ୍ୱୀକାର କରିବା ସହ ଥିବା ସମସ୍ୟାକୁ ସମାଧାନ କରାଯାଇଥିବା କହିଛନ୍ତି ବିଏମ୍ସି କମିଶନର । ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମ୍ସିର ନୂଆ କାର୍ଯ୍ୟାଳୟ । କିନ୍ତୁ ଏଠି ବିଡିଓ ଖୋଦ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂର ନିର୍ମାଣକୁ ଅନୁମତି ମିଳିନି । ପ୍ଲାନ୍‌ର ଅନୁମତି ନନେଇ ୪ ବର୍ଷ ଧରି କାମ ଚାଲିଛି। ଖାଲି ପ୍ଲାନ୍ ନୁହେଁ ସେଟବ୍ୟାକ୍ ନିୟମ ବି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କୋଠାର ଉଚ୍ଚତା ଦୃଷ୍ଟିରୁ ୩୦ ଫୁଟ୍‌ର ସେଟ୍‌ବ୍ୟାକ୍ ପାଇଁ ଜାଗା ଛଡ଼ାଯିବା କଥା। କିନ୍ତୁ ତାହା ବି ଉଲ୍ଲଂଘନ ହୋଇଥିବା କୁହାଯାଉଛି। ତେଣୁ ବିଏମସି କାହା ସ୍ୱାର୍ଥରେ ନିୟମ ଉଲ୍ଲଂଘନ କରିଛି ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ସ୍ୱୀକାର କରିଛନ୍ତି ବିଏମ୍ସି କମିଶନର ସଞ୍ଜୟ ସିଂ । ବିଲ୍ଡିଂକୁ ଅନୁମତି ମିଳିପାରିନି । ନିର୍ମାଣ ଆରମ୍ଭ ବେଳେ ଜିଏ ବିଭାଗ ଅଧିନରେ ଜମି ଥିବାରୁ ଏନେଇ ସମସ୍ୟା ଦେଖାଦେଇଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଥିଲା । ଯାହା ଫଳରେ ବିଲ୍ଡିଂ ପ୍ଲାନକୁ ଅନୁମତି ମିଳିପାରିନଥିଲା। ଏହାକୁ ସମାଧାନ କରାଯାଇ ପୁଣି ଥରେ ଅନୁମତି ମଗାଯାଇଥିବା ବିଏମ୍ସି କମିଶନର କହିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୭୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଭୁବନେଶ୍ୱର ଜନପଥରେ ୧୧ ମହଲା ବିଶିଷ୍ଟ କୋଠା ନିର୍ମାଣ ହେଉଛି । ପୁରୁଣା ଅଫିସର କାର୍ଯ୍ୟ ନୂଆ ବିଏମସିର ମୁଖ୍ୟାଳୟରେ ହେବ । ଏହାଛଡ଼ା କିଛି କୋଠାକୁ ଘରୋଇ ସଂସ୍ଥାକୁ ଭଡ଼ାରେ ବି ଦିଆଯିବ ।

ଧାରା ୬୬-କ ରଦ୍ଦ କରିଥିବା ବିଚାରପତି ନେଲେ ଅବସର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଆର. ଏଫ୍. ନରିମାନ ଆଜି ଅବସର ନେଇଛନ୍ତି। ଜଷ୍ଟିସ ନରିମନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ରାୟ ଶୁଣାଇଛନ୍ତି। ତନ୍ମଧ୍ୟରୁ ଧାରା ୬୬-କ ରଦ୍ଦ ରାୟ ଅନ୍ୟତମ। ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ଏହି ଅବସରରେ କହିଛନ୍ତି, ଶ୍ରେୟା ସିଙ୍ଗଲ ମାମଲାରେ ଜଷ୍ଟିସ ନରିମାନଙ୍କ ରାୟ ସବୁଦିନ ପାଇଁ ମନେ ରହିବ। ସେହି ମାମଲାରେ ଆଇଟି ଆକ୍ଟର ଧାରା ୬୬-କ ରଦ୍ଦ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି କହିଛନ୍ତି, ଶାୟରା ବାନୋ ମାମଲା ହେଉ ଅବା ଶ୍ରେୟା ସିଙ୍ଗଲ ଭଳି ମାମଲାର ବିଚାର କରିଛନ୍ତି ଜଷ୍ଟିସ ନରିମାନ। ଯାହାକି ଦେଶର ନ୍ୟାୟପାଳିକା ପାଇଁ ଅବିସ୍ମରଣୀୟ ହୋଇ ରହିବ। ଜଷ୍ଟିସ ନରିମାନ ସମସାମୟିକ ନ୍ୟାୟିକ ବ୍ୟବସ୍ଥାର ଅନ୍ୟତମ ପିଲର (ଖମ୍ବ) ଥିଲେ। ସେ ଜଣେ ନୀତିନିୟମ ପ୍ରତି ସଜାଗ ଥିବା ବ୍ୟକ୍ତି। ସେ ନୀତିନିୟମ ଉପରେ ଅଡି ରହୁଥିଲେ।ପ୍ରଧାନ ବିଚାରପତି ଜଷ୍ଟିସ ନରିମାନଙ୍କ ଏକାଡେମିକ୍ ଏବଂ ଆଇନଗତ ଯାତ୍ରା ବିଷୟରେ ବର୍ଣ୍ଣନା କରି କହିଛନ୍ତି, ଜୁଲାଇ ୭, ୨୦୧୪ରେ ବାରରୁ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ନରିମାନ। ସେ ସିଧାସଳଖ ବିଚାରପତି ହେବା ପୂର୍ବରୁ ପ୍ରାୟ ୩୫ ବର୍ଷ ଧରି ଆଇନ ପ୍ରାକ୍ଟିସ କରିଥିଲେ। ସେ ପ୍ରାୟ ୧୩,୫୬୫ ମାମଲାର ବିଚାର କରିଥିଲେ। କହିରଖୁଛୁ, ଜଷ୍ଟିସ ଆର. ଏଫ. ନରିମାନ ହେଉଛନ୍ତି ପଞ୍ଚମ ବ୍ୟକ୍ତି ଯିଏକି ଆଇନଜୀବୀରୁ ସିଧାସଳଖ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ ନରିମାନଙ୍କୁ ଭାଇ ବୋଲି ସମ୍ବୋଧନ କରି ଜଷ୍ଟିସ ରମନ୍ନା କହିଛନ୍ତି, ନ୍ୟାୟିକ ଅନୁଷ୍ଠାନର ଜଗୁଆଳୀ ସାଜିଥିବା ସିଂହମାନଙ୍କ ମଧ୍ୟରୁ ଆଜି ଜଣକୁ ହରାଉଛି। ପ୍ରଧାନ ବିଚାରପତିଙ୍କ କୋର୍ଟରେ ବିଦାୟ ସମାରୋହ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।​ ଜଷ୍ଟିସ ନରିମାନଙ୍କୁ ବିଦାୟ ଦେବା ପାଇଁ ଅନେକ ବରିଷ୍ଠ ଓକିଲ ତଥା ଜୁନିଅର ଓକିଲ ଏକାଠି ହୋଇଥିଲେ। ହେଲେ ଜଷ୍ଟିସ ନରିମାନ ଏହି ଅବସରରେ ଗୋଟିଏ ବି ଶବ୍ଦ ମଧ୍ୟ କହି ନଥିଲେ।

ଅଲଗା ହେଲେ ଆଇଏଏସ୍‌ ପ୍ରେମିକା ଟିନା ଓ ପ୍ରେମିକ ଅଥର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଶେଷରେ ଅଲଗା ହୋଇଛନ୍ତି ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବି ଓ ଅଥର ଖାନ। ବାହାଘରର ୩ ବର୍ଷ ପରେ ଏହି ପ୍ରେମୀ ଯୁଗଳ ମଧ୍ୟରେ ହୋଇଛି ବିବାହ ବିଚ୍ଛେଦ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଗୋଟିଏ ଫ୍ୟାମିଲ କୋର୍ଟ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ମାରିଛନ୍ତି। ଉଭୟ ୨୦୧୮ରେ ପ୍ରେମ ବିବାହ କରିଥିଲେ। ଦୁଇ ଜଣ ଅଲଗା ଜାତିର ହୋଇଥିବା ବେଳେ ପ୍ରେମ ବିବାହ କରି ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଥିଲେ। କିନ୍ତୁ ୨୦୨୦ ନଭେମ୍ବରରୁ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼। ଶେଷରେ ମାମଲା କୋର୍ଟରେ ପହଞ୍ଚିଥିଲା। ଦୀର୍ଘ ଗୋଟିଏ ବର୍ଷର ଆଇଗନ ଲଢ଼େଇ ପରେ ଏବେ ଉଭୟ ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି। ୨୦୧୫ ମସିହା ୟୁପିଏସ୍‌ସି ପରୀକ୍ଷାରେ ଟିନା ଟପ୍ପର ହୋଇଥିବା ବେଳେ ଅଥର ଖାନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ଭାବେ ଉଭୟ ଜୟପୁରରେ ପୋଷ୍ଟିଂ ପାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଏହି ପ୍ରେମକୁ ବିବାହର ରୂପ ଦେଇଥିଲେ ଟିନା ଓ ଅଥର। କଶ୍ମୀର ଯୁବକ ଅଥର ଓ ଟିନାଙ୍କ ବିବାହରେ ବହୁ ବଡ଼ବଡ଼ ଅଫିସର, ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ସେତେବେଳେ ଏହି ବିବାହ ଗଣମାଧ୍ୟମର ଶୀର୍ଷକ ପାଲଟିଥିଲା। ବିଶିଷ୍ଟ ବ୍ୟକ୍ତିମାନେ ଉଭୟଙ୍କ ବିବାହକୁ ସମାଜ ପାଇଁ ଉଦାହରଣ କହିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ହିନ୍ଦୁ ମହାସଭା ଏହାକୁ ଲଭ ଜିହାଦର ଆଖ୍ୟା ଦେଇଥିଲା। ଏସବୁ ଭିତରେ ଟିନା ଓ ଅଥର ଦୁଇ ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କରିବା ସହ ନିଜ କାମ ମଧ୍ୟ କରି ଚାଲିଥିଲେ। ହେଲେ ସମୟ ବିତିବା ସହ ଦାମ୍ପତ୍ୟ ଜୀବନ ମଧ୍ୟ ବିଗିଡ଼ି ଯାଇଥିଲା। ଶେଷରେ ଏହି ପ୍ରେମପକ୍ଷୀ ଏବେ ଅଲଗା ହୋଇଯାଇଛନ୍ତି। ଆପୋଷ ସହମତି ଭିତ୍ତିରେ ଉଭୟ ଫ୍ୟାମିଲ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ବାରମ୍ବାର ଶୁଣାଣି କରି କୋର୍ଟ ଉଭୟଙ୍କୁ ଏକାଠି କରିବାକୁ ଚାହିଁଥିଲେ। ହେଲେ ଏହା ସମ୍ଭବ ହୋଇପାରିନାହିଁ।

‘ରାଜ୍ୟର ବରପୁତ୍ରମାନଙ୍କ ନାଁରେ ପ୍ରସ୍ତାବିତ ଇନଡୋର ଷ୍ଟାଡ଼ିୟମର ନାମକରଣ କର’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟର ୮୯ଟି ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ ଗତ ଦୁଇଦିନ ତଳେ ଅନୁମୋଦନ ଦେବା ପରେ ବିଜେପି ଆଜି ଏନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ନିର୍ବାଚନ ଆସିଲେ ସରକାର ଅନେକ ଘୋଷଣା କରନ୍ତି ଓ ସରିଗଲେ ଭୁଲିଯାଆନ୍ତି ବୋଲି କହିଛନ୍ତି। ଆଉ ଯଦି ଏହା ପ୍ରଚାରସର୍ବସ୍ୱ ନୁହେଁ ତା’ହେଲେ ଷ୍ଟାଡ଼ିୟମ ଯେଉଁ ଜିଲ୍ଲାରେ ସ୍ଥାପନ ହେବ ସେହି ଅଂଚଳର ବରପୁତ୍ର, ମହାପୁରୁଷ ଓ କ୍ରୀଡ଼ାବିତଙ୍କ ନାଁରେ ଏହାର ନାମକରଣ କରାଯାଉ ବୋଲି ବିଜେପି ଦାବି କରିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଦଳର ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଏହି ଇନଡୋର ଷ୍ଟାଡ଼ିୟମ ଘୋଷଣାକୁ ନେଇ ସରକାରଙ୍କ ଦୁଇଟି ବିଭାଗ ଭିନ୍ନ ଭିନ୍ନ ତଥ୍ୟ ସମ୍ବଳିତ ପ୍ରେସ୍ ରିଲିଜ୍ ଗଣମାଧ୍ୟମକୁ ଦେଇଛନ୍ତି। ତେଣୁ ଏହି ଇନଡୋର ଷ୍ଟାଡ଼ିୟମ କେଉଁ ଯୋଜନାରେ ହେଉଛି ଓ କେଉଁ ବିଭାଗରୁ କେତେ ଅର୍ଥ ବ୍ୟୟ ହେବ ତାହା ସରକାର ସ୍ପଷ୍ଟ କରନ୍ତୁ। ଏହା ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ନା ସହରାଂଚଳ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ତାହା ଉପରେ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦେଇ ରାଜ୍ୟବାସୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରନ୍ତୁ। ରାଜ୍ୟ ସରକାର ନିଶ୍ଚିତ ଭାବେ ଏକ ତାଲିକା ପ୍ରସ୍ତୁତ କରି ୮୯ଟି ସ୍ଥାନରେ ଇନଡୋର ଷ୍ଟାଡ଼ିୟମ ହେବ ବୋଲି ଘୋଷଣା କରିଛନ୍ତି। ତେଣୁ ଏହି ୮୯ଟି ଜାଗା କେଉଁ ଜିଲ୍ଲା ଓ କେଉଁ ପୌରାଂଚଳରେ ତାହା ରାଜ୍ୟବାସୀଙ୍କ ସାମ୍ନାରେ ରଖନ୍ତୁ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୩୧୪ ବ୍ଲକରେ ମିନି ଷ୍ଟାଡ଼ିୟମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ତେବେ ଗତ ଦୁଇବର୍ଷ ମଧ୍ୟରେ କେତେ ବ୍ଲକରେ କେତୋଟି ଷ୍ଟାଡ଼ିୟମ ନିର୍ମାଣ ହୋଇଛି ତା’ର ହିସାବ ସରକାର ଦିଅନ୍ତୁ । ସୁବାସ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ପଣ୍ଡିତ ଗୋପବନ୍ଧୁ ଦାଶ, ହରେକୃଷ୍ଣ ମହତାବ, ବାଜି ରାଉତ, ରେଣ୍ଡୋ ମାଝୀ, ଗଙ୍ଗାଧର ମେହେର, ଜୟୀ ରାଜଗୁରୁ, ଫକୀର ମୋହନ ସେନାପତି, ଧରଣୀଧର ଭୂୟାଁ, ରଘୁନାଥ ମୁର୍ମୁ, ମାଳତୀ ଚୌଧୁରୀ, ସନ୍ଥ ଭୀମଭୋଇ, ଲକ୍ଷ୍ମଣ ନାଏକ, ମାଧବ ସିଂ, ଗଜପତି କୃଷ୍ଣଦେବ, ନିର୍ମଳ ମୁଣ୍ଡା ଆଦି ଅନେକ ମହାନ ବ୍ୟକ୍ତି, ମହାପୁରୁଷ ଓ କ୍ରୀଡ଼ାବିତ୍ ଅଛନ୍ତି ଯେଉଁମାନେ ନିଜ ଅଂଚଳ, ଜିଲ୍ଲା ତଥା ରାଜ୍ୟ ପାଇଁ ନିଜର ଯୋଗଦାନ ଦେଇଛନ୍ତି। ସାମାଜିକ ଜୀବନକୁ ସୁଦୃଢ଼ କରିବା ଓ ଭବିଷ୍ୟତ ସମାଜ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ସେମାନଙ୍କ ନାଁରେ ଏହି ଇନଡୋର ଷ୍ଟାଡ଼ିୟମଗୁଡ଼ିକୁ ନାମିତ କରିବାକୁ ବିଜେପି ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ, ଦିଲ୍ଲୀପ ମଲ୍ଲିକ ଓ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏସବୁ ଷ୍ଟାଡ଼ିୟମ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବା ପାଇଁ ବିଜେଡି ସରକାର ଯୋଜନା କରୁଥିବା ଜଣାପଡ଼ିଛି।

ଜାତିଭିତ୍ତିକ ଗଣନା କର, ଗୃହମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲା ବିଜେଡି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଜେଡି ଫୋକସରେ ଏବେ ପଛୁଆବର୍ଗ। ପଛୁଆବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ଦଳର ପ୍ରୟାସ ପୁଣି ସ୍ପଷ୍ଟ ବାରି ହୋଇଛି। ବିଜେଡି ସାଂସଦମାନେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବିପତ୍ର ଦେଇଛନ୍ତି। ଜାତିଭିତ୍ତିକ ଜନଗଣନା ହେଲେ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ଏବଂ ସେହି ଅନୁସାରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ତାସହିତ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ ମିଶାଇ ସମୁଦାୟ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରିବା ନେଇ ସୁପ୍ରିମକୋର୍ଟଙ୍କ ପ୍ରତିବନ୍ଧକ ରହିଥିବା ବେଳେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇନ୍ ଆଣି ରାଜ୍ୟମାନଙ୍କୁ ପଛୁଆବର୍ଗ ଚିହ୍ନଟ ଓ ତାଲିକା ଜାରି କରିବା ସହ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରକୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉ ବୋଲି ମଧ୍ୟ ବିଜେଡି ସାଂସଦମାନେ ଦାବି କରିଛନ୍ତି। ଗୃହମନ୍ତ୍ରୀ ସେମାନଙ୍କ ଦାବି ଶୁଣିଛନ୍ତି ଓ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିବା ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ତେଣେ ବିଜେପି ଏନେଇ କଡ଼ା ପ୍ରତିକ୍ରିୟା ଦେଇଛି। ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ବହୁବାର ବିଜୁ ଜନତା ଦଳ କେନ୍ଦ୍ର ସରକାରରେ ଅଂଶୀଦାର ଥାଇ ବି କେବେ ପଛୁଆବର୍ଗଙ୍କ କଥା ଚିନ୍ତା କରିନି। ସ୍ୱାଧୀନତାର ୭୫ବର୍ଷ ପରେ ମୋଦି ସରକାର ଯେତେବେଳେ ସମ୍ବିଧାନର ୧୨୭ତମ ସଂଶୋଧନ କରି ପଛୁଆବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେଲେ, ସେତେବେଳେ ଶ୍ରେୟ ନେବାକୁ ଏହା ଏକ ପ୍ରତିଯୋଗିତା ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସେପଟେ ପଛୁଆବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଓବିସି ସଂରକ୍ଷଣ ଯୁକ୍ତିର ସିଧାସଳଖ କାଉଣ୍ଟର କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସନ୍ନ କହିଥିଲେ ଜାତିଭିତ୍ତିକ ଜନଗଣନା ହେଲେ, ଯେଉଁ କାରଣ ଦର୍ଶାଇ କୋର୍ଟ ଓବିସି ସଂରକ୍ଷଣ ଆଇନକୁ ଅସିଦ୍ଧ ଘୋଷଣା କରୁଛନ୍ତି ସେଥିରୁ ମୁକ୍ତି ମିଳିବ। ଏନେଇ ଆମେ ହାଇକୋର୍ଟ ଯାଇଥିଲୁ, ହେଲେ ନ୍ୟାୟାଳୟ ତାକୁ ଖାରଜ କରିଦେଇଥିଲେ। ଜବାବରେ ଧର୍ମେନ୍ଦ୍ର କହିଥିଲେ, ଯଦି ୨୦୧୪ ମସିହାରେ ହାଇକୋର୍ଟ ଆବେଦନ ଖାରଜ କଲେ, ତାହେଲେ ସୁପ୍ରିମକୋର୍ଟରେ କାହିଁକି ଗଲେନି। ରାଜ୍ୟରେ ପଛୁଆବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତମୁଠାରେ ରଖିବାକୁ ବିଜେଡି ବହୁ ଆଗରୁ ଯୋଜନା ଚଳାଇଛି। ଏମିତିକି ୨୦୨୧ ଫେବ୍ରୁଆରୀରେ ହେବାକୁ ଥିବା ସାଧାରଣ ଜନଗଣନା ସହ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା। ହେଲେ କେନ୍ଦ୍ର ଏହାକୁ ଅଗ୍ରାହ୍ୟ କରିବା ପରେ ରାଜ୍ୟ ସରକାର ସାମାଜିକ, ଆର୍ଥିକ ଓ ଶିକ୍ଷା ସ୍ଥିତି ନେଇ ଗତ ମେ ପହିଲାରୁ ନିଜସ୍ୱ ସର୍ଭେ କରିବାକୁ ସ୍ଥିର କରିଥିଲେ। ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓବିସି କମିଶନ୍ ମଧ୍ୟ ଗଠନ ହୋଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା କିନ୍ତୁ କୋଭିଡ୍ କାରଣରୁ ତାହା ଆଗେଇ ପାରିନି।

ଲୋକାୟୁକ୍ତଙ୍କ ବିରୋଧରେ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ହାଇକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇକୋର୍ଟ ନିର୍ଦ୍ଦେଶନାମାର ଜାଲ୍ କପି ବଳରେ ସୁପ୍ରିମକୋର୍ଟ ଯାଇଥିବା ଅଭିଯୋଗ ହୋଇଛି। ଏହାସହ ଲୋକାୟୁକ୍ତଙ୍କୁ କାର୍ଯ୍ୟକଳାପରୁ ବିରତ ରଖିବାକୁ ପ୍ରଦୀପ ଆବେଦନ ମଧ୍ୟ କରିଛନ୍ତି। ତେବେ ଏନେଇ ପ୍ରେସମିଟ୍‌ରେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ ତାଙ୍କ ବିରୋଧରେ ଲୋକାୟୁକ୍ତ କରିଥିବା ମାମଲାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ସହ ଭିଜିଲାନ୍ସ ପରିବର୍ତ୍ତେ ନିଜ ଏଜେନ୍ସି ଦ୍ୱାରା ଲୋକାୟୁକ୍ତ ଏହାର ତଦନ୍ତ କରିପାରିବେ ବୋଲି ରାୟରେ ସ୍ପଷ୍ଟ କରିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏସଏଲପି (ସ୍ପେଶାଲ ଲିଭ୍ ପିଟିସିନ) ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ। ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବା ସହ ପ୍ରଦୀପ ପାଣିଗ୍ରାହୀଙ୍କୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ। ନୋଟିସ ପାଇବା ପରେ ଲୋକାୟୁକ୍ତ ଏସଏଲପିରେ ଦାଖଲ କରିଥିବା ହାଇକୋର୍ଟ ଅର୍ଡର କପି ନକଲି ବୋଲି ପ୍ରଦୀପ ଜାଣିବାକୁ ପାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶାନାମା ଦୁଇ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଏସଏଲପିରେ ଦାଖଲ ହୋଇଥିଲା ୬ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶାନାମା। ଲୋକାୟୁକ୍ତ ଭଳି ସଂସ୍ଥା ଏଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ରାଜ୍ୟର ଆଇନବ୍ୟବସ୍ଥା ପ୍ରତି ଉପହାସ ବୋଲି ପିତାମ୍ୱର କହିଛନ୍ତି। ତେଣୁ ନକଲି ନିର୍ଦ୍ଦେଶାନାମା ଦାଖଲ କରିବା ଅଭିଯୋଗରେ ଲୋକାୟୁକ୍ତ ଓ ତାଙ୍କ ସଚିବଙ୍କ ବିରୋଧରେ ଫୌଜଦାରୀ ଅଦାଲତ ଅବମାନନା ମାମଲା ରୁଜୁ ସହ କାର୍ଯ୍ୟରୁ ଅନ୍ତର କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି। ଲୋକାୟୁକ୍ତଙ୍କ ଏହି କାର୍ଯ୍ୟକଳାପ ଦ୍ୱାରା ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଅବମାନନା ହୋଇଥିବାରୁ ଆଗାମୀ ଦିନରେ ପ୍ରଦୀପ ପାଣିଗ୍ରାହୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି କହିଛନ୍ତି ତାଙ୍କ ଓକିଲ ପିତାମ୍ୱର ଆଚାର୍ଯ୍ୟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍‌ ୧୨ରେ ଜାମିନ୍‌ ଦିଆଯାଇଥିଲା । ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା ।

ବେଗୁନିଆପଡ଼ା ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭିମନ୍ୟୁ ସ୍ଵାଇଁ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଏବଂ ସମ୍ପାଦକ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ଅଭିମନ୍ୟୁ ସ୍ଵାଇଁ । ଶିକ୍ଷା ବିଭାଗର ନିର୍ଦ୍ଦେଶେନାମା ଅନୁଯାୟୀ ଶ୍ରୀ ସ୍ଵାଇଁ ଆଜି ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ପୂର୍ବରୁ ସ୍ଵର୍ଗତ ସନ୍ତୋଷ କୁମାର ପଣ୍ଡା ଏହାର ଅଧ୍ୟକ୍ଷ ଥିଲେ ।

ଗତ କୋଭିଡ୍ ଦ୍ଵିତୀୟ ଲହର ସମୟରେ ଶ୍ରୀ ପଣ୍ଡା ଙ୍କ ଅକାଳ ବିୟୋଗ ହୋଇଥିଲା । ଫଳରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ଶିକ୍ଷାବିଭାଗ ର ନିର୍ଦ୍ଦେଶନାମା ପରେ ଆଜି ଶ୍ରୀ ସ୍ୱାଇଁ ଦାୟିତ୍ତ୍ଵ ଭାର ଗ୍ରହଣ କରିଛନ୍ତି । ଶ୍ରୀ ସ୍ଵାଇଁ ସୂଚାରୁ ରୂପେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ପ୍ରକାଶ କରିଛନ୍ତି । ଏ ନେଇ ଶ୍ରୀ ସ୍ଵାଇଁ ଙ୍କୁ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

କ୍ରିଡ଼ା ପ୍ରେମୀ ମାନଙ୍କ ସ୍ୱପ୍ନ ସାକାର କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:-ସୁଶାନ୍ତ ସିଂ

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ଯୁବ ସମାଜ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ତେଣୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଠୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କିପରି ସୁଦୃଢ ହେବେ ସେ ନେଇ ଯୋଜନା ମାନ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବକ ମାନେ କ୍ରିଡା କ୍ଷେତ୍ରରେ କିପରି ଆଗକୁ ଯାଇ ରାଜ୍ୟ ତଥା ଦେଶର ନାମ ଗର୍ବିତ କରିବେ ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ “ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ” ତିଆରି ପାଇଁ ଅନୁମୋଦନ କରିଛନ୍ତି । ଏହି କ୍ରମରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ଯୁବକ ମାନେ କ୍ରିଡା କ୍ଷେତ୍ରରେ ଅଗ୍ରଗତି ପାଇଁ ପଦ୍ମପୁର ସହରରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬ କୋଟି ୧୪ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

ଆଜି ପଦ୍ମପୁର ଅଞ୍ଚଳର ଯୁବକ ମାନେ ତଥା କ୍ରିଡାପ୍ରେମୀ ମାନେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୄତଜ୍ଞତା ସଭା ବରିଷ୍ଠ ପୂର୍ବତନ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀମା ପ୍ରିତମ ମେହେରଙ୍କ ନେତୄତ୍ବରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ “ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ” ତିଆରି ହେଲେ ଯୁବ ପିଢି କିପରି କ୍ରିଡା କ୍ଷେତ୍ରରେ ଅଗ୍ରଗତି ହେବେ ସେ ବିଷୟରେ କ୍ରିଡାବିତ ମାନଙ୍କୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ:- ଭୋଜରାଜ ସିଂ ବରିହା , ପ୍ରଶାନ୍ତ ମହାନ୍ତି,ହୄଦାନନ୍ଦ ବାରିକ,ପରମାନନ୍ଦ ସାହା,ଉମେଶ ସାହୁ ତଥା ଅନେକ କ୍ରିଡାବିତ ଓ କ୍ରିଡାପ୍ରେମୀ ମାନେ ଯୋଗଦାନ କରିଥିଲେ l