ସାମ୍ବାଦିକମାନଙ୍କୁ ଖୋଲାଖୋଲି ଧମକ ଦେଲେ ତେଜ ପ୍ରତାପ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆରଜେଡିର ପୋଷ୍ଟର ଓ ବ୍ୟାନରକୁ ନେଇ ଦେଖାଯାଇଥିବା ବିବାଦ ପ୍ରସଙ୍ଗରେ ସାମ୍ବାଦିକମାନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ। ତେଜ ପ୍ରତାପଙ୍କ ସଭାରେ ଲାଗିଥିବା ପୋଷ୍ଟର ଓ ବ୍ୟାନରରୁ ସାନ ଭାଇ ତେଜସ୍ୱୀ ଯାଦବଙ୍କ ଫଟୋ ଗାଏବ ଥିବାରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଦଳ ମଧ୍ୟରେ କ୍ଷମତାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ମଧ୍ୟ ଆକଳନ କରାଯାଇଥିଲା। ତେବେ ଏହାକୁ ଭିତ୍ତିହୀନ ବୋଲି କହି ତେଜ ପ୍ରତାପ ସାମ୍ବାଦିକଙ୍କ ମାନଙ୍କ ନାଁରେ ଏଫଆଇଆର, ପିଆଇଏଲ ଓ ମାନହାନୀ କେସ୍‌ କରିବେ ବୋଲି ଧମକ ଦେଇଛନ୍ତି। ଫେସବୁକ ଲାଇଭରେ ଆସି ତେଜ ପ୍ରତାପ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆପଣମାନଙ୍କ ଯୋଗ୍ୟତା କ’ଣ? ମୁଁ ସମସ୍ତଙ୍କ ବିରୋଧରେ ଏଫଆଇଆର, ପିଆଇଏଲ ଓ ମାନହାନୀ କେସ୍‌ କରିବି। ମୁଁ ଆମ ଓକିଲଙ୍କୁ ଡାକି କେସ୍‌ କରିବି। ବିହାରର ବିକ୍ରି ହୋଇଥିବା ମିଡିଆ ମୋ କଥା ଶୁଣନ୍ତୁ। ମୁଁ ସମସ୍ତ ବିରୋଧରେ ମାନହାନୀ କେସ୍‌ କରିବି। ମୁଁ ଯାହା କହେ, ସେଇଆ କରେ।” ମିଡିଆକୁ ଟାର୍ଗେଟ କରିବା ବେଳେ ତେଜ ପ୍ରତାପ ଏକାଧିକ ସାମ୍ବାଦିକମାନଙ୍କ ନାଁ ନେଇଥିଲେ। ଏହି ସାମ୍ବାଦିକମାନେ ତାଙ୍କ ଛବିକୁ ମଳିନ କରିବାକୁ ଚାହୁଁଥିବା ତେଜ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆଜି ମିଡିଆ ମୋତେ ବ୍ୟାନର କଥା କହୁଛି। କିନ୍ତୁ ଯେତେବେଳେ ଲାଲୁ ଯାଦବ, ରାବ୍ରୀ ଦେବୀ, ମିଶା ଭାରତୀ ଓ ତେଜ ପ୍ରତାପଙ୍କ ଫଟୋ ନଥିଲା ସେତେବେଳେ ମିଡିଆ କ’ଣ କରୁଥିଲା? କ’ଣ ସମସ୍ତେ ଶୋଇ ପଡ଼ିଥିଲେ। ବିରୋଧୀମାନେ ଭଲ ଭାବେ ଜାଣି ସାରିଛନ୍ତି ଯେ ଦୁଇ ଭାଇ ତେଜ ଓ ତେଜସ୍ୱୀ ବିହାରକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ। ତେଣୁ ସେମାନେ ଏବେ ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ତେଜସ୍ୱୀ ମୋ ଅର୍ଜୁନ ହୋଇଥିବାରୁ ଯେଉଁମାନେ ଈର୍ଷାରେ ଜଳୁଛନ୍ତି, ସେମାନଙ୍କୁ ଆହୁରି ଜଳିବାକୁ ଦିଆଯାଉ।” ରବିବାର ତେଜ ଆରଜେଡି ଛାତ୍ର ସଂଗଠନକୁ ସମ୍ବୋଧନ କରିଥିଲେ। ଏଥିପାଇଁ ପାଟନାରେ ଥିବା ଆରଜେଡି ମୁଖ୍ୟାଳୟରେ ବଡ଼ବଡ଼ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲେ। ଏଥିରେ ଲାଲୁ, ରାବ୍ରୀ ଦେବୀ ଓ ତେଜ ପ୍ରତାପଙ୍କ ଫଟୋ ଥିଲା। କିନ୍ତୁ ତେଜସ୍ୱୀଙ୍କ ଫଟୋ ନଥିଲା।

ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ସୁବେଦାର ନୀରଜ ଚୋପ୍ରାଙ୍କୁ ଭେଟି ସମ୍ମାନିତ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ। ନୀରଜ ଜାଭେଲିନ ଥ୍ରୋୟର ହୋଇଥିବା ବେଳେ ଭାରତୀୟ ସେନାରେ ମଧ୍ୟ ସୁବେଦାର ଭାବେ କାର୍ଯ୍ୟକରନ୍ତି। ୨୦୧୬ରୁ ସେ ଜୁନିୟର କମିଶନଡ ଭାବେ ରାଜପୁତନା ରାଇଫଲରେ ସୁବେଦାର ଭାବେ ନିଯୁକ୍ତି ପାଇଛନ୍ତି। ଟୋକିଓରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ମଙ୍ଗଳବାର ରାଜପୁତନା ରାଇଫଲ ଓ ସ୍ଥଳସେନା ମୁଖ୍ୟଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଜେନେରାଲ ନରଭାଣେ ନୀରଜଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ପୁଅକୁ ସ୍ୱାଗତ କରିବା ପାଇଁ ପରିବାର ଲୋକ ହରିଆଣାର ପାନିପତରୁ ଦିଲ୍ଲୀରେ ପହଞ୍ଚିଥିଲେ। ସ୍ଥଳସେନା ପକ୍ଷରୁ ନୀରଜ ଓ ତାଙ୍କ ପରିବାର ଲୋଙ୍କୁ ସେନାଧ୍ୟକ୍ଷ ଭେଟିବା ବେଳର ଫଟୋ ଶେୟାର କରାଯାଇଛି। ୨୦୧୬ ମସିହାରେ ୪ ରାଜପୁତନା ରାଇଫଲରେ ନୀରଜ ଚୋପ୍ରା ନାଏବ ସୁବେଦାର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ପୁଣେରେ ଥିବା ମିଶନ ଅଲିମ୍ପିକ୍ସ ୱିଙ୍ଗ ଓ ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପାଇଁ ଚୟନ କରାଯାଇଥିଲା। ଅଗଷ୍ଟ ୭ରେ ଯେତେବେଳେ ନୀରଜ ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ସେତେବେଳେ ରାଜପୁତନା ରାଇଫଲ ପକ୍ଷରୁ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଅନ୍ୟପକ୍ଷରେ ରାଜପୁତନା ରାଇଫଲର କର୍ଣ୍ଣେଲ ଲ୍ୟୁଟନାଣ୍ଟ ଜେନେରାଲ କନୱାଲ ଜୀତ ସିଂହ ଢିଲନ ସୁନା ପୁଅ ନୀରଜଙ୍କୁ ୬ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାରରେ ପୁରସ୍କୃତ କରିଛନ୍ତି। ତାଙ୍କ ସହ ରେସଲିଂର ସେମି ଫାଇନାଲରେ ପରାସ୍ତ ହୋଇଥିବା ଦୀପକ ପୁନିଆଙ୍କୁ ମଧ୍ୟ ୪ ଲକ୍ଷ ଟଙ୍କା ମିଳିଛି। ଉଭୟଙ୍କ ସହ ସେ ଉଠାଇଥିବା ଫଟୋକୁ ସୋଶାଲ ମିଡିଆରେ ଶେୟାର କରାଯାଇଛି।

ରୋଡ ଟ୍ରିପ୍‌ରେ ଯିବେ ଆଲିଆ, କ୍ୟାଟ୍ରିନା, ପ୍ରିୟଙ୍କା….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଏକାଠି ହେବେ ବଲିଉଡ ଡିଭା। ରୋଡ ଟ୍ରିପ୍‌ରେ ଯିବେ ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା। ସାଙ୍ଗ ହୋଇ କରିବେ ଆଉଟିଂ। ଏଥିସହ ପାର୍ଟି ସାଙ୍ଗକୁ ମଉଜ ମସ୍ତି ମଧ୍ୟ କରିବେ। ପ୍ରକୃତରେ ଫରାହନ ଅଖତରଙ୍କ ଅପ୍‌କମିଂ ଫିଲ୍ମରେ ଏହି ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳିବ। ଆସିବ ଫିଲ୍ମ ‘ଦିଲ୍ ଚାହତା ହୈ’ର ଫିମେଲ୍‌ ଭର୍ସନ। ‘ଜି ଲେ ଜରା’ ଫିଲ୍ମରେ ଏମାନେ ନଜର ଆସିବେ। ଏନେଇ ଘୋଷଣା ହୋଇଛି। ଫିଲ୍ମର ନାଁ ସହ ଏହାର ମୋଶନ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି। ଏହି ମୋଶନ ପୋଷ୍ଟରରେ ଏକ ଗାଡି ଦେଖିବାକୁ ମିଳୁଛି, ଯାହା ଉପରେ ଅନେକ ଲୋକେସନ ଚିତ୍ରିତ କରାଯାଇଛି। ଏଥିସହ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି। ଏହି ପୋଷ୍ଟରକୁ ତିନି ଜଣ ଅଭିନେତ୍ରୀ ମିଳିତ ଭାବେ ସେଆର କରିଛନ୍ତି। ରିପୋର୍ଟ ମୁତାବକ ଫିଲ୍ମଟି ରୋଡ୍‌ ଟ୍ରିପ ଏବଂ ବନ୍ଧୁତା ଉପରେ ଆଧାରିତ। ଏହାପୂର୍ବରୁ ଫରହାନ ଅଖତର ବନ୍ଧୁତା ଉପରେ ଫିଲ୍ମ ‘ଜିନ୍ଦେଗି ନା ମିଲେଗି ଦୋବାରା’ ଏବଂ ‘ଦିଲ ଚାହତା ହୈ’ ତିଆରି କରିସାରିଛନ୍ତି।  ଫିଲ୍ମ ‘ଜୀ ଲେ ଜାରା’ର କାହାଣୀକୁ ଜୋୟା ଅଖତର ଲେଖିଛନ୍ତି। ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଉଛି। ସେପଟେ ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସସାଇଟେଡ୍‌ ଅଛନ୍ତି।  ଫିଲ୍ମକୁ ୨୦୨୩ରେ ରିଲିଜ କରାଯିବ।

ପୁଣି ସୋନିଆଙ୍କ ଦରବାରରେ ପହଞ୍ଚିଲା କଂଗ୍ରେସ କଳି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷ ଥମିବାର ନାଁ ଧରୁନି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟ କରାଯାଇଥିଲା। ଏହାସତ୍ତ୍ୱେ ଏହି ବିବାଦ ସାମାଧାନ ହେଉନାହିଁ।

ପୁଣିଥରେ କଂଗ୍ରେସ ସରକାରଙ୍କୁ ସିଦ୍ଧୁ ଟାର୍ଗେଟ କରିବାରୁ କଥା ଯାଇ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ପାଖରେ ପହଞ୍ଚିଛନ୍ତି। ସିଦ୍ଧୁ ସରକାରଙ୍କୁ ଟାର୍ଗେଟ କରୁଥିବାରୁ କାମ କରିବା କଷ୍ଟକର ହୋଇ ପଡ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦିଲ୍ଲୀ ଆସି ସୋନିଆଙ୍କ ପାଖରେ ଫେରାଦ ହୋଇଛନ୍ତି।

ସୋନିଆ ଏହା ଶୁଣି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ସରକାର ଓ ସିଦ୍ଧୁ ମିଳିତ ଭାବେ କାମ କରିବା ଦରକାର ବୋଲି କହିଛନ୍ତି। ସିଦ୍ଧୁଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଠାରୁ ସୋନିଆ ସବୁ କଥା ପ୍ରଥମେ ଶୁଣିଥିଲେ। ଏହାପରେ ସେ ରାଜ୍ୟ ସରକାର ଓ ପ୍ରଦେଶ କଂଗ୍ରେସ ୟୁନିଟ ମିଳିତ ଭାବେ କାମ କରିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସରକାର କିମ୍ବା ପ୍ରଦେଶ କଂଗ୍ରେସ ୟୁନିଟ ପରସ୍ପରର ସୀମା ମଧ୍ୟରେ ରହି କାମ କରନ୍ତୁ। କେହି କାହା କାମରେ ହସ୍ତକ୍ଷେପ କରିବା ଠିକ ନୁହେଁ ବୋଲି ସୋନିଆ କହିଥିବା ପଞ୍ଜାବ ଇନଚାର୍ଜ ହରିଶ ରାୱତ ସୂଚନା ଦେଇଛନ୍ତି। ଏଥିସହ କଂଗ୍ରେସ ତା’ର ପ୍ରତିଶ୍ରୁତି ପୂରଣ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି, ସେ ବିଷୟରେ ମଧ୍ୟ ସୋନିଆ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପଚାରି ବୁଝିଛନ୍ତି। ପଞ୍ଜାବ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ମଧ୍ୟ ସୋନିଆ ପ୍ରଶଂସା କରିଥିବା ଜଣାପଡ଼ିଛି।

୨୦୧୮ ଡ୍ରଗ୍ସ ଚୋରାଚାଲାଣ ଘଟଣାରେ ଅକାଳୀ ନେତା ବିକ୍ରମ ମାଜିଥା ଓ ଅନ୍ୟମାନଙ୍କ ବିରୋଧରେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ଉପରେ ସିଦ୍ଧୁ ପ୍ରଶ୍ନ କରିଥିଲେ। ଏଥିସହ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଠାବ କରି ଜେଲ ପଠାଇବା ହେଉଛି କଂଗ୍ରେସର ୧୮ ପଏଣ୍ଟ ବିଶିଷ୍ଟ ଏଜେଣ୍ଡାର ଅଂଶବିଶେଷ। ସରକାର ମାଜିଥାଙ୍କ ବିରୋଧରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ଯଦି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବ, ତା’ହେଲେ ଆମେ ବିଧାନସଭାରେ ଗୋଟିଏ ସଂକଳ୍ପ ପ୍ରସ୍ତାବ ଆଣିବୁ। ଏହି ସଂକଳ୍ପ ଦ୍ୱାରା ସବୁ ତଥ୍ୟ ସାର୍ବଜନୀନ କରିବାର ନିୟମ ରହିବ ବୋଲି ସିଦ୍ଧୁ କହିବା ସହ ନିଜ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ।

ଓବିସି ସଂଶୋଧନ ବିଲ୍‌ ପାସ୍‌, କେହି ବି ବିରୋଧରେ ଭୋଟ ଦେଲେନି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) :ନିଜସ୍ୱ ଜାତଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କ୍ଷମତା ଦେଉଥିବା ଓବିସି ସଂଶୋଧନ ବିଲ୍‌ ଆଜି ଲୋକସଭାରେ ପାସ୍‌ ହୋଇଛି। ଏହି ଓବିସି ସଂଶୋଧନ ବିଲ୍‌ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଥିବା ବେଳେ ଜଣେ କେହି ବି ଏହା ବିରୋଧରେ ମତ ଦେଇନାହାନ୍ତି।

ଲୋକସଭାରେ ବିଲ୍‌ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସେଠାରେ ଏହା ପାସ ହୋଇଗଲେ ଆଇନରେ ପରିଣତ ହେବ। ରାଜ୍ୟମାନେ ଏହି ଆଇନ ବଳରେ ପ୍ରସ୍ତୁତ କରୁଥିବା ଓବିସି ତାଲିକା କେନ୍ଦ୍ର ଠାରୁ ମଧ୍ୟ ଭିନ୍ନ ହୋଇପାରିବ। ଏହା ଉପରେ କେହି ବି ପ୍ରଶ୍ନ ଉଠାଇ ପାରିବେ ନାହିଁ।

ବିଲ୍ ପାସ୍ ହୋଇଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “୧୨୭ ତମ ସମ୍ବିଧାନ ସଂଶୋଧନ ବିଲକୁ ପାରିତ କରିବାରେ ଲୋକସଭାରେ ସବୁ ସଦସ୍ୟ ସହଯୋଗ କରିଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏହା ରାଜ୍ୟସଭାରେ ଥରେ ପାସ୍‌ ହୋଇଗଲେ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାରେ ସହାୟକ ହେବ।” ସୁପ୍ରିମକୋର୍ଟ ମେ’ ମାସରେ ମରାଠା ସଂରକ୍ଷଣ ଉପରେ ରାୟ ଦେବା ବେଳେ ଗୋଟିଏ ନିର୍ଦ୍ଦେଶ ଦେଇଥିଲେ। ଓବିସି ତାଲିକା କେବଳ କେନ୍ଦ୍ର ସରକାର ହିଁ ପ୍ରସ୍ତୁତ କରିବେ। ରାଜ୍ୟମାନେ କୌଣସି ଜାତିକୁ ସଂରକ୍ଷଣ ତାଲିକାରେ ସାମିଲ କରିପାରିବେ ନାହିଁ ସଂସଦରେ ଆଇନ ପ୍ରଣୟନ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ। ଏହାକୁ ବଦଳାଇବା ପାଇଁ ତଥା ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧୨୭ତମ ସମ୍ବିଧାନ ସଂଶୋଧନ ବିଲ ଆଣିଥିଲେ।

ସରକାରଙ୍କ ନିର୍ଦ୍ଦେଶକୁ ପ୍ରଭାତଙ୍କ ବିରୋଧ, ଦାମ ବି ମୁହଁ ଖୋଲିଲେ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ରାଜ୍ୟ ସରକାରଙ୍କ ପାର୍ବଣ ପାଇଁ ଏସଓପିକୁ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବିରୋଧ କରିଥିବାବେଳେ ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ଉଭୟ ନେତା ରାଜ୍ୟର କ୍ଷମତାସୀନ ବିଜେଡି ସହ ପରୋକ୍ଷରେ ଜଡ଼ିତ ଥିବାବେଳେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାର ଓ ଦଳର ନୀତିକୁ ବିରୋଧ କରିବାକୁ ନେଇ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି। ବିଜେଡି ନେତା ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଧାସଳଖ ରାଜ୍ୟ ସରକାରଙ୍କ ଦ୍ୱାରା ପାର୍ବଣ ପାଇଁ ଜାରି ଏସଓପି ଉପରେ ଆପତ୍ତି ଉଠାଇଛନ୍ତି।  କଟକ ମହାନଗର ପୂଜା କମିଟି ସମ୍ପାଦକ ଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ ତାହା ସେ ବୁଝିପାରୁନାହାନ୍ତି। ଦୁଗାଙ୍କ ମୂର୍ତ୍ତି ୩ରୁ ୪ଫୁଟ ମଧ୍ୟରେ ସୀମିତ ରହିବ, ପୂର୍ଣ୍ଣାୟବ ହେବ ନାହିଁ। ଏହା କୋଭିଡକୁ କିଭଳି ସାହାଯ୍ୟ କରିବ ତାହା ସେ ବୁଝିପାରୁନାହାନ୍ତି। ଧର୍ମୀୟ ଭାବନାକୁ ବିଚାରକୁ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ। ଶାନ୍ତି କମିଟି କ’ଣ ଭାବିଛି ସେ ଜାଣନ୍ତି ନାହିଁ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତବର୍ଷର ନିଷ୍ପତ୍ତିକୁ ଏଥର ଦୋହରାଯାଇଛି । ଏବର୍ଷ ଏହା ଉପରେ ଟିକିଏ ବିଚାର କରିବାର ଥିଲା। କଟକ ସହରର ସବୁ ପୂଜା ମଣ୍ଡପ ଓ ପୂଜା କମିଟି ପକ୍ଷରୁ ସରକାରଙ୍କ ପାଖରେ ଏନେଇ ଆପତ୍ତି କରାଯିବ ବୋଲି ସେ କହିଛନ୍ତି। ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ସରକାରରେ କୌଣସି ନିଷ୍ପତ୍ତି ହେଉନଥିବାବେଳେ ବିଜେଡିର ବରିଷ୍ଠ ନେତା ଶ୍ରୀ ତ୍ରିପାଠୀଙ୍କ ଏହି ବିରୋଧକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ସେହିପରି, ପଂଚାୟତ ନିର୍ବାଚନ ପାଇଁ ଏବେ ରାଜନୀତିକ ଦଳଗୁଡ଼ିକ ଯେଭଳି ପ୍ରସ୍ତୁତି ଚଳାଇଛନ୍ତି ତାକୁ ନାପସନ୍ଦ କରି ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଦଳୀୟ ଭିତ୍ତିରେ ହେବ ନାହିଁ ବୋଲି ବିଜୁବାବୁ ଆଇନ ପ୍ରଣୟନ କରିଥିଲେ। କିନ୍ତୁ ବିଜେଡି ଏବେ ବିଜୁବାବୁଙ୍କ ସ୍ୱପ୍ନକୁ ଚୂରମାର କରି ପଂଚାୟତ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛି। ବିଜେଡି ଏବେ ସରକାରରେ ଅଛି। ମୁଖ୍ୟମନ୍ତ୍ରୀ ନିଜେ ସବୁ ଦଳର ନେତାମାନଙ୍କୁ ଡାକି ପଂଚାୟତ ନିର୍ବାଚନକୁ ଦଳୀୟ ଭିତ୍ତିରେ ନକରି ଯୋଗ୍ୟ ପ୍ରାର୍ଥୀ ଯେମିତି ନିର୍ବାଚିତ ହୋଇ ଆସିବେ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ। ଦଳୀୟ ଭିତ୍ତିରେ ନିର୍ବାଚନ ହେଲେ ଯୋଗ୍ୟ ଲୋକେ କିଭଳି ପଂଚାୟତର ନେତୃତ୍ୱ ନେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳୀୟ ଭିତ୍ତିରେ ନିର୍ବାଚନ ଯୋଗୁ ଏବେ ଗାଁ ଗହଳିରେ ମନରେଗା ଯୋଜନାରେ ଗରିବ ଲୋକେ କାମ ପାଉନାହାନ୍ତି ଓଲଟା ମେସିନ୍ କାମ କରୁଛି। ଆବାସ ଯୋଜନାରେ ଦୁର୍ନୀତି ହେଉଛି। ତେଣୁ ପଂଚାୟତ ନିର୍ବାଚନକୁ ଦଳୀୟ ଭିତ୍ତିରେ କରିବା ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ତାକୁ ଶାସକ ଦଳ ହିସାବରେ ବିଜେଡି ପୁନଃର୍ବିଚାର କରୁ ଓ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରୁ ବୋଲି ଡାକ୍ତର ରାଉତ କହିଛନ୍ତି।
ଦୀର୍ଘଦିନ ଧରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉନଥିବା ଡାକ୍ତର ରାଉତ ଆଜି ପଂଚାୟତ ନିର୍ବାଚନ ଆଳରେ ବିଜେଡି ସରକାରକୁ ସମାଲୋଚନା କରିବାକୁ ନେଇ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି । ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଏବେ ପାରାଦୀପରୁ ବିଜେଡି ବିଧାୟକ ଥିବାବେଳେ ଡାକ୍ତର ରାଉତ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି ।

ଆସନ୍ତା ୪ ଦିନ ଯାଏ ଛେଚିବ ବର୍ଷିବ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ  ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଜିଲ୍ଲାଗୁଡିକ ହେଉଛି  ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର । ସେହିପରି ଯାଜପୁର, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଗଂଜାମ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ ରହିବାକୁ SRC ଚିଠି ଲେଖିଛନ୍ତି । ଆଜି ଏବଂ କାଲି ରାଜ୍ୟର  ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଆସନ୍ତା ୧୩ ଏବଂ ୧୪ ତାରିଖରେ ଏହା ସାମାନ୍ୟ କମିପାରେ । ଏହା ପରେ ପୁଣି ବର୍ଷା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ନବମ ଓ ଦଶମ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର): ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର। କରୋନା  ମହାମାରୀକୁ ଦେଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ସର୍କୁଲାର ଜାରି କରିଛି । ମାଧ୍ୟମିକ ଶିକ୍ଷା ପରିଷଦ  ଅନୁଯାୟୀ ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା କରାଯିବ।  ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ। ଇଣ୍ଟରନାଲ ଆସେସମେଣ୍ଟର ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ । ମାତ୍ର ୱେଟେଜ୍ ଅନୁସାରେ ଇଣ୍ଟରନାଲ ଆସେସମେଣ୍ଟକୁ ମୋଟ ୨୦ ପ୍ରତିଶତ ମାର୍କ ମିଳିବ । ଟର୍ମ-୧ ୱେଟେଜ୍ ୩୦ ପ୍ରତିଶତ ଓ ଟର୍ମ-୨ ୱେଟେଜ୍ ୫୦ ପ୍ରତିଶତ ଗ୍ରହଣ କରାଯିବ। ସୂଚନାଯୋଗ୍ୟ,  କରୋନା ସ୍ଥତି ପାଇଁ ଗତ ବର୍ଷ ସ୍କୁଲମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା ।  ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ବେଳେ ବହୁ ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।  ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ   ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ସରିବ । ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ । ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ । ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ । ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ବୋର୍ଡ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ।

 

୧୧ ଅଗଷ୍ଟ, ବୁଧବାର: ଆଜିର ରାଶିଫଳ ।

!!! ପ୍ରବଚକ ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ : ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଲେ ମଧ୍ୟ ତାହାକୁ ସହଜରେ ସମାଧାନ କରିଦେବେ। ସ୍ୱାସ୍ଥ୍ୟ ପୀଡା ଦେଖାଦେବ କିନ୍ତୁ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

ବୃଷ: ସନ୍ତାନମାନଙ୍କ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ପାରିବାରିକ ଅଶାନ୍ତି ଦେଖାଦେବ । ନିର୍ମାଣଧିନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ  ପହଞ୍ଚିବ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ଘର ପାଇଁ କୌଣସି ସାମଗ୍ରୀ କ୍ରୟ କରିବେ।

ମିଥୁନ: ବ୍ୟବସାୟରେ ଆର୍ଥିକ କ୍ଷତି ଲାଗିରହିବ । ଯାହା ଫଳରେ ମାନସିକ ଚିନ୍ତା ବଢିବ। ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ ଉପୁଜିବ। ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣ  ଯୋଗୁ କଷ୍ଟ ହୋଇପାରେ । କିନ୍ତୁ ଅପରାହ୍ନରେ ସବୁଠିକ ହୋଇଯିବ।

କର୍କଟ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ, ବ୍ୟବସାୟୀମାନେ ଲାଭ ପାଇ ପାରିବେ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବାରୁ ମାନସିକ ଦୁଃଖ ମିଳିବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବାକି ପଡିଥିବା ଅର୍ଥ ଆଦାୟ ହେବ ।

ସିଂହ: ବ୍ୟବସାୟରେ ଅର୍ଥର ଅଭାବ ଦେଖାଦେବନି । କେବଳ ଅର୍ଥଲାଭ ହେବ। ଦୂର ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଉନ୍ନତି କରିବେ।

କନ୍ୟା : କର୍ମ କ୍ଷେତ୍ରକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ମନ ଚଳଚଞ୍ଚଳ ରହିବ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନସମ୍ମାନ ବୃଦ୍ଧିହେବ।

ତୁଳା: ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ହସ ଖୁସିରେ ସମୟ ବିତିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ।  

ବିଚ୍ଛା:ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ ।  

 ଧନୁ:କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

 ମକର:ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବା ଫଳରେ କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଦେଖା ଦେବ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି। ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାଯର୍ୟରେ ଲାଭ ପାଇବେ ।

କୁମ୍ଭ:ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖିବା ଫଳରେ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ ଆଦାୟ ହୋଇ ପାରିବ। ନିଜର ସାମୁଦାୟିକ ମାମଲା ବା ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ।  

ମୀନ:ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରି ନେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ। ବୁଦ୍ଧି ବିବେକ ଖଟାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର ।