ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଚା’ ପାର୍ଟିକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ): ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ସବୁ ଭାରତୀୟ ଖେଳାଳିଙ୍କ ପାଇଁ ଗୋଟିଏ ଚା’ ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିରେ ଯୋଗଦେବା ପାଇଁ ସେ ସବୁ ଖେଳାଳିଙ୍କୁ ନିମନ୍ତ୍ରଣ କରିଛନ୍ତି। ‘ହାଇ ଟି’ ନାମରେ ରାଷ୍ଟ୍ରପତି ଭବନର ସାଂସ୍କୃତି କେନ୍ଦ୍ରରେ ଶନିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସବୁ ଖେଳାଳିଙ୍କ ସହ ଆଲୋଚନା କରିବେ। ଏଥିସହ ସେମାନଙ୍କୁ ଶୁଭେଚ୍ଛା ଜଣାଇବେ। ଏଥିରେ ଦେଶର ପ୍ରଥମ ମହିଳା ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି।

ଅଗଷ୍ଟ ୧୪ରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଭାରତୀୟ ଖେଳାଳିମାନେ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଆୟୋଜିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ। ଏଥିପାଇଁ ମୋଦି ନିଜେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରି ୭ଟି ପଦକ ଜିତିଛି। ୨୦୧୨ ଅଲିମ୍ପିକ୍ସରେ ଦେଶ ସର୍ବାଧିକ ୬ଟି ପଦକ ଜିତିଥିଲା। ହେଲେ ଏଥର ଭାରତ ନୀରଜ ଚୋପ୍ରାଙ୍କ ଐତିହାସିକ ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି। ନୀରଜଙ୍କ ବ୍ୟତୀତ ଭାରୋତ୍ତୋଳନରେ ମୀରାବାଇଈ ଚାନୁ ରୌପ୍ୟ, ରେସଲିଂରେ ରବି କୁମାର ଦାହିୟା ରୌପ୍ୟ, ବକ୍ସିଂରେ ଲଭଲିନା ବ୍ରୋଞ୍ଜ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ, ୬୫ କେଜି ବର୍ଗର ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ଓ ପୁରୁଷ ହକି ଟିମ୍‌ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି। ସୋମାବାର ଭାରତୀୟ ଦଳ ସ୍ୱଦେଶ ଫେରିବା ପରେ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସବୁ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

 

ବିଜେଡି ପାଇଁ ‘ସୌମ୍ୟ’ କଣ୍ଟା: ଗିଳିପାରୁନି କି କାଢ଼ି ପାରୁନି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ଦେଢ଼ମାସ ବ୍ୟବଧାନରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ସିଧାସଳଖ ଟାର୍ଗେଟ୍ କରିବାପରେ ଦଳୀୟ ସଂଗଠନ ଓ ପାୱାର କରିଡରରେ କମ୍ପନ ସୃଷ୍ଟି ହୋଇଛି। ଉଭୟ ଦଳ ଓ ସରକାର ସାମୁହିକ ନିଷ୍ପତ୍ତିରେ ନୁହେଁ ବରଂ ଦୁଇ ଜଣଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିରେ ଚାଲୁଛି ତାହା ସୌମ୍ୟ ଇଙ୍ଗିତ କରାଇବା ସହ ପରୋକ୍ଷରେ ନବୀନଙ୍କ ଅପାରଗତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସୌମ୍ୟଙ୍କ ଏଭଳି ଆଭିମୁଖ୍ୟ ଏବେ ବିଜେଡି ପାଇଁ କଣ୍ଟା ସଦୃଶ ହୋଇଛି, ଯାହାକୁ ଦଳ ଗିଳିପାରୁନି କିମ୍ବା କାଢ଼ିପାରୁ ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ବାର୍ଷିକ ଉତ୍ସବରେ ଯୋଗ ଦେଇ ଶାସକ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସିଧାସଳଖ ନବୀନଙ୍କ ଦଳୀୟ ସଂଗଠନ  ଓ ସରକାର ପରିଚାଳନାର ଅନ୍ଧାରୀ ଦିଗ ଆଡ଼କୁ ଇଙ୍ଗିତ କରିଛି। ନବୀନ ନିଜେ ରାଜ୍ୟର କିମ୍ବା ରାଜ୍ୟବାସୀଙ୍କ କିଛି ବୁଝନ୍ତି ନାହିଁ, ବିଜେଡି ସଂଗଠନ ଓ ସରକାରରେ ବବି ଓ ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ଆଖିବୁଜି ସମ୍ମତି ଜଣାନ୍ତି ବୋଲି ସନ୍ଦେଶ ଦେବାକୁ ସୌମ୍ୟ ପଛାଇ ନାହାନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ୨୧ବର୍ଷ ଧରି କ୍ଷମତାରେ ଥିବା ଗୋଟିଏ ଦଳର ପରିଚାଳନା ତଥା ସରକାର ଯେ ସାମୁହିକ ନିଷ୍ପତ୍ତି ନୁହେଁ ବରଂ ଏକଛତ୍ରବାଦ ନୀତିରେ ପରିଚାଳିତ ହେଉଛି ତାହା ମଧ୍ୟ ପରୋକ୍ଷରେ  ସୌମ୍ୟ ଇଙ୍ଗିତ କରିଛନ୍ତି। ଏହାସହିତ ବବି ଓ ପାଣ୍ଡିଆନଙ୍କର ନିଜସ୍ୱ ସ୍ୱାର୍ଥ ମଧ୍ୟ ଥାଇପାରେ ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭ୍ରମିତ ମଧ୍ୟ କରିବାର ଆଶଙ୍କା ବି ସୌମ୍ୟ କରିଛନ୍ତି। ବିଜେଡି ବିଧାୟକ ତଥା ବରିଷ୍ଠ ଉପସଭାପତିଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ସଙ୍ଗୀନ ଓ ଗୁରୁତର ହେଲେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନି।

ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, “ସୌମ୍ୟ ବାବୁ ଯାହା କହିଛନ୍ତି, ତାହା ଭୁଲ୍ ନୁହେଁ। ଦଳ ଓ ସରକାର ଏବେ କେମିତି ଚାଲିଛି ତାହା ସମସ୍ତେ ଜାଣନ୍ତି। ଏଠି ବିରୋଧୀ ଦଳ ସ୍ଥାଣୁ ହୋଇ ସରକାରୀ ଦଳର ଇଙ୍ଗିତରେ କାର୍ଯ୍ୟ କରୁଛି। ଗଣମାଧ୍ୟମ ବି ଭୟ ଓ ଚାପ ମଧ୍ୟରେ କେବଳ ଶାସକ ଦଳକୁ ବାହାବା ଦେବାରେ ବ୍ୟସ୍ତ ରହିଛି। ରାଜ୍ୟର ବୁଦ୍ଧିଜୀବୀ ଓ ଶିକ୍ଷିତ ବର୍ଗଙ୍କ ସ୍ୱର ମଧ୍ୟ କ୍ଷୀଣ। ଯାହାର ଫାଇଦା ବିଜେଡିର ତଥାକଥିତ କ୍ଷମତାକେନ୍ଦ୍ର ଉଠାଉଛନ୍ତି । ଦଳର ନେତାମାନେ, ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ସଚିବ ପାହ୍ୟାର ଅଫିସର ପର୍ଯ୍ୟନ୍ତ କେହି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି। ତେଣୁ ରାଜ୍ୟରେ ଶାସନ କେମିତି ଚାଲିଛି ତାହା ଟିକେ ଗଭୀର ଭାବେ ଅନୁଧ୍ୟାନ କଲେ ଯେକେହି ଜାଣିପାରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦେଢ଼ ମାସ ତଳେ ସୌମ୍ୟ ନିଜର ମାଲିକାନା ଥିବା ସମ୍ବାଦପତ୍ରରେ ଏକ ସମ୍ପାଦକୀୟରେ କୋଭିଡ୍ ମୃତ୍ୟୁ ପ୍ରସଙ୍ଗ ଉଠାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ସୌମ୍ୟ ଏବେ ବିଜେଡି ପାଇଁ ଏଭଳି କଣ୍ଟା ପାଲଟିଛନ୍ତି ଯାହାଙ୍କୁ ବିଜେଡି ନା କାଢ଼ି ପାରୁଛି , ନା ଢ଼ୋକି ପାରୁଛି । ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଦୂରଗାମୀ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କାରେ ବି ବିଜେଡି ଚୁପ୍ ରହିବାକୁ ବାଧ୍ୟ ହେଉଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

ଶିବଲଙ୍କ ଘରେ ଗାନ୍ଧି ପରିବାର ବିରୋଧରେ ମସୁଧା! ପିନାକୀ ମିଶ୍ର ବି ଥିଲେ ଉପସ୍ଥିତ ।

ଏଥର ସମ୍ଭାଳ ବ୍ୟୂରୋ (ନୂଆଦିଲ୍ଲୀ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ବିରୋଧୀ ଦଳର ନେତାମାନଙ୍କୁ ନିଜ ଘରେ ଡିନର ପାର୍ଟି ଦେଇଛନ୍ତି। ତାଙ୍କ ଜନ୍ମ ଦିନ ପାଇଁ ବିରୋଧୀଙ୍କ ମେଳି ହୋଇଥିବା ବେଳେ ଏଥିରୁ ରାଜନୀତିକ ଚର୍ଚ୍ଚା ବାଦ ପଡ଼ିନି। ଡିନର ପାର୍ଟି ନାଁରେ ବିରୋଧୀ ଦଳର ନେତାମାନେ ୨୦୨୪ରେ ମୋଦି ସରକାରଙ୍କ ବିରୋଧରେ ଏକାଠି ହେବାକୁ ଯୋଜନା କରିଛନ୍ତି। ଏହି ପାର୍ଟିରେ ବିଜେଡ଼ିର ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଯୋଗଦେଇଥିଲେ।

ଏହାବାଦ୍‌ ଗାନ୍ଧି ପରିବାର ବିରୋଧରେ ମଧ୍ୟ ଏହି ଡିନର ପାର୍ଟିରେ ମସୁଧା ହୋଇଥିବା ଜଣାପଡ଼ିଛି। ଡିନର ପାର୍ଟିରେ କଂଗ୍ରେସର ଉତ୍ଥାନ ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ କିଛି ନେତା ଗାନ୍ଧି ପରିବାରର ହୁକୁମାତି ବନ୍ଦ ହେବା ପରେ ହିଁ କଂଗ୍ରେସ ଆଗକୁ ଯାଇ ପାରିବ ବୋଲି ମତ ଦେଇଥିଲେ। ଏହାର ଅର୍ଥ କଂଗ୍ରେସକୁ ଆଗକୁ ନେବା ପାଇଁ ହେଲେ ଏହାକୁ ଗାନ୍ଧି ପରିବାର କବଳରୁ ମୁକ୍ତ କରିବାକୁ ହେବ ବୋଲି ସେମାନେ କହିଥିବା ଜଣାପଡ଼ିଛି।

୨୦୧୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ ତଳକୁ ଖସିବାରେ ଲାଗିଛି। ଏଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ଦାୟୀ କରି କପିଲ ଶିବଲ କିଛି ମାସ ତଳେ ପ୍ରଥମେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା।

ଏହାପରେ କଂଗ୍ରେସର ଆଉ ୨୩ ଜଣ ନେତା ନେତୃତ୍ୱ ପରିବର୍ତ୍ତନ ସହ ଆଭ୍ୟନ୍ତରୀଣ ନିର୍ବାଚନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇ ବିଦ୍ରୋହ ଘୋଷଣା କରିଥିଲେ। ଏହି ୨୩ ଜଣ ନେତାଙ୍କ ମଧ୍ୟରୁ ଅଧିକାଂଶ ଶିବଲଙ୍କ ଡିନର ପାର୍ଟିରେ ଯୋଗ ଦେଇଥିଲେ। ଡିନର ପାର୍ଟିକୁ ଯାଇଥିବା ନେତାଙ୍କ ମଧ୍ୟରେ ଶଶି ଥରୁର, ପି ଚିଦାମ୍ବରମ ଓ ଆନନ୍ଦ ଶର୍ମା ପ୍ରମୁଖ ରହିଛନ୍ତି। ଏମାନେ ସମସ୍ତେ କଂଗ୍ରେସର ଭବିଷ୍ୟତକୁ ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି।

କଂଗ୍ରେସ ନେତାଙ୍କ ବ୍ୟତୀତ ଏନସିପିର ଶରଦ ପାୱାର, ଟିଏମସି ସାଂସଦ ଡେରେକ ଓବ୍ରାଏନ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଡିଏମକେର ଟିରୁଚି ଶିବା, ଆରଏଲଡିର ଜୟନ୍ତ ଚୌଧୁରୀ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ, ଶିବସେନା ସାଂସଦ ସଞ୍ଜୟ ରାଉତ ଓ ଏନସିର ଓମାର ଅବଦୁଲ୍ଲା ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସମସ୍ତେ ୨୦୨୪ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ କଂଗ୍ରେସର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୈଠକରେ ଗାନ୍ଧି ପରିବାରର କୌଣସି ସଦସ୍ୟ କିମ୍ବା ବିଶ୍ୱସ୍ତ ଲୋକ ଯୋଗଦେଇ ନଥିଲେ।

ପ୍ରଥମଥର ପାଇଁ ବିରୋଧୀଙ୍କ ଏହି ଡିନର ପାର୍ଟିରେ ବିଜେଡିର ପିନାକୀ ମିଶ୍ର ଓ ଅକାଳୀ ଦଳର ନରେଶ ଗୁଜରାଲ ମଧ୍ୟ ଉପସ୍ଥିତ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାର କ୍ଷମତାସୀନ ବିଜେଡି ସବୁବେଳେ ପ୍ରସଙ୍ଗ ଭିତ୍ତିରେ ବିଜେପି ଓ କଂଗ୍ରେସକୁ ସମର୍ଥନ କରିଥାଏ। ହେଲେ ହଠାତ୍‌ ଶିବଲଙ୍କ ଡିନର ପାର୍ଟିରେ ବିଜେଡି ସାଂସଦ ପିନାକୀ ମିଶ୍ର ଯୋଗଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଡିନର ପାର୍ଟିରେ ଶିବଲ କେନ୍ଦ୍ର ସରକାର କେଉଁଭଳି ଭାବେ ସବୁ ସାମ୍ବିଧାନିକ ସଂସ୍ଥାକୁ ଅପବ୍ୟହାର କରୁଛନ୍ତି, ସେକଥା ଉଠାଇଥିଲେ। ବିଜେପିର ମୁକାବିଲା କରିବାକୁ ହେଲେ ସବୁ ବିରୋଧୀ ଦଳର ନେତାଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଓମାର ଅବଦୁଲ୍ଲା ବଡ଼ ବୟାନ ଦେବା ସହ କଂଗ୍ରେସକୁ କେମିତି ମଜଭୂତ କରାଯିବ, ତା’ର ଉପାୟ ଚିନ୍ତା କରିବାକୁ ପଡ଼ିବ ବୋଲି କହିଛନ୍ତି।

ସେ କହିଛନ୍ତି, “କଂଗ୍ରେସ ଯେତେବେଳେ ସଶକ୍ତ ହେବ ସେତେବେବେଳେ ବିରୋଧୀ ଦଳଗୁଡ଼ିକ ଆପେଆପେ ମଜଭୂତ ହୋଇପାରିବେ। ତେଣୁ କଂଗ୍ରେସକୁ କେମିତି ଆଗକୁ ନେବାକୁ ପଡ଼ିବ, ତା’ର ଉପାୟ ଚିନ୍ତା କରିବାକୁ ପଡ଼ିବ।” ଏହି ସମୟରେ ନରେଶ ଗୁଜରାଲ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଗାନ୍ଧି ପରିବାର କବଳରୁ କଂଗ୍ରେସ ମୁକୁଳି ନାହିଁ, ସେ ପର୍ଯ୍ୟନ୍ତ ଦଳ କେବେ ହେଲେ ସଶକ୍ତ ହୋଇପାରିବ ନାହିଁ।

ନିକଟରେ ଜେଲରୁ ମୁକଳିଥିବା ଲାଲୁ ଯାଦବ ମଧ୍ୟ ୨୦୨୪ରେ ବିଜେପି ସହ ଲଢ଼ିବାକୁ ହେଲେ ସବୁ ରାଜନୀତିକ ଦଳକୁ ଏକାଠି ହେବାକୁ ପଡ଼ିବ ବୋଲି କହିଛନ୍ତି। ପି ଚିଦାମ୍ବରମ ରାଜ୍ୟଗୁଡ଼ିକରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ପ୍ରଥମେ ବିଜେପି ବିରୋଧରେ ଏକାଠି ହେବା ସପକ୍ଷରେ ମତ ରଖିଛନ୍ତି।

ବୈଠକରେ ଉପସ୍ଥିତ ଥିବା ନେତାମାନେ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଅଖିଲେଶ ଯାଦବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ନ ଦେବା ମହଙ୍ଗା ପଡ଼ିଲା, ବିଜେପି ସମେତ ୮ ଦଳକୁ ଫାଇନ ।

ଏଥର ସମ୍ଭାଳ ବ୍ୟୂରୋ (ନୂଆଦିଲ୍ଲୀ): ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହେଉଥିବା ନେତାଙ୍କ ଅପରାଧ ସମ୍ପର୍କିତ ରେକର୍ଡ ସାର୍ବଜନୀନ ନ କରିବା ରାଜନୀତିକ ଦଳଗୁଡ଼ିକୁ ମହଙ୍ଗା ପଡ଼ିଛି। କୋର୍ଟ ବାରମ୍ବାର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ବିଜେପି ଓ କଂଗ୍ରେସ ସମେତ ୯ଟି ଦଳ ଏହାକୁ ସାର୍ବଜନୀନ କରିନାହାନ୍ତି। ଏଥିପାଇଁ ୯ଟି ଦଳକୁ ଅଦାଲତ ଅବମାନନା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତେବେ ୮ଟି ଦଳକୁ କୋର୍ଟ ମୋଟା ଅଙ୍କର ଫାଇନ କରିଛନ୍ତି। ମାମଲାର ଶୁଣାଣି ବେଳେ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରାଜନୀତିକ ଦଳଗୁଡ଼ିକ ଗଭୀର ନିଦ୍ରାରୁ ଉଠିବାକୁ ଆଦୌ ଚାହୁଁ ନଥିବା କହିଛନ୍ତି।

ଗତବର୍ଷ ବିହାର ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସାର୍ବଜନୀନ କରି ନଥିବାରୁ କଂଗ୍ରେସ, ବିଜେପି ଓ ଅନ୍ୟ ୪ଟି ଦଳକୁ କୋର୍ଟ ୧ ଲକ୍ଷ ଟଙ୍କା ଲେଖାଏ ଫାଇନ ଦେବାକୁ କହିଛନ୍ତି। ଏମାନଙ୍କ ମଧ୍ୟରେ ଆରଜେଡି, ଜନତା ଦଳ ୟୁନାଇଟେଡ(ଜେଡିୟୁ), ଲୋକ ଜନଶକ୍ତି ପାର୍ଟି ଓ ସିପିଆଇ ରହିଛନ୍ତି।

ସେହିପରି ଏନସିପି ଓ ସିପିଏମକୁ ୫ ଲକ୍ଷ ଟଙ୍କା ଲେଖାଏ ଫାଇନ କରାଯାଇଛି। ଏମାନଙ୍କୁ ୪ ସପ୍ତାହ ମଧ୍ୟରେ ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ବହୁଜନ ସମାଜ ପାର୍ଟି ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ସୁପ୍ରିମକୋର୍ଟ କେବଳ ଏହି ଦଳକୁ ଚେତାବନୀ ଦେଇ ଛାଡ଼ି ଦେଇଛନ୍ତି।

ଏହାବାଦ୍‌ ରାଜନୀତି ଓ ନିର୍ବାଚନକୁ ଅପରାଧ ମୁକ୍ତ କରିବା ପାଇଁ କୋର୍ଟ ପ୍ରାର୍ଥୀ ଚୟନ ହେବାର ୪୮ ଘଣ୍ଟା ମଧ୍ୟରେ ଦଳଗୁଡ଼ିକ ସେମାନଙ୍କ ନାଁରେ ଥିବା ଅପରାଧିକ ରେକର୍ଡକୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ଏକାଧିକ ନିର୍ଦ୍ଦେଶ ସତ୍ତ୍ୱେ ରାଜନୀତିକ ଦଳଗୁଡ଼ିକ ଗଭୀର ନିଦ୍ରାରୁ ଉଠିକାବୁ ଆଦୌ ଚାହୁଁନାହାନ୍ତି। ରାଜନୀତିକ ଆଇନ ପ୍ରଣୟନକାରୀମାନେ ଶୀଘ୍ର ନିଦରୁ ଉଠନ୍ତୁ।

ରାଜନୀତିକୁ ଅପରାଧିକରଣ କରି ଏହାର ଛବିକୁ ଯେଉଁ ଭଳି ଭାବେ ମଳିନ କରାଯାଉଛି, ତା’ ବିରୋଧରେ ଉପଯୁକ୍ତ ସର୍ଜରୀ କରନ୍ତୁ। ସୁପ୍ରିମକୋର୍ଟଙ୍କ ନିବେଦନ ଶୁଣି ପାରୁ ନଥିବା ଲୋକଙ୍କ କାନରେ ପଡ଼ିବା ଭଳି ମନେ ହେଉଥିବା ଜଷ୍ଟିସ ଆରଏଫ ନରିମନ ଓ ଜଷ୍ଟିସ ବିଆର ଗାଭିଙ୍କ ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ରାଜନୀତିକ ଦଳଗୁଡ଼ିକ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସେମାନଙ୍କର ୱେବସାଇଟର ହୋମପେଜ୍‌ରେ ଉଲ୍ଲେଖ କରିବେ। ହୋମପେଜ୍‌ରେ ଏକ “ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ” ଶୀର୍ଷକ ସ୍ଲଟ କରାଯାଇ ସେମାନଙ୍କ ନାଁ ରଖାଯିବ।
ନିର୍ବାଚନ କମିଶନ ଗୋଟିଏ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ସୃଷ୍ଟି କରିବେ। ଏଥିରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ରେକର୍ଡ ବିଷୟରେ ସୂଚନା ଉଲ୍ଲେଖ କରିବେ।

ସୋଶାଲ ମିଡିଆ, ୱେବସାଇଟ୍, ଟିଭି ବିଜ୍ଞାପନ, ପ୍ରାଇମ ଟାଇମ୍ ବିତର୍କ, ପାମ୍ପଲେଟ୍ ଜରିଆରେ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ବିଷୟରେ ତଥ୍ୟ ପ୍ରଦାନ କରାଯିବ। ରାଜନୀତିକ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି କି ନାହିଁ ତା’ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ଗୋଟିଏ ସ୍ୱତନ୍ତ୍ର ସେଲ୍‌ ଗଠନ କରିବେ।

ରାଜନୀତିକ ଦଳଗୁଡ଼ିକ ନିୟମ ଉଲ୍ଲଙ୍ଘନ କଲେ, ଏ ବିଷୟରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସାର୍ବଜନୀନ କରୁ ନଥିବା ଦଳଙ୍କ ନିର୍ବାଚନୀ ଚିହ୍ନକୁ ନିଲମ୍ବନ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରାହୁଲ ଗାନ୍ଧିଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ।

ଏଥର ସମ୍ଭାଳ ବ୍ୟୁରୋ (ଜୟପୁର): କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଛି। ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ଟ୍ୱିଟ କରିବା ରାହୁଲଙ୍କ ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏହି ଘଟଣାକୁ କେନ୍ଦ୍ର କରି ଜଣେ ବିଜେପି ନେତା ରାହୁଲ ଗାନ୍ଧି ଓ ଟ୍ୱିଟର ବିରୋଧରେ ଅପରାଧିକ ଅଭିଯୋଗ ଜୟପୁର ସେସନ୍ସ କୋର୍ଟରେ ଦାଖଲ କରିଛନ୍ତି।

ବିଜେପି ନେତା ଜିତେନ୍ଦ୍ର ଗୋଠୱାଲ ଜୟପୁରର ବାଣୀ ପାର୍କରେ ଥିବା ସେସନ୍ସ କୋର୍ଟରେ ଅଭିଯୋଗ ଦାଖଲ କରି ମାମଲା ରୁଜୁ କରିବାକୁ ନିବେଦନ କରିଛନ୍ତି। ସେସନ୍ସ କୋର୍ଟ ଏଯାଏ ଏହି ମାମଲାକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିନାହାନ୍ତି। ଯଦି ଆବେଦନରେ ବଳିଷ୍ଠ ଯୁକ୍ତି ରହିଛି, ତା’ହେଲେ କୋର୍ଟ ପୁଲିସ୍‌କୁ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇପାରିବେ।

ଏହାପୂର୍ବରୁ ଟ୍ୱିଟର ରାହୁଲ ଗାନ୍ଧିଙ୍କ ଏପରି ଫୋଟ ଜନିତ ଟ୍ୱିଟକୁ ହଟାଇ ଦେବା ସହ ତାଙ୍କୁ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ସସପେଣ୍ଡ କରିଛି। ତଥାପି ଏହି ବିବାଦ ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ୁନି। କିଛି ଦିନ ତଳେ ଦିଲ୍ଲୀର ନଙ୍ଗାଲ ଗାଁରେ ଜଣେ ୯ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ସେହିପରି ହତ୍ୟା ପରେ ପୀଡ଼ିତାଙ୍କ ଶବକୁ ଅଭିଯୁକ୍ତମାନେ ଜୋରଜବରଦସ୍ତି ସତ୍କାର କରିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିବାରୁ ଏହାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା।

ଏସବୁ ଭିତରେ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଥିଲା। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନସିପିସିଆର ଟ୍ୱିଟରକୁ କହିଥିଲେ।

ମନରେଗାରେ ମହାଦୁର୍ନୀତି ; ପୋଖରୀ ନଖୋଳି କରିନେଲେ ୨୦ ଲକ୍ଷ ଟଙ୍କାର ବିଲ , ସ୍ଥାନୀୟ ପ୍ରଶାସନ ଜାଣିବି କାହିଁକି ନୀରବ ଦ୍ରଷ୍ଟା ….?

!!! ଭୁବନେଶ୍ଵର ରାଜ୍ୟ ପ୍ରତିନିଧି ସୂର୍ଯ୍ୟ ପ୍ରକାଶ ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) ମନରେଗାରେ ମହାଦୁର୍ନୀତି । ସ୍ଥାନୀୟ ପ୍ରଶାସନ ଜାଣିବି ନୀରବ ଦ୍ରଷ୍ଟା ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ । ଶ୍ରମିକ ପରିବର୍ତ୍ତେ ଜେସିବିରେ ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷ ଟଙ୍କାର ବିଲ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରୁ ।  ନୟାଗଡ଼ ଜିଲ୍ଲା ଭାପୁର  ବ୍ଲକ ଚକ୍ରଧରପ୍ରସାଦ ଗାଁର ନୂଆ ପୋଖରୀ । ଗାଁର ଏଇ ପୁରାତନ ପୋଖରୀ ପ୍ରକଳ୍ପ ନାଁରେ ବିଲ ଉଠିଛି ୨୦ ଲକ୍ଷ ଟଙ୍କା। ଏଠି ପୋଖରୀ କାମ ହିଁ ବୟାନ କରୁଛି ଭାପୁର ବ୍ଲକର ମହାଦୁର୍ନୀତିର ଗୋଟିଏ ଫର୍ଦ୍ଦ। ମନରେଗା ଦୁର୍ନୀତିରେ ଭୂସ୍ୱର୍ଗ ପାଲଟିଛି ଭାପୁର ବ୍ଲକ। ଚକ୍ରଧରପ୍ରସାଦ ଗ୍ରାମରେ ଥିବା ପୁରୁଣା ପୋଖରୀରେ ଜଳ ସଂରକ୍ଷଣ କାମ ପାଇଁ ମନରେଗାରୁ ପ୍ରାୟ ୨୦ଲକ୍ଷ ଟଙ୍କା ଆସିଥିଲା l ହେଲେ ଏହାକୁ ମିଲିଭଗତରେ ଚଳୁ କରିଦିଆଯାଇଛି l ମାତ୍ର ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷର ବିଲ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଏହା ଗୋଟିଏ ପୋଖରୀ ହୋଇଥିବା ବେଳେ ଏହାକୁ ୨ଟି ପୋଖରୀ ଦର୍ଶାଇ ଗୋଟିଏ ପୋଖରୀ ପିଛା ପ୍ରାୟ ୧୦  ଲକ୍ଷ ଟଙ୍କା ଲେଖାଁଏ ଚଳୁ କରାଯାଇଛି l ସେପଟେ କାମ ସରୁ ସରୁ ଫାଟି ଆଁ କଲାଣି  ଗାର୍ଡ ୱାଲ l ଖାଲି ସେତିକି ନୁହେଁ ମନରେଗାରେ ଶ୍ରମିକ କାମ କରିବା ପରିବର୍ତ୍ତେ ଜେସିବିରେ କାମ କରାଯାଇଛି l କେବଳ ପୋଖରୀ ହୁଡ଼ାରେ ମାଟି ପକାଇ ପୋଖରୀ ଖୋଳା ହେବାର ଭ୍ରମ ସୃଷ୍ଟି କରିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ । ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ l ଏହାର ଯଦି ଏକ ଉଚ୍ଚ ସ୍ତରୀୟ ତଦନ୍ତ ନ ହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।  ଏପଟେ ଭାପୁର ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି l

କୋଟିଆକୁ ନେଇ ଆନ୍ଧ୍ର କରିଲା ନୂଆ ଚାଲ…!

!!! ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (କୋରାପୁଟ)– କୋରାପୁଟର କୋଟିଆ ଯେ ଆନ୍ଧ୍ରର ନୁହେଁ, ତାହା ସମସ୍ତଙ୍କୁ ଜଣା । ହେଲେ ଓଡ଼ିଶା ସରକାରଙ୍କ ରାଜନୈତିକ ଇଛା ଅଭାବରୁ ପଡୋଶୀ ଆନ୍ଧ୍ର କିନ୍ତୁ ଅକ୍ତିଆର କରିବାକୁ ଗୋଟି ଚଳାଉଛି । ଭୋଟ୍ ପାଇଁ ପଲିଟିକାଲ୍ ଗେମ୍ ଖେଳିଥିବା ଆନ୍ଧ୍ର, ଭାଷାଭିତ୍ତିରେ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ଏବେ ଗୁପ୍ତ ଯୋଜନା କରିଛି। କୁହାଯାଉଛି, ଏହି ସ୍ୱାଧିନତା ଦିବସ ପୂର୍ବରୁ ସବୁ ଗାଁରେ ଲଗାଇବ ତେଲୁଗୁ ଫଳକ । ଏ ସମ୍ପର୍କରେ ଆନ୍ଧ୍ରର ବିଭିନ୍ନ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଛି। ତାସହ ଲୋକସତ୍ତା ପାର୍ଟି ପକ୍ଷରୁ ଦାବି ଉଠିଛି।  ଅଥଚ ନା କୋରାପୁଟ ଜିଲ୍ଲା ପ୍ରଶାସନ ନା ଓଡ଼ିଶା ସରକାର, କାହା ପାଖରେ ଏ ସମ୍ପର୍କିତ ସୂଚନା ନାହିଁ। ଏବେ ଗଣମାଧ୍ୟମରୁ ଜାଣିବା ପରେ ପୁଣି ଥରେ ଜାଗି ଉଠିଛି ଅଖଣ୍ଡ ଓଡ଼ିଶା ସ୍ୱର। ପଡୋଶୀ ଆନ୍ଧ୍ରର ନିଇତି ନୂଆ ଷଡ଼ଯନ୍ତ୍ର । କେବେ ସରକାରୀ ଯୋଜନାର ଥୋପ ପକାଇ ତ ଆଉ କେବେ ନିର୍ବାଚନରେ ନେତା ବନାଇ ଓଡ଼ିଶା ସୀମାକୁ କବ୍‌ଜା କରିବାକୁ ଆନ୍ଧ୍ର ସରକାରଙ୍କ ଚାଲ୍ । ଓଡ଼ିଆଙ୍କ ଭିଟାମାଟିରେ ପାଦ ପକାଇ ଏବେ ଭାଷାଭିତ୍ତିରେ ଦଖଲ କରିବାକୁ ଗୋଟି ଚଳାଇଛି ଆନ୍ଧ୍ର। ଅଗଷ୍ଟ ୧୫ ପୂର୍ବରୁ କୋରାପୁଟ ଜିଲ୍ଲାର ୮ ହଜାର ଜନସଂଖ୍ୟା ବିଶିଷ୍ଟ ବିବାଦୀୟ କୋଟିଆକୁ ଅକ୍ତିଆର କରିବାକୁ ଯୋଜନା କରିଛି। ଏଥିପାଇଁ ପାଗ ଭିଡ଼ି ସାରିଛନ୍ତି ଜଗନ୍ ସରକାର। କୋଟିଆର ବହୁ ଲୋକ ତେଲୁଗୁ ଭାଷା ସହ ଅଭ୍ୟସ୍ତ ଥିବାରୁ ଏହାର ଫାଇଦା ନେଇ ସବୁ ଗାଁରେ ତେଲୁଗୁ ଫଳକ ଲଗାଇବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିଛି  ଆନ୍ଧ୍ର।  ପାର୍ବତୀପୁରମ୍ ପ୍ରଶାସନକୁ ଭେଟି ଲୋକସତ୍ତା ପାର୍ଟି ପକ୍ଷରୁ ଏକ ଦାବିପତ୍ର ବି ଦିଆଯାଇଛି । ଯାହାକୁ ଆନ୍ଧ୍ର ପ୍ରଶାସନ ମଧ୍ୟ ଗୁରୁତ୍ୱର ସହ ନେଇଛି । ଏହି ଖବର ପରେ ଓଡ଼ିଶା ସରକାରଙ୍କ ଦାୟିତ୍ୱହୀନତା ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ। ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଜାରି ରହିଛି ନ୍ୟାୟିକ ଲଢ଼େଇ । ମାମଲା ଏବେ ବି ବିଚାରାଧିନ ରହିଛି।  ଏହାସତ୍ତ୍ୱେ ଗତ ଫେବୃୟାରୀ ଏବଂ ଏପ୍ରିଲରେ କୋଟିଆରେ ପଶି ପଞ୍ଚାୟତ ନିର୍ବାଚନ ସାରିଦେଇଛି ଆନ୍ଧ୍ର । ଏହାକୁ ନେଇ ହଟଚମଟ ପରେ ତତ୍ପରତା ଦେଖାଇଥିଲେ ଓଡ଼ିଶା ସରକାର। ଏପରିକି ନିର୍ବାଚନ ପୂର୍ବଦିନ ବିଜେଡି, ବିଜେପି ଏବଂ କଂଗ୍ରେସର ଜନପ୍ରତିନିଧି ମାନେ ଠୁଳ ହୋଇ ସର୍ବଦଳୀୟ ବୈଠକରେ କୋଟିଆରେ କେହି ବି ଅନୁପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।  ତାହାସତ୍ତ୍ୱେ ବିଭିନ୍ନ ସମୟରେ ସରକାରୀ ଯୋଜନାର ଥୋପ ପକାଇ କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣିବାରେ ଚେଷ୍ଟା ଜାରି ରଖିଛି ପଡୋଶୀ ଆନ୍ଧ୍ର । ଏବେ ଭାଷାଭିତ୍ତିରେ କୋଟିଆକୁ ଅକ୍ତିଆର ପାଇଁ ଆନ୍ଧ୍ର ଅଣ୍ଟାଭିଡ଼ିଥିବାବେଳେ ସ୍ଥାନୀୟ ଶାସକ ଦଳର ବିଧାୟକ ପୁଣି ଥରେ ରଣହୁଙ୍କାର ଦେଇଛନ୍ତି । ଏପରିକି କୌଣସି ଜବରଦଖଲକୁ ପ୍ରଶ୍ରୟ ଦିଆଯିବନାହିଁ ଏବଂ ଏହା ଜିଲ୍ଲା ପ୍ରଶାସନର ପରମ କର୍ତ୍ତବ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ।

ପ୍ରତିଶ୍ରୁତି ଦେଇ ଠକିଲେ ଶକ୍ତିମନ୍ତ୍ରୀ, ଓଡ଼ିଶାରେ ବିଜୁଳି ଅନ୍ୟ ରାଜ୍ୟଠୁ ମହଙ୍ଗା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)– କରୋନା ମହାମାରୀରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡ଼ିଥିବାବେଳେ ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ଓ ନିଜସ୍ୱ ରାଜସ୍ୱ ବୃଦ୍ଧି ନୀତି ଯୋଗୁ ଏବେ ରାଜ୍ୟରେ ବିଜୁଳି ଦର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବେଶୀ ମହଙ୍ଗା ହୋଇଛି। ଏପରିକି ୬ ମାସ ମଧ୍ୟରେ ୨ଥରରେ ୟୁନିଟ୍ ପିଛା ୫୦ପଇସା ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କୁ ଲିଖିତ ଭାବେ ଅନୁରୋଧ କରାଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଥିବା ଶକ୍ତି ମନ୍ତ୍ରୀ ବି ରାଜ୍ୟବାସୀଙ୍କୁ ଠକିବାକୁ ପଛାଇ ନାହାନ୍ତି। ବିଦ୍ୟୁତ ଶୁଳ୍କ ବାବଦରେ ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୪ହଜାର କୋଟି ଟଙ୍କା ରାଜସ୍ୱ ନେଉଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଟଙ୍କାଟିଏ ରିହାତି ଦେଉନାହାନ୍ତି। ଯେଉଁଥିପାଇଁ ରାଜ୍ୟରେ ବିଜୁଳି ଦର ଅପେକ୍ଷାକୃତ ମହଙ୍ଗା ହେବାରେ ଲାଗିଛି।ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ପ୍ରାୟ ୮୫ ପ୍ରତିଶତ ପରିବାର ଏବେ ଦିନକୁ ହାରାହାରି ଗୋଟିଏ ଥର ପାୱାରକଟ୍ ର ସମ୍ମୁଖୀନ ହେଉଛନ୍ତି। ଯାହାକି ବିହାର ପରେ ସମଗ୍ର ଦେଶରେ ଦ୍ୱିତୀୟ। ଆଉ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମଧ୍ୟ ଓଡ଼ିଶାର ବିଦ୍ୟୁତ ଗ୍ରାହକମାନେ ଅଧିକ ଦରରେ ବିଜୁଳି ଉପଯୋଗ କରୁଥିବା ଜଣାପଡ଼ିଛି। ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ତଥା ଘରୋଇକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଲାଭ କରିଥିଲେ ମଧ୍ୟ ବିଦ୍ୟୁତ ଗ୍ରାହକମାନଙ୍କୁ ଏପର୍ଯ୍ୟନ୍ତ ତା’ର ସୁଫଳ ମିଳିପାରିନି। ପଡ଼ୋଶୀ ରାଜ୍ୟଗୁଡ଼ିକର ଗ୍ରାହକଙ୍କ ତୁଳନାରେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାମାନେ ବିଜୁଳି ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ରୀୟ ବିଦ୍ୟୁତ ନିୟାମକଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ୧୦୦ ୟୁନିଟ୍ ବିଜୁଳି ପାଇଁ ୩୭୪ଟଙ୍କା ଦେଉଥିବାବେଳେ ଆନ୍ଧ୍ରପ୍ରଦେଶର ଗ୍ରାହକ ୧୦୦ୟୁନିଟ୍ ପାଇଁ ମାସିକ ୨୦୮ଟଙ୍କା, ଛତିଶଗଡ଼ ୩୬୭.୨୦ଟଙ୍କା, ଗୁଜୁରାଟ ୩୨୫.୧୯ଟଙ୍କା ଓ ରାଜଧାନୀ ଦିଲ୍ଲୀର ଗ୍ରାହକ ୩୩୬ଟଙ୍କା ଦେଉଛନ୍ତି। ଅବଶ୍ୟ କେରଳ,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବିଦ୍ୟୁତ ଦର ଓଡ଼ିଶା ତୁଳନାରେ ମହଙ୍ଗା ହୋଇଥିବାବେଳେ ଗୋଆ ଭଳି ରାଜ୍ୟରେ ୧୦୦ ୟୁନିଟ୍ ବିଦ୍ୟୁତ ପାଇଁ ଗ୍ରାହକଙ୍କୁ ମାତ୍ର ୧୮୦ଟଙ୍କା ଦେବାକୁ ପଡ଼ୁଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ତଥ୍ୟ ଅନୁସାରେ ରାଜ୍ୟର ଗ୍ରାମାଂଚଳରେ ହାରାହାରି ପରିବାର ପିଛା ପ୍ରାୟ ୮୫-୯୦ ୟୁନିଟ୍ ବିଜୁଳି ଉପଯୋଗ ହେଉଥିବାବେଳେ ସହରାଂଚଳରେ ୨୦୦-୨୨୦ ୟୁନିଟ୍ ବିଜୁଳି ମାସିକ ଖର୍ଚ୍ଚ ହେଉଛି। ଦିଲ୍ଲୀରେ ୪୦୦ ୟୁନିଟ୍ ବିଦ୍ୟୁତ ଶୁଳ୍କ ବାବଦରେ ୪୦୬.୮୮ଟଙ୍କା, ଛତିଶଗଡ଼ରେ ୪୦୦ ୟୁନିଟ୍ ପାଇଁ ୪୯୪.୧୦ଟଙ୍କା, ଆନ୍ଧ୍ରପ୍ରଦେଶରେ ୪୯୧.୬୩ଟଙ୍କା, ଗୁଜୁରାଟରେ ୪୩୨.୬୯ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ୪୦୦ ୟୁନିଟ୍ ପାଇଁ ୪୯୬.୬୦ଟଙ୍କା ଦେବାକୁ ପଡ଼ୁଛି।  ଅନ୍ୟପକ୍ଷରେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବାବଦରେ ଓଡ଼ିଶା ସରକାର ପ୍ରତିବର୍ଷ ପ୍ରାୟ ୪ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଥିଲେ ମଧ୍ୟ ସେଥିରୁ ସାଧାରଣ ଲୋକଙ୍କୁ ଟଙ୍କାଟିଏ ମଧ୍ୟ ସବସିଡି ଦେଉନାହାନ୍ତି। ଏପରିକି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ(ଡିସକମ)ଗୁଡ଼ିକୁ ଦେଉଥିବା ସହାୟତା ମଧ୍ୟ ଏବେ ଗତ କିଛିବର୍ଷ ହେଲା ବନ୍ଦ କରିଦେଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇବାରେ ଲାଗିଛି। ଆଉ ବିଧାନସଭାରେ ପ୍ରତିଶ୍ରୁତି ଦେଇ ମଧ୍ୟ ସରକାର ନିଜ କଥା ରଖିନାହାନ୍ତି କିମ୍ବା ଏପର୍ଯ୍ୟନ୍ତ ଓଇଆରସିଙ୍କ ପାଖରେ ବିଦ୍ୟୁତ ଶୁଳ୍କ ହ୍ରାସ ପାଇ ଆବେଦନ କରିନଥିବା ଜଣାପଡ଼ିଛି ।

୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)– ଅଗଷ୍ଟ ୨୩ ତାରିଖରୁ ଖୋଲିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ୨୩ ତାରିଖରେ ଖୋଲିବ କି ତା’ପରେ ଖୋଲିବ, ସେ ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବେ ବୋଲି କୁହାଯାଇଛି । ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପାରିବେ, କିନ୍ତୁ ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ସେହିପରି ଭକ୍ତମାନେ ସାଙ୍ଗରେ ଭୋଗ ନେଇ ଯାଇପାରିବେ ନାହିଁ। ସେହିପରି ସମସ୍ତ ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାର ମଧ୍ୟ ୨୩ ତାରିଖରୁ ଖୋଲିବ। ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଭିତରକୁ ଏକାଥରକେ କେବଳ ସେତିକି ଭକ୍ତଙ୍କୁ ପ୍ରବେଶ ମିଳିବ ଯେପରିକି ସେମାନଙ୍କ ମଧ୍ୟରେ ସେଠାରେ ୬ ଫୁଟ୍ ଦୂରତା ରହିପାରିବ। କୌଣସି ସ୍ଥିତିରେ ଧର୍ମାନୁଷ୍ଠାନ ଭିତରେ ସାମାଜିକ ଦୂରତ୍ୱ କଟକଣାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ। ଅତିବେଶିରେ ଗୋଟିଏ ଥରରେ ୨୫ ଜଣ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସେହିପରି ରୀତିନୀତି ସଂପନ୍ନ କରୁଥିବା ପୂଜକ ବା ସେବାୟତଙ୍କ ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ତଥା ସେ ଦୁଇ ଡୋଜ୍ ଟିକା ନେଇଥିବା ଆବଶ୍ୟକ। ଏ କଥା ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। କୋଭିଡ୍ ପ୍ରୋଟୋକଲ ଅନୁସାରେ ସମସ୍ତ ପୂଜକ ବା ସେବାୟତ ସର୍ବଦା ମାସ୍କ ପିନ୍ଧିବେ। ସମସ୍ତ ଭକ୍ତ ମଧ୍ୟ ମାସ୍କ ପିନ୍ଧିବେ ଓ ସର୍ବଦା ସେମାନଙ୍କ ମଧ୍ୟରେ ୬ ଫୁଟ୍‌ ଦୂରତା ରହିବା ଆବଶ୍ୟକ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ନିକଟରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବେ ଓ ହ୍ୟାଣ୍ଡ ସାନିଟାଇଜର ବି ରଖିବେ। ଧର୍ମାନୁଷ୍ଠାନ ପରିସରରେ ବା ଏହା ବାହାରେ କେହି ଛେପ ପକାଇ ପାରିବେ ନାହିଁ କି ପାନ ଓ ଗୁଟ୍‌ଖା ଖାଇ ପାରିବେ ନାହିଁ। ଅସୁସ୍ଥ ଥିବା ଲୋକଙ୍କୁ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ ନ କରିବାକୁ କୁହାଯାଇଛି। ତା’ସହିତ ବୃଦ୍ଧବୃଦ୍ଧା, ଗର୍ଭବତୀ ଓ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନ ନଆସିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ମନ୍ଦିର ପ୍ରଶାସନ ଉପରେ ଛଡ଼ା ଯାଇଥିବା ବେଳେ ଏଥିପାଇଁ ମଧ୍ୟ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଯଦି ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବ, ତା’ହେଲେ ଏକକାଳୀନ ଶହେରୁ ଅଧିକ ଭକ୍ତ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। କେବଳ ସିଂହଦ୍ୱାର ଓ ଆଡ଼କାଠ ପାଖରୁ ଭକ୍ତଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ଭକ୍ତମାନେ ସାଙ୍ଗରେ ଭୋଗ ନେଇ ଯାଇପାରିବେ ନାହିଁ। କେବଳ ଦର୍ଶନ କରିବେ।

ଲୋକଙ୍କ ସମସ୍ୟା ଦୂର କରିବା ମୋର ପ୍ରଥମ କର୍ତ୍ତବ୍ୟ – ଉପାଞ୍ଜଳୀ ମାଝି

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଗରଗଡ ଜିଲ୍ଲା ପାଇକମାଳ ବ୍ଲକ  ରେ ନୁତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଉପାଞ୍ଜଳୀ ମାଝି ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ସେ ଟିଟିଲାଗଡ ର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କୋଭିଡ ଦାୟିତ୍ୱ ରେ ଥିଲେ । ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କଲାପରେ ପାଇକମାଳ ବ୍ଲକ ଆସି ନିଜ ଦାୟିତ୍ୱ ପୂର୍ବ ବି.ଡି.ଓ ସୁରେନ୍ଦ୍ର ମେହେରଙ୍କ ଠାରୁ ନେଇଛନ୍ତି । ପାଇକମାଳ ରେ ଥିବା ବି.ଡି.ଓ ଶ୍ରୀ ମେହେର ଭୁବନେଶ୍ବର ଓଡ଼ିଶା ସରକାର ଙ୍କ ରାଜସ୍ବ ବିଭାଗକୁ ବଦଳି ହୋଇଛି । ନୂତନ ବି.ଡି.ଓ ଯୋଗଦାନ ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ ଲୋକଙ୍କ ସମସ୍ୟା ଦୂର କରିବା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ l