ଗରିବ ଭୂମିହୀନଙ୍କୁ ଘରଡିହ ସହ ପଟ୍ଟା ପ୍ରଦାନ ନେଇ ରାଜ୍ଯ ସରକାର ଙ୍କ ଟାଳଟୁଳ ନୀତି ବିରୋଧରେ ତୀବ୍ର ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଶ୍ରୀ ନରସିଂହ ମିଶ୍ର….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଗରିବ ଭୂମିହୀନ ଙ୍କୁ ଘରଡ଼ିହ ସହ ପଟ୍ଟା ପ୍ରଦାନ ନେଇ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ତଥା ଆଇନ ଅନୁସାରେ ସହର ମଧ୍ୟରେ ସରକାରୀ ଜମିରେ ବସବାସ କରୁଥିବା ଗରିବ, ଖଟିଖିଆ, ଭୂମିହୀନମାନଙ୍କୁ ସରକାର ବିନା ମୁଲ୍ୟରେ ଜମି ଓ ବାସଗୃହ ଯୋଗଇ ଦେବାର ବ୍ୟବସ୍ଥା କରିବା ଉଚିତ । ତେଣୁ ସେପରି ଲୋକଙ୍କୁ ସରକାର ବିନା ମୂଲ୍ୟରେ ଘର ଓ ଡିହ ପ୍ରଦାନ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି । ଜୀବିକା ନିର୍ବାହ ପାଇଁ ବଲାଙ୍ଗିର ସହରର ଆଖ ପାଖ ଅଂଚଳରେ ଅନେକ ଲୋକ ଆସି ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରି ରହିଯାଉଛନ୍ତି । ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେଲା ସେପରି ଗରିବ ଭୂମିହୀନ ଲୋକମାନଙ୍କ ଜୀବନ ଧାରଣା ପାଇଁ ସେମାନେ ରହୁଥିବା ଜାଗାରେ ସେମାନଙ୍କୁ ଥଇଥାନ କରିବା ଆବଶ୍ୟକ । ଶ୍ରୀ ମିଶ୍ର ଏଠାରେ କହିଛନ୍ତି ଯେ, ସହର ମଧ୍ୟରେ ନଜୁଲ ଜମିରେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ତତ୍‌କ୍ଷଣାତ ଜମି ପଟ୍ଟା ପ୍ରଦାନ କରିପାରିବ । ଏପରିକି ଜବର୍‌ଦଖଲ୍‌ରେ ଥିବା ପତିତ, ଅନାବାଦି, ପଥର ଚଟାଣ ଇତ୍ୟାଦି କିସମର ଜମିକୁ ମଧ୍ୟ ଗରିବ ଭୂମିହୀନମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ଆଇନ ବ୍ୟବସ୍ଥା ଅନୁଯାୟୀ ସରକାର ତାଙ୍କ ନାଁରେ ବିନା ମୂଲ୍ୟରେ ଘର ଡିହ ପଟ୍ଟା ପ୍ରଦାନ କରିବା ଦରକାର । କିନ୍ତୁ ଦୁଃଖର ବିଷୟ, ଦୀର୍ଘ ବର୍ଷରୁ ଗରିବ ଲୋକଙ୍କ ପାଇଁ କରାଯାଇଥିବା ଏହି ଦାବୀକୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଦୁଇ ବର୍ଷ ପୂର୍ବେ ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ମ୍ୟୁନିସିପାଲିଟି ପକ୍ଷରୁ ସର୍ଭେ କରାଯାଇ ଜବର୍‌ ଦଖଲ୍‌ରେ ଥିବା ୫ ହଜାର ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ପର୍ୟ୍ୟନ୍ତ ସେ ମଧ୍ୟରୁ ଜଣକୁ ମଧ୍ୟ ପଟ୍ଟା ପ୍ରଦାନ କରାଯାଇନାହିଁ । ଓଲଟା ଶୁଣିବାକୁ ମିଳୁଛି ଅନେକ ଆପତ୍ତି ଜନକ ଜମି, ଇଡ୍‌କୋ ଜମିକୁ ଜବର୍‌ଦଖଲ୍‌ କରିଥିବା ଲୋକଙ୍କୁ ଜମି ଅଧିକାର ପତ୍ର ପ୍ରଦାନ କରାଯାଇଛି । ଏପରିକି ଗରିବଙ୍କ ପାଇଁ ଥିବା ଏହି ଯୋଜନା ଅନେକ ଜାଗାରେ ଧନୀ ଶ୍ରେଣୀ ଲୋକମାନଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି । ଦୁଇ ବର୍ଷ ପୂର୍ବେ ସହରର ଟ୍ରାଫିକ ବ୍ୟବସ୍ଥାକୁ ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଜିଲ୍ଲାପାଳ କାର୍ୟ୍ୟାଳୟ ସହର ଉପାନ୍ତ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା ବୈଠକରେ ଦାବୀ କରାଯାଇଥିଲା, ଯାହାକି ବର୍ତ୍ତମାନ ମଞ୍ଜୁରି ପାଇ ସାରିଛି । ବିଧାୟକ ଶ୍ରୀ ମିଶ୍ର ସ୍ପଷ୍ଟ ମତ ରଖିଛନ୍ତି ଯେ, ସେ ସମୟରେ ଯେଉଁ ସ୍ଥାନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ (ଯାହାକୁ ବର୍ତ୍ତମାନ ଜିଲ୍ଲାସ୍ତରୀୟ ଲୋକସେବା ଭବନ କୁହାଯାଉଛି) ନିର୍ମାଣ ପାଇଁ ନିରୂପଣ କରାଯାଇଥିଲା, ସେ ଜାଗାରେ ଜିଲ୍ଲାସ୍ତରୀୟ ଲୋକସେବା ଭବନ ତିଆରି କରାଯାଉ । ଯେହେତୁ ବଲାଙ୍ଗିରକୁ ବର୍ତ୍ତମାନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଆସିବାର ଅଛି । ସେ ସବୁର ନିର୍ମାଣ ପାଇଁ ଅନେକ ଜାଗା ଦରକାର । ସେସବୁକୁ ନିର୍ମାଣ କରିବା ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ହେବ । ତାହା ସହ ପ୍ରାଥମିକତା ଭିତ୍ତିରେ ସହର ମଧ୍ୟରେ ରହୁଥିବା ଗରିବ ଭୂମିହୀନଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଆଇନର ବ୍ୟବସ୍ଥା ମୁତାବକ ଯଦି ସେମାନେ ନଜୁଲ, ପତିତ, ଅନାବାଦି, ପଥରଚଟାଣ ଇତ୍ୟାଦି ଜାଗାକୁ ଜବରଦଖଲ କରୁଛନ୍ତି ସେମାନଙ୍କୁ ସେଠାରେ ଥଇଥାନ କରାଯାଉ । ଜିଲ୍ଲା ପ୍ରଶାସନ ସବୁବେଳେ କହୁଛିି ଭୂମିହୀନଙ୍କୁ ଘର ଡିହ ଦେବା ପାଇଁ ଜାଗା ଚିହ୍ନଟ ସରିଛି ଶୀଘ୍ର ଦିଆଯିବ । କିନ୍ତୁ ଆଜି ପର୍ୟ୍ୟନ୍ତ ପ୍ରଶାସନ ଏ ଦିଗରେ ତିଳେ ମାତ୍ର ଅଗ୍ରସର ହେଉନାହିଁ । ଫଳରେ ଗରିବ ଲୋକମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏଣୁ ଅନୁରୋଧ, ସରକାର ଯେତେ ଶୀଘ୍ର ହେବ ବଲାଙ୍ଗିରରେ ଗରିବ ଭୂମିହୀନଙ୍କ ପାଇଁ ମାଗଣାରେ ଘର ଡିହ ପ୍ରଦାନ କରୁ ନଚେତ ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ ତୀବ୍ର ରୂପ ନିଏ ତେବେ ସରକାର ଦାୟୀ ହେବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।

ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ନିରୁପଣ ; ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ…!

!!! ରାୟଗଡ଼ା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ ଜିଲ୍ଳା ସଦର ମହକୁମାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ , ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଳାସ୍ତରୀୟ କ୍ରୀଡା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନ ନିରୁପଣ କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନରେ ରଖି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ କରାଯିବ ଏବଂ ଏଥି ନିମନ୍ତେ ଉପଜିଲ୍ଳାପାଳ, ତହସିଲଦାର ଏବଂ ପୈାର ପରିଷଦ ନିର୍ବାହୀ ଅଧିକାରୀ ତିନିଜଣଙ୍କୁ ଯଥାଶୀଘ୍ର ସରକାରୀ ଜାଗା ଚିହ୍ନଟ କରି ଜାଗାଗୁଡିକର ମାପଚୁପ କରି ଉଦ୍ଧିଷ୍ଟ ଜାଗା ରେ ରାୟଗଡ଼ା ସହରର ୩ଟି ସ୍ଥାନ ଚିହ୍ନଟ ଏବଂ ମାପଚୁପ ପରେ ଇନଡୋର ଷ୍ଟାଡିୟମ କାର୍ଯ୍ୟାରମ୍ଭ ପାଇଁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପ୍ରଥମତଃ ରାୟଗଡ ସହରର ମଝିରେ ୭୦ମିଟର ୭୦ମିଟର (୧.୩୫ଏକର) ସରକାରୀ ଜାଗାର ଚିହ୍ନଟ କରାଯିବ ଏବଂ ଦ୍ୱିତୀୟରେ କ୍ରୀଡାବିତମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଜାଗାଟି ଉପଲବ୍ଧ ଥିବ ଏବଂ ତୃତୀୟରେ ଉକ୍ତ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଯେପରି ନ ହେବ ସେ ଦିଗଗୁଡିକ ପ୍ରତି ଉକ୍ତ ୩ ଅଧିକାରୀ ଦୃଷ୍ଟି ଦେଇ ଉପଯୁକ୍ତ ସ୍ଥାନ ନିରୁପଣ କରିବେ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ବୈଠକରେ କହିଥିଲେ ।

ସହରର କେନ୍ଦ୍ରୀୟସ୍ଥଳରେ ଏବଂ ମହିଳା କ୍ରୀଡ଼ାବିତ ମାନଙ୍କ ସୁବିଧା ପାଇଁ ଦୃଷ୍ଟିରେ ରଖି ଜିଲ୍ଳାପାଳ ଶ୍ରୀ ମିଶ୍ର ସ୍ଥାନ ନିରୁପଣ କମିଟି ନିଷ୍ପତି ପ୍ରକାରେ ଜାଗା ଚିହ୍ନଟ ହେବ ବୋଲି କହିବା ପରେ ଆଜି ଉକ୍ତ ବୈଠକଟି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଜାଗାଟି ରାୟଗଡ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ସମ୍ମୁଖ ଜାଗା ହୋଇଥିବା ବେଳେ ଦ୍ୱିତୀୟଟି ମହିଳା ମହାବିଦ୍ୟାଳୟ ନିକଟସ୍ଥ ଏକ ସରକାର ଜାଗା ଏବଂ ତୃତୀୟ ସ୍ଥାନଟି ଜୟରାମଗୁଡା ନିକଟରେ ବୋଲି ତହସିଲଦାର ଜାଗା ନିରୁପଣ ସମ୍ବନ୍ଧରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ତେବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ନିକଟସ୍ଥ ସରକାରୀ ଜାଗା ବହୁମୁଖୀ ଇନଡୋର ଷ୍ଟାଡିୟମ ନିମନ୍ତେ ପରିପୂର୍ଣ୍ଣ ହୋଇ ପାରିବ ନାହିଁ ବୋଲି ବୈଠକରେ ଉପସ୍ଥିତ ବୁଦ୍ଧିଜୀବି ଓ କିଛି କ୍ରୀଡାବିତ୍‌ମାନେ ମତାମତ ଦେଇଥିଲେ । ତେବେ ସହର ମଝିରେ ଉକ୍ତ ଦୁଇଟି ସ୍ଥାନ ଷ୍ଟାଡିୟମ ନିମନ୍ତେ ସଠିକ୍ ଥିବା ନେଇ ଅନ୍ୟ କିଛି କ୍ରୀଡାବିତମାନେ ବୈଠକରେ ନିଜ ମତାମତ ଉପସ୍ଥାପନ କରିଥିଲେ ଏହି ବୈଠକରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ପିଡି-ଡିଆରଡିଏ ମହେଶ୍ୱରଚନ୍ଦ୍ର ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, କ୍ରୀଡାବିତ ଓ ହାଇସ୍କୁଲ, ମହାବିଦ୍ୟାଳୟର କର୍ତୁପକ୍ଷମାନଙ୍କ ସହ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ ।

ବିଶୁଦ୍ଧ ପାନୀୟ ଜଳର ଅପଚୟ ; ବାରମ୍ବାର କହିବା ପରେବି ବିଭାଗର ନିଘା ନାହିଁ …!

!!! ରାୟଗଡ଼ା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରକୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳ ପାଇପଗୁଡିକ ସ୍ଥାନେ ସ୍ଥାନେ ଫାଟି ପାନୀୟଜଳର ଅପଚୟ ହେଉଥିବା ଦେଖିବାକୁ ମିଳିଛି। ବହୁମାତ୍ରାରେ ପାନୀୟଜଳ ଏହିପରି ବୋହିଯାଉଥିବା ଯୋଗୁଁ ଉପରମୁଣ୍ଡରେ ଥିବା ସହରବାସିନ୍ଦା ଯଥାଚିତ ପରିମାଣର ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଲଗାଣ ବର୍ଷା ହେଲେ କାଦୁଅ ପାଣି ମଧ୍ୟ ଆସିଯାଉଛି ପାଇପ ଲାଇନରେ ଏ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ଦୀର୍ଘ ଦୁଇତିନି ମାସ ଧରି ରାୟଗଡ଼ା ଟ୍ରେଜେରୀ ନିକଟରେ ଥିବା ପାଇପଲାଇନ ଫାଟି ପାଣି ବୋହିଯାଉଥିବା ଯୋଗୁଁ ବର୍ତ୍ତମାନ ସହରରେ ପାନୀୟଜଳ ଉତ୍କଟ ଅଭାବ ଦେଖାଦେଇଛି। ଅନ୍ୟ ପଟେ ରାସ୍ତାରେ ଅହରହ ପାଣି ବୋହୁଥିବାଯୋଗୁଁ ରାସ୍ତାଗୁଡିକ ସବୁବେଳେ କାଦୁଅ ହୋଇରହୁଛି। ଯେହେତୁ ଜନସାଧାରଣ ଯାତାୟାତ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ, ସଠିକଭାବେ ବର୍ଷାଜଳ ନିର୍ଗତ ହୋଇପାରୁନଥିବା ଏବଂ ପାଇପ ଲାଇନ ଫାଟି ପାଣି ବୋହୁଥିବା ଅସୁବିଧାକୁ ଦ୍ବିଗୁଣିତ କରୁଛି। ରାୟଗଡ଼ା ସହର ଟ୍ରେଜେରୀ ନିକଟରେ ଯେଉଁଠାରେ ପାଇପ ଲାଇନ ଫାଟି ରାସ୍ତାରେ ପାଣି ବୋହି ଯାଉଛି ସ୍ଥାନୀୟ ବାସିନ୍ଦା ସେହି ସ୍ଥାନରେହିଁ ଅଳିଆବର୍ଜନା ନେଇ ପକାଉଛନ୍ତି। ଯାହାଦ୍ୱାରା କି ଅଳିଆ ଆବର୍ଜନା ର ଦୂର୍ଗନ୍ଧ ଯୁକ୍ତ ପାଣି ପାଇପ ଲାଇନ ଭିତରେ ଚାଲିଯାଇ ନାହିଁ ନ ଥିବା ରୋଗର ସମ୍ମୁଖୀନ ହେବାର କାରଣ ହୋଇପାରେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମୁଖ୍ୟ ପାଇପଲାଇନ ଫାଟି ଦୀର୍ଘ ଦିନ ହେଲାଣି ପାଣି ରାସ୍ତାରେ ବୋହିଯାଉଛି। ଏହିପରି ଏକ ବିକଟ ସମସ୍ୟା ପ୍ରତି କାହାରି ନିଘାନାହିଁ। ଏପଟେ ରାୟଗଡ଼ା ଜିଲ୍ଲାରେ ଡେଙ୍ଗୁ ସମସ୍ୟା ଦେଖାଦେଇଥିବା ବେଳେ ପରିମଳ ପ୍ରତି ତଥା ବିଶୁଦ୍ଧ ଶୁଦ୍ଧତାପ୍ରତି ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ବର୍ଷାଋତୁ ରୋଗ ର ଭୟ ସୃଷ୍ଟି କରିଥାଏ।

ଆଗାମୀଦିନରେ ରାୟଗଡା ବାସିନ୍ଦାଙ୍କୁ ଯେପରି ଡେଙ୍ଗୁ ମ୍ୟାଲେରିଆ ଭଳି ଉତ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ଼ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଅପରପକ୍ଷେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହି ପାଇପ ଲାଇନ ର ଅତିଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀ ସାରଦା ପ୍ରସନ୍ନ ନାୟକ ପ୍ରତିଶୃତି ଦେଇଛନ୍ତି।

କୋଟି କୋଟି ଟଙ୍କାର ପ୍ରକଳ୍ପ ପୋତିହୋଇ ନଷ୍ଟ ; ବରିଷ୍ଠ ଅଧିକାରୀ ସାଜିଛନ୍ତି ନୀରବ ଦ୍ରଷ୍ଟା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦ୍ଵାରା କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି କଙ୍କଡା ଜୋର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଉକ୍ତ କଙ୍କଡା ଜୋର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରିତା ନ ହୋଇ ନଷ୍ଟ ହୋଇ ପୋତି ହୋଇଯାଇଛି । ଜିଲ୍ଲାର ଟିଟିଲାଗଡ଼ ନିକଟରେ ଥିବା ବାଙ୍କେଲ ଗ୍ରାମରେ ବିସ୍ଥାପନ ପ୍ରକ୍ରିୟା ଦ୍ଵାରା ଥଇଥାନ ପ୍ୟାକେଜ ପ୍ରଦାନ ଓ ବାଙ୍କେଲ ଡ୍ୟାମ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ବାରା ଦୀର୍ଘ ବ୍ୟବଧାନରେ କ୍ୟାନେଲ ନିର୍ମାଣ କରାଯାଇଥିଲା । ଲୋକଙ୍କୁ କେନାଲ ମାଧ୍ୟମରେ ଜଳ ଯୋଗାଣ ସେଚନ ସହ ଚାଷ ବ୍ୟବସ୍ଥା ନେଇ ଯୋଜନା ବା ପ୍ଲାନିଂ ହୋଇଥିଲା । ହେଲେ ବର୍ତ୍ତମାନ ଉକ୍ତ କୋଟି କୋଟି ଟଙ୍କାର କେନାଲ ନିର୍ମାଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପୋତି ହୋଇ ନଷ୍ଟ ହୋଇଯାଇଛି । ଜଳ ଯୋଗାଣ, ନିଷ୍କାସନ ତ ଦୂରର କଥା ଉକ୍ତ ବାଙ୍କେଲ ଡ୍ୟାମ ପୋତି ହୋଇ ନଷ୍ଟ ହୋଇଯାଉଛି ।

ଅପରପକ୍ଷରେ ଚାଷ କରି ଲୋକେ ନିଜ ଗ୍ରାମରେ ବର୍ଷ ସାରା ରହିପାରିବା ଓ ଦାଦନ ଶ୍ରମିକ ସମସ୍ୟାର ସମାଧାନ ହୋଇପାରିବା ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇପାରି ନାହିଁ । ଅପର ପକ୍ଷରେ ମାତ୍ର କେତେକ କର୍ମଚାରୀଙ୍କ ଯୋଗୁଁ ଉକ୍ତ ପ୍ରକଳ୍ପ ବା ଡେମ ନିକଟରେ ଥିବା ଚାଷୀ କେବଳ ଉପକୃତ ହେଉଛନ୍ତି । ଟିଟିଲାଗଡ଼ ଜଳପ୍ରକଳ୍ପ ବା ଇରିଗେସନର ଉକ୍ତ ବିଭାଗୀୟ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର ଗୁଡିକୁ ଉଚ୍ଚ ବିଭାଗୀୟ ଅଧିକାରୀ ମାନେ ତାଙ୍କ ସମ୍ପର୍କୀୟ ଅନ୍ୟ ସରକାରୀ, ବେସରକାରୀ କର୍ମଚାରୀ ମାନଙ୍କୁ ଭଡା ଆକାରରେ ଲଗେଇ ଦେଇ କୌଣସି ପ୍ରକାର କାର୍ଯ୍ୟ ନ କରି କେବଳ ମୋଟା ଅଙ୍କର ଅର୍ଥ ମାସିକ ଦରମା ସହ ନା ନା ଜାଲ ବିଲ, ଭାଉଚ୍ଚର କରି ଅନାୟାସରେ ଅର୍ଥ ତୋଷାରପାତ କରିଚାଲିଥିବା ଅଭିଯୋଗ ହୋଇଛି । ଉକ୍ତ କାର୍ଯ୍ୟରତ କର୍ମଚାରୀ ବାଧ୍ୟହୋଇ ଭଡା ଘରେ ରହିବା ଲିଖିତ ଅଭିଯୋଗ କରାଯାଇଛି । ଦୀର୍ଘ ବର୍ଷ ଧରି ଏପରି କୋଟି କୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ଉକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦାଇତ୍ୱ ହୀନତା ଓ ପୁନରୁଦ୍ଧାର ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ପ୍ରକାଶ ପାଇଛି ।

ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା ଆରମ୍ଭ ; ଗଜପତି ଜିଲ୍ଲାର ୧୦ଟି କେନ୍ଦ୍ରରେ ୨୩୮ ପରୀକ୍ଷାର୍ଥୀ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଶୁକ୍ରବାର ଦିନ ଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା । ଏଥିରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ୭ଟି ବ୍ଲକରେ ମୋଟ ୧୦ ଗୋଟି କେନ୍ଦ୍ରରେ ଏହି ଅଫ-ଲାଇନ ପରୀକ୍ଷା ହେଉଛି । ଏହା ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କୋଭିଡ୍-୧୯ ଯୋଗୁଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇ ପାରି ନ ଥିଲା। ବୋର୍ଡ କର୍ତ୍ତୃପକ୍ଷ ୯ମ ଶ୍ରେଣୀର ମାର୍କ ଓ ଶ୍ରେଣୀ ପରୀକ୍ଷା ଆଧାରରେ ଦଶମ ଶ୍ରେଣୀ ମାଟ୍ରିକର ପିଲାମାନଙ୍କୁ ମାର୍କଦେଇ ପାଶ କରାଇଥିଲେ । କିନ୍ତୁ ସରକାରଙ୍କ ଏହି ପଦ୍ଧତିକୁ କେତେକ ଛାତ୍ରଛାତ୍ରୀ ବିରୋଧ କରି ଅଫ୍-ଲାଇନ୍ ରେ ପରୀକ୍ଷା ଦେବାପାଇଁ ବୋର୍ଡ କର୍ତ୍ତୁପକ୍ଷଙ୍କୁ ଆବେଦନ କରିଥିଲେ । ସରକାର ମଧ୍ୟ ପିଲାଙ୍କ ଏଭଳି ଆବେଦନକୁ ଗ୍ରହଣ କରି ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍-ଲାଇନ୍ ପରୀକ୍ଷା ଦେବା ନିମନ୍ତେ ପୂର୍ବରୁ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ସାରା ଓଡ଼ିଶାରେ ଏହି ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା ଜୁଲାଇ ୩୦ ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ୫୦୪ ଟି କେନ୍ଦ୍ରରେ ମୋଟ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଗଜପତି ଜିଲ୍ଲାରେ ୧୦ ଟି କେନ୍ଦ୍ରରେ ଆବେଦନ କରିଥିବା ୩୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୨୩୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଅଫ୍-ଲାଇନ୍ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ପ୍ରତ୍ୟେକ କେନ୍ଦ୍ରରେ କୋଭିଡ୍ ର ସମସ୍ତ ନିୟମ ପାଳନ ପୂର୍ବକ ଅଫ୍-ଲାଇନ୍ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷାରେ ରେଗୁଲାର , ଏକ୍ସ-ରେଗୁଲାର , କରେସପୋଣ୍ଡେନ୍ସର ରେଗୁଲାର ଓ ଏକ୍ସ-ରେଗୁଲାର ସମେତ ଷ୍ଟେଟ ଓପନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ଅଫ୍-ଲାଇନ୍ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଥର୍ମାଲ ଟେଷ୍ଟିଙ୍ଗ ହେବା ସହ ହାତକୁ ସେନିଟାଇଜ କରାହେଉଛି ଏବଂ ମାସ୍କ ବଣ୍ଟନ କରାଯିବା ସହ ସେମାନଙ୍କ ଏଡମିଟ କାର୍ଡ ଯାଞ୍ଚ କରାଯାଉଛି । ପରୀକ୍ଷା ହଲରେ ମଧ୍ୟ ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପରୀକ୍ଷା ଦେଉଛନ୍ତି ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ପ୍ରକାଶ କରିଛନ୍ତି । ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ପରୀକ୍ଷା କେନ୍ଦ୍ର ଗୁଡିକକୁ ଯାଇ ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କୁ ନିର୍ଭୟରେ ପରୀକ୍ଷା ଦେବାପାଇଁ କହିଥିଲେ। ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଡ଼.ବୃଷକେତୁ ଦାଶ ପରୀକ୍ଷା କେନ୍ଦ୍ର ପରିଚାଳକ ଭାବେ ରହିଥିବା ବେଳେ ହରିହର ଦାସ ସହ-ପରିଚାଳକ ଭାବେ ରହିଥିଲେ। ଅନ୍ୟପକ୍ଷରେ ଆମ ମାର୍କ କମିଯାଇଛି । ବର୍ତ୍ତମାନ ଆମେ ଅଫ୍-ଲାଇନ୍ ରେ ମାଟ୍ରିକ ପରୀକ୍ଷା ଦେଉଛୁ । ଏଥିରେ ବହୁତ ଭଲ ଲେଖି ଅଧିକ ମାର୍କ ଆଣିବୁ । ସରକାର ମଧ୍ୟ ଆମକୁ ଏହି ଅଫ୍-ଲାଇନ୍ ରେ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦେଇଥିବା ଯୋଗୁଁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କେତେକ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

ଉଠା ଦୋକାନ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ;ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସହରରେ ଦେଖା ଦେଉଥିବା ସମସ୍ୟା ମଧ୍ୟରେ ମୁଖ୍ୟ ସମସ୍ୟା ଭାବେ ରହିଛି ଟ୍ରାଫିକ ସମସ୍ୟା । ସ୍ଥାନୀୟ ପ୍ରଶାସକ ଙ୍କ ଇଚ୍ଛାଶକ୍ତି ର ଅଭାଵ ଏହାକୁ ଗୁରୁତର କରୁଛି । ଯାହାଫଳରେ ସାଧାରଣ ଜନତା ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ପୂର୍ବରୁ ମୂଖ୍ୟ ରାସ୍ତା ଉପରେ ଗାଈ ଗୋରୁ ଙ୍କ ରହଣି ଟ୍ରାଫିକ ସମସ୍ୟା ବଢ଼ାଇ ଥିବା କୁହାଯାଉଥିଲା। ବର୍ତ୍ତମାନ ମୂଖ୍ୟ ରାସ୍ତାର କଡରେ ଗଢ଼ି ଉଠିଥିବା ଉଠା ଦୋକାନ ଗୁଡିକ ଟ୍ରାଫିକ ସମସ୍ୟା କୁ ଦ୍ବିଗୁଣିତ କରିଛି । ଏହି ଦୋକାନୀ ମାନଙ୍କ ଠାରୁ ସ୍ଥାନୀୟ ପୋୖର ପରିଷଦ ଏବଂ ରାସ୍ତା ଓ କୋଠା ବାଡି ବିଭାଗର କିଛି କର୍ମଚାରୀ ପ୍ରତିଦିନ ଏବଂ ମାସିକ ଖଜଣା ଆଦାୟ କରୁଥିବାରୁ ଉଠାଦୋକାନୀ ଖଣ୍ଡିଏ ଖଣ୍ଡିଏ ଜାଗା ଅକ୍ତିଆର କରି ଟ୍ରାଫିକ ସମସ୍ୟା ବଢ଼ାଉଛନ୍ତି ବୋଲି ଅଭିଯୋଗ ଉଠୁଛି । ସେଯାହା ହେଉ ,ମୁଖ୍ୟ ରାସ୍ତାର କଡରେ ଏଭଳି ଦୋକାନ ବସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ବିରୋଧ କରାଯାଉ ନଥିବା ଘଟଣା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବହୁ ଅର୍ଥ ବ୍ୟୟରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆମ ବଜାର ନିର୍ମାଣ କରାଯାଇଛି । ଏହା ସ୍ଥାନୀୟ ପ୍ରଶାସକ ଙ୍କ ଆଖି ଆଢୁଆଳରେ ରହି ନଷ୍ଟ ହେବାକୁ ବସିଲାଣି । ତଥାପି ଏଥି ପ୍ରତି ଦୃଷ୍ଟି ନଦେଇ ,ରାସ୍ତା କଡ଼ରେ ଦୋକାନ ବଢ଼ାଇବା ରେ ପ୍ରଶାସନ ସହଯୋଗ କରୁଥିବା ଅଭିଯୋଗ ହେଉଛି । ରାସ୍ତା କଡର ଦୋକାନ ଉଠାଇବା ଦିଗରେ ପ୍ରଶାସକ ଦୃଢ଼ ପଦକ୍ଷେପ ନ ନେଲେ ଏଥି ପାଇଁ ହେବାକୁ ଥିବା ଦୁର୍ଘଟଣା ସମ୍ଭାବନାକୁ ଦୁରେଇ ଦିଆଯାଇନପାରେ । ନୂତନ ବସ ଷ୍ଟାଣ୍ଡ ମଧ୍ୟରେ ବସାଯାଇଥିବା ଦୋକାନ ଗୁଡିକରୁ ପରିବା କିଣିବା ନିମନ୍ତେ ଆସୁଥିବା ଗ୍ରାହକ ଦୋକାନ ଗୁଡିକ ସାମ୍ନାରେ ସେମାନଙ୍କ ଯାନବାହନ ଥୋଇ ଦେବାରୁ ବସ ଯାତାୟତ ରେ ସମସ୍ୟା ଦେଖାଦେଉଛି । ଏଣୁ ଗ୍ରାହକଙ୍କ ଗାଡିକୁ ଏକ ସ୍ଥାନରେ ରଖି ବଜାର ମଧ୍ୟକୁ ନଛାଡିବା ପାଇଁ ଦାବୀ ହେଉଛି । ଏହା ସହିତ ବାଇପାସ ଛକ ଠାରେ ବସିଥିବା ଉଠା ଦୋକାନ ଗୁଡିକ ଆଗକୁ ନିଶ୍ଚିତଭାବେ ଦୁର୍ଘଟଣାର ବାଟ ସୁଗମ କରିବ ବୋଲି କଥା ଉଠିଛି । ଭାରି ଯାନ ଗୁଡିକ ଏହି ଛକରେ ୟୁଟର୍ଣ୍ଣ କରିବା ବେଳେ ଦୁର୍ଘଟଣା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ରାସ୍ତା କଡରେ ରଖା ଯାଇଥିବା ଗ୍ୟାରେଜ ର ଗାଡି ଗୁଡିକ ବର୍ତ୍ତମାନ୍ ରାସ୍ତା ଉପରକୁ ଆସିବା ସହ ଲୋକଙ୍କ କବ୍ଜା ରେ ଥିବା ଘର ଗୁଡିକ ରାସ୍ତା ଉପରକୁ ଆସିବାରେ ଲାଗିଲାନି ଯାହାକି ସମସ୍ୟା ର ମୁଖ୍ୟ କାରଣ ହୋଇପାରେ। ଉପୁଜୁ ଥିବା ଟ୍ରାଫିକ୍ ସମସ୍ୟା କୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ପୂର୍ବରୁ ଥାନା ଭାରପ୍ରାପ୍ତ ଅଧିକାରୀ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଅବଗତ କରାଇଥିଲେ। ପ୍ରଶାସନ ବେଳ ଥାଉ ଥାଉ ବନ୍ଦ ନବାନ୍ଧିଲେ ଏହାର ଆଉ ସୁଧାର ଆସିପାରିବ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ତେଣୁ ସ୍ଥାନୀୟ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଠାରୁ ଉଠାଦୋକାନ ଗୁଡିକୁ ହଟାଇବା ଦିଗରେ ପଦକ୍ଷେପ ନନେଲେ ଆଗକୁ ଆମକୁ କହିବାକୁ ପଡିବ ଏଥର ସମ୍ଭାଳ…..!

ସୁମନ୍ତ ଧରୁଆ ଙ୍କ ମୁହଁ ରେ ଚେନାଏ ହସ ଫୁଟାଇଲେ ଶ୍ରୀ ମହେନ୍ଦ୍ର ବଢ଼େଇ….!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ପାଠ ପଢ଼ା କୁ ଜଳାଞ୍ଜଳି ଦେଇ ନିଜ ପରିବାର ର ମୁହଁ କୁ ଗଣ୍ଡାଏ ଖାଦ୍ୟ ଦେବାପାଇଁ ଶ୍ରୀ ସୁମନ୍ତ ଧରୁଆ ପାଉଁରୁଟି ବିକ୍ରି କରୁଥିବା ଖବର ଆମେ ପ୍ରାରମ୍ଭେ ପ୍ରକାଶନ କଲାପରେ ନିଜ ଅଞ୍ଚଳରେ ଏଭଳି କରୁଣ କାହାଣୀ ର ଚିତ୍ର ସହ ସମ୍ବାଦ ପଢିବା ପରେ ପଦ୍ମପୁର ନିକଟସ୍ଥ ଟାଲ ଗ୍ରାମ ରେ ଜନ୍ମିତ ଶ୍ରୀ ମହେନ୍ଦ୍ର ବଢ଼େଇ, ବର୍ତ୍ତମାନ ଓଡ଼ିଶା ସରକାର ଙ୍କ ପ୍ରଶାସନିକ ଅଧିକାରୀ ଭାବେ ପୁରୀ ଜିଲ୍ଲାର ଡେଲାଙ୍ଗ ରେ ତହସିଲଦାର ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେ ବହୁ ଜଲଦି ପାଇକମାଳ ଅଞ୍ଚଳ ରେ କେତେକ ସମାଜସେବୀ ଙ୍କ ସହ ଯୋଗାଯୋଗ କରି ଶ୍ରୀ ସୁମନ୍ତ ଙ୍କ ଘରକୁ ଯାଇ ତାଙ୍କ ଚଳିବା ପାଇଁ ନିତ୍ୟବ୍ୟବହାର୍ଯ୍ୟ ରାସନ୍ ସାମଗ୍ରୀ ପହଞ୍ଚାଇଥିଲେ।

ଆଗରୁ ମଧ୍ୟ ଅନେକ ଅସହାୟ ପରିବାର ଙ୍କୁ ରାସନ୍ ସାମଗ୍ରୀ ସାହାଯ୍ୟ କରିବାର ଦୃଷ୍ଟାନ୍ତ ମଧ୍ୟ ଶ୍ରୀମାନ ବଢେଇ ଙ୍କ ରହିଛି। ସେ ଜଣେ ନିଷ୍ଠାପର ସମାଜସେବୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ପରିପ୍ରେକ୍ଷୀରେ ପାଇକମାଳ ଅଞ୍ଚଳ ର ସମାଜସେବୀ ସର୍ବଶ୍ରୀ-ଟାଇଲ ଚନ୍ଦ୍ର ଭୋଇ, ଗଣେଶ ପ୍ରଧାନ, ଯୁଧିଷ୍ଠିର ସାହୁ ଏବଂ ମିଠାପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମାନ ସହଦେବ ଧରୁଆ ସୁମନ୍ତ ର ଅଜାଆଇ ଙ୍କୁ ଭେଟି ଶ୍ରୀମାନ ମହେନ୍ଦ୍ର ବଢ଼େଇ ଙ୍କ ପ୍ରେରିତ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ।

ସିର୍ଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ର ସମ୍ବଲପୁରୀ ଦିନ ପାଳନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିର ରେ ସମ୍ବଲପୁରୀ ଦିନ ପାଳନ କରାଗଲା। କବି ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି , ଶ୍ରୀ ଅବନୀ କାନ୍ତ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରିଥିଲେ। ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ ଓ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ ଆଲୋଚକ ମାନେ ଆଲୋଚନା କରିଥିଲେ। ସୁଶ୍ରୀ ଜିତେଶ୍ୱରୀ ଦାଶ ଙ୍କ ସଭାପତିତ୍ବରେ ଶ୍ରୀ ବିରେନ ପାଣ୍ଡେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଙ୍କ ସଂଯୋଜନା ରେ ଏକ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା ଶ୍ରୀ ମାଧବ ବରିହା ଅଶୋକ ଓ ତରଣୀ ଭାଇ ଟୁନା ଟୁନି ନାଟକ ପରିବେଷଣ କରିଥିଲେ।

ଦେବ ରଞ୍ଜନ ପଣ୍ଡା ଓ ସରସ୍ୱତୀ ଶିଶୁ ମନ୍ଦିର ର ଭଉଣୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଥିଲେ। ଏହି ଅବସରରେ ସିର୍ଜିନା ଶିଶୁ ଗ୍ରୁପ ଏବଂ ସିର୍ଜିନା ୟୁ ଟୁୟୁବ୍ ସିର୍ଜିନା ଫେସବୁକ୍ କଳାପଟା ର ସୁଭାରଙ୍ଗ କରାଗଲା। ସୋନପୁର ବରଗଡ଼ ସମ୍ବଲପୁର ଜିଲ୍ଲାର ଅନେକ କବି ମାନେ ଆସି ନିଜସ୍ଵ କବିତା ପଠନ କରିଥିଲେ। ଚନ୍ଦନ ସାହୁ ଓ ବେଦବ୍ୟାସ ମେହେର ଙ୍କୁ ପ୍ରଥମ ସିର୍ଜିନା ସେବକାରୀ ସମ୍ମାନ ରେ ସମ୍ମାନିତ କରାଗଲା। ଭୀଷ୍ମଦେଵ ସାହୁ ସଂଜୀବ ସାହୁ ରାଧା ମୋହନ ପୁଝରୀ ଆରଦ୍ରା ବାଘ ଚିତ୍ତ ରଞ୍ଜନ ବିଶି ରମାକାନ୍ତ ସାହୁ ପ୍ରତିମା ବାରିକ କୃଷ୍ଣଚନ୍ଦ୍ର ମଲ୍ଲିକ ଫକୀର ମୋହନ ଦାସ ଶିବ ପ୍ରସାଦ ମେହେର ବିପିନ ପାଣ୍ଡେ ଜୀବନ୍ତ ପଧାନ ଚନ୍ଦ୍ରଭାନୁ ବେହେରା ଯୁଗୀନ୍ଦ୍ର ମେହେର ଆଶିଷ ସାହୁ ଯୁବରାଜ କୁଦେଇ ଶୁଭମ ଶତପଥୀ ପ୍ରମୁଖ କବି ମାନେ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ସନ କ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ମା ମାଝିଗୌରୀ କିନ୍ନର ସଂଘ ପକ୍ଷରୁ ବଂଶଧାରା ଉପର ମୁଣ୍ଡ ରେ ପ୍ରକଳ୍ପ ଦାବୀ ନେଇ ନିରବ ଶୋଭାଯାତ୍ରା କରି ସ୍ମାରକ ପତ୍ର ପ୍ରଦାନ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ମା ମାଝିଗୌରୀ କିନ୍ନର ସଂଘ ପକ୍ଷରୁ ଆଜି ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନେଇ ଏକ ଶୋଭାଯାତ୍ରା ରେ ବାହାରି ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପୁର୍ବ ଖସଡ଼ା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ବିଧାୟକ ଓ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନା ର ଉପଦେଷ୍ଟା ଙ୍କ ସହ ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ଆଲୋଚନା କରିବା ପରେ ଆଜି ଠାରୁ ଏକ ମାସ ବ୍ୟାପି ନିରବ ଶୋଭାଯାତ୍ରା ସହ ସ୍ମାରକପତ୍ର ପ୍ରଦାନ କରାଯିବା ର ଶୁଭାରମ୍ଭ ହୋଇଛି ।

ଆଜି ସକାଳ ୧୦ଟା ରେ କିନ୍ନର ସଂଘ ସମ୍ପାଦିକା ପିଙ୍କି ମହାପାତ୍ର ଙ୍କ ନେତୃତ୍ୱ ରେ କିନ୍ନର ସଂଘ କର୍ମକର୍ତ୍ତା ମାନେ ନୂଆ ବସଷ୍ଟାଣ୍ଡ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବଂଶଧାରା ଅବବାହିକା ସୁରକ୍ଷା ସମିତି ପକ୍ଷରୁ ପ୍ରଦୀପ ଦାଶ , ରଞ୍ଜିତ ପାଢ଼ୀ , ଉମା ଦାଶ ,ଇନ୍ଦ୍ରାକ୍ଷି ଦାଶ ,ଅକ୍ଷୟ ଦାସ ଓ ୱାଇ. ଗଣପତି ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବଲପୁରୀ ଦିନ ପାଳନ;ସଂକଳନ ଲେଦା ଉନ୍ମୋଚନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ପଶ୍ଚିମ ଓଡ଼ିଶା ର ଭାଷା, ସାହିତ୍ୟ ଓ ସଂସ୍କୃତି ର ପ୍ରବହମାନତା ର ଧାରାରେ “ଅଗଷ୍ଟ-୧ ସମ୍ବଲପୁରୀ ଦିନ୍” ଏକ ଅନନ୍ୟ ପ୍ରୟାସ । ସମ୍ବଲପୁରୀ ଭାଷାର ଉନ୍ନତି ଦିଗରେ ଜୀବନ ସାରା ଅନେକ ପ୍ରଚେଷ୍ଟା କରିଥିବା ଗୁରୁ ସତ୍ୟନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର ପ୍ରଧାନ ଙ୍କର ପବିତ୍ର ଜନ୍ମଦିନ ଅବସରରେ ପ୍ରତିବର୍ଷ ଅଗଷ୍ଟ-୧ କୁ ସମ୍ବଲପୁରୀ ଦିନ ହିସାବ ରେ ପଶ୍ଚିମ ଓଡ଼ିଶା ର ପୁରପଲ୍ଲୀ ରୁ ଆରମ୍ଭ କରି ସହରାଞ୍ଚଳ ଯାଏ ପାଳିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ବାଟକଢୁଆଲ କୁଟୁମ୍ବ ବୁବୁଡା ପଦ୍ମପୁର ଙ୍କ ଆୟୋଜନ ରେ ପଦ୍ମପୁର ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଙ୍କ ସମ୍ପାଦନା ରେ ପ୍ରତିଦିନ ପ୍ରକାଶ ପାଇ ଆସୁଥିବା ଫେସବୁକ କଳାପଟା “ଲେଦା” ର ପ୍ରଥମ ବାର୍ଷିକୀ ସଂକଳନ୨୦୨୧ ର ସଂକଳନ ର ଉନ୍ମୋଚନ ଅବସରରେ ବୁବୁଡା ସ୍ଥିତ କଲ୍ୟାଣମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀମାନ ବିନୋଦ ବୈକାର କବି ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ କବି ବୈରାଗୀ ସାହୁ, କବୟିତ୍ରୀ ଯଶୋବନ୍ତୀ ନାଏକ,କବି ସନ୍ତୋଷ ସ୍ୱାଇଁ, ନାରାୟଣ ପୋଢ,କୁବେର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ସମ୍ପାଦକ ତଥା କବି ନିରଞ୍ଜନ ତ୍ରିପାଠୀ ଯୋଗଦାନ କରି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।  ଗାଁ,ମାଟି,ପାଣି ପବନ ତଥା ଗ୍ରାମ୍ୟ ଜୀବନର ସୁଖ ଦୁଃଖ କୁ ନେଇ ସାହିତ୍ୟ କେମିତି ମର୍ମସ୍ପର୍ଶୀ, ଭାବପୂର୍ଣ୍ଣ ଓ ଯେ ତନୁମନକୁ ଛୁଇଁ ପାରେ,ପୂର୍ବ ସୁରୀ ଙ୍କ ସାହିତ୍ୟ କୃତି ଉପରେ ବକ୍ତା ତଥା ଅତିଥି ମାନେ ଆଲୋକପାତ କରିଥିଲେ। ଏକ ବିରାଟ ଭୂଖଣ୍ଡ ପଶ୍ଚିମ ଓଡ଼ିଶା ର ପ୍ରାଚୀନ ଇତିହାସ ଅତ୍ୟନ୍ତ ଗୈାରବାବହ। ସେ ସବୁକୁ ଖୋଜି ଜନ ସମୁଦାୟ ଙ୍କ ନିକଟକୁ ପହଞ୍ଚାଇବାର ସମୟ ଆସିଛି ବୋଲି ଆହ୍ୱାନ କରାଯାଇଥିଲା। ସାହିତ୍ୟ ସାର୍ବଜନୀନ ତଥା ଗଣମୁଖୀ ହେଲେ କବି ର ସାର୍ଥକତା ବୋଲି ମତପ୍ରକାଶ ପାଇଥିଲା। ମୁଖ୍ୟ ଆକର୍ଷଣ ଭାବେ ବୁଡାମାଲ ଗ୍ରାମର ସ୍ୱାତୀ ପଟେଲ ଯେକି ବର୍ତ୍ତମାନ ନବମ ଶ୍ରେଣୀ ର ଛାତ୍ରୀ ସେ ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବିମୋହିତ କରିଥିଲେ। ଏହି ସମାରୋହରେ ପଶ୍ଚିମ ଓଡ଼ିଶା ର ବହୁ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ।

କବିତା ପାଠୋତ୍ସବ ରେ କବିଶ୍ରୀ- ଧ୍ରୁବଚରଣ ପ୍ରଧାନ,ରିପୁନ ସାହୁ, ଇଶ୍ୱର ସାହୁ, ପ୍ରଶାନ୍ତ ନାଗ, ପ୍ରମୋଦ କଲେତ, ବୈରାଗୀ ସାହୁ,ରୋଜ ପ୍ରଧାନ, ଶ୍ୟାମସୁନ୍ଦର ସିଂ ଯୋଗଦେଇ ନିଜ ସ୍ବରଚିତ କବିତା ପାଠ କରିଥିବାବେଳେ କବୟିତ୍ରୀ ସାଗରିକା ସାହୁ, ଜୟନ୍ତୀ ବରିହା,ଯଶୋବନନ୍ତୀ ନାୟକ ପ୍ରମୁଖ ନିଜନିଜ ରଚିତ ସମ୍ବଲପୁରୀ କବିତା ମାନ ଶ୍ରୋତାଙ୍କୁ ଶୁଣାଇ ବିମୋହିତ କରିପକାଇଥିଲେ। ଶେଷରେ ଏ ଅଞ୍ଚଳର କବୟତ୍ରୀ ମିସ ନମିତା ଦୀପ ଙ୍କ ଆଜି ଜନ୍ମଦିନ ଏଇଠି ପାଳନ କରାଯାଇଥିଲା। ସମ୍ବଲପୁରୀ ଭାଷା ଏକାଡେମୀ ର ଜଣେ ବରିଷ୍ଠ ସଦସ୍ୟ ତଥା ବାଟ କଢୁଆଲ ର ସହ ସମ୍ପାଦକ ଶ୍ରୀମାନ ପୈାଳସ୍ତ୍ୟ ସାହା ଙ୍କ ସଂଯୋଜନା ରେ ଏହି ସୁନ୍ଦର କବିତା ଆସର ଆବେଗମୟ ହୋଇ ଉଠିଥିଲା। ଶେଷରେ ବାଟ କଢୁଆଲ ର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।