ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଡ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନିର୍ବାଚନ ଆସିଲେ ବିଜେଡିର ମନେ ପଡେ ବହୁ ପୁରାଣା ପ୍ରକଳ୍ପ କଥା। ସେହି କ୍ରମରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେଡିର ଏବେ ମନେ ପଡ଼ିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଥିବା କାନପୁର ବୃହତ ଜଳ ସେଚନ ପ୍ରକଳ୍ପ କଥା। ୨୦୦୪ ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ୍‌ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାମ ସରୁନାହିଁ। ଏବେ ପୁଣି ସେହି ପ୍ରକଳ୍ପକୁ ପୁଣି ୨୦୦ କୋଟି ଟଙ୍କା ଦିଆଯାଇଛି।  ଯେଉଁ ଅର୍ଥରେ ବାମପାର୍ଶ୍ଵ ନଦୀ ବନ୍ଧରେ ଥିବା ଫାଟକୁ ମରାମତି କରାଯିବ। ଏହି ଫାଟ ପ୍ଲାଷ୍ଟିକ କଂକ୍ରିଟ ଦ୍ଵାରା ହେବ। ଏଥିପାଇଁ ୧୯୯.୬ଠ କୋଟି ଟଙ୍କାର ଟେଣ୍ଡର ସରି କାମ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର। ଉଭୟ ଆହୁରି କହିଛନ୍ତି, ଏହି ଜଳସେଚନ ପ୍ରକଳ୍ପ ୨୦ ୨୩ ମସିହା ନଭେମ୍ବର ସୁଦ୍ଧା ଚୂଡାନ୍ତ ହେବ। କେନ୍ଦୁଝର ଜିଲ୍ଲାର ୨୯ ହଜାର ୫୭୮ହେକ୍ଟର ଚାଷ କମିକୁ ଏହାଦ୍ୱାରା ଜଳସଚିତ ହୋଇପାରିବ। ଚମ୍ପୁଆ, ପାଟଣା, ସାହରପଡା, ସଦର ଓ ଘଟଗାଁ ଅଞ୍ଚଳର ଚାଷ ଜମିକୁ ଏହି ପ୍ରକଳ୍ପରୁ ପାଣି ମାଡିପାରିବ କହିଛନ୍ତି ବଦ୍ରିନାରାୟଣ ପାତ୍ର।

୧୧ ବର୍ଷରେ ଭାଙ୍ଗିଥିଲା ମେରୁଦଣ୍ଡ ହାଡ଼, ଏବେ ବନିଲେ ଗୋଲ୍ଡେନ୍ ଗର୍ଲ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ପାରାଲିମ୍ପିକ୍ସରେ ସୋମବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଭାରତର ଅବନୀ ଲେଖରା ଟୋକିଓ ପାରାଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଜୟପୁରରେ ରହୁଥିବା ଏହି ୧୯ ବର୍ଷୀୟା ଶୁଟର୍ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଅବନୀ ଫାଇନାଲରେ ୨୪୯.୬ ପଏଣ୍ଟ ହାସଲ କରି ବିଶ୍ୱ ରେକର୍ଡର ସମପକ୍ଷ ହେବା ସହ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ସେ ଚାଇନାର ଝାଙ୍ଗ କୁଇପିଙ୍ଗ୍ (୨୪୮.୯ ପଏଣ୍ଟ)ଙ୍କୁ ପଛରେ ପକାଇଛନ୍ତି, ଯିଏ ରୌପ୍ୟ ପଦକ ଜିତିଛନ୍ତି। ୟୁକ୍ରେନର ଇରିୟାନା ଶୋତାନିକ୍ (୨୨୭.୫ ପଏଣ୍ଟ) ବ୍ରୋଞ୍ଜ ପଦକ ଜିତିଛନ୍ତି। ଅବନୀଙ୍କ ଏହି ସ୍ୱର୍ଣ୍ଣ ସହ ଭାରତ ପ୍ରଥମଥର ପାରାଲିମ୍ପିକ୍ସରେ ଶୁଟିଂରେ ପଦକ ଜିତିଛି। ସ୍ୱର୍ଣ୍ଣ ପଦକ ଜିତିଥିବା ଅବନୀଙ୍କ ଜୀବନ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ ରହିଛି। ଅବନୀ ଯେତେବେଳେ ୧୧ ବର୍ଷର ହୋଇଥିଲା, ସେତେବେଳେ ଏକ କାର୍ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡର ହାଡ଼ ଭାଙ୍ଗି ଯାଇଥିଲା। ମେରୁଦଣ୍ଡ ହାଡ଼ ଭାଙ୍ଗିବାରୁ ସେ ସବୁଦିନ ପାଇଁ ହ୍ୱିଲଚେୟାରର ସହାୟତା ନେଲେ। ଏହା ପରେ ତାଙ୍କ ଜୀବନର ଦ୍ୱିତୀୟ ଇନିଂସ୍ ବେଶ କଷ୍ଟକର ହୋଇପଡ଼ିଥିଲା। ହେଲେ ଏହି ସମୟରେ ତାଙ୍କ ପିତା ଅବନୀଙ୍କ ମନୋବଳ ବଢ଼ାଇଥିଲେ। ଅବନୀଙ୍କୁ ତାଙ୍କ ପିତା ପାଠପଢ଼ା ସହ ଖେଳରେ ମନଧ୍ୟାନ ଦେବାକୁ କହିଥିଲେ। ଅବନୀ ଏହା ପରେ ପାଠପଢ଼ାରେ ସମ୍ପୂର୍ଣ୍ଣ ମନ ଲଗାଇଥିଲେ ଏବଂ ଖେଳ ପାଇଁ ମଧ୍ୟ ସମୟ ବାହାର କରନ୍ତି। ଅବନୀ ପ୍ରଥମେ ଶୁଟିଂ ଏବଂ ତୀରନ୍ଦାଜୀରେ ମନ ବଳାଇଲେ ଏବଂ ଉଭୟ ଖେଳକୁ ଖେଳିବା ପ୍ରୟାସ କଲେ। କିନ୍ତୁ ଶୁଟିଂରେ ଅବନୀ ମନ ଦେଇଥିଲେ। ଏକ ସାକ୍ଷାତକାରରେ ଅବନୀ କହିଥିଲେ, ଅଭିନବ ବିନ୍ଦ୍ରାଙ୍କ ଯୋଗୁ ଶୁଟିଂରେ ତାଙ୍କର ଉତ୍ସାହ ବଢ଼ିଲା। ଡିପ୍ରେସନରୁ ମୁକୁଳିବା ପାଇଁ ସେ ବିନ୍ଦ୍ରାଙ୍କ ବାୟୋଗ୍ରାଫୀ ‘ଏ ଶଟ୍ ଆଟ୍ ହିଷ୍ଟ୍ରୀ’ ପଢ଼ିଥିଲେ, ଯାହା ପରେ ଶୁଟିଂ ପ୍ରତି ତାଙ୍କର ଦୁର୍ବଳତା ବଢ଼ିଥିଲା। ସେ ମଧ୍ୟ ଶୁଟିଂରେ ନିଜ କ୍ୟାରିୟର ଗଢ଼ିବାକୁ ମନସ୍ଥ କଲେ। ୨୦୧୫ରେ ଅବନୀ ତାଙ୍କର ଟ୍ରେନିଂ ଆରମ୍ଭ କରିଥିଲେ ଏବଂ ରାଜସ୍ଥାନର ଷ୍ଟେଟ୍ ଚାମ୍ପିୟନଶିପରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସେ ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଚାମ୍ପିୟନଶିପ୍ ପାଇଁ ସେ ତାଙ୍କର କୋଚଙ୍କଠାରୁ ରାଇଫଲ୍ ଧାର ଆଣିଥିଲେ। ଏହାର କିଛି ମାସ ପରେ ଅବନୀ ନ୍ୟାଶନାଲ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଲେ। ୨୦୧୬ରୁ ୨୦୨୦ ମଧ୍ୟରେ ଅବନୀ ଜାତୀୟ ଶୁଟିଂ ଚାମ୍ପିୟନଶିପରେ ୫ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ବର୍ଷ ୟୁଏଇରେ ଆୟୋଜିତ ପାରା ଶୁଟିଂ ବିଶ୍ୱ କପରେ ଅବନୀ ରୌପ୍ୟ ପଦକ ଜିତିଥିଲେ।

ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ୍…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚଳିତ ଟୋକିଓ ଅଲିମ୍ପିକ୍ସର ଷଷ୍ଠ ଦିବସରେ ଭାରତକୁ ସୁନା ବର୍ଷା ହୋଇଛି। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସୁମିତ୍ ୬୮.୦୮ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ସୁମିତଙ୍କ ଏହି ସ୍ୱର୍ଣ୍ଣ ସହ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି। ସୋମବାର ଅବନୀ ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ପାରାଲିମ୍ପିକ୍ସରେ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଇଡି ଜାଲରେ ଫସିଲେ ଜ୍ୟାକ୍‌ଲିନ୍‌…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଇଡି ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ତିଜ। ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘେରିଛି। ଦିଲ୍ଲୀରେ ତାଙ୍କୁ ପ୍ରାୟ ୫ ଘଣ୍ଟା ହେଲା ପଚରାଉଚରା କରୁଛି ଇଡି। ତେବେ ମନି ଲଣ୍ଡ୍ରିଂର ଏହି ମାମଲା କାହାସହ ଜଡିତ ରହିଛି, ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ। ଜ୍ୟାକଲିନ୍‌ଙ୍କ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ୟାମି ଗୌତମଙ୍କୁ ମଧ୍ୟ ମନି ଲଣ୍ଡ୍ରିଂର ମାମଲାରେ ଜୁଲାଇ ୭ରେ ପଚରାଉଚରା କରିଥିଲା। ନିକଟରେ ଫିଲ୍ମମେକର ଆଦିତ୍ୟ ଧରଙ୍କ ସହ ବିବାହ କରିଥିବା ୟାମିଙ୍କ ନାଁରେ ଫେମା ଆଇନ୍‌କୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା। ସୂଚନା ମୁତାବକ ଆଜି ସକାଳେ ଇଡି ମହାରାଷ୍ଟ୍ରର ୯ଟି ସ୍ଥାନରେ ରେଡ୍‌ କରିଥିଲା। ଶିବସେନା ସାଂସଦ ଭାବନା ଗ୍ୱାଲି ପଟେଲ ଘର ଅଫିସ ସମେତ ୬ରୁ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି। ଏଥିସହ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାମଲାରେ ଇଡି ଅନେକ ସ୍ଥାନରେ ରେଡ୍‌ କରିଥିଲା। ସୂଚନା ମୁତାବକ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଶ୍ରୀଲଙ୍କାର କଲମ୍ବୋରୁ ଆସିଛନ୍ତି। ସେ ଶ୍ରୀଲଙ୍କାରୁ ଭାରତ ଆସି ବଲିଉଡରେ ଏକ ବଡ଼ ପରିଚୟ ସୃଷ୍ଟି କରିଛନ୍ତି। ବଲିଉଡର ବଡ ବଡ଼ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାଁ ଗଣାଯାଏ । ହିନ୍ଦୀ ସିନେମାରେ ସେ ସଲମାନ ଖାନଙ୍କ ସହ ‘କିକ୍’, ଜନ୍ ଅବ୍ରହାମ ଏବଂ ବରୁଣ ଧାୱନଙ୍କ ସହିତ ‘ଢ଼ିସୁମ୍, ଅକ୍ଷୟ କୁମାର ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନୀତ ‘ଭାଇ’ ଏବଂ ଅମିତାଭ ବଚ୍ଚନ ଓ ରିତେଶ ଦେଶମୁଖ ଅଭିନୀତ ‘ଆଲାଦ୍ଦିନ’ ସମେତ ଅନେକ ବଡ଼ ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି ଜ୍ୟାକ୍‌ଲିନ୍‌।

୩୧ ଅଗଷ୍ଟ, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସମସ୍ତ ପ୍ରକାରର ବ୍ୟବସାୟରେ ଭଲ ଲାଭ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ।

ବୃଷ: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଶରୀର ସୁସ୍ଥ ରହିବ। କଠିନ ପରିଶ୍ରମ କରିବେ।

ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପରିବାରରେ ଶାନ୍ତିର ବାତାବରଣ ରହିବ। ସରକାରୀ ସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯିବ।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳିବ।

ସିଂହ: କାର୍ଯ୍ୟବ୍ୟସ୍ତ ରହିବେ। ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଅନେକ ଦିନର ଆଶା ପୂର୍ଣ୍ଣ ହେବ।

କନ୍ୟା: ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରୟାସ କରିବେ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।

ତୁଳା: ଶୁଭଫଳ ମିଳିବ। ଖାଇବା ପିଇବା ପ୍ରତି ସତର୍କ ନହେଲେ ଶାରୀରିକ ପୀଡ଼ା ଭୋଗିବେ।

ବିଛା: କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ଜରୁରୀ କାର୍ଯ୍ୟକୁ ମନ ଦେଇ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଉଚ୍ଚପ୍ରଶଂସା ଲାଭ କରିବେ। ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇଯିବ।

ମକର: ଧାର୍ମିକ କାର୍ଯ୍ୟରେ ଭାଗ ନେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କୁମ୍ଭ: ସୁସମ୍ବାଦ ପାଇବେ। ନକାରାତ୍ମକ ଭାବନାରୁ ମୁକ୍ତ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।

ପୁରୀ ଶୈଳୀରେ ଲକ୍ଷ୍ନୌରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ଜମି ଦେଲେ ଯୋଗୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଓଡ଼ିଶାର ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଜଗନ୍ନାଥ ମନ୍ଦିର ତିଆରି ହେବ ଲକ୍ଷ୍ନୌରେ। ଏଥିପାଇଁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ଶୈଳୀରେ ଲକ୍ଷ୍ନୌରେ ମଧ୍ୟ ଜଗନ୍ନାଥ ମନ୍ଦିର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଏକର ଜମି ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ସେହିପରି ସରୋଜିନ ନଗରର ବିଜନୋରରେ “ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର” ମଧ୍ୟ ତିଆରି ହେବ। ୨୦୧୮ରେ ଯୋଗୀ ଓଡ଼ିଆ ସମାଜର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଏସବୁ ପ୍ରକଳ୍ପ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ, ଜଗନ୍ନାଥ ମନ୍ଦିର ଓ ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର ତିଆରି କରିବାକୁ ଜମି ଯୋଗାଇ ଦେଇଛନ୍ତି। ୨୦୧୮ ଉତ୍କଳ ଦିବସରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେମାନେ ଯୋଗୀଙ୍କ ଆଗରେ ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିବାକୁ ଦାବି ଜଣାଇଥିଲେ। ଯୋଗୀ ଏଥିରେ ରାଜି ହେବା ସହ ଜଗନ୍ନାଥ ମନ୍ଦିର ମଧ୍ୟ ପ୍ରତିଷ୍ଠା ପାଇଁ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିକଟରେ ପ୍ରଶାସନ ତରଫରୁ ଓଡ଼ିଆ ସାମାଜକୁ ଅବଗତ କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶକ୍ରମେ ଓଡ଼ିଶାର କଲଚର ସେଣ୍ଟର ଓ ମନ୍ଦିର ପାଇଁ ସରୋଜିନ ନଗରର ବିଜନୋରରେ ଥିବା ୫ ଏକର ଜମି ହସ୍ତାନ୍ତର କରାଯିବ। ଏହାପରେ ମନ୍ଦିର ଓ କଲଚର ସେଣ୍ଟର ତିଆରି ପ୍ରକ୍ରିୟା ଆରମ୍ଭ ହେବ। ଲକ୍ଷ୍ନୌରେ ଥିବା ଓଡ଼ିଆ ସମାଜର ମହାସଚିବ ଡା ଡିଆର ସାହୁ କହିଛନ୍ତି, “ଏହି ଘୋଷଣା ପରେ ଓଡ଼ିଆ ସମାଜ ବେଶ ଉତ୍ସାହିତ ରହିଛି। ମନ୍ଦିରଟି ସଂପୂର୍ଣ୍ଣ ଭାବେ ଜଗନ୍ନାଥ ମନ୍ଦିର ଭଳି ତିଆରି ହେବ। ପୁରୀର ଜଗନ୍ନାଥ ମନ୍ଦିର ଶୈଳୀକୁ ଲୋକମାନେ ଲକ୍ଷ୍ନୌରେ ଦେଖିପାରିବେ। ସେହିପରି କଲଚର ସେଣ୍ଟର ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ହସ୍ତକଳା ସମ୍ପର୍କରେ ଲୋକମାନେ ଅଧିକ ଜାଣିପାରିବେ। ଏହି ସ୍ଥାନରେ ନିର୍ମାଣ ହେବାକୁ ଥିବା ସଭାଘରେ ଓଡ଼ିଆ ସମାଜର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।”ମନ୍ଦିର ନିର୍ମାଣ ସଂକ୍ରାନ୍ତ ଜମି ହସ୍ତାନ୍ତର ସମ୍ପର୍କରେ ସ୍ୱତନ୍ତ୍ର ସଚିବ ରଣବିଜୟ ସିଂହ ଲକ୍ଷ୍ନୌ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଅଧିକାରୀ ଗୃହ ଓ ନଗର ଉନ୍ନୟନର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହାପରେ ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଓଡ଼ିଆ ଲୋକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ରହିଛି। ୧୯୯୪ରୁ ଓଡ଼ିଆ ସମାଜ ଲକ୍ଷ୍ନୌରେ ବିଭିନ୍ନ ସାଂସ୍କୃତି ଓ ସାମାଜିକ କାମ କରି ଆସୁଛି। ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟା ସମୟରେ ଓଡ଼ିଆ ସମାଜ ପକ୍ଷରୁ ଲୋକଙ୍କ ସାହାଯ୍ୟ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କାର ସହାୟତା କରାଯାଇଥିଲା।

ବିଜେପିକୁ ଶକ୍ତ ଝଟକା, ଦଳ ଛାଡ଼ି ଟିଏମସିରେ ମିଶିଲେ ଆଉ ଜଣେ ବିଧାୟକ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭାରେ ଜୋରଦାର ଲଢ଼େଇ କରି ୭୭ଟି ଆସନ ଜିତିଥିବା ବିଜେପିକୁ ପୁଣି ଗୋଟିଏ ଝଟକା ଲାଗିଛି। ପୂର୍ବରୁ ବିଧାୟକ ମୁକୁଲ ରୟ ଦଳ ଛାଡ଼ିଥିବା ବେଳେ ଏବେ ବିଧାୟକ ତନ୍ମୟ ଘୋଷ ସମାନ ପଦକ୍ଷେପ ନେଇଛନ୍ତି। ତନ୍ମୟ ଘୋଷ ବିଜେପି ଟିକେଟରୁ ବିଷ୍ଣୁପୁର ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ଆଜି ସେ ଦଳକୁ ଗୁଡବାଏ କହି ଶାସକ ଟିଏମସିରେ ସାମିଲ ହୋଇଛନ୍ତି। ବିଜେପି ପ୍ରତିଶୋଧମୂଳକ ରାଜନୀତି କରୁଥିବାରୁ ବିଧାୟକ ତନ୍ମୟ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିସହ ବେଙ୍ଗଲର କଲ୍ୟାଣ ପାଇଁ ସମସ୍ତେ ଟିଏମସିରେ ମିଶନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ଠିକ୍‌ ପୂର୍ବରୁ ଅର୍ଥାତ ମାର୍ଚ୍ଚ ମାସରେ ତନ୍ମୟ ଘୋଷ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ସେ ବିଜେପିରେ ମିଶିବା ପୂର୍ବରୁ ବାଙ୍କୁରା ଜିଲ୍ଲା ବିଷ୍ଣୁପୁର ସହରର ଟିଏମସି ଯୁବ ସଭାପତି ଓ ଜଣେ କାଉନସିଲର ଭାବେ କାର୍ଯ୍ୟ କରୁଥିଲେ। ବିଜେପିରେ ମିଶିବା ପରେ ତାଙ୍କୁ ଦଳ ନିର୍ବାଚନ ବେଳେ ଟିକେଟ ଦେଇଥିଲା। ସେ ବିଜୟୀ ମଧ୍ୟ ହୋଇଥିଲେ। କିନ୍ତୁ ଏବେ ସେ ବିଜେପିର ଆକ୍ରୋଶ ଓ ପ୍ରତିଶୋଧମୂଳକ ରାଜନୀତିରେ କ୍ଷୁବ୍ଧ ହୋଇ ପୁଣି ଟିଏମସିକୁ ଫେରିଛନ୍ତି। ଶ୍ରୀ ଘୋଷଙ୍କୁ ଦଳକୁ ସ୍ୱାଗତ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ବାର୍ତ୍ୟା ବାସୁ କହିଛନ୍ତି, ବିଜେପି ନିର୍ବାଚନ ପରେ ଟିଏମସି ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି। ଆମେ ବିଜେପି ସହ ରାଜନୀତିକ ଲଢ଼େଇ ଜାରି ରଖିବୁ। ଆଗକୁ ଅନେକ ବିଜେପି ନେତା ଟିଏମସିରେ ମିଶିବେ। ଆମେ ସମସ୍ତଙ୍କୁ ଟିଏମସିରେ ମିଶିବାକୁ ଆହ୍ୱାନ କରୁଛୁ। କିନ୍ତୁ ଦଳରେ କାହାକୁ ସୁଯୋଗ ମିଳିବ, ସେକଥା ଟିଏମସିର ନେତୃବୃନ୍ଦ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏଥିସହ ତ୍ରିପୁରାର ଅନେକ ବିଜେପି ବିଧାୟକ ଟିଏମସିର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ବାସୁ ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର ୨୯୨ଟି ଆସନରୁ ବିଜେପି ୭୭ଟିରେ ଜିତିଥିବା ବେଳେ ଟିଏମସି ୨୧୩ଟି ଆସନ ଜିତିଛି। ସେହିପରି ଆଇଏସ୍‌ଏଫ ଓ ଜିଜେଏମ ଗୋଟିଏ ଲେଖାଏ ଆସନ ଜିତିଛନ୍ତି।

ପଙ୍କରୁ ପଦ୍ମ ଫୁଟିଲା ଭଳି ଚହଟୁଛନ୍ତି ଆଦିବାସୀ ଯୁବକ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରି ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ପଙ୍କରୁ ପଦ୍ମ ଫୁଟିଲା ଭଳି ଦୁର୍ଗମ ଅଞ୍ଚଳରେ ଚହଟୁଛି ଆଦିବାସୀ ଯୁବକ ରବି ଶଙ୍କର ମାଝିଙ୍କ ଓଡ଼ିଶୀ ନୃତ୍ୟ କଳାର ପ୍ରତିଭା। ଗାଁଠୁ ସହର ସବୁଠି ସେ ଚର୍ଚ୍ଚାରେ ରହିଛନ୍ତି। ଗରିବ ପରିବାରର ହୋଇଥିଲେ ମଧ୍ୟ ପିଲାଟି ଦିନରୁ ପାଠ ପଢା ସହ ନୃତ୍ୟ ପ୍ରତି ରୁଚି ରଖିଥିବା ରବିଶଙ୍କର ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପ୍ରତିଭା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ଗାଁର ରବି ଶଙ୍କର ମାଝି। ବାପା ସତ୍ୟନାରାୟଣ ମାଝି ଚାଲିଯିବା ପରେ ନିଜ ମାଆ, ଦୁଇ ଭାଇ ଓ ତିନି ଭଉଣୀଙ୍କ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ରବି ଶଙ୍କର। ପିଲାଟି ଦିନରୁ ପାଠ ପଢା ସହ ନୃତ୍ୟ ପ୍ରତି ରୁଚି ରଖିଥିବାରୁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରୁଥିଲେ। ୨୦୦୭  ମସିହାରେ ମୋହନା ସ୍ଥିତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରୁ ରବି ଶଙ୍କର ମାଟ୍ରିକ ପାସ୍‌ କରିଥିଲେ। ପରେ ବ୍ରହ୍ମପୁରରେ ଉଚ୍ଚ ଶିକ୍ଷା ଲାଭ କରିବା ସହ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ ପାଇଁ ଅଙ୍ଗହାର ନୃତ୍ୟାୟନରେ ଯୋଗଦେଲେ। ଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କଠାରୁ ଶିକ୍ଷା ଗ୍ରହଣ କଲେ। ସେଠାରୁ ଦୁଇ ବର୍ଷ ନୃତ୍ୟା ଶିକ୍ଷା ଗ୍ରହଣ କରିବା ପରେ ୨୦୧୨ ମସିହାରେ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ନୃତ୍ୟାୟନ ଅନୁଷ୍ଠାନରେ ଯୋଗଦେଇ ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କଲେ। ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଲାଭ କରିବା ପରେ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ରବିଶଙ୍କର ବେଶ ସୁନାମ ଅର୍ଜନ କରିଛନ୍ତି। ଏବେ ରବି ଶଙ୍କର ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଏକ ସରକାରୀ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜ ଉଦ୍ୟମରେ ଯୁବକ ଓ ଯୁବତୀମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି। ଯେତେବେଳେ ସେ ଘରକୁ ଆସନ୍ତି, ଘର କାମରେ ନିଜକୁ ନିୟୋଜିତ କରାନ୍ତି। ଜଣେ ଗରୀବ ପଛୁଆ ଆଦିବାସୀ ପରିବାରର ହୋଇ ଆଜି ସେ ନିଜର କଳା ପାଇଁ ସାରା ଦୁନିଆରେ ବେଶ ପରିଚିତ ହୋଇ ପାରିଛନ୍ତି।  ଓଡ଼ିଶୀ ନୃତ୍ୟଶିଳ୍ପୀ ରବିଶଙ୍କର ବିଭିନ୍ନ ଅନୁଷ୍ଠାନଠାରୁ ପୁରସ୍କୃତ ହୋଇଛନ୍ତି। ଏଥିସହ ସରକାରଙ୍କ ଭାରତୀୟ ସାଂସ୍କୃତି ମନ୍ତ୍ରଣାଳାୟ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ଜାତୀୟ ମେଧା ବୃତ୍ତି ପାଇଛନ୍ତି। ସେହିପରି ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ହୋଇପାରିଛନ୍ତି। ରବି ଶଙ୍କରଙ୍କ ଓଡ଼ିଶୀ ନୃତ୍ୟ ଏବେ ଦୁର୍ଗମ ଅଂଚଳର ଯୁବ ଗୋଷ୍ଠୀ ପାଇଁ ପ୍ରେରଣା ଦାୟକ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଲ୍ଲିକ କହିଛନ୍ତି।

 

ବିଜେପିର ହିନ୍ଦୁତ୍ୱକୁ ଚେକ୍‌ ଦେବାକୁ ଆପ୍‌ର ବ୍ଲୁ ପ୍ରିଣ୍ଟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ର ଫୋକସରେ ରହିଛି। ଏଠାରେ ସବୁ ରାଜନୀତିକ ଦଳକୁ ମାତ୍‌ ଦେବା ପାଇଁ ଆପ୍‌ ତା’ର କାର୍ଯ୍ୟକଳାପ ଜାରି ରଖିଛି। ପଞ୍ଜାବରେ ଆପ୍‌ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ କଂଗ୍ରେସକୁ ହଟାଇ କ୍ଷମତା ଦଖଲ କରିବା ମୁଡ୍‌ରେ ରହିଛି। କିନ୍ତୁ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ହିନ୍ଦୁତ୍ୱ କାର୍ଡ ଖେଳିବାକୁ ଯୋଜନା କରିଛି। ବିଜେପି ଏହି ଦୁଇ ରାଜ୍ୟ ସମେତ ସମଗ୍ର ଦେଶରେ ହିନ୍ଦୁତ୍ୱ ରାଜନୀତି କରୁଛି। ବିଜେପିର ହିନ୍ଦୁତ୍ୱକୁ ଚେକ୍‌ ଦେବାକୁ ଆପ୍‌ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଦଳ ଏଥିରେ କେତେ ସଫଳ ହେବ, ସେକଥା କେହି ଜାଣିନାହାନ୍ତି। କିନ୍ତୁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ତା’ର ହିନ୍ଦୁତ୍ୱ ରାଜନୀତି ଆରମ୍ଭ କରିଛି।

ଉତ୍ତର ପ୍ରଦେଶ

ଗତବର୍ଷ ଡିସେମ୍ବରରେ ଆପ୍‌ ଉତ୍ତର ପ୍ରଦେଶ ବିଧାନସଭାରେ ନିର୍ବାଚନରେ ଲଢ଼ିବ ବୋଲି ଘୋଷଣା କରିଥିଲା। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବାରମ୍ବାର ଉତ୍ତର ପ୍ରଦେଶ ଯାଇ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଉତ୍ତର ପ୍ରଦେଶରେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଆପ୍‌ ପକ୍ଷରୁ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯିବ। ଏହି ତ୍ରିରଙ୍ଗା ଯାତ୍ରା ଅଯୋଧ୍ୟାର ରାମ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।ବିଜେପି ଏଠାରେ ସମାନ ନୀତି ଗ୍ରହଣ କରିଥିବା ବେଳେ ଏହାକୁ ଚେକ୍‌ ଦେବାକୁ ଆପ୍‌ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ପୂର୍ବରୁ ବିଜେପି ଏଠାରେ ତ୍ରିରଙ୍ଗା ଯାତ୍ରା କରି ଗଣମାଧ୍ୟମରେ ଶୀର୍ଷକ ସ୍ଥାନ ଅଳଂକୃତ କରିଥିଲା। ଏବେ ଅରିବନ୍ଦ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆ ଓ ସାଂସଦ ସଞ୍ଜୟ ସିଂହ ସେପ୍ଟେମ୍ବର ୧୪ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରାର ନେତୃତ୍ୱ ନେବେ। ଉଭୟଙ୍କ ତ୍ରିରଙ୍ଗା ଯାତ୍ରା ରାମ ଲାଲା ଓ ହନୁମାନଗଡ଼ିରେ ରହିବ। ଭାରତର ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ଆପ୍ ଏପରି ତ୍ରିରଙ୍ଗା ଯାତ୍ରା କରୁଥିବା କହିଛି। ୨୦୨୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଘଟଣାକୁ ପ୍ରଚାର ପ୍ରସାର କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଲାଗିଛି। କାରଣ ଦଳ ନିଜର ନିର୍ବାଚନ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିନ୍ଦୀ ଦିବସ ସେପ୍ଟେମ୍ବର ୧୪ରେ ପଡ଼ୁଥିବା ବେଳେ ସେହିଦିନ ଆପ୍‌ ତ୍ରିରଙ୍ଗା ଯାତ୍ରା ଆୟୋଜନ କରୁଛି। ଅଯୋଧ୍ୟାରେ ବିଶାଳ ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଆପ ଏହାର ଝଲକ ରବିବାର ଆଗ୍ରାରେ ଦେଖାଇଛି। ଆଗ୍ରାରେ ଦଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା। ସେପ୍ଟେମ୍ବର ୧ରେ ମଧ୍ୟ ଆପ୍‌ ନୋଏଡାରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଖାଲି ଏତିକି ନୁହେଁ, ଆପ୍ ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ୪୦୩ ନିର୍ବାଚନମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା କରିବ ବୋଲି କୁହାଯାଉଛି।

ଉତ୍ତରାଖଣ୍ଡ

ଏହି ଛୋଟିଆ ରାଜ୍ୟ ମଧ୍ୟ ଆପ୍‌ର ଫୋକସରେ ରହିଛି। ଦିଲ୍ଲୀରେ କ୍ରମାଗତ କ୍ଷମତା ଦଖଲ କରିବା ଓ ପଞ୍ଜାବରେ ଦ୍ୱିତୀୟ ବୃହତ୍ତର ଦଳର ମାନ୍ୟତା ପାଇବାକୁ ଆୟୁଧ କରି ଆପ୍ ଉତ୍ତରାଖଣ୍ଡରେ ନିଜର ଦବଦବା ଦେଖାଇବାକୁ ଲକ୍ଷ୍ୟ ରଖିଛି। ଏବେଠାରୁ ହିଁ ଦଳ ଉତ୍ତରାଖଣ୍ଡରେ କ୍ଷମତାକୁ ଆସିଲେ ରାଜ୍ୟକୁ ହିନ୍ଦୁମାନଙ୍କ ଆଧ୍ୟାତ୍ମିକ ରାଜଧାନୀ ଭାବେ ଗଢ଼ି ତୋଳିବ ବୋଲିତ ଘୋଷଣା କରି ସାରିଛି। ଦଳ ପକ୍ଷରୁ ଅବସରପ୍ରାପ୍ତ ଆର୍ମି ଅଫିସର କର୍ଣ୍ଣେଲ ଅଜୟ କୋଠିୟାଲଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଦିଲ୍ଲୀରେ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନରେ ସଫଳତା ପାଇଥିଲା। ହେଲେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିବାରୁ କ୍ଷମତା ଦଖଲ କରିବାକୁ ଅସମର୍ଥ ହୋଇଥିଲା। ଏହି କାରଣରୁ ଉତ୍ତରାଖଣ୍ଡରେ ଆଗୁଆ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ନିଜକୁ ହନୁମାନଙ୍କ ପରମ ଭକ୍ତ ବୋଲି କହିଥିଲେ। ଏଥିସହ ସେ ବିଭିନ୍ନ ହନୁମାନ ମନ୍ଦିରକୁ ଯାଇ ହିନ୍ଦୁତ୍ୱ କାର୍ଡ ଖେଳିଥିଲେ। ଏଥିସହ ଆପ୍‌ ଦେଶଭକ୍ତିକୁ ମଧ୍ୟ ନିଜ ପ୍ରଚାରର ଅଂଶ ବିଶେଷ କରିଛି।

ଲୋକାର୍ପଣ ସମାରୋହରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସଭା ଅଧାରୁ ମଞ୍ଚ ଛାଡ଼ି ଚାଲିଗଲେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟା ଶଙ୍କର ମିଶ୍ର। ଏହା ଅନ୍ୟ ଅତିଥିଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ସମୟର ଠେଲାପେଲା ଓ ହୋ-ହଲ୍ଲା ପରେ ହସ୍ତକ୍ଷେପ କରିଥିଲେ ପୁଲିସ ଏବଂ ମଞ୍ଚରେ ବସିଥିବା ରାଜନେତା। ବୁଝାସୁଝା ପରେ ପରିବେଶ ଶାନ୍ତ ପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ମାନହୋରପୁର ଓପିସିଏଲ କୋଇଲା ଖଣିରୁ ଆଜିଠାରୁ ଓପିଜିସି ଇବ୍‌ ତାପଜ ବିଦ୍ୟୁତ କେନ୍ଦ୍ରକୁ ରେଳପଥ ଯୋଗେ କୋଇଲା ପରିବହନର ଲୋକାର୍ପଣ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ କୁସୁମ ଟେଟେ ଓ ଭବାନୀ ଶଙ୍କର ଭୋଇ ଯୋଗଦେଇଥିଲେ।

ଉଦ୍‌ଘାଟନ ସମାରୋହ ସରିଲା ପରେ ଭାଷଣ ଚାଲିଥିବା ସମୟରେ ମନ୍ତ୍ରୀ ମଞ୍ଚରୁ ଉଠି ପଳାଇ ଯାଇଥିଲେ। ଯାହା ମଞ୍ଚରେ ଥିବା ଅନ୍ୟ ଅତିଥିଙ୍କୁ ଅପମାନିକ କଲା ପରି ଲାଗିଥିଲା। ମନ୍ତ୍ରୀଙ୍କ ଏପରି ଆଚରଣରେ ଉତ୍‌କ୍ଷିପ୍ତ ହୋଇ ମଞ୍ଚ ତଳେ ବସିଥିବା ବିଜେପି ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏପରିକି ମନ୍ତ୍ରୀ ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ବିଜେପି କର୍ମୀଙ୍କ ନାରାବାଜିକୁ ବିରୋଧ କରିଥିଲେ ବିଜେଡି ଗୋଷ୍ଠୀ। ଫଳରେ ଉଭୟ ପକ୍ଷ ମଧ୍ୟରେ ହୋ-ହଲ୍ଲା ଓ ଠେଲାପେଲା ହୋଇଥିଲା। କିଛି ସମୟ ଉତ୍ତେଜନା ପରେ ପୁଲିସ ଓ ନେତାଙ୍କ ହସ୍ତକ୍ଷେପ ଯୋଗୁ ପରିବେଶ ଶାନ୍ତ ପଡ଼ିଥିଲା। ମାତ୍ର ଏନେଇ ଉଭୟ ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।