ଜାପାନ ରାଜଧାନୀରେ ଦମ୍ ଦେଖାଇବେ ଭାରତୀୟ ସେନା….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତୀୟ ସେନା ଯେ କେବଳ ସୀମାରେ ଦେଶର ସୁରକ୍ଷା କରୁଛନ୍ତି ତାହା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେନା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଯାହାଦ୍ୱାରା କ୍ରୀଡ଼ାବିତ୍ କିମ୍ବା ସେନାବାହିନୀରେ ଯୋଗ ଦେଇଥିବା ଆଥଲେଟମାନଙ୍କୁ ସେମାନଙ୍କୁ ବାସ୍ତବ ସ୍ଥାନ ମିଳିଥାଏ। ଅତୀତରେ ଭାରତୀୟ ସେନାରୁ ଅନେକ ଆଥଲଟେ୍ ଦେଶ ପାଇଁ ଅଲିମ୍ପିକରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏଥର ଟୋକିଓ ଅଲିମ୍ପିକରେ କେଉଁ ଭାରତୀୟ ସେନା ଆଥଲେଟ୍ ଭାବେ ଯୋଗ ଦେବେ, ଆସନ୍ତୁ ଜାଣିବା ।

ଅମିତ୍ ପଙ୍ଘଲ (ବକ୍ସିଂ): ୧୯୯୫ ମସିହା, ଅକ୍ଟୋବର ୧୬ ତାରିଖରେ ଜନ୍ମିତ ଅମିତ୍ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ସୁବେଦାର ଅଛନ୍ତି । ଏହି ୨୫ ବର୍ଷୀୟ ବକ୍ସର୍ ୨୦୧୯ରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୨୦ରେ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେ ଟୋକିଓ ଅଲିମ୍ପିକରେ ୫୨ କେଜି ବର୍ଗରେ ଭାରତର ପ୍ରତିନିଧତ୍ୱ କରିବେ । ଅମିତ୍ ମଧ୍ୟ ଭାରତର ବଡ଼ ପଦକ ଆଶା ।

ମନିଷ କୌଶିକ (ବକ୍ସିଂ): ମନିଷ ବର୍ତ୍ତମାନ ଭାରତୀୟ ସେନାରେ ଯୁଗ୍ମ କମିଶନ ଅଫିସର୍ ଭାବେ କାର୍ୟ୍ୟମରତ ଅଛନ୍ତି । ହରିୟାଣାର ଏହି ବକ୍ସର୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ହ୍ୟାରୀ ଗାର୍ସାଇଡଙ୍କ ବିପକ୍ଷ କ୍ୱାଲିଫାଇଙ୍ଗ ରାଉଣ୍ଡ ଜିତିବା ସହ ସେ ଶେଷ ଭାରତୀୟ ବକ୍ସର୍ ଭାବେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଟୋକିଓ ଅଲିମ୍ପିକରେ ୬୩ କେଜି ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ ।

ସତୀଶ କୁମାର (ବକ୍ସିଂ): ୧୯୮୯ରେ ଜନ୍ମିତ ସତୀଶ ୨୦୦୮ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଏହା ପରଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବକ୍ସିଂ ଇଭେଣ୍ଟରେ ଭାଗ ନେଇଛନ୍ତି । ଏହି ହେଭିୱେଟ୍ ବକ୍ସର୍ ଜଣଜ ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି । ୩୨ ବର୍ଷୀୟ ସତୀଶ ଏସିଆନ୍ ବକ୍ସିଂ ଅଲିମ୍ପିକ୍ କ୍ୱାଲିଫାୟରରେ ଓଟଗୋନବାୟେର ଦାଇଭିଙ୍କୁ ହରାଇ ପ୍ରଥମ ଭାରତୀୟ ବକ୍ସର ଭାବେ ଟୋକିଓ ଟିକେଟ୍ କାଟିଥିଲେ । ଅଲିମ୍ପିକରେ ସେ ୯୧ କେଜି ବର୍ଗରେ ପ୍ରତିନିଧତ୍ୱ କରିବେ ।

ଅବିନାଶ ସାବଲେ (ଆଥଲେଟିକ୍ସ): ୧୯୯୪ରେ ଜନ୍ମିତ ଅବିନାଶ ସ୍କୁଲ୍ ଜୀବନ ପରେ ହିଁ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଚଳିତ ବର୍ଷ ପଟିଆଲାରେ ଆୟୋଜିତ ଫେଡେରେସନ୍ କପରେ ସେ ୩୦୦୦ ମିଟର୍ ଷ୍ଟିପଲଚେଜରେ ୮:୨୦.୨୧ ମିନିଟରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ୨୬ ବର୍ଷୀୟ ଏହି ଆଥଲେଟ୍ ୨୦୧୯ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ । ସେ ଟୋକିଓରେ ନିଜ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ।

ନୀରଜ ଚୋପ୍ରା (ଜାଭେଲିନ୍): ୧୯୯୭ରେ ଜନ୍ମିତ ନୀରଜ ୨୦୧୬ରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ ଯୋଗ ଦେଇଥିଲେ । ସେ ଭାରତ ପକ୍ଷରୁ ଜାଭେଲିନ୍ ଥ୍ରୋ’ରେ ପ୍ରତିନିଧିତ୍ୱ କରନ୍ତି । ସେ ମାର୍ଚ୍ଚ ୨୦୨୧ରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୮୮.୦୭ ମିଟର୍ ଜାଭେଲିନ୍ ଥ୍ରୋ’ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହି ୨୩ ବର୍ଷୀୟ ଆଥଲେଟ୍ ୨୦୧୮ରେ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଦମଦାର ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଅଲିମ୍ପିକରେ ତାଙ୍କ ଠାରୁ ଦେଶ ନିଶ୍ଚିତ ପଦକ ଆଶା କରୁଛି ।

ଅର୍ଜୁନ ଲାଲ ଜଟ୍ ଓ ଅରବିନ୍ଦ ସିଂହ (ରୋଇଂ): ଅର୍ଜୁନ ଜଟ୍ ଓ ଅରବିନ୍ଦ ସିଂହ ୨୦୧୭ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୁହେଁ ପୁନେସ୍ଥିତ ଆର୍ମି ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟରେ ରୋଇଂ ତାଲିମ ନେଉଛନ୍ତି। ଅର୍ଜୁନ ଓ ଅରବିନ୍ଦ ଟୋକିଓରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ୍ ଫାଇନାଲ୍ ରେସରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରୁଷ ଲାଇଟୱେଟ୍ ଡବଲ୍ ସ୍କଲ୍ସ ଇଭେଣ୍ଟ ପାଇଁ ଟୋକିଓ ଟିକେଟ୍ କାଟିଛନ୍ତି । ଦୁହେଁ ଭାରତର ଏକମାତ୍ର ରୋଇିଂ ଯୋଡ଼ି ଭାବେ ଟୋକିଓରେ ପ୍ରତିନିଧିତ୍ୱ କରିବେ ।

ବିଷ୍ଣୁ ସର୍ବାନନ୍ (ସେଲିଂ): ବିଷ୍ଣୁ ୨୦୧୭ରେ ଭାରତୀୟ ସେନାରେ ନାଏବ ସୁବେଦାର ଭାବେ ଯୋଗ ଦେଇଥିଲେ । ସେ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ । ତାଙ୍କ ପିତା ଜଣେ ଦକ୍ଷ ସେଲର୍, ଯିଏ ମାଡ୍ରାସ୍ ସାପର୍ସ ସେଲର୍ । ପିତାଙ୍କ ଠାରୁ ପ୍ରେରଣା ପାଇଁ ବିଷ୍ଣୁ ୨୦୧୪ରେ ସେଲିଂରେ ପାଦ ଥାପିଥିଲେ । ବିଷ୍ଣୁ ଗତ ଦୁଇ ବର୍ଷ ଧରି ମାଲତାରେ ଟ୍ରେନିଂ ନେଇ ଆସୁଛନ୍ତି ଏବଂ ସେ ମୁସାନ୍ନା ସେଲିଂ ଚାମ୍ପିୟନଶିପରେ ଭାଗ ନେଇ ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ ।

ପ୍ରବୀଣ ଯାଦବ (ଆର୍ଚେରୀ): ୧୯୯୬ରେ ଜନ୍ମିତ ପ୍ରବୀଣ ଯାଦବ ଭାରତୀୟ ସେନାରେ ହାବିଲଦାର ଅଛନ୍ତି ଏବଂ ସେ ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟରେ ତାଲିମପ୍ରାପ୍ତ ଅଛନ୍ତି । ସେ ଟୋକିଓ ଅଲିମ୍ପିକରେ ଭାରତ ପକ୍ଷରୁ ରିକର୍ଭ ବର୍ଗରେ ପ୍ରତିନିଧିତ୍ୱ କରିବେ । ୨୦୧୯ରେ ବିଶ୍ୱ ଆର୍ଚେରୀ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତି ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ । ୨୦୦୫ ପରେ ସେ ପ୍ରତମ ଭାରତୀୟ ଭାବେ ଏହି ବର୍ଗରେ ଅଲିମ୍ପିକ୍ ଟିକେଟ୍ କାଟିଛନ୍ତି ।

ତରୁଣଦୀପ ରାଏ (ଆର୍ଚେରୀ): ୧୯୮୪ରେ ଜନ୍ମିତ ତରୁଣଦୀପ ରାଏ ସିକ୍କିମରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ କାମ କରୁଛନ୍ତି । ସେ ଭାରତ ପକ୍ଷରୁ ଆର୍ଚେରୀରେ ପ୍ରତିନିଧିତ୍ୱ କରନ୍ତି । ୨୦୦୩ରେ ମାତ୍ର ୧୯ ବର୍ଷ ବୟସରେ ସେ ଆର୍ଚେରୀରେ ଡେବ୍ୟୁ କରିଥିଲେ । ସେ ୨୦୦୫ ଓ ୨୦୧୯ରେ ରୌପ୍ୟ ବିଜେତା ବିଶ୍ୱ ଚାମ୍ପିୟନଶିପ୍ ଟିମର ସଦସ୍ୟ ଥିଲେ । ଏହି ୩୭ ବର୍ଷୀୟ ଆର୍ଚର୍ ୨୦୧୦ ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ମେଡାଲ୍ ଜିତିବାର ଗୌରବ ଅର୍ଜନ କରିଥିଲେ।

ଧୋନି ଟି-୨୦ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ….?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ କ୍ରିକେଟକୁ ଅଲବିଦା କହିଥିଲେ। ଧୋନି ସ୍ୱାଧୀନତା ଦିବସ ଅବସରରେ ଏହି ବଡ଼ ଘୋଷଣା କରିଥିଲେ। ଧୋନିଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସମସ୍ତଙ୍କୁ ଲାଗୁଥିଲା ଧୋନି ମଇଦାନରେ ହିଁ କ୍ରିକେଟକୁ ଗୁଡବାଏ କହିବେ ଏବଂ ବିସିସିଆଇ ତାଙ୍କୁ ଫେୟାରୱେଲ୍ ମ୍ୟାଚ୍ ଦେବ। ହେଲେ ଏହା ହେଲା ନାହିଁ ଏବଂ ଧୋନି ସନ୍ନ୍ୟାସ ଘୋଷଣା କରିଥିଲେ। ଧୋନିଙ୍କ ସନ୍ନ୍ୟାସକୁ ନେଇ ପୂର୍ବତନ ସିଲେକ୍ଟର ଶରନଦୀପ ସିଂହ ବଡ଼ ଖୁଲାସା କରିଛନ୍ତି। ଶରନଦୀପ କହିଛନ୍ତି ଯେ ଚୟନକର୍ତ୍ତା ଧୋନିଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ଚୟନ କରିଥାନ୍ତେ, କିନ୍ତୁ କରୋନା କାରଣରୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଗଲା, ଯେଉଁକାରଣରୁ ଧୋନି ସନ୍ନ୍ୟାସ ନେବାକୁ ବାଧ୍ୟ ହେଲେ। ଶରନଦୀପ ସିଂହ ଏକ ନ୍ୟୁଜ୍ ଚ୍ୟାନେଲ୍ ସହ କଥାବାର୍ତ୍ତାରେ କହିଛନ୍ତି, ‘ଯଦି ଗତ ବର୍ଷ ଟି-୨୦ ବିଶ୍ୱକପ୍ ହୋଇଥାନ୍ତା, ତାହେଲେ ଧୋନି ନିଶ୍ଚିତ ଖେଳିଥାନ୍ତେ।’ ତାଙ୍କୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଫେୟାରୱେଲ୍ ଦିଆଯାଇଥାନ୍ତା। ତେବେ ୨୦୧୯ ବିଶ୍ୱକପ୍ ପରାଜୟ ପରେ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଥିଲା। ଧୋନିଙ୍କ ଷ୍ଟ୍ରାଇକ୍ ରେଟ୍ ଲଗାତର ଘଟୁଥିଲା, ଯାହା ପରେ ସେହି ସମୟରେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଋଷଭ ପନ୍ତଙ୍କୁ ଅଧିକ ସୁଯୋଗ ଦେବା କଥା କହିଥିଲେ। ହେଲେ ଶରନଦୀପ ସିଂହ ଏବେବି ଦାବି କରିଛନ୍ତି ଯେ ଟି-୨୦ ବିଶ୍ୱକପରେ ଧୋନିଙ୍କୁ ସ୍ଥାନ ମିଳିଥାନ୍ତା। ଶରନଦୀପଙ୍କ ଏହି ଖୁଲାସା ପରେ ସ୍ପଷ୍ଟ ହୋଇଛି ଯେ ଧୋନି ଟି-୨୦ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ ଏବଂ ସେ କ୍ରିକେଟ୍ ମଇଦାନରୁ ହିଁ ବିଦାୟ ନେବାକୁ ପସନ୍ଦ କରିଥାନ୍ତେ। କିନ୍ତୁ କରୋନା ସବୁ ବିଗାଡ଼ି ଦେଲା। ଗତ ବର୍ଷ ଟି-୨୦ ବିଶ୍ୱକପର ଆୟୋଜନ ଅଷ୍ଟ୍ରେଲିଆରେ ହେବାର ଥିଲା, କିନ୍ତୁ କରୋନା ଯୋଗୁ ଏହାକୁ ସ୍ଥଗିତ କରିଦିଆଗଲା। ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଏବେ ୨୦୨୨ରେ ହେବ। ଧୋନି ୨୦୧୪ ମସିହାରେ ଟେଷ୍ଟ କ୍ରିକେଟକୁ ଅଲବିଦା କହି ଦେଇଥିଲେ ଏବଂ ୨୦୧୭ରେ ସେ କ୍ୟାପଟେନ୍ ପଦ ଛାଡ଼ିଥିଲେ। ଧୋନି ଏବେ କେବଳ ଆଇପିଏଲରେ ନଜର ଆସିବେ ଏବଂ କୁହାଯାଉଛି ଯେ ସେ ଖୁବଶୀଘ୍ର ଏହି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ଗୁଡବାଏ କହିପାରନ୍ତି।

ଇଂଲଣ୍ଡ ସିରିଜରୁ ବାଦ୍ ପଡ଼ିବେ ଗିଲ୍….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିପାରେ । ରିପୋର୍ଟ ମୁତାବକ ଭାରତୀୟ ଓପ୍ନର ଶୁବମନ୍ ଗିଲ୍ ଇଂଲଣ୍ଡ ଗସ୍ତରୁ ବାଦ୍ ପଡ଼ିପାରନ୍ତି । ଗିଲଙ୍କୁ ଆଭ୍ୟନ୍ତରୀଣ ଆଘାତ ଲାଗିଛି, ଯାହା ଗୁରୁତର ବୋଲି କୁହାଯାଉଛି । ହେଲେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପୂର୍ବରୁ ତାଙ୍କର ଅପରେସନ୍ କରାଇବା ଜରୁରୀ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ । ପିଟିଆଇ ଖବର ମୁତାବକ, ଗିଲ୍ ଆଭ୍ୟନ୍ତରୀଣ ଆଘାତ କାରଣରୁ ପୂରା ଇଂଲଣ୍ଡ ସିରିଜରୁ ବାଦ୍ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଟିମରେ ସାମିଲ୍ କରାଯାଇପାରେ । ଅଭିମନ୍ୟୁ ଏବେ ଷ୍ଟାଣ୍ଡ ବାଇରେ ଅଛନ୍ତି । ବିସିସିଆଇର ଜଣେ ସିନିୟର ଅଧିକାରୀ ନାଁ ଗୁପ୍ତ ରଖି କହିଛନ୍ତି, ଶୁବମନ୍ ପୂରା ଟେଷ୍ଟ ସିରିଜରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି । ହେଲେ ଏବେବି ଟେଷ୍ଟ ସିରିଜ୍ ପାଇଁ ମାସେରୁ ଅଧିକ ସମୟ ରହିଛି । ଆମେ ଏତିକି ଜାଣିଛୁ ଯେ ଆଘାତ ଗୁରୁତର। ଲାଗୁଛି ଗିଲଙ୍କ ପେଣ୍ଡା ଆଘାତପ୍ରାପ୍ତ ଅଛି କିମ୍ବା ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ହୋଇଛି, ଯାହାକୁ ଠିକ୍ ହେବା ପାଇଁ ସମୟ ଲାଗିବ । ତେବେ ତାଙ୍କୁ ଏହି ଆଘାତ କେବେ ଲାଗିଲା, ତାହା ଜଣା ନାହିଁ । ଟିମରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲ୍ ଭଳି ବିକଳ୍ପ ଓପ୍ନର ଅଛନ୍ତି। ଯଦି ଗିଲ୍ ବାଦ୍ ପଡ଼ନ୍ତି, ତାହେଲେ ଈଶ୍ୱରନଙ୍କୁ ଟିମରେ ସ୍ଥାନ ମିଳିବ । ସୂଚନାଯୋଗ୍ୟ, ଗିଲ୍ ବର୍ତ୍ତମାନ ଖରାପ ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ସିରିଜ୍ ପରେ ଗିଲ୍ ନିଜ ପ୍ରଦର୍ଶନ ଦ୍ୱାରା ନିରାଶ କରିଛନ୍ତି। ଅଷ୍ଟ୍ରେଲିଆରେ ୫୧ ହାରରେ ରନ୍ କରିଥିବା ଗିଲ୍ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ମାତ୍ର ୧୯.୮୩ ହାରରେ ୧୧୯ ରନ୍ କରିଛନ୍ତି। ଗିଲ୍ ଆଇପିଏଲରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ରହିଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଉଭୟ ଇନିଂସରେ ସେ ୩୬ ରନ୍ ହିଁ କରିଥିଲେ ।

ଦୌଡ଼ ରାଣୀ ଦୂତୀଙ୍କୁ ଅଲମ୍ପିକ ଟିକେଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶା ପାଇଁ ଖୁସି ଖବର। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଛି  ଅଲମ୍ପିକ ଟିକେଟ୍‌। ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ।  ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଦୂତୀ ଚୟନ ହୋଇଥିବା ସୂଚନା ମିଳିଛି। ଦୂତୀ ଚୟନ ହେବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ୧୦୦ ଓ ୨୦୦ ମିଟର ବର୍ଗରେ ଦୂତୀ ସିଲେକ୍ଟ ହୋଇଥିବା ସୂଚନା ମିଳିଛି। ଅଲମ୍ପିକ ଯୋଗ୍ୟତାକୁ ନେଇ  ଦୂତୀ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ୱାଲଡ୍ ରାଙ୍କ ହିସାବରେ ଯୋଗ୍ୟତା ଅର୍ଜନ ‌ଆଶା ଥିଲା। ଗତକାଲି ରାଙ୍କ ପ୍ରକାଶ ପାଇଛି। ୧୦୦ରେ ୪୦, ୨୦୦ରେ ୫୦ ଅଛି। ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି। ବିଗତ ୨ ବର୍ଷ ହେଲା ମୁଁ ଭଲ ପ୍ରଦର୍ଶନ କରିଆସିଛି ବୋଲି ଦୂତୀ କହିଛନ୍ତି। ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶା କରୁଛି କହିଲେ ଦୂତୀ। ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଛନ୍ତି । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ନିକଟରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ଦୂତୀ ୧୦୦ ମିଟରକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। କିନ୍ତୁ ଇଣ୍ଟର ଷ୍ଟେଟ୍ ଚାମ୍ପିୟନଶିପରେ ଦୂତୀ ନିରାଶ କରି ଚତୁର୍ଥ ସ୍ଥାନରେ ରହିଥିଲେ । ତେବେ ନିକଟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀ ନାଁ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍ କରିଛନ୍ତି। ସୂଚନା ଅନୁସାରେ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି ।

ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ, ଫାଇନାଲ ମ୍ୟାଚ୍‌ କେବେ ଜାଣନ୍ତୁ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନା ପାଇଁ ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ୍ ଆୟୋଜନ ଭାରତ ବଦଳରେ ୟୁଏଇଇ ଓ ଓମାନରେ ଅନୁଷ୍ଠିତ ହେବ। ବିଶ୍ୱକପ୍ ୟୁଏଇ ଏବଂ ଓମାନରେ ହେବ ବୋଲି ଆଜି ଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆଇସିସିର ଘୋଷଣା ଅନୁଯାୟୀ, ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ ଓ ନଭେମ୍ବର ୧୪ରେ ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। କରୋନାକୁ କାରଣରୁ ଭାରତରେ ବିଶ୍ୱକପର ଆୟୋଜନ ହୋଇପାରିବ ନାହିଁ ବୋଲି ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବିବୃତିରେ କୁହାଯାଇଛି ଯେ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପର ମ୍ୟାଚ୍‌ ଗୁଡ଼ିକ ଖେଳାଯିବାକୁ ଯାଉଥିଲେ ହେଁ ଆୟୋଜନ ଦାୟିତ୍ୱ ପୂର୍ବଭଳି ଭାରତ ହାତରେ ରହିବ। ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିମୟ, ଶେଖ ଜାୟଦ ଷ୍ଟାଡିୟମ, ଶାରଜା ଷ୍ଟାଡିଏମ ଏବଂ ଓମାନ କ୍ରିକେଟ ଏକାଡେମୀରେ ସବୁ ମ୍ୟାଚ୍‌ ଖେଳାଯିବ। ୨୦୧୬ରେ ଶେଷଥର ପାଇଁ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା। ୨୦୨୦ରେ ଏହା ଅଷ୍ଟ୍ରେଲିଆରେ ହେବାର ଥିଲା। କିନ୍ତୁ କରୋନା ଯୋଗୁ ୨୦୨୧ ଓ ୨୦୨୨ ବିଶ୍ୱକପ ‌ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି। ୟୁଏଇରେ ବିଶ୍ୱକପର ମୁଖ୍ୟ ରାଉଣ୍ଡ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ତେବେ ଓମାନରେ ରାଉଣ୍ଡ-୧ର ୮ଟି ଟିମ୍ ମଧ୍ୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରୁ ୪ ଟିମ୍ ସୁପର୍-୧୨ ପାଇଁ କ୍ୱାଲିଫାଏ କରିବେ। ପୂର୍ବରୁ ସୁପର ୧୨ ଖେଳିବାକୁ ୮ଟି ଟିମ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ତାଲିକାରେ ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ୍, ପାପୁଆ ନ୍ୟୁ ଗିନୀ ରହିଛନ୍ତି। ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ। ୧୨ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯିବ। ଏହି ମ୍ୟାଚ୍ ଗୁଡ଼ିକ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଏହା ପରେ ଦୁଇଟି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଆଇସିସି କହିଛି। ଆଇସିସି ଚଳିତ ମାସ ପ୍ରଥମରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ଉପରେ ନିଷ୍ପତ୍ତି ନେବା ପାଇଁ ବିସିସିଆଇକୁ ୨୮ ଦିନ ସମୟ ଦେଇଥିଲା। କିନ୍ତୁ କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ ବିଶ୍ୱକପ୍ ଆୟୋଜନ କରିବା କଷ୍ଟକର ବୋଲି ବିସିସିଆଇ ପକ୍ଷରୁ ଆଇସିସିକୁ ଅବଗତ କରାଯାଇଥିଲା। ଅନ୍ୟପକ୍ଷରେ ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଭିତରେ ୟୁଏଇରେ ଖେଳାଯିବାର ସମ୍ଭାବନା ରହିଛି। ଏହାର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ।

‘ଇଣ୍ଡିଆନ୍ ଆଇଡଲ’ର ଗୁମର ଖୋଲିଲେ ସିଙ୍ଗର ସଲିମ୍‌….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଗତ କିଛି ଦିନ ହେବ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ ସିଜିନ୍‌-୧୨ ବିବାଦ ଘେରରେ ରହିଛି। ଏଠାକୁ ଗେଷ୍ଟମାନଙ୍କୁ ଡାକି ଜୋରଜବରଦସ୍ତ ପ୍ରତିଯୋଗୀମାନଙ୍କ ପ୍ରାଶଂସା କରିବାକୁ କୁହାଯାଉଥିବା ଅଭିଯୋଗ ଉଠିଛି। ଏହି ବିବାଦ ଏବେ ଗୋଟିଏ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ଏବେ ଏହି ଶୋ’କୁ ନେଇ ଗୁମର ଖୋଲିଛନ୍ତି ପୁଣି ଜଣେ ଜଣାଶୁଣା ସିଙ୍ଗର। ପ୍ରସିଦ୍ଧ ସିଙ୍ଗର ତଥା କମ୍ପୋଜର ସଲିମ୍ ମର୍ଚେଣ୍ଟ ଇଣ୍ଡିଆନ୍ ଆଇଡଲ୍ ଶୋ’ର ପୋଲ୍ ଖୋଲ୍ କରିଛନ୍ତି। ପୂର୍ବରୁ ଏହି ଶୋ’ର ଜଜ୍ ରହିସାରିଥିବା ସଲିମ୍ ନିକଟରେ ଏକ ସାକ୍ଷାତକାର୍‌ରେ କହିଛନ୍ତି, ସେ ଯେତେବେଳେ ଏହି ଶୋ’ର ଜଜ୍ କରୁଥିଲେ ସେତେବେଳେ ତାଙ୍କୁ ମଧ୍ୟ ପ୍ରତିଯୋଗୀଙ୍କ ପ୍ରଶଂସା କରିବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେ ଏଭଳି କରିନଥିଲେ। ପ୍ରଶଂସା କରିବାକୁ ସେ ସଫା ସଫା ମନା କରିଦେଇଥିଲେ। ଏଥିଲାଗି ଆଜି ସେ ଏହି ରିଆଲିଟି ଶୋ’ର ବିଚାରକ ସିଟ୍‌ରେ ଆଉ ବସୁ ନାହାନ୍ତି ବୋଲି କହିଛନ୍ତି। ସଲିମ୍ ଆହୁରି କହିଛନ୍ତି, ଏହି ରିଆଲିଟି ଶୋ’କୁ ଜଜ୍ କରିବା ସମୟରେ ଏଭଳି ମୋ ସହ ଅନେକଥର ଘଟିଛି। ଶୋ’ର ନିର୍ଦ୍ଦେଶକ ଦୟାକରି ନେଗେଟିଭ୍ କମେଣ୍ଟ ନଦେବା ପାଇଁ ମୋତେ କହିଥିଲେ। କିନ୍ତୁ ମୁଁ କିଛି ଶୁଣି ନଥିଲି। ବେଶ୍ ସ୍ମାର୍ଟ ଅନ୍ଦାଜରେ ମୁଁ ପ୍ରତିଯୋଗୀଙ୍କ ଭୁଲ୍ ବାହାର କରୁଥିଲି ବୋଲି କହିଛନ୍ତି। ସୂଚନା ମୁତାବକ ଇଣ୍ଡିଆନ୍ ଆଇଡଲ-୧୨ରେ ଦିବଙ୍ଗତ ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ଏପିସୋଡ ପରେ ଏହି ସବୁ ବିବାଦ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଶୋ’କୁ କିଶୋର କୁମାରଙ୍କ ପୁଅ ଅମିତ କୁମାର ସ୍ପେଶାଲ ଗେଷ୍ଟ ରୂପେ ଆସିଥିଲେ। ଶୋ’ ସରିବା ପରେ ମେକର୍ସମାନେ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବାକୁ ଚାପ ପକାଇଥିଲେ ବୋଲି ସେ ହିଁ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା।

୧ ଜୁଲାଇ, ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ମାନସିକ ଅଶାନ୍ତି ଦେଖାଦେବ। ସବୁ କାମରେ ବିଳମ୍ବ ହେବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।

ବୃଷ: ସମ୍ପର୍କୀୟଙ୍କ ସାହାଯ୍ୟ ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇପାରେ। କୋର୍ଟରେ ଥିବା ମାମଲାରେ ଆପଣଙ୍କର ବିଜୟ ହୋଇପାରେ।

ମିଥୁନ: କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ।

କର୍କଟ: ନିଜ ଇଚ୍ଛା ଅନୁସାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ।

ସିଂହ: ମନୋବଳ ଦୃଢ଼ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ନିର୍ମାଣ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

କନ୍ୟା: ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାସ୍ତ ହେବେ।

ତୁଳା: ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ହେବ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ପରିବହନ କ୍ଷେତ୍ରରେ ବିବାଦ ଦେଖା ଦେବ। ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।

ଧନୁ: ଘରେ ଅଶାନ୍ତ ଦେଖାଦେଇପାରେ। ଆଶା କରୁଥିବା ଦିଗରୁ ଶୁଭ ଖବର ଶୁଣିପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ।

ମକର: ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାକୁ ସମର୍ଥ ହେବେ। ଜମିଜମାକୁ ନେଇ ଥିବା ବିବାଦର ସମାଧାନ ହୋଇଯିବ। ଅଫିସ୍‌ରେ ଅଧିକ ଦାୟିତ୍ୱ ମିଳିପାରେ।

କୁମ୍ଭ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ନୂଆ ବ୍ୟବସାୟ କରିବାକୁ ଯୋଜନା କରିପାରନ୍ତି। ସମାଜସେବାରେ ସମୟ ବିତାଇବେ।

ମୀନ: ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ। ପତିପତ୍ନୀଙ୍କ ମଧ୍ୟରେ ମନାନ୍ତର ହୋଇପାରେ।