କେନ୍ଦ୍ରରେ ଗଠନ ହେଲା ନୂଆ ମନ୍ତ୍ରଣାଳୟ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ କେନ୍ଦ୍ର ସରକାର ’ସହଯୋଗ’ ନାଁରେ ଗୋଟିଏ ନୂଆ ମନ୍ତ୍ରଣାଳୟ ଗଠନ କରିଛନ୍ତି। ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ଓ ଏହାକୁ ନୀତିଗତ ଢାଞ୍ଚା ଦେବାକୁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହି ନୂଆ ମନ୍ତ୍ରଣାଳୟର ମନ୍ତ୍ରୀ କିଏ ହେବେ, ସେକଥା ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଜଣାପଡ଼ିବ। କ୍ୟାବନେଟ ସଚିବଙ୍କ ପକ୍ଷରୁ ଜାରି ରିଲିଜ୍‌ରେ କୁହାଯାଇଛି ଯେ ସହଯୋଗରୁ ସମୃଦ୍ଧି ଲକ୍ଷ୍ୟ ହାସଲ କରିବା ପାଇଁ ଏପରି ଏକ ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହା ଏକ ଐତିହାସିକ ପଦକ୍ଷେପ। ଦେଶର ସମବାୟ ଆନ୍ଦୋଳନକୁ ଏହି ମନ୍ତ୍ରଣାଳୟ ପ୍ରଶାସନିକ, ଆଇନଗତ ଓ ନୀତିଗତ ଢାଞ୍ଚା ଯୋଗାଇ ଦେବାରେ ସହାୟତା କରିବା। ତୃଣମୂଳ ସ୍ତରରେ ଲୋକଙ୍କୁ ସମବାୟ ଆନ୍ଦୋଳନ ଜରିଆରେ ସୁବିଧା ଯୋଗାଇ ଦେବାରେ ସହଯୋଗ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଚଳିତ ବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସହଯୋଗ ମନ୍ତ୍ରଣାଳୟ ଗଠନ ହେବ ବୋଲି ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ କେନ୍ଦ୍ର ସରକାର ସହଯୋଗ ମନ୍ତ୍ରଣାଳୟ ଗଠନ କରିଛନ୍ତି।

ଆଜି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ, ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଯାଇଛି। କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଓ କାହାକୁ ବିଦା କରାଯିବ, ତା’ର ନିଷ୍ପତ୍ତି ମଧ୍ୟ ହୋଇ ସାରିଛି। ମନ୍ତ୍ରୀ ପଦ ପାଇବାକୁ ଥିବା ନେତା ଓ ସାଂସଦମାନେ ଦିଲ୍ଲୀ ଆସିବାରେ ଲାଗିଛନ୍ତି। ଏହି ବହୁପ୍ରତିକ୍ଷୀତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଓବିସି, ମହିଳା ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ ମିଳିବ। ନୂଆ ମନ୍ତ୍ରିମଣ୍ଡଳର ହାରାହାରି ବୟସ ହ୍ରାସ କରାଯିବ। ଏହାର ଅର୍ଥ କମ ବୟସ୍କମାନଙ୍କୁ ଅଧିକ ଫୋକସ ଦିଆଯିବ। ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବାକୁ ଥିବାରୁ ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ସେହିପରି ନୂଆ ସଦସ୍ୟମାନେ ସନ୍ଧ୍ୟା ୬ଟାରେ ପଦ ଓ ଗୋପନୀୟତାର ଶପଥ ନେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଗତକାଲି ରାତି ସୁଦ୍ଧା କ୍ୟାବିନେଟ ସଚିବ ରାଷ୍ଟ୍ରପତି ଭବନକୁ କୌଣସି ପ୍ରକାରର ସୂଚନା ଦେଇନାହାନ୍ତି। ତଥାପି ଆଜି ଏହି ପ୍ରକ୍ରିୟାକୁ ଶେଷ କରାଯିବ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯିବ। ତେଣୁ ଉତ୍ତର ପ୍ରଦେଶରୁ ଅଧିକ ସଦସ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ସେହିପରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ମଧ୍ୟ ଫୋକସରେ ରଖାଯାଇଛି। ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରଫେସନାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ସାଂସଦମାନଙ୍କୁ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ପ୍ରଶାସନିକ ସେବାର ଦକ୍ଷତା ରଖିଥିବା ନେତାଙ୍କୁ ମନ୍ତ୍ରୀ ପଦ ମିଳିବ।  ପଛୁଆ ବର୍ଗର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ନିଜର ଭୋଟ ବ୍ୟାଙ୍କକୁ ଆହୁରି ମଜଭୂତ କରିବାକୁ ଚାହୁଁଛି। ଉତ୍ତର ପ୍ରଦେଶ ବ୍ରାହ୍ମଣ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ। ରବିକିଶନ, ଅଜୟ ମିଶ୍ରା ଓ ହରିଶ ଦ୍ୱିବେଦୀ ମନ୍ତ୍ରୀ ପଦ ପାଇବା ରେସ୍‌ରେ ଅଛନ୍ତି। ଅର୍ଜୁନ ମେଘୱାଲ ବର୍ତ୍ତମାନ ସଂସଦୀୟ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି। ତାଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ମନ୍ତ୍ରୀ ପଦ ମିଳିବ। କାରଣ ଏହି ପଦରେ ଥିବା ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକା ରାଜ୍ୟପାଳ ଭାବେ ଗତକାଲି ନିଯୁକ୍ତି ପାଇଛନ୍ତି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କଂଗ୍ରେସରୁ ବିଜେପିକୁ ଆସି ରାଜ୍ୟସଭା ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯିବ। ଏଥିପାଇଁ ଗତକାଲି ଠାରୁ ସେ ଦିଲ୍ଲୀରେ ଡେରା ପକାଇଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ନାରାୟଣ ରାଣେ, ଏଲଜେପିର ପଶୁପତି ପାରସ, ଆପନା ଦଳର ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ବରୁଣ ଗାନ୍ଧି, ଆରସିପି ସିଂହ, ଲଲନ୍ ସିଂହ, ରାହୁଲ୍ କାସୱାନ ଓ ସିପି ଯୋଶୀଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ପଦ ମିଳିବ। ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ ଓ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଦିଲ୍ଲୀରେ ଡେରା ପକାଇଲେଣି ନେତା, ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ପରେ ଗୋଟିଏ ସମ୍ଭାବ୍ୟ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରୀମଣ୍ଡଳ ଅଦଳବଦଳ ଗୁରୁବାର ଅର୍ଥାତ୍ ଜୁଲାଇ ୮ ତାରିଖରେ ହୋଇପାରେ। ତେବେ ଜାତୀୟ ଗଣମାଧ୍ୟମ ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଏଥର ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯାଇପାରେ। ଏନଡିଟିଭି ରିପୋର୍ଟ ଅନୁଯାୟୀ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋୱାଲ ଏବେ ଦିଲ୍ଲୀରେ ଥିବା ବେଳେ ତାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳ ମିଳିବା ଏକପ୍ରକାର ସୁନିଶ୍ଚିତ ଲାଗୁଛି। ସେହିପରି ନାରାୟଣ ରାଣେ, ପଶୁପତି ପାରସ, ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ବରୁଣ ଗାନ୍ଧି, ଆରସିପି ସିଂହ, ଲଲନ୍ ସିଂହ, ରାହୁଲ୍ କାସୱାନ ଓ ସିପି ଯୋଶୀଙ୍କ ଭଳି ନେତା ଏବେ ଦିଲ୍ଲୀରେ ଥିବାରୁ ଏମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯାଇପାରେ। ଅନ୍ୟପକ୍ଷରେ ନାରାୟଣ ରାଣେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ବେଳେ ରାମଶଙ୍କର କାଥେରିଆ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ। ତେଣୁ ଏସବୁ ନେତାଙ୍କର ଦିଲ୍ଲୀ ପହଞ୍ଚିବାର ଅର୍ଥ ହେଉଛି, ଏମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ। ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଶୀର୍ଷ ମନ୍ତ୍ରୀଙ୍କ ସହ ମଙ୍ଗଳବାର ସନ୍ଧ୍ୟାରେ ହେବାକୁଥିବା ବୈଠକୁ ବାତିଲ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏଥର ୮୧ଜଣ ସଦସ୍ୟ ହୋଇପାରନ୍ତି, କିନ୍ତୁ ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ କେବଳ ୫୩ ଜଣ ସଦସ୍ୟ ଅଛନ୍ତି। ଏହାର ଅର୍ଥ ବାକି ୨୮ ଜଣ ସଦସ୍ୟଙ୍କୁ ମନ୍ତୀମଣ୍ଡଳରେ ସାମିଲ୍‌ କରାଯାଇପାରେ।ସୂଚନାଯୋଗ୍ୟ, ୨୦୧୯ରେ କ୍ଷମତାକୁ ଦ୍ୱିତୀୟ ଥର ଆସିବା ପରେ ମୋଦି ସରକାର ପ୍ରଥମଥର ପାଇଁ କ୍ୟାବିନେଟ ଅଦଳବଦଳ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଂପ୍ରସାରଣ ହେବ। କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ବିହାରର ସଦସ୍ୟମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

୮ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ହଠାତ୍‌ ୮ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକାର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି। ଗେହଲଟ ଏବେ ମୋଦି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ କ୍ୟାବିନେଟ ଅଦଳବଦଳ ପୂର୍ବରୁ ତାଙ୍କୁ ରାଜ୍ୟପାଳ କରି ପଠାଯାଇଛି। ସେହିପରି ମିଜୋରାମର ରାଜ୍ୟପାଳ ଭାବେ ହରିଭାଇ କମ୍ଭଂପତି, ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ଛଗନ ଭାଇ ପଟେଲ, ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ହରିଆଣାର ରାଜ୍ୟପାଳ ଭାବେ ବନ୍ଦାରୁ ଦତ୍ତାତ୍ରେୟା, ଗୋଆର ରାଜ୍ୟପାଳ ଭାବେ ପିଏସ ଶ୍ରୀଧରନ ପିଲାଇ, ଝାରଖଣ୍ଡର ରାଜ୍ୟପାଳ ଭାବେ ରମେଶ ବୈଶ ଓ ତ୍ରିପୁରାର ରାଜ୍ୟପାଳ ଭାବେ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ନିଯୁକ୍ତି। ବନ୍ଦାରୁ ଦତ୍ତାତ୍ରେୟା ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱରେ ରହିଥିଲେ। କିନ୍ତୁ ତାଙ୍କୁ ଏବେ ହରିଆଣାର ରାଜ୍ୟପାଳ ଦାୟିତ୍ୱ ମିଳିଛି। ହରିଆଣା ରାଜ୍ୟପାଳ ଭାବେ କାମ କରୁଥିବା ସତ୍ୟଦେବଙ୍କୁ ତ୍ରିପୁରା ରାଜ୍ୟପାଳ କରାଯାଇଥିବା ବେଳେ ତ୍ରିପୁରା ରାଜ୍ୟପାଳ ଭାବେ କାମ କରୁଥିବା ରମେଶ ବୈଶଙ୍କୁ ଝାରଖଣ୍ଡ ରାଜ୍ୟପାଳ କରାଯାଇଛି। ମିଜୋରାମ ରାଜ୍ୟପାଳ ଭାବେ କାମ କରୁଥିବା ପିଏସ୍‌ ଶ୍ରୀଧରନ ପିଲାଇଙ୍କୁ ଗୋଆ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଗୋଆ ରାଜ୍ୟପାଳ ସହ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଭଗତ ସିଂହ କୋଶିୟାରୀ କାମ କରୁଥିଲେ। ଏବେ ସେ କେବଳ ମହାରାଷ୍ଟ୍ର ଦାୟିତ୍ୱରେ ରହିବେ। ଆନନ୍ଦିବେନ ପଟେଲ ଉଭୟ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ଦାୟିତ୍ୱ ଦେଇଛନ୍ତି। ତେଣୁ ଆନନ୍ଦିବେନ ପଟେଲ କେବଳ ଉତ୍ତର ପ୍ରଦେଶ ଦାୟିତ୍ୱରେ ରହିବେ। କର୍ଣ୍ଣାଟକା ରାଜ୍ୟପାଳ ଭାବେ ବଜୁଭାଇ ଭାଲା ୨୦୧୪ରୁ କାର୍ଯ୍ୟ କରୁଥିଲେ। ଏବେ ତାଙ୍କ ସ୍ଥାନରେ ଥୱରଚାନ୍ଦ ଗେହଲଟ ଦାୟିତ୍ୱ ନେବେ। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୂଆ ଅବକାରୀ ନୀତି: ରାଜଧାନୀରେ ରାତି ୩ଟା ଯାଏ ମିଳିବ ମଦ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ରାଜସ୍ୱ ବୃଦ୍ଧି ସହ ମଦ ମାଫିଆଙ୍କୁ ସାବାଡ କରିବା ପାଇଁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ନୂଆ ନୀତିରେ ଗ୍ରାହକଙ୍କୁ ଦୋକାନକୁ ଆସି ମଦ କିଣିବାର ବ୍ୟବସ୍ଥା କରାଯିବା ସହ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ଲୋକ ବୁଲିବାକୁ ଆସୁଥିବା ସହର ମଧ୍ୟରେ ୨୮ତମ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସବୁଠାରୁ ଅଧିକ ବିଦେଶୀ ନାଗରିକ ମଧ୍ୟ ଆସିଥାଆନ୍ତି। ଏବେ ରାଜସ୍ୱ ବୃଦ୍ଧି କରିବାକୁ ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଛି। ନୂଆ ନୀତିରେ ମଦର ହୋମ ଡେଲିଭରୀକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ। ଅବକାରୀ ନିୟମର ଏହା ଏକ ଅଂଶ ବିଶେଷ ହୋଇଥିଲେ ହେଁ ଲୋକଙ୍କୁ ଦୋକାନରୁ ମଦ କିଣିବାର ବ୍ୟବସ୍ଥା ସରକାର ଅଧିକ କରିଛନ୍ତି। ସେହିପରି ମଦ ପିଇବାର ଆଇନଗତ ବୟସ ୨୫ରୁ ୨୧କୁ ହ୍ରାସ କରାଯାଇଛି। ସରକାର ଆଉ କୌଣସି ମଦ ଦୋକାନ ଚଳାଇବେ ନାହିଁ। ଜାତୀୟ ରାଜଧାନୀରେ ମଦ ଦୋକାନଗୁଡ଼ିକର ଘରୋଇ କରଣ ହୋଇଯିବା ପାଇଁ ଏଥିରେ ବ୍ୟବସ୍ଥା ହୋଇଛି। ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ। ଗ୍ରାହକମାନେ ନିଜ ଇଚ୍ଛାରେ ବ୍ରାଣ୍ଡ ଚୟନ କରିବା ସହ ଏହାକୁ କିଣି ପାରିବେ। ପୂରା ଆର୍ଥିକ କାରବାର ଉକ୍ତ ଦୋକାନ ମଧ୍ୟରେ ହିଁ ହେବ। ଏହି ରିଟେଲ ଦୋକାନ ଗୁଡ଼ିକରେ ଏସି ଲାଗିବା ବାଧ୍ୟତାମୂଳକ। ସେହିପରି ଏଠାରେ କାଚର ଦ୍ୱାର ଲାଗିବ। ଦୋକାନ ବାହାରେ କୌଣସି ଗ୍ରାହକ ଭିଡ଼ କରିବେ ନାହିଁ। କାଉଣ୍ଟରରୁ ହିଁ ସମସ୍ତେ ମଦ କିଣିବେ। ସବୁ ଦୋକାନର ଭିତରେ ଓ ବାହାରେ ସିସିଟିଭ ଲାଗିବ। ଏଥିରେ ଗୋଟିଏ ମାସ ଯାଏ ରେକର୍ଡିଂ ରହିବାର ସୁବିଧା ଉପଲବ୍ଧ ହେବ। ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି। ଦୋକାନ ବାହାରେ କିମ୍ବା ଭିତରେ କୌଣସି ହଙ୍ଗାମା ହେଲେ କିମ୍ବା ପାଖପଡ଼ୋଶୀମାନେ ସରକାରଙ୍କ ନିକଟରେ ସମସ୍ୟା ନେଇ ଅଭିଯୋଗ କଲେ, ଉକ୍ତ ମଦ ଦୋକାନର ଲାଇସେନ୍ସକୁ ବାତିଲ କରିଦିଆଯିବ। ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିପାଲ ବୋର୍ଡ ଅଛି। ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏ ମଦ ଦୋକାନ ଖୋଲିବ। ନୂଆ ଦିଲ୍ଲୀ ଓ କେଣ୍ଟ ବିଧାନସଭାରେ ମୋଟ ୨୯ଟି ଦୋକାନ ଓ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଏ ଏୟାରପୋର୍ଟରେ ୧୦ଟି ମଦ ଦୋକାନ ଖୋଲିବ। ନୂଆ ଅବକାରୀ ନୀତି ଅନୁଯାୟୀ, ଦିଲ୍ଲୀବାସୀ ଯେ କୌଣସି ବିୟର ଉତ୍ପାଦନ ସଂସ୍ଥାରୁ ନିଜର ବୋତଲ ପୂର୍ଣ୍ଣ କରି ଘରକୁ ନେଇପାରିବେ। ସେହିପରି ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ମଧ୍ୟ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ। ରାତି ୩ଟା ଯାଏ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର ଗୁଡ଼ିକ ଖୋଲା ରହିବ। ଏଗୁଡ଼ିକରେ ଲୋକଙ୍କୁ ମଦ ସେବା ଯୋଗାଇ ଦିଆଯିବ। ଏହି ସଂସ୍ଥାଗୁଡ଼ିକ ଖୋଲା ସ୍ଥାନ ଯଥା ଛାତ କିମ୍ବା ବାଲକୋନୀରେ ଲୋକଙ୍କୁ ମଦ ଦେଇପାରିବେ।

କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା: ମନ୍ତ୍ରୀମାନଙ୍କ ସହ ବୈଠକ ବାତିଲ କଲେ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ ଗଠନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି। ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟଙ୍କ ନାଁ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏହାକୁ ଫାଇନାଲ ଟଚ୍‌ ଦେବାକୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଥିଲା। ହେଲେ ଏହାକୁ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ମୋଦି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରିବାର ଥିଲା। ସେହିପରି ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥାଆନ୍ତେ। ହେଲେ ହଠାତ ଏହାକୁ କାହିଁକି ବାତିଲ କରାଗଲା, ସେକଥା ଜଣାପଡ଼ିନି। ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ପୀୟୂଷ ଗୋଏଲ ଓ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଆଜି ସନ୍ଧ୍ୟା ୫ଟାରେ ହେବାକୁ ଥିବା ବୈଠକରେ ଯୋଗଦେଇ ଥାଆନ୍ତେ। ସମସ୍ତେ ମିଳିତ ଭାବେ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ସମୀକ୍ଷା କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହୋଇଥାଆନ୍ତା। ମନ୍ତ୍ରୀ ହେବାକୁ ଥିବା ସଦସ୍ୟଙ୍କ ନାଁ ଉପରେ ମୋହର ମାରିବା ଓ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଘୋଷଣା ସମ୍ପର୍କରେ ଆଲୋଚନା କରିବା ଏହି ବୈଠକର ଏଜେଣ୍ଡାରେ ରହିଥିଲା। ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହି ରଣନୀତି ସମ୍ପର୍କରେ ସୂଚନା ଦେଇଥାଆନ୍ତେ। ଜୁନ୍‌ ୨୦ରେ ମୋଦି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଦୁଇ ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଯାଞ୍ଚ କରିଥିଲେ। ଏହି ସମୀକ୍ଷା ଆଧାରରେ ହିଁ ମୋଦିଙ୍କ ନୂଆ କ୍ୟାବିନେଟରେ ସଦସ୍ୟମାନଙ୍କୁ ସୁଯୋଗ ମିଳିବ। ବର୍ତ୍ତମାନ ୮୧ ଜଣିଆ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କେବଳ ୫୩ ଜଣ ସଦସ୍ୟ ରହିଛନ୍ତି। ତେଣୁ ୨୮ ଜଣ ନୂଆ ମୁହଁ ଏଥିରେ ସାମିଲ ହୋଇପାରିବେ। ଏକାଧିକ ମନ୍ତ୍ରୀ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ଠାରୁ ଏଗୁଡ଼ିକୁ ଅଣାଯାଇ ନୂଆ ସଦସ୍ୟମାନଙ୍କୁ ଦିଆଯିବ। ୨୦୧୯ରେ କ୍ଷମତାକୁ ଦ୍ୱିତୀୟ ଥର ଆସିବା ପରେ ମୋଦି ସରକାର ପ୍ରଥମଥର ପାଇଁ କ୍ୟାବିନେଟ ଅଦଳବଦଳ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଂପ୍ରସାରଣ ହେବ। କଂଗ୍ରେସରୁ ଆମଦାନୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ବିହାରର ସଦସ୍ୟମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ପୁଣି ବିଜେପି ସହ ମେଣ୍ଟ କରିବ କି ଶିବସେନା? ଜବାବ ଦେଲେ ଉଦ୍ଧବ ଠାକରେ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି। ନିକଟରେ ଖବର ମିଳିଥିଲା ଯେ ଶିବସେନାର ସାଂସଦ ସଞ୍ଜୟ ରାଉତ ଓ ବିଜେପିର ବିଧାୟକ ଆଶିଷ ଶେଲାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି। ଏହା ପୂର୍ବରୁ ମଧ୍ୟ କ୍ଷମତାସୀନ ଶିବସେନା ଓ ବିରୋଧୀ ଦଳ ବିଜେପିର କିଛି ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ପରେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବା ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏବେ ଏହାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ ଠାକରେ ଏଭଳି ସମ୍ଭାବନାକୁ ଖାରଜ କରିଛନ୍ତି। ସେ କହିଛନ୍ତି, ମୁଁ ଏବେବି ଅଜିତ୍ ପାୱାର ଓ ବାଲାସାହେବ ଥୋରାଟଙ୍କ ସହ ବସିଛି। ମୁଁ କୁଆଡ଼େ ଯାଉନାହିଁ। ଶିବସେନା ଓ ବିଜେପି ପୁଣିଥରେ ଏକାଠି ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ଜବାବ ଦେଇଛନ୍ତି। ସିଏମ ଉଦ୍ଧବ ଠାକରେ କହିଛନ୍ତି, ଆମ ଉପରେ ଗଣତନ୍ତ୍ରର ହତ୍ୟା ଅଭିଯୋଗ ଲଗାଯାଉଛି। ଏହାକୁ କଳାଦିବସ କୁହାଯାଉଛି, କିନ୍ତୁ କେନ୍ଦ୍ର କ’ଣ ଗଣତନ୍ତ୍ରକୁ ଧଳା କରୁଛି। କେନ୍ଦ୍ର ଆମ ଉପରେ ଚାପ ପକାଇବା ପ୍ରୟାସରେ ତଦନ୍ତକାରୀ ସଂସ୍ଥାର ବ୍ୟବହାର କରୁଛି। ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ମହା ଅଘାଡ଼ି ସରକାରରେ ସବୁକିଛି ଭଲ ଚାଲିନାହିଁ। ପ୍ରଥମେ କଂଗ୍ରେସ ମୁଖ୍ୟ କହିଥିଲେ ଯେ ଆଗକୁ ତାଙ୍କ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ। ଏହା ପରେ ରବିବାର ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ ‘ଶିବସେନା ଓ ବିଜେପି ଶତ୍ରୁ ନୁହନ୍ତି। ଶିବସେନା ସହ କୌଣସି ଶତୃତା ନାହିଁ। ଆମ ଭିତରେ ବିଚାରକୁ ନେଇ ମତଭେଦ ହୋଇଛି। ରାଜନୀତିରେ କିନ୍ତୁ-ପରନ୍ତୁର କୌଣସି ମତଲବ ନାହିଁ। ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଇଥାଏ।’ ଫଡନାଭିସଙ୍କ ଏହି ମନ୍ତବ୍ୟ ପରେ ଦୁଇ ପୁରୁଣା ସହଯୋଗୀ ପାର୍ଟି ପୁଣିଥରେ ଏକାଠି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ତିନି ବର୍ଷ ପରେ ମିତାଲୀ ରାଜ ନମ୍ବର-୧…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ରାଜ ଇଂଲଣ୍ଡ ବିପକ୍ଷ ଦମଦାର ପ୍ରଦର୍ଶନ ବଳରେ ତିନି ବର୍ଷରୁ ଅଧିକ ସମୟ ପରେ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରତ ଇଂଲଣ୍ଡ ନିକଟରୁ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ରେ ପରାସ୍ତ ହୋଇଥିଲା। କିନ୍ତୁ ୩୮ ବର୍ଷୀୟ ମିତାଲୀ ତିନୋଟି ଯାକ ମୁକାବିଲାରେ ଅର୍ଦ୍ଧଶତକ ମାରି ସିରିଜର ଟପ୍ ସ୍କୋରର ହୋଇଛନ୍ତି। ମିତାଲୀ ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ ୭୨ ଓ ୫୯ ରନର ଇନିଂସ୍ ଖେଳିଥିବା ବେଳେ ତୃତୀୟ ତଥା ଅନ୍ତିମ ମୁକାବିଲାରେ ତାଙ୍କର ଅପରାଜିତ ୭୫ ରନର ଇନିଂସ୍ ବଳରେ ଭାରତ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ମିତାଲୀ ଶେଷଥର ଲାଗି ୨୦୧୮ରେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ମିତାଲୀ ପ୍ରଥମଥର ୨୦୦୫ରେ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ। ସେତେବେଳେ ସେ ପୋଚେଫଷ୍ଟ୍ରୁମରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅପରାଜିତ ୯୧ ରନ୍ କରିଥିଲେ। ପ୍ରଥମଥର ଏବଂ ଶେଷଥର ରାଙ୍କିଙ୍ଗରେ ଶେଷଥର ରାଙ୍କିଙ୍ଗରେ ଶୀର୍ଷରେ ରହିବା ମଧ୍ୟରେ ୧୬ ବର୍ଷର ବ୍ୟବଧାନ କୌଣସି ମହିଳା ବ୍ୟାଟ୍ସମ୍ୟାନଙ୍କ ପାଇଁ ସବୁଠାରୁ ଅଧିକ।ଇଂଲଣ୍ଡର ଜେନେଟ୍ ବ୍ରିଟନ୍ ୧୯୮୪ରେ ପ୍ରଥମଥର ଏବଂ ୧୯୯୫ରେ ଶେଷଥର ନମ୍ବର-୧ ହୋଇଥିଲେ। ସେହିପରି ନ୍ୟୁଜିଲ୍ୟାଣ୍ଡର ଡେବି ହକଲେ ମଧ୍ୟ ୧୦ ବର୍ଷର ବ୍ୟବଧାନରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ହକଲରେ ୧୯୮୭ରେ ପ୍ରଥମଥର ଓ ୧୯୯୭ରେ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଦଖଲ କରିଥିଲେ। ଭାରତୀୟ ମହିଳା ଟିମର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ଶେଷ ଦୁଇଟି ଦିନିକିଆରେ ଯଥାକ୍ରମେ ୪୪ ଓ ୧୯ ରନର ଇନିଂସ୍ ଖେଳିଥିଲେ, ଯାହା ଦମରେ ସେ ୪୯ଟି ସ୍ଥାନ ଉପରକୁ ଉଠି ୭୧ତମ ସ୍ଥାନରେ ପହଞ୍ଚିଛନ୍ତି। ଅଭିଜ୍ଞ ପେସ୍ ବୋଲର ଝୁଲନ୍ ଗୋସ୍ୱାମୀ ବ୍ୟାଟିଂରେ ଚାରୋଟି ସ୍ଥାନ ଉଠି ୫୩ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରଙ୍କ ତାଲିକାରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉଠି ଦ୍ୱାଦଶରେ ପହଞ୍ଚିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଟପ୍-୧୦ରେ ଭାରତର ଦୁଇ ବୋଲର ସ୍ଥାନ ପାଇଛନ୍ତି। ଝୁଲଣ ପଞ୍ଚମ ଓ ପୁନମ ଯାଦବ ନବମ ସ୍ଥାନରେ ରହିଛନ୍ତି।

ଅଲିମ୍ପିକ୍ସ ପାଇଁ ୨୬ ଜଣ ଆଥଲେଟଙ୍କ ନାଁ ଘୋଷଣା, ଓଡ଼ିଶାରୁ ଦୂତୀ ଚାନ୍ଦ ବି ସାମିଲ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚଳିତ ମାସର ଶେଷ ଭାଗରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ ଫେଡରେସନ ଅଫ ଇଣ୍ଡିଆ (ଏଏଫଆଇ) ୨୬ ଜଣିଆ ଖେଳାଳିଙ୍କ ନାଁ ଘୋଷଣା କରିଛି। ୨୬ ଜଣଙ୍କ ମଧ୍ୟରେ ଓଡ଼ିଶାର ସ୍ପ୍ରିଟନର ଦୂତୀ ଚାନ୍ଦ ମଧ୍ୟ ରହିଛନ୍ତି। ଏଏଫଆଇ ଘୋଷଣା କରିଥିବା ୨୬ ଜଣ ଆଲେଟଙ୍କ ମଧ୍ୟରୁ ୧୨ ଜଣ ଖେଳାଳି ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସିଧାସଳଖ ଏଣ୍ଟ୍ରି କରିଛନ୍ତି। ଦୌଡ଼ରାଣୀ ଦୂତୀ ଚାନ୍ଦ(ମହିଳା ୧୦୦ ମିଟିର ଓ ୨୦୦ ମିଟର), ଏମସି ଜାବିର(ପୁରୁଷ ୪୦୦ ମିଟିର ହର୍ଡଲ୍ସ), ଗୁରୁପ୍ରୀତ ସିଂହ(ପୁରୁଷ ୫୦ କିମି ରେସ ୱାଲ୍କ) ଓ ଅନୁ ରାଣୀ(ମହିଳା ଜାଭେଲିନ ଥ୍ରୋ) ବିଶ୍ୱ ରାଙ୍କିଙ୍ଗ ଅନୁସାରେ ଟୋକିଓ ଟିକେଟ ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ ଏକମାତ୍ର ଖେଳାଳି ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ଇଭେଣ୍ଟରେ ପଦକ ପାଇଁ ଲଢ଼େଇ କରିବେ। ଆଉ ସମସ୍ତେ ଗୋଟିଏ ଲେଖାଏ ଇଭେଣ୍ଟରେ ଭାଗ ନେବେ। ମୁଖ୍ୟ ଜାତୀୟ କୋଚ୍‌ ପି ରାଧାକ୍ରିଷ୍ଣନ କହିଛନ୍ତି, “ଆମର ବିଶ୍ୱାସ ଅଛି ଯେ ଆମ ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବେ। ଏଥିସହ ପଦକ ଜିତି ଭାରତ ଫେରିବେ।” ତାମିଲନାଡୁ ରନର ରେବତା ଭି, ଶୁଭ ଭି ଓ ଧନଲକ୍ଷ୍ମୀ ଏସ୍‌ଙ୍କୁ ସେମାନଙ୍କ ଟ୍ରାଏଲ ପ୍ରଦର୍ଶନ ଆଧାରରେ ମହିଳା ମକ୍ସିଡ ରିଲେ ଟିମ୍‌ ପାଇଁ ଚୟନ କରାଯାଇଛି। ପୁରୁଷ ରିଲେ ଟିମରେ ନାଗାନାଥନ ପଣ୍ଡି, ସାର୍ଥକ ଭାମ୍ୱ୍ରୀ ଓ ଆଲେକ୍ସ ଆନ୍ଥୋନୀ ରହିଛନ୍ତି। ସୂଚନାଯୋଗ୍ୟ, ମହାମାରୀ କରୋନା କଟକଣା ମଧ୍ୟରେ ଜୁଲାଇ ୩୧ରୁ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୯ ଯାଏ ଚାଲିବ।

ଟୋକିଓ ପାଇଁ ଭାରତୀୟ ଦଳ

ପୁରୁଷ: ଅବିନାଶ ସାବଲେ(୩୦୦୦ ମିଟିର ଷ୍ଟିପଲଚେସ୍‌), ଏମପି ଜାବିର(୪୦୦ ମିଟର ହର୍ଡଲ୍ସ), ଏମ ଶ୍ରୀଶଙ୍କର(ଲଙ୍ଗ ଜମ୍ପ), ତଜିନ୍ଦରପାଲ ସିଂହ ତୁର(ଶଟପୁଟ), ନୀରଜ ଚୋପ୍ରା(ଜାଭେଲିନ), ଶିବପାଲ ସିଂହ(ଜାଭେଲିନ), କେଟି ଇରଫାନ, ସନ୍ଦୀପ କୁମାର ଓ ରାହୁଲ ରୋହିଲ୍ଲା(୨୦ କିମି ରେସ୍‌ ୱାଲ୍‌କ), ଗୁରପ୍ରୀତ ସିଂହ (୫୦ କିମି ରେସ୍‌ ୱାଲକ), ୪ଗୁଣା ୪୦୦ ମିଟର ରିଲେରେ ଅମୋଜ ଜ୍ୟାକବ, ଅରୋକିଆ ରାଜୀବ, ମହମ୍ମଦ ଆନସ, ନୋହ ନିର୍ମଳ ଟୋମ, ୪ ଗୁଣା ୪୦୦ ମିଟର ମିକ୍ସଡ ରିଲେରେ ନାଗାନାଥନ ପାଣ୍ଡି, ସାର୍ଥକ ଭାମ୍ବ୍ରୀ ଓ ଆଲେକ୍ସ ଆନ୍ଥୋନୀ।

ମହିଳା: ଦୂତୀ ଚାନ୍ଦ(୧୦୦ ମିଟର ଓ ୨୦୦ ମିଟର), କମଲପ୍ରୀତ କୌର ଓ ସୀମା ପୁନିଆ(ଡିସକସ୍‌), ଅନୁ ରାଣୀ (ଜାଭେଲିନ ଥ୍ରୋ), ଭାବନା ଜାଠ ଓ ପ୍ରିୟଙ୍କା ଗୋସ୍ୱାମୀ(୨୦ କିମି ରେସ୍‌ ୱାଲ୍‌କ), ରେବତା ଭି, ଶୁଭ ଭି ଓ ଧନଲକ୍ଷ୍ମୀ ଶେଖର ୪ ଗୁଣା ୪୦୦ ମିଟର ମହିଳା ମକ୍ସିଡ ରିଲେ ଟିମରେ ଅଛନ୍ତି।

୭ ଜୁଲାଇ, ବୁଧବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ପୁରାତନ ରୋଗର ଉପଶମ ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହୋଇ ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ।

ମିଥୁନ: ଅସୁସ୍ଥତା ଅନୁଭବ କରିବେ। ଭାଇମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

କର୍କଟ: କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର ହେବ। ଗୁରୁଜନ ଓ ବୃଦ୍ଧଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ଛାତ୍ର-ଛାତ୍ରୀମାନେ ପାଠ ପଢାରେ ମନଯୋଗ ଦେବେ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା: ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରିବେ। ଖେଳ, କୁଦ, ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:  ବ୍ୟବସାୟରେ ଧନ ବୃଦ୍ଧି  ହେବ। ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ ପାଇଁ ବନ୍ଧୁ ସହଯୋଗର ହାତ ବଢାଇବେ। ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗିପାରେ। ପ୍ରତିକାର- ମା’ଙ୍କୁ ପ୍ରଣାମ କରନ୍ତୁ।

ବିଛା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା କର୍ମଚାରୀଙ୍କ ମାନସମ୍ମାନ ପ୍ରାପ୍ତି ହେବ। ଭାବୁଥିବା କଥା ଅଚାନକ ପୂରଣ ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ଧନୁ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ଓ ବ୍ୟବସାୟରେ ଅର୍ଥ ଅଭାବ ଦେଖାଦେବ। ସ୍ୱାମୀ-ସ୍ତ୍ରୀ’ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପ୍ରତିକାର- ନମଃ ଶିବାୟ, ମନ୍ତ୍ର ଜପ କରନ୍ତୁ।

ମକର: ପିଲାଙ୍କ ସହିତ ବାପା ମା’ଙ୍କର ବଚସା ହେବାର ସମ୍ଭାବନା ରହିଛି। ସେଥିପାଇଁ ଜଗିରଖି ଚଳିବାକୁ ପଡିବ। ଯାନବାହାନ ଚଳାଇଲା ବେଳେ ଜଗିରଖି  ଯାଆନ୍ତୁ। ଭାତୃବିବାଦଠାରୁ ଦୂରେଇ ରୁହନ୍ତୁ। ବକେୟା ଅର୍ଥ ପ୍ରାପ୍ତି ହେବ। ପ୍ରତିକାର- ପାଖରେ ହଳଦୀ ରଖନ୍ତୁ।

କୁମ୍ଭ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ସୁସ୍ୱାଦୁ ଭୋଜନ କରିବେ। ପ୍ରାଭଭେଟ୍ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କର ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର- କୁଆ , ପାରାଙ୍କୁ ଖାଦ୍ୟ ଦିଅନ୍ତୁ l

ମୀନ:  କର୍ମକ୍ଷେତ୍ରରେ ଉନ୍ନତି କରିବେ ଏବଂ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ସଫଳତା ପାଇବେ। ନୂଆ ଘର ତୋଳିବା ପାଇଁ ବନ୍ଧୁଙ୍କଠାରୁ ଋଣ  ଆଣିବେ।