ଅଗଷ୍ଟ ୧୫ ପୂର୍ବରୁ ଚେତାବନୀ, ମନ୍ତ୍ରୀ କରିପାରିବେନି ପତାକା ଉତ୍ତୋଳନ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନକାରୀ ଚାଷୀ ସରକାର ଏବଂ ବିଜେପି ନେତାଙ୍କୁ ଚେତବନୀ ଦେଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଜାନୁଆରୀ ୨୬ ଭଳି ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଥିବା ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ଏମିତିକି ମନ୍ତ୍ରୀ, ବିଜେପି ନେତାଙ୍କୁ ପତାକା ଉଡାଇବାକୁ ଦିଆଯିବନି ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ। ଆନ୍ଦୋଳନାକାରୀ ଚାଷୀ ହରିଆଣାରେ ଅଗଷ୍ଟ ୧୫ରେ ଏକାଠି ହୋଇ ଜାନୁଆରୀ ୨୬ ଭଳି ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଥିବା ସୂଚନା ରହିଛି। ଏହି ଅବସରରେ ବିଜେପି ନେତାଙ୍କୁ କଳା ପତାକା ଦେଖାଇବାକୁ ଯୋଜନା ହୋଇଥିବା ଗୁରପ୍ରିତ ଛିନ୍ନା ନାମକ ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ବିଜେପି ନେତାଙ୍କୁ ବିରୋଧ କରିବାକୁ ଯାଇ ଗୁରପ୍ରୀତ କହିଛନ୍ତି ବିଜେପି ନେତା ଜାତୀୟ ପତାକା ଧରିବାକୁ ଯୋଗ୍ୟ ନୁହେଁ। ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଦିଲ୍ଲୀରେ ଏହି ଆନ୍ଦୋଳନକାରୀ ଚାଷୀ ପୁଲିସର ଅନୁମତି କ୍ରମେ ଟ୍ରାକ୍ଟର ରାଲି ଆୟୋଜନ କରିଥିଲେ। ହେଲେ ସମସ୍ତ ନିୟମ ଭାଙ୍ଗି ଟ୍ରାକ୍ଟର ରାଲି କରିଥିଲେ ଏହି ଆନ୍ଦୋଳନକାରୀ ଚାଷୀ। ଅନେକ ପୁଲିସ ଟ୍ରାକ୍ଟରକୁ ଅଟକାଇବାକୁ ଯାଇ ହିଂସାର ଶିକାର ହୋଇଥିଲେ। ଏହି ହିଂସା ବେଳେ ଆନ୍ଦୋଳନକାରୀ ଚାଷୀ ଖଣ୍ଡା ବୁଲାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଟ୍ରାକ୍ଟରରେ ଷ୍ଟଣ୍ଟ କରୁଥିବା ବେଳେ ଜଣେ ଆନ୍ଦୋଳନାକାରୀ ଚାଷୀ ଯିଏକି ନିକଟରେ କାନାଡାରୁ ଆସିଥିଲେ ତାଙ୍କର ମୃତ୍ୟୁ ଘଟିଥିଲା। ଆନ୍ଦୋଳନକାରୀ ଲାଲିକଲ୍ଲା ଉପରେ ଉଠି ଶିଖ ପତାକା ଲଗାଇ ଥିଲେ। ଦିଲ୍ଲୀ ପୁଲିସ ଏହି ମାମଲାରେ ତଦନ୍ତ କରି ଚାର୍ଜଶିଟ୍ ଦାଖଲ କରିଛି। ଏବେ ସସଦର ମୌସୁମୀ ଅଧିବେଶନ ଚାଲିଛି। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀର ଯନ୍ତରମନ୍ତରରେ ‘କିଷାନ ସଂସଦ’  କରୁଛନ୍ତି। ଜାନୁଆରୀ ୨୬ ବେଳେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ଘଟଣାର ଯେମିତି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ପୁଲିସ୍‌ ପକ୍ଷରୁ କରାଯାଇଛି। ଚାଷୀମାନେ ଦିଲ୍ଲୀର ସିଙ୍ଘୁ ସୀମାରୁ ଦୈନିକ ୨୦୦ ଜଣ ସଂସଦ ଅଭିମୁଖେ ଆସି ନକଲି କିଷାନ ସଂସଦରେ ସାମିଲ ହେଉଛନ୍ତି। ଏହା ଅଗଷ୍ଟ ୧୩ ଯାଏ ଚାଲିବ।

ମୋବାଇଲ ନମ୍ୱର ଭଳି ବଦଳ କରି ହେବ ବିଦ୍ୟୁତ୍ ସେବା ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମୋବାଇଲ ନମ୍ୱର ବଦଳାଇବା ପାଇଁ ଯେମିତି ପୋର୍ଟିଂ ସୁବିଧା ରହିଛି ସମାନ ସୁବିଧା ଏବେ ବିଦ୍ୟୁତ ଗ୍ରାହକ ମାନେ ପାଇବେ। କେନ୍ଦ୍ରର ମୋଦି ସରକାର ବିଦ୍ୟୁତ ସେବାକୁ ସହଜ ଓ ସରଳ କରିବାକୁ ଯାଇ ଚଳିତ ମୌସୁମୀ ଅଧିବେଶନରେ ବିଦ୍ୟୁତ (ସଂଶୋଧନ) ବିଲ୍,  ୨୦୨୧ ଆଣିବାକୁ ଯାଉଛନ୍ତି। ଏଭଳି ହେଲେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ମିଳିବ। କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢିବ କିଭଳି ଲୋକଙ୍କୁ କମ୍ ଦାମରେ ଭଲ ସୁବିଧା ଯୋଗାଇପାରିବେ। ସରକାରୀ ସୂତ୍ରରୁ ଜଣାପଡିଛି ଯେ ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୧ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଆଗରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍ ଆଣିବାକୁ ସରକାର ଚାହୁଁଛନ୍ତି। ଅଗଷ୍ଟ ୧୩, ୨୦୨୧ରେ ମୌସୁମୀ ଅଧିବେଶନ ଶେଷ ହେବ। ଏହା ପୂର୍ବରୁ ଜୁଲାଇ ୧୨ରେ ସରକାର ଜାରି କରିଥିବା ଲୋକସଭାର ବୁଲେଟିନ୍ ଅନୁଯାୟୀ, ବିଦ୍ୟୁତ୍ (ସଂଶୋଧନ) ବିଲ୍ ସମେତ ୧୭ ଟି ବିଲ୍ ରହିଛି। ଯାହାକୁ ସରକାର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ଏଭଳି ସଂଶୋଧିତ ବିଦ୍ୟୁତ୍ ବିଲ୍ ଆଗତ ହେଲେ ଡିଷ୍ଟ୍ରିବ୍ୟୁସନ ବ୍ୟବସାୟରୁ ଲାଇସେନ୍ସ ରାଜ ହଟିବ ଏବଂ କମ୍ପାନୀ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହେବ। ଏହା ସହିତ Appellate Tribunal for Electricity (APTEL) ଏବଂ Renewal Energy Obligation (RPO)କୁ ମଜବୁତ କରାଯିବ। ସୂଚନାଯୋଗ୍ୟ, ଜୁଲାଇରେ ଶକ୍ତି ଏବଂ ନବୀକରଣ ମନ୍ତ୍ରୀ ଆର.କେ ସିଂ କହିଥିଲେ ଯେ ଏହି ବିଲ୍ ବିଦ୍ୟୁତ୍ ବଣ୍ଟନରୁ ଲାଇସେନ୍ସ ରାଜ ଶେଷ କରିବାକୁ ଚାହୁଁଛି। ବିଦ୍ୟୁତ୍ ଉତ୍ପାଦନ ପରି ବିଦ୍ୟୁତ୍ ବିତରଣକୁ ଲାଇସେନ୍ସ  ରାଜ ମୁକ୍ତ କରିବାକୁ ଆମେ ପ୍ରସ୍ତାବ ଦେଇଥିଲୁ। ଏହି ବିଲକୁ ସମସ୍ତ ମନ୍ତ୍ରାଳୟ ଅନୁମୋଦନ ଦେଇଛି କିନ୍ତୁ ଆଇନ ମନ୍ତ୍ରଣାଳୟ ପାଖରେ ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନ ରହିଛି।

ଦିଲ୍ଲୀ ଦଖଲ ପାଇଁ ହାତ ମିଳାଇଲେ ଟିଏମସି ଏବଂ କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲକ୍ଷ୍ୟ ଦିଲ୍ଲୀ। ତେଣୁ ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତରେ ଆସିବେ। ଯଦିଓ ମମତା ବାନାର୍ଜୀ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ କିନ୍ତୁ ରୋଚକ କଥା ହେଉଛି ମୋଦିଙ୍କୁ ଭେଟିବା ପରେ ପରେ ଦିଦି ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବେ। ଯେଉଁଥିପାଇଁ ସେ ନିମନ୍ତ୍ରଣ ମଧ୍ୟ ପଠାଇଛନ୍ତି। ଏଥିପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିବା କୁହାଯାଉଛି। ଏହି ବୈଠକ ୨୦୨୪ ପାଇଁ ରହିବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଉଭୟ କଂଗ୍ରେସ ଏବଂ ଟିଏମସି ଆଗରେ ବିଜେପି ପ୍ରମୁଖ ଦଳ ରହିଥିଲା। ଏହି ସମୟରେ କିନ୍ତୁ କଂଗ୍ରେସ ଓ ଟିଏମସି ଏକାଠି ନହୋଇ ଏକାକୀ ନିର୍ବାଚନ ଲଢ଼ିଥିଲେ। ପରିଣାମସ୍ୱରୂପ ବିଜେପି ଅଧିକରୁ ଅଧିକ ଆସନ ବିଜୟୀ ହୋଇପାରିଛି ବୋଲି ରାଜନୀତିକ ପଣ୍ଡିତମାନେ କୁହନ୍ତି। ଏବେ କିନ୍ତୁ ଦିଲ୍ଲୀ ଗାଦିରୁ ବିଜେପିକୁ ହଟାଇବା ପାଇଁ କଂଗ୍ରେସ ଟିଏମସି ସହିତ ଏକାଠି ହେବ ବୋଲି ରାଜି ହୋଇଥିବା ସୂଚନା ରହିଛି। ଏହି ବୈଠକ ଜୁଲାଇ ୨୮ ଅପରାହ୍ନ ୩ଟାରେ ହେବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମମତା ବାନାର୍ଜୀ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଜୁଲାଇ ୨୧ ବୈଠକରେ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାର ଏବଂ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ବିରୋଧୀ ଦଳର ନେତାଙ୍କ ବୈଠକ ଆୟୋଜନ କରିବାକୁ କହିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଏବେ ଟିଏମସି ଏହି ବୈଠକ ଆୟୋଜନ କରିବାର ଦାୟିତ୍ୱ ନେଇଛି। ଏହାପରେ ଟିଏମସି ସାଧାରଣ ସମ୍ପାଦକ ତଥା ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଦଳର ସାମ୍ମୁଖ୍ୟକୁ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। ଦଳର ନେତା କହିଛନ୍ତି ଯେ ପ୍ରସ୍ତୁତି  ଶେଷ ହୋଇଛି। ସୂଚନାଯୋଗ୍ୟ, ୨୦୧୪ ପରେ କଂଗ୍ରେସ ଯଦିଓ ବିରୋଧୀ ଭୂମିକା ରହିଛି ହେଲେ ସେତେଟା ପ୍ରଭାବ ଦେଖାଇପାରି ନାହିଁ। ଏବେ କିନ୍ତୁ ଟିଏମସି, ଏନସିପି, ଆମ୍ ଆଦମୀ ପାର୍ଟି ଭଳି ଆଞ୍ଚଳିକ ଦଳ ବିଜେପି ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ଗୋଟିଏ ବଡ ମୋର୍ଚ୍ଚା ପ୍ରସ୍ତୁତ କରିବାକୁ ଦିଦି ରଣନୀତି ପ୍ରସ୍ତୁତ କରିଥିବା ସୂଚନା ରହିଛି। ଏହା ପୂର୍ବରୁ ଜୁଲାଇ ୨୧ରେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ପାୱାର, ଚିଦାମ୍ବରମଙ୍କ ବ୍ୟତୀତ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, କଂଗ୍ରେସର ଦିଗବିଜୟ ସିଂ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ ଏବଂ ଜୟା ବଚ୍ଚନ, ଡିଏମକେରୁ ତିରୁଚି ଶିବ, ଟିଆରଏସରୁ କେ କେଶଭ ରାଓ, ଆରଜେଡିରୁ ମନୋଜ ଝା, ଶିରୋମଣି ଅକାଳୀରୁ ବଲୱିନ୍ଦର ସିଂ ଶିବସେନାରୁ ପ୍ରିୟଙ୍କା ଚତୁର୍ବେଦୀ ସାମିଲ୍ ହୋଇଥିଲେ। ଏବେ ବଙ୍ଗ ଭବନରେ ଆୟୋଜିତ ହେବାକୁ ଥିବା ବୈଠକରେ ମଧ୍ୟ ଏହି ସଦସ୍ୟ ଯୋଗ ଦେବାର ସମ୍ଭାବନା ରହିଛି।

ବିଜେପି ଖେଳିଲା ‘ପଶ୍ଚିମ ଓଡ଼ିଶା’ କାର୍ଡ ’, ୨୮ରେ ବିକ୍ଷୋଭ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ନିଜର ସଂଗଠନକୁ ସକ୍ରିୟ କରିବା ପାଇଁ ଏବେ ସରକାର ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛି। ଗତ ୨୧ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରମ୍ବାର ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରି ଆସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଭୀମସାରରେ ଏକମୋ ମେସିନ ଲଗାଇବା ଦାବିରେ ବିଜେପି ଆସନ୍ତା ୨୮ତାରିଖରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛି। ଆଜି ଦଳର ୩ଜଣ ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ପଶ୍ଚିମଓଡ଼ିଶାର ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ବିଜେପି ନେତାମାନେ କହିଛନ୍ତି ଯେ, ଗତ ୨୧ବର୍ଷ ଶାସନ କାଳ ଭିତରେ ବାରମ୍ବାର ପଶ୍ଚିମ ଓଡ଼ିଶାକୁ ନବୀନ ପଟ୍ଟନାୟକ ସରକାର ସବୁ କ୍ଷେତ୍ରରେ ଅବହେଳା କରିଛନ୍ତି। ପଶ୍ଚିମଓଡ଼ିଶାକୁ ସାବତପୁଅ ଭଳି ଆଚରଣ କରୁଛନ୍ତି । କଟକସ୍ଥିତ ବଡ଼ମେଡିକାଲରେ ଏକମୋ ମେସିନ୍ ଲଗାଉଥିବା ସରକାର କାହିଁକି ବୁର୍ଲାର ଭୀମସାରରେ ଏହି ମେସିନ୍ ଲଗାଉନାହାନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଭୀମସାର ନିର୍ଦ୍ଦେଶକଙ୍କୁ ସରକାର କି ଅଟୋନୋମି ଦେଇଛନ୍ତି ବୋଲି ସେ ପ୍ରଶ୍ନ କରଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକକୁ ଘର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କର ଅବହେଳା ଓ ଯୋଜନା ନଥିବା କାରଣରୁ ଆଜି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପକ୍କା ଘର ମିଳିଲା ନାହିଁ। ସେହିପରି ଗତ କରୋନାର ଦ୍ୱିତୀୟ ଲହରରେ ବିଶେଷ ଭାବରେ ସବୁଠୁ ବେଶୀ କ୍ଷତି ପଶ୍ଚିମ ଓଡ଼ିଶାରେ ହେଲା। ଗୋଟିଏପଟେ ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛି କହି ଓଡିଶା ସରକାରଙ୍କର ବାହାପିଆ ସ୍ୱାସ୍ଥ୍ୟମନ୍ତ୍ରୀ ଯେଉଁ ତଥ୍ୟ ବାରମ୍ବାର କହୁଛନ୍ତି ସେ ତଥ୍ୟ କେବଳ ମୁହଁରେ କହୁଛନ୍ତି କିନ୍ତୁ ବାସ୍ତବରେ କୌଣସି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ । ସର୍ବଦା ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ବୁର୍ଲାର ଭୀମସାର୍ ପାଇଁ ରାଜ୍ୟ ସରକାରଙ୍କର ବଜେଟରେ କିଛି ବ୍ୟବସ୍ଥା ଅଛି କି? ପଶ୍ଚିମ ଓଡିଶାରେ ସବୁଠୁ ବେଶୀ କ୍ୟାନସର ରୋଗୀ ଥିବା ବେଳେ ଭିମସାରରେ ଯେଉଁ କ୍ୟାନସର ବିଭାଗ ଅଛି ତାହା ଏବେ ଜର୍ଜରିତ ଅବସ୍ଥାରେ ପଡ଼ିରହିଛି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପାଇଁ ପଶ୍ଚିମଓଡ଼ିଶାବାସୀଙ୍କୁ ଭୁବନେଶ୍ୱର, କଟକ, ବିଶାଖାପାଟଣାର ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଭୀମସାରରେ ମାତ୍ର ୨୦ଟି ଆଇସିୟୁ ବେଡ୍ ଅଛି । ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଏଭଳି ଚରମ ଅବହେଳା ପ୍ରଦର୍ଶନକୁ ପଶ୍ଚିମ ଓଡ଼ିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ। ଚାଷୀମାନଙ୍କର ସମସ୍ୟାକୁ ନେଇ ଯେଉଁ ପ୍ରକାର ଆନ୍ଦୋଳନ ହୋଇଥିଲା ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ପୁଣିଥରେ ଆନ୍ଦୋଳନ ହେବ। ଭୀମସାରରେ ଏକମୋ ମେସିନ ଲଗାଇବା ଦାବିରେ ଆସନ୍ତା ଜୁଲାଇ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସଦର ମହାକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ଅଗଷ୍ଟ ୨ତାରିଖରେ ଜିଲ୍ଲା ତରଫରୁ ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ବିଜେପି ସୂଚନା ଦେଇଛି।

ବିନା କୋଚରେ କମାଲ୍ କଲେ ମନିକା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା ଅଲିମ୍ପିକ୍ସରେ ନିଜର ବିଜୟ ଯାତ୍ରା ଜାରି ରଖିଛନ୍ତି। ରବିବାର ମନିକା ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୟୁକ୍ରେନର ମାର୍ଗାରିଟା ପେସୋତସ୍କାଙ୍କୁ ହରାଇଛନ୍ତି। ଏହି ବିଜୟ ସହ ମନିକା ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବିଶ୍ୱ ରାଙ୍କିଙ୍ଗର ୬୨ତମ ସ୍ଥାନରେ ଥିବା ମନିକା ୟୁକ୍ରେନର ୨୦ତମ ମାନ୍ୟତାପ୍ରାପ୍ତ ମାର୍ଗାରିଟାଙ୍କୁ ୫୭ ମିନିଟ୍ ଧରି ଚାଲିଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୪-୩ (୪-୧୧, ୪-୧୧, ୧୧-୭, ୧୨-୧୦, ୮-୧୧, ୧୧-୫, ୧୧-୭)ରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ତୃତୀୟ ରାଉଣ୍ଡରେ ମନିକାଙ୍କ ସାମ୍ନା ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ସହ ହେବ। ମ୍ୟାଚ୍ ଆରମ୍ଭରୁ ମନିକାଙ୍କୁ ଲୟ ହାସଲ କରିବାରେ ସମସ୍ୟା ହୋଇଥିଲା ଏବଂ ଏହାର ଫାଇଦା ଉଠାଇ ୟୁକ୍ରେନ୍ ଖେଳାଳି ପ୍ରଥମ ଦୁଇଟି ଗେମକୁ ସହଜରେ ନିଜ ନାମଁରେ କରିଥିଲେ। ମନିକାଙ୍କ ପାଖରେ ମାର୍ଗାରିଟାଙ୍କ ଦମଦାର ଫୋରହ୍ୟାଣ୍ଡ ଓ ସ୍ମାଶର କୌଣସି ଜବାବ ନଥିଲା। ମନିକା ତୃତୀୟ ଗେମରେ ପଛୁଆ ଥିଲେ, କିନ୍ତୁ ସେ ପରେ ସ୍କୋରକୁ ୬-୬ରେ ବରାବର କରିଥିଲେ ଏବଂ ଲଗାତର ଅଗ୍ରଣୀ ବଜାୟ ରଖି ଫୋରହ୍ୟାଣ୍ଡ ଶଟ୍ ଜରିଆରେ ଗେମକୁ ଜିତି ନେଇଥିଲେ। ଚତୁର୍ଥ ଗେମ୍ ଖୁବ୍ ରୋମାଞ୍ଚକର ହୋଇଥିଲା, କିନ୍ତୁ ମନିକା ଜବରଦସ୍ତ ପ୍ରଦର୍ଶନ କରି ଏହି ଗେମକୁ ମଧ୍ୟ ନିଜ ନାଁରେ କରିଥିଲେ। ପଞ୍ଚମ ଗେମରେ ୟୁକ୍ରେନ୍ ଖେଳାଳି କମବ୍ୟାକ୍ କରି ବିଜୟୀ ହୋଇଥିଲେ। ଷଷ୍ଠ ଗେମରେ ମନିକା ଏକ ସମୟରେ ୨-୫ରେ ପଛୁଆ ଥିଲେ। କିନ୍ତୁ ଏହା ପରେ ସେ ଲଗାତର ୯ ପଏଣ୍ଟ ହାସଲ କରି ସ୍କୋରକୁ ୩-୩ରେ ବରାବର କରିଥିଲେ। ନିର୍ଣ୍ଣାୟକ ଗେମରେ ମନିକା ନିଜ ଗେମକୁ ଭଲ ଭାବେ ନିୟନ୍ତ୍ରଣ କରିଥିଲେ। ମନିକା ନିଜର ଦମଦାର ସ୍ମାଶ୍ ବଳରେ ୟୁକ୍ରେନ୍ ଖେଳାଳିଙ୍କୁ ସପ୍ତମ ଗେମରେ ହରାଇ ମୁକାବିଲାକୁ ଜିତି ନେଇଥିଲେ। ସୂଚନାଯୋଗ୍ୟ, ମନିକା ଏହି ମ୍ୟାଚରେ ମଧ୍ୟ ବିନା କୋଚରେ ଖେଳିଥିଲେ। ତାଙ୍କ ବ୍ୟକ୍ତିଗତ କୋଚଙ୍କୁ ଷ୍ଟାଡିୟମ ଭିତରକୁ ଆସିବାକୁ ଅନୁମତି ଦିଆଯାଇନାହିଁ ଏବଂ ଏହାର ବିରୋଧରେ ମନିକା କୋଚ୍ ସୌମ୍ୟଦୀପ ରୟଙ୍କ ସାହାଯ୍ୟ ନେବାକୁ ମନା କରିଦେଇଥିଲେ।

ଜାରି ହେଲା ଆଇପିଏଲ-୧୪ର ବାକି ସିଡ୍ୟୁଲ୍, ଆରମ୍ଭରୁ ଧୋନି-ରୋହିତ୍ ମୁହାଁମୁହିଁ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ବାକି ମ୍ୟାଚ୍ ୟୁଏଇରେ ଆୟୋଜିତ ହେବ। ଏଥିପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ରବିବାର କାର୍ଯ୍ୟସୂଚୀର ଘୋଷଣା କରିଦେଇଛି। ବାୟୋ-ବବଲ୍ ଭିତରେ କୋଭିଡ୍-୧୯ ସଂକ୍ରମଣ ବଢ଼ିବା କାରଣରୁ ଆଇପିଏଲ-୧୪କୁ ୨୯ ମ୍ୟାଚ୍ ପରେ ସ୍ଥଗିତ କରିଦିଆଯାଇଥିଲା। ଏବେ ବାକି ମ୍ୟାଚର ଶୁଭାରମ୍ଭ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହେବ, ଯାହା ସେପ୍ଟେମ୍ବର ୧୯ ତାରିଖରେ ଦୁବାଇରେ ଖେଳାଯିବ। ବିସିସିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସିଜନର ବାକି ୩୧ ମ୍ୟାଚ୍ ଯଥାକ୍ରମେ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୨୭ ଦିନ ଧରି ଚାଲିବ। ସେପ୍ଟେମ୍ବର ୨୦ ତାରିଖରେ ଆବୁଧାବିରେ କୋଲକାତା ନାଇଟ୍ ରାଇଡର୍ସ ଓ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ। ସେହିପରି ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ। ସେପ୍ଟେମ୍ବର ୨୪ ତାରିଖରେ ଶାରଜାରେ ପ୍ରଥମ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଆରସିବି ଓ ଚେନ୍ନାଇ ପରସ୍ପରକୁ ଭେଟିବେ। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

‘ବିଗ୍ ବସ୍‌’ରୁ ସଲମାନ୍ ଆଉଟ୍‌, କରନ୍ ଇନ୍‌…..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସ୍‌ରୁ ଆଉଟ୍ ହେଲେ ଭାଇଜାନ। ତାଙ୍କ ସ୍ଥାନ ନେଲେ ଫିଲ୍ମ ନିର୍ମାତା କରନ୍ ଜୋହର। ଏବେ ସଲମାନଙ୍କ ସ୍ଥାନରେ କରନ୍ ଜୋହର ବିଗ୍‌ବସ୍ ସିଜନ-୧୫ ହୋଷ୍ଟ କରିବେ। ସୂଚନା ମୁତାବକ ପ୍ରକୃତରେ ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍‌ବସ୍ ପ୍ରିମିୟର ଏପିସୋଡ୍‌କୁ ସଲମାନ ନୁହେଁ କରନ୍ ଜୋହର ହୋଷ୍ଟ କରିବେ ବୋଲି ଶୁଣିବାକୁ ମିଳିଛି। ସେପଟେ ବିଗ୍‌ବସ୍ ହୋଷ୍ଟକୁ ନେଇ କରନ୍ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ସେ ଆଉ ତାଙ୍କ ମା’ ବିଗ୍‌ବସ୍‌ର ବଡ ଫ୍ୟାନ୍। ସେ ଦୁହେଁ ଏହି ଶୋ’ର ଗୋଟିଏ ବି ଏପିସୋଡ୍ ମିସ୍ କରନ୍ତି ନାହିଁ। ତାଙ୍କୁ ଶୋ’ ହୋଷ୍ଟ କରିବା ବେଶ୍ ପସନ୍ଦ। ଓଟିଟିରେ ବିଗ୍ ବସ୍ ହୋଷ୍ଟ କରିବା..ଏହା ତାଙ୍କ ପାଇଁ ବେଶ୍ ବଡ କଥା ବୋଲି କରନ୍ କହିଛନ୍ତି। ସୂଚନା ମୁତାବକ କରନ୍ ଜୋହର ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍‌ବସ୍ ସିଜନ-୧୫ର ପ୍ରଥମ ୬ ସପ୍ତାହ ହୋଷ୍ଟ କରିବେ। ଏହାର ପ୍ରିମିୟର ଅଗଷ୍ଟ ୮ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଡିଜିଟାଲ ରିଲିଜ ପରେ ବିଗ୍ ବସ୍‌-୧୫କୁ ତା’ର ପୁରୁଣା ପ୍ଲାଟଫର୍ମ କଲର୍ସ ଚ୍ୟାନେଲରେ ଲଞ୍ଚ କରାଯିବ। ନିକଟରେ ଇଦ୍ ଅବସରରେ ସଲମାନ ବିଗ୍‌ବସ୍‌-୧୫ର ପ୍ରମୋ ରିଲିଜ କରିଥିଲେ। ବର୍ତ୍ତମାନ ଏହି ଶୋ’ରେ କେଉଁ ସେଲେବ୍ରିଟିମାନଙ୍କୁ ଦେଖିବାକୁ ମିଳିବ ଏବଂ କିଏ କିଏ ଭାଗ ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି।

୨୬ ଜୁଲାଇ, ସୋମବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଶରୀର ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ।

ବୃଷ: ସବୁ ନିଷ୍ପତ୍ତି ଠିକ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ।

ମିଥୁନ: ଗୁରୁଜନଙ୍କ ସହଯୋଗ ମିଳିବ। ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

କର୍କଟ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବନ୍ଧୁଙ୍କ ସାହାଯ୍ୟରେ ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ।

ତୁଳା: ବ୍ୟବସାୟରେ ଉନ୍ନତି ହେବ। ଋଣ ପରିଶୋଧ କରିପାରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା: ସମସ୍ତଙ୍କ ସହିତ ସୁ-ସମ୍ପର୍କ ବଜାୟ ରହିବ। ସମାଜରେ ମାନସମ୍ମାନ ବଢ଼ିବ। ପଢ଼ାପଢ଼ି ପ୍ରତି ମନ ବଳାଇବେ।

ଧନୁ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଯେଉଁ କାର୍ଯ୍ୟ କରିବାକୁ ଚିନ୍ତା କରିଛନ୍ତି, ଆଜି ତାକୁ ପୂରଣ କରିବାକୁ ଚେଷ୍ଟା କରିବେ।

ମକର: ଆପଣଙ୍କ କଥା ଓ ଯୋଗ୍ୟତାରେ ସମସ୍ତେ ପ୍ରଭାବିତ ହେବେ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ବ୍ୟବସାୟରେ ଭଲ ଲାଭ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରି ପାରିବେ।

ମୀନ: ସମାଜସେବା ପ୍ରତି ମନ ବଳାଇବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିବେ। ସବୁ କାର୍ଯ୍ୟ ଯୋଜନା ମୁତାବକ ହେବ।

“ଅନ୍ଧାରୀ ମୂଲକ ର ଆଲୋକ” ଦୀପା ଦିଦି…!

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ଅନେକ ଜନହିତକାରି ଯୋଜନାର ଲାଭ ଉଠେଇ ପାରୁନାହାଁନ୍ତି । ଏହିଭଳି ଲୋକଙ୍କ ପାଇଁ ଆଶାର ଆଲୁଅ ପାଲଟିଛନ୍ତି ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରି ଗ୍ରାମର ମହିଳା ସ୍ୱେଚ୍ଛାସେବୀ ତଥା ସାମାଜିକ କର୍ମୀ ଦୀପା ବାରିକ ତେଣୁ ତାଙ୍କୁ “ଅନ୍ଧାରୀ ମୂଲକର ଆଲୋକ” ବୋଲି ସମସ୍ତେ କହିଥାନ୍ତି। ଏହିକ୍ରମରେ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗୀନ୍ଦ୍ରନାଥପୁର ଗ୍ରାମର ଏକ ଅସହାୟ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଏକ ଶିଶୁକନ୍ୟା ନିକିତା ଗୁଣ୍ଡି ଜନ୍ମଠାରୁ ଦିବ୍ୟାଙ୍ଗ ଭଳି ମୁଣ୍ଡ ଉଠେଇ ପାରୁନାହାନ୍ତି ଏବଂ ଉଠି ବସି ନପାରି ଅଣ୍ଟା ସଳଖ ମଧ୍ୟ କରିପାରନ୍ତି ନାହିଁ। ୨୦୧୯ ମସିହାରେ ଜନ୍ମିତ ଏହି ଶିଶୁର ମାଆ ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବା ପାଇଁ ଯାଇଥିଲେ। ଅତ୍ୟନ୍ତ ଗରୀବ ପରିବାରର ହେଇଥିବାରୁ ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତିି। ନିଜ ସ୍ୱାମୀ ଦ୍ୱାରା ପ୍ରତାରିତ ହୋଇ ଏହି ଶିଶୁଟିର ମାଆ ବର୍ତ୍ତମାନ ନିଜ ମାଆ ବାପାଙ୍କ ପାଖରେ ରହି କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଏହି ପରିବାର ର ଅସହାୟ ଅବସ୍ଥା ସମ୍ପର୍କରେ ଜାଣିବା ପରେ ଗତବର୍ଷ ମାର୍ଚ୍ଚ ମାସରେ ଦୀପା ବାରିକ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଏକ ପତ୍ର ମାଧ୍ୟମରେ ଜଣା କରିଥିଲେ। ଯାହା ପ୍ରଭାବରେ ଉକ୍ତ ଶିଶୁଟିର ସହାୟତା କରିବା ପାଇଁ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇଥିଲେ ଏବଂ ଉଚ୍ଚତର ଚିକିତ୍ସା ନିମନ୍ତେ ଶିଶୁଟିକୁ କଟକ ନିଆଯାଇଥିଲା। ଏହାଛଡ଼ା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଶିଶୁଟିକୁ ନିୟମିତ ବ୍ୟବଧାନରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ବରଗଡ଼ ଡିଇଆଇସିକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଶିଶୁଟିକୁ ଥରେ ନେବାପରେ ଆଉ ଡାକ୍ତରଖାନା ନିଆଯାଇନାହିଁ। ଏହି ବିଷୟରେ ନିକିତାଙ୍କ ଆଇ ଦ୍ରୌପଦୀ ଗୁଣ୍ଡି ଦୀପା ବାରିକଙ୍କୁ ଜଣେଇବା ପରେ ଦୀପା ଉକ୍ତ ପରିବାର ପାଖକୁ ଯାଇ ଭେଟିଥିଲେ ଏବଂ ସମସ୍ୟା ଗୁଡିକୁ ବୁଝିଥିଲେ। ପାଇକମାଲ ଡାକ୍ତରଖାନାର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ କୁ ଯୋଗାଯୋଗ କରି ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହା ସହିତ ଦ୍ରୌପଦୀ ଗୁଣ୍ଡିଙ୍କ ସାନ ଝିଅ ପାଠ ପଢ଼ିପାରୁ ନଥିବାରୁ ତାଙ୍କୁ ନିର୍ମାଣ ଶ୍ରମିକ ଛାତ୍ରବୃତ୍ତି ଯୋଜନାରେ ସହାୟତା ଯୋଗେଇଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୀପାଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିବା ସହ ଉକ୍ତ ଅସହାୟ ପରିବାର ପାଖେ ପ୍ରଶାସନ ପହଞ୍ଚି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି।

ନାରାୟଣ ଗୁଡା ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ;ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଶତାଧିକ ଗ୍ରାମବାସୀ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତ ଅନ୍ତର୍ଗତ ନାରାୟଣଗୁଡା ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କେନ୍ଦ୍ର ର ଅଙ୍ଗନବାଡି ଙ୍କ ମନମୁଖୀ କାର୍ଯ୍ଯ କୁ ବିରୋଧ କରି ଆଜି ଶତାଧିକ ଗ୍ରାମବାସୀ ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି। ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଗମାଙ୍ଗ ନିୟମିତ ଭାବେ ଶିଶୁ ମାନଙ୍କୁ ପ୍ରାକ୍ ଶିକ୍ଷା ଦେଉନଥିବା, ଶୁଖିଲା ଖାଦ୍ୟ ବଣ୍ଟନ ରେ ଦୁର୍ନତୀ କରିବା,ଶିଶୁ ଙ୍କ ନିମନ୍ତେ ଆସୁଥିବା ଅଣ୍ଡା ଠିକ ଭାବେ ପ୍ରଦାନ କରୁନଥିବା, ଖେଳଣା ସହ ଆସବାବପତ୍ର କିଣିବାରେ ଅନିୟମିତତା ସହିତ ଗ୍ରାମର ଶିଶୁ ଓ ତାଙ୍କ ମାଁ ଙ୍କୁ ନାଲି ଆଖି ଦେଖାଇବା ସହ ଖରାପ ବ୍ଯବହାର କରୁଥିବା ଏପରିକି କେନ୍ଦ୍ର କୁ ନିଜ ଘର ଭାବି ନେଇଥିବା ସହ କେନ୍ଦ୍ର କୁ ଆସୁଥିବା ଶିଶୁ ଙ୍କୁ ଶୌଚାଳୟ ବ୍ୟବହାର କରିବା କୁ ସୁଯୋଗ ଦେଉନଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜୟନ୍ତୀ ଗମାଙ୍ଗ ଙ୍କ ଏଭଳି କାର୍ଯ୍ୟକଳାପ କୁ ବିରୋଧ କରି ଅଭିଭାବକ ମାନେ ଗାଁ ର ନାଏବ ସରପଞ୍ଚ ଗୀତାଞ୍ଜଳି ଗମାଙ୍ଗ ଙ୍କ ନେତୃତ୍ଵରେ ଅଙ୍ଗନବାଡି କର୍ମୀ ଙ୍କ ପାଖକୁ ଯାଇ ପଚାରଉଚରା କରିଥିଲେ। ତେବେ ଏହି ସମୟରେ କର୍ମୀ ଜଣଙ୍କ ଓ ତାଙ୍କ କିଛି ସହଯୋଗୀ ନାଏବ ସରପଞ୍ଚ ଙ୍କୁ ଅତର୍କିତ ଆକ୍ରମଣ କରିଥିବା ଗୀତାଞ୍ଜଳି ଗମାଙ୍ଗ ଅଭିଯୋଗ କରିଛନ୍ତି।

 

ଏସବୁ ଘଟଣା ଘଟିଯିବା ସତ୍ତ୍ୱେ ସ୍ଥାନୀୟ ସରପଞ୍ଚ ହୁଇକା ସୁକାନ୍ତୀ ଙ୍କ ନୀରବତା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି। ଏହା ପରେ ଗ୍ରାମ ର ଶତାଧିକ ଗ୍ରାମବାସୀ ଓ ଅଭିବାବକ ଗତ ତା – ୧୯ /୭/୨୧ ରିଖ ଦିନ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ନିକଟକୁ ଆସି ଫେରାଦ କରିବା ସହ ଘଟଣା ସମ୍ପର୍କ ରେ ଲିଖିତ ପତ୍ର ମାଧ୍ୟମରେ ଜଣା କରିଥିଲେ। ପରେ ଉପଜିଲ୍ଲାପାଳ ଶ୍ରୀ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନବାଡି ସୁପରଭାଇଜର ଲଙ୍କେଶ୍ୱରୀ ପଟ୍ଟନାୟକ ଅଙ୍ଗନବାଡି କେନ୍ଦ୍ର କୁ ଯାଇ ତଦନ୍ତ କରିଥିଲେ। ତଥାପି ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ହେତୁ ପୁଣି ଥରେ ଗ୍ରାମବାସୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ଅଭିଯୋଗ କରିଛନ୍ତି। ତୁରନ୍ତ ଅଙ୍ଗନବାଡି କର୍ମୀ ଙ୍କୁ ବହିଷ୍କାର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।