ଦମ ଦେଖାଇଲେ ସାତ୍ତ୍ୱିକ-ଚିରାଗ, ହାରିଲେ ସାଇ ପ୍ରଣୀତ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଖେଳୁଥିବା ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଖେଳ ଦେଖାଇ ବିଜୟରୁ ନିଜର ଅଲିମ୍ପିକ୍ସ  ଅଭିଯାନ ଆରମ୍ଭ କରିଛନ୍ତି। ସାତ୍ତ୍ୱିକ-ଚିରାଗ ପ୍ରଥମ ମ୍ୟାଚ୍‌ ଜିତି ଆଗକୁ ବଢ଼ିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସାଇ ପ୍ରଣୀତ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପରାସ୍ତ ହୋଇଛନ୍ତି। ଏକମାତ୍ର ଶଟଲର ଭାବେ ପ୍ରଣୀତ ପୁରୁଷ ଏକକ ବର୍ଗରେ ଭାରତକୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିଲେ। ହେଲେ ଆଜି ତାଙ୍କୁ ଇସ୍ରାଏଲର ମିଶା ଜିଲବେରମାନ ବିଦା କରି ଦେଇଛନ୍ତି। ମିଶା ସିଧାସଳଖ ୨-୦ ସେଟ୍‌ରେ ପ୍ରଣୀତଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି। ଆଜି ସାତ୍ତ୍ୱିକ ଓ ଚିରାଗ ଯୋଡ଼ିଙ୍କ ମୁକାବିଲା ଚାଇନିଜ ତାଇପେଇର ଲୀ ୟାଙ୍ଗ ଓ ୱାଙ୍ଗ ଚି ଲିନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌କୁ ଭାରତ ୨୧-୧୬ରେ ଜିତି ନେଇଥିଲା। ହେଲେ ଦ୍ୱିତୀୟ ସେଟ୍‌ରେ ଚାଇନିଜ ତାଇପେଇ କମବ୍ୟାକ୍‌ କରି ୨୧-୧୬ ବାଜିମାତ କରିଥିଲା। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇ ଦେଶର ଖେଳାଳି କେହି କାହାକୁ ଛାଡ଼ି ନେଇଥିଲେ। ଗେମ୍‌ ପଏଣ୍ଟ ୨୧ ହୋଇଥିଲେ ହେଁ ସଂଘର୍ଷ ଏତେମାତ୍ରାରେ ବଢ଼ି ଯାଇଥିଲା ଯେ ସ୍ଥିତି ୨୫ରେ ପହଞ୍ଚି ଯାଇଥିଲା। ହେଲେ ସାତ୍ତ୍ୱିକ ଓ ଚିରାଗ ନିଜର ଦକ୍ଷତା ବଳରେ ସେଟ୍‌କୁ ୨୭-୨୫ରେ ଜିତି ନେଇଥିଲେ। ଏଥିସହ ମିକ୍ସଡ ଡବଲ୍ସର ଦ୍ୱିତୀୟ ପର୍ଯ୍ୟାୟରେ ନିଜ ସ୍ଥାନ ପକ୍କା କରିଥିଲେ।

ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଦୀପିକା, ପ୍ରବୀଣ ଓ ସୌରଭ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ପ୍ରଥମ ଦିନରେ ଭାରତ ପାଇଁ ଭାରୋତ୍ତୋଳନରେ ମୀରବାଈ ଚାନୁ ରୌପ ପଦକ ଜିତିଛନ୍ତି। ହେଲେ ପଦକ ଆଶା ଥିବା ତୀରନ୍ଦାଜ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡ଼ି ସମସ୍ତଙ୍କୁ ନିରାଶ କରିଛନ୍ତି। ସେହିପରି ୧୦ମି ଏୟାର ପିସ୍ତଲ ଫାଇନାଲରେ ଷ୍ଟାର ଶୁଟର ସୌରଭ ଚୌଧୁରୀ ହାରିଯାଇଛନ୍ତି। ଆଜି ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଭାରତ ପକ୍ଷରୁ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଲଢ଼େଇ କରିଥିଲେ। ଉଭୟ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପରେ ସମସ୍ତେ ଉଭୟଙ୍କ ଠାରୁ ପଦକ ଆଶା କରିଥିଲେ। କାରଣ ଦୀପିକା କୁମାରୀ ଏବେ ବିଶ୍ୱ ତୀରନ୍ଦାଜୀର ୧ନଂ ଖେଳାଳି। ଭାରତର ମୁକାବିଲା ଦକ୍ଷିଣ କୋରିଆ ସହ ହୋଇଥିଲା। ହେଲେ ଭାରତ ଏହି ମ୍ୟାଚରେ ୨-୬ରେ ପରାସ୍ତ ହୋଇଛି। ଦକ୍ଷିଣ କୋରିଆ ୩ଟି ସେଟ୍ ଜିତିଥିବା ବେଳେ ଭାରତ ମାତ୍ର ଗୋଟିଏ ସେଟ୍ ଜିତିବାକୁ ସକ୍ଷମ ହୋଇଛି। ଦକ୍ଷିଣ କୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆନ ସାନ ଓ କିମ୍ ଜେ ଡେଓକ ପ୍ରଥମ ଦୁଇ ସେଟ୍‌କୁ ୩୫-୩୨ ଓ ୩୮-୩୭ରେ ଜିତି ନେଇଥିଲେ। ଏହାପରେ ଭାରତ ବାଉନ୍ସ ବ୍ୟାକ୍ କରି ତୃତୀୟ ସେଟ୍କୁ ୩୭-୩୫ରେ ଜିତି ନେଇଥିଲା। ଅନ୍ତିମ ସେଟ୍ ଭାରତ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦକ୍ଷିଣ କୋରିଆ ଏହାକୁ ୩୬-୩୩ରେ ଜିତି ସେମି ଫାଇନାଲରେ ପ୍ରବେଶ କରିଥିଲା। ଶୁଟର ସୌରଭ ଚୌଧୁରୀ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ହାସଲ କରିଥିଲେ। ହେଲେ ଫାଇନାଲ ରାଉଣ୍ଡରେ ସେ ଆଦୌ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ। ତାଙ୍କୁ ୮ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ୭ମରେ ରହି ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେ ୧୩୭.୪ ପଏଣ୍ଟ ସହ ନିଜର ଅଭିଯାନ ଶେଷ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସୌରଭ ୬୦ଟି ଶୁଟ୍‌ରୁ ୫୮୬ ପଏଣ୍ଟ ସହ ଶୀର୍ଷରେ ରହିଥିଲେ। ଫାଇନାଲରେ ପ୍ରବେଶ କରି ନିରାଶଜନକ ପ୍ରଦର୍ଶନ କରିଥିବା ସୌରଭ ୬ଷ୍ଠ ସ୍ଥାନ ପାଇଁ ମଧ୍ୟ ଲଢ଼େଇ କରିଥିଲେ। ଏହି ଲଢ଼େଇରେ ୧୦.୬ ଓ ୯.୮ ସ୍କୋର କରି ମୋଟ ୧୩୭.୪ ପଏଣ୍ଟ ପାଇବାକୁ ସକ୍ଷମ ହୋଇଥିଲେ। ଫଳରେ ଚାଇନାର ବୋୱେନ ଝାଙ୍ଗ ୧୩୭.୭ ପଏଣ୍ଟ ହାସଲ କରି ୬ଷ୍ଠ ସ୍ଥାନ ଦଖଲ କରିଥିଲେ।

ଟୋକିଓ ଅଲିମ୍ପିକ୍ସ: ଦେଶ ପାଇଁ ପ୍ରଥମ ପଦକ ଜିତିଲେ ମୀରାବାଈ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଥିଲେ। ଏହା ସହିତ ମୀରାବାଈ ଚାନୁ ଇତିହାସ ରଚିଛନ୍ତି। ଅଲିମ୍ପିକ୍ସରେ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେହିପରି କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ସେ ହେଉଛନ୍ତି ମୀରାବାଈ ଚାନୁ ହେଉଛନ୍ତି ଦ୍ୱିତୀୟ ଭାରୋତ୍ତୋଳନକାରୀ ଯିଏ ଦେଶ ପାଇଁ ଅଲିମ୍ପିକ୍ସରେ ମେଡାଲ ଜିତିଛନ୍ତି। ଏହା ପୂର୍ବରୁ ୨୦୦୦ ମସିହାରେ ଅନୁଷ୍ଠିତ ସିଡ୍‌ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ।ମୀରାବାଈ ଚାନୁ ୪୮ କେଜି ଓ ୮୭ କେଜି ଓଜନକୁ ସଫଳତାର ସହିତ ଉଠାଇ ଦେଇଥିଲେ। କିନ୍ତୁ ୮୯ କେଜି ଉଠାଇବାରେ ‍ବିଫଳ ହୋଇଥିଲେ। ତେଣୁ ସ୍ନାଚ୍ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ରହି ଯାଇଥିଲେ। ଅନ୍ୟପକ୍ଷରେ କ୍ଲିନ୍ ଓ ଜର୍କରେ ୧୧୫ କେଜି ଓଜନ ଉଠାଇ ମୀରାବାଈ ଚାନୁ ଅଲିମ୍ପିକ୍ସରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ମୀରାବାଈ ଚାନୁ ସ୍ନାଚ୍‌ରେ ୮୭ କେଜି ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ବର୍ଷ ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ରେ ସେ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଉଠାଇ ବିଶ୍ୱ ରେକର୍ଡ ତିଆରି କରିଥିଲେ। ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବା ପରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଛି । ସୂଚନାଯୋଗ୍ୟ, ମୀରାବାଈ ରୌପ୍ୟ ପଦକ ଜିତିଥିବା ବେଳେ ଚୀନର ଝିହୁଇ ହୋଉ ସ୍ୱର୍ଣ୍ଣ ପଦକ ଓ ଇଣ୍ଡୋନେସିଆର ୱିଣ୍ଡି କ୍ୟାଣ୍ଟିକା ଐଶା ବ୍ରୋଞ୍ଜ ପଦକ ଜିତିଛନ୍ତି।

ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍। ଗ୍ରୁପ୍‌ ‘ଏ’ରେ ଥିବା ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଦଳ ୩-୨ ଗୋଲ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ରୂପିନ୍ଦର ପଲ୍ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ମ୍ୟାଚ୍‌ ଆରମ୍ଭ ହେବାର ୬ ମିନିଟ୍‌ ପରେ ନ୍ୟୁଜିଲ୍ୟାଣ୍ଡର କେନ୍ ରସେଲ୍ ଦେଇଥିଲେ ପ୍ରଥମ ଗୋଲ୍‌। ସେ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ହେଲେ ଏହାର ୪ ମିନିଟ୍ ପରେ ରୂପିନ୍ଦର ଦେଇଥିଲେ ଏକ ଗୋଲ୍‌। ଏହା ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସମାନ ସ୍ଥିତିକୁ ଚାଲି ଆସିଥିଲେ। ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ପଛକୁ ପଛ ଲଗାତାର ଚାରୋଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଦଳ ସେଗୁଡ଼ିକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇ ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଖେଳ ସଂପୂର୍ଣ୍ଣ ଭାବେ ଭାରତ ନିୟନ୍ତ୍ରଣରେ ରହିଥିଲା। ୨୬ତମ ମିନିଟ୍‌ରେ ଭାରତ ପକ୍ଷରୁ ହରମନପ୍ରୀତ୍‌ ଦେଇଥିଲେ ଦ୍ୱିତୀୟ ଗୋଲ୍‌। ଏହା ସହିତ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ୨-୧ରେ ଆଗୁଆ ରହିଥିଲା। ଏହା ପରେ ପରେ ହରମନପ୍ରୀତ୍‌ ଦଳ ପାଇଁ ଆଉ ଏକ ଗୋଲ ଦେଇଥିଲେ। ଫଳରେ ଭାରତ ୩-୧ରେ ଆଗୁଆ ରହିଥିଲା। ୪୩ ତମ ମିନିଟ୍‌ରେ ନ୍ୟୁଜିଲ୍ୟାଣ୍ଡ ଆଉ ଗୋଟିଏ ଗୋଲ ଦେଇ ଥିଲା। ତେବେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଭଲ ଖେଳିଥିଲେ ମଧ୍ୟ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ। ଆଉ ଶେଷରେ ୩-୨ରେ ଭାରତ ବିଜୟୀ ହୋଇଥିଲା। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସ ଆୟୋଜକ ଜାପାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଅନ୍ୟପକ୍ଷରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ। ସେମାନେ ଚାଇନିଜ ତାଇପେଇ ଯୋଡ଼ି ଚି-ଚୁନ୍ ତାଙ୍ଗ ଓ ଚିଆ-ଏନ୍‌ ଯୋଡ଼ିଙ୍କୁ ୫-୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟକୁ ସାମିଲ କରାଯାଇଛି ଓ ଭାରତ ପକ୍ଷରୁ ଦୀପିକା ଓ ପ୍ରବୀଣ ପ୍ରଥମ ଯୋଡ଼ି ଭାବେ ଏଥିରେ ଭାଗ ନେଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ଦୀପିକା ଓ ପ୍ରବୀଣ ଏକାଠି ଖେଳୁଛନ୍ତି। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚୀନର ଶୁଟର ୟାଙ୍ଗ କିଆନ୍‌। ସେ  ଶନିବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।