ଲୋକଙ୍କ ସ୍ୱର ହୁଅ, ସରକାରଙ୍କୁ ଜବାବ ମାଗ: ଚୁଗ୍

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ସାଧାରଣ ଲୋକଙ୍କ ସମସ୍ୟାରେ ସାମିଲ ହୋଇ ସେମାନଙ୍କର ସ୍ୱର ଭାବେ ରାଜ୍ୟ ସରକାରଙ୍କୁ ଜୋରଦାର ଢଙ୍ଗରେ ଘେରିବା ନିମନ୍ତେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହାସହିତ ସେ ରାଜ୍ୟ ବିଜେପିର ବିଭିନ୍ନ ସେଲ୍ କର୍ମକର୍ତ୍ତା, ରାଜ୍ୟ ନେତୃତ୍ୱ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ଚୁଗ୍ ଯୋଗ ଦେଇଛନ୍ତି । ସେ ସାଙ୍ଗଠନିକ ସ୍ତରରେ ବିଭିନ୍ନ ବୈଠକରେ ଯୋଗ ଦେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସଭପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ପରେ ଶ୍ରୀ ଚୁଗ୍ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀଙ୍କ ସହ ସାଂଗଠନିକ ବୈଠକରେ ଯୋଗ ଦେବା ସହ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ଚୁଗ୍ ପୁରୀ ଜିଲ୍ଲା ବିଜେପି ସାଙ୍ଗଠନିକ ବୈଠକରେ ଯୋଗ ଦେଇ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ବୁଥ୍ ସ୍ତରରେ ପହଂଚାଇବା ନେଇ ଆଲୋଚନା କରିଥିଲେ। ସେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଏକ ବୁଥ୍ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପରେ ଶ୍ରୀ ଚୁଗ୍ ରାଜ୍ୟ କାର୍ଯ୍ୟାଳୟରେ ଅନୁସୂଚିତ ଜାତି ମୋର୍ଚ୍ଚା ପଦାଧିକାରୀଙ୍କ ସହ ମୋର୍ଚ୍ଚାର ଆଗାମୀ ଦିନର ଋଣନୀତି ପ୍ରସ୍ତୁତି ପ୍ରସଙ୍ଗରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ଶ୍ରୀ ଚୁଗ୍ ଦଳର ନିର୍ବାଚିତ ଜିଲ୍ଲା ପରିଷଦ ଓ ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନଙ୍କ ବୈଠକରେ ଯୋଗ ଦେଇ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେବା ସହ ଦଳୀୟ କାର୍ଯ୍ୟକ୍ରମ ଭିତ୍ତିରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ ।ଦଳୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗ ଏବଂ ସେଲର ଇନଚାର୍ଜମାନଙ୍କ ସହ ବୈଠକ କରି ସରକାରୀ ଯୋଜନା ଓ ଦଳର ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ। ସାଧାରଣ ଜନତାଙ୍କ ସମସ୍ୟାରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିବା ପାଇଁ ଆହ୍ୱାନ ଦେବା ସହ ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ସୁଦୃଢ଼ କରିବା ନେଇ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ଚୁଗ୍ ପରାମର୍ଶ ଦେଇଥିଲେ। ଶ୍ରୀ ଚୁଗ୍ ମଧ୍ୟ ନିଜ ଗସ୍ତ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅନେକ ଅଭିଯୋଗ ଲାଗିଥିଲେ । କେନ୍ଦ୍ରୀୟ ଯୋଜନାକୁ କପି ପେଷ୍ଟ କରି ନିଜର ଆତ୍ମପ୍ରଚାର କରିବା, କେନ୍ଦ୍ରୀୟ ଅର୍ଥରେ ନିଜ ପୋଷ୍ଟର ମାରି ବାହା ବାହା ନେବା, ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା ଓ କୃଷକ ସମ୍ମାନନିଧିରେ ଚଞତଚକତା କରି ବ୍ୟାପକ ଘୋଟଲା ପ୍ରସଙ୍ଗରେ ଶ୍ରୀ ଚୁଗ୍ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ ।

ବିଳମ୍ବରେ ହେବ ପଂଚାୟତ ନିର୍ବାଚନ, ସରକାର ବାଣ୍ଟିବେ ‘ବିଜୁ କାର୍ଡ’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କରୋନା ମହାମାରୀର ତୃତୀୟ ଲହର ସଂକ୍ରମଣ ଆଶଙ୍କା ଓ ଅନ୍ୟାନ୍ୟ ପ୍ରଶାସନିକ କାରଣକୁ ଆଳ କରି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପଂଚାୟତ ନିର୍ବାଚନକୁ ଧାର୍ଯ୍ୟ ସମୟରେ କରାଇବେ ନାହିଁ। ପଂଚାୟତ ନିର୍ବାଚନ ପ୍ରକ୍ରିୟା ୨୦୨୦ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ସାରିବାର ସମୟସୀମା ଥିଲେ ମଧ୍ୟ ଏହାକୁ ୩ରୁ ୬ମାସ ଗଡ଼ାଇବାକୁ ଶାସକ ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରି ଗ୍ରାମାଂଚଳର ଲୋକଙ୍କ ପୁନଃ ଆସ୍ଥାଭାଜନ ହେବା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଜଣାପଡ଼ିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ଓ ସାଂଗଠନିକ ବାଧ୍ୟବାଧକତା ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ପଂଚାୟତ ନିର୍ବାଚନର ପ୍ରଚାରକୁ ଜୋରଦାର କରାଇ ବିଜେଡି ନେତୃତ୍ୱ ଏବେ ଦଳ ଭିତରେ ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ କରିଛନ୍ତି। ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା କ୍ଷୀଣ ଓ ‘ବିନା ପ୍ରସବରେ ଫଲସ୍ ପେନ୍‌’ ବୋଲି ମନ୍ତ୍ରୀ ଆଶାୟୀ ଦଳୀୟ ନେତାମାନେ ଅବଗତ ହୋଇସାରିଛନ୍ତି। ତେବେ ଏସବୁ ମଧ୍ୟରେ ବିଜେଡି ନେତୃତ୍ୱ ଏବେ ଗ୍ରାମାଂଚଳରେ ସଂଗଠନକୁ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ପୁନଃ ଆସ୍ଥାଭାଜନ ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାରୀ ସୂତ୍ର ଅନୁସାରେ, ପଂଚାୟତ ନିର୍ବାଚନ ଧାର୍ଯ୍ୟ ସମୟରେ ହେବ ନାହିଁ। ୨୦୨୨ ମାର୍ଚ୍ଚ ୧୦ତାରିଖରେ ବର୍ତ୍ତମାନର ନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବାପରେ ହିଁ ପଂଚାୟତ ଗୁଡ଼ିକ ସରକାରଙ୍କ ଅଧୀନକୁ ଚାଲିଆସିବ ଓ ପ୍ରଶାସକଙ୍କୁ ନିଯୁକ୍ତି ଦେଇ ଗାଁ ଗହଳିରେ ବିକାଶମୂଳକ କାର୍ଯ୍ୟକୁ ୨-୩ମାସ ଧରି ବ୍ୟାପକ କରାଯିବ। ଆଉ ଖାସ୍ ସେଇଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ୪ମାସ ବିତିଯାଇଥିଲେ ସୁଦ୍ଧା ପଂଚାୟତଗୁଡ଼ିକୁ ସରକାରୀ ଅନୁଦାନ ଦିଆଯାଇପାରି ନାହିଁ । ବିଜେଡି କର୍ମୀମାନଙ୍କୁ ଛୋଟ ଛୋଟ ଠକା କାମ ବାଣ୍ଟି ସେମାନଙ୍କୁ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ଗତ ଦେଢ଼ବର୍ଷର କରୋନା ମୁକାବିଲାକୁ ନେଇ ଗାଁ ଗହଳିରେ ଲୋକଙ୍କ ମଧ୍ୟରେ ସରକାର ଓ ପ୍ରଶାସନ ପ୍ରତି ଦେଖାଦେଇଥିବା ଆକ୍ରୋଶକୁ ପ୍ରଶମିତ କରିବାକୁ ସୁଯୋଗ ଅପେକ୍ଷାରେ ବିଜେଡି ସରକାର ରହିଛନ୍ତି। କରୋନା ମହାମାରୀବେଳେ ସାଧାରଣ ଲୋକଙ୍କୁ ଚିକିତ୍ସା ସୁବିଧା, ରୋଜଗାର ଓ ଅନ୍ୟାନ୍ୟ ସୁବିଧା ଦେବାରେ ପଂଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିମାନେ ଅଧିକାଂଶ ସ୍ଥାନରେ ବିଫଳ ହୋଇଥିବାରୁ ପଂଚାୟତ ନିର୍ବାଚନ ଉପରେ ତା’ର ପ୍ରଭାବ ପଡ଼ିବାର ଆଶଙ୍କା ବିଜେଡି ନେତୃତ୍ୱ କରୁଛନ୍ତି। ଯେଉଁଥିପାଇଁ ପଂଚାୟତ ନିର୍ବାଚନ ତାରିଖକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ନକରି ଆଇନଗତ ସମସ୍ୟାର ଆଳ ଦେଖାଇ ପ୍ରାୟ ୬ମାସ ଗଡ଼ାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି।
ତେବେ ଏସବୁ ପୂର୍ବରୁ ବିଜେଡି ସରକାର ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସାମିଲ ହିତାଧିକାରୀ ପରିବାରଗୁଡ଼ିକୁ ଡେବିଟ୍ କାର୍ଡ ଆକାରର କାର୍ଡ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଯେଭଳି ଗାଁ ଗହଳିରେ ‘ବିଜୁ କୃଷକ କଲ୍ୟାଣ ଯୋଜନା’ ଓ ‘ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଡ ବାଣ୍ଟିଥିଲେ ଏବେ ସେହି ଢଙ୍ଗରେ ବ୍ୟାପକ ଭାବେ ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ର ହିତାଧିକାରୀମାନଙ୍କୁ କାର୍ଡ ବାଣ୍ଟିବେ । ‘ବିଜୁ କାର୍ଡ’ ନାଁରେ ଏହି କାର୍ଡରେ ଗରିବ ହିତାଧିକାରୀ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କୁ ୭ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସବୁବର୍ଗର ଲୋକଙ୍କୁ ମାଗଣାରେ ସମସ୍ତ ସରକାରୀ ହସ୍ପିଟାଲରେ ଚିକିତ୍ସା ଓ ଔଷଧ ସୁବିଧା ଦିଆଯାଉଥିବାବେଳେ ରାଜ୍ୟର ପ୍ରାୟ ୭୦ଲକ୍ଷ ଗରିବ ପରିବାରକୁ ଅତିରିକ୍ତ ଭାବେ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ବାର୍ଷିକ ୫ଲକ୍ଷ ଓ ୭ଲକ୍ଷ ଟଙ୍କାର ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ୧୮୩ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରିଛନ୍ତି ଓ ସେଠାରେ ୪୦୩୬ଟି ପ୍ରକାର ପ୍ୟାକେଜ୍ ହିସାବରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡଧାରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ଅର୍ଥ ବାଦ୍ ଅଧିକ ଆବଶ୍ୟକ ପଡ଼ିଲେ ସରକାରୀ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ମଧ୍ୟ ଅର୍ଥ ଗରିବ ହିତାଧିକାରୀଙ୍କୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦିଓ ଏବେ ଏହି ଚିକିତ୍ସା ପାଣ୍ଠି ବନ୍ଦ ରହିଛି। ବିଜେଡି ନିଜର ବିଧାୟକମାନଙ୍କ ଭରସାରେ ପଂଚାୟତ ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁନଥିବା ତଥା ୨୦୧୭ ମସିହାର ତ୍ରୁଟିକୁ ଦୋହରାଇବାକୁ ଚାହୁଁନଥିବାରୁ ବିଜେଡି ରଣନୀତିକାର ଏବେ ସିଧାସଳଖ ଭୋଟରଙ୍କ ସହ ଯୋଡ଼ି ହେବାକୁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର ମୋଟ ପ୍ରାୟ ୮୫ଲକ୍ଷ ଗ୍ରାମାଂଚଳ ପରିବାର ଥିବାବେଳେ ପଂଚାୟତ ନିର୍ବାଚନ ପୂର୍ବରୁ ଗାଁ ଗହଳିରେ ଶିବିରମାନ ଆୟୋଜନ କରି ପ୍ରାୟ ୭୦ଲକ୍ଷ ପରିବାର(ହିତାଧିକାରୀ)ଙ୍କୁ ଏହି ‘ବିଜୁ କାର୍ଡ’ ବାଣ୍ଟିବା ଓ ଆବଶ୍ୟକ ସ୍ଥଳେ ନୂଆ ହିତାଧିକାରୀଙ୍କୁ ମଧ୍ୟ ଏହି କାର୍ଡ ଦେବାକୁ ସରକାର ଲକ୍ଷ୍ୟ ରଖାଯାଇଛି। ତେଣୁ ବିଜୁ କାର୍ଡ ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡି ପାଇଁ ‘ଟ୍ରମ୍ପ୍ କାର୍ଡ’ ହେବ ବୋଲି ଆକଳନ କରାଯାଉଛି।

ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଲୁହାପଥର ଚୋରି ଅଭିଯୋଗ…!

!!! କେନ୍ଦୁଝର ଜିଲ୍ଲା ଯୋଡା ରୁ ରବୀନ୍ଦ୍ର ଖମଣଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଯୋଡା)- କେନ୍ଦୁଝର ଜିଲ୍ଲାରେ ଖଣି ଚୋରି କିଛି ନୂଆ କଥା ନୁହେଁ। ପୂର୍ବରୁ ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ଅଭିଯୋଗ ହୋଇଥିଲା।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ କରି ହଜାର ହଜାର କୋଟି ଟଙ୍କାର ଜୋରିମାନା ନିର୍ଦେଶ ଦେଇଥିଲେ। କେତେକ କମ୍ପାନୀ ଜୋରିମାନା ଟଙ୍କା ଦେଇ ଥିବାବେଳେ ଆଉ କେତେକ ବର୍ତ୍ତମାନ ପର୍ଯ୍ୟନ୍ତ ଜୋରିମାନା ଟଙ୍କା ପୈଠ କରିନାହାନ୍ତି। ଏହା ସତ୍ତ୍ୱେ ମଧ୍ୟ କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲ୍ଲଂଘନ କରି  ରାତିରେ ଟ୍ରକରେ ଲୁହାପଥର ଲୋଡ଼ କରିବା ନେଇ  ଭିଡ଼ିଓ ଭାଇରାଲ ହୋଇଛି। ଶୁଆକାଠି ସ୍ଥିତ ଓଏମସି ଖଣିରେ ଡିଜିଏମ ଥିବା ବ୍ୟକ୍ତିଙ୍କୁ ଆରଏମ ଦାଇତ୍ୱ ଦିଆଯାଇଥିବାବେଳେ ସେ କେନ୍ଦୁଝର ଜିଲ୍ଲାର ଟ୍ରକ ମାଲିକଙ୍କୁ ବିଭିନ୍ନ ସମସ୍ୟାରେ ପକାଉଥିବା ବହୁ ଟ୍ରକ ମାଲିକ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ବାହାନାରେ ଓଏମସି ଖଣିରେ ଚଳାଇଛନ୍ତି ଆତଙ୍କରାଜା। ସରକାରଙ୍କ ନିୟମକୁ ଭାଙ୍ଗି ସରକାରଙ୍କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ନିଜ ମନ ମୁତାବକ ନିୟମ କରି ଟ୍ରକ ମାଲିକଙ୍କ ଉପରେ  ଲଦି ପକାଉଛନ୍ତି । କେତେବେଳେ ଖଣି ପରିସର ବାହାରେ ୫ରୁ ୭ କିଲୋମିଟର ଦୂରରେ ଜାତୀୟ ରାଜପଥରେ ଥିବା ଟ୍ରକକୁ କଳା ତାଲିକା ଭୁକ୍ତ କରୁଛନ୍ତି ତ କେତେବେଳେ ଖଣି ମଧ୍ୟରେ ସରକାରଙ୍କ ନିୟମ କୁ ଭଙ୍ଗ କରି ରାତିରେ ଟ୍ରକରେ ଲୁହାପଥର ବୋଝେଇ କରି ଗାଡିକୁ ବାହାରକୁ ପଠାଇ ଦେଉଛନ୍ତି ।ସରକାରଙ୍କ ନିୟମ ଅନୁଯାୟୀ ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ଯାଏଁ ଲୁହାପଥର ଲୋଡ଼ ହେବା କଥା। ହେଲେ ରାତିରେ କେଉଁ ସୂର୍ଯ୍ୟ ଉଦୟ ହୋଇଥିଲା ଯେ ଟ୍ରକରେ ଲୁହାପଥର ଲୋଡ଼ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରକ ମାଲିକ । କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘରେ ପଞ୍ଜିକୃତ ଟ୍ରକ ମାଲିକଙ୍କ ପାଇଁ ଗୋଟିଏ ନିୟମ ଏବଂ ଶୁଆକାଠି ସ୍ଥିତ ଟ୍ରକ ମାଲିକ ସଙ୍ଘ ପାଇଁ ଅହେତୁକ ଅନୁକମ୍ପା ଦେଖାଇ ଯାଇଥିବା  ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ।

ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସାଂସଦ ଦୋଷୀ ସାବ୍ୟସ୍ତ, ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଏକ ବିରଳ ଘଟଣାକ୍ରମରେ ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନାଁ ମଲୋଥ କବିତା। ୨୦୧୯ରେ ତେଲେଙ୍ଗାନାର ମେହବୁବାବାଦ ଆସନରୁ ସେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ନମପାଲୀରେ ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା ଏକ ସ୍ୱତନ୍ତ୍ର କୋର୍ଟ ସାଂସଦ ମଲୋଥ କବିତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ମଲୋଥ କବିତା ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଥିଲେ। ଏହି ମାମଲାର ପ୍ରଥମ ଅଭିଯୁକ୍ତ ଥିଲେ ଦଳୀୟ କର୍ମୀ ତଥା କବିତାଙ୍କ ସହଯୋଗୀ ସୌକତ ଅଲି। ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ବି ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଯାଇଥିବା ବେଳେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ତେବେ ଉଭୟ ସାଂସଦ ମଲୋଥ କବିତା ଓ ତାଙ୍କ ସହଯୋଗୀ ସୌକତ ଅଲୀଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ସେମାନେ ତଳ କୋର୍ଟର ଏହି ରାୟ ବିରୋଧରେ ଉଚ୍ଚ କୋର୍ଟରେ ଆବେଦନ କରିପାରିବେ। ୨୦୧୯ରେ ସାଧାରଣ ନିର୍ବାଚନ ବେଳେ ଇଲେକ୍ସନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କ୍ୱାଡ୍‌ ହାତରେ ସୌକତ ଅଲି ଧରା ପଡ଼ିଥିଲେ। ସେ ଭୋଟରଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁ ଥିବା ବେଳେ ଧରା ପଡ଼ିଥିଲେ। କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଲୋକଙ୍କୁ କହି ସେ ଟଙ୍କା ବାଣ୍ଟୁଥିଲେ। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ସୌକତ ଅଲୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ସାଂସଦ ମଲୋଥ କବିତା ତାଙ୍କୁ ଟଙ୍କା ଦେଇଥିବା ସେ କହିଥିଲେ।

ଚାଷୀଙ୍କ କେସ୍‌ ଲଢ଼ିବାକୁ ଓକିଲ ବାଛିଲେ କେଜ୍ରିୱାଲ, ଅଗ୍ରାହ୍ୟ କରିଦେଲେ ଉପରାଜ୍ୟପାଳ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବକ୍ଷୋଭ କରି ବିଭିନ୍ନ ମାମଲାରେ ଫସିଥିବା ଚାଷୀଙ୍କ ନାଁରେ ହୋଇଥିବା କେସ୍‌ ପାଇଁ ଦିଲ୍ଲୀ ସରକାର ଏକାଧିକ ଓକିଲଙ୍କୁ ନେଇ ପ୍ୟାନେଲ ଗଠନ କରିଥିଲେ। ଏହି ପ୍ୟାନେଲ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ଲଢ଼ିବାର ଥିଲା। କିନ୍ତୁ ଏ ସଂକ୍ରାନ୍ତ ଫାଇଲକୁ ଉପ ରାଜ୍ୟପାଳ ଅନୀଲ ବୈଜଲ ଅଗ୍ରାହ୍ୟ କରି ଦେଇଛନ୍ତି। ଉପ ରାଜ୍ୟପାଳଙ୍କ ଏପରି ପଦକ୍ଷେପ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ଦିଲ୍ଲୀ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ଉପ ରାଜ୍ୟପାଳ ଅଗ୍ରାହ୍ୟ କରିଛନ୍ତି। ଉପ ରାଜ୍ୟପାଳଙ୍କ ଏପରି ପଦକ୍ଷେପ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ। ଦିଲ୍ଲୀବାସୀ ଐତିହାସିକ ଜନମତ ସହ ଆପ୍‌ ସରକାରଙ୍କୁ ଚୟନ କରିଥିଲେ। ସେମାନେ ବିଜେପିକୁ ହରାଇ ଥିଲେ। ବିଜେପି ଦେଶକୁ ଚଳାଉଥିବା ବେଳେ ଲୋକେ ଆପ୍‌କୁ ଦିଲ୍ଲୀ ଚଳାଇବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଦୈନିନ୍ଦିନ ସରକାରୀ କାର୍ଯ୍ୟରେ ଏପରି ହସ୍ତକ୍ଷେପ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ। ବିଜେପି ଗଣତନ୍ତ୍ରକୁ ସମ୍ମାନ ଜଣାଉ।” କେଜ୍ରିୱାଲଙ୍କ ଦିଲ୍ଲୀ ସରକାର ଚୟନ କରିଥିବା ଏକାଧିକ ଓକିଲଙ୍କ ପ୍ୟାନେଲକୁ ଅଗ୍ରାହ୍ୟ କରି ଉପ ରାଜ୍ୟପାଳ ଦିଲ୍ଲୀ ପୁଲିସ୍‌ ଦ୍ୱାରା ଚୟନ ହୋଇଥିକା ଗୋଟିଏ ଟିମ୍‌କୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ପୁଲିସ୍‌ ସିଧାସଳଖ କେନ୍ଦ୍ରକୁ ରିପୋର୍ଟ କରୁଥିବା ବେଳେ ଉପ ରାଜ୍ୟପାଳ ଜାଣିଶୁଣି ଏପରି ପଦକ୍ଷେପ ନେଇଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀ କ୍ୟାବିନେଟ ଏକାଧିକ ଓକିଲଙ୍କୁ ଚୟନ କରି ଗଠନ ହୋଇଥିବା ପ୍ୟାନେଲକୁ ଅନୁମୋଦନ କରିଥିଲା। ଏମାନେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସରକାରୀ ଓକିଲ ଭାବେ ଜାନୁଆରୀ ୨୬ ଘଟଣାରେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ଗୁଡ଼ିକ ଲଢ଼ିବାର ଥିଲା। ହେଲେ ଏହି ପ୍ରସ୍ତାବକୁ ଉପ ରାଜ୍ୟପାଳ ଅଗ୍ରାହ୍ୟ କରିବା ସହ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଓକିଲଙ୍କୁ ନେଇ ଗଠିତ ପ୍ୟାନେଲକୁ ଅନୁମୋଦନ କରିଥିଲେ। ଦିଲ୍ଲୀ ପୁଲିସ୍ ୧୧ ଜଣ ଓକିଲଙ୍କୁ ନେଇ ପ୍ୟାନେଲ ଗଠନ କରିଛି।

ସୋମବାର ଠାରୁ ଖୋଲିବ ସିନେମା ହଲ୍‌, ୧୦୦% କ୍ଷମତାର ସହ ଚାଲିବ ବସ୍‌

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କରୋନା ସଂକ୍ରମଣ କମୁଥିବାରୁ ଜାତୀୟ ରାଜଧାନୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଜାରି କରିଥିବା ନୂଆ ଗାଇଡଲାଇନ ଆସନ୍ତା ସୋମବାର ଠାରୁ କାର୍ଯ୍ୟକାରୀ ହେବ। ନୂଆ ଗାଇଡଲାଇନ ଅନୁଯାୟୀ, ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ ଖୋଲିବ। ତେବେ ୫୦% ଦର୍ଶକ ହିଁ ଏକକାଳୀନ ଫିଲ୍ମ ଦେଖିପାରିବେ। ସମସ୍ତ ମାସ୍କ ପିନ୍ଧିବେ ଓ ଗୋଟିଏ ଶୋ’ ପରେ ହଲକୁ ସାନିଟାଇଜ୍‌ କରି ଦ୍ୱିତୀୟ ଦଫାରେ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହି ନିୟମ ଥିଏଟର ଓ ମଲ୍ଟିପ୍ଲେକ୍ସ ପାଇଁ ମଧ୍ୟ ଲାଗୁ ହେବ। ବିଜନେଶ ଟୁ ବିଜନେଶ ପ୍ରଦର୍ଶନୀକୁ ମଧ୍ୟ ଆରମ୍ଭ କରାଯିବ। ହେଲେ ଏଥିରେ କେବଳ ବ୍ୟବସାୟ ସହ ଜଡ଼ିତ ଦର୍ଶକ ହିଁ ଆସିପାରିବେ। ଗାଇଡଲାଇନରେ ସ୍ପାଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯାଇଛି। ଏଠାରେ ସଂକ୍ରମଣକୁ ରୋକିବା ପାଇଁ ଜାରି ପ୍ରୋଟକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସ୍ପାର କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ ଓ ସ୍ପା ଖୋଲିବା ପୂର୍ବରୁ ସେମାନଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହୋଇଥିବ। ସୋମବାର ଭୋର ୫ଟାରୁ ଦିଲ୍ଲୀର ମେଟ୍ରୋ ଓ ଡିଟିସି ବସ୍‌ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସେବା ଆରମ୍ଭ କରିବ। ଯେତିକି ସିଟ୍‌ ସେତିକି ଲୋକ ବସ୍‌ ଓ ମେଟ୍ରୋରେ ଯିବା ଆସିବା କରିପାରିବେ। କେହି ବି ଛିଡ଼ା ହୋଇ ଯାତାୟାତ କରିପାରିବେ ନାହିଁ। ବସ୍‌ ଓ ମେଟ୍ରୋରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସେହିପରି ଏଗୁଡ଼ିକୁ ନିୟମିତ ସାନିଟାଇଜ ମଧ୍ୟ କରାଯିବ।

ଗାଇଡଲାଇନରେ ଆଉ କ’ଣ ସବୁ କୁହାଯାଇଛି

୧-ସମସ୍ତ ମାର୍କେଟ, ମାର୍କେଟ କମ୍ପ୍ଲେକ୍ସ ଓ ମଲ ଗୁଡ଼ିକ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବ।

୨-ରେଷ୍ଟୁରାଷ୍ଟଗୁଡ଼ିକ ସକାଳ ୮ଟାରୁ ରାତି ୧୦ଟା ଯାଏ ଏକକାଳୀନ ୫୦% ଲୋକଙ୍କୁ ବସାଇ ଖାଇବାକୁ ଦେଇପାରିବେ।

୩-ବାର ଗୁଡ଼ିକ ୫୦% ଲୋକଙ୍କୁ ବସାଇ ଦିନ ୧୨ଟାରୁ ରାତି ୧୦ଟା ଯାଏ ସେବା ଯୋଗାଇବେ।

୪-୫୦% ଦର୍ଶକଙ୍କୁ ନେଇ ସିନେମା ହଲ/ ଥିଏଟର ଓ ମଲ୍ଟିପ୍ଲେକ୍ସ ଚାଲିବ।

୫-ଦିଲ୍ଲୀ ମେଟ୍ରୋର ପରିବହନ ସେବା କୋଚ୍‌ର ୧୦୦% କ୍ଷମତାକୁ ନେଇ ଚାଲିବ।

୬-ଶୁଦ୍ଧିକ୍ରିୟାରେ ସର୍ବାଧିକ ୧୦୦ ଜଣ ଯୋଗ ଦେଇପାରିବେ।

୭-ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବେ।

୮-ଧାର୍ମିକ ଅନୁଷ୍ଠାନ ଖୋଲିବ। କିନ୍ତୁ କୌଣସି ଲୋକ ଆସିପାରିବେ ନାହିଁ।

୯-ଶିକ୍ଷାନୁଷ୍ଠାନ ପୂର୍ବଭଳି ବନ୍ଦ ରହିବ।

୧୦- ଦିଲ୍ଲୀରେ କୌଣସି ରାଜନୀତିକ, ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସମାବେଶ ହୋଇପାରିବ ନାହିଁ।

କୋହଳ ହେଲା କଟକଣା, ଆଜିଠାରୁ ଖୋଲିବ ଧର୍ମାନୁଷ୍ଠାନ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନାର ସଂକ୍ରମଣ ହ୍ରାସ ପାଉଥିବାରୁ କର୍ଣ୍ଣାଟକା ସରକାର କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସରକାର ଆଜି ଘୋଷଣା କରିଛନ୍ତି। କେବଳ ଧର୍ମାନୁଷ୍ଠାନ ନୁହେଁ, ବରଂ ପାର୍କଗୁଡ଼ିକ ମଧ୍ୟ କାଲି ଠାରୁ ଖୋଲିବ। ନୂଆ ଗାଇଡଲାଇନ ଜାରି କରି କର୍ଣ୍ଣାଟକା ସରକାର କହିଛନ୍ତି, ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତକାଲି ଠାରୁ ଖୋଲିବ। ତେବେ ଏଠାକୁ ଆସୁଥିବା ଲୋକମାନେ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ପାଳନ କରିବାକୁ ବାଧ୍ୟ। ସାମାଜିକ ଦୂରତା ଠାରୁ ଆରମ୍ଭ କରି ସମସ୍ତେ ମାସ୍କ ପିନ୍ଧିବେ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯିବ। ତେବେ ମନ୍ଦିରରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀ ଓ ଶୋଭାଯାତ୍ରା ଆୟୋଜନ କରାଯାଇ ପାରିବ ନାହିଁ। ପାର୍କ ଗୁଡ଼ିକ ମଧ୍ୟ କରୋନା କଟକଣା ମଧ୍ୟରେ ଖୋଲା ଯାଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି।

କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ୧୭ଶହ ବର୍ଗ ଫୁଟ ଜମି ଦେଲା ଏହି ମସଜିଦ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ହିନ୍ଦୁ ମାନଙ୍କ ପବିତ୍ର ମାସ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ ମୁସଲିମ ସଂପ୍ରଦାୟ ପକ୍ଷରୁ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ବଡ଼ ଉପହାର ଦିଆଯାଇଛି। କାଶୀ ବିଶ୍ୱନାଥ ଧାମ(କରିଡର) ତିଆରି କରିବା ପାଇଁ ଜ୍ଞାନବାପି ମସଜିଦକୁ ଲାଗିଥିବା ୧୭ଶହ ବର୍ଗ ଫୁଟର ଜମିକୁ ମୁସଲିମମାନେ ଉପହାର ଆକାରରେ ମନ୍ଦିର ଟ୍ରଷ୍ଟକୁ ଦେଇଛନ୍ତି। ଏହି ଉପହାର ବଦଳରେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ମୁସଲିମ ସଂପ୍ରଦାୟଙ୍କୁ ଗୋଟିଏ ଜମି ଦିଆଯାଇଛି। ମନ୍ଦିର ପ୍ରଶାସନ ୧୦୦୦ ବର୍ଗ ଫୁଟର ଜମିକୁ ମୁସଲିମ ସଂପ୍ରଦାୟଙ୍କ ନାଁରେ କରି ଦେଇଛି। ଶୁକ୍ରବାର ବାରାଣସୀରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ହେଲେ ଉପହାର ଅଦଳବଦଳ ଡିଲ୍ ଜାନୁଆରୀ ୧୯ରେ ହିଁ ଶେଷ ହୋଇଥିଲା। ତେବେ କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପି ମସିଜିଦ ମଧ୍ୟରେ ପୂରା ପରିସରର ସର୍ଭେକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ବି କୋର୍ଟରେ ରହିଛି। ଏହାର ପରିସରକୁ ଏଏସ୍ଆଇ ପକ୍ଷରୁ ସର୍ଭେ କରିବାକୁ ଯୋଜନା ହୋଇଥିବା ବେଳେ ମାମଲା କୋର୍ଟରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ, ଜମି ଅଦଳବଦଳ ଡିଲ୍ ଜୁଲାଇ ୯ରେ ଚୂଡ଼ାନ୍ତ ହୋଇଥିଲା। ଜୁଲାଇ ୧୯ରେ ଜମି ପାଇଁ ଉତ୍ତର ପ୍ରଦେଶର ରାଜ୍ୟପାଳଙ୍କ ପକ୍ଷରୁ ଶ୍ରୀ କାଶୀ ବିଶ୍ୱନାଥ ଟ୍ରଷ୍ଟର ସିଇଓ ସୁନୀଲ କୁମାର ଓ ଅଞ୍ଜୁମ ଇନ୍ତେଜାମିୟା ମସଜିଦ ପକ୍ଷରୁ ଅବଦୁଲ ବାଟନି ନୋମାନି ଦସ୍ତଖତ କରିଥିଲେ। ମୁସଲିମଙ୍କ ପକ୍ଷରୁ ଦିଆଯାଇଥିବା ଜମି ୱାକଫ ବୋର୍ଡର ମାଲିକାନାରେ ରହିଥିଲା। ଏହି ଜମିରେ ଜ୍ଞାନବାପି-କାଶୀ ବିଶ୍ୱନାଥ ଟ୍ରଷ୍ଟର କଣ୍ଟ୍ରୋଲ ରୁମ ଥିଲା। କାଶୀ ବିଶ୍ୱନାଥ ଧାମ ପାଇଁ ଏହି ଜମିର ଆବଶ୍ୟକ ଥିବାରୁ ଆମେ ଏହାକୁ ଟ୍ରଷ୍ଟ ପକ୍ଷରୁ ମଗା ଯାଇଥିଲା। ଏହାବଦଳରେ ରାସ୍ତା କଡ଼ରେ ଥିବା ଗୋଟିଏ ଜମି ମଧ୍ୟ ମଳିବ ବୋଲି ପ୍ରସ୍ତାବ ଦିଆଯାଇଥିଲା।ଏଥିରେ ଜ୍ଞାନବାପି ମସଜିଦ ରାଜି ହୋଇଥିଲା। ଏଥିପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଛି। ଡିଲ୍‌ ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ଓ ସମସ୍ତ ବରିଷ୍ଟ ମୌଲବୀଙ୍କ ମତାମତ ମଧ୍ୟ ଲୋଡ଼ା ଯାଇଥିଲା। ସମସ୍ତେ ରାଜି ହେବା ପରେ ଡିଲ୍‌ ଫାଇନାଲ ହୋଇଥିବା ଜଣାପଡ଼ିଛି।

‘ମୁଁ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପିଏ… ସେ କମ୍ପାନୀକୁ ସହଯୋଗ କର’…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ‘ମୁଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପିଏ କହୁଛି.. ଆପଣ ରେଲଓ୍ୱେ ଜେନେରାଲ ମ୍ୟାନେଜର…ସେ କମ୍ପାନୀକୁ ଟିକିଏ ସହଯୋଗ କର ଆଉ କିଛି ବଦଳି କରିବାର ଥିଲା’। ଏଭଳି ଜଣେ ବ୍ୟକ୍ତି ନିକଟରେ ରେଲଓ୍ୱେ ଜେନେରାଲ ମ୍ୟାନେଜରଙ୍କୁ ଫୋନ୍ କରିଥିଲା। ଏବେ ଏହି ବ୍ୟକ୍ତି ଗିରଫ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କର ନାମ ସମର୍ଥ। ଦିଲ୍ଲୀର ଏହି ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କ ପିଏ କହି ରେଲଓ୍ୱେ ଜେନେରାଲ ମ୍ୟାନେଜରଙ୍କ ପାଖରୁ ନିଜ ସ୍ୱାର୍ଥ ସାଧନ କରିବାକୁ ଚେଷ୍ଟା କରିଥିଲା ବୋଲି ତଦନ୍ତ ପରେ ଜଣାପଡ଼ିଛି। ରେଳ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଜ୍ୟାନେରାଲ ମ୍ୟାନେଜରଙ୍କୁ ଏପରି ଫୋନ୍ ଆସିବା ପରେ ଡିଆରଏମ, ଜିଏମ୍ ଏବଂ ଫିଲ୍ଡ ୟୁନିଟଙ୍କୁ ଏ ବାବଦରେ ଅବଗତ କରାଯାଇଥିଲା। ପରେ ଏହି ବ୍ୟକ୍ତି ଉପରେ ନଜର ରଖାଯାଇଥିଲା। ଏବେ ସମର୍ଥ ଏବଂ ତାର ବାପା ଅଜୟଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଜାଲ ପରିଚୟ ଦେଇ ଠକିବାକୁ ଉଦ୍ଦେଶ୍ୟ ରଖିଥିବାରୁ ସମର୍ଥ ବିରୋଧରେ ମାମଲା ରୁଜୁ ହୋଇଛି। ତଦନ୍ତ ବେଳେ ସମର୍ଥ କରିଛି ଯେ ସେ ଏବଂ ତାର କିଛି ସାଙ୍ଗ ମିଶି ଗୋଟିଏ ଗ୍ରୁପ କରିଛନ୍ତି। ଏମାନେ ଚାକିରି ଦେବା ନାଁରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଫୋନ୍ କଲ୍ କରନ୍ତି ଏବଂ ଅନ୍ୟାନ୍ୟ କମ୍ପାନୀ ମାନଙ୍କୁ ଟିକିଏ ସପୋର୍ଟ କରିବାକୁ ନିବେଦନ କରନ୍ତି। ତେବେ ସମର୍ଥର ବାପା ଅଜୟ ଏହି ମାମଲାରେ ତାଙ୍କର ସଂପୃକ୍ତି ନାହିଁ ବୋଲି କହିଛନ୍ତି। ତାଙ୍କ ମୋବାଇଲରୁ ପୁଅ ସମର୍ଥ କରିଛି କେବଳ। ଅନ୍ୟ କୌଣସି ପ୍ରକାର ସଂପୃକ୍ତି ନାହିଁ ବୋଲି ଅଜୟ ଜେରା ବେଳେ କହିଥିବା ରେଳ ବିଭାଗ କହିଛି।

ବିଜୟରୁ ସିନ୍ଧୁଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ। ଆଜି ଖେଳା ଯାଇଥିବା ଏକ ଗ୍ରୁପ୍ ସ୍ତରୀୟ ମ୍ୟାଚ୍‌ରେ ସିନ୍ଧୁ ଇସ୍ରାଏଲ୍‌ର ସେନିଆ ପୋଲିକାର୍ପୋଭାଙ୍କୁ ସିଧାସଳଖ ୨୧-୭, ୨୧-୧୦ ଗେମ୍‌ରେ ପରାସ୍ତ କରିଛନ୍ତି। ମାତ୍ର ୨୯ ମିନିଟ୍‌ରେ ପୋଲିକାର୍ପୋଭାଙ୍କୁ ପରାସ୍ତ କରି ଦେଇଥିଲେ ସିନ୍ଧୁ। ସିନ୍ଧୁ ‘ଜେ’ ଗ୍ରୁପ୍‌ରେ ଥିବା ବେଳେ ଏଥିରେ ତାଙ୍କ ସହିତ ପୋଲିକାର୍ପୋଭା ଓ ହଂକଂର ଚଙ୍ଗ ନେଙ୍ଗ ୟି ଅଛନ୍ତି। ଏହି ଗ୍ରୁପ୍‌ରେ ସିନ୍ଧୁ ବିଜୟୀ ହୋଇ ନକ୍ଆଉଟ୍ ରାଉଣ୍ଡକୁ ଯିବେ ବୋଲି ଆଶା କରାଯାଉଛି।ମଙ୍ଗଳବାର (୨୭ ଜୁଲାଇ) ପୋଲିକାର୍ପୋଭା ଓ ଚଙ୍ଗ ନେଙ୍ଗ ୟିଙ୍କ ମଧ୍ୟରେ ମ୍ୟାଚ୍ ହେବ। ସିନ୍ଧୁ ତାଙ୍କ ପରବର୍ତ୍ତୀ ମ୍ୟାଚ୍ ବୁଧବାର (ଜୁଲାଇ ୨୮) ଚଙ୍ଗ ନେଙ୍ଗ ୟିଙ୍କ ସହିତ ଖେଳିବେ। ସୂଚନାଯୋଗ୍ୟ, ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ଭାରତ ନିରାଶ ହୋଇଛି। ମାନୁ ଭାକର ଓ ୟାଶ୍ୱିନୀ ସିଂ ଦେଶୱାଲ ଯୋଗ୍ୟତା ପର୍ଯ୍ୟାୟରେ ହାରି ଯାଇଛନ୍ତି। ଟେନିସରେ ମହିଳା ଡବଲ୍ସରେ ସାନିଆ ମିର୍ଜା ଓ ଅଙ୍କିତା ରୈନାଙ୍କ ଯୋଡ଼ି ହାରିଯାଇଛି। ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ୬-୦, ୬-୭, ୮-୧୦ ସେଟ୍‌ରେ ପରାସ୍ତ ହୋଇଛି। ତେବେ ରୋଇଂ ସେମିରେ ପହଞ୍ଚିଛନ୍ତି ଅର୍ଜୁନ ଲାଲ ଜାଟ୍ ଓ ଅରବିନ୍ଦ ସିଂହ। ସେମାନେ ରୋଇଂ ଲାଇଟ୍ୱେଟ୍ ଡବଲ ସ୍କଲ୍ସ ରିପଚେଜ-୨ରେ ସେମିକୁ ଉନ୍ନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଗତକାଲି ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ ମୀରାବାଈ ଚାନୁ। ସେ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେହିପରି ଭାରତୀୟ ପୁରୁଷ ହକି ଦଳ ଗତକାଲି ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ଦଳ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା।