ଆଗକୁ ଅନେକ ଆହ୍ୱାନ, ଏବେ ଖୁସି ହେବାର ସମୟ ନୁହେଁ: ମନମୋହନ ସିଂହ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଗକୁ ଦେଶ ପାଇଁ ଅଧିକ ଆହ୍ୱାନ ରହିଛି। ସରକାରଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଏବେ ଖୁସି କିମ୍ବା ଆନନ୍ଦ ହେବାର ସମୟ ନୁହେଁ, ବରଂ ଆଗାମୀ ଦିନରେ ଆସିବାକୁ ଥିବା ଆହ୍ୱାନକୁ କିଭଳି ସାମ୍ନା କରାଯାଇପାରିବ ସେ ନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ। ୧୯୯୧ ଅପେକ୍ଷା ଆହ୍ୱାନ ଏବେ ଅଧିକ ରହିଛ। ତେଣୁ ଗୋଟିଏ ଦେଶ ଭାବରେ ସରକାରଙ୍କ ଦାୟିତ୍ୱ ରହିଛି ପ୍ରତ୍ୟେକ ଭାରତୀୟଙ୍କୁ କିଭଳି ସୁସ୍ଥ ରହିପାରିବେ ଏବଂ ସମ୍ମାନଜନକ ଜୀବନ ବଞ୍ଚି ପାରିବେ। ଏବେ ଏହାର ରୋଡ୍ ମ୍ୟାପ ତିଆରି କରିବାର ସମୟ ଆସିଯାଇଛି। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଥିଲେ। ଏହା ପୂର୍ବରୁ ୧୯୯୧ରେ ପିଭି ନରସିମହା ରାଓଙ୍କ ସରକାରରେ ମନମୋହନ ଅର୍ଥମନ୍ତ୍ରୀ ଥିଲେ। ୨୪ ଜୁଲାଇ ୧୯୯୧ରେ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶରେ ଅର୍ଥନୀତିକ ଉଦାରୀକରଣର ମୂଳଦୁଆ ବୋଲି ବିବେଚନା କରାଯାଏ। ଏହି ଐତିହାସିକ ବଜେଟର ୩୦ ବର୍ଷ ପୂରଣ ଅବସରରେ ମନମୋହନ ସିଂ ଶୁକ୍ରବାର ଦେଶର ଅର୍ଥନୀତି ପ୍ରସଙ୍ଗରେ ମତ ରଖିଛନ୍ତି। ମନମୋହନ ସିଂ କହିଛନ୍ତି ଯେ କରୋନା ପାଇଁ ଅନେକ କ୍ଷତି ଘଟିଛି। ଲୋକେ ରୋଜଗାର ହରାଇଛନ୍ତି, ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବେକାରୀ ଦେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି।୩୦ ବର୍ଷ ପୂର୍ବେ କଂଗ୍ରେସ ଭାରତର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆରମ୍ଭ କରିଥିଲା। ଦେଶର ଅର୍ଥନୀତିକ ନୀତି ପାଇଁ ଦଳ ଏକ ନୂଆ ରାସ୍ତା ପ୍ରସ୍ତୁତ କରିଥିଲା। ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସରକାର ଆସିଛନ୍ତି। ଏହାକୁ ଅନୁସରଣ ମଧ୍ୟ କରିଛନ୍ତି। ତେଣୁ ଆଜି ଆମେ ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରେ ଗଣିତ ହୋଇପାରିଛୁ ବୋଲି ସେ କହିଛନ୍ତି। ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୩୦ କୋଟି ଭାରତୀୟ ନାଗରିକ ଦାରିଦ୍ର୍ୟରୁ ବାହାରକୁ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି। ୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନ ବେଳେ ଡକ୍ଟର ଭିକ୍ଟର ହ୍ୟୁଗୋ (ଫରାସୀ କବି)ଙ୍କ ଏକ ବିବୃତ୍ତିକୁ ମନେ ପକାଇ ଏବେ କହିଛନ୍ତି, ‘ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ତାହାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ୩୦ ବର୍ଷ ପରେ, ଗୋଟିଏ ରାଷ୍ଟ୍ର ଭାବରେ, ଆମକୁ ରୋବର୍ଟ ଫ୍ରଷ୍ଟ (ଆମେରିକାର କବି) ଙ୍କ ସେହି କବିତାକୁ ମନେ ରଖିବାକୁ ପଡିବ ଯେ ଆମେ ଲକ୍ଷ୍ୟ ପୂରଣ କରିବା ପରେ ମାଇଲ୍ ଯାତ୍ରା କରିବାକୁ ହେବ। ଏହାପରେ ଆମେ ଆଶ୍ୱସ୍ତ ହେବା ଉଚିତ ବୋଲି ମନମୋହନ କହିଛନ୍ତି।

ସଂସଦକୁ ନିର୍ବାଚିତ ନ ହୋଇ ବି ସଂସଦୀୟ ଦଳ ନେତା ହେଲେ ମମତା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ସଂସଦୀୟ ଦଳର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଦଳର ସାଂସଦ ଡେରେକ ଓ’ବ୍ରାଏନ୍ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଆସିବେ। ଏହାପୂର୍ବରୁ ହିଁ ତାଙ୍କୁ ଟିଏମସିର ସଂସଦୀୟ ଦଳର ଅଧ୍ୟକ୍ଷ କରାଯାଇଛି। ଜାତୀୟ ସ୍ତରରେ ନିଜର ଓ ନିଜ ଦଳକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ମମତା ଏପରି ପଦ ଗ୍ରହଣ କରିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ସୁପ୍ରିମୋ ମାନଙ୍କୁ ଭେଟିବେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ସମସ୍ତଙ୍କୁ ଏକାଠି କରିବାକୁ ମମତାଙ୍କ ଏହା ଏକ ପ୍ରୟାସ ବୋଲି କୁହାଯାଉଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମମତା ବାନାର୍ଜୀ ସଂସଦକୁ ନିର୍ବାଚିତ ହୋଇ ନାହାନ୍ତି। ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କୁ ଟିଏମସିର ସଂସଦୀୟ ଦଳର ଅଧ୍ୟକ୍ଷ କରାଯାଇଥିବାରୁ ସେ ଦଳୀୟ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ସେ ସଂସଦକୁ ନିର୍ବାଚିତ ନ ହୋଇ ମଧ୍ୟ ସଂସଦୀୟ ଦଳର ନେତୃତ୍ୱ ନେବାର ବିରଳ ରେକର୍ଡ କରିବେ। ଏହାପୂର୍ବରୁ ୧୯୯୮ରେ ସୋନିଆ ଗାନ୍ଧି ସଂସଦକୁ ନିର୍ବାଚିତ ନ ହୋଇ କଂଗ୍ରେସ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ। ଏହା ପରେ ସେ ଦଳର ମୁଖ୍ୟ ହୋଇଥିଲେ। ସୋନିଆଙ୍କ ରେକର୍ଡ ତାଲିକାରେ ମମତା ସାମିଲ ହୋଇଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଡେରେକ କହିଛନ୍ତି, “ମମତା ବାନାର୍ଜୀ ଆମ ତୃଣମୂଳ ସଂସଦୀୟ ଦଳର ଅଧ୍ୟକ୍ଷ ହେବେ। ଏକଥା ଆମେ ଔପଚାରିବ ଭାବେ ଘୋଷଣା କରୁଛୁ। ମମତା ବାନାର୍ଜୀ ୭ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ସଂସଦୀୟ ଦଳକୁ ମାର୍ଗଦର୍ଶନ ଦେଉଥିଲେ। ଏହା ଏକ ରଣନୀତିକ ନିଷ୍ପତ୍ତି।” ଅନ୍ୟପକ୍ଷରେ ସୋମବାର ମମତା ବାନାର୍ଜୀ ଦିଲ୍ଲୀ ଆସୁଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ସ୍ତରରେ ନିଜର ଚାପ ଛାଡ଼ିବା ପାଇଁ ସେ ଦିଲ୍ଲୀ ଆସୁଥିବା କୁହାଯାଉଛି। ମମତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଦିଲ୍ଲୀ ଆସିଛନ୍ତି। ସେ ମମତାଙ୍କ ଗସ୍ତର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ବିଜେପିକୁ ପଶ୍ଚିମବଙ୍ଗରେ ହରାଇବା ପରେ ମମତା ପ୍ରଥମଥର  ପାଇଁ ଦିଲ୍ଲୀ ଆସୁଛନ୍ତି। ତେଣୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

୨୪ ଜୁଲାଇ, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ।

ବୃଷ: କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। କାର୍ଯ୍ୟବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ମିଥୁନ: ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। କୌଣସି କାମ କରିବାକୁ ଆଗ୍ରହ ହେବ ନାହିଁ।

କର୍କଟ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିବେ। ମନ ଶାନ୍ତ ରହିବ।

ସିଂହ: ସାମ୍ବାଦିକମାନେ ସଫଳତା ପାଇବେ। ପରିବାରରେ ସମସ୍ତେ ଖୁସିରେ ରହିବେ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କାହା କଥାରେ ପଡ଼ି କୌଣସି ଭୁଲ୍ କାମ କରିପାରନ୍ତି।

ତୁଳା: ସାଙ୍ଗମାନଙ୍କ ସହିତ ହସଖୁସିରେ ଦିନଟି ବିତାଇବେ। କୌଣସି ଗଠନମୂଳକ କାର୍ଯ୍ୟ ହାତକୁ ନେବେ।
ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

ବିଛା: ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ଯେ କୌଣସିରେ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳ ହେବେ।

ଧନୁ: କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ପୁରାତନ ରୋଗରୁ ମୁକ୍ତି ମିଳିବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। କ୍ୟାରିୟରରେ ଉନ୍ନତି ହେବ।

କୁମ୍ଭ: ସାମାନ୍ୟ ଚେଷ୍ଟାରେ ହରାଇଥିବା ଧନ ଫେରି ପାଇବେ। କର୍ମକ୍ଷେତ୍ରରେ ଅନ୍ୟମାନେ ଆପଣଙ୍କ ସହଯୋଗ ଲୋଡ଼ି ପାରନ୍ତି।

ମୀନ: ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆର୍ଥିକ କ୍ଷେତ୍ରଟିକୁ ସୁଦୃଢ଼ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ।