ଗୋପାଳପୁର ଠାରେ ଟାଟା ପେକିଙ୍ଗ ୟୁନିଟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର/ଗୋପାଳପୁର) – ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଭିଡିଓ କନଫ୍ରେସିଙ୍ଗ ମଧ୍ୟମରେ ଗୋପାଳପୁର ନିକଟ ରଙ୍ଗେଇଲୁଣ୍ଡ ଠାରେ ଟାଟା କମ୍ପାନୀର ଏକ ପେକିଙ୍ଗ ୟୁନିଟ ଉଦ୍ଘାଟନ ହୋଇଯାଇଛି। ଏହା ଓଡିଶାର ସର୍ବ ବୃହତ ୟୁନିଟ ବୋଲି ଟାଟାର ଅଧିକାରୀ କହିଛନ୍ତି ଓ ଏହି ୟୁନିଟ ତିଆରି ନିମନ୍ତେ ୧୦୦ କୋଟି ଖର୍ଚ ହୋଇଥିବା ସୂଚନା ଦେଇଛନ୍ତି। ଏହି ପେକିଙ୍ଗ ୟୁନିଟ ହେବା ଦ୍ଵାରା ଗୋପାଳପୁର ସହ ଗଞ୍ଜାମ ଜିଲ୍ଲାର ବହୁ ଲୋକେ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ଥିବା ଦର୍ଶାଇବା ସହ ପ୍ରାୟ ୭୦୦ଲୋକ ଏହି ପେକିଙ୍ଗ ୟୁନିଟରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ପେକିଙ୍ଗ ୟୁନିଟ ରୁ ଓଡିଶାର ବିଭିନ୍ନ ସ୍ଥାନକୁ ଟାଟା ପ୍ରଡ଼କ୍ଟ ରପ୍ତାନି କରାଯିବ ବୋଲି କହିବା ସହ ଓଡିଶା ସରକାରଙ୍କ ସାହୋଯୋଗରେ ଏହି ୟୁନିଟ ଟି କାର୍ଯ୍ୟକାରି ହୋଇପାରି ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଏଓ,ଉପଜିଲ୍ଲାପାଳ ୱି କୀର୍ତି ଭାସନ ଓ ଟାଟା କୋମ୍ପାନିର ବହୁ ଅଧିକାରୀ ଏବଂ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସାନ ସିଦ୍ଧପଲ୍ଲୀ ରେ ବାଲ୍ୟବିବାହ କୁ ରୋକିଲା ପ୍ରଶାସନ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ସାନ ସିଦ୍ଧପଲ୍ଲୀ ଗ୍ରାମରେ ଏକ ବାଲ୍ୟବିବାହ କୁ ପ୍ରଶାସନ ଓ ଚାଇଲ୍ଡ ଲାଇନ ର ମିଳିତ ସହଯୋଗରେ ବନ୍ଦ କରାଯାଇଛି ।ସୂଚନା ଅନୁଯାୟୀ ସିଦ୍ଧପଲ୍ଲୀ ଗ୍ରାମର ଜଣେ ନାବାଳିକା କନ୍ୟା କୁ ସାନ ସିଦ୍ଧପଲ୍ଲୀ ଗ୍ରାମର ପିଣ୍ଟୁ ପ୍ରଧାନ (୨୫) ବିବାହ ପାଇଁ ନିଜ ଘରେ ଆଣି ରଖିଥିଲା।

ସୂଚନା ପାଇଁ ବେଗୁନିଆପଡ଼ା ସିଡିପିଓ ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ସନ୍ଧ୍ଯାରାଣୀ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟ ମାନେ ଆସି ବିବାହ ନକରିବା ପାଇଁ କହିଥିଲେ ।ଏବଂ ଝିଅ କୁ ବାପା ଘରକୁ ପଠାଇଥିଲେ ।ସରପଞ୍ଚ ସତୀଶ ରଞ୍ଜନ ତାରେଣୀ, ଅଙ୍ଗନୱାଡ଼ି ସୁପରଭାଇଜର, ବେଗୁନିଆପଡା ଫାଣ୍ଡି ପୋଲିସ ପକ୍ଷରୁ କନେଷ୍ଟବଳ ବାସୁଦେବ ସାହୁ ,ଜି ଆର୍ ଏସ୍ ସିତାରାମ ପଟ୍ଟନାୟକ, ଚାଇଲ୍ଡ ଲାଇନ ର ପରାମର୍ଶଦାତ୍ରୀ ପ୍ରିୟଙ୍କା ବେହେରା, ସଦସ୍ୟ ରଞ୍ଜିତ ବେହେରା, ଅଙ୍ଗନୱାଡି କର୍ମୀ ସୁଜ୍ଞାନୀ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଝିଅ ର ବାପା ମା ଝିଅ କୁ ସାଙ୍ଗରେ ନେଇ ନିଜ ଘର କୁ ଯାଇଥିଲେ ।

ଭୁଶୁଡ଼ିଲା ବେଗୁନିଆପଡ଼ା ନୂଆବନ୍ଧ ସୁରକ୍ଷା ପାଚେରୀ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବେଗୁନିଆପଡ଼ା ପଞ୍ଚାୟତର ସିଦ୍ଧେଶ୍ୱର ନୂଆବନ୍ଧ ପୋଖରି ର ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ପାଚେରୀ ବା ଗାର୍ଡ଼ ୱାଲ୍ ଭୁଶୁଡି ପଡିଛି । ନିମ୍ନମାନର କାମ ହୋଇଥିବା ଯୋଗୁଁ ବର୍ଷା ହେବାରୁ ଭୁଶୁଡି ପଡିଲା ପାଚେରୀ । ସବୁ ଠାରୁ ବଡ଼ କଥା ହେଲା ବିନା ସୂଚନା ଫଳକରେ ଭୁଶୁଡ଼ିଥିବା ପାଚେରୀ ନିର୍ମାଣ ଚାଲିଥିଲା । ଏହା ଭୁଶୁଡ଼ି ପଡ଼ିବା ନିମ୍ନମାନର କାମକୁ ସ୍ପଷ୍ଟ କରୁଛି। ଆଉ ଏହି ନୂଆ ବନ୍ଧ ରାସ୍ତା ଦେଇ ବହୁ ଲୋକ ଯାତାୟାତ କରନ୍ତି । ପାଚେରୀ ଭୁଶୁଡ଼ି ପଡ଼ିବା ଉଭୟ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଆଉ ଶୋଇ ରହିଛନ୍ତି ସହକାରୀ ଯନ୍ତ୍ରୀ । ଜନସାଧାରଣ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି । ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା ଙ୍କୁ ପଚାରିବାରୁ ସେ ଦେଖୁଛି କହି କାମ ସାରିବାକୁ ଚେଷ୍ଟା କରିଛନ୍ତି ଏବଂ କେତେ ଟଙ୍କା ର କାର୍ଯ୍ୟ ତାଙ୍କର ମନେ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ କେବଳ ଭିତ୍ତିପ୍ରସ୍ତର ସ୍ଥାପନ ଫଳକ ଥିବା ବେଳେ ସୂଚନା ଫଳକ ନଥିବା ହେତୁ ଲୋକେ କେତେ ଟଙ୍କା ର କାମ ଆଉ କିପରି କାମ ହେବ ଜାଣିପାରୁନଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ସହକାରୀ ଯନ୍ତ୍ରୀ କିପରି କାମ ତଦାରଖ କରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ନିରପେକ୍ଷ ତଦନ୍ତ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି । ଏ ନେଇ ବେଗୁନିଆପଡ଼ା ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ମାଝୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଡିପାର୍ଟମେଣ୍ଟ ତରଫରୁ କାମ ହେଉଛି ଏବଂ ସୁରକ୍ଷା ପାଚେରୀ ବା ଗାର୍ଡ ୱାଲ କାର୍ଯ୍ୟ ଭୁଶୁଡି ଯିବା କଥାକୁ ସ୍ଵୀକାର କରିଛନ୍ତି । ଏ ନେଇ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ମଲ୍ଲିକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସେ ଫୋନ୍ ରିସିଭ୍ କରି ନ ଥିଲେ । ଦେଖାଯାଉ ଆଗକୁ କଣ ହେଉଛି ଦେଖିବାକୁ ତାହା ବାକି ରହିଲା ?

କର୍ମଚାରୀ ଅଭାଵ ଓ ଇଣ୍ଟରନେଟର ସମସ୍ୟା ପଟ୍ଟା ଓ ପ୍ରମାଣପତ୍ର ଦେବାରେ ସାଜୁଛି ବାଧକ – ତହସିଲଦାର

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲରେ ଜାତିଗତ ପ୍ରମାଣପତ୍ର ,ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର,ବାର୍ଷିକ ଆୟ ପ୍ରମାଣପତ୍ର ପାଇବାରେ ଅହେତୁକ ବିଳମ୍ବ ହେଉଥିବା ନେଇ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ଜନ ସେବା କେନ୍ଦ୍ର ମାଧ୍ୟମରେ ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଆବେଦନ କରିବା ପରେ ଏହାକୁ ପାଇବା ପାଇଁ ଆବେଦନ କାରୀ ବାରମ୍ବାର ତହସିଲ କାର୍ଯ୍ୟାଳୟ କୁ ସମସ୍ତ କାମ ଛାଡି ଯାଇ ନୟାନ୍ତ ହୋଇପଡୁଥିବା ଅଭିଯୋଗ ଉଠୁଛି। ଜନ ସେବା କେନ୍ଦ୍ର ରେ ସମସ୍ତ ସଠିକ କାଗଜ ପତ୍ର ଦାଖଲ କରାଯିବା ପରେ ମଧ୍ୟ ଅତିରିକ୍ତ ତହସିଲଦାର ଙ୍କ ନିକଟରେ ଏହା ବହୁଦିନ ଧରି ପଡିରହୁଥିବା କାରଣରୁ ଏହା ଙ୍କ କାର୍ଯ୍ୟ ଶୈଳୀ କୁ ସାଧାରଣ ନା ପସନ୍ଦ କରିଛନ୍ତି । ଏନେଇ ଅତିରିକ୍ତ ତହସିଲଦାର ଶ୍ରୀ କିପିଳେଶ୍ୱର ତାଣ୍ଡି ଙ୍କ ସହ ଯୋଗାଯୋଗ କରିବାରୁ ଆବେଦନକାରି ଙ୍କ ଦରଖାସ୍ତ ରେ ଯେଉଁ ବିଷୟ ଗୁଡିକ ର ତୃଟି ରହିଥାଏ ଏହାକୁ ସଂଶୋଧିତ କରି ପୁନରପି ଦାଖଲ କରିବା ନିମନ୍ତେ କୁହାଯାଉଥିବା ବେଳେ ଏଗୁଡିକ ପୁନ ସଂଶୋଧନ ହୋଇ ଆସିବାରେ ବିଳମ୍ବ ହେଉଥିବାରୁ ପ୍ରମାଣ ପତ୍ର ଗୁଡ଼ିକ ଦେବାରେ ବିଳମ୍ବ ଘଟୁଛି।ଅପର ପକ୍ଷରେ ଯେଉଁ ଆବେଦନ ପତ୍ର ଗୁଡିକ ସଠିକ ଭାବେ ଦାଖଲ କରାଯାଉଛି ସେଗୁଡିକୁ ସରକାର ଙ୍କ ନିୟମାନୁଯାୟୀ ଉଚିତ ସମୟରେ ପ୍ରଦାନ କରାଯାଉଛି।ଏଥିରେ ମୋର କିମ୍ବା ଅଧୀନସ୍ଥ କର୍ମଚାରୀ ଙ୍କ କୌଣସି ବିଳମ୍ବ କରିବାର କିମ୍ବା ଆବେଦନ କାରୀଙ୍କୁ ହଇରାଣ କରିବାର ମତଲବ ନାହଁ। ଜନ ସାଧାରଣ ଙ୍କ ପକ୍ଷରୁ ପଟ୍ଟା ନିମନ୍ତେ ଆବେଦନ କରାଯାଉଥିବା ବେଳେ ସରକାର ଙ୍କ ଗୋଟିଏ ଦିନରେ ପଟ୍ଟା ଦେବା ବ୍ୟବସ୍ଥା ଥିବା ସତ୍ତ୍ୱେ ଆବେଦନକାରି ବହୁ ବିଳମ୍ବ ରେ ପଟ୍ଟା ପାଉଥିବା ନେଇ ଉଠିଥିବା ଅଭିଯୋଗ ର ପ୍ରତିକ୍ରିୟା ରେ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି କି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ତହସିଲ ପକ୍ଷରୁ ବିଭିନ୍ନ ପ୍ରମାଣ ପତ୍ର ଓ ପଟ୍ଟା ପ୍ରଦାନ ନିମନ୍ତେ ରାଜସ୍ବ ରଥ ର ସହଯୋଗ କ୍ରମେ ପ୍ରତ୍ୟକ ଅଞ୍ଚଳ ବୁଲି ଆବେଦନ କାରୀଙ୍କ ଦାଣ୍ଡ ଦୁଆରେ ଏଗୁଡିକ ପହଞ୍ଚାଇବା ର ପ୍ରୟାସ ଜାରି ରହିଛି ଏବଂ ଅନେକ ଆବେଦନ କାରୀ ଙ୍କ ଘର ନିକଟରେ ସେମାନଙ୍କ ପ୍ରମାଣ ପତ୍ର ପହଞ୍ଚାଇ ଦିଆଯାଇଛି । ଏଥି ନିମନ୍ତେ କାହାରିକୁ କାର୍ଯ୍ୟାଳୟ କୁ ଆସିବାର ଆବଶ୍ୟକତା ନାହିଁ । ତହସିଲ କାର୍ଯ୍ୟାଳୟ ରେ ଆବଶ୍ୟକୀୟ କର୍ମଚାରୀ ଙ୍କ ଅଭାବ ଏବଂ ବାରମ୍ବାର ଦେଖା ଯାଉଥିବା ଇଣ୍ଟରନେଟ୍ ର ସମସ୍ୟା ଯୋଗୁଁ ଅନେକ୍ କ୍ଷେତ୍ରରେ ପଟ୍ଟା ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଦେବାରେ ବିଳମ୍ବ ହେଉଛି। ଏହି ବିଷୟ ନେଇ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଛି ଏବଂ ଯାଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ପ୍ରତିଶୃତି ଦେଇଥିବା ତହସିଲଦାର ଶ୍ରୀ ନାୟକ କହିଛନ୍ତି। ତହସିଲ ଅଧୀନସ୍ଥ ସମସ୍ତ ବାସିନ୍ଦା ଏବଂ ଅବଦାନ କାରୀ ଙ୍କୁ ଏକ ଅନୁରୋଧ ବାର୍ତ୍ତା ରେ ତହସିଲଦାର ମୋହଦୟ ନିବେଦନ କରି କହିଛନ୍ତି ବର୍ତ୍ତମାନ ର ଏହି କୋଭିଡ -୧୯ ସମୟରେ ଦେଖାଦେଉଥିବା କରୋନା ସଂକ୍ରମଣ ଠାରୁ ଦୂରେଇ ନିଜ ଘରେ ରହି ସୁସ୍ଥ ରହିବାକୁ ପରାମର୍ଶ ଦେବାସହ ଅଯଥା କାର୍ଯ୍ୟାଳୟ କୁ ଆସି ନିଜେ ହଇରାଣ ହେବା ସହ କର୍ଯ୍ୟରତ କର୍ମଚାରୀ ଙ୍କୁ ଅସୁବିଧାରେ ନପଡିବାକୁ ନିବେଦନ କରିଛନ୍ତି। ସେମାନେ ଆବେଦନ କରିଥିବା ସମସ୍ତ ପ୍ରମାଣ ପତ୍ର ଉଚିତ ସମୟରେ ସେମାନଙ୍କ ନିକଟରେ ପହଞ୍ଚାଇ ବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।

ରାସନ ଜାଲିଆତି: କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଫେରାଦ ହେଲେ ୨ ମନ୍ତ୍ରୀ ଓ ସାଂସଦ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସାଧାରଣ ନିର୍ବାଚନ ପରଠୁ ଗୋପନ ମଧୁଚନ୍ଦ୍ରିକାରେ ଥିବା ବିଜେଡି ଓ ବିଜେପି ଏବେ ପଂଚାୟତ ନିର୍ବାଚନକୁ ନେଇ ସଜବାଜ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ସରକାରଙ୍କ ବ୍ୟାପକ ଦୁର୍ନୀତିର ତଦନ୍ତ ଓ ରାସନ୍ ଜାଲିଆତିର ତଦନ୍ତ କରିବା ପାଇଁ ଓଡ଼ିଶାର ୨ଜଣ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ବିଜେପି ଗତକାଲି ଦିଲ୍ଲୀ ଓ ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରି ରାସନ୍ ଜାଲିଆତି ଓ ଭୂତ ରାସନକାର୍ଡଧାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ,ବସନ୍ତ କୁମାର ପଣ୍ଡା, ନୀତିଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ ପ୍ରମୁଖ ନୂଆଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍ ତଥା ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହ ଅଭାବୀ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବା ନେଇ ଅଭିଯୋଗ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରର ଏହି ଯୋଜନାରୁ ଅଧିକାଂଶ ଗରିବ ହିତାଧିକାରୀ ଲାଭ ପାଇପାରୁନାହାନ୍ତି ବୋଲି କହିବା ସହ ଏହି ଜାଲିଆତି ଘଟଣାର ତଦନ୍ତ ନିର୍ଦ୍ଦେଶ ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପିଏମଜିକେଏୱାଇ ଏବଂ ଏନଏଫଏସଏ ଅଧୀନରେ ଦିଆଯାଉଥିବା ଖାଦ୍ୟ ତାଲିକାରେ ଅନେକ ପାର୍ଥକ୍ୟ ରହିଛି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏନଏଫଏସଏ ରାସନକାର୍ଡଧାରୀ ଭୂତ ହିତାଧିକାରୀ ଅଛନ୍ତି ବୋଲି ଏହା ପ୍ରମାଣିତ କରୁଛି। ଓଡ଼ିଶା ସରକାର ଲୋକଙ୍କୁ ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କୁ ଭୋକରେ ରଖି ଖାଦ୍ୟଶସ୍ୟ ଖୋଲା ବଜାରରେ ଚୋରା ଚାଲାଣ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ବିଜେପି ପ୍ରତିନିଧି ଦଳ ବିସ୍ତୃତ ଭାବେ ଜାଲିଆତି ସମ୍ପର୍କରେ ତଥ୍ୟ ଦେଇ ଏସବୁ ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କର ଅଜ୍ଞତାର ଗଭୀରତାକୁ ଦର୍ଶାଉଛି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା । କେନ୍ଦ୍ର ସରକାରଙ୍କଠୁ ଦୁଇଟି ଯୋଜନାରେ ମିଳିଥିବା ସମସ୍ତ ଖାଦ୍ୟଶସ୍ୟ ୯୯ ପ୍ରତିଶତରୁ ଅଧିôକ ଉଠାଣ ହୋଇ ସେହି ଅନୁପାତରେ ବଣ୍ଟନ କରାଯାଇଛି । ଏଭଳି ମନଗଢ଼ା କାହାଣୀ ଓ ହାସ୍ୟାତ୍ମକ ବିବୃତି ଦେବା ବଦଳରେ ଓଡ଼ିଶାର ବାକି ପଡ଼ିଥିବା ଖାଦ୍ୟ ସବସିଡି ଅର୍ଥ ତୁରନ୍ତ ପ୍ରଦାନ କରିବା ସହିତ ବଳକା ୭ଲକ୍ଷ ଟନ୍ ଚାଉଳ ଏଫସିଆଇ ଜରିଆରେ ଉଠାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ସାଂସଦମାନେ କହିଲେ ଭଲ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ବିଜେଡି ସରକାରର ବିଜୁପ୍ରେମ: ମନେପଡ଼ିଲା ‘ଡାକୋଟା’, କସରତ ଆରମ୍ଭ…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ି କ୍ରମାଗତ ୨୧ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ଏବେ ପୁଣିଥରେ ବିଜୁବାବୁଙ୍କ ‘ଡାକୋଟା’ ବିମାନକୁ ଫେରାଇ ଆଣିବା ନିମନ୍ତେ କସରତ୍ ଆରମ୍ଭ କରିଛନ୍ତି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ଭବ୍ୟ ଆକାରରେ ପାଳନ ପ୍ରସ୍ତୁତି ପାଇଁ ୨୦୧୬ ମସିହାରେ ଶାସକ ବିଜେଡି ଏକାଧିକ କମିଟି ଗଢ଼ିବା ସମୟରୁ ହିଁ ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନକୁ ଓଡ଼ିଶା ଆଣିବାକୁ ପ୍ରସ୍ତୁତି ଚାଲିଥିବା ନେଇ ବିଜେଡି ଓ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ବୟାନ ଦିଆଯାଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରିନି। ଏପରିକି ୨୦୧୭ ଡିସେମ୍ବର ମାସରୁ ‘ଡାକୋଟା’ ବିମାନକୁ କୋଲାକାତାରୁ ଓଡ଼ିଶା ନେବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) କର୍ତ୍ତୃପକ୍ଷ ନିଜଆଡ଼ୁ ପ୍ରସ୍ତାବ ଦେବା ସତ୍ତ୍ୱେ ଓଡ଼ିଶା ସରକାର ଏବେ ଏ ଦିଗରେ ଅଧିକ ତତ୍ପରତା ଦେଖାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇ କହିଛି ଯେ, ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ଚିହ୍ନଟ ହୋଇଥିବା ଅଢ଼େଇ ଏକର ଜମିରେ ଡାକୋଟା ବିମାନକୁ ରଖିବା ପାଇଁ ଏଏଆଇ କର୍ତ୍ତୃପକ୍ଷ ଆବଶ୍ୟକ ଏନଓସି ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି। ଜୁଲାଇ ୮ତାରିଖରେ କେନ୍ଦ୍ର ବେସାମରିକ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲାଙ୍କୁ ମଧ୍ୟ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ଚିଠି ଲେଖି ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଶ୍ରୀ ପାଢ଼ୀ ମଧ୍ୟ ତାଙ୍କ ଚିଠିରେ ୨୦୨୧ ଫେବୃୟାରୀ ମାସରେ ଓଡ଼ିଶା ସରକାର ଓ ଏଏଆଇ କର୍ତ୍ତୃପକ୍ଷଙ୍କ ଯୁଗ୍ମ ଟିମ୍ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦର ସମ୍ମୁଖରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ‘ଡାକୋଟା’ ବିମାନ ରଖିବା ଯଥାର୍ଥ ହେବ ବୋଲି ମତ ଦେଇଥିଲେ। ଅବଶ୍ୟ ଚଳିତ ଜୁଲାଇ ମାସରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ‘ଡାକୋଟା’ ବିମାନକୁ ସ୍ଥାନାନ୍ତର ପାଇଁ ଟେଣ୍ଡର ଡକାଯାଇଛି ଓ କୋଲକାତାର ଏକ ସଂସ୍ଥା ଏହି କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିବା କହିଥିଲେ। ‘ଡାକୋଟା’ ବିମାନକୁ କୋଲାକାତାରୁ ସ୍ଥାନାନ୍ତର ନିମନ୍ତେ ଅତୀତରେ ସମସ୍ତ ବୈଠକରେ କେନ୍ଦ୍ର ସରକାର ଓ ଏଏଆଇ କର୍ତ୍ତୃପକ୍ଷ ସକରାତ୍ମକ ସନ୍ଦେଶ ଦେଇ ସହଯୋଗର ହାତ ବଢ଼ାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ସ୍ଥାନାନ୍ତର ହୋଇପାରିନି, ତାକୁ ନେଇ ସଂଶୟ ଲାଗି ରହିଛି । ବିଜୁବାବୁଙ୍କ ପ୍ରତି ରାଜ୍ୟବାସୀଙ୍କ ଭଲପାଇବା ଥିବାବେଳେ ତାଙ୍କ ସ୍ମୃତି ଓ ସାହାସିକତା ସହ ଜଡ଼ିତ ‘ଡାକୋଟା’ ବିମାନକୁ କୋଲକାତାରୁ ଆଣିବା ନିମନ୍ତେ ବିଭିନ୍ନ ସମୟରେ ଦାବି ହୋଇ ଆସିଛି। ଏପରିକି ୨୦୧୭ ମସିହାରେ ଏଏଆଇ ଅଧ୍ୟକ୍ଷ ଭାବେ ଓଡ଼ିଆ ଆଇଏଏସ୍ ଗୌରପ୍ରସାଦ ମହାପାତ୍ର ଅବସ୍ଥାପିତ ଥିବାବେଳେ ସେ ବ୍ୟକ୍ତିଗତ ଭାବେ ଏହି ଐତିହାସିକ ‘ଡାକୋଟା’ ବିମାନ ଓଡ଼ିଶାକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ୨୦୧୭ ଡିସେମ୍ବର ୧୩ତାରିଖରେ ଖୋଲା ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ଚିଠିର ଜବାବ ଦେବାକୁ ରାଜ୍ୟ ସରକାର ୨୦୨୦ ଜାନୁୟାରୀ ୨୨ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଅବଶ୍ୟ ଚଳିତବର୍ଷ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଭାବେ ଓଡ଼ିଆ ଆଇଏଏସ୍ ମଧୁସୂଦନ ପାଢ଼ୀ ଦାୟିତ୍ୱ ନେବାପରଠୁ ଏହି ‘ଡାକୋଟା’ ବିମାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ପୁଣିଥରେ ତ୍ୱରାନ୍ୱିତ ହୋଇଛି। ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରବେଶପଥକୁ ଲାଗି ରହିଥିବା ଥାନା ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରଶାସନିକ କୋଠା ନିକଟରେ ଖାଲିଥିବା ଅଢ଼େଇ ଏକର ଜମିରେ ‘ଡାକୋଟା’ ବିମାନକୁ ରଖିବା ନିମନ୍ତେ ଆବଶ୍ୟକ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଏଏଆଇ କର୍ତ୍ତୃପକ୍ଷ ଏନଓସି ଦେଲେ ଏହି ବିମାନ ସ୍ଥାନାନ୍ତର ସମ୍ଭବପର ହେବ। ମାତ୍ର ଏବେ ପ୍ରଶ୍ନ ଉଠୁଛି, ବିଜୁବାବୁଙ୍କ ନାଁରେ ଗଠିତ ଦଳ ବିଜେଡି, ସବୁ ନିର୍ବାଚନ ସମୟରେ ବିଜୁବାବୁଙ୍କ ଆଦର୍ଶ ଓ ସ୍ୱପ୍ନ କଥା କହି ଦୀର୍ଘ ୨୧ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିଲେ ମଧ୍ୟ ତାଙ୍କରଙ୍କ ସ୍ମୃତି ଓ ସାହାସିକତା ଅବାପୁଣି ଓଡ଼ିଶା ବିକାଶ ସହ ଜଡ଼ିତ କୌଣସି ପ୍ରକଳ୍ପକୁ ଏକ ନୂଆ ରୂପ ଦେବାରେ ସକ୍ଷମ ହୋଇପାରିନି। ଓଲଟା ଉଦ୍ଦେଶ୍ୟମୂଳକ ଭାବେ ବିଜୁବାବୁଙ୍କ ଦ୍ୱାରା ଗଢ଼ା ଯାଇଥିବା ସମସ୍ତ ଶିଳ୍ପକୁ ନିଶ୍ଚିହ୍ନ କରିଦିଆଯାଇଛି। ଏବେ ବିଜୁଙ୍କ ‘ଡାକୋଟା’ କୋଲକାତାରୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ରାଜ୍ୟ ସରକାର କେବେ ଏହାକୁ ସଫଳ କରାଇବେ ଓ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ରହିଥିବା ଆଉ ଏକ ‘ଡାକୋଟା’ ପାଇଁ ପ୍ରକ୍ରିୟା ଆରମ୍ଭ ଆଣିବେ ତାହା ଏବେବି ଆଶା ଆଶଙ୍କା ମଧ୍ୟରେ ରହିଛି।

କ୍ୟାଟ୍ରିନା ଓ ସଙ୍ଗୀତାଙ୍କ ବିଷୟରେ ଖୁଲାସା କଲେ ସଲମାନ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ସଙ୍ଗୀତା ବିଜଲାନୀ ଏବଂ କ୍ୟାଟ୍ରିନା କୈଫ । ଦୁହେଁ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ। ସଲମାନଙ୍କ ସହ ଯୋଡାଯାଉଥିବା କିଛି ଅଭିନେତ୍ରୀଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଏହି ଦୁଇ ବଲିଉଡ୍ ଆକ୍ଟ୍ରେସଙ୍କ ନାଁ । ଏବେ ଭାଇଜାନ୍ ନିଜେ ତାଙ୍କ ମୁହଁରେ ନେଇଛନ୍ତି କ୍ୟାଟ୍ରିନା ଏବଂ ସଙ୍ଗୀତାଙ୍କ ନାଁ । ସାମ୍ନାକୁ ଆଣିଛନ୍ତି ସେମାନଙ୍କ ସହ କିଛି ସିକ୍ରେଟ୍ କଥା। ଅରବାଜ୍ ଖାନଙ୍କ ଟକ୍ ଶୋ’ ପିଂଚ୍‌-୨ର ପ୍ରଥମ ଏପିସୋଡ୍ ରିଲିଜ୍ ହୋଇଛି। ଭାଇ ଅରବାଜଙ୍କ ଶୋ’ର ଫାଷ୍ଟ ଗେଷ୍ଟ ସାଜିଛନ୍ତି ସଲମାନ। ଏଥିରେ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି ସଲମାନ। ଏପିସୋଡରେ ଥିବା କୁଇକ୍ ରାପିଡ୍ ଫାୟାର ରାଉଣ୍ଡରେ ଅରବାଜ ପ୍ରଶ୍ନ କରିଥିଲେ, ସଲମାନ କାହାକୁ ନିଜର ସୋସିଆଲ ମିଡିଆ ମ୍ୟାନେଜର କରିବାକୁ ଚାହିଁବେ ଏବଂ ଇନଷ୍ଟାଗ୍ରାମରେ ସଲମାନ କାହାକୁ ଫଲୋ କରନ୍ତି ନାହିଁ। ଭାଇ ଅରବାଜଙ୍କ ଏସବୁ ପ୍ରଶ୍ନର ଫଟାଫଟ ଉତ୍ତର ରଖିଥିଲେ ସଲୁ ମିଆଁ। ଅରବାଜଙ୍କ ପ୍ରଶ୍ନ ଥିଲା, ସୋନାକ୍ଷୀ ସିହ୍ନା, କ୍ୟାଟ୍ରିନା କୈଫ ଏବଂ ଦିଶା ପାଟନୀଙ୍କ ମଧ୍ୟରୁ କାହାକୁ ସଲମାନ ନିଜ ସୋସିଆଲ ମିଡିଆ ମ୍ୟନେଜର କରିବାକୁ ଚାହିଁବେ। ଏହାର ଉତ୍ତରରେ ସଲମାନ ନେଇଥିଲେ କ୍ୟଟ୍ରିନାଙ୍କ ନାଁ। କହିଥିଲେ କ୍ୟାଟ୍ରିନାଙ୍କ ସୋସିଆଲ ମିଡିଆ ପୋଷ୍ଟ ଗୁଡିକ ବେଶ୍ ସେନସିବୁଲ୍। ଇନଷ୍ଟାଗ୍ରାମରେ ସଲମାନଙ୍କ ୪୨ ମିଲିୟନ ଫଲୋଅର ରହିଛନ୍ତି। ତେବେ ସଲମାନ ମାତ୍ର ୨୭ ଜଣଙ୍କୁ ଫଲୋ କରନ୍ତି। ଅରବାଜଙ୍କ ପ୍ରଶ୍ନ ଥିଲା, ଆଥିୟା ସେଟ୍ଟୀ, ସଙ୍ଗୀତା ବିଜଲାନୀ ଏବଂ କ୍ୟାଟ୍ରିନା କୈଫଙ୍କ ମଧ୍ୟରୁ ସଲମାନ କାହାକୁ ଫଲୋ କରନ୍ତି ନାହିଁ। ସଲମାନ ଦ୍ୱନ୍ଦ୍ୱ ମଧ୍ୟରେ ସଙ୍ଗୀତାଙ୍କ ନାଁ ନେଇଥିଲେ। ଏହାପରେ ଅରବାଜ କହିଥିଲେ, ସଲମାନ ଇନଷ୍ଟାଗ୍ରାମରେ ଆଥିୟାଙ୍କୁ ମଧ୍ୟ ଫଲୋ କରନ୍ତି ନାହିଁ।

୨୩ ଜୁଲାଇ, ଶୁକ୍ରବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ଜନସମ୍ପର୍କ ସୁଦୃଢ଼ ହେବ।

ବୃଷ: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ନୂଆ ଚାକିରି ସୁଯୋଗ ମିଳିପାରେ।

ମିଥୁନ: ଉଚ୍ଚପ୍ରଶଂସା ଲାଭ କରିବେ। ଅନେକ ସମସ୍ୟାର ସମାଧାନ ହୋଇପାରେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

କର୍କଟ: ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ସାମ୍ନାକୁ ଆସିବେ ନାହିଁ। ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରଚାର ପ୍ରସାର ଦିଗରେ ଜୋର ଦେବେ।

ସିଂହ: ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। କୌଶଳ ପ୍ରୟୋଗ କରି ନିଜ ଆଶା ପୂରଣ କରିବେ।

କନ୍ୟା: ରାଜନୀତିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନା କରିବା ଉଚିତ୍।

ତୁଳା: ମନ ଶାନ୍ତ ରହିବ। ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ସରକାରୀ କାମରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ।

ଧନୁ: ପରିବାରରେ ହସଖୁସିର ମାହୋଲ ରହିବ। ଶୁଭ ସୂଚନା ମିଳିପାରେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ।

ମକର: ଭାବିଚିନ୍ତି ସବୁ ନିଷ୍ପତ୍ତି ନିଅନ୍ତୁ। ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

କୁମ୍ଭ: ସମାଜରେ ମାନସମ୍ମାନ ବଢ଼ିବ। ଆଶା ପୂରଣ ହେବ। ପରିବାର ଲୋକଙ୍କ ଗହଣରେ ଦିନଟି ବେଶ୍ ଭଲରେ କଟିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଦିଗଟି ସୁଦୃଢ଼ ରହିବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।