ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ରାସନ୍ ଲୁଟ୍ କରୁଛି କିଏ: ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଜାତୀୟ ଖାଦ୍ୟ ସୁରକ୍ଷାର ହିତାଧିକାରୀଙ୍କ ଗୋଟିଏ ମିଛ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇ ରାଜ୍ୟ ସରକାର ଭୂତ ରାସନକାର୍ଡ ଧାରୀଙ୍କ ନାଁରେ ରାସନ୍ ଲୁଟ୍ କରୁଛନ୍ତି ବୋଲି ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ରାଜ୍ୟରେ ବିଜେଡି ସରକାର ଏହି ଯୋଜନାରେ ବ୍ୟାପକ ହେରଫେର କରିବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି। ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରିଛି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ହିତାଧିକାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତ ବର୍ଷ ମେ’ ମାସରେ ମାତ୍ର ୮୭ ଲକ୍ଷ ୩୯ ହଜାର ୪୯୪ ଜଣ ରାସନ୍ ନେଇଛନ୍ତି । ରାଜ୍ୟ ସରକାରଙ୍କ ତାଲିକା ଅନୁସାରେ ୫ ଲକ୍ଷ ୪୩ ହଜାର ୬୯୯ ଜଣ ମାଗଣାରେ ରାସନ ନେଇ ନାହାଁନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, ସେହି ମେ’ ମାସରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୧ଟଙ୍କା ଦେଇ ୮୮ଲକ୍ଷ ୭୬ ହଜାର ୧୬୨ ରାସନ୍ ନେଇଛନ୍ତିା ଏହି ଯୋଜନାରେ ମଧ୍ୟ ୪ ଲକ୍ଷ ୦୭ ହଜାର ୦୩୧ଜଣ ରାସନ ନେଇନାହାନ୍ତି। ସେହିପରି ଜୁନ୍ ୨୦୨୧ରେ ୯୨. ୭୭ଲକ୍ଷ ଜଣ ହିତାଧିକାରୀଙ୍କ ମଧ୍ୟରୁ ୮୮.୨୩ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ ଉଠାଇଛନ୍ତି। ଜୁନ୍ ମାସରେ ୪ଲକ୍ଷ ୫୪ହଜାର ୪୫୧ଜଣ ରାସନ ନେଇନାହାନ୍ତିା ସେହିପରି ଅନୁରୂପ ଅବସ୍ଥା ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ । ୪ ଲକ୍ଷ ୦୪ ହଜାର ୬୫୮ଜଣ ରାସନ ସଂଗ୍ରହ କରିନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଂଟି ପାରିନାହାନ୍ତି। ତେବେ ଏହି ବଳକା ଭୂତ ରାସନକାର୍ଡଧାରୀ କେଉଁମାନେ ଏବଂ କେନ୍ଦ୍ର ଦେଉଥିବା ବଳକା ରାସନ ଯାଉଛି କୁଆଡ଼େ ଏବଂ ଭୂତ କାର୍ଡଧାରୀଙ୍କ ରାସନ କିଏ ଖାଉଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି ? ରାଜ୍ୟରେ ଭୂତ ହିତାଧିକାରୀଙ୍କ ତାଲିକା ଓଡ଼ିଶା ସରକାର କେନ୍ଦ୍ରକୁ ଦେଇଛନ୍ତି ଏବଂ ଏଠି ରାଜ୍ୟରେ ରାଜ୍ୟ ସରକାର ଭୂତ ରାସନକାର୍ଡଧାରୀଙ୍କ ତାଲିକା ବଢାଇ ଚାଲିଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି। କରୋନାର ପ୍ରଥମ ଲହରରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୫ ଲକ୍ଷ ୫୧ ହଜାର କାର୍ଡଧାରୀଙ୍କୁ ରାଜ୍ୟ ସରକାର ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୩୦ଟି ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ଟଙ୍କା ଆବଂଟନ କରିଥିଲେ। କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ମାତ୍ର ୯୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ପ୍ରଦାନ କରିଛନ୍ତି। ବଳକା ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ବଂଟନ କରାଯାଇ ପାରିଲା ନାହିଁ। ସରକାର ମାଗିଥିବା ଫର୍ମାଟ ଅନୁଯାୟୀ ଏପର୍ଯ୍ୟନ୍ତ ଆବଂଟନର ବିନିଯୋଗ ପତ୍ର ଦେଇପାରି ନାହାଁନ୍ତି। ରାଜ୍ୟ ସରକାର ୧୪ ଜୁଲାଇ ୨୦୨୧ ଏବଂ ୧୫ ମାର୍ଚ୍ଚ ୨୦୨୧ ରାଜ୍ୟର ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀମାନଙ୍କୁ ଚିଠି ଲେଖି ସେହି ଫର୍ମାଟରେ ଆବଂଟନ ବିନିଯୋଗ ପତ୍ର(ୟୁସି) ମାଗିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ୯୩୪ କୋଟି ବିନିଯୋଗ ପ୍ରମାଣ ପତ୍ର ସଂପୂର୍ଣ୍ଣ ଭାବେ ଭୁଲ୍ ଅଛି । ଏହା ସହ ଅନେକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସିଥିବା ରାସନକୁ ରାଜ୍ୟ ସରକାର ଗୋଦାମ ଘରୁ ଉଠାଇନାହାନ୍ତି । ଗରିବ ଲୋକଙ୍କୁ ୧ ହଜାର ଟଙ୍କା ଆବଂଟନରେ ହେରଫେର ମାମଲା ବି ଲୋକାୟୁକ୍ତଙ୍କ ପାଖରେ ପଡ଼ିରହିଛି। ଏହାର ଜବାବ ରାଜ୍ୟ ସରକାର ଲୋକାୟୁକ୍ତଙ୍କୁ ଦେଇ ପାରୁନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତିା କେନ୍ଦ୍ର ସରକାର ‘ୱାନ୍ ନେସନ୍ ୱାନ୍ ରାସନ’ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଏପର୍ଯ୍ୟନ୍ତ ଲାଗୁ କରିପାରି ନାହାନ୍ତି। ଯାହା ଫଳରେ ରାଜ୍ୟ ବାହାରେ ନିଜର ରୋଜଗାର ପାଇଁ ଯାଇଥିବା ଲକ୍ଷ ଲକ୍ଷ ଓଡ଼ିଆ ରାସନ ପାଇବାରୁ ବଂଚିତ ରହୁଛନ୍ତି। ରାଜ୍ୟ ସରକାର କେବେ ୱାନ ନେସନ ୱାନ ରାସନ ଯୋଜନା ଲାଗୁ କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ନିରଞ୍ଜନଙ୍କ ଫତୱା: ମୁଖପାତ୍ରଙ୍କ ବିନା ଅନ୍ୟ କଂଗ୍ରେସ ନେତାଙ୍କୁ ମିଡିଆ ମନା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ନିଜର ସାଂଗଠନିକ ଅସ୍ତିତ୍ୱକୁ ନେଇ କଂଗ୍ରେସ ସଂଘର୍ଷ କରୁଥିବାବେଳେ ଓଡ଼ିଶା ପିସିସିି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଦଳର ନେତାମାନଙ୍କ ପାଇଁ ନୂଆ ଫତୱା ଜାରି କରିଛନ୍ତି। ନବନିଯୁକ୍ତ ଓଡ଼ିଶା ପିସିସି ମିଡିଆ କମିଟିର ସଦସ୍ୟ ଓ ପଦାଧିକାରୀମାନଙ୍କୁ ଆଜି ଶ୍ରୀ ପଟ୍ଟନାୟକ ଗୁରୁମନ୍ତ୍ର ଦେବା ଅବସରରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଦଳ ପକ୍ଷରୁ ଜାରି ପ୍ରେସ୍ ସୂଚନା ଅନୁସାରେ, ଆଜି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନବନିଯୁକ୍ତ ପିସିସି ମିଡିଆ କମିଟି ଅଧ୍ୟକ୍ଷ ଓ ଆବାହକଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯେଉଁମାନେ ଦଳର ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି ସେମାନଙ୍କର ତାଲିକା ରାଜ୍ୟର ଗଣମାଧ୍ୟମକୁ ପ୍ରଦାନ କରିବା ସହିତ ବୈଦ୍ୟୁତିକ ଗଣମାଧ୍ୟମ କେବଳ ସେହି ମୁଖପାତ୍ରଙ୍କ ଛଡ଼ା କଂଗ୍ରେସରୁ ଅନ୍ୟ କାହାରିକୁ ଡାକିପାରିବେ ନାହିଁ କିମ୍ବା ସେମାନେ ମଧ୍ୟ ଗଣମାଧ୍ୟମ ଆଗରେ ଦଳୀୟ କଥା ରଖିପାରିବେ ନାହିଁ। ଅର୍ଥାତ୍ ଏହି ଫତୱା ଜାରି କରି ଶ୍ରୀ ପଟ୍ଟନାୟକ ଉଭୟ କଂଗ୍ରେସ ନେତା ଓ ରାଜ୍ୟର ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାକୁ ନିୟନ୍ତ୍ରଣ କରିବାକୁ ପଛାଇ ନାହାନ୍ତି । ଗଣମାଧ୍ୟମ ସଂସ୍ଥା କାହାକୁ ଡାକିବେ ଅବା ନଡାକିବେ ତାହା ପିସିସି ସଭାପତି ଓ ତାଙ୍କ ଟିମ୍ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଛି। ଏହାସହିତ ଶ୍ରୀ ପଟ୍ଟନାୟକ ନିଜର ମୁଖପାତ୍ର ଟିମକୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଯେ, ଆପଣମାନେ ହେଉଛନ୍ତି କଂଗ୍ରେସ ଦଳର ଆଖି, କାନ ଓ ପାଟି। କଂଗ୍ରେସର ଯୋଜନା,ନୀତି,ଆର୍ଦଶ ଓ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ରାଜ୍ୟ ଓ ଦେଶର ପ୍ରସଙ୍ଗକୁ ଉପଯୁକ୍ତ ଢଙ୍ଗରେ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ସାମନାରେ ମୁଖପାତ୍ରମାନେ ରଖିବେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ କଠୋର ଭାବେ ସମାଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହେବ। ଦଳର ଗଣମାଧ୍ୟମ ବିଭାଗର କର୍ମକର୍ତ୍ତାମାନେ ପ୍ରତ୍ୟେକ ଜିଲ୍ଲାର ଗଣମାଧ୍ୟମ କର୍ମକର୍ତ୍ତା ତଥା ରାଜ୍ୟ ଯୁବ ଓ ଛାତ୍ର ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ କରିବା ସହିତ ସେମାନଙ୍କୁ ଟ୍ରେନିଂ ପ୍ରଶିକ୍ଷଣ ଦେବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟ କଂଗ୍ରେସର ଗଣମାଧ୍ୟମ ବିଭାଗର ମୁଖପାତ୍ର ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ, ଆବାହକ, ସଂଯୋଜକ ଓ ସାମାଜିକ ଗଣମାଧ୍ୟମ ବିଭାଗର ମୁଖ୍ୟ, ରାଜ୍ୟ ଯୁବ ଓ ଛାତ୍ର ବିଭାଗର ମୁଖପାତ୍ରମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପିସିସି ମିଡିଆ କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ମିଡିଆ କମିଟି ସଦସ୍ୟ ମନୋରଞ୍ଜନ ଦାଶ, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ସସ୍ମିତା ବେହେରା, ଗୋବିନ୍ଦ ଚନ୍ଦ୍ର ଭୂୟାଁ, ପଦ୍ମାକର ଗୁରୁ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର, ନଳିନୀ ନାୟକଙ୍କ ସମେତ ରାଜ୍ୟ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇ ନାହାନ୍ତି, ବିରୋଧୀଙ୍କୁ ତଥ୍ୟ ଦେଖାଇ ବାଣ ମାରିଲେ ସମ୍ୱିତ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କୋଭିଡର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ଘଟିନି। କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ରାଜ୍ୟସଭାରେ ଏହା କହିଛନ୍ତି। ମୃତ୍ୟୁର କାରଣ ଅକ୍ସିଜେନ ବୋଲି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଉଲ୍ଲେଖ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ କେନ୍ଦ୍ରର ମୋଦି ସରକାରକୁ ଏ ନେଇ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀର ଆମ୍ ଆଦମୀ ପାର୍ଟି କେନ୍ଦ୍ରର ଏଭଳି ଉତ୍ତରକୁ ନେଇ ପ୍ରଶ୍ନ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ ବିଜେପି ନେତା ସମ୍ୱିତ ପାତ୍ର ମହାରାଷ୍ଟ୍ରରେ ମେଣ୍ଟରେ ଥିବା କଂଗ୍ରେସ ସରକାର ଏବଂ ଦିଲ୍ଲୀ ସରକାର ହାଇକୋର୍ଟରେ ଦାଖଲ କରିଥିବା କୋଭିଡ ମୃତ୍ୟୁ ରିପୋର୍ଟକୁ ଦେଖାଇ ବାଣ ମାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପାୱାର ଏ ପ୍ରସଙ୍ଗରେ ରାଜ୍ୟସଭାରେ ଗତକାଲି କହିଥିଲେ ଯେ ସ୍ୱାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ ବିଷୟ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କରୋନା ସଂକ୍ରମଣ ଏବଂ ମୃତ୍ୟୁର ରିପୋର୍ଟ ଦେଉଛନ୍ତି। ହେଲେ ଅକ୍ସିଜେନ ଅଭାବ ପାଇଁ ମୃତ୍ୟୁ ହୋଇଛି ବୋଲି କୌଣସି ରାଜ୍ୟ ସରକାର କହି ନାହାନ୍ତି। ତେଣୁ ଅକ୍ସିଜେନ ଅଭାବରୁ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନି ବୋଲି କେନ୍ଦ୍ର ସରକାର ସଂସଦରେ କହିଛନ୍ତି। ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ଏହି ଉକ୍ତିକୁ ଆଜି ପଢିବା ପରେ କହିଛନ୍ତି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ମୃତ୍ୟୁ ରିପୋର୍ଟ ସରକାରଙ୍କୁ ଏକ ଗାଇଡ ଲାଇନ୍ ଦେଇଛନ୍ତି। ଏହି ଗାଇଡ୍ ଲାଇନ୍ ଆଧାରରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ସରକାର ମୃତ୍ୟୁର କାରଣ ଯେତେବେଳେ ଅକ୍ସିଜେନ ବୋଲି ଉଲ୍ଲେଖ କରି ନାହାନ୍ତି ସେତେବେଳେ କେନ୍ଦ୍ର ସରକାରକୁ କାହିଁକି ବଦନାମ୍ କରାଯାଉଛି ବୋଲି ସମ୍ୱିତ ପ୍ରଶ୍ନ କରିଛନ୍ତି। ରାହୁଲ୍ ଗାନ୍ଧୀଙ୍କୁ ବଡ ଭାଇ ଏବଂ କେଜ୍ରିଓ୍ୱାଲଙ୍କୁ ତାଙ୍କ ସାନ ଭାଇ ବୋଲି ଛିଗୁଲେଇ ସମ୍ୱିତ କହିଛନ୍ତି, ଦୁଇ ନେତା ପ୍ରଥମେ କହିବା ଦରକାର ତାଙ୍କ ସରକାର ହାଇକୋର୍ଟକୁ କୋଭିଡ ମୃତ୍ୟୁର ରିପୋର୍ଟରେ କ’ଣ ଲେଖିକି ଦେଇଛି। ଏମିତିକି ପ୍ରେସ କନଫରେନସ ବେଳେ ସମ୍ୱିତ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ହାଇକୋର୍ଟରେ କୋଭିଡ ମୃତ୍ୟୁର ସତ୍ୟପାଠ ଦେଖାଇଛନ୍ତି। ଯେଉଁଥିରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନି ବୋଲି ଲେଖା ହୋଇଥିବା ସେ କହିଛନ୍ତି। ରାହୁଲ ଏବଂ କେଜ୍ରିଓ୍ୱାଲ ନିଜ ରିପୋର୍ଟ ବାବଦରେ ନକହି କେନ୍ଦ୍ରକୁ ଦୋଷ ଦେବା ଠିକ୍ ନୁହେଁ ବୋଲି ସମ୍ୱିତ କହିଛନ୍ତି। ସୂଚନାଯୋଗ୍ୟ, କୋଭିଡର ଦ୍ୱିତୀୟ ଲହର ବେଳେ ଦିଲ୍ଲୀ, କର୍ଣ୍ଣାଟକ, ହରିଆଣା, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଆଦି ରାଜ୍ୟରେ ଅକ୍ସିଜେନ ଅଭାବରୁ ଅନେକ କୋଭିଡ ଆକ୍ରାନ୍ତ ଆଖି ବୁଜିଛନ୍ତି। ଅନେକ ଡାକ୍ତର ମଧ୍ୟ ଏହା ସ୍ଵୀକାର କରିଛନ୍ତି। ଏବେ ଯେଉଁମାନେ ଅକ୍ସିଜେନ ଅଭାବରୁ ଆଖି ବୁଜିଛନ୍ତି, ସେମାନଙ୍କ ମୃତ୍ୟୁର କାରଣ କ’ଣ କୁହାଯିବ?

୨୦୨୪ ଯାଏ ସୋନିଆ ସର୍ବେସର୍ବା, ପ୍ରମୁଖ ପଦରେ ରହିବେନି ପ୍ରିୟଙ୍କା …..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶର ସର୍ବପୁରାତନ ରାଜୀନିତକ ଦଳ କଂଗ୍ରେସର ମୁଖିଆ କିଏ ହେବେ? କେବେ ପୂରଣ ହେବ ଦଳର ପୂର୍ଣ୍ଣ ଅଧ୍ୟକ୍ଷ ପଦ? ଦଳୀୟ ନେତା ଏବଂ ଦଳର ଶୁଭେଚ୍ଛୁ ଦଳକୁ ଆଗକୁ ନେବା ପାଇଁ କିଏ ମଙ୍ଗ ଧରିବେ ସେ ନେଇ ବିଭିନ୍ନ ଆକଳନ କରୁଛନ୍ତି। ହେଲେ ଏହାରି ଭିତରେ ଟାଇମ୍ସ ନାଓ ନ୍ୟୁଜ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ କୁହାଯାଇଛି ୨୦୨୪ ଯାଏ ସୋନିଆ କଂଗ୍ରେସର ହାଇକମାଣ୍ଡ ରହିବେ। ଯେଉଁମାନେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଦଳ କାର୍ଯ୍ୟକାରୀ ସଭାପତିର ଦାୟିତ୍ୱ ଦେଇପାରେ। ମୁଖ୍ୟତଃ ଯୁବ ଚେହେରାଙ୍କୁ ଦଳ ଏହି ଦାୟିତ୍ୱରେ ରଖିବାକୁ ମନସ୍ଥ କରିଥିବା ସୂଚନା ରହିଛି। ଲୋକସଭା ନିର୍ବାଚନରେ ପରାଜୟ ପାଇଁ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧୀ ୨୦୧୯ ଅଗଷ୍ଟ ୨୪ରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏବେ ସେ ଏହି ପଦରେ ଦୁଇ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ଦଳରେ ଅନେକ ହେବିଓ୍ୱେଟ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ପୂରଣ କରିବାକୁ ଦାବି କରିଛନ୍ତି। ପରେ ଦଳ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ସ୍ଥିର କରିଥିଲା। ହେଲେ କୋଭିଡର ଆଳ ଦେଖାଇ ନିର୍ବାଚନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଯଦିଓ କୋଭିଡ ସଂକ୍ରମଣ ଦୁର୍ବଳ ହୋଇଛି ହେଲେ ସୋନିଆ କିନ୍ତୁ ୨୦୨୪ ଯାଏ ଏହି ପଦରେ ରହିବାକୁ ଇଚ୍ଛା ରଖିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦଳର ଚାରି ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଇଚ୍ଛା ରଖୁଛନ୍ତି। ଏହି ଚାରି ନେତା ବିଭିନ୍ନି ନିଷ୍ପତ୍ତି ନେବାରେ ତାଙ୍କୁ ସହଯୋଗ କରିବେ। ଏହି ଚାରି ନେତା ଗୁଲମ ନବୀ ଆଜାଦ, ସଚିନ ପାଇଲଟ, କୁମାରୀ ଶୈଲଜା, ମୁକୁଲ ଓ୍ୱାସନିକ ଏବଂ ରମେଶ ଚେନ୍ନିଥଳା ବୋଲି ଜଣାପଡ଼ିଛି। କହିରଖୁଛୁ ଗୁଲାମ ହେଉଛି ଜି-୨୩ର ନେତା। ଯିଏକି ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଦଳରେ ଅଣଦେଖା ହୋଇଛନ୍ତି। ସେ ଦଳରେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ଦାବି କରି ସୋନିଆଙ୍କୁ ଚିଠି ଲେଖିଥିଲେ। ଏଥିସହ ଜମ୍ମୁ କଶ୍ମୀରରେ ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏକ ମେଳି କରିଥିଲେ। ତେବେ ଏବେ ଏହି କାର୍ଯ୍ୟକାରୀ ସଭାପତି ପଦରେ ସୋନିଆଙ୍କ ଝିଅ ପ୍ରିୟଙ୍କା ଭାଡ୍ରା ଗାନ୍ଧୀ ରହିବେ ନାହିଁ ବେଲି କୁହାଯାଉଛି। ଏବେ ସେ ୟୁପି ବିଧାନସଭା ନିର୍ବାଚନ ଉପରେ ଗୁରୁତ୍ୱ ଦେବେ। ଅନ୍ୟପଟେ ରାହୁଲ ଗାନ୍ଧୀ ଦଳୀୟ ସଂଗଠନର ପରିବର୍ତ୍ତନ ଚାହୁଁଥିବା କୁହାଯାଉଛି।

ବାଧିଲା ପରାଜୟ, କ୍ୟାପଟେନଙ୍କ ଉପରେ ରାଗ ଶୁଝାଇଲେ କୋଚ୍….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଏପର୍ଯ୍ୟନ୍ତ ଆଶା ମୁତାବକ ପ୍ରଦର୍ଶନ କରିଛି। ଭାରତୀୟ ଟିମ୍ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଦିନିକିଆ ଇତିହାସରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ୯୩ତମ ବିଜୟ। ମ୍ୟାଚରେ ଅଧିକାଂଶ ସମୟ ଶ୍ରୀଲଙ୍କା ଟିମ୍ ଭାରତ ଉପରେ ଭାରି ପଡ଼ିଥିଲା। କିନ୍ତୁ ଦୀପକ ଚହର୍ ଓ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଅଷ୍ଟମ ୱିକେଟ୍ ପାଇଁ ହୋଇଥିବା ୮୪ ରନର ଭାଗିଦାରୀ ବଳରେ ଟିମ୍ ଇଣ୍ଡିଆ ଘରୋଇ ଦଳ ମୁଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଚହର୍ ୬୯ ଓ ଭୁବି ୧୯ ରନ୍ କରି ଅପରାଜିତ ଥିଲେ। ଏହି ରୋମାଞ୍ଚକର ମ୍ୟାଚର ଚାପ ଶ୍ରୀଲଙ୍କା କୋଚ୍ ମିକି ଆର୍ଥରଙ୍କ ମୁହଁରେ ସ୍ପଷ୍ଟ ବାରି ହେଉଥିଲା। ଭାରତୀୟ ଟିମର ୱିକେଟ୍ ପତନ ସମୟରେ ସେ ବହୁତ ଖୁସି ହେଉଥିଲେ, କିନ୍ତୁ ୱିକେଟ୍ ନମିଳିଲେ ନିରାଶ ହେଉଥିଲେ। ଏହାବ୍ୟତୀତ ସେ କେତେବେଳେ ନିଜ ସିଟରୁ ଛିଡ଼ା ହୋଇଯାଇଥିଲେ ସେ କେତେବେଳେ ବସି ରହୁଥିଲା। କେବଳ ଏତିକି ନୁହେଁ ମ୍ୟାଚ୍ ଶେଷ ହେବା ପରେ ଆର୍ଥର୍ ବହୁତ ନିରାଶ ହୋଇଥିଲେ। ସେ ମଇଦାନ ଭିତରକୁ ଯାଇ କ୍ୟାପଟେନ୍ ଦାସୁଦ୍ ଶନାକାଙ୍କୁ ବହୁତ କଥା ଶୁଣାଇଥିଲେ। ସୋଶାଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓରେ ଆର୍ଥର୍ ଶ୍ରୀଲଙ୍କା କ୍ୟାପଟେନଙ୍କ ନିଷ୍ପତ୍ତିରେ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ସେ କ୍ୟାପଟେନ୍ ଶନାକାଙ୍କୁ ରାଗିକି କିଛି କହୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କ୍ୟାପଟେନ୍ ଶନାକା ନିଜକୁ ବଞ୍ଚାଇବାକୁ ଯାଇ କୋଚଙ୍କୁ ବୁଝାଇବାକୁ ପ୍ରୟାସ କରୁଥିଲେ। କିନ୍ତୁ ଆର୍ଥର୍ ରାଗିକି ଗ୍ରାଉଣ୍ଡରୁ ବାହାରକୁ ଚାଲିଯାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଆର୍ଥର୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ ଭିତରେ କିଛି ବି ଯୁକ୍ତିତର୍କ ହୋଇନାହିଁ। ଆମେ ନିଜ ବିଚାର ପରସ୍ପର ସହ ବାଣ୍ଟୁଥିଲୁ। ସୂଚନାଯୋଗ୍ୟ, ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୫ ରନ୍ କରିଥିଲା। ଭାରତ ୪୯.୧ ଓଭରରେ ୨୭୬ ରନ୍ କରି ବିଜୟୀ ହୋଇଥିଲେ। ଭାରତ ପକ୍ଷରୁ ଦୀପକ ଚହର୍, ସୂର୍ଯ୍ୟକୁମାର ଯାଦବ ଓ ଭୁବନେଶ୍ୱର କୁମାର ପ୍ରମୁଖ ଭୂମିକା ବହନ କରିଥିଲେ।

ହୋସ୍ ଉଡାଇଦେବ ସଲମାନଙ୍କ ସିକ୍ସ ପ୍ୟାକ୍ ଆବ୍ସ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଦମଦାର ଆକ୍ସନ ପ୍ୟାକଡ୍ ଫିଲ୍ମ ପାଇଁ ଦମଦାର ବଡି ଦରକାର। ତେଣୁ ଘଣ୍ଟା ଘଣ୍ଟା ଧରି ଜିମରେ ଝାଳ ବୁହାଉଛନ୍ତି ବଲିଉଡର ଭାଇଜାନ। ସାମ୍ନାକୁ ଆସିଛି ସଲମାନଙ୍କ ବ୍ୟାୟାମ ସମୟର କିଛି ଫଟୋ। ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ପରେ ଆସୁଛି ଟାଇଗର-୩। ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ଲିଡ୍ ରୋଲରେ ନଜର ଆସିବେ ଭାଇଜାନ୍ ସଲମାନ ଖାନ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି ସଲମାନ। ସଲମାନଙ୍କ ସିକ୍ସ ପ୍ୟାକ୍ ଆବ୍ସ ପାଗଳ କରିଥାଏ ଦର୍ଶକଙ୍କୁ। ୫୫ବର୍ଷ ବୟସରେ ବି ଶରୀରକୁ ଫିଟ ରଖିବାକୁ ଭୁଲି ନାହାଁନ୍ତି ଏହି ସୁପରଷ୍ଟାର। ସେଥିପାଇଁ ତ ନୂଆ ଅଭିନେତାମାନଙ୍କ ପାଇଁ ସେ ହେଉଛନ୍ତି ରୋଲ ମଡେଲ । ଅପ କମିଂ ଫିଲ୍ମ ଟାଇଗର-୩ ପାଇଁ ସଲମାନ ପୁଣି ନିଜ ବଡିକୁ ମସକୁଲାର କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲ୍ଲୁଙ୍କ ଏସବୁ ଫଟୋ ଏବଂ ଭିଡିଓ। ମଙ୍ଗଳବାର ସଲମାନ ଇନଷ୍ଟାଗ୍ରାମରେ କିଛି ଭିଡିଓ ଅପଲୋଡ୍ କରିଥିଲେ। ଯେଉଁଥିରେ ୱର୍କ ଆଉଟ୍ ପରେ ଦର୍ପଣ ସାମ୍ନାରେ ଠିଆ ହୋଇଛନ୍ତି ସଲମାନ। ଭିଡିଓ ବ୍ୟାକଗ୍ରାଉଣ୍ଡରେ ଟାଇଗର ଥିମ୍ ଟ୍ୟୁନ୍ ବାଜୁଛି। ଭିଡିଓ ପୋଷ୍ଟ କରି ସଲମାନ ଲେଖିଛନ୍ତି, ତାଙ୍କୁ ଲାଗୁଛି ଯେ, ଭିଡିଓରେ ଥିବା ବ୍ୟକ୍ତି ଟାଇଗର-୩ ପାଇଁ ତାଲିମ ନେଉଛି। ସଲମାନଙ୍କ ଏହି ଦମଦାର ଲୁକ୍ ଦେଖି ଫ୍ୟାନ ଏକପ୍ରକାର ପାଗଳ। ଆଗକୁ ଟାଇଗର-୩ ସମେତ ସଲମାନ କିକ୍‌-୨, ଅନ୍ତିମ, ପଠାନ ଏବଂ କଭି ଇଦ୍ କଭି ଦିୱାଲି ଭଳି ଫିଲ୍ମରେ ନଜର ଆସିବେ।

କପିଲଙ୍କ ଶୋ’ରୁ ସୁମୋନା ଆଉଟ୍‌…?

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ବିଛିନ୍ନ ହେଲା କି ସମ୍ପର୍କ? କପିଲ ଏବଂ ଭୁରି ଓରଫ ସୁମୋନା ଏଥର ଆଉ ଆସିବେନି ଏକାଠି। କପିଲଙ୍କ ଶୋ’କୁ ବାଏ ବାଏ କହିଲେ ସୁମୋନା। ନିକଟରେ ରିଲିଜ ହୋଇଥିବା କପିଲ ଶର୍ମା ଶୋ’ର ପ୍ରମୋ ପରେ ଏଭଳି କିଛି ଶୁଣିବାକୁ ମିଳୁଛି। କପିଲ ଶର୍ମା ଖୁବ୍‌ଶୀଘ୍ର ନିଜ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ସହ ଟିଭି ପରଦାକୁ ଫେରୁଛନ୍ତି। ନିକଟରେ ଏହାର ପ୍ରମୋ ମଧ୍ୟ ରିଲିଜ ହୋଇସାରିଛି। ଏହି ପ୍ରମୋରେ କପିଲଙ୍କ ଟିମ୍‌ରେ ଭାରତୀ ସିଂହ, କୃଷ୍ଣା ଅଭିଷେକ ଓ ନୂଆ ମୁହଁ ଭାବେ ସୁଦେଶ ଲାହରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ସୁମୋନା ନଜର ଆସିନାହାନ୍ତି। ନା ପ୍ରମୋରେ ନା ରିଲିଜ ହୋଇଥିବା ପୋଷ୍ଟରରେ। କେଉଁଠି ମଧ୍ୟ ସୁମୋନାଙ୍କୁ ଦେଖିବାକୁ ପାଇନାହାନ୍ତି ତାଙ୍କ ପ୍ରଶଂସକ। ସୁମୋନାଙ୍କ ଖାଲି ପଣକୁ ନେଇ ଫ୍ୟାନ୍ସଙ୍କ ମନରେ ନା ନା ପ୍ରଶ୍ନ ସୃଷ୍ଟି ହୋଇଛି। ସୁମୋନା କୁଆଡେ କପିଲଙ୍କ ଶୋ’ କୁଇଟ୍ କରିଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଏହାରି ଭିତରେ ଏବେ ସୁମୋନଙ୍କ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ସାମ୍ନାକୁ ଆସିଛି । ଏହି ପୋଷ୍ଟରେ ସୁମୋନା କପିଲ ଶର୍ମା ଶୋ’କୁ ଇଷାରା କରି ଲେଖିଛନ୍ତି । ସୁମୋନା ଲେଖିଛନ୍ତି, ‘ଯଦି ତୁମେ କୌଣସି ଜିନିଷକୁ ସଠିକ୍ ସୁଯୋଗ ଦେଉ ନାହଁ, ତୁମେ କେବେ ଜାଣିବ ନାହିଁ ଯେ ଏହା ତୁମ ପାଇଁ ତିଆରି ହୋଇଛି। ଏହା ଏକ ସମ୍ପର୍କ ହେଉ, ଏକ ନୂତନ ଚାକିରି, ଏକ ନୂତନ ସହର ହେଉ କିମ୍ବା ଏକ ନୂତନ ଅଭିଜ୍ଞତା। ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦିଅ, କିଛି ମନେରଖ ନାହିଁ। ଯଦି ଏହା ବିଫଳ ହୁଏ ତେବେ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଜିନିଷଟି ଆପଣଙ୍କ ପାଇଁ ତିଆରି ହୋଇନାହିଁ। ତା’ପରେ ତୁମେ କୌଣସି ଅନୁତାପ ନକରି ଆଗକୁ ବଢ଼ିବ।’ ସୁମୋନା ଚକ୍ରବର୍ତ୍ତୀ ବହୁ ବର୍ଷ ଧରି କପିଲ ଶର୍ମାଙ୍କ ସହ ଜଡିତ ଥିଲେ। ସେ ତାଙ୍କ ଶୋ ‘କମେଡି ନାଇଟ୍ସ ୱିଥ କପିଲ’ରେ କପିଲଙ୍କ ସହ କାମ କରିଥିଲେ। ଏହାପୂର୍ବରୁ ଦୁହେଁ ୨୦୧୧ରେ ଟିଭି ଶୋ’ ‘କାହାନି କମେଡି ସର୍କସ କି’ରେ ଏକାଠି କାମ କରିଥିଲେ।

ଆଉ ରିଆଲିଟି ଶୋ’ ହୋଷ୍ଟ କରିବେନି ଆଦିତ୍ୟ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଆଉ ରିଆଲିଟି ଶୋ’ ହୋଷ୍ଟ କରିବେନି ସିଙ୍ଗର ତଥା ଅଭିନେତା ଆଦିତ୍ୟ ନାରାୟଣ । ସେ ନିଜ ହୋଷ୍ଟିଂ କ୍ୟାରିଅର ଉପରେ ଏବେ ବ୍ରେକ୍ ଲଗାଇଛନ୍ତି । ସେ ଏବେ ଛୋଟ ପରଦାରୁ ବିରତି ନେବାକୁ ଚାହୁଁଛନ୍ତି । ଏହାଠାରୁ ସେ କିଛି ଅଲଗା କରିବାକୁ ଚାହୁଁଛନ୍ତି ବୋଲି ଆଦିତ୍ୟ କହିଛନ୍ତି । ଆଦିତ୍ୟ କହିଛନ୍ତି, “୨୦୨୨ ରେ ଟିଭିରେ ହୋଷ୍ଟ ଭାବ ଏହା ମୋର ଶେଷ ବର୍ଷ । ମୁଁ ଏହା ପରେ ହୋଷ୍ଟ କରିବି ନାହିଁ। ବଡ କାମ କରିବାର ସମୟ ଆସିଯାଇଛି। ମୁଁ ପୁରୁଣା ପ୍ରତିଶ୍ରୁତି ସହିତ ଅଟକି ଯାଇଛି, ଯାହାକୁ ମୁଁ ଆସନ୍ତା ମାସରେ ସମ୍ପୂର୍ଣ୍ଣ କରିବି । ମୋର ଏହି ଇଣ୍ଡଷ୍ଟ୍ରୀ ସହିତ ଭଲ ସମ୍ପର୍କ ଅଛି ଏବଂ ଯଦି ମୁଁ ବର୍ତ୍ତମାନ କାମ ଛାଡିଦେବି, ତେବେ ଏହା ଏକ ଜାହାଜକୁ ମଝିରେ ଛାଡିବା ପରି ହେବ।“ ସେ ଆହୁରି କହିଛନ୍ତି, “ମୁଁ ଆସନ୍ତା ବର୍ଷ ଟିଭିରୁ ବିରତି ନେବି। ଟିଭି ଇଣ୍ଡଷ୍ଟ୍ରୀ ମୋତେ ଅନେକ ନାମ, ଖ୍ୟାତି ଏବଂ ସଫଳତା ଦେଇଛି। ଏହା ମୋତେ ମୁମ୍ବାଇରେ ଏକ ଘର, କାର୍ ମାଲିକ ଏବଂ ବିଳାସପୂର୍ଣ୍ଣ ଜୀବନଯାପନ କରିବାରେ ସକ୍ଷମ କରିଛି। ଏହା ନୁହେଁ ଯେ ମୁଁ ଟିଭି ଛାଡିଦେବି, କିନ୍ତୁ ମୁଁ ଅନ୍ୟ କିଛି କରିବି। ହୋଷ୍ଟ ଭାବରେ ମୋର ସମୟ ସରିଯାଉଛି। ଏବେ ସିଟରେ ବସିବାର ସମୟ ଆସିଛି। ମୁଁ ବର୍ତ୍ତମାନ ଗୀତ ଗାଇବାକୁ, ମଞ୍ଚରେ ନାଚିବାକୁ, ସାରା ବିଶ୍ୱରେ ଅଭିନୟ କରିବାକୁ ଚାହୁଁଛି, ଏବଂ ମୁଁ ଚାହୁଁନାହିଁ ଏଥିରେ କୌଣସି ବାଧା ହେଉ ।” ଟିଭିର ପ୍ରସିଦ୍ଧ ହୋଷ୍ଟ ଆଦିତ୍ୟ ନାରାୟଣ ପ୍ରାୟ ୧୨ ଟି ରିଆଲିଟି ଶୋ’ର ହୋଷ୍ଟ କରିଛନ୍ତି । ସମ୍ପ୍ରତି, ସେ ଏବେ ଇଣ୍ଡିଆନ୍ ଆଇଡଲର ଦ୍ୱାଦଶ ସିଜନ୍ ହୋଷ୍ଟ କରୁଛନ୍ତି ।

୨୨ ଜୁଲାଇ , ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ଦୃଢ଼ ରହିବ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କଠିନ ପରିଶ୍ରମ କରିବେ। ସାମାଜିକ ପତିଆରା ବଜାୟ ରହିବ।

ମିଥୁନ: ପରୋକ୍ଷରେ ଶତ୍ରୁମାନଙ୍କୁ ପ୍ରତିହତ କରିବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ଆଶା କରିଥିବା କାମ ସମ୍ପନ୍ନ ହେବ।

କର୍କଟ: ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।

ସିଂହ: ପରିବାରଜନଙ୍କ ଉନ୍ନତିରେ ଖୁସି ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କନ୍ୟା: ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ। ମନୋକାମନା ପୂରଣ ହେବ। କୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।

ତୁଳା: ଅସୁସ୍ଥ ଅନୁଭବ କରିବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ନେଇ ଆଲୋଚନା ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ।

ବିଛା: ବହୁ ଦିନର ଆଶା ପୂରଣ ହେବ। ପୂର୍ବ ଅପେକ୍ଷା ଆୟ ବଢ଼ିବ। ଦିନଟି ଭଲରେ କଟିବ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ କୌଣସି ବନ୍ଧୁ ସହାୟତା କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି।

ମକର: ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଯେକୌଣସି ନୂଆ କାମ ଆରମ୍ଭ କରିପାରିବେ।

କୁମ୍ଭ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ପରିବାରରେ ହସଖୁସିରେ ବାତାବରଣ ରହିବ। ନୂଆ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।