ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି ମହଙ୍ଗା ମାଡ଼, ଯନ୍ତ୍ରଣା ବୁଝିପାରୁନି ବିଜେଡି : କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ତୈଳଦର ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଏବେ ହତାଶ ହୋଇପଡ଼ିଛି। ମହଙ୍ଗା ମାଡ଼ ସାଧାରଣ ଲୋକଙ୍କର ଅଣ୍ଟା ଭାଙ୍ଗି ସାରିଲାଣି, କିନ୍ତୁ ବିଜେପିର ‘ବି’ ଟିମ୍ ବିଜେଡି ଏହା ଚିନ୍ତା କରୁନି। ଗତ କିଛି ମାସ ମଧ୍ୟରେ ୨୪କୋଟି ଲୋକ ପୁଣିଥରେ ଦ୍ରାରିଦ୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି ବୋଲି ପୂର୍ବତନ ସାଂସଦ ତଥା ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସୁସ୍ମିତା ଦେବ କହିଛନ୍ତି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁସ୍ମିତା ଦେବ କହିଛନ୍ତି ଯେ, କରୋନା ମହାମାରୀର ମୁକାବିଲାରେ ସରକାର ବିଫଳ ହୋଇଥିବାବେଳେ କରୋନା ଆଳରେ ମହଙ୍ଗା ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ୨୦୦୪ ରୁ ୨୦୧୪ ମସିହା ଭିତରେ ଦାରିଦ୍ର‌୍ୟ ସୀମାରେଖାରୁ ଯେଉଁ ୨୪କୋଟି ଲୋକ ଉପରକୁ ଉଠିଥିଲେ ଏବେ ମୋଦି ସରକାରଙ୍କର ଭୁଲ୍ ନିଷ୍ପତ୍ତି ଓ ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳତା ଯୋଗୁଁ ସେମାନେ ପୁଣିଥରେ ଦାରିଦ୍ର‌୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି। ସେ କହିଛନ୍ତି, ସେଣ୍ଟର ଫର ମନିଟରିଙ୍ଗ୍ ଅଫ୍ ଇଣ୍ଡିଆ ଇକୋନୋମି (ସି.ଏମ୍‌.ଆଇ.ଇ.) ର ପରିସଂଖ୍ୟାନ ଅନୁସାରେ କରୋନାର ଦ୍ୱିତୀୟ ଲହରରେ ପାଖାପାଖି ୨ କୋଟିରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଭାବରେ ତାଙ୍କର ରୋଜଗାର ହରାଇ ସାରିଛନ୍ତି। ଏପରିକି ପାଖାପାଖି ୯୭% ଭାରତୀୟମାନଙ୍କର ରୋଜଗାର ବହୁ ପରିମାଣରେ ହ୍ରାସ ଘଟିଛି। ଏପରିସ୍ଥଳେ ସରକାର ପେଟ୍ରୋଲ୍ ଓ ଡିଜେଲ ଉପରୁ ଅଧିକ ପରିମାଣର ଟ୍ୟାକ୍ସ ସଂଗ୍ରହ କରିବାକୁ ପଛାଉ ନାହାନ୍ତି। ଗତ ୭ ବର୍ଷ ଭିତରେ ମୋଦି ସରକାର କେବଳ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ ୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି । କିନ୍ତୁ ଏହି ଟଙ୍କା ଦେଶରେ କେଉଁ ବାବଦରେ ଖର୍ଚ୍ଚ ହୋଇଛି, ତାହାର ହିସାବ ଏପର୍ଯ୍ୟନ୍ତ ମୋଦି ସରକାର ଦେଶବାସୀଙ୍କ ସମ୍ମୁଖରେ ରଖିଲେ ନାହିଁ। ଓଡ଼ିଶାରେ ବିଜେଡ଼ି ଏବେ ବିଜେପିର ବି’ ଟିମ୍ ଭାବେ କାମ କରୁଛି। କରୋନା ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଭାତ ଥାଳି ଉପରେ ମହଙ୍ଗା ମାଡ଼ କେତେ କଷ୍ଟଦାୟକ ଓ ଯନ୍ତ୍ରଣାଦାୟକ ତାହା ଓଡ଼ିଶାର ବିଜେଡି ଚିନ୍ତା କରୁନି? ବିଜେଡ଼ି-ବିଜେପି ଭାଇ ଭାଇ, କେନ୍ଦ୍ରରେ ବିଜେଡି-ବିଜେପିର ‘ବି’ ଟିମ୍‌, ରାଜ୍ୟରେ ଠିକ୍ ଓଲଟା । ଏହି ଦୁଇ ଦଳ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜନୀତି କରନ୍ତି ନାହିଁ, ଏହା ବ୍ୟବସାୟୀମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ରାଜନୀତି କରନ୍ତି ବୋଲି ସୁସ୍ମିତା କହିଛନ୍ତି। ସେହିପରି ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଦରଦାମ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ସହିତ ଘମାଘୋଟ୍ ଲଢେଇ ହେବ ବୋଲି ସାଂସଦ ସପ୍ତଗିରି ଉଲାକା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଓଡ଼ିଶା ସହପ୍ରଭାରୀ ଜି. ରୁଦ୍ର ରାଜୁ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ନୀତା ଡିସୁଜା ପ୍ରମୁଖ ଉପସ୍ଥିତ ଥିଲେ।

୨ବର୍ଷ ପରେ ବିଜେଡିର ମନେପଡ଼ିଲା ‘ଆନ୍ଦୋଳନ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଅଯାଚିତ ସମର୍ଥନ ଅଜାଡ଼ି ଦେଇ ଚୁପ୍ ବସିଥିବା ବିଜେଡି ଆସନ୍ତା ୨୦ତାରିଖରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ। ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇ ବିଜେଡି ଆନ୍ଦୋଳନ କରିବ। ଧାନ ସଂଗ୍ରହରେ ବାକିଥିବା ୬୫୭୦କୋଟି ଟଙ୍କାର ଏମଏସପି ଅର୍ଥ ଓ ବଳକା ୭ଲକ୍ଷ ଟନ୍ ଚାଉଳ ନେବା ଦାବିରେ ବିଜେଡି ରାଜ୍ୟରେ ଥିବା ସମସ୍ତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆଜି ଘୋଷଣା କରିଛି। ତେବେ ବିଜେଡିର ଏହି ଘୋଷଣା ଓ ଆନ୍ଦୋଳନ ଡାକରା ଦଳର ଦୋମୁହାଁ ଚେହେରା ଓ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଆନ୍ତରିକତାକୁ ପଦାରେ ପକାଇଛି। ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ୨୦୨୦-୨୧ ଖରିଫ ବର୍ଷରେ ଧାନ ସଂଗ୍ରହରେ ବାକି ରଖିଥିବା ୬୫୭୦କୋଟି ଟଙ୍କା ଓ ୭ଲକ୍ଷ ମେଟ୍ରିନ ଟନ୍ ବଳକା ଚାଉଳ ତୁରନ୍ତ ଏଫସିଆଇ ନେବାକୁ ଦାବି କରିଛନ୍ତି। ଏହାସହିତ ଚାଷୀଙ୍କୁ ବିଭ୍ରାନ୍ତ କରାଇବା , ଚାଷୀଙ୍କ ଧାନ ବିକ୍ରି ହୋଇପାରୁନଥିବା ଭଳି ମିଛ ଅଭିଯୋଗ ବିଜେପି କରୁଥିବା ଦର୍ଶାଇ ବିଜେପି ନେତାମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିବାକୁ ବିଜେଡି ପଛାଇ ନାହିଁ। ୨୦ତାରିଖରେ ରାଜ୍ୟର ସମସ୍ତ ଏଫସିଆଇ କାର୍ଯ୍ୟାଳୟ ଓ ଗୋଦାମ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛି। ତେବେ ପ୍ରଶ୍ନ ଉଠୁଛି, ୨୦୧୯ ସାଧାରଣ ନିର୍ବାଚନ ପରଠୁ ସମ୍ପୂର୍ଣ୍ଣ ଚୁପ୍ ବସିଥିବା ଏବଂ କେନ୍ଦ୍ରର ବିଜେପି ସରକାରଙ୍କୁ ଉପରେ ପଡ଼ି ପ୍ରେମ ଦେଖାଉଥିବା ବିଜେଡି ଏବେ ଅଚାନକ କାହିଁକି ଆନ୍ଦୋଳନକୁ ଓହ୍ଲାଇଲା। ବିଜେଡି ଯେଉଁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଡାକରା ଦେଇଛି ତାହା ପୁରୁଣା ପ୍ରସଙ୍ଗ। ଗତବର୍ଷ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ହୋଇଛି ଓ ରାଜ୍ୟର ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ମଧ୍ୟ ନେଇଛନ୍ତି। ତେବେ ଏହି ପୁରୁଣା ପ୍ରସଙ୍ଗକୁ ଧରି କେନ୍ଦ୍ର ସରକାର ବିରୁଦ୍ଧରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେବା ସିଧାସଳଖ ବିଜେଡିର ରାଜନୀତିକ ବାଧ୍ୟବାଧକତାକୁ ଦର୍ଶାଉଛି। ପେଟ୍ରୋଲ-ଡିଜେଲ ଲିଟର ପିଛା ରେକର୍ଡ ପରିମାଣ ବୃଦ୍ଧି ପାଇ ଶହେ ଟଙ୍କାରୁ ଅଧିକ ହେବା , ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଦର ଆକାଶଛୁଆଁ ହେବାସତ୍ତ୍ୱେ ବିଜେଡି ମୁହଁରେ ତୁଣ୍ଡି ଦେଇଛି। ପୋଲାଭରମ ଓ ମହାନଦୀ ମାମଲାରେ ଆଇନଗତ ଲଢ଼େଇ ଚାଲିଥିବା ସତ୍ତ୍ୱେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଏବଂ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବା ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆନ୍ତରିକତାକୁ ପଦାରେ ପକାଇଛି। ସେହିପରି ଚାଷୀଙ୍କ ସ୍ୱାର୍ଥ କଥା ଓ ଧାନର କ୍ୱିଣ୍ଟାଲ ପିଛା ଏମଏସପି ୨୯୩୦ଟଙ୍କା କହି ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଶାଳ ସମାବେଶ କରିଥିବା ବିଜେଡି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟି ପାରିଲା ନାହିଁ। ଯଦିଓ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଏନଏମଏ ଡ୍ରାଫ୍ଟ ବାଇଲ’କୁ ବିରୋଧ କରି ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ତା’କୁ ପ୍ରତ୍ୟାହାର କରିବାରେ ସକ୍ଷମ ହୋଇପାରିଲେ। ମାତ୍ର ଏମଏସପି ପ୍ରସଙ୍ଗରେ ବିଧାନସଭାରେ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ପାରିତ ହେବା ଓ ଦୁଇ ଦୁଇଥର ଗୃହ କମିଟି ଗଠନ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବାର ଆଗ୍ରହ ବିଜେଡି ଦେଖାଇ ପାରିନି । ବିଧାନସଭାର ଗୃହ କମିଟି କିଭଳି ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ତାହା ମଧ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଉଦ୍ୟମ ମଧ୍ୟ କରିନାହାନ୍ତି। ଅବଶ୍ୟ ଇତିମଧ୍ୟରେ ୧୦ରୁ ୧୨ଥର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବୈଠକ କରିବାରେ ମୁଖ୍ୟମନ୍ତ୍ରୀ ସକ୍ଷମ ହୋଇଛନ୍ତି। ତଥାପି ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ଏମଏସପି ୨୯୩୦ଟଙ୍କା କରିବା ପାଇଁ କେନ୍ଦ୍ର ସରକାର ଉପରେ ଆବଶ୍ୟକ ଚାପ ସୃଷ୍ଟି କରିପାରିନି। କେବଳ ଲୋକ ଦେଖାଣିଆ ଭାବେ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ କରାଯାଉ କହି ବିଜେଡି ଚୁପ୍ ବସିଛି। ରାଜନୀତିକ ବିଶ୍ଲେଷକଙ୍କ ମତରେ, ପଂଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ ମାସରେ ହେବାର ଥିବାରୁ ବିଜେଡି ଏବେଠୁ ନିଜର ସଂଗଠନକୁ ସକ୍ରିୟ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ସ୍ୱର ଉଠାଇଛି। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟ ବିଜେପି ଅନେକଥର ବିଜେଡି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ନିରବ ହୋଇ ବସିଥିଲା। ଗତ ୧୪ତାରିଖରୁ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଲୋକଙ୍କ ସମସ୍ୟା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ବିଜେପି ରାଜ୍ୟବ୍ୟାପୀ ୭ଦିନିଆ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ କଂଗ୍ରେସ ପେଟ୍ରୋଲିୟମଜାତ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି। ବାମଦଳ ଓଡ଼ିଶା ବନ୍ଦ ପାଳନ କରିସାରିଛି । ୟୁପିଏ ସରକାର ଅମଳରେ ପେଟ୍ରୋଲିୟମ ସାମଗ୍ରୀର ଦରବୃଦ୍ଧିକୁ ପ୍ରସଙ୍ଗକୁ କରି ଶତାଧିକ ଥର ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ଏବେ ଏହି ଦର ରେକର୍ଡ ପରିମାଣର ୧୦୦ଟଙ୍କାରୁ ଅଧିକ ହୋଇଥିଲେ ମଧ୍ୟ ନିରବ ରହିବାର ବାଧ୍ୟବାଧକତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ୨୦ତାରିଖରେ ଏଫସିଆଇ ଗୋଦାମ ଓ ଅଫିସ ଆଗରେ ବିକ୍ଷୋଭ କରି ବିଜେଡି ଅହେତୁକ ତୈଳଦର ବୃଦ୍ଧି ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ସହ ପରୋକ୍ଷରେ କେନ୍ଦ୍ରର ବିଜେପି ସରକାରକୁ ସହଯୋଗ କରୁଥିବା ଚର୍ଚ୍ଚା ।

ରାଜଧାନୀରୁ ୩୦୦ ମୋ ସାଇକେଲ୍ ଗାଏବ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମୋ ସାଇକେଲ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍ ଅଭିଯୋଗ ରାଜଧାନୀର ରାଜରାସ୍ତାରୁ ତିନିଶହ ମୋ ସାଇକେଲ୍ ଗାଏବ୍ ।  ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍ସି କମିଶନର।  ଏପରିକି ଏ ନେଇ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍ଆଇଆର୍ ଦିଆଯାଇଛି  । ସେପଟେ ସ୍ମାର୍ଟସିଟି ଯୋଜନାରେ ବ୍ୟାପକ ବାଟମାରଣା କରାଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ରାଜଧାନୀରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଦଳ ଦାବି କରିଛି । କିଛିଦିନ ତଳେ ହେକ୍ସି କଂପାନୀର ଶତାଧିକ ସାଇକେଲ୍କୁ କିଭଳି ଶାଗମାଛ ଦରରେ କବାଡ଼ି ବାଲା ହାତରେ ଟେକି ଦିଆଯାଇଥିଲା। ସ୍ମାର୍ଟସିଟିରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ହକି ବିଶ୍ୱକପ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା । ପ୍ରତି ସାଇକେଲ ପିଛା ୨୫ ହଜାର ଟଙ୍କାରେ ହେକ୍ସିୟୋନୋ ଏବଂ ୟୁଲୁ କମ୍ପାନୀଠାରୁ କିଣାଯାଥିଲା ୨ ହଜାର ସାଇକଲ୍ । ଯେଉଁଥିରେ ବ୍ୟୟ ହୋଇଥିଲା ପ୍ରାୟ ୬ କୋଟି ଟଙ୍କା । ୟୁଲୁ ଏବଂ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକଲ୍ କିଣାଯାଥିବା ବେଳେ ହେକ୍ସି କଂପାନୀ ଯୋଗାଇଥିଲା ଏକ ହଜାର ସାଇକଲ୍ । ଏବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍  ଗାଏବ ଥିବା ଜଣାପଡ଼ିବା ପରେ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍ଆଇଆର୍ ଦିଆଯାଇଥିବା କହିଛନ୍ତି ବିଏମ୍ସି କମିଶନର୍ । ଗତ ୧୩ ତାରିଖରେ ଓଟିଭିରେ ଏକ ରିପୋର୍ଟ ପ୍ରସାରିତ ହୋଇଥିଲା । କବାଡ଼ିଖାନା ମାଲିକଙ୍କ ସୂଚନା ଅନୁସାରେ ସେ କୁଆଡ଼େ ଗୋଟାକୁ ୫୦୦ ଟଙ୍କା ହିସାବରେ ୨୫୦ଟି ସାଇକେଲ୍ ହ୍ୟାକ୍ସିଂ କଂପାନୀଠାରୁ କିଣିଥିଲେ ।  ଗୋଟିଏ ପଟେ ବିଏମ୍ସି କମିଶନର୍ ସାଇକେଲ୍ ଗାଏବ୍ କଥା କହୁଥିବା ବେଳେ ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଜୋର୍ ଧରିଲାଣି ରାଜନୀତି । ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୋ ସାଇକେଲକୁ ଏଭଳି କୋକେଇ ଉପରେ ରଖି ଏକ ରାଲି କରାଯାଇଥିଲା । ରାଜ୍ୟ ସରକାର ମୋ ସାଇକେଲ୍ ଯୋଜନା ନାଁରେ ରାଜଧାନୀ ବାସିନ୍ଦାଙ୍କୁ ଠକିବା ସହ ଲକ୍ଷଲକ୍ଷ ଟଙ୍କା ହରଣଚାଳ କରିଥିବା ଦଳ ଅଭିଯୋଗ କରିଛି।  ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା ବିଜେପି ।

 

ଅଡ଼ୁଆରେ ୧୨ ବିଧାୟକ: ରାଜ୍ୟପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ନଭେମ୍ବର ୧୫ ସୁଦ୍ଧା ନିଷ୍ପତ୍ତି ଜଣାଅ…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶାସକ ବିଜେଡିର ୧୨ ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ବିରୁଦ୍ଧରେ ‘ଅଫିସ୍ ଅଫ୍ ପ୍ରଫିଟ୍‌’ର ଅଭିଯୋଗ ଆଣି ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନେଇ ନଭେମ୍ବର ୧୫ତାରିଖ ସୁଦ୍ଧା ତାଙ୍କ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କୁ ଅବଗତ କରାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ୨୦୧୯ ଅଗଷ୍ଟ ୯ ତାରିଖରେ ବିଜେଡିର ୧୨ଜଣ ବିଧାୟକଙ୍କୁ ‘ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ’ ଦେଇ ୧୨ ଜିଲ୍ଲାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍‌.ମୁରଲୀଧର ଓ ଜଷ୍ଟିସ ଏସ.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କ ଆବେଦନର ଶୁଣାଣି କରି ରାଜ୍ୟପାଳଙ୍କୁ ୨୦୨୧ ନଭେମ୍ବର ୧୫ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଆବେଦନକାରୀ ଶ୍ରୀ ବେଉରା ୨୦୧୯ ମେ’ ୨୮ତାରିଖ ଓ ସେପ୍ଟେମ୍ବର ୨୭ତାରିଖରେ କରିଥିବା ଦୁଇଟି ଆବେଦନ ଉପରେ ୨୦୨୧ ନଭେମ୍ବର ୮ତାରିଖ ସୁଦ୍ଧା ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ହାସଲ କରି ନଭେମ୍ବର ୧୫ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍‌(ରିମୁଭାଲ୍ ଅଫ ଡିସକ୍ୱାଲିଫିକେସନ୍‌) ସଂଶୋଧନ ଆଇନ-୨୦୧୬’ ଉପରେ ମତାମତ ନଦେଇ ଖଣ୍ଡପୀଠ ଏହି ଅନ୍ତର୍ଗତ ଦାଖଲ ହୋଇଥିବା ଦୁଇଟି ଆବେଦନ ଉପରେ ଆବେଦନକାରୀଙ୍କୁ ନିଷ୍ପତ୍ତି ଜଣାଇବାକୁ ରାଜ୍ୟପାଳଙ୍କୁ ହାଇକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ହାଇକୋର୍ଟରେ ଏହି ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟଙ୍କ ବୃନ୍ଦାବନ ନାୟକ ବନାମ ଜାତୀୟ ନିର୍ବାଚନ କମିଶନଙ୍କ ରାୟକୁ ଉଲ୍ଲେଖ କରିବା ସହ ଆବେଦନକାରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କ ମତାମତ ନେଇ ରାଜ୍ୟପାଳ ନିଷ୍ପତ୍ତି ଶୁଣାଇବା ବାଧ୍ୟତାମୂଳକ ବୋଲି ଯୁକ୍ତି ବାଢ଼ିଥିଲେ।ସୂଚନାଯୋଗ୍ୟ, ଆବେଦନକାରୀ ଶ୍ରୀ ବେଉରା ଭାରତୀୟ ସମ୍ବିଧାନର ଧାରା-୧୯୨ ଅନ୍ତର୍ଗତ ରାଜ୍ୟପାଳଙ୍କ ପାଖରେ ୨୦୧୯ ସେପ୍ଟେମ୍ବର ୨୭ରେ ଦାଖଲ କରିଥିବା ଆବେଦନରେ ୧୨ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାବି କରିଥିଲେ। ୨୦୧୯ ଅଗଷ୍ଟ ୯ତାରିଖରେ ରାଜ୍ୟ ସରକାର ୧୨ଜଣ ବିଜେଡି ବିଧାୟକ ଅନନ୍ତ ଦାସ, ଦେବାଶିଷ ଆଚାର୍ଯ୍ୟ, ବ୍ୟୋମକେଶ ରାୟ, ମହୀଧର ରଣା, ପ୍ରମୋଦ କୁମାର ମଲ୍ଲିକ, ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର ଢ଼ୋଲକିଆ, ରଘୁରାମ ପୋଡ଼ାଲ, ପ୍ରଶାନ୍ତ ଜଗଦେବ, ସତ୍ୟନାରାୟଣ ପ୍ରଧାନ ଓ ଶାରଦା ପ୍ରସାଦ ନାୟକଙ୍କୁ ଯଥାକ୍ରମେ ବାଲେଶ୍ୱର,ବରଗଡ଼, ଭଦକ୍ର, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, ନୂଆପଡ଼ା, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଅବସ୍ଥାପିତ କରିଥିଲେ। ଶ୍ରୀ ବେଉରା ରାଜ୍ୟପାଳଙ୍କୁ ଆବେଦନ କରିବା ପରେ କୌଣସି ଉତ୍ତର ନପାଇବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲା ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ । କିନ୍ତୁ ଏହି ଆବେଦନର ଶୁଣାଣି କରିବା ତାଙ୍କ ପରିସର ବାହାରେ ବୋଲି ୨୦୧୯ ଅକ୍ଟୋବର ୨୩ତାରିଖରେ ଦିଲ୍ଲୀ ହାଇକୋର୍ଟ ଜଣାଇଥିଲେ। ତା’ପରେ ଆବେଦନକାରୀ ଶ୍ରୀ ବେଉରା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ବାହୁଡ଼ିବେ ମହାପ୍ରଭୁ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜନ୍ମ ବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ଆଜି ବାହୁଡ଼ିବେ ମହାପ୍ରଭୁ । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ।  ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ ହେବ । ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ମହାପ୍ରଭୁ ରତ୍ନବେଦୀକୁ ଫେରିବେ । ଏଥିଲାଗି ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି ନୀତି କରାଯାଇଥିଲା । ଏହାସହ ତିନି ରଥରେ ଚାରମାଳ ବନ୍ଧା ହୋଇଛି । ଗୁଣ୍ଡିଚା ଯାତ୍ରା ଦିନ ରଥ କର୍ଡନ ଭିତରକୁ କେତେକ ଅଣ-ସେବାୟତଙ୍କ ପ୍ରବେଶ ବିବାଦ ପରେ ଭକ୍ତଶୂନ୍ୟ ବାହୁଡ଼ାଯାତ୍ରା ପାଇଁ ଉଭୟ ପୋଲିସ ଓ ପ୍ରଶାସନ କଳ-ବଳ-କୌଶଳ ଲଗାଇ ଦେଇଛି  । ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି ।  ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।

puri-bahuda
                                                                     ବାହୁଡ଼ା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି  । ତାସହ ବାହୁଡ଼ାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ମଧ୍ୟ ସମୀକ୍ଷା ହୋଇଛି ।