ବଲିଉଡ ମୁହାଁ ବିଗ୍‌ବସ୍‌ ବିଜେତା…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)-ବଲିଉଡରେ ଏଣ୍ଟ୍ରି କରିବେ ଟିିଭି ପରଦାର ଛୋଟି ବହୂ ତଥା ବିଗ୍‌ବସ୍‌-୧୪ର ବିଜେତା। ଟେଲିଭିଜନ ପରେ ଏବେ ବଡ ପରଦାରେ ନିଜ ଅଭିନୟର ଜାଦୁ ଦେଖାଇବେ ରୁବିନା ଦଲଇକ୍। ଏଥିପାଇଁ ଫୁଲ ଦମ୍‌ରେ ସଜବାଜ ହେଉଛନ୍ତି ରୁବିନା। ସେ ମ୍ୟୁଜିକ କମ୍ପୋଜର ପଲାଶ ମୁଛଲଙ୍କ ସହ ବଡ ପରଦାରେ ଡେବ୍ୟୁ କରିବେ। ରୁବିନା ପଲାଶଙ୍କ ନିଜ ପ୍ରଥମ ବଲିଉଡ ଫିଲ୍ମ ସାଇନ୍ କରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଅର୍ଧ’। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ପଲାଶ ଅଛନ୍ତି। ଫିଲ୍ମର ଲିଡ୍ ରୋଲ୍‌ରେ ଟେଲିଭିଜନ ଅଭିନେତା ହିତେନ ତେଜୱାନୀ ଅଛନ୍ତି। ଏନେଇ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ରୁବିନା ଦଲଇକ୍ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ରୁବିନା ଓ ହିତେନ୍‌ଙ୍କ ବ୍ୟତୀତ ରାଜପାଲ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ।ସୂଚନା ମୁତାବକ ଚଳିତ ବର୍ଷ ଜୁନ୍ ମାସରେ ପଲାଶ ନିଜ ଟୁଇଟର ହ୍ୟାଣ୍ଡେଲରେ ରାଜପାଲ ଯାଦବଙ୍କ ସହ ଏକ ଫଟୋ ସେଆର କରିଥିଲେ। ଏହି ଫଟୋକୁ ସେଆର କରି ସେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ହିଣ୍ଟ ଦେଇଥିଲେ। ବିଗ୍‌ବସ୍‌-୧୪ର ବିଜେତା ହେବା ପରେ ରୁବିନା ଏବେ ପୂର୍ବାପେକ୍ଷା ଆହୁରି ଅଧିକ ପପୁଲାର ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ଚାଲିଛି।

କମିନି ମାଧୁରୀଙ୍କ କ୍ରେଜ, ‘ଡ୍ୟାନ୍ସ ଦିବାନେ’ ଏପିସୋଡ଼ ପିଛା ନେଉଛନ୍ତି ଏତେ ଟଙ୍କା…..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସ ଦିବାନେ-୩’ ସୁପରହିଟ୍‌ ଶୋ’। ଏହି ଶୋ’ର ପ୍ରତିଯୋଗୀଙ୍କ ସମେତ ଜଜ ଓ ହୋଷ୍ଟ ବି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ସୋକୁ ଦର୍ଶକ ମିସ୍‌ କରିବାକୁ ଚାହୁଁ ନ ଥିବା ବେଳେ ଏହାର ଟିଆରପି ବି ଖୁବ୍‌ ଉପରେ। ଏହି ଶୋ’ର ଜଜ୍ ସିଟ୍‌ରେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ବସୁଥିବା ବେଳେ ତାଙ୍କ ସହ କୋରିଓଗ୍ରାଫର ଧର୍ମେଶ ଓ ତୁଷାର କାଲିଆ ଦେଖାଦେଇଥାନ୍ତି। ଅପରପକ୍ଷେ, କମେଡି କୁଇନ ଭାରତୀ ନିଜ ସ୍ୱାମୀ ହର୍ଷଦ ଲାମ୍ବିଚିଆଙ୍କ ସହ ଶୋ’କୁ ହୋଷ୍ଟ କରି କମେଡିର ଭରପୂର ତଡ଼କା ଲଗାଇଥାନ୍ତି। ଆଜି ଜାଣିବା ପ୍ରତି ଶୋ’ ପିଛା ଜଜ୍‌ମାନେ ଏହି ପ୍ରୋଗ୍ରାମକୁ କେତେ ରୋଜରାଗ କରିଥାନ୍ତି। ଡ୍ୟାନ୍ସ କୁଇନ୍‌ ମାଧୁରୀ ଏବେ ବଡ଼ ପରଦା ଅପେକ୍ଷା ରିଆଲିଟି ସୋରେ ବେଶ୍‌ ଆକ୍ଟିଭ ଅଛନ୍ତି। ସେ ‘ଡ୍ୟାନ୍ସ ଦିବାନେ’ ର ହଟ୍‌ ସିଟ୍‌ରେ ବସି ପ୍ରତିଯୋଗୀଙ୍କୁ ଜଜ୍‌ କରୁଥିବା ବେଳେ ତାଙ୍କ ସ୍ମାଇଲରେ ସମସ୍ତେ ଫିଦା। ବଡ଼ ପରଦାରୁ ଦୂରେଇ ଯାଇଥିଲେ ବି ମାଧୁରୀଙ୍କ କ୍ରେଜ ଏବେ ବି କମିନି।  ‘ଡ୍ୟାନ୍ସ ଦିବାନେ’ ସୋରେ ମାଧୁରୀ ହାଇଏଷ୍ଟ ପେଡ ଜଜ୍‌ ହୋଇଥିବା ବେଳେ ସୋ ପିଛା ସେ ୧-୨ କୋଟି ଚାର୍ଜ କରିଥାନ୍ତି। ମାଧୁରୀଙ୍କ ପରେ ଧର୍ମେଶ ବି ଏହି ସୋର ଜଣେ ପପୁଲାର ଜଜ୍‌। ସେ ପ୍ରତି ଏପିସୋଡ ପିଛା ୬ରୁ ୮ ଲକ୍ଷ  ଟଙ୍କା ଚାର୍ଜ କରିଥାନ୍ତି। ସେହିପରି ତୁଷାର କାଲିଆ ବି ପ୍ରତି ସୋ ପିଛା ୧୦ରୁ ୧୧ ଲକ୍ଷ ଆଦାୟ କରିଥାନ୍ତି।ଏହାବାଦ ନିଜ କମେଡି ଯୋଗୁ ଡ୍ୟାନ୍ସିଂ ସୋରେ ବି ଲୋକଙ୍କ ହସାଇ ହସାଇ ବେଦମ କରୁଥିବା ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ପ୍ରତି ଶୋ’ ପିଛା ୧ କୋଟି ମିଳୁଥିବା ଜଣାଯାଇଛି। ପ୍ରତି ଏପିସୋଡ଼ ପିଛା ଭାରତୀ ୬ରୁ ୭ ଲକ୍ଷ ଚାର୍ଜ କରୁଥିବା ବେଳେ ହର୍ଷଙ୍କୁ ଏଥିପାଇଁ ମିଳିଥାଏ ୩ରୁ ୪ ଲକ୍ଷ ।  ହେଲେ ଉଭୟ ପତିପତ୍ନୀ ଏକାଠି ଏହି ଶୋ’ରେ ଧମାଲ କରୁଥିବା ବେଳେ ଚାର୍ଜ ବି ପ୍ରବଳ ନେଇଥାନ୍ତି।

ପୁରୁଷ ପାରିଲେ ନାହିଁ, ମହିଳା ରଖିଲେ ସମ୍ମାନ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ହାତରେ ଆଉ ତିନି ଦିନ। ଏହା ପରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ କଥା ଟୋକିଓ ଅଲିମ୍ପିକ୍ସ। ଏଥିପାଇଁ ଭାରତୀୟ ଦଳର ପ୍ରଥମ ପର୍ଯ୍ୟାୟ ଟୋକିଓରେ ପହଞ୍ଚି ସାରିଛନ୍ତି। ବାକି ଆଥଲେଟ୍ ପର୍ଯ୍ୟାୟକ୍ରମେ ଟୋକିଓ ଯାତ୍ରା କରିବେ। ଏଥର ଭାରତ ତା’ର ସର୍ବଶ୍ରେଷ୍ଠ ଦଳ ଅଲିମ୍ପିକକୁ ପଠାଇଛି। ମୋଟ ୧୨୫ ଜଣ ଆଥଲେଟ୍ ଅଲିମ୍ପିକରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେଣୁ ଏଥର ଭାରତ ରେକର୍ଡ ସଂଖ୍ୟକ ପଦକ ଜିତିବା ନେଇ ଆଶା ରହିଛି। ଗତ ସଂସ୍କରଣରେ ଭାରତର ୧୧୮ ଜଣ ଆଥଲେଟ୍ ଭାଗ ନେଇଥିଲେ। କିନ୍ତୁ ଭାରତର ପ୍ରଦର୍ଶନ ଆଶାମୁତାବକ ଭଲ ରହିନଥିଲା। ଲଣ୍ଡନ୍ ଅଲିମ୍ପିକ୍ସ ତୁଳନାରେ ଟୋକିଓରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ରିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୧୧ଦିନ ପର୍ଯ୍ୟନ୍ତ ଭାରତ ପଦକ ଖାତା ଖୋଲିପାରିନଥିଲା। କିନ୍ତୁ ମହିଳା ଶକ୍ତି ଭାରତର ସମ୍ମାନ ରକ୍ଷା କରିଥିଲେ।

Sakshi Malik wins India's first medal at Rio Olympics

ରେସ୍‌ଲିଂରେ ସାକ୍ଷୀ ମଲ୍ଲିକ୍ ଓ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଯଥାକ୍ରମେ ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତି ଭାରତର ଖାତା ଖୋଲିଥିଲେ। ଜିମ୍ନାଷ୍ଟିକ୍ସରେ ଦୀପା କର୍ମାକର ଅଳ୍ପକେ ପଦକରୁ ବଞ୍ଚିତ ରହି ଚତୁର୍ଥ ସ୍ଥାନରେ ରହିଥିଲେ। ଅଭିଜ୍ଞ ଆଥ୍‌ଲେଟ୍ ଯଥା ଅଭିନବ ବିନ୍ଦ୍ରା, ଗଗନ ନାରଙ୍ଗ୍‌, ଲିଆଣ୍ଡର୍ ପେସ୍‌, ଜିତୁ ରାୟ, ସାନିଆ ମିର୍ଜା ପଦକ ଜିତିବାରେ ବିଫଳ ହୋଇଥିଲା। ଯେଉଁ କାରଣରୁ ଭାରତ ମାତ୍ର ୨ଟି ପଦକ ସହ ରିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଥିଲା। ଆସନ୍ତୁ ରିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଉପରେ ନଜର ପକାଇବା।

ସାକ୍ଷୀ ଓ ସିନ୍ଧୁଙ୍କ ସଫଳତା- ରିଓରେ ଭାରତ ଖାଲି ହାତରେ ଫେରିବ ବୋଲି ଲାଗୁଥିଲା। କିନ୍ତୁ ୧୩ତମ ଦିନରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ମହିଳା ରେସ୍‌ଲର୍ ସାକ୍ଷୀ ମଲିକ୍। କ୍ୱାର୍ଟର୍‌ଫାଇନାଲ୍‌ରେ ହାରିଥିବା ସାକ୍ଷୀଙ୍କୁ ଭାଗ୍ୟ ସାଥ୍ ଦେଇଥିଲା। ତାଙ୍କୁ କ୍ୱାର୍ଟର୍‌ରେ ହରାଇଥିବା ପ୍ରତିଦ୍ୱନ୍ଦ୍ୱୀ ଫାଇନାଲ୍‌କୁ ଉନ୍ନୀତ ହେବା ସାକ୍ଷୀଙ୍କୁ ପଦକ ରାଉଣ୍ଡ ଖେଳିବା ପାଇଁ ସୁଯୋଗ ଦେଇଥିଲା। ପଦକ ମ୍ୟାଚ୍‌ରେ ସାକ୍ଷୀ ଶେଷ ୧୦ ସେକେଣ୍ଡରେ ବିଜୟୀ ପଏଣ୍ଟ ହାସଲ କରି ଭାରତକୁ ବ୍ରୋଞ୍ଜ ପଦକ ଦେଇଥିଲେ। ସେହିପରି ପିଭି ସିନ୍ଧୁ ବ୍ୟାଡ୍‌ମିଣ୍ଟନ୍ ସିଙ୍ଗଲ୍ସ ସେମିଫାଇନାଲ୍‌ରେ ବିଶ୍ୱର ଦୁଇ ନମ୍ବର ଖେଳାଳି ୱାଙ୍ଗ୍ ୟିହାନ୍‌ଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଥିଲେ। ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ସିନ୍ଧୁ ପ୍ରଥମ ଖେଳାଳି ଭାବେ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ତେବେ ଫାଇନାଲ୍‌ରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

Rio Olympics 2016, Day 3: India's complete schedule; Abhinav Bindra, Gagan Narang in spotlight | Rio Olympics 2016 News | Zee News

ସୁଟିଂରେ ଭାରତ ଅଧିକ ନିରାଶ କରିଥିଲା। ତାରକା ସୁଟର୍ ଅଭିନବ ବିନ୍ଦ୍ରା ୧୦ ମିଟର୍ ଏୟାର୍ ରାଇଫଲ୍ ବର୍ଗରେ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଏଥିରେ ସେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଲଣ୍ଡନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର୍ ଗଗନ ନାରଙ୍ଗ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ନାରଙ୍ଗ ୧୦ ମିଟର ଏୟାର୍ ରାଇଫଲ୍‌, ୫୦ ମିଟର୍ ରାଇଫଲ୍ ପ୍ରୋନ୍ ଓ ୫୦ ମିଟର୍ ଥ୍ରୋ’ ପୋଜିସନ୍‌ରେ ଫାଇନାଲ୍‌କୁ ଉନ୍ନୀତ ହୋଇପାରିନଥିଲେ। ଅନ୍ୟତମ ଦାବିବାର ଜିତୁ ରାୟ କେବଳ ୧୦ ମିଟର୍ ଏୟାର ପିସ୍ତଲର ଫାଇନାଲ୍‌କୁ ଯାଇଥିଲେ ହେଁ ଅଷ୍ଟମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ମହିଳା ସୁଟର୍ ଯଥା ଅପୂର୍ବୀ ଚାନ୍ଦେଲା, ଆୟୋନିକା ପଲ୍ ଓ ହୀନା ସିଦ୍ଧୁ ନିଜ ନିଜ ବର୍ଗର ଫାଇନାଲ୍‌କୁ ଉନ୍ନୀତ ହୋଇପାରି ନଥିଲେ ।

Legend of the fall: Leander Paes-Rohan Bopanna crash out on Day 1 | Sports News,The Indian Express

ଟେନିସ୍‌ରେ ଭାରତର ସବୁଠାରୁ ଅଭିଜ୍ଞ ଦଳ ରିଓ ଯାଇଥିଲେ। ଲିଆଣ୍ଡର ପେସ୍‌, ରୋହନ ବୋପନ୍ନା ଓ ସାନିଆ ମିର୍ଜାଙ୍କ ଭଳି ତାରକା ଥିଲେ। କିନ୍ତୁ କେହିବି ସଫଳତା ଛୁଇଁପାରି ନଥିଲେ। ଅତିକରେ ହକିରେ ଭାରତ ନିଶ୍ଚିତ ପଦକ ଜିତିବ ବୋଲି ଆଶା ଥିଲା। କିନ୍ତୁ ଏହି ବିଭାଗରେ ମଧ୍ୟ ନିରାଶା ହାତରେ ଲାଗିଥିଲା। ପୁରୁଷ ଦଳ କ୍ୱାର୍ଟରଫାଇନାଲରେ ବେଲ୍‌ଜିୟମଠାରୁ ହାରି ବିଦାୟ ନେଇଥିଲା। ସେହିପରି ୩୬ ବର୍ଷ ପରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିବା ମହିଳା ଦଳ ଗୋଟିଏ ବି ମ୍ୟାଚ୍ ଜିତିପାରିନଥିଲା। ଆଥ୍‌ଲେଟିକ୍ସରେ ଭାରତ ତା’ର ଶ୍ରେଷ୍ଠ ଦଳ ପଠାଇଥିଲା। ସେଥିମଧ୍ୟରେ ଓଡ଼ିଶାର ଦୁଇଜଣ ମହିଳା ଧାବିକା ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦ ସାମିଲ୍ ଥିଲେ। ଶ୍ରାବଣୀ ୨୦୦ ମିଟର୍ ଓ ଦୂତୀ ୧୦୦ ମିଟର୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ, ଫାଇନାଲ୍‌କୁ ଉନ୍ନୀତ ହୋଇପାରିନଥିଲେ। ବାକି ଆଥ୍‌ଲେଟମାନେ ମଧ୍ୟ ନିରାଶ କରିଥିଲେ ।

Saina Nehwal can resume practice in two months: Surgeon | Rio 2016 Olympics News - Times of India

ବ୍ୟାଡ୍‌ମିଣ୍ଟନରେ ଭାରତ ପାଖରେ ପଦକ ଜିତିବାର ଭଲ ସୁଯୋଗ ଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟରୁ ସାଇନା ନେହ୍ୱାଲଙ୍କ ଭଳି ଦେଶର ଟପ୍ ଶଟଲର୍ ବିଦାୟ ନେବା ଭାରତର ଆଶାକୁ କ୍ଷୀଣ କରିଦେଇଥିଲା। ଡବଲ୍ସରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ମହିଳା ଯୋଡ଼ି ଏବଂ ପୁରୁଷ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ୍ ରେଡ୍ଡୀ ନିରାଶ କରିଥିଲେ। ପୁରୁଷ ସିଙ୍ଗଲ୍ସରେ କେ ଶ୍ରୀକାନ୍ତ କ୍ୱାର୍ଟରକୁ ଯାଇଥିଲେ। କିନ୍ତୁ ସେମିରୁ ବଞ୍ଚିତ ରହିଥିଲେ। ତେବେ ମହିଳା ସିଙ୍ଗଲ୍ସରେ ଭାରତର ସମ୍ମାନ ରଖିଲେ ପିଭି ସିନ୍ଧୁ। ସିନ୍ଧୁ ଫାଇନାଲ୍‌କୁ ଉନ୍ନୀତ ହୋଇ ଭାରତର ପଦକ ନିଶ୍ଚିତ କରିଥିଲେ। କିନ୍ତୁ ସେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ବିଶ୍ୱର ଏକ ନମ୍ବର ଖେଳାଳି କାରୋଲିନା ମାରିନ୍‌ଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

Rio Olympics 2016, day 16 highlights: Yogeshwar Dutt's exit ends India's campaign-Sports News , Firstpost

ରେସ୍‌ଲିଂରେ ସନ୍ଦୀପ ତୋମାର (୫୭ କେଜି) ଓ ଯୋଗେଶ୍ୱର ଦତ୍ତ (୬୫ କେଜି) ନିଜ ନିଜ ପ୍ରଥମ ରାଉଣ୍ଡ ହାରି ଥିଲେ। ମହିଳା ବର୍ଗରେ ବବିତା କୁମାରୀ ପ୍ରଥମ ରାଉଣ୍ଡରେ ହାରିଥିବା ବେଳେ ଭିନେଶ ପୋଗତ (୪୮ କେଜି) ଓ ସାକ୍ଷୀ ମଲିକ୍ (୫୮ କେଜି) କ୍ୱାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଥିଲେ। କିନ୍ତୁ ଦୁହେଁ କ୍ୱାର୍ଟର୍‌ରେ ପରାସ୍ତ ହୋଇଥିଲେ। କିନ୍ତୁ ଭାଗ୍ୟ ସାକ୍ଷୀଙ୍କୁ ସାଥ୍ ଦେଇଥିଲା । ସାକ୍ଷୀ ରିପିଚେଜ୍ ରାଉଣ୍ଡର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏଥିରେ ସେ କାଜାଖସ୍ତାନର ଆଇସୁଲୁ ଟିନିବେକୋଭାଙ୍କୁ ହରାଇ ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ। ଆର୍ଚେରୀରେ ଭାରତର ୪ଜଣ ତୀରନ୍ଦାଜ ରିଓକୁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ କେହିବି ପଦକ ନିକଟତର ହୋଇପାରି ନଥିଲେ। ଏକମାତ୍ର ପୁରୁଷ ତୀରନ୍ଦାଜ ଭାବେ ଅତନୁ ଦାସ ଅଲିମ୍ପିକ୍ସକୁ ଯାଇଥିଲେ। ଅତନୁ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ କୋରିଆର ଲି ସିଅଙ୍ଗ୍‌-ୟୁନ୍‌ଙ୍କଠାରୁ ହାରି ବିଦାୟ ନେଇଥିଲେ। ସେହିପରି ତିନିଜଣ ମହିଳା ତୀରନ୍ଦାଜ ଦୀପିକା କୁମାରୀ, ବୋମ୍ବାଲ୍ୟା ଦେବୀ ଲକ୍ଷ୍ମୀରାଣୀ ମାଝୀ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ନିରାଶ କରିଥିଲେ।

ପେଗାସସ୍‌ ବିବାଦ ଉପରେ ଅମିତ ଶାହ କହିଲେ- ଆପଣମାନେ କ୍ରୋନୋଲଜିକୁ ବୁଝନ୍ତୁ

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପେଗାସସ୍‌କୁ ନେଇ ସୃଷ୍ଟି ବିବାଦ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ସବୁକଥାରେ କ୍ରୋନୋଲଜି ବା କାହା ପରେ କ’ଣ ଘଟୁଛି, ସେକଥା ବୁଝନ୍ତୁ ବୋଲି ବୟାନ ଦେଉଥିବା ଶାହ ଏବେ ପେଗାସସ୍‌ ରିପୋର୍ଟ ସମ୍ପର୍କରେ ସମାନ କଥା କହି ବିରୋଧୀଙ୍କୁ ତୀର ମାରିଛନ୍ତି। ତାଙ୍କ ସମାଲୋଚକ ମାନେ ମଧ୍ୟ ତାଙ୍କୁ ପରିହାସ କରି କ୍ରୋନୋଲଜି ବୁଝନ୍ତୁ ବୋଲି କହନ୍ତି। ହେଲେ ସେ ଆଜି କହିଛନ୍ତି, “ବିଶୃଙ୍ଖଳାକାରୀ ଓ ଅବରୋଧକାରୀ ଶକ୍ତିମାନେ ଷଡ଼ଯନ୍ତ୍ର କରି ଭାରତର ବିକାଶ ଯାତ୍ରାକୁ ଅଟକାଇ ପାରିବେ ନାହିଁ। ମୌସୁମୀ ଅଧିବେଶନ ଦେଶରେ ବିକାଶର ନୂତନ ମାନଦଣ୍ଡ ସ୍ଥିର କରିବ।” ପେଗାସସ୍ ଦ୍ୱାରା ଭାରତର ୩୦୦ ବିଶିଷ୍ଟଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ରିପୋର୍ଟ ଗତକାଲି ପ୍ରକାଶ ପାଇଥିଲା। ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ସଂସଦର ଉଭୟ ସଦନରେ ଘେରିଥିଲେ। ଏଥିପାଇଁ ଗୃହ ମଧ୍ୟ ଚାଲି ପାରିନି। ପେଗାସସ୍ ସମ୍ପର୍କରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଥିଲେ। ସେ ରିପୋର୍ଟରେ ସତ୍ୟତା ନଥିବା ମଧ୍ୟ କହିଛନ୍ତି। ହେଲେ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଘଟଣାର ତଦନ୍ତ ଦାବି କରିବା ସହ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି। ଏସବୁ ଭିତରେ ଅମିତ ଶାହ କହିଛନ୍ତି, ଲୋକମାନେ ସାଧାରଣତଃ ଥଟାରେ ଏହି ଫ୍ରେଜ(କ୍ରୋନୋଲିଜିକୁ ବୁଝନ୍ତୁ)କୁ ବ୍ୟବହାର କରନ୍ତି। ହେଲେ ମୁଁ ଆଜି ବେଶ ଗମ୍ଭରତାର ସହ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁର ଲିକ୍‌ ଓ ଏହାକୁ ନେଇ ଚାଲିଥିବା ବିରୋଧ କଥା କହୁଛି। ଆପଣମାନେ କ୍ରୋନୋଲଜିକୁ ବୁଝନ୍ତୁ। ଏହି ରିପୋର୍ଟ ବିଶୃଙ୍ଖଳକାରୀଙ୍କ ଦ୍ୱାରା ବିକାଶର ପଥକୁ ଅବରୋଧ କରିବା ପାଇଁ ସାମ୍ନାକୁ ଅଣାଯାଇଛି।ବିଶୃଙ୍ଖଳାକାରୀ ବିଶ୍ୱସ୍ତରୀୟ ସଂଗଠନ। ସେମାନେ ଭାରତ ବିକାଶ କରୁ ବୋଲି ଚାହାନ୍ତି ନାହିଁ। ଭାରତର ଲୋକମାନେ ଭଲ ଭାବେ ଏହି କ୍ରୋନୋଲଜି ଓ କନେକସନକୁ ବୁଝିଛନ୍ତି। ଦେଶର ଗଣତନ୍ତ୍ରକୁ ମଳିନ କରିବା ପାଇଁ ଗତ ସନ୍ଧ୍ୟାରେ ଏକ ରିପୋର୍ଟ ଆସିଛି। ମୌସୁମୀ ଅଧିବେଶନ ପୂର୍ବରୁ ବିକାଶର ଗତିକୁ ରୋକିବା ପାଇଁ ଏହାକୁ ଅଣାଯାଇଛି। ଏହି ଅଧିବେଶନ ସହିତ ଦେଶବାସୀଙ୍କ ଅନେକ ଆଶା ଜଡ଼ିତ ହୋଇ ରହିଛି। କୃଷକ, ଯୁବକ, ମହିଳା, ଗରିବ ତଥା ସମାଜର ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଅର୍ଥପୂର୍ଣ୍ଣ ବିତର୍କ ଓ ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ରହିଛି।ଗତକାଲିର ସର୍ବଦଳୀୟ ବୈଠକ ଓ ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ରାଜି ଥିବା କହିଛନ୍ତି। କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ପରିଷଦକୁ ପ୍ରଧାନମନ୍ତ୍ରୀ ସମ୍ପ୍ରସାରିତ କରିଥିଲେ। ଯେଉଁଥିରେ ସମାଜର ପ୍ରତ୍ୟେକ ବିଭାଗର ସଦସ୍ୟମାନଙ୍କୁ ବିଶେଷ କରି ମହିଳା, କୃଷକ, ଦଳିତ ଓ ପଛୁଆ ବର୍ଗଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଇଛି। କିନ୍ତୁ କିଛି ଏମିତି ବିରୋଧୀ ଶକ୍ତି ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ମହିଳା ତଥା ସମାଜର ପଛୁଆ ତଥା ବଞ୍ଚିତ ବର୍ଗଙ୍କୁ ଦେଇଥିବା ସମ୍ମାନକୁ ସହଜରେ ହଜମ କରି ପାରୁନାହାନ୍ତି। ଏମାନେ ସେହି ଲୋକ, ଯେଉଁମାନେ କ୍ରମାଗତ ଭାବରେ ଦେଶର ପ୍ରଗତିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି ଲୋକମାନେ କାହା ନିର୍ଦ୍ଦେଶରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବାକୁ କାମ କରୁଛନ୍ତି? ବାରମ୍ବାର ଭାରତକୁ ନୀଚ କରି ଦେଖାଇ, ସେମାନେ କ’ଣ ଆନନ୍ଦ ପାଆନ୍ତି ବୋଲି ଶାହ ପ୍ରଶ୍ନ କରିଛନ୍ତି।

 

ପେଗାସସ୍‌କୁ ୪୫ରୁ ଅଧିକ ଦେଶ ବ୍ୟବହାର କରୁଛନ୍ତି, ଭାରତକୁ ଟାର୍ଗେଟ କାହିଁକି: ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌କୁ ଯଦି ୪୫ରୁ ଅଧିକ ଦେଶରେ ବ୍ୟବହାର କରାଯାଇଛି, ତା’ହେଲେ କେବଳ ଭାରତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ଆଜି ବିଜେପି ପ୍ରଶ୍ନ କରିଛି। ପେଗାସସ୍‌ ଜରିଆରେ ଦେଶର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ବିଜେପି ନେତା ତଥା ପୂର୍ବତନ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏପରି କହିଛନ୍ତି। ଭାରତ ଏହାକୁ ବ୍ୟବହାର କରୁଛି କି ନାହିଁ, ସେକଥା ରବି ଶଙ୍କର କହି ନାହାନ୍ତି। ହେଲେ ୪୫ରୁ ଅଧିକ ଦେଶରେ ଏହାକୁ ବ୍ୟବହାର କରାଯାଉଥିବା ବେଳେ କେବଳ ଭାରତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୯ରେ ମଧ୍ୟ ସରକାର ପେଗାସସ୍‌ ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା। ସେତେବେଳେ ମଧ୍ୟ ଆଇଟି ମନ୍ତ୍ରୀ ହିସାବରେ ସରକାରଙ୍କୁ ରବି ଶଙ୍କର ପ୍ରସାଦ ଡିଫେଣ୍ଡ କରିଥିଲେ। ଏବେ ସେ ମନ୍ତ୍ରୀ ନଥିଲେ ମଧ୍ୟ ସରକାରଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେ କହିଛନ୍ତି, ପେଗାସସ୍‌କୁ ତିଆରି କରିଥିବା ଏନଏସ୍‌ଓ ସ୍ପଷ୍ଟ ଭାବେ କହିଛି ଯେ ଏହାର କ୍ରେତା ମୁଖ୍ୟତଃ ୱେଷ୍ଟର୍ଣ୍ଣ ଦେଶର। ଏହା ସତ୍ତ୍ୱେ କାହିଁକି ଏହି ପ୍ରସଙ୍ଗରେ କେବଳ ଭାରତକୁ ଟାର୍ଗେଟ କରାଯାଉଛି? ଏହା ପଛର କାହାଣୀ କ’ଣ? ଏହା ପଛର ରହସ୍ୟ କ’ଣ? କିଛି ଲୋକ ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ନ୍ୟୁଜ ପ୍ରକାଶ କରୁଛନ୍ତି। ସେମାନେ ଗୋଟିଏ ନୂଆ ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି କି? ଆମନେଷ୍ଟୀ ଭଳି ସଂସ୍ଥା ଭାରତ ବିରୋଧୀ ଏଜେଣ୍ଡାରେ କାମ କରନ୍ତି ବୋଲି ଆପଣମାନେ ମନା କରିପାରିବେ କି? ପେଗାସସ୍‌କୁ ନେଇ ପ୍ରକାଶିତ ରିପୋର୍ଟ ସହ ସରକାର କିମ୍ବା ବିଜେପିର କୌଣସି ଭୂମିକା ନାହିଁ। ସରକାର ସବୁବେଳେ ସମସ୍ତଙ୍କର ମୌଳିକ ଅଧିକାର ଓ ଗୋପନୀୟତାକୁ ସୁରକ୍ଷା ଦେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପେଗାସସ୍‌ର ହ୍ୟାକ ଲିଷ୍ଟରେ ରାହୁଲ ଗାନ୍ଧି, ପ୍ରଶାନ୍ତ କିଶୋର, ଅଶ୍ୱିନୀ ବୈଷ୍ଣବ, ପ୍ରହ୍ଲାଦ ପଟେଲ, ବିଶ୍ୱ ହିନ୍ଦୁ ପରିଷଦର ପ୍ରବୀଣ ତୋଗାଡ଼ିଆ, ରାହୁଲ ଗାନ୍ଧିଙ୍କ ୫ ଜଣ ସହଯୋଗୀ, ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସାଙ୍କ ଭଳି ବ୍ୟକ୍ତିଙ୍କ ନାଁ ରହିଛି।

 

ପେଗାସସ୍‌ ରିପୋର୍ଟ: ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପେଗାସସ୍‌ ହ୍ୟାକ ରିପୋର୍ଟକୁ ନେଇ ଉଭୟ ସଂସଦ ଭିତରେ ଓ ବାହାରେ ହଙ୍ଗାମା ଦେଖିବାକୁ ମିଳିଛି। ଆଜି ସଂସଦ ଅଧିବେଶନ ଆରମ୍ଭ ହୋଇଥିଲେ ହେଁ ବିରୋଧୀଙ୍କ ନାରାବାଜୀ ଯୋଗୁ ଉଭୟ ଗୃହକୁ ଆସନ୍ତାକାଲି ଦିନ ୧୧ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ତେବେ ସଂସଦ ବାହାରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ପେଗାସସ୍‌ ସଂକ୍ରାନ୍ତରେ ଘେରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ମୋଦି ସରକାର ଲୋକଙ୍କ ବେଡରୁମ କଥାବାର୍ତ୍ତା ଶୁଣିଛନ୍ତି ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସାମ୍ବିଧାନିକ ବ୍ୟକ୍ତିବିଶେଷ, କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ବିରୋଧୀ ଦଳ ନେତା, ବିଚାରପତି, ସାମ୍ବାଦିକ ଓ ଅନ୍ୟମାନଙ୍କ ଫୋନକୁ ବେଆଇନ ଭାବେ ହ୍ୟାକ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ଅସାମ୍ବିଧାନିକ। ପ୍ରଧାନମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଏହା ସଂପୂର୍ଣ୍ଣ ଭାବେ ଦେଶଦ୍ରୋହ। ମୋଦି ସରକାର ଜାତୀୟ ସୁରକ୍ଷାକୁ ବିପଦରେ ପକାଇଛନ୍ତି। ଏହି ପେଗାସସ ସ୍ପାଇୱେୟାର ଜରିଆରେ ବିଦେଶୀ କମ୍ପାନୀ ଭାରତୀୟଙ୍କ ସବୁ ତଥ୍ୟ ହାସଲ କରିପାରୁଛି। ଏହ ଘଟଣା ପାଇଁ କେବଳ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦାୟୀ। ସେ ଇସ୍ତଫା ଦିଅନ୍ତୁ। ଅବଶ୍ୟ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିନା ଅନୁମତିରେ କେବେ ହେଲେ ହୋଇ ନଥିବ। ଏହା ଗୋଟିଏ ଅକ୍ଷମଣୀୟ ଅପରାଧ। ସାମ୍ବିଧାନିକ ଶପଥକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଲ୍ଲଙ୍ଘନ କରିଛନ୍ତି ବୋଲି କଂଗ୍ରେସ କହିଛି। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ସରକାର ବେଆଇନ ଭାବେ ଗୁଇନ୍ଦାଗିରି କରିଛନ୍ତି। ଏହା ଯଦି ଦେଶଦ୍ରୋହ ନୁହେଁ, ତା’ହେଲେ କ’ଣ? ବିଜେପି ବର୍ତ୍ତମାନ ଭାରତୀୟ ଜାସୁସ ପାର୍ଟି ହୋଇଯାଇଛି। କେଉଁ ପ୍ରକାରର ଆତଙ୍କ ଓ ଅପରାଧ ବିରୋଧରେ ଆପଣମାନେ ରାହୁଲ ଗାନ୍ଧିଙ୍କ ଉପରେ ଗୁଇନ୍ଦାଗିରି କରି ଲଢ଼େଇ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ପେଗାସସ୍‌ ହ୍ୟାକ ତାଲିକାରେ ରାହୁଲ ଗାନ୍ଧି, ପ୍ରଶାନ୍ତ କିଶୋର ଓ ଅଶ୍ୱିନୀ ବୈଷ୍ଣବ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ସ୍ପାଇୱେୟାର ପେଗାସସ୍‌ ଦ୍ୱାରା ହ୍ୟାକ୍‌ର ଶିକାର ହୋଇଥିବା ଲୋକଙ୍କ ନାଁ ସାର୍ବଜନୀନ ହୋଇଛି। ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରହିଛି। ରବିବାର ରାତିରେ ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ସରକାର ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌କୁ ବ୍ୟବହାର କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ତେଣୁ ଭାରତ ସରକାର ଏହାକୁ ବ୍ୟବହାର କରୁଥିବା ଗୋଟିଏ ଜାତୀୟ ନ୍ୟୁଜ ୱେବସାଇଟ ଖବର ପ୍ରକାଶ କରିଥିଲା। ଏବେ ହ୍ୟାକର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାଁ ଜାତୀୟ ଗଣମାଧ୍ୟମ ଏନଡିଟିଭି ପ୍ରକାଶ କରିଛି। ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧି ଓ ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟତୀତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ହ୍ୟାକର ଶିକାର ହୋଇଛନ୍ତି। ତାଲିକାରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସା, ରାହୁଲ ଗାନ୍ଧିଙ୍କ ଦୁଇ ସହଯୋଗ ସଚିନ ରାଓ ଏବଂ ଅଲଙ୍କର ସବାଇଙ୍କ ନାଁ ମଧ୍ୟ ରହିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୂର୍ବତନ ଏସଓଡିଙ୍କ ନାଁ ବି ରହିଛି। ଆଜି ଏହି ପେଗାସସ୍‌ ରିପୋର୍ଟକୁ ନେଇ ସରକାରଙ୍କୁ ବଞ୍ଚାଇବାକୁ ନିଜେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେଷ୍ଟା କରିଥିଲେ। ହେଲେ ତାଜା ରିପୋର୍ଟ ଅନୁସାରେ, ତାଙ୍କ ଫୋନ ନମ୍ବରକୁ ହିଁ ପେଗାସସ୍‌ ଦ୍ୱାରା ହ୍ୟାକ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ରୁ ଅଧିକ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଉଛି। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି। ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଛନ୍ତି।

ପେଗାସସ୍‌ ରିପୋର୍ଟ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅଶ୍ୱିନୀ ବୈଷ୍ଣବ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍ ସ୍ପାଇୱେୟାରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ସରକାର ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରୀ ତହବିଲରୁ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ତେଣୁ ଭାରତ ସରକାର ଏହାକୁ ବ୍ୟବହାର କରୁଥିବା ଗୋଟିଏ ଜାତୀୟ ନ୍ୟୁଜ ୱେବସାଇଟ ଖବର ପ୍ରକାଶ କରିଥିଲା। ଏହାର ତାତି ଆଜି ସଂସଦରେ ଦେଖିବାକୁ ମିଳିଛି। ତେବେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ରିପୋର୍ଟ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି। ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏପରି ରିପୋର୍ଟ କେବେ ହେଲେ ସଂଯୋଗବଶତଃ ପ୍ରକାଶ ପାଇନାହିଁ ବୋଲି ସେ କହିଛନ୍ତି। ଆଜି ଲୋକସଭାରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏପରି ଅତିରଞ୍ଜିତ ଦାବିରେ କୌଣସି ପ୍ରମାଣ ନାହିଁ। ବେଆଇନ ସର୍ଭେଲାନ୍ସ କେବେ ହେଲେ ସମ୍ଭବ ନୁହେଁ। ଭାରତରେ ଥିବା ପ୍ରତିଷ୍ଠିତ ପ୍ରୋଟକଲ ଏହାକୁ ରୋକିବାକୁ ସକ୍ଷମ। ଗୁଇନ୍ଦାଗିରି କରିବାକୁ ପେଗାସସ୍‌ ବ୍ୟବହାର କରାଯାଉଛି ବୋଲି କୌଣସି ବିଧିବଦ୍ଧ ପ୍ରମାଣ ମିଳିନାହିଁ। ଅତି ସମ୍ବେଦନଶୀଳ ରିପୋର୍ଟ ଗତକାଲି ରାତିରେ ଗୋଟିଏ ୱେବସାଇଟ୍‌ରେ ପ୍ରକାଶ ପାଇଛି। ଅନେକ ପ୍ରକାରର କଥା ଏହି ରିପୋର୍ଟରେ ଅଭିଯୋଗ କରାଯାଇଛି। ଏହି ପ୍ରେସ ରିପୋର୍ଟ ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହା କେବେ ହେଲେ ଗୋଟିଏ ସଂଯୋଗ ହୋଇନ ପାରେ। ପୂର୍ବରୁ ହ୍ୱାଟସଆପ୍‌ରେ ପେଗାସସ୍‌ର ବ୍ୟବହାରକୁ ନେଇ ଦାବି କରାଯାଇଥିଲା। ଏହି ରିପୋର୍ଟରେ କରାଯାଇଥିବା ଦାବିକୁ ନେଇ କୌଣସି ପ୍ରମାଣ ମିଳିନାହିଁ। ସବୁ ପକ୍ଷ ଏହାକୁ ମନା ମଧ୍ୟ କରିଥିଲେ। ୧୮ ଜୁଲାଇରେ ପ୍ରକାଶ ପାଇଥିବା ପ୍ରେସ ରିପୋର୍ଟ କେବଳ ଦେଶର ଗଣତନ୍ତ୍ରକୁ କ୍ଷୁଣ୍ଣ କରିବାକୁ ଗୋଟିଏ ପ୍ରୟାସ। ଭାରତ ଖ୍ୟାତନାମା ପ୍ରତିଷ୍ଠାନକୁ ମଧ୍ୟ ଏହି ରିପୋର୍ଟ ମାଧ୍ୟମରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ରୁ ଅଧିକ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଉଛି। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି। ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଛନ୍ତି। ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍‌ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା। ଏହି ପ୍ରକଳ୍ପରେ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର। ଏହି ପ୍ରକଳ୍ପରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱର ସହସ୍ରାଧିକ ଫୋନ୍‌ ନମ୍ବର ଉପରେ ପେଗାସସ୍‌ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍‌ର ତଥ୍ୟ ପେଗାସସ୍‌ ଚୋରେଇ ନେଇଛି ବା ହ୍ୟାକ୍‌ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍‌ ଓ ପେଗାସସ୍‌ ତଥ୍ୟର ଡିଜିଟାଲ୍‌ ଫୋରେନ୍ସିକ ଯାଞ୍ଚ ଦରକାର। ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍‌ ମଧ୍ୟରେ ଭାରତର ୯ଟି ଆଇଫୋନ୍‌ ଓ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି।

କ୍ୟାବିନେଟ୍‌ ମନ୍ତ୍ରୀ, ବିଚାରପତି ଓ ସାମ୍ବାଦିକଙ୍କ ଫୋନ୍‌ ତଥ୍ୟ ଚୋରି କରୁଛି ପେଗାସସ୍‌ ସ୍ପାଇୱେୟାର୍‌…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ଗୁପ୍ତରେ ନଜର ରଖିଛନ୍ତି ଭାରତ ସରକାର। ଏହି କାର୍ଯ୍ୟ ପାଇଁ ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏ ବାବଦରେ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଇଛି। ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ  ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ଗତ ସନ୍ଧ୍ୟାରେ ଆମ୍‌ନେଷ୍ଟି ଇଣ୍ଟରର୍ନେସନାଲ ଓ ଫ୍ରାନ୍ସର ଏକ ଅଣଲାଭକାରୀ ଗଣମାଧ୍ୟମ ଫର୍‌ବିଡିନ୍‌ ଷ୍ଟୋରିଜ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଉଛି। ଏମାନଙ୍କ ବ୍ୟତିତ ସରକାରଙ୍କ ଗୁପ୍ତ ନଜରରେ ଥିବା ଅନ୍ୟ କେତେକଙ୍କ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କେତେ ଜଣ ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମ କୋର୍ଟ ବିଚାରପତି। ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଛନ୍ତି। ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍‌ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା। ଏହି ପ୍ରକଳ୍ପରେ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର। ଏହି ପ୍ରକଳ୍ପରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱର ସହସ୍ରାଧିକ ଫୋନ୍‌ ନମ୍ବର ଉପରେ ପେଗାସସ୍‌ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍‌ର ତଥ୍ୟ ପେଗାସସ୍‌ ଚୋରେଇ ନେଇଛି ବା ହ୍ୟାକ୍‌ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍‌ ଓ ପେଗାସସ୍‌ ତଥ୍ୟର ଡିଜିଟାଲ୍‌ ଫୋରେନ୍ସିକ ଯାଞ୍ଚ ଦରକାର। ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍‌ ମଧ୍ୟରେ ଭାରତର ୯ଟି ଆଇଫୋନ୍‌ ଓ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି। ପେଗାସସ୍‌ ପ୍ରକଳ୍ପର ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ପୃଥିବୀର କେଇ ହଜାର ଫୋନ୍‌ ନମ୍ବର ସହ ପେଗାସସ୍‌ ସ୍ପାଇୱେୟାର ସଂଯୁକ୍ତ ହୋଇଛି। ମେକ୍ସିକୋର ୧୫୦୦୦ ହଜାର ଫୋନ୍‌ ବିରୋଧରେ ପେଗାସସ୍‌ ଗୁଇନ୍ଦାଗିରି ଚଳେଇଛି। ଭାରତ, ପାକିସ୍ତାନ, ଫ୍ରାନ୍ସ, ବାହାରିନ୍‌, ସାଉଦି ଆରବ, ଆରବ ଅମିରାତ, ହଙ୍ଗେରି ଆଦି ବହୁ ଦେଶର ଫୋନ୍‌ ନମ୍ବର ପେଗାସସ୍‌ ତାଲିକାରେ ରହିଛି। ୨୦୧୯ରେ ମଧ୍ୟ ପେଗାସସ୍‌ ଫୋନ୍‌ ଗୁଇନ୍ଦାଗିରି ନେଇ ଅନେକ ଅଭିଯୋଗ ହୋଇଥିଲା। ସେତେବେଳେ ଅନେକ ସାମ୍ବାଦିକ ଓ ନେତା ଅଭିଯୋଗ କରିଥିଲେ ଯେ ସେମାନଙ୍କ ଫୋନ୍‌ରୁ ହ୍ୱାଟ୍ସଆପ ଚାଟ୍‌ ତଥ୍ୟ ଚୋରି ହୋଇଛି। ଏବେ ଜଣାପଡ଼ିଥିବା ତଥ୍ୟ ଅନୁସାରେ ପେଗାସସ୍‌ ଜରିଆରେ ଭାରତ ସରକାର ଦ ୱେୟାରର ସାମ୍ବାଦିକ ସିଦ୍ଧାର୍ଥ ଭରଦରାଜନ ଓ ରୋହିଣୀ ସିଂହ, ଦ ହିନ୍ଦୁର ବିଜେତା ସିଂହ, ସ୍ୱାଧୀନ ସାମ୍ବାଦିକ ପ୍ରେମ ଶଙ୍କର ଝା ଓ ସ୍ୱାତୀ ଚତୁର୍ବେଦୀଙ୍କ ଫୋନ୍‌ ତଥ୍ୟ ହାସଲ କରିଛନ୍ତି। ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ଏ ସଂପର୍କୀତ ତଥ୍ୟ ଅନୁସାରେ ପେଗାସସ୍‌ ନିକଟରେ ଥିବା କେଇ ହଜାର ଫୋନ୍‌ ନମ୍ବରରୁ ପ୍ରାୟ ହଜାରେ ଫୋନ୍‌ ନମ୍ବର ଚିହ୍ନଟ କରାଯାଇଛି। ଏସବୁ ଫୋନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଅଛନ୍ତି ନିହତ ସାଉଦି ସାମ୍ବାଦିକ ଜମାଲ୍‌ ଖାସୋଗୀଙ୍କ ପତ୍ନୀ ଓ ବାପା, କେତେକ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସାମରିକ ପଦାଧିକାରୀ, କୂଟନୀତିଜ୍ଞ, କ୍ୟାବିନେଟ୍‌ ମନ୍ତ୍ରୀ, ୧୮୯ ସାମ୍ବାଦିକ, ୮୫ ମାନବାଧିକାର କର୍ମୀ ଓ ୬୫ ବ୍ୟାବସାୟିକ ନିର୍ବାହୀ। ଇସ୍ରାଏଲର ଏନଏସଓ ନିଜ ଆଡ଼ୁ ଘୋଷଣା କରିଥିବା ତଥ୍ୟ ଅନୁସାରେ ଏହାର ଗ୍ରାହକ ହେଉଛନ୍ତି ୪୦ଟି ଦେଶର ୬୦ରୁ ଅଧିକ ଗୁଇନ୍ଦା ସଂସ୍ଥା, ସାମରିକ ଓ ନିରାପତ୍ତା ସଂସ୍ଥା ଏବଂ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା। ଏହାର ପୂର୍ବ ସନ୍ଧ୍ୟାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ସଂସଦରେ ତୁମ୍ଭିତୋଫାନ୍‌ ହେବାର ସମ୍ଭାବନା ଅଛି। ରାଫାଲେ ବିମାନ ଦୁର୍ନୀତି, ଚାଷୀ ଆନ୍ଦୋଳନ, କରୋନା ମୁକାବିଲା ବିଫଳତା, ଉଜୁଡ଼ି ଯାଇଥିବା ଅର୍ଥନୀତି ଆଦି ବହୁ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିସାରିଛନ୍ତି ଯେ ବିରୋଧୀ ଯେତେ କଷ୍ଟକର ପ୍ରଶ୍ନ ପଚାରିବା କଥା ପଚାରନ୍ତୁ କିନ୍ତୁ ଉତ୍ତର ଦେବା ପାଇଁ ସରକାରଙ୍କୁ ସୁଯୋଗ ଦିଅନ୍ତୁ। ଏଭଳି ପରିସ୍ଥିତିରେ ପେଗାସସ୍‌ ଗୁଇନ୍ଦାଗିରି ନେଇ କିଭଳି ଆଲୋଚନା ହେବ ତାହା ଆଗକୁ ଜଣାପଡ଼ିବ। ତେବେ ଅନ୍ତର୍ଜାତୀୟ ସ୍ତରରେ ରବିବାର ସନ୍ଧ୍ୟାରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏନଏସଓ ତରଫରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ରପୋର୍ଟରେ ପେଗାସସ୍‌ର ଗୁଇନ୍ଦାଗିରି ନେଇ ଯେଉଁସବୁ ତଥ୍ୟ ପ୍ରକାଶ ପାଇଛି ତାହା ମିଥ୍ୟା ଓ ବିଭ୍ରାନ୍ତିକର। ଏହା ବିରୋଧରେ କମ୍ପାନୀ ମକଦ୍ଦମା କରିପାରେ ବୋଲି ଧମକ୍‌ ଦେଇଛି।

ପିସିସି ମିଡିଆ କମିଟି ପୁର୍ନଗଠିତ: ଗଣେଶ୍ୱର ଅଧ୍ୟକ୍ଷ, ସତ୍ୟ ଆବାହକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶା ପିସିସି ସଭାପତି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ମଧ୍ୟରେ ଆଜି ପିସିସି ମିଡିଆ ଓ କମ୍ୟୁନିକେସନ କମିଟିର ପୁର୍ନଗଠନ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁମୋଦନରେ ୨୩ ଜଣିଆ ସଦସ୍ୟ ବିଶିଷ୍ଟ ଓଡ଼ିଶା ପିସିସି ମିଡ଼ିଆ କମିଟି ଗଠନ ହୋଇଛି । କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହାର ଅଧ୍ୟକ୍ଷ ଥିବାବେଳେ ସତ୍ୟପ୍ରକାଶ ନାୟକ ଆବାହକ ଓ ଦୀପକ କୁମାର ମହାପାତ୍ର ସଂଯୋଜକ ରହିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକଙ୍କ ଦ୍ୱାରା ଜାରି ସୂଚନା ଅନୁସାରେ ମିଡିଆ କମିଟିରେ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଅଧୀରାଜ ପାଣିଗ୍ରାହୀଙ୍କ ସମେତ ବିଜୟଲକ୍ଷ୍ମୀ ସାହୁ, ମନୋରଞ୍ଜନ ଦାଶ, ଦେବାଶୀଷ ପଟ୍ଟନାୟକ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନେନ୍ଦ୍ର ବେଉରା, ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ, ବିନାୟକ ଦାସମହାପାତ୍ର, ଡଃ ହମିଦ୍ ହୁସେନ, ସସ୍ମିତା ବେହେରା, ଗୋବିନ୍ଦ୍ର ଚନ୍ଦ୍ର ଭୂୟାଁ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ଅମୀୟ ପାଣ୍ଡବ, ରଜନୀ ମହାନ୍ତି ଓ ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି। ରାଜ୍ୟରେ କଂଗ୍ରେସ ସଂଗଠନ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବାବେଳେ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏବେ ନିଜର ପିସିସି ମିଡିଆ କମିଟିକୁ ପୁର୍ନଗଠନ କରିଥିବା ଚର୍ଚ୍ଚା।