ଜିଲ୍ଲାପାଳମାନଙ୍କୁ ତାଗିଦ୍: ମାନଦଣ୍ଡ ଆଧାରରେ କଲେଜ ସଭାପତିଙ୍କ ନାଁ ପଠାଅ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର କଲେଜଗୁଡ଼ିକର ପରିଚାଳନା କମିଟିରୁ ବିଧାୟକ ଓ ରାଜନେତାମାନଙ୍କୁ ବାଦ୍ ଦେଇ ଶୈକ୍ଷିକ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ରାଜନୀତିକ ପ୍ରଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁନଥିବା ବ୍ୟକ୍ତିମାନଙ୍କୁ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଭାବେ ଜିଲ୍ଲାପାଳମାନେ ମନୋନୀତ କରୁଥିବାକୁ ନେଇ ଉଚ୍ଚଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ପୋଷଣ କରିଛି। ଅନୁଦାନପ୍ରାପ୍ତ କଲେଜର ପରିଚାଳନା କମିଟିର ସଭାପତିଙ୍କ ନାଁ ସୁପାରିଶବେଳେ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା ୩ଜଣ ବ୍ୟକ୍ତିଙ୍କ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ କହିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କୁହାଯାଇଛି ଯେ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତିଙ୍କୁ ମନୋନୀତ କରିବା ନିମନ୍ତେ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୧ରେ ଓଡ଼ିଶା ଶିକ୍ଷା ଆଇନରେ ଆବଶ୍ୟକ ସଂଶୋଧନ ଆଣିଥିଲେ। ଏହି ଆଇନର ରୁଲ-୨୫ ଅନୁସାରେ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟି ସଭାପତି ଭାବେ ରାଜ୍ୟ ସରକାର ନିଜ ଆଡ଼ୁ କୌଣସି ଜଣକୁ ମନୋନୀତ କରିବେ ଅବାପୁଣି ଜିଲ୍ଲାପାଳମାନେ ୩ଜଣ ବ୍ୟକ୍ତିଙ୍କ ନାଁ ସୁପାରିଶ କରି ପଠାଇବେ। ତେବେ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଭାବେ ମନୋନୀତ ହେବାକୁ ଥିବା ବ୍ୟକ୍ତି ନିଶ୍ଚିତ ଭାବେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହୋଇଥିବେ, ତାଙ୍କର ବୟସ ୪୫ରୁ ୬୭ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ସେ ବିଶିଷ୍ଟ ଏକାଡେମିସିଆନ୍ , ଶିକ୍ଷାବିତ୍‌, ଅବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀ ହୋଇଥିବା ଜରୁରୀ। ଏହି ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ନାଁ କଲେଜ ପରିଚାଳନା କମିଟି ସଭାପତି ଭାବେ ସରକାରଙ୍କୁ ସୁପାରିଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପୂର୍ବରୁ କହିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଜିଲ୍ଲାପାଳମାନେ ଏହି ମାନଦଣ୍ଡକୁ ପାଳନ କରୁନଥିବା ବିଭାଗର ନଜରକୁ ଆସିଛି। ଯାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏକ ନିର୍ଦ୍ଧିଷ୍ଟ ଫର୍ମାଟ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ଓ ସେଥିରେ ଥିବା ସମସ୍ତ ତଥ୍ୟକୁ ପୂରଣ କରି ଅତି କମରେ ୩ଜଣଙ୍କ ନାଁ ସଭାପତି ପଦ ପାଇଁ ସରକାରଙ୍କୁ ସୁପାରିଶ କରିବାକୁ କୁହାଯାଇଛି।ସରକାରଙ୍କ ଦ୍ୱାରା ସଭାପତି ମନୋନୀତ ହେବାପରେ ପରିଚାଳନା କମିଟିର ଅନ୍ୟ ସଦସ୍ୟ ମନୋନୀତ ପ୍ରକ୍ରିୟା ସମ୍ପୃକ୍ତ କଲେଜର ପରିଚାଳନା କମିଟି ସଭାପତି ଓ କଲେଜ ପ୍ରିନ୍ସିପାଲ(ପରିଚାଳନା କମିଟି ସମ୍ପାଦକ) ଦ୍ୱାରା କରାଯିବ। ସେମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ଆଚଂଳିକ ନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରାଇବେ।  ସୂଚନାଯୋଗ୍ୟ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକ ସମେତ ବିଭିନ୍ନ ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଭାବେ ସ୍ଥାନୀୟ ବିଧାୟକ ଅବା ତାଙ୍କର ଦୃଢ଼ ସମର୍ଥକମାନେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଗତବର୍ଷଠୁ ଏହି ନିୟମକୁ ସଂଶୋଧନ କରି ପରିଚାଳନା କମିଟି ସଭାପତି ପଦକୁ ରାଜନୀତିକ ବ୍ୟକ୍ତିବିଶେଷଙ୍କଠୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନ ଥିବା ଜଣାପଡ଼ିଛି।

ଲକ୍ଷେ ଆବାସରେ ହଜାରେ କୋଟିର ଦୁର୍ନୀତି! ପଦାକୁ ଆସିଲା ସାଙ୍ଘାତିକ ସତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ଜୋର୍ ଧରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ରାଜନୀତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ କୋଟି କୋଟି ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ଏବେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। କେଉଁଠି ବିଧବାଙ୍କ ଆବାସ ଟଙ୍କା ତ କେଉଁଠି ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ରହୁଥିବା ହିତାଧିକାରୀଙ୍କ ସହାୟତା ରାଶିକୁ ଅନ୍ୟ କେହି ହଡପ୍ କରି ନେବାର ଅଭିଯୋଗ ଆସିଛି। ଗରିବଙ୍କ ପାଇଁ ଆବାସ ଯୋଜନା ଖୋର୍ଦ୍ଧା କମାଗୁରୁ ଗାଁର ଦୁର୍ଗା ଚରଣ ରଣସିଂଙ୍କ କ୍ଷେତ୍ରରେ ଏକ ପ୍ରହେଳିକା ହୋଇଛି। କାରଣ ୨୦୧୮ ମସିହାରୁ ନିଜ ନାଁରେ ପ୍ରଧାନମନ୍ତ୍ରୀ ଆବାସଟିଏ ଆସିଥିବା କଥା ସେ ଶୁଣିଛନ୍ତି। ଏପରିକି ବ୍ଲକ୍ ଅଫିସ୍ ତାଲିକାର ୧୬ ନମ୍ବରରେ ତାଙ୍କ ନାଁ ବି ରହିଛି। ହେଲେ ଘର କାଇଁ ବୋଲି ପତ୍ନୀ ପ୍ରଶ୍ନ କଲାରୁ କିଛି ଉତ୍ତର ଦେଇପାରନ୍ତି ନାହିଁ ଦୁର୍ଗା। ବ୍ଲକ୍ ଓ ପଞ୍ଚାୟତ ଅଫିସକୁ ବାରମ୍ବାର ଯାଇ ନିରାଶ ହୋଇ ଫେରିଛନ୍ତି। ଗାଁର ଜଣେ ସୂଚନା ଅଧିକାର କର୍ମୀ ତାଙ୍କୁ କହିଲେ ଯେ ତାଙ୍କ ନାଁରେ ଘର ବାବଦ ଟଙ୍କା ଆସିଛି, ହେଲେ ଏହାକୁ ଆଉ କିଏ ହଡପ୍ କରି ନେଇଛି। ଏହା ଶୁଣି ଦୁର୍ଗା ତାଜୁବ ହୋଇଗଲେ। ସେହିପରି ଛିଣ୍ଡା ପଲିଥିନ୍ ଘେରା ଘରେ ଦୁର୍ବିସହ ଜୀବନ ବିତାଉଥିବା ଅରିସଲ ଗାଁର ସୁରେନ୍ଦ୍ର ସାହୁ ତ ସରକାରୀ ଘର ଏ ଜୀବଦଶାରେ ପାଇବେ କି ନାହିଁ ବୋଲି ସନ୍ଦେହ କଲେଣି। କାରଣ ବାସ ଖଣ୍ଡେ ପାଇଁ ଦରଖାସ୍ତ କରି କରି ନୟାନ୍ତ ହୋଇ ଆଶା ଛାଡ଼ି ଦେଲେଣି। ଏଣେ ପିଡି ଡିଆରଡିଏ କହିଛନ୍ତି ଅନିୟମିତତା ହୋଇଥିଲେ ଦୋଷୀକୁ ଖୋଜି କାର୍ଯ୍ୟାନୁଷ୍ଠାନ ନିଆଯିବ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ବାଟିପଡ଼ାର ସେବତୀ ସାହୁଙ୍କ ଘର ବାତ୍ୟାରେ ଭାଙ୍ଗି ଯାଇଥିଲା। ଯାହା ପରେ ସେ ପୁଅର ଶ୍ୱଶୁର ଘରେ ଆଶ୍ରୟ ନେଉଛନ୍ତି। ୨୦୧୮-୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କର ଘର ଆସିଥିବା କଥା ଶୁଣିଥିଲେ। ଏମିତିକି ଲକ୍ଷେ ୨୦ ହଜାର ମିଳିବ ବୋଲି ସରକାରୀ ବାବୁ ବି କହିଥିଲେ। ହେଲେ ସେହି ଟଙ୍କା ତାଙ୍କୁ ମିଳିନଥିବା ବେଳେ ଏବେ ତାହା ବାଟମାରଣା ହୋଇଥିବା ଜାଣିବାକୁ ପାଇଛନ୍ତି। ଗାଁର ସଫ୍ଟୱେର୍ ଇଂଜିନିୟର ସୁବ୍ରତ ପରିଡ଼ାଙ୍କ ଅଭିଯୋଗରୁ ତାଙ୍କର ସେହି ସନ୍ଦେହ ଅଧିକ ଦୃଢ଼ିଭୂତ ହୋଇଛି। ସୁବ୍ରତଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।

ଚାଷୀ ପଞ୍ଜିକରଣକୁ ନେଇ ନୂଆ ଭେଳିକି କରୁଛି ବିଜେଡି ସରକାର: କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ବିଜେଡି ସରକାର ଏକ ନୂଆ ଭେଳିକି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ୨୧ବର୍ଷ ଶାସନ ମଧ୍ୟରେ ଚାଷୀ କେତେ ଜାଣି ପାରିନଥିବା ବିଜେଡି ସରକାର ଏବେ ଧାନ ସଂଗ୍ରହରେ ଚାଷୀଙ୍କ ପୂର୍ବ ପଞ୍ଜିକରଣର ନବୀକରଣ ନୁହେଁ ବରଂ ସାନି ପଞ୍ଜିକରଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଦେଇଥିବା ବୟାନକୁ କଂଗ୍ରେସ ସମାଲୋଚନା କରିଛି। ପିସିସି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣରେ ସରକାର ଆଉ ଏକ ନୂଆ ଭେଳିକି ଆପଣାଇଛନ୍ତିି। ଧାନ କିଣାରେ ପୂର୍ବ ନିଷ୍ପତ୍ତି ଓ ଘୋଷଣା ଅନୁଯାୟୀ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ। ଯାହାର ନିଚ୍ଛକ ନମୂନା ଗତ ଖରିଫ୍ ଓ ରବି ଋତୁରେ ମୋଟ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ଆଦୌ ଧାନ କ୍ରୟ କରାଗଲା ନାହିଁ। ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ହଜାର ହଜାର ଟୋକନ ଲାପ୍ସ କଲା। ଠିକଣା ସମୟରେ ଆକଳନ ଅନୁଯାୟୀ ମଣ୍ଡିକୁ ଟାର୍ଗେଟ ଦିଆ ଗଲା ନାହିଁ । ଫଳରେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଲେ । ଏବେ ଚାଷୀଙ୍କ ପରିସଂଖ୍ୟାନ କରିବାକୁ ନୂଆ କଳ୍ପନା। ଭାଗଚାଷୀଙ୍କୁ ଜମି ମାଲିକଙ୍କ ସମ୍ମତି ହେଲା ବାଧ୍ୟତାମୂଳକ। ଆଜି ପର୍ଯ୍ୟନ୍ତ ଭାଗଚାଷୀଙ୍କ ପାଇଁ ଆଇନଗତ ବ୍ୟବସ୍ଥା କରାଗଲା ନାହିଁ। ଧାନ କିଣାବିକା ପ୍ରସଙ୍ଗରେ ବାରମ୍ବାର ଦେଖା ଯାଉଥିବା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କର ଆଦୌ ଆନ୍ତରିକତା ନ ଥିବା ଜଣାପଡ଼ୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବଡ଼ଚାଷୀ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ କେତେ ଏବଂ ରବି ଏବଂ ଖରିଫରେ କେତେ ଜମିରେ ଧାନ ଚାଷ କରାଯାଇଛି ଓ ଉତ୍ପାଦନ ପରିମାଣ କେତେ ତାହାର ସଠିକ୍ ପରିସଂଖ୍ୟାନ ନାହିଁ। କେବଳ ସରକାର ବାରମ୍ବାର ଚାଷୀଙ୍କୁ ଧାନକିଣା ସମୟରେ ଅନେକ ନୂଆ ଭେଳିକି ଦେଖାଛନ୍ତି। ବାସ୍ତବତାକୁ ଉପଲବ୍ଧ କରି ସରକାର ଚାଷୀଙ୍କ ସବୁ ବଳକା ଧାନ ନିର୍ଦ୍ଧାରିତ ସମୟ ଓ ମୂଲ୍ୟରେ କ୍ରୟ କରିବାକୁ କଂଗ୍ରେସ ଦାବି କରୁଛି । ଧାନକିଣା ପ୍ରସଙ୍ଗରେ ରାଜ୍ୟ ସରକାର ଅଭିଜ୍ଞ କୃଷିବିତ୍‌, ବିଭାଗୀୟ ଅଧିକାରୀ, ଚାଷୀ ପ୍ରତିନିଧିଙ୍କୁ ନେଇ ଏକ ଟାକସ୍ଫୋର୍ସ କମିଟି ଗଠନ କରିବା ସହିତ ଟୋକନ ଅବଧି ପ୍ରକ୍ରିୟାକୁ ସରଳୀକରଣ, ଆକଳନ ଅନୁଯାୟୀ ମଣ୍ଡିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ଦେବା, ମଣ୍ଡି ଭିତ୍ତିଭୂମି ସୁଦୃଢ଼ୀକରଣ, ଭୁବନେଶ୍ୱରରୁ ଟୋକନ ଇସ୍ୟୁ ନୀତିର ସଂଶୋଧନ, ପୂର୍ବପରି ପ୍ରତି ଜିଲ୍ଲାସ୍ତରରେ ଧାନ କ୍ରୟ କମିଟି ପ୍ରଚଳନ, ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଚ୍ଛା ୫୦୦ ଟଙ୍କା ବୋନସ୍ ଓଡ଼ିଶା ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ବଂଶୀ ବଜାଇଲେ ଧୱନ୍, ଗୀତ ଗାଇଲେ ପୃଥ୍ୱୀ, ଭିଡିଓ ଭାଇରାଲ୍…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ଖେଳାଳି ମାନେ ଉଭୟ ଇଂଲଣ୍ଡ ଓ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ନିୟମିତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ କିଛି ସିନିୟର ଖେଳାଳି ଇଂଲଣ୍ଡରେ ଅଛନ୍ତି। ସେହିପରି ଶିଖର ଧୱନଙ୍କ ସହ କିଛି ଯୁବ ଖେଳାଳି ଶ୍ରୀଲଙ୍କାରେ ସୀମିତ ଓଭର ସିରିଜ୍ ଖେଳିବା ପାଇଁ ଯାଇଛନ୍ତି। ଶ୍ରୀଲଙ୍କା ଗସ୍ତରେ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଟିମର କ୍ୟାପଟେନ୍ ଧୱନ୍ ଫ୍ୟାନଙ୍କର ଖୁବ୍ ମନୋରଞ୍ଜନ କରୁଛନ୍ତି। ଅନେକ ସମୟରେ ଧୱନଙ୍କୁ ବଂଶୀ ବଜାଉଥିବାର ଦେଖିବାକୁ ମିଳେ। ଏବେ ଶ୍ରୀଲଙ୍କା ଗସ୍ତରେ ଧୱନ ପୁଣିଥରେ ବଂଶୀ ବଜାର ଚର୍ଚ୍ଚାକୁ ଆସିଛନ୍ତି। ବଂଶୀ ବଜାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଧୱନଙ୍କ ସହ ପୃଥ୍ୱୀ ଶ’ ମଧ୍ୟ ଅଛନ୍ତି, ଯାହାଙ୍କୁ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଦୁହେଁ କିଶୋର କୁମାରଙ୍କ ଗୀତ ‘ୟେ ଶାମ୍ ମସ୍ତାନୀ’ ପରିବେଷଣ କରୁଛନ୍ତି। ଧୱନ୍ ଇନଷ୍ଟାଗ୍ରାମରେ ଭିଡିଓ ଶେଆର୍ କରି ଲେଖିଛନ୍ତି, ସୁପର୍ ଷ୍ଟାର୍ ସିଙ୍ଗର୍ ପୃଥ୍ୱୀ ଶ’ଙ୍କ ସହ ଗୁରୁବାର ଟ୍ୟୁନ୍। ଏହି ଭିଡିଓରେ ଧୱନ ବଂଶୀ ବଜାଉଛନ୍ତି ଏବଂ ଶ’ ଗୀତ ଗାଉଛନ୍ତି। ୧୯୭୧ ମସିହାରେ ରିଲିଜ୍ ହୋଇଥିବା ‘କଟି ପତଙ୍ଗ’ ଫିଲ୍ମର ଏହା ଏକ ଲୋକପ୍ରିୟ ଗୀତ। ଯେଉଁରେ ଅଭିନୟ କରିଥିଲେ ଦିବଙ୍ଗତ ଅଭିନେତା ରାଜେଶ ଖାନ୍ନା ଓ ଅଭିନେତ୍ରୀ ଆଶା ପାରେଖ। ଧୱନଙ୍କ ଦ୍ୱାରା ପରିବେଷିତ ଏହି ଗୀତକୁ ଲକ୍ଷାଧିକ ଲାଇକ୍ସ ମିଳିଛି। ଏହା ପୂର୍ବରୁ ଧୱନ ଫାଦର୍ସ ଡେ’ରେ ନିଜ ପିତାଙ୍କ ପାଇଁ ବଂଶୀ ବଜାଇ ଭିଡିଓ ଶେଆର୍ କରିଥିଲେ।

ଫିଟ୍‌ରୁ ଫ୍ୟାଟ ହେଲେ କୃତି, ବଢ଼ାଇଲେ ୧୫ କେଜି ଓଜନ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ନିଜ ରୋଲକୁ ପରଦା ଉପରେ ଜୀବନ୍ତ ଫୁଟାଇବାକୁ ଆମୀର ଖାନ, ସଲମାନ ଖାଦ, ବିଦ୍ୟା ବାଲାନ ପରି ଆଗ ଧାଡ଼ିର ଅଭିନେତା, ଅଭିନେତ୍ରୀ ଫିଟ୍‌ରୁ ଫ୍ୟାଟ୍‌ ହୋଇ ସାରିଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ସବୁବେଳେ ସ୍ଲିମ୍‌ ରହୁଥିବା ଅଭିନେତ୍ରୀ କୃତି ସେନନା। କୃତି ଖୁବ୍‌ ଶୀଘ୍ର ‘ମିମି’ ନାମକ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସେ ଜଣେ ସରୋଗେଟ ମଦର ଭୂମିକା ତୁଲାଇବେ । ଗର୍ଭବତୀ ଭୂମିକାକୁ ପରଦାରେ ଜୀବନ୍ତ କରିବାକୁ  ସେ ନିଜ ଓଜନକୁ ୧୫ କେଜି ବଢ଼ାଇ ଦେଇଛନ୍ତି। ଭଲ ମେଟାବୋଲିଜିମ୍‌ କାରଣରୁ ଯାହାବି ଖାଇଲେ ମୋ ଓଜନ ସେପରି ଖାସ୍‌ ବଢ଼େ ନାହିଁ। ଏଥିଯୋଗୁ ଯାହା ଇଚ୍ଛା ଖାଇପାରେ। ତେଣୁ ଡାଇରେକ୍ଟରଙ୍କ କହିବା ସତ୍ତ୍ୱେ ଗର୍ଭବତୀ ଭୂମିକା ପାଇଁ ଓଜନ ବଢ଼ାଇବା ମୋ ପକ୍ଷେ ସହଜ ନ ଥିଲା।  ଏପରି ଏକ ସମୟ ଆସିଲା ଯେବେ   ଏହି ରୋଲ ପାଇଁ ମୁଁ ଫିଟ୍‌ ନୁହେଁ ବୋଲି  ଭାବି ନେଇଥିଲି। କିନ୍ତୁ ଜଣେ ୯ ମାସର ଗର୍ଭବତୀ ପରଦା ଉପରେ କିପରି ଲାଗିବା ଉଚିତ, ଭାବିବାରୁ ଡାଇରେକ୍ଟରଙ୍କ କଥା ଅନୁଯାୟୀ କାମ ଆରମ୍ଭ କରିଦେଲି ବୋଲି କହିଛନ୍ତି କୃତି। ଏହାପରେ କୃତୀଙ୍କ ଓଜନ ବଢ଼ାଇବାକୁ ସେଟ୍‌ରେ ସମସ୍ତେ କିଛି ନେ କିଛି ଖାଇବାକୁ ଦେବା ଆରମ୍ଭ କଲେ। କୃତି ଫିଲ୍ମ ସେଟ୍‌ରେ ରସଗୁଲାଠୁ ଆରମ୍ଭ କରି ବର୍ଗର, ଫ୍ରାଏଡ ଜିନିଷ, ଚକୋଲେଟ, ସେକ୍‌ ଆଦି ବିଭିନ୍ନ ଜିନିଷ ଖାଇବା ଆରମ୍ଭ କଲେ।

kriti senon

କୃତୀ କହିଛନ୍ତି, ଅନିଚ୍ଛା ସତ୍ତ୍ୱେ ମୋତେ ମାତ୍ରାଧିକ, ମିଠା, ଚକୋଲେଟ, ଫ୍ରାଏଡ ଜିନିଷ ଖାଇବାକୁ ପଡ଼ୁଥିଲା। ପ୍ରତି ୨ ଘଣ୍ଟାରେ ମୋତେ କିଛି ନା କିଛି ଖାଇବାକୁ ପଡ଼ୁଥିଲା । ଏପରିକି ଜଙ୍କ ଫୁଡ ଦେଖି ମୋତେ ଅନାଇବାକୁ ବି ଇଚ୍ଛା ହେଉ ନ ଥିଲା । ଏପରିକି ଯୋଗ କିମ୍ବା ଏକ୍ସରସାଇଜ କରିବାକୁ ଅନୁମତି ନ ଥିଲା। ଏଥିଯୋଗୁ ମୋତେ ବହୁତ ଅନଫିଟ୍‌ ଲାଗୁଥିଲା। ମିମି ଫିଲ୍ମ  ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଆସନ୍ତା ୩୦ ତାରିଖରେ ନେଟଫ୍ଲିକ୍ସ ଓ ଜିଓ ସିନେମାରେ ରିଲିଜ ହେବ। ଏଥିରେ କୃତୀଙ୍କ ସହ ପଙ୍କଜ ତିପ୍ରାଠୀ, ସୁପ୍ରିୟା ପାଠକ ଆଦି ନଜର ଆସିବେ। ‘ମିମି’ର ନିର୍ଦ୍ଦେଶକ ଲକ୍ଷ୍ମଣ ଉତରେକର କହିଛନ୍ତି, ଏକ ଚରିତ୍ରରେ ଅଭିନୟ କରିବା ଓ ଏହାକୁ ପରଦାରେ ଜୀବନ୍ତ ଫୁଟାଇବା ମଧ୍ୟରେ ବହୁତ ଅନ୍ତର ଅଛି।  ଏପରି ବହୁତ କମ୍‌ ଆକ୍ଟର ଅଛନ୍ତି, ଯେଉଁମାନେ ନିଜ ଶିଳ୍ପର ପବିତ୍ରତାକୁ  ଷ୍ଟାରଡମଠୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। କୃତି ଏପରି ଜଣେ ଅଭିନେତ୍ରୀ ଯିଏ ଜାଣିଥିଲେ, ଯେ, ମିମି ପାଇଁ ତାଙ୍କୁ ଲାଇନ୍‌ କ୍ରସ୍‌ କରିବାକୁ ପଡ଼ିବ । କଠିନ ପରିଶ୍ରମ ଓ ସମର୍ପଣ ଭାବନା ଯୋଗୁ ବାହାରିଥିବା ପ୍ରଦର୍ଶନ ପରଦାରେ ଦର୍ଶକ ଦେଖିବେ। ଏଭଳି ଏକ ଚ୍ୟାଲେଞ୍ଜି ଫିଲ୍ମରେ ଅଭିନୟ ସୁଯୋଗ ପାଇଥିବାରୁ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିବା କୃତି ନିଜ ଓଜନକୁ ନେଇ ଆଉ ଟେନସନରେ ନାହାନ୍ତି।  ନିଜ ପୁରୁଣା ସେପ୍‌କୁ ଫେରିବାକୁ ମୋତେ ଅଧିକ କଷ୍ଟ କରିବାକୁ ପଡ଼ିବନି । କିନ୍ତୁ ନିଜ ଚରିତ୍ରକୁ ଶତ ପ୍ରତିଶତ ଦେବା ଏବେକାର ସମୟର ଆବଶ୍ୟକତା ବୋଲି କୃତି କହିଛନ୍ତି ।

୧୫ ଜୁଲାଇ, ଶୁକ୍ରବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ବ୍ୟବସାୟରେ ଉନ୍ନତି ହେବ।

ବୃଷ: ପିଲାମାନଙ୍କ କାର୍ଯ୍ୟ ଚିନ୍ତାଜନକ ହୋଇପାରେ। କୌଣସି ଉତ୍ତମ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ହୋଇଯିବ।

ମିଥୁନ: ଶରୀରର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।

କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ସଉଦା କିଣିବା ସମୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କୌଣସି କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଯାଇଥିବା କାମଟିକୁ ସଂପୂର୍ଣ୍ଣ କରିବେ।

କନ୍ୟା: ପାରିବାରିକ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହିବ। ନକାରାତ୍ମକ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିବ।

ତୁଳା: ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ, ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା:ବ୍ୟବସାୟରେ ଲାଭବାନ ହେବେ। ମହିଳା ଏବଂ ପିଲାମାନେ ଆନନ୍ଦିତ ହେବେ। ଶରୀରରେ ସାମାନ୍ୟ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଲାଭବାନ ହେବେ । ମହିଳା ଓ ଛାତ୍ରଛାତ୍ରୀ ମାନେ ଖୁସି ରହିବେ।

ମକର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଲାଭ ହେବ। ଦୁର୍ଘଟଣାଜନିତ ବିପଦ ଅଛି, ସତର୍କ ରୁହନ୍ତୁ।

କୁମ୍ଭ:କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଆର୍ଥିକ ଲାଭ ଯୋଗୁଁ ମନ ଖୁସି ରହିବ।

ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ହାନି ଘଟିବ। ପରିବାରରେ କଳହ ଦେଖା ଦେବ।