ରାଜରାସ୍ତାରେ ବିଜେପି ଓ କଂଗ୍ରେସ: ବିଜେଡିକୁ ମିଳୁନି ଇସ୍ୟୁ, ତୈଳଦର ବି ବାଧୁନି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କରୋନା ମହାମାରୀର ପ୍ରଭାବ ରାଜ୍ୟରେ ହ୍ରାସ ପାଉଥିବାବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ଲୋକଙ୍କ ସମସ୍ୟା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ୧୦୦ଟଙ୍କା ଓ ଗ୍ୟାସ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଥିଲେ ମଧ୍ୟ ବିଜେଡି ଏ ଦିଗରେ ସମ୍ପୂର୍ଣ୍ଣ ନିରବ ରହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ବିଜେପି ରାଜ୍ୟବ୍ୟାପୀ ୭ଦିନିଆ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ କରିଥିବାବେଳେ କଂଗ୍ରେସ ପେଟ୍ରୋଲିୟମଜାତ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି। କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଇ ବିଦ୍ୟୁତ ଦର ଓ ପେଟ୍ରୋଲିୟମଜାତ ସାମଗ୍ରୀର ଦରବୃଦ୍ଧି କରିବାରେ ଲାଗିଥିବାରୁ ଏହା ବିରୁଦ୍ଧରେ ଯଥାକ୍ରମେ ଦୁଇ ଦଳ ବିଜେପି ଓ କଂଗ୍ରେସ ସ୍ୱର ଉତ୍ତୋଳନ କରିଛି। ୟୁପିଏ ସରକାର ଅମଳରେ ପେଟ୍ରୋଲିୟମ ସାମଗ୍ରୀର ଦରବୃଦ୍ଧିକୁ ପ୍ରସଙ୍ଗକୁ କରି ଶତାଧିକ ଥର ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ଏବେ ଏହି ଦର ରେକର୍ଡ ପରିମାଣର ହୋଇଥିଲେ ମଧ୍ୟ ନିରବ ରହିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅବଶ୍ୟ ବିଦ୍ୟୁତ ଦରବୃଦ୍ଧିକୁ ପ୍ରସଙ୍ଗ କରି ଆଜିଠୁ ଏକ ସପ୍ତାହ ଧରି ବିଭିନ୍ନ ବିକ୍ଷୋଭ ଓ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇ ଖୋଲାଖୋଲି ଭାବେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ବିଜେପି ପ୍ରୟାସ କରିଛି। ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ବ୍ଲକସ୍ତରରେ ପ୍ରତିବାଦ କରୁଛି। ଯୁବ ବିଜେପି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବିଦ୍ୟୁତ ଦରବୃଦ୍ଧିର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି କଂଗ୍ରେସ ଏବେ ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିକୁ ପ୍ରସଙ୍ଗ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଆଜିଠୁ ରାଜରାସ୍ତାରେ ଓହ୍ଲାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ସମ୍ପର୍କରେ କଂଗ୍ରେସ ରାଜଧାନୀ ଭୁବନେଶ୍ୱରରେ ସାଇକେଲ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାକୁ ପ୍ରୟାସ କରିଛି। ଆସନ୍ତା ୧୭ତାରିଖରେ ପେଟ୍ରୋଲ ପମ୍ପଗୁଡ଼ିକ ଆଗରେ ଦସ୍ତଖତ ଅଭିଯାନ କରିବ ବୋଲି କହିଛି। କରୋନା ମହାମାରୀ କଟକଣା କୋହଳ ହେବାପରେ ଦୁଇ ଦଳ ବିଜେପି ଓ କଂଗ୍ରେସ ଏବେ ଲୋକଙ୍କ ପାଖରେ ପହଂଚିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆପଣାଇଥିବାବେଳେ ଶାସକ ବିଜେଡି ଏସବୁଠୁ ଦୂରରେ ରହିଛି। ଦଳ ଏବେ ନିଜର ନେତା ଓ ବିଧାୟକମାନଙ୍କୁ ଡାକି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁମନ୍ତ୍ର ଦେଉଥିବା ଜଣାପଡ଼ିଛି। ଜିଲ୍ଲାୱାରି ଦଳୀୟ ନେତାମାନଙ୍କୁ ଡାକି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେଉଥିବାବେଳେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ତଥା ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ୁଥିବା ଭଳି ଦୁଇଟି ପ୍ରସଙ୍ଗକୁ ବିଜେଡି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ରାଜନୀତିକ ବିଶ୍ଲେଷକଙ୍କ ମତରେ, ତୈଳଦର ଏବେ ରେକର୍ଡ ପରିମାଣର ବୃଦ୍ଧି ହୋଇଥିଲେ ମଧ୍ୟ ଶାସକ ବିଜେଡି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହାସ କରିପାରିବ ନାହିଁ। ପ୍ରଥମତଃ କେନ୍ଦ୍ରର ବିଜେପି ସରକାରକୁ ଅସନ୍ତୁଷ୍ଟ କରିବା ଚକ୍କରରେ ବିଜେଡି ସୁପ୍ରିମୋ ନଥିବାବେଳେ ରାଜ୍ୟରେ ପ୍ରମୁଖ ରାଜସ୍ୱ ଏବେ ପେଟ୍ରୋଲିୟମ ସାମଗ୍ରୀରୁ ମିଳୁଥିବାରୁ ବିଜେଡି ଏଥିପ୍ରତି ଆଖିବୁଜିବା ସ୍ୱାଭାବିକ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କୌଣସି ଅଭିଯାନ ଅବା ଆନ୍ଦୋଳନ କରିବା ବର୍ତ୍ତମାନର ରାଜନୀତିକ ପରିଦୃଶ୍ୟରେ ବିଜେଡିଠୁ ଆଶା କରାଯାଇନପାରେ ବୋଲି ଚର୍ଚ୍ଚା।

କେନ୍ଦ୍ରର ନିର୍ଦ୍ଦେଶ: ଧାରା ୬୬-ଏରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଇଟି ଆକ୍ଟର ଧାରା ୬୬-ଏ କୁ ନେଇ ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରକୁ ଜବାବ ତଲବ କରିଥିଲେ। ଏବେ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଧାରାରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ କହିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆଗାମୀ ଦିନରେ ଏହି ଧାରା ବ୍ୟବହାର ହୋଇପାରିବ ନାହିଁ କି ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି ଗୃହ ବିଭାଗ କହିଛି।  ତେଣୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇବାକୁ କୁହାଯାଇଛି। ମାର୍ଚ୍ଚ ୨୪, ୨୦୧୫ରେ ଆଇଟି ଆକ୍ଟର ଧାରା ୬୬-ଏ ରଦ୍ଦ ହୋଇଛି। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏହି ଧାରାକୁ ରଦ୍ଦ କରିଥିଲେ। ହେଲେ ଏହାପରେ ବି ସାରା ଦେଶର ପୁଲିସ ୬୬ଏକୁ ବ୍ୟବହାର କରି ମାମଲା ରୁଜୁ କରୁଛନ୍ତି। ମୁଖ୍ୟତଃ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ବେଳେ ପୁଲିସ ଧାରା ୬୬-ଏ କୁ ବ୍ୟବହାର କରୁଛି। ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହିଚ ଚିନ୍ତାପ୍ରକଟ କରିଥିଲେ। ପରେ କେନ୍ଦ୍ରକୁ ଜବାବ ତଲବ କରିଥିଲେ। ଆଇଟି ଆକ୍ଟର ଧାରା ୬୬ ଏ ଅନୁସାରେ ଅନଲାଇନ ମିଡିଆରେ କୌଣସି ଆପତ୍ତିଜନକ ମତ ମନ୍ତବ୍ୟ ଦେଲେ, ଜଣକୁ ପୁଲିସ ଗିରଫ କରିପାରିବ ବୋଲି ପ୍ରାବଧାନ ଥିଲା। ଏହା ଦ୍ୱାରା କିନ୍ତୁ ସ୍ୱାଧୀନ ଭାବରେ ମତ ରଖିବାର ପ୍ରତିବନ୍ଧକ ସାଜୁଛି ବୋଲି କହି ସର୍ବୋଚ୍ଚ କୋର୍ଟ ରଦ୍ଦ କରି ଦେଇଥିଲେ। ତା ପରେ ମଧ୍ୟ ଏହି ଆଇନରେ ମହାରାଷ୍ଟ୍ରରେ ୩୮୧ଟି, ଝାଡ଼ଖଣ୍ଡରେ ୨୯୧, ଉତ୍ତରପ୍ରଦେଶରେ ୨୪୫, ରାଜସ୍ଥାନରେ ୧୯୨ଟି ମାମଲା ରୁଜୁ କରିଛି ପୁଲିସ। ଅନ୍ୟ ରାଜ୍ୟରେ ବି ଅନେକ ମାମଲା ରୁଜୁ ହୋଇଛି। ଜୁଲାଇ 5ରେ ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବା ବେଳେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଥିଲେ, ଯଦିଓ ଧାରା ୬୬ଏ ରଦ୍ଦ ହୋଇଛି। ହେଲେ ଆଇନର ମୂଳ ଧାରରେ ଏ ବାବଦରେ ଉଲ୍ଲେଖ ହୋଇନାହିଁ। ଯେଉଁଠି ଏହି ଆଇନ ବାବଦରେ ଉଲ୍ଲେଖ ରହିଛି ସେଠାରେ ଶେଷରେ ରଦ୍ଦ ହୋଇଛି ବୋଲି ଉଲ୍ଲେଖ ରହିଛି। ତେଣୁ ପୁଲିସ ମାମଲା ରୁଜୁ କରିବା ବେଳେ ବୁଝୁଛି ମୂଳ ଆଇନରେ ଧାରା ୬୬ଏ ରଦ୍ଦ ହୋଇନି। ତେଣୁ ପୁଲିସ ଧାରା ୬୬-ଏ କୁ ବ୍ୟବହାର କରୁଛି। ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ଧାରାକୁ ବ୍ୟବହାର ନକରିବାକୁ କହିଛି।

ପ୍ରତିରକ୍ଷା କମିଟିର ବୈଠକରୁ ଉଠି ଆସିଲେ ରାହୁଲ ଗାନ୍ଧି…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସଂସଦର ପ୍ରତିରକ୍ଷା ପ୍ୟାନେଲ ବୈଠକରେ ଅଭାବନୀୟ ଘଟଣା ଘଟିଛି। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ପ୍ରସଙ୍ଗରେ ମତ ରଖିବାକୁ ଅନୁମତି ନ ମିଳିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଅଧାରୁ ବୈଠକ ଛାଡ଼ି ଚାଲି ଆସିଥିବା ଜଣାପଡ଼ିଛି। ଆଜି ୩ଟାରେ ଏହି ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି ଓ ତାଙ୍କ ସଂସଦୀୟ ସହଯୋଗୀମାନେ ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ହେଲେ ସେମାନଙ୍କର ଏହି ଅନୁରୋଧକୁ ପ୍ୟାନେଲର ଅଧ୍ୟକ୍ଷ ଜୁଏଲ ଓରାମ ଗ୍ରହଣ କରି ନଥିଲେ। ପୂର୍ବରୁ ବୈଠକର ଏଜେଣ୍ଡାରେ ଏହା ନଥିବାରୁ ଶ୍ରୀ ଓରାମକୁ ଏହାକୁ ଆଲୋଚନା ପରିସର ଭୁକ୍ତ କରି ନଥିଲେ। ବୈଠକ ଏଜେଣ୍ଡା ଅନୁଯାୟୀ, କେବଳ କ୍ୟାଣ୍ଟନମେଣ୍ଟ ବୋର୍ଡର କାର୍ଯ୍ୟ ଉପରେ ଆଲୋଚନା ହେବାର ଥିଲା। କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ହେଲେ ସଦସ୍ୟମାନଙ୍କୁ ୧୪ ଦିନ ପୂର୍ବରୁ ନୋଟିସ ଦେବାକୁ ପଡ଼ିଥାଏ। କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ନୋଟିସ ଦେଇ ନଥିବାରୁ ଜୁଏଲ ଓରାମ ଆଜି ଏହା ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ। ଏଥିରେ ବିରକ୍ତ ପ୍ରକାଶ କରି ପ୍ରଥମେ ରାହୁଲ ଗାନ୍ଧି ବୈଠକରୁ ଉଠି ଆସିଥିଲେ। ଏହାପରେ ତାଙ୍କ ସହଯୋଗୀ ସାଂସଦମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ରଣନୀତି ଚୂଡ଼ାନ୍ତ କରିବାକୁ ବୈଠକ ବସିଥିଲା। ସଂସଦର ଉଭୟ ସଦନରେ ଚାଇନା ସହ ଚାଲିଥିବା ସୀମା ବିବାଦ କଥା କଂଗ୍ରେସ ଉଠାଇବ ବୋଲି ନିଷ୍ପତ୍ତି ନେଇଛି। ସେହିପରି ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଅନ୍ୟ ସହଯୋଗୀ ଦଳଗୁଡ଼ିକ ସହ ଯୋଗାଯୋଗ କରି ପ୍ରସଙ୍ଗ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ତୈଳଦର ବୃଦ୍ଧି, ମୁଦ୍ରାସ୍ଫୀତି, ଟିକାର ଅଭାବ, ବେକାରୀ ଓ ରାଫେଲ ଡିଲ ବିବାଦ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛି। ଏହାବାଦ ଚାଇନା ସହ ସୀମା ବିବାଦ କଥା ମଧ୍ୟ କଂଗ୍ରେସ ଗୃହରେ ଉଠାଇବ। ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟ ପୂର୍ବ ଲଦାଖର ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ କଂଗ୍ରେସ କାଠଗଡ଼ାରେ ଛିଡ଼ା କରିବ।

ଗାଡ଼ି ଗୁଡ଼ିକର ସ୍ପିଡ ସୀମା ବୃଦ୍ଧି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦ୍ରୁତଗତି ମହାବିପତ୍ତି। ହେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ନିଜ ମନ୍ତ୍ରଣାଳୟକୁ ବିଭିନ୍ନ ଗାଡ଼ିର ସ୍ପିଡ ସୀମାକୁ ପୁନଃ ନିର୍ଦ୍ଧାରଣ କରିବାକୁ କହିଛନ୍ତି। ଏଥିସହ ବିଭିନ୍ନ ଶ୍ରେଣୀର ରାସ୍ତାରେ ଗାଡ଼ି ଗୁଡ଼ିକର ସ୍ପିଡ ସୀମା ପ୍ରାୟ ଘଣ୍ଟାପ୍ରତି ୨୦ କିମି ବୃଦ୍ଧି କରିବାକୁ ମଧ୍ୟ ସେ କହିଥିବା ଜଣାପଡ଼ିଛି। ଏହାବାଦରେ ସେ ଅଧିକାରୀମାନଙ୍କୁ ସବୁ ରାଜପଥରେ ଗାଡ଼ିଗୁଡ଼ିକର ସ୍ପିଡ ସୀମା ସମାନ ରଖିବାକୁ ଗୋଟିଏ ବ୍ୟବସ୍ଥା କରିବାକୁ କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ଜାତୀୟ ରାଜପଥରେ କାର ଗୁଡ଼ିକର ସର୍ବାଧିକ ସ୍ପିଡ ଘଣ୍ଟାପ୍ରତି ୧୦୦ କିମି ଥିବା ବେଳେ ଏକ୍ସପ୍ରେସ ୱେରେ ଏହା ୧୨୦ କିମି ରହିଛି। କିନ୍ତୁ ରାଜ୍ୟ ପୁଲିସ୍‌ ଓ ସ୍ଥାନୀୟ ଅଧିକାରୀମାନେ ରାଜପଥରେ ନିଜର ସୁବିଧା ଅନୁସାରେ ସ୍ପିଡ ସୀମା ନିର୍ଦ୍ଧାରଣ କରୁଛନ୍ତି। ଏହି କାରଣରୁ ଗୋଟିଏ ରାଜ୍ୟ ତୁଳନାରେ ଆଉ ଗୋଟିଏ ରାଜ୍ୟର ଜାତୀୟ ରାଜପଥରେ ସ୍ପିଡ ସୀମା ଭିନ୍ନଭିନ୍ନ ରହୁଛି। ଏହି କାରଣରୁ ମନ୍ତ୍ରୀ ଗଡ଼କରୀ ଗୋଟିଏ ପ୍ରକାରର ସ୍ପିଡ ସୀମା ସାରା ଦେଶରର ଜାତୀୟ ରାଜପଥ ପାଇଁ ପ୍ରସ୍ତୁତ କରିବାକୁ କହିଛନ୍ତି।ସୂଚନାଯୋଗ୍ୟ, ରିଭ୍ୟୁ ମିଟିଂ ବେଳେ ଗଡ଼କରୀ ନିଜ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୁଲିସ୍‌ ମଲ୍ଟି ଲେନ୍‌ ରାଜପଥରେ ୪୦ରୁ ଅଧିକ ସ୍ପିଡରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଜୋରିମାନା ଲାଗୁ କରୁଥିବାରୁ ଗଡ଼କରୀ ଗତବର୍ଷ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏବର୍ଷ ସେ ସବୁ ରାଜ୍ୟରେ ସମାନ ବ୍ୟବସ୍ଥା କରିବାକୁ କହିଛନ୍ତି।

ବିଜେପିର ଜନସଂଖ୍ୟା ନିୟନ୍ତ୍ରଣ ଯୋଜନାରେ ହଁ ଭରିଲେ କଂଗ୍ରେସ ନେତା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ଉତ୍ତର ପ୍ରଦେଶ ଓ ଆସାମରେ ନୂଆ ଆଇନ ଆଣିବାକୁ ଯୋଜନା କରୁଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପ୍ରଥମଥର ପାଇଁ କଂଗ୍ରେସରୁ ଏହି ଯୋଜନାକୁ ସମର୍ଥନ ମିଳିଛି। ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ମନ୍ତ୍ରୀ ହୋଇଥିବା ରଘୁ ଶର୍ମା ଏହି ଯୋଜନାକୁ ସମର୍ଥନ କରିଛନ୍ତି। ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ବର୍ତ୍ତମାନ ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି, “ବର୍ଦ୍ଧିତ ଜନସଂଖ୍ୟା ଗୋଟିଏ ସମସ୍ୟା। ଦେଶକୁ ଏହା ଉପରେ ଚିନ୍ତା କରିବାର ସମୟ ଆସିଛି। ଏହାଦ୍ୱାରା ଭବିଷ୍ୟତ ପିଢ଼ି ଗୋଟିଏ ଉତ୍ତମ ଜୀବନ ଧାରଣ କରିପାରିବେ। ଏବେକା ସମୟରେ ଆମକୁ ଆମେ ଦୁଇ ଆମର ଏକ ନୀତିକୁ ପାଳନ କରିବାକୁ ହେବ। ଏକଥା ପୂର୍ବରୁ ମଧ୍ୟ ମୁଁ ଅନେକ ପ୍ଲାଟଫର୍ମରେ କହିଛି।” ତେବେ ମନ୍ତ୍ରୀ ରଘୁ ଏପରି ବୟାନ ଦେଇଥିବା ବେଳେ ରାଜସ୍ଥାନ ସରକାର ଓ କଂଗ୍ରେସ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି। ରଘୁଙ୍କ ବୟାନ ବ୍ୟକ୍ତିଗତ ଓ ଏହା ରାଜସ୍ଥାନ ସରକାରଙ୍କ ମତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମନ୍ତ୍ରୀ ରଘୁ ରାଜସ୍ଥାନର ସ୍ଥିତିକୁ ଦେଖି ଏପରି କହିଛନ୍ତି। ରାଜସ୍ଥାନରେ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ରହିଛି। ୧୯୯୫ରେ ବିଜେପି ନେତୃତ୍ୱାଧୀନ ଭାଇରୋନ ସିଂହ ଶେଖାୱତ ସରକାର ଏହି ଆଇନ ପ୍ରଣୟନ କରିଥିଲେ। ନିୟମ ଅନୁସାରେ, ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବନି। ଦୁଇରୁ ଅଧିକ ସନ୍ତାନ ଥିଲେ ରାଜସ୍ଥାନ ସରକାରରେ କାମ କରୁଥିବା ଅଧିକାରୀଙ୍କ ପଦୋନ୍ନତି ମଧ୍ୟ ବନ୍ଦ କରାଯାଉଛି।

ନନ୍ଦିଗ୍ରାମ ନିର୍ବାଚନର ଇଭିଏମ ଓ ସମସ୍ତ ଦସ୍ତାବିଜ ସଂରକ୍ଷିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ଭୋଟିଂ ବେଳେ ବ୍ୟବହୃତ ହୋଇଥିବା ଇଭିଏମ, ବାଲେଟ ପେପର ଓ ଏହାର ସହ ଜଡ଼ିତ ସମସ୍ତ ଦସ୍ତାବିଜ ଏବଂ ଭିଡିଓ ରେକର୍ଡିଂକୁ ସଂରକ୍ଷିତ କରି ରଖିବାକୁ ଆଜି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତ। ଏଥିସହ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ କୋର୍ଟ ନୋଟିସ କରିଛନ୍ତି। ଏହି ଆସନରେ ହାଇ ଭୋଲଟେଜ ଲଢ଼େଇ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ବିଜେପିର ଶୁଭେନ୍ଦୁ ଅଧିକାରୀ ଏଠାରେ ଜିତିଛନ୍ତି। କିନ୍ତୁ ଏହା ବିରୋଧରେ ମମତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଏହାର ଶୁଣାଣି କରି ନିର୍ବାଚନ ସହ ଜଡ଼ିତ ସମସ୍ତ କାବଜପତ୍ରକୁ ସୁରକ୍ଷିତ ଭାବେ ରଖିବାକୁ କହିଛନ୍ତି। ଶୁଭେନ୍ଦୁଙ୍କ ଠାରୁ ଆଗରେ ଥିବା ମମତା ହଠାତ୍‌ ୧୯୫୬ ଖଣ୍ଡ ଭୋଟରେ ହାରି ଯିବାକୁ ପୁଣି ଗଣତି ପାଇଁ ଦାବି କରିଥିଲେ। ହେଲେ ଏହାକୁ ନିର୍ବାଚନ କମିଶନ ଅଗ୍ରାହ୍ୟ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କ୍ୟାଲକାଟା ହାଇକୋର୍ଟର ବିଚାରପତି ଏସ୍‌ ସରକାର ଅନଲାଇନରେ ଏହାର ଶୁଣାଣି କରି ନିର୍ବାଚନ କମିଶନ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ନୋଟିସ ହେବ ବୋଲି କହିଛନ୍ତି। ସେହିପରି କୋର୍ଟ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟ ନୋଟିସ କରିଛନ୍ତି। ଏଥିସହ ନିର୍ବାଚନ ସହ ଜଡ଼ିତ ସମସ୍ତ କାଗଜପତ୍ରକୁ ସଂରକ୍ଷିତ କରି ସୁରକ୍ଷିତ ରଖିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନରେ ହେଉଥିବା ଶୁଣାଣିରେ ଉପସ୍ଥିତ ରହି ମମତା ବାନାର୍ଜୀ କହିଛନ୍ତି, ବୁଥ ଦଖଲ, ଲାଞ୍ଚ, ବିଦ୍ୱେଶ ଓ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରି ଶୁଭେନ୍ଦୁ ଅଧିକାରୀ ଭୋଟ ହାସଲ କରିଛନ୍ତି। ସେହିପରି ଭୋଟ ଗଣତି ବେଳେ ଉପଯୁକ୍ତ ନିୟମର ପାଳନ କରାଯାଇ ନାହିଁ। ଭୋଟ ଗଣତିରେ ବ୍ୟାପକ ଅନିୟମିତତା ହୋଇଛି। ତେଣୁ ଏହି ନିର୍ବାଚନକୁ ଅବୈଧ ଘୋଷଣା କରାଯାଉ ବୋଲି ସେ ନିଜ ପିଟିସନରେ କହିଛନ୍ତି। ଏବେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମମତାଙ୍କ ଏହି ଆବେଦନର ଶୁଣାଣି ଜଷ୍ଟିସ କୌଶିକ ଚନ୍ଦ୍ରାଙ୍କ ଖଣ୍ଡପୀଠରେ ହେବାର ଥିଲା। କିନ୍ତୁ ଜଷ୍ଟିସ କୌଶିକଙ୍କ ଲିଙ୍କ ବିଜେପି ସହ ରହିଛି ବୋଲି ମମତା ଅଭିଯୋଗ କରିଥିଲେ। ଏଥିପାଇଁ ସେ ନିଜ ଆଡ଼ୁ ଶୁଣାଣିରୁ ଓହରି ଯାଇଥିଲେ। ହେଲେ ଯିବା ପୂର୍ବରୁ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଥିଲେ। ଜଷ୍ଟିସ କୌଶିକ ଶୁଣାଣିରୁ ଓହରି ଯିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲଙ୍କ ନିର୍ଦ୍ଦେଶକ୍ରମେ ଜଷ୍ଟିସ ଏସ୍‌ ସରକାର ମାମଲାର ଶୁଣାଣି କରିଛନ୍ତି।

ଗାନ୍ଧୀ ପରିବାର ସହ କି କଥା ହେଲେ ପ୍ରଶାନ୍ତ କିଶୋର, କ’ଣ କହୁଛି ମିଡିଆ ରିପୋର୍ଟ……?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ମଙ୍ଗଳବାର ଦିଲ୍ଲୀ ସ୍ଥିତ ୧୦ ଜନପଥ ଯାଇଥିଲେ। ୨୦୧୭ରେ ୟୁପି ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରି ବିଫଳ ହୋଇଥିବା ପ୍ରଶାନ୍ତ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଯେଉଁ ସମୟରେ କି ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଯଦିଓ ଭେଟଘାଟର ଉଦ୍ଦେଶ୍ୟ କଣ ରହିଛି ଜଣାପଡିନି। କିନ୍ତୁ ଏହି ଭେଟଘାଟ ବେଳେ ପ୍ରଶାନ୍ତ ରାହୁଲ୍, ପ୍ରିୟଙ୍କା ଏବଂ ସୋନିଆଙ୍କୁ ଭେଟିଥିବା ସ୍ପଷ୍ଟ ହୋଇଛି। ରାଜନୀତିକ ବିଶାରଦ ମାନେ ଏହି ସବୁ ପ୍ରକାର ଆକଳନ କରୁଛନ୍ତି।

ଲକ୍ଷ୍ୟ ୨୦୨୪ ସାଧାରଣ ନିର୍ବାଚନ !

ଦେଶରେ ଏବେ ବି ମୋଦି ମ୍ୟାଜିକ ରହିଛି। ହେଲେ ପୂର୍ବ ଅପେକ୍ଷା ଟିକିଏ ମଳିନ ପଡ଼ିଛି। ଆଉ ଛବି ମଳିନ ପଡ଼ିବା ପଛରେ ପଶ୍ଚିମବଙ୍ଗରେ ଟିଏମସି ବିଜୟୀ ଧାରା ଜାରି ରଖିବା, ତାମିଲନାଡୁରେ ଏଆଇଡିଏମକେ ଓ ବିଜେପି ମେଣ୍ଟ ହାରିବା, କେରଳରେ ବିଜେପି ହାରିବା ଇତ୍ୟାଦି ପ୍ରସଙ୍ଗ ରହିଛି। ଅନ୍ୟପଟେ ଅଣ ବିଜେପି ଦଳ ଆନ୍ଧ୍ର ପ୍ରଦେଶର ଓ୍ୱାଇଏସଆର କଂଗ୍ରେସ, ଡିଏମକେ, ଆମ୍ ଆଦମୀ ପାର୍ଟ, ଟିଏମସି ଭଳି ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବାରୁ ପ୍ରଶାନ୍ତ ହିଁ ସମସ୍ତ ବିରୋଧୀ ଦଳକୁ ଏକାଠି କରିପାରିବାର କ୍ଷମତା ରଖିଛନ୍ତି ବୋଲି କୁହାଯାଉଛି। ତେଣୁ ସାଧାରଣ ନିର୍ବାଚନକୁ ଟାର୍ଗେଟ୍ କରି ପ୍ରଶାନ୍ତ ଏବେ ସମସ୍ତ ଅଣ ବିଜେପି ଦଳକୁ ଏକାଠି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ପଞ୍ଜାବରେ ଅମରିନ୍ଦର-ସିଦ୍ଧୁ ସମୀକରଣର ପ୍ରଭାବ ପଡ଼ିବ କି?

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପରାମର୍ଶଦାତା ହେଉଛନ୍ତି ପ୍ରଶାନ୍ତ କିଶୋର। ଅର୍ଥାତ ୨୦୨୨ ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ କଲମ ଧାରରେ ଅମରିନ୍ଦର ନିର୍ବାଚନ ବିଗୁଲ ଫୁଙ୍କିବେ ଆଉ ସରକାର ଗଢ଼ିବେ ବୋଲି ଦଳ ଆଶା ରଖିଛି। ହେଲେ ରାଜ୍ୟରେ ଦଳ ପାଇଁ  କେଁ ପାଲଟିଛନ୍ତି ନବଜୋତ ସିଂ ସିଦ୍ଧୁ। ଶିଖ ନେତା ସହିତ ଘରେ ଘରେ ସିଦ୍ଧୁଙ୍କ ଫ୍ୟାନ ରହିଥିବାରୁ ଅମରିନ୍ଦର କିମ୍ୱା କଂଗ୍ରେସ ଉପରେ ନିର୍ବାଚନ ବେଳେ ପ୍ରଭାବ ପକାଇବ କି ବୋଲି ଏକ ପ୍ରଶ୍ନ ଉଠୁଛି। ରାହୁଲ ଗାନ୍ଧୀ ପ୍ରଶାନ୍ତଙ୍କ ସହ ଏ ବାବଦରେ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି।

ୟୁପି ବିଧାନସଭା ପାଇଁ ପ୍ରସ୍ତୁତି?

ୟୁପିରେ କଂଗ୍ରେସର ସ୍ଥିତି ବେହାଲ ରହିଛି। ୨୦୧୭ ବିଧାନସଭା ନିର୍ବାଚନ ପରେ ୟୁପିରେ ଯୋଗୀରାଜ ଚାଲିଛି। ରାଜ୍ୟର ସମାଜବାଦୀ ପାର୍ଟି ଯଦିଓ ଟିକିଏ ଅସ୍ତିତ୍ୱ ରଖିଛି ହେଲେ କଂଗ୍ରେସ ଏକ ପ୍ରକାର ନିସ୍ତେଜ ହୋଇଯାଇଛି। ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସର ସକ୍ରିୟତା ଦେଖିବାକୁ ମିଳିନାହିଁ। ହେଲେ ରାଜ୍ୟରେ କଂଗ୍ରେସର ପ୍ରଭାରୀ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ତେଣୁ ଆଗାମୀ ଦିନରେ କଣ ହେବା ଦରକାର ନିର୍ବାଚନୀ ଏଜେଣ୍ଡା ସେ ବାବଦରେ କଂଗ୍ରେସକୁ ଏକ ପ୍ରେଜେଣ୍ଟେସନ ପ୍ରଶାନ୍ତ ଦେଖାଇଥିବା କୁହାଯାଉଛି। ଯଦି ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବ ତାହେଲେ ପ୍ରିୟଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି କଂଗ୍ରେସ ଭାଣ୍ଡିଆ ହେବାକୁ ଇଚ୍ଛା ରଖୁନଥିବା କୁହାଯାଉଛି।

ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ହେବ କି?

ମହାରାଷ୍ଟ୍ରରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ରହିଛି। ରାଜ୍ୟରେ ଶିବସେନା ଏବଂ କଂଗ୍ରେସ ମଧ୍ୟରେ କଳି ଜୋରଦାର ହେଉଛି। ତେଣେ ଶିବସେନା ବେଳେ ବେଳେ ତାର ପୁରୁଣା ସହଯୋଗୀ ଦଳର ମୁଖ୍ୟ ନେତାଙ୍କୁ ଏବେ ବିଭିନ୍ନ ଆଳରେ ପ୍ରଶଂସା କରିବାକୁ ଭୁଲୁ ନାହିଁ। ଯଦି ଶିବସେନା ମେଣ୍ଟରୁ ଓହରିବ ତାହେଲେ ଏନସିପି-କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଲେ ପ୍ରଭାବ କଣ ହେବ? ମହାରାଷ୍ଟ୍ରରେ କଂଗ୍ରେସ ନେତା ନାନା ପାଟୋଲେଙ୍କ ମନ୍ତବ୍ୟ ଏନସିପି ପାଇଁ ଅଡୁଆ ହେଉଛି କି? କାରଣ ନାନା ପଟୋଲେଙ୍କ ବିରୋଧରେ ଦଳୀୟ ନେତା ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ନାନାଙ୍କ ଆଖି ଏବେ ମୁଖ୍ୟମନ୍ତ୍ରୀ ଆସନ ଉପରେ ରହିଛି। ହେଲେ ଦଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି।

ଶରଦ ପାଓ୍ୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ?

ଏସବୁ ଚର୍ଚ୍ଚା ଭିତରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ରାଷ୍ଟ୍ରପତି କରାଇବାକୁ ପ୍ରଶାନ୍ତ ଏଜେଣ୍ଟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କୁହାଯାଉଛି। ନିକଟରେ ଶରଦ ପାଓ୍ୱାରଙ୍କୁ ପ୍ରଶାନ୍ତ ତାଙ୍କ ବାସଭବନରେ ଭେଟିଥିଲେ। ଏହାପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଦେଶର ଏହି ଭେଟେରାନ ନେତାଙ୍କୁ ଯଦି ସମସ୍ତ ବିରୋଧୀ ଦଳ ଏକ ହୋଇ ରାଷ୍ଟ୍ରପତି କରାଇ ଦେବେ ତାହେଲେ କେନ୍ଦ୍ରର ମୋଦି ସରକାର ବିରୋଧରେ ଅଙ୍କୁଶ ଲଗାଇ ହେବ ବୋଲି ରାଜନୀତିକ ମହଲି ଅନୁମାନ କରୁଛନ୍ତି। ଯଦି ସମସ୍ତ ବିରୋଧୀ ଏକ ହୋଇଯିବେ ତାହେଲେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରର ଶାସକ ଦଳ ବିଜେପି ପାଇଁ ଏହି ନିର୍ବାଚନ ସେତେଟା ସହଜ ହେବ ନାହିଁ।

କଂଗ୍ରେସରେ ସାମିଲ୍ ହେବେ ପ୍ରଶାନ୍ତ!

ଟିଏମସି ନିର୍ବାଚନ ପରେ ପ୍ରଶାନ୍ତ କହିଥିଲେ ସେ ଆଉ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ। ତେବେ ପ୍ରଶାନ୍ତ ଏହି ଘୋଷଣା କରିବା ପୂର୍ବରୁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇସାରିଥିଲେ। ଏଥିସହ ତାଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ଦେଇଛନ୍ତି ଅମରିନ୍ଦର। ଏହାପରେ ଏକ ପିଆଇଏଲର ଶୁଣାଣି କରି ସୁପ୍ରିମକୋର୍ଟ ପଞ୍ଜାବ ସରକାରକୁ ସମନ କରିଥିଲେ। କେଉଁ ଆଧାରରେ ପ୍ରଶାନ୍ତ କିଶୋରଙ୍କୁ କ୍ୟାବିନେଟ ପାହ୍ୟା ଓ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି, ତା’ର ଜବାବ ମାଗିଥିଲେ। ଜଷ୍ଟିସ ଏସକେ କୌଲ ଏବଂ ହେମନ୍ତ ଗୁପ୍ତା ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ପ୍ରଶାନ୍ତ କିଶୋର ଯେତେବେଳେ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି, ସେତେବେଳେ ଏଭଳି ନିଯୁକ୍ତି କାହିଁକି? ଏବେ କିନ୍ତୁ ପ୍ରଶାନ୍ତ ଅମରିନ୍ଦରଙ୍କ ପରାମର୍ଶଦାତା ହୋଇଥିବାରୁ ଆଗାମୀ ଦିନରେ ନିର୍ବଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ଜଣାପଡ଼ିଛି। ହେଲେ ମୋଦିଙ୍କୁ ପିଏମ କରାଇବାରେ କିଙ୍ଗ ମେକର ସାଜିଥିବା ଏହି ବ୍ୟକ୍ତି କଂଗ୍ରେସରେ ସାମିଲ ହୋଇ ନିଜର ରାଜନୀତିକ କ୍ୟାରିଅର ଆଗକୁ ବଢ଼ାଇବାକୁ ଚିନ୍ତା କରୁଥିବା କୁହାଯାଉଛି। ଯଦିଓ ପୂର୍ବରୁ ଜେଡିୟୁରେ ସାମିଲ୍ ହୋଇଥିଲେ ପ୍ରଶାନ୍ତ କିଶୋର। ପରେ ଦଳରୁ ବହିଷ୍କୃତ ହୋଇଛନ୍ତି।

ପୋଲିସ ବିଭାଗ ପଦକ୍ଷେପ ନେବ କେବେ , ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ରହିଥିବା ଶୌଚାଳୟ ସମ୍ମୁଖରେ ଅହେତୁକ ଅଟୋ , ୪୦୭ ଓ ୬୦୭ ଗାଡି ମାଳ ମାଳ ହୋଇ ସେହି ସ୍ଥାନରେ ରହିଥିବା ନଜର କୁ ଆସିଛି । ଅଟୋ ଇତ୍ୟାଦି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ରହିବା ନିମନ୍ତେ ପୂର୍ବ ରୁ ସ୍ଥାନ ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ଗୁଣପୁର ପୁରଣା ବସ୍ ଷ୍ଟାଣ୍ଡ ନିକଟ ଶୌଚାଳୟ ପାଖରେ ଗହଳି ହୋଇ ରହୁଛି ଅଟୋ ଓ ବୃହତ ଅନ୍ୟାନ୍ୟ ଯାନବାହାନ। ଅନ୍ୟ ପକ୍ଷରେ ବଡ଼ ଗାଡି ଗୁଡିକୁ ସକାଳ ସକାଳ ୮ ଘଣ୍ଟା ଠାରୁ ୧୨ ଘଣ୍ଟା ସମୟ ମଧ୍ୟରେ ସହର ମଧ୍ୟରେ ପ୍ରବେଶ ନିଷେଧ ଥିଲେ ମଧ୍ୟ କିପରି ଯାଉଛି ଏହି ସବୁ ଯାନବାହାନ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ପରିବା ବୋଝେଇ ହୋଇ ଯାଉଥିବା ଗାଡି ଗୁଡ଼ିକ ଭର୍ତ୍ତି ହେଉଥିବା ନେଇ ଆଜି ପଚାରି ବୁଝିବା ରୁ ଏହା କ୍ରୀଷ୍ଣା ପରିବା ବ୍ୟବସାୟୀ ଙ୍କ ଗାଡି ଏହାକୁ ଅନୁମତି ଅଛି ବୋଲି ମତ ପ୍ରକାଶ କରିଥିଲେ ।

କ୍ରୀଷ୍ଣା ପରିବା ବ୍ୟବସାୟୀ ଙ୍କୁ ଏଭଳି ସ୍ବତନ୍ତ୍ର ଅନୁମତି ଦେଲା କିଏ ଓ କାହିଁକି ଏବଂ ପରିବା ବ୍ୟବସାୟୀ କାହା ବଳ ରେ ବଳିୟାନ୍ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଅନୁମତି କେଉଁ ପ୍ରଶାସନିକ ଅଧିକାରୀ ଦେଇଛନ୍ତି ନା ଏଭଳି ଅନୁମତି ମିଳିଥିବା କହି ଟ୍ରାଫିକ ସମସ୍ୟା ଉପୁଯାଉଥିବା କ୍ରୀଷ୍ଣା ପରିବା ବ୍ୟବସାୟୀ ପ୍ରଶାସନିକ ଅଧିକାରୀ ଙ୍କ ନାମ ନେଇ ଗଳାବାଟ ଖୋଜିଛନ୍ତି ବୋଲି ଗୁଣପୁର ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । କରୋନା କଟକଣା ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ରେ ସମ୍ପୂର୍ଣ ଫେଲ୍ ମାରିଥିବା ଦେଖିବାକୁ ମିଳିଛି ।

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଜଣେ ଖେଳାଳି କରୋନାରେ ସଂକ୍ରମିତ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଜଣେ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସଂପୃକ୍ତ ଖେଳାଳି ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି। ଖେଳାଳି ଜଣଙ୍କ ଇଂଲଣ୍ଡରେ ତାଙ୍କ ସମ୍ପର୍କୀୟଙ୍କ ଘରେ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସେହି ଖେଳାଳିଙ୍କ ଗଳାରେ ସମସ୍ୟା ଦେଖାଦେଇଥିଲା। ପରେ ସେ କୋଭିଡ ପରୀକ୍ଷା କରାଇଥିଲେ। ଏବେ ସେହି ଖେଳାଳିଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଖେଳାଳି ବି ହୋମ୍ ଆଇସୋଲେସନରେ ରହିଥିବା ସୂଚନା ରହିଛି। ତିନି ଦିନିଆ ହୋମ୍ ଆଇସୋଲେଶନ ଶେଷ କରିବା ପରେ ସେମାନଙ୍କର କୋଭିଡ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରହିବ ତାହେଲେ ପ୍ରାକ୍ଟିସ କରିବାକୁ ଅନୁମତି ମିଳିବ। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଜଣାପଡ଼ିନି। ବିସିସିଆଇ ଖୁବଶୀଘ୍ର ସେମାନଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ବୁଧବାର ବସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କୋଲକାତା ଯାଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ। ଏହି ଭେଟଘାଟ ବେଳେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ‘ଇଣ୍ଡିଆନ୍ ଏକ୍ସପ୍ରେସ’ ଦାବି କରିଛି। ହେଲେ କ’ଣ ଆଲୋଚନା କରିଛନ୍ତି ସେ ବାବଦରେ ଉଭୟ ନିରବ ରହିଥିବା ଜଣାପଡ଼ିଛି। ତେବେ ଖବର ସରବରାହ ସଂସ୍ଥା ଏନଆଇର ରିପୋର୍ଟ ଅନୁଯାୟୀ ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଜଣଙ୍କ ପାଖରେ କୋଭିଡର ଲକ୍ଷଣ ରହିଥିବା ବେଳେ ଅନ୍ୟ ଜଣଙ୍କ ପାଖରେ କୋଭିଡର ଲକ୍ଷଣ ନାହିଁ। ଉଭୟ ସୁସ୍ଥ ରହିଛନ୍ତି। ଏଥିସହ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କୋଭିଶିଲ୍ଡ ଟିକା ନେଇଥିବା ଜଣାପଡ଼ିଛି। ବ୍ରିଟନରେ ଏବେ କୋଭିଡ ସଂକ୍ରମଣ ବଢ଼ିଛି। ହେଲେ ଆରୋଗ୍ୟ ସଂଖ୍ୟା ମୃତକଙ୍କ ତୁଳନାରେ ଅଧିକ ରହିଛି। ଯେଉଁମାନେ ସଂକ୍ରମିତ ହେଉଛନ୍ତି ଅଧିକାଂଶଙ୍କ ପାଖରେ ଡେଲଟା ଭାରିଆଣ୍ଟ ରହିଥିବା ସୂଚନା ରହିଛି। ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ଜଣାପଡ଼ିଛି। ମୋଟ୍ ୨୩ ଜଣ ଖେଳାଳି ଇଲଂଣ୍ଡ ଗସ୍ତରେ ରହିଛନ୍ତି। ସମସ୍ତ ଖେଳାଳିଙ୍କୁ ଜନ ଗହଳି ସ୍ଥାନକୁ ନଯିବାକୁ ବିସିସିଆଇର ସେକ୍ରେଟେରୀ ଜୟ ଶାହ ଏକ ଇ-ମେଲ ଜରିଆରେ ସମସ୍ତ ଖେଳାଳି ଏବଂ କ୍ରିଉ ସଦସ୍ୟଙ୍କୁ କହିଥିବା ସୂଚନା ରହିଛି।

୧୫ ଜୁଲାଇ ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ବ୍ୟବସାୟରେ ଉନ୍ନତି ହେବ।

ବୃଷ: ପିଲାମାନଙ୍କ କାର୍ଯ୍ୟ ଚିନ୍ତାଜନକ ହୋଇପାରେ। କୌଣସି ଉତ୍ତମ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ହୋଇଯିବ।

ମିଥୁନ: ଶରୀରର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।

କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ସଉଦା କିଣିବା ସମୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କୌଣସି କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଯାଇଥିବା କାମଟିକୁ ସଂପୂର୍ଣ୍ଣ କରିବେ।

କନ୍ୟା: ପାରିବାରିକ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହିବ। ନକାରାତ୍ମକ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିବ।

ତୁଳା: ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ, ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା:ବ୍ୟବସାୟରେ ଲାଭବାନ ହେବେ। ମହିଳା ଏବଂ ପିଲାମାନେ ଆନନ୍ଦିତ ହେବେ। ଶରୀରରେ ସାମାନ୍ୟ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଲାଭବାନ ହେବେ । ମହିଳା ଓ ଛାତ୍ରଛାତ୍ରୀ ମାନେ ଖୁସି ରହିବେ।

ମକର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଲାଭ ହେବ। ଦୁର୍ଘଟଣାଜନିତ ବିପଦ ଅଛି, ସତର୍କ ରୁହନ୍ତୁ।

କୁମ୍ଭ:କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଆର୍ଥିକ ଲାଭ ଯୋଗୁଁ ମନ ଖୁସି ରହିବ।

ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ହାନି ଘଟିବ। ପରିବାରରେ କଳହ ଦେଖା ଦେବ।