ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଖରିଫ ଧାନ ସଂଗ୍ରହ ଅନଲାଇନ୍ ମାଧ୍ୟମରେ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଏହି ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ଏବଂ ତାହା ପୂରଣ କରି ଆଜିଠାରୁ ଆସନ୍ତା ଅଗଷ୍ଟ ୧୬ ତାରିଖ ମଧ୍ୟରେ ଦାଖଲ କରିବେ। ଚଳିତ ବର୍ଷ ଚାଷୀଙ୍କ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଛି। ତେଣୁ ଚାଷୀଙ୍କୁ ପୁଣିଥରେ ନୂଆକରି ପଞ୍ଜିକରଣ କରିବା ଆବଶ୍ୟକ । ଫୁଡଓଡିଶା॰ଇନ ୱେବସାଇଟରେ ଏହି ଫର୍ମ ଉପଲବ୍ଧ ହେଉଛି। ନୂଆ ଫର୍ମରେ ଚାଷୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଚାଷ ହୋଇଥିବା ଜମିର ବିଷଦ ବିବରଣୀ ଦେବାକୁ ହେବ। ଏଥିଲାଗ ବ୍ୟାଙ୍କ ପାସବୁକ୍, ଆଧାରକାର୍ଡ, ଜମିର ବିବରଣୀ, ମୋବାଇଲ ଫୋନ ନମ୍ବର ଭଳି ତଥ୍ୟ ପ୍ରଦାନ କରିବାକୁ ହେବ। ଭାଗ ଚାଷୀମାନେ ମଧ୍ୟ ମଧ୍ୟ ଏଥିଲାଗି ପଞ୍ଜିକରଣ କରିବେ। ଭାଗଚାଷୀ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହ ଆଧାରକାର୍ଡ ନକଲ ଦାଖଲ କରିବାକୁ ହେବ। ଏହି ନୂତନ ପଞ୍ଜିକରଣ ପ୍ରକ୍ରିୟା ଦ୍ୱାରା ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନ ସଂଗ୍ରହରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରହିଛି। ନୂତନ ଚାଷୀଙ୍କ ପଞ୍ଜିକରଣ ପରେ ଆସନ୍ତା ନଭେମ୍ବର ପହିଲା ୨୦୨୧ରୁ ମାର୍ଚ୍ଚ ୩୧, ୨୦୨୨ ମଧ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ।

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ୍ ଏସଓପି ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି। ବାକି ୮ ଜଣ ହେଲେ ପୁରୀର ସୋମନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଜେନା, ମନୋରଞ୍ଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ। ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୁଲିସ। ତେବେ ଆଜି ସକାଳେ ବଡ଼ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ବୁଧବାର ମଧ୍ୟ ଗଙ୍ଗା ଲଜିଂକୁ ସିଲ କରିଥିଲା ପ୍ରଶାସନ। ଇସ୍କନ ଭକ୍ତ ଛାତରେ ରହି ରଥ ଦେଖିବା ଅଭିଯୋଗରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସିଲ୍ ହୋଇଛି। ରଥଯାତ୍ରା ପୂରା ପୁରୀ ସହରରେ ୧୪୪ ଧାରା ଜାରି ହୋଇଥିଲା। । ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଥିବା ଜିଲ୍ଲାପାଳ କହିଥିଲେ। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ। ଏପରିକି ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରିବା ପାଇଁ କୁହାଯାଇଥିଲା। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ହୋଇଛି।

ଆଜି ଓଡ଼ିଶା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବାମ ଦଳ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)-  ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ଆଦି ୪ଟି ବାମ ଦଳ ପକ୍ଷରୁ  ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ଗାଡ଼ି ମୋଟର ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି  । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି  ।  ସେପଟେ ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରି ସାରିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱର ରେଳଷ୍ଟେସନରେ ବାମ ଦଳ କର୍ମୀ ରେଳରୋକ କରିଛନ୍ତି  । ବନ୍ଦ ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ପ୍ରଭାବିତ ହେବାକୁ ଥିବାରୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଛନ୍ତି  ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ।

କବିସୂର୍ଯ୍ୟନଗର ଓ ଆସ୍କା ରେ ଓଡିଶା ବନ୍ଦ ର ପ୍ରଭାବ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ବିରୋଧରେ ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ଛଅ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବାମ ଦଳ ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି l ଯାହାରୀ ଫଳରେ ଆଜି ଗଞ୍ଜାମ ଜିଲ୍ଲା ଆସିକା କବିସୂର୍ଯ୍ୟନଗର ସହର ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l

ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବସ ଚଳାଚଳ ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଛି l ଆଜି ସକାଳୁ ସକାଳୁ ଦଳୀୟ କର୍ମୀମାନେ ସହର ସାରା ପିକେଟିଙ୍ଗ କରିବା ସହିତ ଆସିକା ବିଜୁ ପଟ୍ଟନାୟକ ଛକ, ପୁରୁଣା ଓ ନୂତନ ବସଷ୍ଟାଣ୍ଡ ଛକ ସମେତ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ଛକ ଓ ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି l ଏହାକୁ ଅଞ୍ଚଳ ବାସି ସମର୍ଥନ କରି ସହର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି l

ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ବେଗୁନିଆପଡା ଠାରେ ସି ପି ଆଇ ର ଧର୍ମଘଟ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – କେନ୍ଦ୍ର ଓ ରାଜ୍ୟରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଘଟି ଚାଲିଛି । ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର ଶହେ ଟପିଲାଣି ଏହାର ପ୍ରତିବାଦ କରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି( ସିପିଆଇ)ପକ୍ଷରୁ ୬ ଘଣ୍ଟିଆ ଧର୍ମଘଟ କରାଯାଇଛି । ସିପିଆଇ କର୍ମୀ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିବା ସହିତ ପିକେଟିଂ ମଧ୍ୟ କରିଥିଲେ । ଅହେତୁକ ଦରଦାମ୍ ବୃଦ୍ଧି ଲୋକ ମାନଙ୍କ ପାଇଁ ଅତିଷ୍ଠ ହେଲାଣି ଯାହା ଫଳରେ ଲୋକେ ହଇରାଣ ର ଶିକାର ହେବା ସହ କୌଣସି ଜିନିଷ କିଣିବା ପାଇଁ କଷ୍ଟ ଅନୁଭବ କରୁଛନ୍ତି ବୋଲି ସି ପି ଆଇ କର୍ମୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସି ପି ଆଇ ନେତା ରଙ୍କନାଥ ସ୍ୱାଇଁ, ସତ୍ୟବାଦୀ ସ୍ୱାଇଁ, ଜୟକୃଷ୍ଣ ନାହାକ,ନାରାୟଣ ସେଠୀ,ଲକ୍ଷ୍ମଣ ସ୍ୱାଇଁ,କମଳ ଲୋଚନ ଗୌଡ଼,ଉଦୟ ନାଥ ନାହାକ ଙ୍କ ସମେତ ବହୁ ସି ପି ଆଇ କର୍ମୀ ଉପସ୍ଥିତ ଥିଲେ ।

ଓଡିଶା ଓ ଭାରତ ବନ୍ଦ ଡାକରା ସଫଳ କରିବା ନିମନ୍ତେ ଲୋକ ସଚେତନତା ସଂଘଠନ ପକ୍ଷରୁ ସଚେତନତା ଶୋଭାଯାତ୍ରା ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଲୋକ ଚେତନା ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଠାରେ ଲୋକଚେତନା ସଂଗଠନ କର୍ମୀମାନେ ଖାଉଟି ବିବାଦ ବିଚାର ମଞ୍ଚ ର ପ୍ରାକ୍ତନ ସଭାପତି ତଥା ସଂଘଠନ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମାଧ୍ୟମରେ ସ୍ଥାନୀୟ ପୁରୁଣା ଗୁଣପୁର ଛକ ଠାରୁ ବାହାରି ସହର ପରିଭ୍ରମଣ କରି ପୁରୁଣା ବସ ଷ୍ଟାଣ୍ଡ ଠାରେ ପହଞ୍ଚି ସଚେତନା ସୃଷ୍ଟି କରିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ଭାରତ ବନ୍ଦ ରେ ସାମିଲ ହୁଅନ୍ତୁ,କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନତା ମାରଣ ନୀତି ବନ୍ଦ କର,ଡିଜେଲ ଓ ପେଟ୍ରୋଲ ଦାମ କମ କର,ବିଦ୍ୟୁତ ଦର ବୃଦ୍ଧି ହ୍ରାସ କର,ଖାଇବା ତେଲ, ଡାଲି, ଲୁଣର ଦର ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ବିରୋଧ କରି ଭାରତ ବନ୍ଦରେ ସାମିଲ ହେବାକୁ ଡାକରା ଦେଇଛନ୍ତି । ଶ୍ରୀ ଦାଶ ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ରେ ସଂଘଠନ ଆବାହକ ଜେମଶ ଶବର, ପରମ ଶବର, ସିପନ ଶବର, ମିନୋଳିତା ଶବର ଙ୍କ ସମେତ ବହୁ ସଂଘଠନ କର୍ମକର୍ତ୍ତା ଯୋଗଦେଇଥିଲେ।

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ଥିବା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଜପତି ଜିଲ୍ଲାଶାଖା ପକ୍ଷରୁ ଦେଶରେ ହୁହୁ ବଢି ଚାଲିଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ ରଖିବା ପାଇଁ ପାର୍ଲିଆମେଣ୍ଟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରାଯିବା ଦାବୀରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଶ୍ରୀ ଶେଷଦେଵ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଫାଉଣ୍ଡେସନର ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ , ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଫାଉଣ୍ଡେସନର ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ ଏବଂ ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର କହିଛନ୍ତି ଯେ , ଉତ୍ତରପ୍ରଦେଶ ଓ ଆସାମ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ସେଠାରେ ଯେଭଳି ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ ହେଲା , ସେହିଭଳି ଓଡ଼ିଶାରେ କରାଯାଉ । ଜନସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଭାରତ ବର୍ଷରେ ଯେଭଳି ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଆୟତନ ଦୃଷ୍ଟିରୁ ଭାରତରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏହା ହେବାଦ୍ୱାରା ଆଗାମୀ ଦିନରେ ଭୁକୁମାରି , ବେକାରୀ ଓ ଭୟଙ୍କର ଗୃହଯୁଦ୍ଧର ଯେଉଁ ପରିସ୍ଥିତି ଦେଖାଦେବ , ସେଥିରେ ଦେଶକୁ ନିୟନ୍ତ୍ର ରଖିବା ଦିଗରେ ଅଣାୟତ୍ତ ହୋଇପଡିବ । ତେଣୁ ଜନସଂଖ୍ୟା ସମାଧାନ ଆଇନ ପ୍ରଣୟନ ଦାବୀକରି , ଜାତି , ଧର୍ମ , ବର୍ଣ୍ଣ , ଭାଷା ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସର୍ବାଧିକ ୨ ଟି ସନ୍ତାନ ଆଇନ , ବାଧ୍ୟତାମୂଳକ କରାଯିବା ଦାବୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ କେ: ଯୁବରାଜ , ଶ୍ରୀ ସନ୍ତୋଷ କୁମାର ଜେନା , ଶ୍ରୀ ଗେଦଲା ରାଜୁ , ଶ୍ରୀ ପି: କ୍ରାନ୍ତି , ଓ ଶ୍ରୀ ରୋଶନ ସାମନ୍ତରାୟ ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ଥିଲେ ।

ଆଜି ଓଡ଼ିଶା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବାମ ଦଳ ; ଗୁଣପୁର ରେ ବାମ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇଏମଏଲ ଲିବରେସନ ଓ ଅଖିଳ ଭାରତ କିଷାନ ମଜଦୁର ସଂଘ ପକ୍ଷରୁ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୁଣୁପୁର ଠାରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ଗୁଣପୁର ଠାରେ ଗାଡ଼ି ମଟର ଏବଂ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଦଳ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା ।

ଏହାକୁ ଗୁଣପୁର ବାସୀ ସମର୍ଥନ କରି ସମସ୍ତ ଦୋକାନ ବଜାର ଓ ଗାଡ଼ି ମଟର ବନ୍ଦ କରିଥିବା ଦେଖିବାକୁ ମିଳିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି ବୋଲିି ଦଳର ମୁଖ୍ୟ କମ୍ରେଡ଼ ଶ୍ରୀ ତ୍ରିପତି ଗମାଙ୍ଗ ସୂଚନା ଦେଇଛନ୍ତି । ଆଜି ସକାଳୁ ସକାଳୁ ଗୁଣପୁର ର ରାୟଗଡା – ଗୁଣପୁର ଓ ପଦ୍ମପୁର – ଗୁଣପୁର କୁ ସଂଯୋଗ କରୁଥିବା ରାସ୍ତା ର ଏସପିଗୁଡ଼ା ଛକ ଏବଂ ପାରଳାଖେମୁଣ୍ଡି-ଗୁଣପୁର କୁ ସଂଯୋଗ କରୁଥିବା ରାସ୍ତାର ମରାଠିଗୁଡ଼ା ଠାରେ ଦଳପକ୍ଷରୁ ଅବରୋଧ କରାଯାଇ ଆନ୍ଦୋଳନ କରାଯାଇଥିଲା ।

ବନ୍ଦ ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ପ୍ରଭାବିତ ହେବାକୁ ଥିବାରୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଏକ ପତ୍ର ମାଧ୍ୟମରେ ଅବଗତ କରିଥିବା ଜଣାପଡିଛି । ଏହି ବନ୍ଦ ପାଳନ ବେଳେ କୌଣସି ଅଘଟଣ ଘଟିନାହିଁ ଏବଂ ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗମାଙ୍ଗ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଯୋଗଦେଇଥିଲେ।

ଅପରାହ୍ନ ୨ଟା୩୦ରେ କହିବେ ମୁଖ୍ୟ ଶାସନ ସଚିବ, କୋଭିଡ କଟକଣା ନେଇ ଆସିପାରେ ନୂଆ ନିୟମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସନ୍ତାକାଲି ସକାଳ ୬ଟାରେ ସରୁଛି ରାଜ୍ୟରେ ଲକଡାଉନ୍ ଅବଧି । ଏହାପୂର୍ବରୁ ଆଜି ଅପରାହ୍ନ ୨ଟା୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ । ଆଂଶିକ ଲକଡାଉନ୍‌ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ ଆଜି ହୋଇପାରେ ଘୋଷଣା । ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ୫ ପ୍ରତିଶତ କମ୍‌ ପଜିଟିଭିଟି ରହୁଥିବା ଆଉ କିଛି ଜିଲ୍ଲାକୁ କାଟାଗୋରୀ-aକୁ ନିଆଯାଇପାରେ।  ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି  । ସୂତ୍ର ଅନୁସାରେ ନୂଆ ଗାଇଡଲାଇନ୍‌ରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ। ଏଥିସହ କଟକଣା କୋହଳ ସମୟର ଅବଧିକୁ  ବଢ଼ାଯିବାର ସମ୍ଭାବନା ଥିବା ଆଲୋଚନା ହେଉଛି। ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-Bରେ ଥିବା ଜିଲ୍ଲା ମଧ୍ୟରୁ କଟକ, ଖୋର୍ଦ୍ଧା ଓ ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନ୍‌ଲକ୍‌ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ। ଅପରପକ୍ଷେ,   କରୋନା କୋପ କମୁଥିବାରୁ ବିଭିନ୍ନ ସ୍ଥାନରେ କଟକଣା ନିୟମରେ କୋହଳ କରାଯାଇଛି। ମାତ୍ର ଏହାର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି।

‘ଦରଦାମ୍‌ କମା ନଚେତ ଗାଦି ଛାଡ଼ ମୋଦି’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)-  ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।  ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ଆଜି ଶୋଭାଯାତ୍ରାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି  । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କର୍ମୀ।  ଏଥିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଛନ୍ତି ।  ସେହିଭଳି ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ ଶୋଭାଯାତ୍ରା ବାହାରିଛି । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା କର୍ମୀ ସାମିଲ ହୋଇଛନ୍ତି  । ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ନିଶ୍ଚିତ ଭାବେ ଏହାର ପ୍ରଭାବ ପଡ଼ିବ । ଯେଉଁଭଳି ଭାବେ ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ବଢ଼ୁଛି, ସେଥିପାଇଁ ସବୁ ଜିନିଷର ଦାମ ମଧ୍ୟ ବଢ଼ୁଛି। ଫଳରେ ଲୋକ  ମଧ୍ୟ ହନ୍ତସନ୍ତ ହେଉଛନ୍ତି। ତା ’ ବିରୋଧରେ ପ୍ରତିବାଦ କରୁଛୁ। ଏହାବାଦ ଆସନ୍ତା ୧୫ ତାରିଖରେ ବାମ ଦଳ ପକ୍ଷରୁ ଦିଆଯାଇଥିବା ପେଟ୍ରୋଲ ନ ପକାଇବା ଡାକରାକୁ କଂଗ୍ରେସ ସମର୍ଥନ କରିବ। ଗୋଟିଏ ଦିନ କେହି ଡିଜେଲ, ପେଟ୍ରୋଲ, ଗ୍ୟାସ ନ କିଣିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଉଛି। ୧୭ ତାରିଖରେ ଦସ୍ତଖତ ସଂଗ୍ରହ କରି ଦରଦାମ କମାଇବା ପାଇଁ ସରକାରଙ୍କ ପାଖରେ ଦାବି ଜଣାଇବୁ ବୋଲି କହିଛନ୍ତି ପିସିସି ସଭାପତି। ଅପରପକ୍ଷେ, ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ କହିଛନ୍ତି,   ଡିଜେଲ, ପେଟ୍ରୋଲ , ଖାଇବା, ତେଲ, ଗ୍ୟାସ ଆଦି ସବୁ ଜିନିଷର ଦାମ ହୁ ହୁ ହୋଇ ବଢ଼ୁଛି। ଏଥିରେ ଅତିଷ୍ଠ ହୋଇଗଲେଣି ସାଧାରଣ ଲୋକ । ତେଣୁ ମୋଦି ଦରଦାମ କମା ନଚେତ ଗାଦି ଛାଡ଼ ବୋଲି କହିଛନ୍ତି ସୁର।