ପ୍ରତିଶ୍ରୁତି ରଖିଲେ ଅପରାଜିତା, ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍ ଛକରେ ହେବ ଓଭରବ୍ରିଜ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଛକରେ ଫ୍ଲାଏଓଭର(ଓଭରବ୍ରିଜ) ନିର୍ମାଣ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ଦୀର୍ଘଦିନ ଧରି ହେଉଥିବା ଦାବି ଓ ବିଭିନ୍ନ ଦଳର ନେତା-ବିଧାୟକମାନଙ୍କର ଅନୁରୋଧ ପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଫ୍ଲାଏଓଭର ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ସମ୍ମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ନିତିନ୍ ଗଡ଼କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଜାତୀୟ ରାଜପଥ ପ୍ରାଧିକରଣ ଅତିରିକ୍ତ ୧୬.୬୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଛକରେ ଓଭରବ୍ରିଜ୍ ନିର୍ମାଣ ପାଇଁ ୪.୧୯କୋଟି ଟଙ୍କା ମଞ୍ଜୁର ହୋଇଛି। ପୂର୍ବରୁ ଏଠାରେ ଅଣ୍ଡର ଭେହିକିଲ୍ ପାସ୍ ନିର୍ମାଣ ପାଇଁ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ସେହିପରି ପଲାତୋଟାପଡ଼ା ପାଇଁ ମୋଟ ୧୦.୫୨ କୋଟି ଟଙ୍କା ଏବଂ ତାପଙ୍ଗ ପାଇଁ ୧.୯୭କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଠାରେ ଅଣ୍ଡର ଭେହିକିଲ୍ ପାସ୍ ଓ ଫ୍ଲାଏଓଭର ନିର୍ମାଣ କରାଯିବ ବୋଲି ସାଂସଦ ଶ୍ରୀମତୀଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ଜାତୀୟ ରାଜପଥର ଚିଠିରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଫ୍ଲାଏଓଭର ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଥିଲା। ଗତ ଏପ୍ରିଲ ୭ ତାରିଖରେ ଦଳମତ ନିର୍ବିଶେଷରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ଜଗଦେବ, ଜିତୁ ମିତ୍ର ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଏହି ଫ୍ଲାଏଓଭର ନିର୍ମାଣ ପାଇଁ ଅନୁରୋଧ କରିଥିଲେ।

ବିଦ୍ୟୁତ୍ ଦରବୃଦ୍ଧି ଯୋଗୁ ଅତିଷ୍ଠ ଲୋକ, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିଦ୍ୟୁତ୍‌ ଦରବୃଦ୍ଧିର ପ୍ରତିବାଦ କରି ଆଜିଠୁ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି। କରୋନା କାଳରେ  ବିଦ୍ୟୁତ୍ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍‌ କାଟ୍ ଯୋଗୁ ଅତିଷ୍ଠ ହେଲେଣି ଲୋକ। ଏଥିଯୋଗୁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି । ସବୁ ବିଦ୍ୟୁତ୍‌ ଅଫିସ ଆଗରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି ।   ଏନେଇ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କାଲି ପ୍ରେସମିଟ୍ କରି  ସୂଚନା ଦେଇଥିଲେ । ରାଜ୍ୟବାସୀଙ୍କୁ ଭୂଆଁ  ବୁଲାଇ ବିଦ୍ୟୁତ୍‌ କଂପାନୀ ମନଇଚ୍ଛା ବିଜୁଳି କାଟୁଛନ୍ତି । ତାସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ୍‌ ଦରବୃଦ୍ଧି ଲଦି ଦିଆଯାଇଛି । ଯାହାର ପ୍ରତିବାଦ ସୂରୁପ ବିଜେପି ଆନ୍ଦୋଳନକୁ ଓହ୍ଳାଇଛି।

ଓଡ଼ିଶାରେ ପଶିଲେ ଜେଏମବି ଆତଙ୍କବାଦୀ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଡ଼ୋଶୀ ଦେଶ ବାଂଲାଦେଶରୁ ଜମାତ-ଉଲ-ମୁଜାହିଦ୍ଦିନର ୧୫ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ରାସ୍ତାରେ ଏହି ଆତଙ୍କବାଦୀ ପ୍ରବେଶ କରିଛନ୍ତି। ନିକଟରେ କୋଲକାତା ପୁଲିସ ଗିରଫ କରିଥିବା ତିନି ଆତଙ୍କବାଦୀଙ୍କୁ ଜେରା କରିବା ପରେ ଏହି ସୂଚନା ମିଳିଛି। ପାଖାପାଖି ୧୦ ଜଣ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ସୂଚନା ରହିଛି। ଏହି ଗ୍ରୁପ୍‌ର ୩ ଆତଙ୍କବାଦୀଙ୍କୁ ଗିରଫ କରିଥିବା କୋଲକାତାର ଏସଟିଏଫ୍ ସୋମବାର ଏହି ସୂଚନା ଦେଇଛି। ଜମାତ-ଉଲ-ମୁଜାହିଦ୍ଦିନର ମୋଟ୍ ୧୫ ଆତଙ୍କବାଦୀଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ଥିଲେ। ଗିରଫ ଆତଙ୍କବାଦୀ ବାଂଲାଦେଶୀ। ସେମାନେ ରବିବାର କୋଲକାତାର ହରିଦେବପୁର ଏରିଆରୁ ଏସଟିଏଫ ଦ୍ୱାରା ଗିରଫ ହୋଇଥିଲେ। ତିନି ଆତଙ୍କବାଦୀଙ୍କୁ ଜେରା କରିବା ବେଳେ ଏସଟିଏଫ ଜାଣିବାକୁ ପାଇଛି ଯେ ଅବଶିଷ୍ଟ ଆତଙ୍କବାଦୀ ଓଡ଼ିଶା, ବିହାର ଓ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗରୁ ତିନି ଗିରଫ ହୋଇଥିବା ବେଳେ ସେମାନଙ୍କ ଆଉ ଦୁଇ ସହଯୋଗୀ ଶେଖ ସକିଲ ଏବଂ ସଲିମ ମୁନସି ଲୁଚି ରହିଥିବା ସୂଚନା ରହିଛି। ଏସଟିଏଫ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଜଣାଯାଇଛି। ଓଡ଼ିଶାର ଏସଟିଏଫ୍ ଟିମ୍ ମଧ୍ୟ କୋଲକାତା ଏସଟିଏଫ୍ ସହିତ ଏ ସଂକ୍ରାନ୍ତରେ ଯୋଗାଯୋଗରେ ଅଛି। ୨୦୧୬ରେ ଢ଼ାକାର ଏକ କାଫେରେ ଜେଏମବି ଆତଙ୍କୀ ଆକ୍ରମଣ କରିଥିଲେ। ଏଥିରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୯ରେ ଏନଆଇଏ କହିଥିଲା ଜେଏମବି ଭାରତରେ ଏହାର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି। ଗିରଫ ହୋଇଥିବା ତିନି ଆତଙ୍କବାଦୀକୁ ସକିଲ ଜାଲ୍ ଆଧାର କାର୍ଡ ତିଆରି କରିବାରେ ସହଯୋଗ କରିଛି। ସକିଲ ମଧ୍ୟ ଜେଏମବିର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ଆଧାର କାର୍ଡକୁ ପରିଚୟ ପତ୍ର ଭାବରେ ଦେଖାଇ ହରିଦେବପୁର ଅଞ୍ଚଳରେ ସେମାନେ ଘର ଭଡ଼ା ନେବାକୁ ଯୋଜନା କରିଥିବା ସୂଚନା ରହିଛି। ଆତଙ୍କବାଦୀ ସଂଗଠନ ଜେଏମବିର ଶୀର୍ଷ ନେତା ଅଲ ଅମୀନଙ୍କ ନିର୍ଦ୍ଦେଶରେ ଏହି ଆତଙ୍କବାଦୀ କାମ କରୁଥିବା ଜେରା ବେଲେ ସୂଚନା ଦେଇଛନ୍ତି । ଗିରଫ ତିନି ଆତଙ୍କବାଦୀ ହେଲେ ନଜିଉର ରେହମାନ, ରବିଉଲ ଇସଲାମ ଏବଂ ସବିର। ନିଜ ଗୁଜରାଣ ମେଣ୍ଟାଇବା ପାଇଁ ସେମାନେ ଫଳ ନ ହେଲେ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ସୂଚନା ରହିଛି। ଗିରଫ ହୋଇଥିବା ତିନି ଆତଙ୍କବାଦୀଙ୍କ ବାବଦରେ ଅଧିକ ସୂଚନା ପାଇବା ପାଇଁ କୋଲକାତା ଏସଟିଏଫ ବାଂଲାଦେଶ ପୁଲିସ ସହ ଯୋଗାଯୋଗରେ ଥିବା ସୂଚନା ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁ ଘରେ ଏହି ତିନି ଆତଙ୍କବାଦୀ ଭଡ଼ା ନେଇଥିଲେ ସେହି ଘର ମାଲିକଙ୍କୁ ମଧ୍ୟ ଜେରା କରାଯାଉଛି। ସେହିପରି ଏନଆଇଏ ମଧ୍ୟ ଗିରଫ ତିନି ଆତଙ୍କବାଦୀଙ୍କ ବାବଦରେ ଖବର ନେବା ଆରମ୍ଭ କରିଛି। ଜଣେ ଏନଆଇଏ ଅଧିକାରୀ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ସହିତ ସେମାନଙ୍କ ସହ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ତଦନ୍ତ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ରହିଥିବା ସେ କହିଛନ୍ତି। ଏହି ତିନି ସନ୍ଦିଗ୍ଧ ଆତଙ୍କବାଦୀ ୧୪ ଦିନିଆ ପୁଲିସ ହେପାଜତରେ ରହିଛନ୍ତି। ଏହି ଆତଙ୍କବାଦୀଙ୍କ ପାଖରୁ ବିସ୍ଫୋରକ ସାମଗ୍ରୀ ସହିତ ଜେଏମବିର ଟପ୍ ଆତଙ୍କୀଙ୍କ ନାଁ ଜବତ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରୁ ଅନେକ ଜେଏମବି ଅପରେଟରଙ୍କୁ ଗିରଫ କରାଯାଇଛି।

ଶେଷରେ ହଁ ଭରିଲେ ଦାଦା, ଖୁବ୍ ଶୀଘ୍ର ଆସିବ ବାୟୋପିକ୍….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ଅନେକ ପୂର୍ବତନ ଖେଳାଳିଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ ହୋଇସାରିଛି। ଏଥିରେ ଭିନ୍ନ ଭିନ୍ନ ଅଭିନେତା କ୍ରିକେଟରଙ୍କ ଭୂମିକା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ଏବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ବିସିସିଆଇ ଅଧ୍ୟକ୍ଷ ଓ ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି ଏହି ପ୍ରୋଜେକ୍ଟ ପାଇଁ ହଁ ମଧ୍ୟ ଭରିଛନ୍ତି। ରିପୋର୍ଟ ମୁତାବକ, ଏହି ବିଗ୍ ବଜେଟ୍ ଫିଲ୍ମର ନିର୍ମାଣରେ ଖର୍ଚ୍ଚ ହେବ ୨୦୦ରୁ ୨୫୦ କୋଟି ଟଙ୍କା। ଏପରିକି ସୌରଭ ଗାଙ୍ଗୁଲିଙ୍କ ଏହି ବାୟୋପିକରେ ବଲିଉଡର ଜଣାଶୁଣା ଅଭିନେତା ରଣବୀର କପୁର ମୁଖ୍ୟ ଭୂମିକା ତୁଲାଇପାରନ୍ତି। ନ୍ୟୁଜ୍-୧୮ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ‘ହଁ ମୁଁ ବାୟୋପିକ୍ ପାଇଁ ରାଜି ହୋଇଛି। ଏହା ହିନ୍ଦିରେ ପ୍ରସ୍ତୁତ ହେବ, କିନ୍ତୁ ଏଯାଏ ନିର୍ଦ୍ଦେଶକଙ୍କ ନାଁ ସ୍ଥିର ହୋଇନାହିଁ। ସବୁକିଛି ଫାଇନାଲ୍ ହେବା ପାଇଁ ସମୟ ଲାଗିବ।’ ରିପୋର୍ଟ ମୁତାବକ, ରଣବୀର କପୁର ଏହି ଗାଙ୍ଗୁଲିଙ୍କ ଭୂମିକା ତୁଲାଇବା ପାଇଁ ସର୍ବଶ୍ରେଷ୍ଠ ପସନ୍ଦ। କିନ୍ତୁ ଏହା ପୂର୍ବରୁ ନେହା ଧୂପିଆ ପ୍ରସ୍ତାବ ଦେଇଥିଲେ ଯେ ହ୍ରିତିକ ରୋଶନ ହିଁ ସୌରଭ ଗାଙ୍ଗୁଲିଙ୍କୁ ଭୂମିକା ପାଇଁ ଉପଯୁକ୍ତ।ମିଳିଥିବା ଖବର ଅନୁଯାୟୀ, ଫିଲ୍ମର ସ୍କ୍ରିପ୍ଟ ଲେଖା ସରିଛି। ପ୍ରଡକ୍ସନ୍ ହାଉସ୍ ମଧ୍ୟ ଗାଙ୍ଗୁଲିଙ୍କୁ ଏକାଧିକ ଥର ସାକ୍ଷାତ କରିସାରିଛନ୍ତି। ଏକତା କପୁରଙ୍କ ଠାରୁ ଆରମ୍ଭ କରି ଫକ୍ସ ଷ୍ଟାର୍ ଷ୍ଟୁଡିଓଜ ଭଳି ପ୍ରଡକ୍ସନ୍ ହାଉସ୍ ଦାଦାଙ୍କ ବାୟୋପିକକୁ ନେଇ ଆଗ୍ରହ ଦେଖାଇଛନ୍ତି। ସେମାନେ ଦାଦାଙ୍କୁ ଫିଲ୍ମରେ କାମ କରିବା ପାଇଁ ମଧ୍ୟ ଅଫର୍ ଦେଇଥିଲେ, କିନ୍ତୁ ଗାଙ୍ଗୁଲି ଏହାକୁ ସ୍ୱୀକାର କରିନଥିଲେ। କିନ୍ତୁ ଏଥର ଭାରତର ପୂର୍ବତନ କ୍ୟାପଟେନ୍ ଏହା ଉପରେ ମୋହର୍ ମାରିଛନ୍ତି।

ଆଉ ରାଜନୀତି କରିବେନି ରଜନୀକାନ୍ତ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ରାଜନୀତିକୁ ଗୁଡବାଏ କହିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ସେ ଆଉ କେବେ ବି ରାଜନୀତିକୁ ଫେରିବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ରଜନୀକାନ୍ତ ତାଙ୍କ ଦଳ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ଆଉ କେବେ ବି ପଛକୁ ଛାହିଁବେ ନାହିଁ କି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ‘ରଜନୀ ମକ୍କଲ ମନ୍ଦ୍ରମ’ ଦଳକୁ ଭାଙ୍ଗି ରଜନୀକାନ୍ତ କହିଛନ୍ତି, ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାର ମୋର କୌଣସି ଯୋଜନା ନାହିଁ। ମୁଁ ରାଜନୀତିରେ ପ୍ରବେଶ କରିବାକୁ ଆଉ ଇଚ୍ଛୁକ ନୁହେଁ। ରଜନୀକାନ୍ତଙ୍କ ତରଫରୁ କୁହାଯାଇଛି ଯେ ଗଠିତ ସଂଗଠନ ବର୍ତ୍ତମାନ ରଜନୀ ରସିଗର ନରପାନି ମନ୍ଦରାମ ନାମରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କାମ କରିବ। ପାର୍ଟି ଅଫିସରେ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରଜନୀକାନ୍ତ ତାଙ୍କ ପ୍ରଶଂସକଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ।ଡିସେମ୍ବର ୨୦୨୦ ରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ ନକରିବାକୁ ଘୋଷଣା କରିଥିଲେ। ତେବେ ଏହା ପରେ ସେ ଏହାର ପୁନର୍ବିଚାର କରିବାକୁ କହିଥିଲେ। ଏଭଳି ପରିସ୍ଥିତିରେ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଥିଲା। ଏବେ ରଜନୀ ସମସ୍ତ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭବିଷ୍ୟତରେ କଦାପି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ରଜନୀକାନ୍ତ କହିଛନ୍ତି।

ସୁଶାନ୍ତଙ୍କ ସ୍ଥାନ ନେଲେ ଶହିର…….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ରାଜପୁତଙ୍କ ସ୍ଥାନ ଦେଲେ ଶହିର ଶେଖ୍। ସେ ସୁଶାନ୍ତଙ୍କୁ ରିପ୍ଲେସ କରିଛନ୍ତି। ଶହିର ଏବେ ମାନବ ସାଜିଛନ୍ତି। ସେ ମାନବ ସାଜି ଅର୍ଚ୍ଚନାଙ୍କ ସହ ରୋମାନ୍ସ କରିବେ। ୮ ବର୍ଷ ପରେ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ସିରିଏଲ୍ ‘ପବିତ୍ର ରିସ୍ତା’ ପୁଣିଥରେ ଫେରୁଛି। ତେବେ ଏଥର ନୂଆ ରୂପ ଓ ନୂଆ ରଙ୍ଗ ନେଇ। ‘ପବିତ୍ର ରିସ୍ତା-୨.୦’ରେ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ଥାନରେ ଶହିର ଶେଖ ନଜର ଆସିବେ। ଅଙ୍କିତା ଲୋଖଣ୍ଡେ ଏବଂ ଶହିରଙ୍କୁ ପ୍ରଥମ ଥର ପାଇଁ ଟେଲିଭିଜନ ପରାଦାରେ ଏକାଠି ଦେଖିବାକୁ ମିଳିବ।ଏବେ ଏହି ସିରିଏଲ୍‌ର ସୁଟିଂ ଆରମ୍ଭ ହୋଇସାରିଛି। ନିକଟରେ ଅଙ୍କିତା ସୁଟିଂ ସେଟ୍‌ରୁ ଏହି ସିରିଏଲ୍ କିଛି ଫଟୋ,  ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଫଟୋରେ ଅଙ୍କିତା ଅର୍ଚ୍ଚନାର ଅବତାରରେ ସୁଟ୍ ପିନ୍ଧିଛନ୍ତି ଏବଂ ପୁରାପୁରି ସିମ୍ପୁଲ ଲୁକ୍‌ରେ ନଜର ଆସିଛନ୍ତି। ସେପଟେ ଶହିରଙ୍କ ଲୁକ୍‌କୁ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ‘ପବିତ୍ର ରିସ୍ତା’ର ମାନବ ଚରିତ୍ରର ଲୁକ୍ ଦିଆଯାଇଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ୨୦୦୯ରେ ଧାରାବାହିକ ‘ପବିତ୍ର ରିସ୍ତା’ ଆରମ୍ଭ ହୋଇଥିଲା। ଏଥିରେ ଅଙ୍କିତା ଲୋଖଣ୍ଡେ ଏବଂ ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ଥିଲେ। ଏ ଦୁହିଁଙ୍କ ଯୋଡିକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ତେବେ ସୁଶାନ୍ତ ମୃତ୍ୟୁ ପରେ ଏହି ସିରିଏଲ୍ ସିକ୍ୱେଲ ପାର୍ଟରେ ଏବେ ଶହିର ନଜର ଆସିବେ। ତେବେ ଶହିର-ଅଙ୍କିତାଙ୍କୁ ଯୋଡିକୁ ଦର୍ଶକେ କେତେ ପସନ୍ଦ କରୁଛନ୍ତି ତାହା ସିରିଏଲ୍‌ଟି ଆରମ୍ଭ ହେଲା ପରେ ଜଣାପଡିବ।

‘ଇନସଆଲ୍ଲା’ରୁ ସଲମାନ ଆଉଟ, ଜାଣନ୍ତୁ, କିଏ କଲେ ରିପ୍ଲେସ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ସଞ୍ଜୟ ଲିଲା ଭନସାଲି ଓ ସଲମାନ ଖାନ ଯୋଡ଼ି ୧୯ ବର୍ଷ ପୂର୍ବେ ’ହମ୍‌ ଦିଲ ଦେ ଚୁକେ ସନମ’ ପରି ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଏହାପରେ ଭନସାଲିଙ୍କ ଫିଲ୍ମରେ ସଲମାନଙ୍କୁ  ଦେଖିବାକୁ  ଦର୍ଶକ ଖୁବ୍‌ ଉତ୍ସୁକ ଥିବା ବେଳେ ଏଥିରେ ଲାଗି ଯାଇଛି ଗ୍ରହଣ।  ସଞ୍ଜୟ ନିଜ ଆଗାମୀ ପ୍ରୋଜେକ୍ଟ ‘ଇନସଆଲ୍ଲା’  ପାଇଁ ଲିଡ ରୋଲରେ ସଲମାନଙ୍କୁ ନେବା ପାଇଁ ସବୁ କିଛି ଫାଇନାଲ୍‌ କରିବା ପରେ ପୁଣି ଥରେ ଅଟକି ଯାଇଛି ଏହି ପ୍ରୋଜେକ୍ଟ। ସଲମାନଙ୍କୁ ରିପ୍ଲେସ କରିଛନ୍ତି ବଲିଉଡର ହାର୍ଟଥ୍ରୋବ ହ୍ରିତିକ ରୋଶନ। ଏହି ଫିଲ୍ମରେ ପ୍ରଥମରୁ ହିଁ ଆଲିଆଙ୍କୁ ସଲମାନଙ୍କ ବିପକ୍ଷରେ କାଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଭନସାଲି। କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ। ଏପରିକି ଏହାକୁ ନେଇ ସଲମାନ ଓ ଭନସାଲିଙ୍କ ମଧ୍ୟରେ କୋଲଡ ୱାର ଆରମ୍ଭ ହୋଇଯାଇଥିବା ବେଳେ ଫିଲ୍ମ  କାମ ବି ଆଗେଇ ପାରି ନ ଥିଲା । ଏହାକୁ ନେଇ ଭନସାଲି-ସଲମାନଙ୍କ ମଧ୍ୟରେ ବିବାଦ ଚାଲିଥିବା ବି-ଟାଉନ୍‌ରେ ଗସିପ ଚାଲିଥିବା ବେଳେ ଶେଷ ମୁହୂର୍ତ୍ତରେ ‘ଇନସଆଲ୍ଲା’ରୁ କିନ୍ତୁ ବାଦ ପଡ଼ିଛନ୍ତି ଦବଙ୍ଗ ଖାନ୍‌।  ସଲମାନଙ୍କୁ ବାଦ ଦେଇ ଫାଇନାଲ ହୋଇ ସାରିଲାଣି ଷ୍ଟାର କାଷ୍ଟା। ଏଥର ମେଲ ଲିଡ ରୋଲରେ ଦବଙ୍ଗ ଖାଦ ନୁହେଁ ନଜର ଆସିବେ ହ୍ରିତିକ ରୋଶନ। ଭନସାଲି ଏବେ ‘ହିରା ମଣ୍ଡି’ ୱେବ ସିରିଜ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଖୁବ୍‌ ଜଲଦି ଫ୍ଲୋରକୁ ଆସିବ। ଏହାବାଦ ଆଲିଆ ଷ୍ଟାରର ସଞ୍ଜୟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଶୁଟିଂ ମଧ୍ୟ ଶେଷ ହୋଇଗଲାଣି। ‘ଇନସଆଲ୍ଲା’ ପାଇଁ ସଞ୍ଜୟ ଓ ହ୍ରିତିକଙ୍କ ମଧ୍ୟରେ ବହୁ ବୈଠକ ହୋଇ ସାରିଥିବା ବେଳେ ହ୍ରିତିକଙ୍କୁ ଷ୍ଟୋରି ଖୁବ୍‌ ପସନ୍ଦ ଆସିଛି। ୨୦୨୨ ରେ ଏହା ‍ଫ୍ଲୋରକୁ ଯିବ।

୧୪ ଜୁଲାଇ – ଆଜିର ରାଶିଫଳ

!!! ପ୍ରବାଚକ॰ଜଗଦୀଶ ପ୍ରସାଦ !!!

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଗୁରୁଜନଙ୍କ ଠାରୁ ନୂଆ ଦିଗଦର୍ଶନ ପାଇବେ।

ବୃଷ: ସହକର୍ମୀଙ୍କ ସାହାଯ୍ୟ ମିଳିବ। ନିଜ ବୃତ୍ତିଗତ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ବଢ଼ାଇବା ପାଇଁ ପ୍ରୟାସ କରିବେ।

ମିଥୁନ: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ଗାଡ଼ିରେ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ଦୀର୍ଘ ଦିନରୁ ହୋଇପାରୁ ନଥିବା କାର୍ଯ୍ୟଟି ଆଜି ସଂପନ୍ନ ହୋଇଯାଇପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଲାଗି ରହିଥିବା ବାଦବିବାଦର ସମାଧାନ ହୋଇପାରେ।

ସିଂହ: ଶତ୍ରୁବାଧା ଦୂରେଇ ଯିବ। ଆୟବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।

କନ୍ୟା: କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନୂତନପନ୍ଥା ଅନୁସରଣ କରି ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ତୁଳା: ଧନପ୍ରାପ୍ତି ସମ୍ଭାବନା ଅଛି। ପୁରାତନ ରୋଗରୁ ଉପଶମ ମିଳିପାରେ। ସମ୍ପତ୍ତି କ୍ରୟ ବିକ୍ରୟ କରିପାରିବେ।

ବିଚ୍ଛା: କର୍ମକ୍ଷେତ୍ରରେ ଅପ୍ରୀତିକର ସ୍ଥିତି ଦେଖାଯାଇପାରେ। ତେବେ କୌଶଳ କରି ତା’ର ସମାଧାନ କରିପାରିବେ। ବ୍ୟବସାୟରେ ସଂଘର୍ଷ କରିବାକୁ ପଡ଼ିପାରେ।

ଧନୁ: ଉତ୍ତମ ରୋଜଗାର ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି କଥାରେ ଅଯଥାରେ ମୁଣ୍ଡ ଭର୍ତ୍ତି କରନ୍ତୁ ନାହିଁ।

ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଢ଼ିବ। ଶୁଭ ଫଳ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ପରିବାରରେ ଶାନ୍ତି ବିରାଜମାନ କରିବ।

କୁମ୍ଭ: କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପୂର୍ବ ଯୋଜନାରେ ସଫଳତା ଲାଭ କରିବେ। ଆଜି ଆମିଷ ସେବନ କରନ୍ତୁ ନାହିଁ।

ମୀନ: ଘରେ କୌଣସି ସମସ୍ୟା ଥିଲେ, ଆଜି ତାହା ଦୂର ହୋଇଯାଇପାରେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ଯାତ୍ରା କରନ୍ତୁ ନାହିଁ।