ତୈଳଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପଦଯାତ୍ରା ଓ ବିକ୍ଷୋଭ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପେଟ୍ରୋଲିୟମଜାତ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶା ପ୍ରଭାରୀ(ଛାତ୍ର ସଂଗଠନ) ଅନୁଲେଖା ବୋଷ ଏଥିରେ ସାମିଲ ହୋଇଥିଲେ। ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥର ଦରବୃଦ୍ଧି ପ୍ରତିବାଦରେ ଆଜି ଅପରାହ୍ନରେ ବିମାନବନ୍ଦର ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୁଲିସ୍ ବ୍ୟାରିକେଡ଼ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଥିଲେ । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ, ମୋଦିଙ୍କ ‘ଆଚ୍ଛାଦିନ’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ୱପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି। ହାଣ୍ଡିଶାଳରେ ମହଙ୍ଗା ମାଡ଼। ପେଟ୍ରୋଲ,ଡ଼ିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲର ଶାସନର ପ୍ରତିଫଳନ ହୋଇଛି। ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି । ମୋଦି ଓ ନବୀନଙ୍କ ଅମଳରେ ଓଡ଼ିଶାବାସୀଙ୍କ ଅବସ୍ଥା ରସାତଳଗାମୀ ହୋଇଛି। ଏହାସହିତ ସେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଟୀକାକରଣ ପାଇଁ ଦାବି କରିଛନ୍ତି। ସେହିପରି ଛାତ୍ର କଂଗ୍ରେସ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା କହିଛନ୍ତି ଯେ ମୋଦି ଓ ନବୀନଙ୍କ ଶାସନରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ନବୀନ ବାବୁ ମୁହଁ ଖୋଲୁନାହାନ୍ତି। ତେଲ ଦର ଲିଟର ପିଛା ୪୦ ଟଙ୍କା ହେବା ଉଚିତ୍ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିଜେ ଗଣମାଧ୍ୟମକୁ କହିଛନ୍ତି । କଂଗ୍ରେସ ଅମଳରେ ତେଲ ଦର ଟଙ୍କାଟିଏ ବଢିଲେ ବିଜେଡ଼ି ରାଜରାସ୍ତାରେ ଚିତ୍କାର କରେ, ଆଜି ଚୁପ୍ କାହିଁକି? ବିଜୁ ଛାତ୍ର ଜନତା ଗରିବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ ବି କରିପାରୁନି। କରୋନା ସମୟରେ ଲୋକ ବେରୋଜଗାର ହେଉଥିବା ବେଳେ ନବୀନ-ମୋଦି ସରକାର ଦରଦାମ୍ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି। ଛାତ୍ର କଂଗ୍ରେସ ଏହା ବିରୁଦ୍ଧରେ ଧାରାବାହିକ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେୂ ଛାତ୍ର କଂଗ୍ରେସର ଜାତୀୟ ସଂଯୋଜକ ଆଦିତ୍ୟ ଚୌଧୁରୀ, ନିହାର ବେହେରା, ସୁନିଲ ମାଟିଆ, ପ୍ରୀତମ ପରିଜା, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ଅଭିରାମ ଗୌଡ଼,ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଖିଳେଶ ଯାଦବ, ଦେବବ୍ରତ ମହାନ୍ତି, ନିତେଶ ବେହେରା, ବାଦଲ ମହାନ୍ତି, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଶାହାରୁଖ ଖାନ, ରଣଜିତ ସେନାପତି, ପ୍ରତ୍ୟୁରଞ୍ଜନ ପ୍ରଧାନ, ଶିବଶକ୍ତି ଦିଗାଲ, ସମିଉଲ ହକ୍ ଓ ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଛାତ୍ରନେତା ସାମିଲ ହୋଇଥିଲେ।

ପୁଣି ଘାଇଲା କଲେ ସୌମ୍ୟ …..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି । ଏନେଇ ସେ କହିଛନ୍ତି ଯେ, କ୍ରିୟାର ପ୍ରତିକ୍ରିୟା ହେବ ଏବଂ ପ୍ରତିକ୍ରିୟା ସବୁବେଳେ ସ୍ୱାଗତଯୋଗ୍ୟ । ତା ଛଡ଼ା ସବୁ ମତର ନିଶ୍ଚୟ ବିକଳ୍ପ ମତ ରହିବ ବୋଲି ସୌମ୍ୟ କହିଛନ୍ତି । ଭିନ୍ନମତକୁ ଗ୍ରହଣ କରିବାର ଅଭ୍ୟାସ ନରହିଲେ ଗଣତନ୍ତ୍ର ତିଷ୍ଠି ରହିବନି । ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ମଧ୍ୟ ଠିକ୍ ନୁହେଁ ବୋଲି ସେ କହିଛନ୍ତି।  ଅନ୍ୟ ମତକୁ ସମ୍ମାନ ନଜଣାଇଲେ ନିଜେ ନିଜର ମର୍ଯ୍ୟଦା ହରାଇବ । ତା ସହିତ ସଚେତନ ନାଗରିକମାନେ ମତ ପ୍ରକାଶ କରିବାରେ ସଂକୋଚ ନ କରିବାକୁ ସୌମ୍ୟ ଆହ୍ୱାନ ଦେଇଛନ୍ତି । ସଚେତନ ନାଗରିକମାନେ ମତ ପ୍ରକାଶରେ ସଙ୍କୋଚ କରନ୍ତୁ ନାହିଁ  ।   କେନ୍ଦ୍ରରେ ତିନି ଓଡ଼ଇା ମନ୍ତ୍ରୀଙ୍କ ସଂପର୍କରେ ମତ ରଖିଲେ ସୌମ୍ୟରଞ୍ଜନ     ତିନି ଜଣ ଯାକ ମନ୍ତ୍ରୀ ଅଭିଜ୍ଞ, ଯୋଗ୍ୟତା ସଂପନ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଆସ୍ଥାବାନ  ।  ପ୍ରଧାନମନ୍ତ୍ରୀଙ୍କ ଅସ୍ଥା ପାଇଥିବାରୁ କାମ କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। କିଛିଦିନ ପୂର୍ବେ ସମ୍ପାଦକୀୟ ଲେଖି ଚର୍ଚ୍ଚାକକୁ ଆସିଥିଲେ ସୌମ୍ୟ। ସେଥିରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଥିଲେ। କିନ୍ତୁ ଏହି କଥା କହିବାକୁ ଯାଇ ସୌମ୍ୟ ଗତ କିଛିବର୍ଷ ଧରି ରାଜ୍ୟରେ ବିଶେଷକରି ବିଜେଡି ଓ ସରକାରର ଅନାଲୋଚିତ ଦିଗକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସୌମ୍ୟଙ୍କ ମତରେ ୨୫ ବର୍ଷ ତଳେ ରାଜନୀତିରେ ସମ୍ପୂର୍ଣ୍ଣ ଅପରିଚିତ ନବୀନ ନିରବଚ୍ଛିନ୍ନ ଭାବେ ଓଡ଼ିଶାର ଶାସନ କ୍ଷମତାରେ ରହିବା ଓ ପ୍ରତିଥର ଅଧିକ ଜନସମର୍ଥନ ପାଇବା ନିଶ୍ଚିତ ଭାବେ ସ୍ୱାଧୀନ ଭାରତରେ ଏକ ଅଲୌକିକ ସଫଳତା। ଅନାହାର ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ନବୀନଙ୍କୁ ଜାତୀୟ ଓ ବିଶ୍ୱସ୍ତରରେ ମିଳୁଥିବା ପ୍ରଶଂସା କଥା ଉଲ୍ଲେଖ କରି ସୌମ୍ୟ ସିଧାସଳଖ ରାଜ୍ୟରେ କୋଭିଡଜନିତ ମୃତ୍ୟୁକୁ ନେଇ ପ୍ରଶାସନିକ ସ୍ତରରେ ପରିସଂଖ୍ୟାନର ଖେଳକୁ ଦର୍ଶାଇଛନ୍ତି। ରାଜ୍ୟ ସରକାର କୋଭିଡଜନିତ ମୃତ୍ୟୁକୁ ଲୁଚାଇ ଥିବା ତଥା ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଛି ବୋଲି ସୌମ୍ୟ ଅଭିଯୋଗ କରିବା ସହ କଳେବଳେ କୌଶଳେ ପ୍ରଥମ ହେବାର ନିଶା ଓ ଅତୀତର ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ ବୋଲି କହିଛନ୍ତି। ପ୍ରଶାସନ ଏବେ କାହା ଇଙ୍ଗିତରେ ଚାଲୁଛି ତାହା ରାଜ୍ୟବାସୀ ଜାଣନ୍ତି। କଳେବଳେ କୌଶଳେ ପ୍ରଥମ ହେବାର ନିଶା କଥା କହି ସୌମ୍ୟ ପରୋକ୍ଷରେ ଏଭଳି ଏକ ଦିଗକୁ ଇଙ୍ଗିତ କରିଛନ୍ତି ଯାହା ନବୀନ ସରକାରର ଏପର୍ଯ୍ୟନ୍ତ ସଫଳତାର ପ୍ରମାଣପତ୍ର ଉପରେ କଳାଦାଗ ବି ଲଗାଇ ଦେଇଛି। କେବଳ ସେତିକି ନୁହେଁ, କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ଶ୍ୱେତପତ୍ର ମୁଖ୍ୟମନ୍ତ୍ରୀ ପ୍ରକାଶ କରି ନିଜର ସାହାସିକତାର ପରିଚୟ ଦିଅନ୍ତୁ ବୋଲି ନବୀନଙ୍କୁ ତାଙ୍କ ଦଳର ବିଧାୟକ ସୌମ୍ୟରଞ୍ଜନ ଆହ୍ୱାନ ଦେବା ପରୋକ୍ଷରେ ରାଜ୍ୟ ପ୍ରଶାସନ ଉପରେ ସୌମ୍ୟଙ୍କ ବିଶ୍ୱାସ ନଥିବାକୁ ବି ପ୍ରମାଣିତ କରାଇଛି। ସୌମ୍ୟ ଆହୁରି ମଧ୍ୟ କହିଥିଲେ ଯେ, ନବୀନ କୌଣସି କର୍ମୀ ଓ ସାଧାରଣ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହାତଗଣତି କେତେଜଣ ରାଜନେତା ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି। କରୋନା କଟକଣାରେ ଏହି ହାତଗଣତିଙ୍କ ସଂଖ୍ୟା ଆହୁରି ବି ସୀମିତ ହୋଇଯାଇଛି। ତେଣୁ କରୋନା ତଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେତେ ଅବଗତ ଅଛନ୍ତି ଓ ତାଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚୁଛି କି ନାହିଁ ସେ ନେଇ ମଧ୍ୟ ସୌମ୍ୟ ସନ୍ଦେହ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି। ସେହିପରି ସୌମ୍ୟ ମଧ୍ୟ ରାଜ୍ୟରେ ଗଣମାଧ୍ୟମ କିଭଳି ନିୟନ୍ତ୍ରଣ ହେଉଛି ତାର ଗୁମର ଖୋଲିଛନ୍ତି। ଦଳୀୟକର୍ମୀମାନେ କହିବାର ସୁଯୋଗ ପାଉନାହାନ୍ତି। ଗଣମାଧ୍ୟମର ସତ୍ୟ ଓ ସମାଲୋଚନାକୁ ଶୁଣିବାକୁ ଅଭ୍ୟାସ କଲେ ଜଣେ ଅଧିକ ସ୍ୱଚ୍ଛ ଓ ସାହାସୀ ହୋଇଥାଏ। ଗଣମାଧ୍ୟମ ମୁକ୍ତ ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚି ପାରିବ ବୋଲି ସୌମ୍ୟ ପରୋକ୍ଷରେ କହିଥିଲେ।

ଭାଗ୍ୟ ବଦଳାଇ ପାରିବେ ବୈଷ୍ଣବ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ବଢିଛି ରାଜ୍ୟର ଆଶା । ଏଠାରୁ ହିଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କ କାର୍ଯ୍ୟକାଳରେ ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅଗ୍ରାଧିକାର ପାଇବ ବୋଲି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି । ସେହିପରି ଦେଶର ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କଠାରୁ ବି ବଢ଼ିଛି ରାଜ୍ୟବାସୀଙ୍କ ଆଶା। ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା । କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ।  ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇ ଆସିଛି ସେଥିରେ ଲାଗିବ ବ୍ରେକ୍ । ରେଳମନ୍ତ୍ରୀ ଭାବେ ଅଶ୍ୱିନୀଙ୍କ ପାଇଁ ଯେଉଁସବୁ ଚ୍ୟାଲେଞ୍ଜ୍ ରହିବ ତାମଧ୍ୟରେ ପ୍ରମୁଖ ହେଲା- ସାରା ଓଡ଼ିଶାର ରେଳ ନେଟ୍ଓ୍ୱର୍କକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବା, ଦୀର୍ଘଦିନ ଧରି ଅଧପନ୍ତିରିଆ ଭାବେ ପଡ଼ିଥିବା ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଆଦୌ ରେଳ ଲାଇନ୍ ଦେଖିନଥିବା ଓଡ଼ିଶାର ୬ ଜିଲ୍ଲାକୁ ରେଳ ମ୍ୟାପରେ ଯୋଡ଼ିବା । ସେହିପରି ଖୋର୍ଦ୍ଧା-ବଲାଙ୍ଗିର ଭଳି ଧିମେଇ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅଗ୍ରାଧିକାର ଦେବା, ପାରାଦୀପ-ହରିଦାସପୁର ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା, ତାଛଡ଼ା ପୂର୍ବରୁ ଘୋଷଣା ହୋଇଥିବା ଗଂଜାମ ଜିଲ୍ଲାର ଶୀତଳାପଲ୍ଲୀରେ ରେଲ୍ ଓ୍ୱାଗନ ଫ୍ୟାକ୍ଟ୍ରି, କଳହାଣ୍ଡିରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ ମେଣ୍ଟେନାସ୍ ଓ୍ୱାର୍କସପ୍ ନିର୍ମାଣ ଏବଂ ଭୁବନେଶ୍ୱର ଓ ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବା ଅଶ୍ୱିନୀଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହେବ।  ଅଶ୍ୱିନୀ ନିଜେ ବି ମନ୍ତ୍ରୀ ହେବାପରେ ଓଡ଼ିଶାବାସୀଙ୍କ ସେବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିଲେ।ଅଶ୍ୱିନୀଙ୍କୁ ରେଳ ସହିତ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ମିଳିଛି । ସେସବୁ କ୍ଷେତ୍ରରେ ବି ରାଜ୍ୟକୁ ପ୍ରାଧ୍ୟାନ୍ୟ ମିଳିବ ବୋଲି ଆଶା କରାଯାଉଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା, ଦକ୍ଷତା ବିକାଶ ଓ ପ୍ରାଦ୍ୟୋଗିକୀ ମନ୍ତ୍ରୀ ହୋଇଛନ୍ତି।  ତେଣୁ ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ଫୋକସ୍ କରାଯିବ ବୋଲି ରାଜ୍ୟବାସୀଙ୍କ ଆଶା ବଢ଼ିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଟିଚର୍ସ ଆସୋସିଏସନ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖାଯାଇ ତାଙ୍କ ନେତୃତ୍ୱରେ ବାଣୀବିହାରକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ସେପଟେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ରାଜ୍ୟବାସୀଙ୍କର ତାଙ୍କଠାରୁ ବି ଆଶା ବଢ଼ିଛି ।

ନେତୃତ୍ୱ ସଙ୍କଟ ଦୂର କରିବା ପାଇଁ କଂଗ୍ରେସ କରିବ ଏହି ପ୍ଲାନ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ଦୁର୍ବଳ ବିରୋଧୀ କଂଗ୍ରେସ ଶାସକ ଦଳ ବିଜେପିକୁ ଅଧିକ ମଜବୁତ ହେବାକୁ ସୁଯୋଗ ଦେଇଛି। ଦେଶରେ ମୋଦିରାଜ ଆସିବା ପରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅନ୍ୟପଟେ ଦଳରେ ଥିବା ନେତା ନେତା ମଧ୍ୟରେ କନ୍ଦଳ କଂଗ୍ରେସକୁ କଟା ଘା’ରେ ଚୂନ ସଦୃଶ ହୋଇଛି। ମୋଟାମୋଟି ଭାବରେ ସର୍ବପୁରାତନ ପାର୍ଟିରେ ଏବେ ଚାରିଆଡେ ଛିଦ୍ର। ଏବେ ଛିଦ୍ର ବୁଜି ଆଗକୁ ବଢ଼ିବାକୁ ହେଲେ ଦଳର ଅନେକ ନେତା ଆମୂଳଚୁଳ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ଶୀର୍ଷ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଦିନ ଟ୍ୱିଟ୍ କରି ଶାସକ ଦଳକୁ କାଉଣ୍ଟର କରୁଛନ୍ତି ହେଲେ ଦଳର ଅଧ୍ୟକ୍ଷ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସରେ ଦେଖାଦେଇଛି ନେତୃତ୍ୱ ସଙ୍କଟ। ଏବେ ଏହାର ସମାଧାନ ପାଇଁ କଂଗ୍ରେସ ବର୍ଷେ ହେବ ବିଚାର ବିମର୍ଶ ଚଳେଇଛି। ଏବେ କୋଭିଡ ପାଇଁ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଲଗାଯିବା ପରେ ଏହି ବିଚାର ବିମର୍ଶ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ ଦଳର ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଯେଉଁ ପ୍ରସ୍ତାବ ଉପରେ ବିଚାର ଚାଲିଛି ଆଗାମୀ ଦିନରେ ହେବାକୁ ଥିବା ଏଆଇସିସି ଅଦଳ ବଦଳ ପରେ ଜଣାପଡ଼ିବ। ଏବେ କିନ୍ତୁ ଚର୍ଚ୍ଚା ହେଉଛି ଦଳରେ ଉପାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହେବା ଦରକାର କି? ଏହାର ଅର୍ଥ ବିନା ପୂର୍ଣ୍ଣକାଳୀନ ଅଧ୍ୟକ୍ଷରେ ଜଣେ ନେତାଙ୍କୁ ଦଳ ପ୍ରଭାରୀ ଭାବରେ ନିଯୁକ୍ତ କରିବ। ଯେମିତି ବିଭିନ୍ନ ରାଜ୍ୟରେ କଂଗ୍ରେସ ସଭାପତି ସହିତ ଉପସଭାପତି ନହେଲେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛି। ଉଦାହରଣ ଓଡ଼ିଶା। ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ସଭାପତି ହୋଇଥିବା ବେଳେ ଭକ୍ତ ଚରଣ ଦାସ ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ରହିଛନ୍ତି। କିନ୍ତୁ ଫରକ ଏତିକି ଓଡ଼ିଶାରେ ସଭାପତି ରହିଛନ୍ତି ହେଲେ କେନ୍ଦ୍ର କଂଗ୍ରେସରେ ପୂର୍ଣ୍ଣ ସଭାପତି ବଦଳରେ କାର୍ଯ୍ୟକାରୀ ଅଧ୍ୟକ୍ଷ ନହେଲେ ଉପାଧ୍ୟକ୍ଷ ଉପରେ ବିଚାର କରୁଛି କଂଗ୍ରେସ। ତେଣୁ ଏବେ ଏହି ପଦବୀ ପାଇଁ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କୁ ନେଇ ଦଳର କ୍ଷମତା ଗୋଷ୍ଠୀଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଥିବା ସୂଚନା ରହିଛି। ଯଦି ପ୍ରିୟଙ୍କା ହେଲେ ତା’ହେଲା ତାଙ୍କର ପ୍ରଥମ ପରୀକ୍ଷା ୨୦୨୨ ୟୁପି ବିଧାନସଭା ନିର୍ବାଚନ ହେବ।

କାଉଣ୍ଟି କ୍ରିକେଟରେ ନୂଆ କାରନାମା କଲେ ଅଶ୍ୱିନ୍…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଟିମ୍ ଇଣ୍ଡିଆର ଭେଟେରାନ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ କାଉଣ୍ଟି ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଅଶ୍ୱିନ୍ ପ୍ରଥମ ସ୍ପିନର୍ ଭାବେ ୧୧ ବର୍ଷ ପରେ କୌଣସି କାଉଣ୍ଟି ଚାମ୍ପିୟନଶିପ୍ ମ୍ୟାଚର ପ୍ରଥମ ଓଭର ବୋଲିଂ କରିଛନ୍ତି। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅଶ୍ୱିନ୍ କାଉଣ୍ଟି ଚାମ୍ପିୟନଶିପରେ ସରେ ପକ୍ଷରୁ ଖେଳୁଛନ୍ତି। କାଉଣ୍ଟି ଚାମ୍ପିୟନଶିପରେ ଗ୍ରୁପ୍-୨ରେ ଆଜି ସମରସେଟ୍ ଓ ସରେ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ସମରେଟ୍ କ୍ୟାପଟେନ୍ ଜେମ୍ସ ହିଲଡ୍ରେଥ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାଇଲ୍ ଜେମିସନଙ୍କ ସ୍ଥାନରେ ଖେଳୁଥିବା ଅଶ୍ୱିନ୍ ସରେ ପକ୍ଷରୁ ବୋଲିଂ ଓପନ୍ କରିବାକୁ ଆସିଥିଲେ। ସେ ଆରମ୍ଭରୁ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ ହେଁ ତାଙ୍କୁ ସଫଳତା ମିଳିନଥିଲା। ସମରସେଟ୍ ଇନିଂସର ୪୦ତମ ଓଭରରେ ଅଶ୍ୱିନଙ୍କୁ ୱିକେଟ୍ ମିଳିଥିଲା। ସମରସେଟର ବ୍ୟାଟ୍ସମ୍ୟାନ୍ ଟମ୍ ଲାମୋନବୟଙ୍କୁ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରି ଚଳିତ ସିଜନରେ ନିଜର ପ୍ରଥମ ସଫଳତା ହାସଲ କରିଥିଲେ। ଅତୀତରେ ଅଶ୍ୱିନ୍ ନଟ୍ଟିଂହାମଶାୟର୍ନ ଓ ୱର୍ସେଷ୍ଟରଶାୟର୍ ପକ୍ଷରୁ କାଉଣ୍ଟି ଚାମ୍ପିୟନଶିପ୍ ଖେଳିସାରିଛନ୍ତି। ଚଳିତ ସଂସ୍କରଣରେ ହାସିମ୍ ଆମଲାଙ୍କ ସହ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ସରେ ପକ୍ଷରୁ ଫାଇନାଲ୍ ଗ୍ରୁପ୍-୨ ମ୍ୟାଚ୍ ଖେଳୁଛନ୍ତି। ଆସନ୍ତାମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ। ଇଂଲଣ୍ଡ ମାଟିରେ ଅଶ୍ୱିନ୍ ଭାରତ ପାଇଁ ମୁଖ୍ୟ ଅସ୍ତ୍ର ହୋଇପାରନ୍ତି। ଗତ ମାସରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଅଶ୍ୱିନ୍ ପ୍ରଭାବୀ ପ୍ରଦର୍ଶନ କରିଥିଲେ। କିନ୍ତୁ ଭାରତ ଫାଇନାଲରେ ପରାସ୍ତ ହୋଇଥିଲା। ଚଳିତ ସପ୍ତାହରେ ମଧ୍ୟ ଅଶ୍ୱିନ୍ ୱିମ୍ବଲଡନ୍ ଦେଖିବାକୁ ଯାଇଥିଲେ। କିନ୍ତୁ ଏବେ ସେ କ୍ରିକେଟ୍ ଉପରେ ପୂରା ଫୋକସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆମୀରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍। ଅଭିନୟ ତୁଳନାରେ ସେ କାହାଠାରୁ କମ୍ ନୁହନ୍ତି। ହେଲେ ନିଜ ରିଲି ଏବଂ ରିଅଲ୍ ଲାଇଫକୁ ନେଇ ସେ ସବୁବେଳେ ଥା’ନ୍ତି ଚର୍ଚ୍ଚାରେ। ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଷ୍ଟାର । ଆମୀରଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ। ବଲିଉଡ ଅଭିନେତା ଅମୀର ଖାନ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ ସିଂ ଚଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଆମୀର ଏହାକୁ ଖ୍ରୀଷ୍ଟମାସରେ ରିଲିଜ୍ କରିବାକୁ ଚାହୁଁଛନ୍ତି, ସେଥିପାଇଁ ଅଭିନେତା ଏହାର ସୁଟିଂକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେ ଲଦାଖରେ ସୁଟିଂ କରୁଛନ୍ତି। ଏହି ସମୟରେ ଲଦାଖରେ ସୁଟିଂ ସମୟରେ ଆମୀର ଏବଂ ତାଙ୍କ ଟିମ୍ ଉପରେ ପ୍ରଦୂଷଣ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏଥିପାଇଁ ତାଙ୍କୁ ତାଗିଦ ମଧ୍ୟ କରାଯାଇଛି। ନିକଟରେ ଜଣେ ୟୁଜର୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଜଣା ପଡିଛି ଯେ ଲଦାଖର ୱାଖା ଗାଁଟି ବିଶେଷ ଭାବେ ପ୍ରଦୂଷିତ ହୋଇଛି। ଆମୀରଙ୍କ ଟିମ୍ ସବୁଆଡେ ଅଳିଆ ପକାଇଛନ୍ତି। ଭିଡିଓ ପୋଷ୍ଟ କରି ଏହାର କ୍ୟାପସନରେ ଲେଖାଯାଇଛି, ‘ଏହା ବଲିଉଡ ଷ୍ଟାର ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡା’ ପାଇଁ ଲଦାଖର ୱାଖା ଗ୍ରାମବାସୀଙ୍କୁ ଉପହାର। ଅମୀର ଖାନ ନିଜେ ସତ୍ୟମେବ ଜୟତେରେ ପରିବେଶ ସଫା କରିବା ବିଷୟରେ କହିଥିଲେ, କିନ୍ତୁ ଏବେ ନିଜ ଉପରକୁ ଆସିଲା ବେଳକୁ ତାହା ହିଁ ଘଟେ। ଆମୀରଙ୍କ ଟିମର ଏଭଳି କାର୍ଯ୍ୟକଳାପ ଦେଖି ସେଠାକାର ଲୋକେ ବିଶେଷ ରୂପେ ନିରାଶ ହୋଇଛନ୍ତି।’ ଫିଲ୍ମ ‘ଲାଲ ସିଂ ଚଡା’ ଚଳିତ ବର୍ଷ ଡିସେମ୍ବରରେ ରିଲିଜ ହେବାର ଯୋଜନା ରହିଛି। ଏଥିରେ ଆମୀରଙ୍କ ବ୍ୟତୀତ କରୀନା କପୁର ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଦୈତ ଚନ୍ଦନ।

“ମୋ ମୃତ୍ୟୁ ପାଇଁ ଦୁଃଖ କରିବନି, ମୁଁ ବଞ୍ଚିଛି ମରିବା ପାଇଁ‘’….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)-‘ମୋ ମୃତ୍ୟୁରେ ଦୁଃଖ କରିବନି। ମୁଁ ନିଜେ ଏହି ଜୀବନ ବାଛିଛି। ମୁଁ ବଞ୍ଚିଛି କେବଳ ମରିବା ପାଇଁ। ମୋ ନାଁ ସିପାହୀ।’ କିଛି ଏଭଳି ସଂଳାପ କହିଛନ୍ତି ବଲିଉଡର ସିଂଘମ ଅଜୟ ଦେବଗନ। ଏହି ଦମଦାର ଡାଏଲଗ ସହ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୁଜ’ର ଟ୍ରେଲର। ଦେଶ ଭକ୍ତିରେ ପରିପୂର୍ଣ୍ଣ ଅଜୟଙ୍କ ଏହି ଫିଲ୍ମର ଟ୍ରେଲରରେ ରହିଛି ଜବରଦସ୍ତ ଆକ୍ସନ । ପୁଣି ଥରେ ସୈନିକ ଭୂମିକାରେ ନଜର ଆସିଛନ୍ତି ଅଜୟ।bhuj-film-trailer

ଜବରଦସ୍ତ ଆକ୍ସନ ସହ ଆରମ୍ଭ ହୋଇଥିବା ଏହି ଟ୍ରେଲରକୁ ଦେଖିଲେ ଶେଷ ଯାଏଁ ଆଖି ପଲକ ପକାଇବାକୁ ବି ମନ ହେବନି। ଏଥିରେ ଦେଶଭକ୍ତିରେ ଭର୍ତ୍ତି ସଂଳାପ ଗୁଡ଼ିକୁ ଶୁଣିଲେ ଯେକୌଣସି ଭାରତୀୟଙ୍କ ରକ୍ତ ତାତି ଯିବ। ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହି ଓ ସରଦ କେଲକର ପ୍ରମୁଖ ନଜର ଆସିବେ। ଅଭିଷେକ ଦୁଧଇୟାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ଜଣେ ସୈନିକର ଜୀବନୀ ଏବଂ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ଆସନ୍ତା ଅଗଷ୍ଟ ୧୩ ତାରିଖରେ ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମ ଡିଜନୀ ହଟ୍‌ଷ୍ଟାର୍‌ରେ ରିଲିଜ୍‌ କରାଯିବ।

କାହିଁକି ୪ ବର୍ଷ ଧରି ନିଜ ବାହାଘର କଥା ଲୁଚାଇଥିଲେ ଅର୍ଚ୍ଚନା…..?

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍‌ରେ ସିକ୍ରେଟ୍‌ ମ୍ୟାରେଜ୍‌ ବା ଲୁଚାଛପା ବାହାଘର କିଛି ନୂଆ କଥା ନୁହେଁ। ଏମିତି ଅନେକ ବଲିଉଡ୍‌ ସେଲେବ୍ରିଟି ଅଛନ୍ତି, ଯେଉଁମାନେ ଲୁଚିଲୁଚି ବାହା ହୋଇଥିଲେ। ଅର୍ଥାତ୍ ସେମାନଙ୍କ ବାହାଘର ସଂପର୍କରେ କେହି ଟେର୍‌ ପାଇ ନଥିଲେ। ଆଉ ଏମିତି ଏକ ଷ୍ଟାର କପଲ୍ ହେଉଛନ୍ତି ଅର୍ଚ୍ଚନା ପୂରନ୍ ସିଂହ ଓ ପରମୀତ ସେଠୀ। ଏ ଦୁହିଁଙ୍କ ବାହାଘର ସଂପର୍କରେ ବଲିଉଡ୍‌ର ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ପାଖରେ ବି ସୂଚନା ନଥିଲା। ଅର୍ଚ୍ଚନା ଓ ପରମୀତ୍ ୪ ବର୍ଷ ଧରି ସେମାନଙ୍କ ବାହାଘର ବିଷୟରେ କାହାକୁ କହି ନଥିଲେ। ସେମାନେ ଏହାକୁ ସଂପୂର୍ଣ୍ଣ ଗୁପ୍ତ ରଖିଥିଲେ। ତେବେ କାହିଁକି? ନିକଟରେ ଏକ ୱେବ୍‌ ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଅର୍ଚ୍ଚନା ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ ଯେ ସେ ସମୟରେ ଇଣ୍ଡଷ୍ଟ୍ରୀରେ ଗୋଟେ ସାଧାରଣ ଧାରଣା ଥିଲା ଯେ ଅଭିନେତ୍ରୀମାନେ ବାହା ହୋଇଗଲା ପରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଯାଏ। କାମ ପ୍ରତି ସେମାନଙ୍କର ସମର୍ପଣ ଭାବ ରହେ ନାହିଁ।

Parmeet Sethi

ସେମାନେ ଅଧିକ କାମ କରିପାରନ୍ତି ନାହିଁ। ଏମିତିକି ସେମାନେ ଫିଲ୍ମ ଅଧାରୁ ଚୁକ୍ତି ଭାଙ୍ଗି ଚାଲି ଯାଇପାରନ୍ତି ବୋଲି ନିର୍ମାତା ଓ ନିର୍ଦ୍ଦେଶକମାନେ ଆଶଙ୍କା କରୁଥିଲେ। ସେତେବେଳେ ଇଣ୍ଡଷ୍ଟ୍ରୀରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଗାଇଡ୍‌ଲାଇନ୍‌ ରହୁଥିଲା। ସେଥିପାଇଁ ପରମୀତ୍ ଓ ସେ ସେମାନଙ୍କ ବିବାହକୁ ସିକ୍ରେଟ୍‌ ରଖିଥିଲେ। ଅର୍ଚ୍ଚନା ଆହୁରି କହିଥିଲେ, ମୋ କ୍ୟାରିୟରକୁ ଗୁରୁତ୍ୱ ଦେଇ ପରମୀତ୍ ସେତେବେଳେ ବିବାହ କରିବାକୁ ଚାହୁଁ ନଥିଲେ। କିନ୍ତୁ ପରେ ଆମେ ବାହା ହେବାକୁ ନିଷ୍ପତ୍ତି ନେଲୁ ଓ ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ ବ୍ୟାପାର କରି ରଖିଲୁ। ବିବାହ ସଂପର୍କରେ ଆମେ କାହାକୁ ଜଣାଇଲୁ ନାହିଁ। ସୂଚନାଯୋଗ୍ୟ, ବଲିଉଡ୍‌ ଫିଲ୍ମରେ ଅର୍ଚ୍ଚନା ସାଧାରଣତଃ କମେଡି ରୋଲ୍‌ରେ ଅଭିନୟ କରନ୍ତି। ଏହା ସହିତ ତାଙ୍କୁ ବିଭିନ୍ନ ଟେଲିଭିଜନ ଶୋ’ରେ ଜଜ୍‌ ଚୌକିରେ ଦେଖିବାକୁ ମିଳେ।

ସିଲ୍‌ ହେଲା ଅନ୍ନାଙ୍କ ବିଲ୍ଡିଂ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ସିଲ୍‌ ହେଲା ବଲିଉଡର ଅନ୍ନା ତଥା ସୁନୀଲ ସେଟ୍ଟିଙ୍କ ବିଲ୍ଡିଂ। ସୁନୀଲଙ୍କ ବିଲ୍ଡିଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା କାରଣରୁ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି। ହେଲେ ସୁନୀଲଙ୍କ ପରିବାରର କେହି ବି ମହାମାରୀ ଦ୍ୱାରା କବଳିତ ହୋଇ ନ ଥିବା ଜଣାଯାଇଛି। ମୁମ୍ବାଇର ଅଲଟାମାଉଣ୍ଟ ରୋଡ଼ସ୍ଥିତ ପୃଥ୍ୱୀ ଆପାଟମେଣ୍ଟକୁ ସିଲ୍‌ କରି ଦିଆଯାଇଛି। ଏହି ବିଲ୍ଡିଂରେ ସୁନୀଲ ସେଟ୍ଟି ନିଜ ପରିବାର ସହ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ଏହି ବିଲ୍ଡିଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା କାରଣରୁ ଏପରି ପଦକ୍ଷେପ ନେଇଛି ବିଏମ୍‌ସି। ଗୋଟିଏ ବିଲ୍ଡିଂରେ ୫ କରୋନା ମାମଲା ସାମନାକୁ ଆସିଲେ ତାହାକୁ ତୁରନ୍ତ ସିଲ୍‌ କରୁଛି ବିମ୍‌ସି। କିନ୍ତୁ ଏହି ବିଲ୍ଡିଂରେ ରହୁଥିବା ସୁନୀଲ ସେଟ୍ଟିଙ୍କ ପରିବାରର କେହି ଆକ୍ରାନ୍ତ ହୋଇ ନାହାନ୍ତି। ପରିବାର ସହ ସୁନୀଲ ଏବେ ମୁମ୍ବାଇ ବାହାରେ ଅଛନ୍ତି। ୧୨୦ ଫ୍ଲାଲ୍ଟ ବିଶିଷ୍ଟ ବିଲ୍ଡିଂକୁ ସିଲ୍‌ କରାଯାଇଥିବା ଖବର ସମ୍ପର୍କରେ ମୁମ୍ବାଇର ଡି ୱାର୍ଡର ଆସିଷ୍ଟାଣ୍ଟ କମିଶନର ପ୍ରଶାନ୍ତ ଗାୟକୱାଡ ଜଣାଇଛନ୍ତି। କେବଳ ଏହି ଗୋଟିଏ ବିଲ୍ଡିଂ ନୁହେଁ ମୁମ୍ବାଇ ଡି ୱାର୍ଡର ୧୦ ଜାଗାକୁ ସଂକ୍ରମଣ କାରଣରୁ ସିଲ୍‌ କରି ଦିଆଯାଇ ଯାଇଛି। ସୁନୀଲଙ୍କ ପରିବାର ଏବେ ମୁମ୍ବାଇ ବାହାରେ ଅଛନ୍ତି।  ବିଏମ୍‌ସି ଏହି ଆପାର୍ଟମେଣ୍ଟର କିଛି ଫ୍ଲୋରକୁ ସିଲ୍‌ କରିଦେଇଥିବା କହିଛନ୍ତି ସୁନୀଲଙ୍କ ପ୍ରବକ୍ତା। କରୋନାର ଦ୍ୱିତୀୟ ଲହର କୋପ ଦୀର୍ଘ ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ଲାଗି ରହିବା ପରେ କିଛି ଦିନୁ ପୂର୍ବେ ଏହା କମିଥିଲା। ଏବେ ପୁଣି ଥରେ ସଂକ୍ରମଣ ମାମଲା ସହରରେ ବଢ଼ିବାରେ ଲାଗିଥିବାରୁ ପୁଣି ଥରେ ଆକ୍ସନ ମୁଡ଼କୁ ଆସିଯାଇଛି ବିଏମ୍‌ସି ।

୧୩ ଜୁଲାଇ, ମଙ୍ଗଳବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ।

ମିଥୁନ: କର୍ମକ୍ଷେତ୍ରରେ ଦିନଟି ବେଶ୍ ଭଲ ରହିବ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ।

କର୍କଟ: ଆତ୍ମବିଶ୍ୱାସ ହ୍ରାସ ପାଇବ। ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ। ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ।

ସିଂହ: ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହୋଇଯିବ।

କନ୍ୟା: ସନ୍ତାନଙ୍କୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ। ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ବହୁଦିନର ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଚିନ୍ତା କରୁଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଅସୁସ୍ଥ ଅନୁଭବ କରିବେ।

ବିଛା: କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କ କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ଧନୁ: ଧନ ଲାଭ ହେବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ସହଜରେ ସବୁ କାମ ହୋଇ ନପାରେ। ଗାଡ଼ିରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ବଡ଼ ଡିଲ୍ କରିପାରନ୍ତି। ବକେୟା ଅର୍ଥକୁ ନେଇ ବିବାଦ ହୋଇପାରେ।

ମୀନ: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ବିବାଦ ଦେଖାଦେବ।