ଲୋକାୟୁକ୍ତରେ ମାମଲା: ୩.୨୭ ଲକ୍ଷ ଟଙ୍କା ଫେରାଇଲେ ଆଇଏଏସ୍ ବିଷ୍ଣୁପଦ ସେଠୀ…..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ନିଜ ପତ୍ନୀ ଓ ପିତାଙ୍କ ଚିକିତ୍ସା ପାଇଁ ନେଇଥିବା ଅର୍ଥକୁ ରାଜସ୍ୱ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ ଫେରସ୍ତ କରିଛନ୍ତି। ଲୋକାୟୁକ୍ତରେ ମାମଲା ପରେ ଶ୍ରୀ ସେଠୀ ଗତ ଜୁନ୍ ୨୫ତାରିଖରେ ୩ଟି ଚେକରେ ମୋଟ ୩.୨୭ଲକ୍ଷ ଟଙ୍କାର ମେଡିକାଲ ବିଲ୍ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଫେରସ୍ତ କରିଥିବାରୁ ଲୋକାୟୁକ୍ତ ଆଜି ଏହି ମାମଲାକୁ ବନ୍ଦ କରିଛନ୍ତି । ସୂଚନାକର୍ମୀ ଶ୍ରୀକାନ୍ତ ପକାଳ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଆଜି ଆଇଏଏସ୍ ଶ୍ରୀ ସେଠୀଙ୍କ ବିରୁଦ୍ଧରେ ଥିବା ମାମଲାକୁ ମଧ୍ୟ ବନ୍ଦ କରିଛନ୍ତି। ଶ୍ରୀ ସେଠୀ ୨୦୧୩ ଫେବୃୟାରୀ ୬ରୁ ୨୦୧୫ ଜୁଲାଇ ୨୮ତାରିଖ ମଧ୍ୟରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ୩ଟି କିସ୍ତିରେ ନିଜ ପିତା ଭଜହରି ସେଠୀ ଓ ପତ୍ନୀ ବୈଶାଳୀ ସେଠୀଙ୍କ ଚିକିତ୍ସା ପାଇଁ ୩.୨୭ଲକ୍ଷ ଟଙ୍କା ବ୍ୟାଙ୍କରୁ ନେଇଥିଲେ। ରାଜ୍ୟ ସରକାରଙ୍କ ଅନୁମତି ପରେ ସେହି ଅର୍ଥ ତାଙ୍କୁ ବ୍ୟାଙ୍କରୁ ମିଳିଥିଲା। ତେବେ ଶ୍ରୀ ସେଠୀ ଯେଉଁ ସମୟରେ ଏହି ଚିକିତ୍ସା ଅର୍ଥ ନେଇଥିଲେ ସେତେବେଳେ ସେ ସମବାୟ ବିଭାଗର ସଚିବ ଥିବାରୁ ତାଙ୍କର କ୍ଷମତା ଉପରେ ସୂଚନାକର୍ମୀ ଶ୍ରୀ ପକାଳ ପ୍ରଶ୍ନ ଉଠାଇ ନିଜ ପଦର ଦୁରୂପଯୋଗ କରି ବେଆଇନ ଭାବେ ମେଡିକାଲ ବିଲ୍ ନେଇଥିବା ଅଭିଯୋଗ ଆଣିଥିଲେ। ଶ୍ରୀ ପକାଳ ଏନେଇ ଲୋକାୟୁକ୍ତରେ ମାମଲା ମଧ୍ୟ ରୁଜୁ କରିଥିଲେ। ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରିବା ସହ ତଦନ୍ତ ମଧ୍ୟ କରାଇଥିଲେ। ଡାଇରେକ୍ଟର ଅଫ ଇନକ୍ୱାରି ମାଧ୍ୟମରେ ଶ୍ରୀ ସେଠୀଙ୍କ ବିରୁଦ୍ଧରେ ଏହି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରାଇଥିଲେ। ତେବେ ତଦନ୍ତ ପରେ ଶ୍ରୀ ସେଠୀ ୨୦୨୧ ଜୁନ୍ ୨୫ତାରିଖରେ ମୋଟ ୩.୨୭ଲକ୍ଷ ଟଙ୍କାକୁ ୩ଟି ଚେକ୍ ମାଧ୍ୟମରେ ବ୍ୟାଙ୍କକୁ ଫେରସ୍ତ କରିଛନ୍ତି। ଯେହେତୁ ଶ୍ରୀ ସେଠୀ ସହୃଦୟତା ଦେଖାଇ ଏହି ଅର୍ଥ ଫେରସ୍ତ କରିସାରିଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ରହିଥିବା ଅଭିଯୋଗକୁ ମଧ୍ୟ ବନ୍ଦ କରାଗଲା ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ସିଂ ତାଙ୍କ ରାୟରେ କହିଛନ୍ତି।

ତୈଳଦର ବୃଦ୍ଧି: ଅଭିନବ ପ୍ରତିବାଦ ଜଣାଇଲା ଯୁବ କଂଗ୍ରେସ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଦେଶରେ ପେଟ୍ରୋଲ,ଡିଜେଲ୍ ସମେତ ପେଟ୍ରୋଲିୟମ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ବରମୁଣ୍ଡା ବସ୍ ଷ୍ଟାଣ୍ଡ ଛକରେ ପହଂଚିଥିଲା। ଏକ ମୋଟର ସାଇକେଲକୁ ମର ଶରୀର ଭାବେ ସଜେଇ ଏବଂ ଏହାକୁ କୋକେଇରେ ରଖି ପରିକ୍ରମା କରାଯାଇଥିଲା। ପରେ ମୋଟର ସାଇକେଲକୁ ପୋଡ଼ି ଦିଆଯାଇଥିଲା। ଏବେ ସମଗ୍ର ଦେଶ କରୋନା କବଳରୁ ମୁକ୍ତ ହୋଇ ନଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି କରିଛନ୍ତି। ଏହାସହିତ ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ଘଟିଛି। ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ନେତା ରିତୁଲ ମହାରଣାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଥିବାବେଳେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କ ସ୍ୱାର୍ଥକୁ ଭୁଲି ସରକାର ଟିକସ ଆଳରେ ଦଳୀୟ ପାଣ୍ଠିକୁ ମଜଭୁତ କରୁଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ସେଂଚୁରି ଅତିକ୍ରମ କରି ସାରିଛି। ଡିଜେଲ ଦର ମଧ୍ୟ ଶତକ କଲାଣି। ଏପରିସ୍ଥିତିରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ସରକାର ମଧ୍ୟ ଭ୍ୟାଟ୍ ନକମାଇ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେଣୁ ଉଭୟ କେନ୍ଦ୍ରରେ ଥିବା ମୋଦି ସରକାର ଏବଂ ରାଜ୍ୟରେ ଥିବା ନବୀନ ସରକାର ଜନବିରୋଧୀ। ନିକଟରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ସରିଛି। ଆଗରୁ ପେଟ୍ରୋଲିୟମ୍ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ଲୋକଲୋଚନକୁ ଆସିଛି। ଏବେ ନୂଆ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ କ’ଣ କରୁଛନ୍ତି ତାହା ଦେଖିବା ବାକି ରହିଲା ବୋଲି ସେ କହିଛନ୍ତି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ, ଆଶୁତୋଷ ଲେଙ୍କାଙ୍କ ସହ ବହୁ ଯୁବ କଂଗ୍ରେସ ନେତା ଯୋଗ ଦେଇଥିଲେ।

ପିଏମ୍ ଆବାସରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି, ବିଜେପିର ରାଜ୍ୟବ୍ୟାପୀ ଘେରାଉ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରି ବିଜେପି ଆଜି ରାଜ୍ୟବ୍ୟାପୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି। ଏହାସହିତ ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି କହିଛି। ପିଏମ ଆବାସ ଯୋଜନାରେ ଦୁର୍ନୀତି ଓ ଗରିବ ଲୋକଙ୍କୁ ପକ୍କାଘର ମିଳୁନଥିବା ପ୍ରତିବାଦରେ ଆଜି ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକରେ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦଳର କର୍ମୀ ଓ ନେତାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ରାଜ୍ୟର ବିଜେଡି ସରକାରର କୋଟି କୋଟି ଟଙ୍କାର ଦୁର୍ନୀତି ଓ ଦଳୀୟ ଭିତ୍ତିରେ ପକ୍କାଘର ବଣ୍ଟନ ନୀତିକୁ ଦୃଢ଼ ନିନ୍ଦା କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ୫ଟି ଜିଲ୍ଲାର ୯ଟି ବ୍ଲକର ସର୍ଭେରୁ ରାଜ୍ୟ ସରକାର ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା କରି ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତି କରିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସଗୃହ ଆବଂଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟରେ ରାଜ୍ୟ ସରକାରଙ୍କ ମହାଦୁର୍ନୀତିକୁ ପର୍ଦ୍ଦାଫାଶ କରିଛନ୍ତି। ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ପିଏମ୍ ଆବାସ ଯୋଜନାରେ ବରଗଡ଼, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି। ରାଜ୍ୟ ସରକାର ପକ୍କା ଘର ବଂଟନରେ ଦୁର୍ନୀତି କରିବା ସହ ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ପାତରଅନ୍ତର କରିଛନ୍ତି। ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ। କଟକ ଜିଲ୍ଲାର କଟକ ସଦରରେ ଦିଲୀପ ମଲ୍ଲିକ ଓ ଋଷିକେଷ ଜେନା, ବଡମ୍ବାରେ ବିଜୟ ଦଳବେହେରା; ଜଗତସିଂହପୁର ଜିଲ୍ଲାର ନାଉଗାଁରେ ସତ୍ୟବ୍ରତ ମହାପାତ୍ର ଓ ପ୍ରତାପ ମିଶ୍ର, ବାଲିକୁଦାରେ ଶିବବ୍ରତ ଦାସ, ଭୋଜ ମହାନ୍ତି, କୁଜଙ୍ଗରେ ବିଭୁ ପ୍ରସାଦ ତରାଇ; କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡ଼ାରେ ସୁନାକର ବେହେରା, ଡେରାବିଶରେ କିଶୋର ପଣ୍ଡା, ମାର୍ଶାଘାଇରେ ବିଜୟ ପ୍ରଧାନ, ରାଜନଗରରେ ଅଲେଖ ଜେନା, ରାଜକନିକାରେ ଦୋଳଗୋବିନ୍ଦ ନାଏକ ସମେତ ରାଜ୍ୟର ସମସ୍ତ ବ୍ଲକରେ ବିଜେପି ନେତାମାନଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ସ୍ମାରକପତ୍ର ଦିଆଯାଇଛି। ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ। ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହିତ ପିଏମ ଆବାସ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

‘ଯଦି ଧୋନି ନ ଖେଳିବେ, ତାହେଲେ ମୁଁ ବି ଖେଳିବିନି’….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ଏହି ନୂଆ ସିଜନରେ ଫ୍ୟାନ୍ ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ଚାହିଁବେ। ହେଲେ ଯଦି ଧୋନି ଚଳିତ ବର୍ଷ ଆଇପିଏଲରୁ ସନ୍ନ୍ୟାସ ନେବେ, ତାହେଲେ ଏହାର ସିଧାସଳଖ ପ୍ରଭାବ ଆଉ ଜଣଙ୍କ ଉପରେ ପଡ଼ିବ। ସେହି ଖେଳାଳି ଜଣକ ହେଉଛନ୍ତି ଧୋନିଙ୍କ ଟିମ୍ ମେଟ୍ ସୁରେଶ ରାଇନା। ଧୋନି ଯଦି ପରବର୍ତ୍ତୀ ସଂସ୍କରଣରେ ନଖେଳିବେ, ତାହେଲେ ରାଇନା ମଧ୍ୟ ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି କହିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ସାକ୍ଷାତକାରରେ ରାଇନା କହିଛନ୍ତି, ‘ମୋ ପାଖରେ ଆହୁରି ଚାରି ପାଞ୍ଚ ବର୍ଷ ରହିଛି। ଚଳିତ ବର୍ଷ ଆମେ ଆଇପିଏଲ୍ ଖେଳୁଛୁ ଏବଂ ଆସନ୍ତା ବର୍ଷଠାରୁ ଆଉ ଦୁଇ ଟିମ୍ ଭାଗ ନେବେ। ମୋତେ ଲାଗୁଛି ମୁଁ ଯେ ପର୍ଯ୍ୟନ୍ତ ଖେଳିବି, କେବଳ ସିଏସକେ ପକ୍ଷରୁ ଖେଳିବି। ଏଥର ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବୁ ବୋଲି ମୋର ଆଶା।’ ଗତ ବର୍ଷ ୟୁଏଇରେ ଆମର ପ୍ରଦର୍ଶନ ଭଲ ରହିନଥିଲା ଏବଂ ଟିମ୍ ପ୍ରଥମଥର ପ୍ଲେଅଫ୍ ପହଞ୍ଚିପାରିନଥିଲା।

ରାଇନା କହିଛନ୍ତି,‘ଯଦି ଧୋନି ଭାଇ ପରବର୍ତ୍ତୀ ସିଜନରେ ନଖେଳିବେ, ତାହେଲେ ମୁଁ ବି ଖେଳିବି ନାହିଁ। ଆମେ ୨୦୦୮ରୁ ଏକାଠି ସିଏସକେ ପକ୍ଷରୁ ଖେଳିଆସୁଛୁ। ଯଦି ଏଥର ଆମେ ଜିତିଲୁ, ତାହେଲେ ପରବର୍ତ୍ତୀ ସିଜନ୍ ଖେଳିବା ପାଇଁ ମୁଁ ତାଙ୍କୁ କହିବି। ଧୋନି ଭାଇ କିପରି ଆଇପିଏଲର ପରବର୍ତ୍ତୀ ସିଜନ୍ ଖେଳିବେ, ଏଥିପାଇଁ ମୁଁ ପ୍ରୟାସ କରିବି।’ ରାଇନା କହିଛନ୍ତି, ‘ଯଦି ଧୋନି ଭାଇ ନଖେଳନ୍ତି, ତାହେଲେ ମୁଁ ଆଉ କେଉଁ ଟିମ୍ ପକ୍ଷରୁ ଖେଳିପାରିବି ବୋଲି ଲାଗୁ ନାହିଁ।’ ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗସ୍ ତିନିଥର ଆଇପିଏଲ୍ ଟ୍ରଫି ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟାଇଟଲ୍ ଜିତିଛି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସବା କରିମ୍ କହିଛନ୍ତି ଯେ ବିସିସିଆଇ ଏମଏସ୍ ଧୋନିଙ୍କ ଜର୍ସିକୁ ରିଟାୟର୍ କରିଦେବା ଦରକାର। କେବଳ ଧୋନିଙ୍କ ନୁହେଁ, ବାକି ଅନ୍ୟ ମହାନ ଖେଳାଳିଙ୍କ ଜର୍ସିକୁ ମଧ୍ୟ ଯତ୍ନର ସହକାରେ ରଖିବା ଦରକାର।

ମୀରାଙ୍କୁ ମହଙ୍ଗା ପଡ଼ିଲା ଅନ୍‌ଲାଇନ୍ ସପିଂ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଚକୋଲେଟ୍ ବୟ ସାହିଦ୍ କପୁରଙ୍କ ପିତ୍ନୀ ମୀରା ରାଜପୁତଙ୍କୁ ମହଙ୍ଗା ପଡିଛି ଅନ୍‌ଲାଇନ୍ ସପିଂ। ତାଙ୍କର ଘରେ ବସି ଅନ୍‌ଲାଇନ୍‌ରେ ସପିଂ କରିବା ନିଶା ପୂରା ଉତୁରିଯାଇଛି। ସେ ଅନ୍‌ଲାଇନ୍ ଠକେଇରେ ଶିକାର ହୋଇଛନ୍ତି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ସେଆର କରି ସୂଚନା ଦେଇଛନ୍ତି। ମୀରା ଅନଲାଇନରେ ଏକ ଫୋନ୍ କଭର୍ ମଗାଇଥିଲେ, ଏହି କଭର ବଦଳରେ ସେ ଠକାମୀର ଶିକାର ହୋଇଛନ୍ତି। ମୀରା କହିଛନ୍ତି, ସେ ଏକ ସ୍ଲିଙ୍ଗ୍ କଭର ମଗାଇଥିଲେ। କାରଣ ଏହା ତାଙ୍କୁ ୱାର୍କ ଆଉଟ୍ ସମୟରେ ସାହାଯ୍ୟ କରିବ। ସେ ଏକ ବିଜ୍ଞାପନର ପ୍ରଲୋଭନରେ ଆସି ଫୋନ କଭର ମଗାଇଥିଲେ। ତେବେ ଘରକୁ ଆସିବା ପରେ ଏହି ଫୋନ୍ କବରଟି ଯାହା ଡିସ୍‌ପ୍ଲେ ଫଟୋରେ ଦେଖା ଯାଉଥିଲା ତାହା ନୁହେଁ ବୋଲି ଜଣାପଡିଥିଲା। ତାଙ୍କୁ ଏକ ସ୍ଲିମ୍ କଭର ଦରକାର ଥିଲା ଯାହାକୁ ବିନା ବ୍ୟାଗରେ ଯେକୌଣସି ସ୍ଥାନକୁ ଧରି ଯାଇ ପାରିବେ।

Mira

ସେ ଅନ୍ୟ ଏକ ଫଟୋ ସେଆର କରି କହିଛନ୍ତି, ଫୋନକୁ ଏଭଳି ନେଇକି ଯିବା ଅସୁରକ୍ଷିତ। ଏହି କଭରଟି ପୂରାପୁରି ଡ୍ୟାମେଜ ପିସ। ଯଦି ଏହି କଭରରେ ଫୋନ୍‌କୁ ରଖାଯାଏ ତେବେ ଏହା ଯେକୌଣସି ମୁହୂର୍ତ୍ତରେ ବି ତଳେ ପଡିଯାଇପାରେ। ବହୁ ବର୍ଷ ପରେ ସେ ଏଭଳି ଠକାମୀର ଶିକାର ହୋଇଥିବା ନେଇ ମୀରା କହିଛନ୍ତି। ସୂଚନା ମୁତାବକ, ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରରେ ରୁହନ୍ତି, କିନ୍ତୁ ସେ ସବୁବେଳେ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମୀରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ତାଙ୍କର ଫ୍ୟାନ ଫଲୋୟର୍ସ କେଉଁ ଷ୍ଟାରଙ୍କ ଠାରୁ କମ୍ ନୁହେଁ।

ସଲମାନ ଖାନ୍‌ଙ୍କୁ ସମନ୍‌…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ ପୁଲିସ ପଚରାଉଚରା ପାଇଁ ସଲମାନ, ଅଲିଭିରା ଏବଂ ଅନ୍ୟ ୫ ଜଣଙ୍କୁ ସମନ୍ ପଠାଇଛି। ଏହି ୫ ଜଣଙ୍କ ଭିତରେ ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ ଥିବା ନେଇ ପୁଲିସ ଗୁରୁବାର ସୂଚନା ଦେଇଛି। ବ୍ୟବସାୟୀଙ୍କ ଅଭିଯୋଗ ମୁତାବକ, ସେ ୨୦୧୮ରେ ୨-୩ କୋଟି ଟଙ୍କା ଖର୍ଚ୍ଚ କରି ‘ବିଙ୍ଗ୍ ହ୍ୟୁମାନ ଜୁଏଲାରୀ’ ଷ୍ଟୋର ଆରମ୍ଭ କରିଥିଲେ। ତାଙ୍କୁ ଭରସା ଦିଆଯାଇଥିଲା ଯେ, ତାଙ୍କୁ ସବୁ ପ୍ରକାରର ସମର୍ଥନ ଦିଆଯିବା ସହ ବ୍ରାଣ୍ଡକୁ ପ୍ରମୋଟ୍ କରାଯିବ। ତେବେ ନା ପ୍ରମୋସନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲା ନା ଷ୍ଟୋର ପାଇଁ ସାମଗ୍ରୀ ଯୋଗାଇ ଦିଆଗଲା ବୋଲି ଗୁପ୍ତା କହିଛନ୍ତି।

Salman-Khan
                                             ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି।

ସଲମାନ ଖାନ ବ୍ରାଣ୍ଡକୁ ପ୍ରମୋଟ୍ କରିବେ ବୋଲି ତାଙ୍କୁ ଭରସା ଦିଆଯାଇଥିଲା। ମାତ୍ର ସେମିତି କିଛି ହେଲା ନାହିଁ। କମ୍ପାନୀର ଅଧିକାରୀଙ୍କ ସହ ଅନେକ ଥର ଯୋଗାଯୋଗ କରାଗଲା, ହେଲେ କିଛି ଫାଇଦା ହେଲା ନାହିଁ। ଯେଉଁ ଷ୍ଟୋରରୁ ସେ ଷ୍ଟୋକ ନେଉଥିଲେ ତାହା ୨୦୨୦ ଫେବୃଆରୀରୁ ବନ୍ଦ ପଡିଛି ବୋଲି ଦାବି କରିଛନ୍ତି। ଶୋରୁମର ଉଦ୍‌ଘାଟନ ପାଇଁ ସଲମାନ ଖାନ ଆସିବେ ବୋଲି ତାଙ୍କୁ କୁହାଯାଇଥିଲା କିନ୍ତୁ ତାଙ୍କ ଭିଣୋଇ ଆୟୁଷ ଶର୍ମା ଆସିଲେ। ତେଣୁ ଅଳଙ୍କାର ବ୍ୟବସାୟୀ ଅରୁଣ ଗୁପ୍ତା ଏହି କେସ୍‌ରେ ସଲମାନ ଏବଂ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

୧୦ ଜୁଲାଇ, ଶନିବାର – ରାଶିଫଳ ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପାରିବାରିକ ଜୀବନ ଭଲରେ କଟିବ ।

ବୃଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ଉନ୍ନତି ଘଟିବ ।

ମିଥୁନ: ଶୁଭ ସମାଚାର ମିଳିବ। ନିଜ ଦକ୍ଷତା ପ୍ରତିପାଦନ କରିବାକୁ ସୁଯୋଗ ମିଳିବ। ପରିବାର ଲୋକଙ୍କ ସହ ସମୟ କାଟିବେ ।

କର୍କଟ: ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଘରର ବାତାବରଣ ଭଲ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ ।

ସିଂହ: ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି କରିବା ସହିତ ଅଶାନୁରୂପ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

କନ୍ୟା: ଦୁଃଶ୍ଚିନ୍ତା ଦୂର ହେବ। ବ୍ୟବସାୟରେ ଉନ୍ନତି ସହିତ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ।

ତୁଳା: ସନ୍ତାନମାନେ ଆଜ୍ଞାଧୀନ ହେବେ। ଅପରାହ୍ନରେ ଶୁଭ ଖବର ଶୁଣି ଖୁସି ହେବେ ।

ବିଛା: ମନ ପ୍ରଫୁଲ୍ଲ ରହିବ। ଭବିଷ୍ୟତ ପାଇଁ ଯୋଜନା କରିବେ। ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।

ଧନୁ: ସମସ୍ତ ଦିଗରୁ ସଫଳତା ମିଳିବ। ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ ।

ମକର: କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ବିରୋଧୀମାନେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝାମଣା ଦେଖା ଦେଇପାରେ ।

କୁମ୍ଭ: ଆଶା ପୂରଣ ହେବ। ମାନସମ୍ମାନ ବଢ଼ିବ। ପରିବାରରେ ପୂର୍ବରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ ।

ମୀନ: ନିଜ ବିବେକ ଅନୁଯାୟୀ କାର୍ଯ୍ୟ କରିବେ। ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ।