‘ଭାରତ ଆଇନ ଦ୍ୱାରା ପରିଚାଳିତ, ଶାସ୍ତ୍ର ଦ୍ୱାରା ନୁହେଁ’……!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କୋଭିଡ ମହାମାରୀ ବେଳେ ଉତ୍ତରାଖଣ୍ଡ ସରକାର ଦ୍ୱାରା ଚାରି ଧାମ ଯାତ୍ରା ନିଷ୍ପତ୍ତି ଉପରେ ସ୍ଥାନୀୟ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଗତକାଲି କୋର୍ଟ ଏହି ରୋକ୍ ଲଗାଇଥିଲେ। ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇ ଶ୍ରଦ୍ଧାଳଙ୍କୁ ପାଇଁ ଇଣ୍ଟରନେଟ୍ ଜରିଆରେ ଅନ୍ ଲାଇନ ଲାଇଭ୍ ଷ୍ଟ୍ରିମିଂ କରିବାକୁ କହିଛନ୍ତି। ହେଲେ ଆଜି ସରକାର କହିଛନ୍ତି ଅନ୍ ଲାଇନ୍ ଷ୍ଟ୍ରିମିଂ ପାଇଁ ଅନୁମତି ନାହିଁ। ଏହାପରେ କୋର୍ଟ ଜବାବରେ କହିଛନ୍ତି, ଭାରତ ଆଇନ ଦ୍ୱାରା ପରିଚାଳିତ, ଶାସ୍ତ୍ର ଦ୍ୱାରା ନୁହେଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ ଚୌହ୍ୱାନ ଏବଂ ଜଷ୍ଟିସ ଆଲୋକ କୁମାର ବର୍ମା ଏହି ମାମଲାର ଶୁଣାଣି କରି କହିଛନ୍ତି ଶାସ୍ତ୍ରରେ କେଉଁ ଧାରାରେ ଲାଇଭ ଷ୍ଟ୍ରିମିଂ ପାଇଁ ଅନୁମତି ନାହିଁ ବୋଲି କହିବାକୁ କହିଛନ୍ତି ଉତ୍ତରାଖଣ୍ଡର ଆଡଭୋକେଟ ଜେନେରାଲଙ୍କୁ। ଏଥିସହିତ ଏଜିଙ୍କୁ ଧାର୍ମିକ ଯୁକ୍ତି ନରଖିବାକୁ କୋର୍ଟ କହିଛନ୍ତି। ତେବେ ଏହି ମାମଲାରେ ଲାଇଭ ଷ୍ଟ୍ରିମିଂ ହୋଇପାରିବ କି ନାହିଁ ସେ ନେଇ ଦେବସ୍ଥାନମ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଏଜି କୋର୍ଟରେ କହିଛନ୍ତି। ଜୁଲାଇ ୨୮ରେ ଏହି ମାମଲାର ପରବର୍ତ୍ତି  ଶୁଣାଣି ରହିଛି। ମଙ୍ଗଳବାର ଉତ୍ତରାଖଣ୍ଡ ସରକାର ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ ପିଟିସନ ଦାଖଲ କରିଛନ୍ତି। ଉତ୍ତରାଖଣ୍ଡ ସରକାର ଦ୍ୱାରା ଚାରି ଧାମ ଯାତ୍ରା ଉପରେ ଯେଉଁ ରୋକ୍ ଲଗାଇଛି ତାକୁ ନେଇ ଉତ୍ତରାଖଣ୍ଡ ସରକାର ଏସପିଏଲ ଦାଖଲ କରିଛନ୍ତି। ଜୁନ୍ ୨୮ରେ ହାଇକୋର୍ଟ ଉତ୍ତରାଖଣ୍ଡ ସରକାର ନେଇଥିବା ଚାରି ଧାମ ଯାତ୍ରା ଉପରେ ରୋକ୍ ଲଗାଇଥିଲେ। ମୁଖ୍ୟତଃ କୋଭିଡ୍ ପାଇଁ ସରକାର ରୋକ୍ ଲଗାଇଥିଲେ।

ନୂଆ ଆଇଟି ନିୟମ ପାଳନ କରିବା ପାଇଁ ୮ ସପ୍ତାହ ସମୟ ମାଗିଲା ଟ୍ୱିଟର…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପାଳନ କରିବାକୁ ଆଉ ୮ ସପ୍ତାହ ସମୟ ମାଗିଛି ଟ୍ୱିଟର। ୮ ସପ୍ତାହ ମଧ୍ୟରେ ସଂସ୍ଥା ପକ୍ଷରୁ ଭାରତରେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରାଯିବ। ଏଥିପାଇଁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ଭାରତରେ ମଧ୍ୟ ନୂଆ ନିୟମ ଅନୁଯାୟୀ ଗୋଟିଏ ଲିଆସନ ଅଫିସ ପ୍ରତିଷ୍ଠା କରିବାକୁ ବ୍ୟବସ୍ଥା କରାଯାଉଥିବା ଟ୍ୱିଟର ପକ୍ଷରୁ ସତ୍ୟପାଠ ଜରିଆରେ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଜୁଲାଇ ୮ ତାରିଖ ସୁଦ୍ଧା ନୂଆ ଆଇଟି ନିୟମକୁ ଅନୁପାଳନ କରିବାକୁ କମ୍ପାନୀ କ’ଣ ସବୁ ପଦକ୍ଷେପ ନେଇଛି, ସେ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ ଟ୍ୱିଟରକୁ କହିଥିଲେ। ଏହାର ଜବାବରେ କୋର୍ଟଙ୍କୁ ଟ୍ୱିଟର କହିଛି ଯେ ସ୍ଥାନୀୟ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ ଆଉ ୮ ସପ୍ତାହର ସମୟ ଚାହୁଁଛି। ଭାରତରେ ଗୋଟିଏ ଲିଆସନ ଅଫିସ ପ୍ରତିଷ୍ଠା କରିବା ପାଇଁ ମଧ୍ୟ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଲିଆସନ ଅଫିସ ହିଁ ସମସ୍ତ ଯୋଗାଯୋଗାର ସ୍ଥାନୀୟ ଠିକଣା ହେବ। ସେହିପରି କମ୍ପାନୀ ପକ୍ଷରୁ ନୂଆ ଡିଡିଟାଲ ନିୟମ ଅନୁଯାୟୀ ନିଆଯାଇଥିବା ପଦକ୍ଷେପର ମାସିକ ରିପୋର୍ଟ ଜୁଲାଇ ୧୧ ତାରିଖ ସୁଦ୍ଧା ସାର୍ବଜନୀନ କରାଯିବ ବୋଲି କମ୍ପାନୀ କହିଛି। ଏହି ରିପୋର୍ଟରେ କଣ୍ଟେଣ୍ଟ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ବିଷୟରେ ଟ୍ୱିଟର ଉଲ୍ଲେଖ କରିବ।

ଏଣିକି ପ୍ରଥମ ଶ୍ରେଣୀରୁ ସଂସ୍କୃତ ପଢ଼ିବେ ପିଲା, ସିଲାବସ୍‌ରେ ଧାରା ୩୭୦…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଏଣିକି ସଂସ୍କୃତ ପାଠକୁ ପ୍ରଥମ ଶ୍ରେଣୀରୁ ପିଲାକୁ ପଢ଼ିବାକୁ ହେବ। ଉତ୍ତର ପ୍ରଦେଶର ବେସିକ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ସେହିପରି ୪ର୍ଥ ଓ ୫ ଶ୍ରେଣୀ ପିଲାଙ୍କ ପାଠ୍ୟ ଖସଡ଼ାରେ ବୈଦିକ ଗଣିତକୁ ସାମିଲ କରାଯାଇଛି। ପିଲାମାନଙ୍କୁ ପିଲାଟି ବେଳକୁ ଉଚିତ ଶିକ୍ଷାଦାନ ଦେବାକୁ ଏପରି ବ୍ୟବସ୍ଥା ହୋଇଥିବା କୁହାଯାଉଛି। ଏହାବାଦ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ପାଠପଢ଼ୁଥିବା ପିଲାମାନଙ୍କ ସିଲାବସ୍‌ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଘଟଣାର ତଥ୍ୟକୁ ସାମିଲ କରାଯାଇଛି। ଗୁରୁ ଗୋବିନ୍ଦ ସିଂହଙ୍କ ବୀରତା ସମ୍ପର୍କରେ ମଧ୍ୟ ସ୍କୁଲରେ ପଢ଼ାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଏପରି ସିଲାବସ୍‌କୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ଛୋଟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବିଜେପି ନିଜର ଏଜେଣ୍ଡା ପ୍ରଚାର କରିବାକୁ ଚାହୁଁଥିବା ସେମାନେ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ କହିଛନ୍ତି, ଏହା କେବଳ ସଂସ୍କୃତ ପାଠକୁ ନେଇ ନୁହେଁ। ଅନ୍ୟ ବିଷୟବସ୍ତକୁ ମଧ୍ୟ ସାମାନ୍ତରଳ ଭାବେ ସାମିଲ କରାଯିବା ଦରକାର।ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହେବା ଉଚିତ ସତ, ହେଲେ କେବଳ ସରକାର କରିଥିବା କାମ ଗୁଡ଼ିକ ପ୍ରଚାର କରି ଏହାକୁ କେବେ ବି ହାସଲ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ମୌଲାନା ସୁଫିଆନ ନିଜାମି କହିଛନ୍ତି, ଧାରା ୩୭୦ରେ ଉଚ୍ଛେଦ ଘଟଣା ଏବେ ବି ସୁପ୍ରିମକୋର୍ଟରେ ରହିଛି। ତେଣୁ ଏଭଳି ଏକ ବିବାଦୀୟ ବିଷୟବସ୍ତୁକୁ ପିଲାଙ୍କ ସିଲାବସ୍‌ରେ ସାମିଲ କରାଯିବା ଠିକ୍‌ ନୁହେଁ। ସଂସ୍କୃତକୁ ପାଠ୍ୟକ୍ରମରେ ସାମିଲ କରାଯିବା ଭଲ। କିନ୍ତୁ ବିକଳ୍ପ ଭାବେ ଉର୍ଦ୍ଦ୍ୱୁକୁ ମଧ୍ୟ ରଖାଯିବା ଉଚିତ।

ରାଗରେ ପଦ ଛାଡ଼ିଥିଲେ, ଅମିତ ଶାହ ବୁଝାଇବା ପରେ ପୁଣି ଦାୟିତ୍ୱ ନେଲେ……!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/କୋଲକାତା)- ଦଳରେ ଅବହେଳିତ ହେଉଥିବା ଅନୁଭବ କରି ବେଙ୍ଗଲ ବିଜେପି ସାଂସଦ ସୌମିତ୍ର ଖାନ ବଡ଼ ପଦକ୍ଷେପ ଗ୍ରହଣ କରିଥିଲେ। ସେ ବେଙ୍ଗଲ ବିଜେପି ଯୁବ ମୋର୍ଚ୍ଚାର ମୁଖ୍ୟ ପଦ ଛାଡ଼ିବା ସହ ଫେସବୁକରେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ହଠାତ୍‌ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କ ସହ ଆଲୋଚନା କରିବାକୁ ସେ ନିଜ ଇସ୍ତଫାପତ୍ର ଫେରାଇ ନେଇଛନ୍ତି। ଶ୍ରୀ ଶାହ ମଧ୍ୟ ସାଂସଦ ଖାନ ଉଠାଇଥିବା ଅଭିଯୋଗଗୁଡ଼ିକ ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତିବେଙ୍ଗଲ ବିଜେପିର ସବୁ କିଛି ଠିକଠାକ ଚାଲି ନଥିବା ବୁଧବାର ସନ୍ଧ୍ୟାରେ ସାମ୍ନାକୁ ଆସିଥିଲା। ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉଥିବା ବେଳେ ଅନ୍ୟପଟେ ସାଂସଦ ଖାନ ବିଜେପି ଯୁବ ମୋର୍ଚ୍ଚାର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ସେ ଟିଏମସିରୁ ଆସି ବିଜେପିରେ ବିଧାୟକ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ବିଜେପି ପାଇଥିବା ସଫଳତାର ଶ୍ରେୟ ଶୁଭେନ୍ଦୁ ଅଧିକାରୀ ନିଜର ବୋଲି କହି ପ୍ରଚାର ଚଳାଇଥିବା ସାଂସଦ ଖାନ ଅଭିଯୋଗ କରିଥିଲେ। ଏଥିସହ ସେ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ତେବେ ରାତି ପ୍ରାୟ ୯ଟା ବେଳେ ସେ ହଠାତ୍‌ ଫେସବୁକ୍‌ରେ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଫେସବୁକରେ କହିଥିଲେ ଯେ “ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଆମ ବିଜେପି ନେତା ବିଏଲ ସନ୍ତୋଷ, ଅମିତ ଶାହ ଜୀ ଓ ତେଜସ୍ୱୀ ସୂର୍ଯ୍ୟଙ୍କ କଥାକୁ ସମ୍ମାନ ଜଣାଇ ମୁଁ ମୋ ଇସ୍ତଫାପତ୍ର ପ୍ରତ୍ୟାହାର କରୁଛି।” ସୂତ୍ର ଅନୁସାରେ, କେନ୍ଦ୍ରୀୟ ବିଜେପି ନେତାମାନେ ସାଂସଦ ଖାନଙ୍କ ସହ କଥା ହେବା ସହ ସେ ଉଠାଇଥିବା ଅଭିଯୋଗ ଗୁଡ଼ିକର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେମାନେ ତାଙ୍କୁ ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସାଂସଦ ଖାନ ପଦ ଛାଡ଼ିବା ପଛର ନିର୍ଦ୍ଦିଷ୍ଟ କାରଣ କିଛି ବି କହି ନଥିଲେ। ହେଲେ ତାଙ୍କର ପଦ ଛାଡ଼ିବା ଓ ବେଙ୍ଗଲର ୪ ଜଣ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ମଧ୍ୟରେ ଲିଙ୍କ ଥିବା କୁହାଯାଉଛି। ସେ ଯୁବ ମୋର୍ଚ୍ଚା ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥିଲେ ହେଁ ଦଳ ଛାଡ଼ିବେ ନାହିଁ ବୋଲି କହିଥିଲେ। ସେ ସୋଶାଲ ମିଡିଆରେ ଲେଖିଥିଲେ ଯେ “ ବ୍ୟକ୍ତିଗତ କାରଣ ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ବେଙ୍ଗଲ ଯୁବମୋର୍ଚ୍ଚା ମୁଖ୍ୟ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛି। ମୁଁ ବିଜେପିରେ ଥିଲି, ବିଜେପିରେ ଅଛି ଓ ଆଗକୁ ମଧ୍ୟ ବିଜେପିରେ ରହିବି।”ସାଂସଦ ଖାନ ୨୦୧୮ରେ ଟିଏମସି ଛାଡ଼ି ବିଜେପିକୁ ଆସିଥିଲେ। ସେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ନ ନେଇ କହିଥିଲେ ଯେ “ଜଣେ ନିର୍ଦ୍ଦିଷ୍ଟ ନେତା ସବୁବେଳେ ଦିଲ୍ଲୀ ଗସ୍ତ କରିବା ସହ ବେଙ୍ଗଲରେ ବିଜେପି ପାଇଥିବା ସଫଳତାର ସବୁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟର ବିରୋଧୀ ଦଳ ନେତା ଜଣଙ୍କ ଥରେ ଦର୍ପଣ ଦେଖନ୍ତୁ। ସେ ନୂଆଦିଲ୍ଲୀର ନେତାଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେ ନିଜକୁ ବେଙ୍ଗଲରେ ବିଜେପିର ସର୍ବୋଚ୍ଚ ନେତା ଭାବେ ଚିତ୍ରଣ କରିଛନ୍ତି। ଜିଲ୍ଲା ସ୍ତରର ଜଣେ ଦୁଇ ଜଣ ନେତା ପୂରା ରାଜ୍ୟର ସଂଗଠନକୁ ଚଳାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏଥିସହ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷ ଅଧା ସତ୍ୟ ଜାଣିବାକୁ ସକ୍ଷମ ହେଉଛନ୍ତି ବୋଲି ସେ କହିଛନ୍ତି।

ଭେଟରେନାରି ସାଇନ୍ସରୁ ସ୍ୱାସ୍ଥ୍ୟମନ୍ତ୍ରୀ- ମନସୁଖ ମାଣ୍ତଭିୟଙ୍କ ସଫଳତାର ଯାତ୍ରା…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୂରା ଦେଶ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ମନସୁଖ ମାଣ୍ଡଭିୟ। ଏବେ ତାଙ୍କ ନେତୃତ୍ୱରେ ଦେଶ କରୋନା ସହ ଲଢ଼େଇ କରିବ। ପୂର୍ବରୁ ଡାକ୍ତର ହର୍ଷବର୍ଦ୍ଧନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସେ ବିଫଳ ହେବାରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ସରକାର ମହାମାରୀ କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଉଦ୍ୟମ କରୁଥିବା ବେଳେ ମନସୁଖ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ଭେଟରେନାରି ସାଇନ୍ସ ପାଠ ପଢ଼ିଥିବା ମନସୁଖ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବାରୁ ସବୁଆଡ଼େ ଏହାକୁ ନେଇ ଚର୍ଚ୍ଚା। ସେ କୃଷି ବିଶ୍ୱବିଦ୍ୟାଳୟରୁ ଭେଟେରିନାରୀ ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ରାଜନୀତି ବିଜ୍ଞାନରେ ମଧ୍ୟ ମାଷ୍ଟର ଡିଗ୍ରୀ ପାଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିଲେ। ୬ ଦିନ ହେଲା ସେ ମନ୍ତ୍ରୀ ଭାବେ ପୁଣେରେ ସେରମ, ଅହମଦାବାଦରେ ଜାୟଡ ଓ ସମାନ ସହରରେ ଥିବା କୋଭାକ୍ସିନ କରୋନା ଟିକାର ଉତ୍ପାଦନ କେନ୍ଦ୍ରକୁ ଯାଇ ସ୍ଥିତିର ଯାଞ୍ଚ କରିଛନ୍ତି। ମନ୍ତ୍ରୀ ଭାବେ ସେ ଭଲ କାମ କରୁଥିବାରୁ ମୋଦିଙ୍କ କ୍ୟାବିନେଟରେ ତାଙ୍କୁ ସୁଯୋଗ ଦିଆଯାଇଛି। ଗୁଜରାଟରୁ ରାଜ୍ୟସଭାକୁ ଆସିଥିବା ୪୯ ବର୍ଷୀୟ ମନସୁଖ ଏକଦା ସଂସଦକୁ ସାଇକେଲ ଧରି ଆସିଥିଲେ। ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ମନସୁଖ ୨୦ ବର୍ଷ ବୟସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ଭାବେ କାମ ଆରମ୍ଭ କରିଥିଲେ। ଏହାପରେ ସେ ଏବିଭିପିର ରାଜ୍ୟ କାର୍ଯ୍ୟକର୍ତ୍ତା ହୋଇଥିଲେ। ଏହିଠାରୁ ହିଁ ମନସୁଖ ଧୀରେଧୀରେ ବିଜେପି ପାଇଁ କାମ କରିବା ସହ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଥିଲେ। ମାତ୍ର ୨୮ ବର୍ଷ ବୟସରେ ସେ ସବୁଠାରୁ କନିଷ୍ଠ ବିଧାୟକ ହେବାର ରେକର୍ଡ କରିଥିଲେ। ୨୦୦୨ରେ ସେ ପଲିତାନା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୦୭ ଯାଏ ବିଧାୟକ ଭାବେ କାର୍ଯ୍ୟ କରିବା ପରେ ୨୦୧୧ରୁ ୨୦୧୨ ଯାଏ ଗୁଜରାଟ ଏଗ୍ରୋ ଇଣ୍ଡଷ୍ଟ୍ରୀଜ କର୍ପୋରେସନର ଅଧ୍ୟକ୍ଷ ହୋଇଥିଲେ।୨୦୧୨ରେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରେ ସେ ପୁଣି ଥରେ ରାଜ୍ୟସଭାକୁ ଯାଇଛନ୍ତି। ୨୦୧୩ରେ ସେ ସବୁଠାରୁ କନିଷ୍ଠ ନେତା ଭାବେ ଗୁଜରାଟ ବିଜେପିର ସମ୍ପାଦକ ପଦ ପାଇଥିଲେ। ୨୦୧୬ରେ ମନସୁଖ ମାଣ୍ଡଭିୟ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିଲେ। ତାଙ୍କୁ ସଡ଼କ ଓ ପରିବହନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଏହା ସହ ଶିପିଂ, ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ସେ ଭଲ କାମ କରିବାରୁ ବୁଧବାର ଯେଉଁ ୭ ଜଣଙ୍କୁ ମୋଦି ପଦୋନ୍ନତି ଦେଇ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟା ଦେଇଛନ୍ତି, ସେମାନଙ୍କ ମଧ୍ୟରେ ମନସୁଖ ଅନ୍ୟତମ।

‘ଅଶ୍ୱିନୀ ବୈଷ୍ଣବଜୀ ମୋର ବହୁତ ପ୍ରିୟ ସାଙ୍ଗ, ବ୍ୟାଚ୍‌ମେଟ’….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ମନ୍ତ୍ରୀ ପଦ ମିଳିଛି। ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ତଥା ଜାତୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିବାକୁ ଯାଇ ଅପରାଜିତା କହିଛନ୍ତି, ସେ ମୋର ପ୍ରିୟ ସାଙ୍ଗ ଓ ବ୍ୟାଚ୍‌ମେଟ୍‌। ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀମତି ଷଡଙ୍ଗୀ କହିଛନ୍ତି, ନିଶ୍ଚିତ ଆନନ୍ଦର କଥା। ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ରୀୟ ମନ୍ତ୍ରୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବ ଜୀ ମୋ ପ୍ରିୟ ସାଙ୍ଗ। ମୋର ବ୍ୟାଚ୍‌ମେଟ୍‌। ତାଙ୍କୁ ରେଳ ସହ ଆଇଟି ବିଭାଗ ମଧ୍ୟ ମିଳିଛି। ବହୁ ବଡ଼ ଦାୟିତ୍ୱ ତାଙ୍କୁ ମିଳିଛି। ଆଉ ବିଶ୍ୱେଶ୍ୱର ଟୁଡୁଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି। ମୁଁ ଦୁଇ ଜଣଙ୍କୁ ଆନ୍ତରିକତାର ସହ ବଧେଇ ଜଣାଉଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ରାଜ୍ୟ ସହିତ ଅଛନ୍ତି। ଓଡ଼ିଶା ରାଜ୍ୟର ଲୋକମାନଙ୍କ ସହିତ ମଧ୍ୟ ଅଛନ୍ତି। ବୁଧବାର ଦୁଇମନ୍ତ୍ରୀ ଶପଥ ନେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରେଳ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ୱେଶ୍ୱର ଟୁଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ୱାଗତ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି। ସେପଟେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ପୋଖତ୍ ବ୍ୟାଟସ୍‌ମ୍ୟାନ ବୈଷ୍ଣବ, ଦିଲ୍ଲୀ ଗ୍ରାଉଣ୍ଡରେ ଚର୍ଚ୍ଚା ଜୋର…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/ଭୁବନେଶ୍ୱର)- ରେଲେଓ୍ୱ ଓ ଆଇଟି ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା। ବ୍ୟୁରୋକ୍ରାଟ୍ ଓ ଟେକ୍ନୋକ୍ରାଟରୁ ରାଜନୀତିକୁ ଆସିବାର କମ୍ ଦିନ ମଧ୍ୟରେ ଟିମ୍ ମୋଦିରେ ଗୁରୁତ୍ୱ ମିଳିବା ସମସ୍ତଙ୍କୁ ‌ଆଶ୍ଚର୍ଯ୍ୟ କରିଛି । ଦୁଇ ବର୍ଷ ତଳେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେବା ଯେଭଳି ଅପ୍ରତ୍ୟାଶିତ ଥିଲା, ମୋଦି କ୍ୟାବିନେଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବା ସେଇଭଳି ସମସ୍ତଙ୍କୁ ଚକିତ କରିଛି। ରାଜନୀତିର ପୋଖତ୍ ଖେଳାଳି ନହୋଇ ବି ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରାଳୟ ପାଇବା ସମସ୍ତଙ୍କୁ ଏକପ୍ରକାର ଚକିତ କରିଛି । ରେଲେଓ୍ୱ ସହ ଅଶ୍ୱିନୀଙ୍କୁ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ମିଳିଛି। ଆଇଏସ୍ ଅଧିକାରୀରୁ  କର୍ପୋରେଟ୍ ଆଉ କର୍ପୋରେଟ୍ ଦୁନିଆରୁ ରାଜନୀତିରେ ପାଦ ଥାପିବାର ଖୁବ କମ୍ ଦିନ ମଧ୍ୟରେ ଦେଶର ରେଳ ମନ୍ତ୍ରୀ ଏହି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବାରେ ସେ ଲାଲୁପ୍ରସାଦ ଯାଦବ, ନୀତୀଶ କୁମାର, ମମତା ବାନାର୍ଜୀଙ୍କ ଭଳି ଦିଗଜ୍ଜ ନେତାଙ୍କ ତାଲିକାରେ  ଯୋଡ଼ି ହୋଇଛନ୍ତି। ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ, ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସର୍ କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ସେ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ସେହିପରି  ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ।  ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନ୍ର ଏମ୍ଡି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ  କରିଥିଲେ । ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ । ୨୦୧୭ରେ ବି. ପ୍ରଭାକରନଙ୍କ ତ୍ରିବେଣୀ ଆର୍ଥ ମୁଭର୍ସର ସହଯୋଗୀ କଂପାନୀ ତ୍ରିବେଣୀ ପେଲେଟ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଭାବେ ବି କାମ କରିଥିଲେ। ତେବେ ୨୦୧୯ରେ ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ବିଜେପି ପ୍ରାର୍ଥୀ ଭାବେ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲା ବିଜେଡି । ବିଜେଡି ପାଖରେ ସମସ୍ତ ୪ଟି ଯାକ ସିଟ୍ ଜିତିବା ଲାଗି ସଂଖ୍ୟା ଥିଲେ ବି ଗୋଟିଏ ଆସନ ଅଶ୍ୱିନୀଙ୍କ ପାଇଁ ଛାଡ଼ି ଦେଇଥିଲେ ନବୀନ।  ଅର୍ଥାତ୍ ଅଶ୍ୱିନୀଙ୍କ ପାଇଁ ମୋଦି-ନବୀନ ଏକାଠି ହୋଇଥିଲେ ।  ଗତ ଦୁଇବର୍ଷ ଧରି ରାଜ୍ୟସଭାର ସଦସ୍ୟତା ପରେ ଏବେ ଦେଶର ରେଳମନ୍ତ୍ରୀ ଭାବେ ତାଙ୍କୁ ପୁରସ୍କୃତ କରିଛନ୍ତି ପିଏମ୍ ମୋଦି । ତେବେ କାହିଁକି ମନ୍ତ୍ରୀ ଭାବେ ଅଶ୍ୱିନୀଙ୍କ ଉପରେ ଭରସା କଲେ ମୋଦି? ଟେକ୍ନୋକ୍ରାଟ୍ ସାଙ୍ଗକୁ ଉଭୟ ସରକାରୀ ଓ କର୍ପୋରେଟ୍ ଜଗତରେ ଅଭିଜ୍ଞତାକୁ ଦେଖି ମେଦି ତାଙ୍କୁ ବାଛିଥିବା କୁହାଯାଉଛି। ତାସହ ବ୍ୟାକ୍ରୁମ୍ ବୟ ବା ପ୍ରଚ୍ଛଦପଟ୍ଟରେ ରହି ସୁଦୃଢ଼ ଲୋକସମ୍ପର୍କ ମାଧ୍ୟମରେ କ୍ରାଇସିସ୍ ମ୍ୟାନେଜ୍ କରିବାର ସିଦ୍ଧହସ୍ତ ହୋଇଥିବାରୁ ତାଙ୍କୁ ଏହି ପଦ ମିଳିଥିବା ବି ଚର୍ଚ୍ଚା ହେଉଛି। ପୂର୍ବରୁ ଓଡ଼ିଶାରୁ କାହ୍ନୁଚରଣ ଲେଙ୍କା ଓ ଭକ୍ତଚରଣ ଦାସ ମଧ୍ୟ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ। କିନ୍ତୁ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ତେଣୁ ବୈଷ୍ଣବଙ୍କଠାରୁ ଓଡ଼ିଶାବାସୀଙ୍କ ଆଶା ବଢ଼ିଛି। ରେଲେଓ୍ୱ କ୍ଷେତ୍ରରେ ପଛରେ ପଡ଼ିଥିବା ଓଡ଼ିଶାକୁ ତାଙ୍କ ମନ୍ତ୍ରିତ୍ୱ ସମୟରେ ଅଧିକ ଗୁରୁତ୍ୱ ମିଳିବା ଆଶା କରାଯାଉଛି।

କ୍ରୀଡ଼ା ମନ୍ତ୍ରୀ ପଦ ସମ୍ଭାଳିବା ପରେ କ’ଣ କହିଲେ ଅନୁରାଗ ଠାକୁର…..?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ଅଲିମ୍ପିକର ଦୁଇ ସପ୍ତାହ ପୂର୍ବରୁ ଗୁରୁବାର ନୂଆ କ୍ରୀଡ଼ା ମନ୍ତ୍ରୀ ଭାବେ ପଦ ସମ୍ଭାଳିଛନ୍ତି ଅନୁରାଗ ଠାକୁର। ଏହି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବା ପରେ ଅନୁରାଗ ଠାକୁର କହିଛନ୍ତି ଯେ ସବୁ କ୍ରୀଡ଼ା ମହାସଂଘ, ରାଜ୍ୟ ଓ ସମ୍ବନ୍ଧିତ ପକ୍ଷକୁ ଏକାଠି ନେଇ ସେ ଏକ ନୂଆ ଟିମ୍ ଭାବେ ଭାରତକୁ କ୍ରୀଡ଼ାରେ ଆଗକୁ ନେବା ପାଇଁ ପ୍ରୟାସ କରିବେ। ଠାକୁର କ୍ରୀଡ଼ା ମନ୍ତ୍ରାଳୟର ପଦ ସମ୍ଭାଳିବା ପରେ କହିଛନ୍ତି, ଆମେ ସବୁ ଟିମ୍ ସହ ମିଶି ଦେଶରେ କ୍ରୀଡ଼ାର ଉନ୍ନତିିକରଣରେ କାମ କରିବୁ। ରାଜ୍ୟ, କ୍ରୀଡ଼ା ସଂସ୍ଥା, କ୍ରୀଡ଼ା ସଂଘ ଓ ମହାସଂଘକୁ ଏକତ୍ରିତ କରି ଯଥାସମ୍ଭବ କାମ କରିବୁ। ଯୁବ ଓ କ୍ରୀଡ଼ାକୁ ନେଇ ମୋତେ ନୂଆ ଦାୟିତ୍ୱ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କୁ କୃତଜ୍ଞତା ଜଣାଉଛି। କ୍ରୀଡ଼ା ପ୍ରତି ତାଙ୍କର ଭଲପାଇବା ଓ ଭାରତକୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ାଇବା ପାଇଁ ସେ ଯେଉଁ ଅଭିଯାନ ଚଳାଇଛନ୍ତି, ମୁଁ ପ୍ରୟାସ କରିବି ଯେ କିରନ ଜୀ (ପୂର୍ବତନ କ୍ରୀଡ଼ା ମନ୍ତ୍ରୀ) ଏହାକୁ ଯେଉଁ ପର୍ଯ୍ୟନ୍ତ ନେଇଛନ୍ତି, ମୁଁ ତାକୁ ଆଗକୁ ନେବି। ଠାକୁର ଆହୁରି କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ କ୍ରୀଡ଼ା ପ୍ରତି ବିଶେଷ ରୁଚି ରଖିଛନ୍ତି। ତାଙ୍କ ଭିଜନ୍ କାରଣରୁ ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ ଭାରତରେ ନିର୍ମିତ ହୋଇଛି। ତାଙ୍କ ଭିଜନ୍ ଓ ସ୍ୱପ୍ନ ପୂରଣ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବି ବୋଲି ଅନୁରାଗ କହିଛନ୍ତି। କ୍ରୀଡ଼ା ସହ ଅନୁରାଗ ଠାକୁରଙ୍କ ପୁରୁଣ ସମ୍ପର୍କ ରହିଛି। ସେ ହିମାଚଳ ପ୍ରଦେଶ ପକ୍ଷରୁ ଗୋଟିଏ ରଣଜୀ ମ୍ୟାଚ୍ ଖେଳିଥିଲେ। ଏହାସହ ସେ ମେ’, ୨୦୧୬ରୁ ଫେବୃଆରୀ ୨୦୧୭ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ମଧ୍ୟ ଥିଲେ। ଏହା ପୂର୍ବରୁ ସେ ବିସିସିଆଇର ସମ୍ପାଦକ ଓ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍ (ଏଚପିସିଏ)ର ଅଧ୍ୟକ୍ଷ ଥିଲେ। ତାଙ୍କ ଭାଇ ଅରୁଣ ଧୂମଲ ଏବେ ବିସିସିଆଇର କୋଷାଧ୍ୟକ୍ଷ ଅଛନ୍ତି। ଠାକୁର ହିମାଚଳ ପ୍ରଦେଶର ହମୀରପୁରରୁ ଲୋକସଭା ସାଂସଦ ଅଛନ୍ତି। ସୋ ଏହା ପୂର୍ବରୁ ଫାଇନାନ୍ସ ଓ କର୍ପୋରେଟର ରାଜ୍ୟ ମନ୍ତ୍ରୀ ଥିଲେ। ମଣିଶଙ୍କର ଆୟରଙ୍କ ପରେ ଠାକୁର ପ୍ରଥମ କ୍ୟାବିନେଟ୍‌ ମନ୍ତ୍ରୀ, ଯାହାଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ନୀତୀଶ ପ୍ରମାଣିକଙ୍କୁ କ୍ରୀଡ଼ା ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ଠାକୁରଙ୍କ ପାଖରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ରହିଛି।

ପନ୍ତଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଯୁବରାଜ ସିଂହ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ନିଜ ଖେଳର ଦମରେ ଅନେକ ବଡ଼ ବଡ଼ କ୍ରିକେଟରଙ୍କୁ ପ୍ରଭାବିତ କରିଛନ୍ତି। ଏହି ତାଲିକାରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ନାମ ମଧ୍ୟ ସାମିଲ୍‌ ଅଛି। ଯୁବରାଜ କହିଛନ୍ତି ଯେ ପନ୍ତ ଟିମ୍ ଇଣ୍ଡିଆର ପରବର୍ତ୍ତୀ କ୍ୟାପଟେନ୍ ହୋଇପାରନ୍ତି। ଏହା ପଛର କାରଣ ହେଉଛି ପନ୍ତ ମାନସିକ ଭାବେ ବହୁତ ମଜଭୁତ୍। ପନ୍ତ ଯେଉଁଭଳି ଭାବେ କମ୍ ବୟସରୁ ନିଜକୁ ପ୍ରମାଣିତ କରିଛନ୍ତି, ତାହା ନିଶ୍ଚିତ ପ୍ରଶଂସାଯୋଗ୍ୟ। ଯୁବରାଜ କହିଛନ୍ତି, ମୁଁ ଗର୍ବିତ ଯେ ଲୋକେ କହୁଛନ୍ତି ପନ୍ତ ବହୁତ ପରିପକ୍ୱ ଏବଂ ସେ ଭାରତ ପାଇଁ ବଡ଼ ସନ୍ଧାନ। ଗିଲଖ୍ରୀଷ୍ଟ ଟେଷ୍ଟ କ୍ରିକେଟରେ ଖେଳ ରୂପ ବଦଳାଇ ଦେଇଥିଲେ। ମୋତେ ଲାଗୁଛି ପନ୍ତ ମଧ୍ୟ ଏଭଳି କରିପାରନ୍ତି। ମୁଁ ଭବିଷ୍ୟତରେ ତାଙ୍କୁ ଭାରତୀୟ କ୍ୟାପଟେନ୍ ଭାବେ ଦେଖୁଛି। ତାଙ୍କ ପାଖରେ ଏକ ତୀକ୍ଷ୍ଣ ମୁଣ୍ଡ ଅଛି, ଯାହା ସେ ଦିଲ୍ଲୀ କ୍ୟାପିଟାଲ୍ସ ଟିମର କ୍ୟାପଟେନ୍ ଦାୟିତ୍ୱ କରୁଥିବା ବେଳେ ମୁଁ ଦେଖିଥିଲି। ଭାରତୀୟ ଦଳରେ ସ୍ଥାନ ପାଇବା ପନ୍ତଙ୍କ ପକ୍ଷେ ସହଜ ନଥିଲା। କାରଣ ପନ୍ତ ଦାୟିତ୍ୱହୀନ ଭାବେ ନିଜ ୱିକେଟ୍‌ ହରାଉଥିଲେ ଏବଂ କିଛି ଅନାବଶ୍ୟକ ଶଟ୍ ଖେଳି ଲଗାତର ସମାଲୋଚନାର ମଧ୍ୟ ଶିକାର ହେଉଥିଲେ। ଆଇପିଏଲ୍ ୨୦୨୦ ସଂସ୍କରଣ ତାଙ୍କ ପାଇଁ ଅଧିକ କଠିନ ସାବ୍ୟସ୍ତ ହୋଇଥିଲା। ହେଲେ ଏବେ ସେ ନିଜ ଛବିକୁ ପୂରା ବଦଳାଇ ଦେଇଛନ୍ତି। ଭାରତ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ଥିଲା, ସେ ଘରୋଇ ଦରର ମଜଭୁତ୍ ବୋଲିଂ ଲାଇନକୁ ନିଜ ଦମଦାର ବ୍ୟାଟିଂ ବଳରେ ଧୂଳି ଚଟାଇ ଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ସେ ୪ଟି ଟେଷ୍ଟ ମ୍ୟାଚରେ ୫୮.୩୩ ହାରରେ ୩୫୦ ରନ କରିଥିଲେ। ପନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ୧୧୮ ବଲରେ ୯୭ ରନ୍ କରିଥିଲେ, ଯାହା ମ୍ୟାଚରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସର୍ବାଧିକ ସ୍କୋର ଥିଲା। ବ୍ରିସବେନ୍ ଟେଷ୍ଟରେ ସେ ୧୩୮ ବଲରେ ଅପରାଜିତ ୮୯ ରନ୍ କରିଥିଲେ, ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

 

ସିଂଘମଙ୍କ ହିରୋଇନ୍‌ ହେବେ ଈଶା….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପୁଣି ଥରେ କ୍ୟାମେରା ସାମନାକୁ ଫେରିବେ ଡ୍ରିମ୍‌ ଗାର୍ଲ ହେମା ତନୟା ଈଶା ଦେଓଲ। ଦୀର୍ଘ ଦିନ ଧରି ଗ୍ଲାମର ଦୁନିଆରୁ ଦୂରେଇ ଘର ସଂସାରରେ ବ୍ୟସ୍ତ ଥିବା ଈଶା ଏଥର ପୁଣି ଆକ୍ସନ ମୁଡକୁ ଚାଲି ଆସିଛନ୍ତି।  ଏଥର ଦ୍ୱିତୀୟ ଇନିଙ୍ଗସ୍‌ ଆରମ୍ଭ କରିବେ ଈଶା ।  ଏବେ ସେ ବଲିଉଡର ସିଂଘମ ଅଜୟ ଦେବଗନଙ୍କ ହିରୋଇନ୍‌ ପାଲଟିବେ । ଏଥର କିନ୍ତୁ ବଡ଼ ପରଦାରେ ନୁହେଁ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ନିଜ ଜଲୱା ଈଶା । ଅଜୟଙ୍କ ଅପକମିଙ୍ଗ ୱେବ ଶୋ’  ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ରେ ଅଜୟଙ୍କ ଅପୋଜିଟରେ ସ୍କ୍ରିନ୍‌ ଶେଆର କରିବେ ଈଶା। ସୋଶାଲ ମିଡିଆରେ ଈଶା ନିଜେ ଏହି ଖବର ଘୋଷଣା କରିଛନ୍ତି। ଈଶା ଲେଖିଛନ୍ତି-“ ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ରେ ମୁଁ  ଡିଜିଟାଲ ପ୍ଲାଟଫର୍ମରେ ପାଦ  ଥାପିବି। ଏହା ଏକ ୱେବ ସିରିଜ । ମୋର ବହୁ ଫିଲ୍ମର ହିରୋ ଅଜୟ ଦେବଗନ ଏଥିରେ ବି ମୋର କୋ-ଷ୍ଟାର ଭୂମିକାରେ ଅଭିନୟ କରିବେ।” ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ ଏକ କ୍ରାଇମ୍‌-ଡ୍ରାମା ସିରିଜ ହୋଇଥିବା ବେଳେ ଅଜୟ ଏଥିରେ ଜଣେ ପୁଲିସ୍‌ ଅଫିସର ଭୂମିକାରେ  ନଜର ଆସିବେ।  ଏହି ଶୋ’ର ପ୍ରୋମୋ ଆସି ସାରିଥିବା ବେଳେ ଏଥିରେ ଅଜୟଙ୍କ ଦମଦାର ଲୁକ୍‌କୁ ଦର୍ଶକ ବେଶ୍‌ ପ୍ରଶଂସା କରୁଛନ୍ତି। ଅଜୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରୁଦ୍ରର ପୋଷ୍ଟର ପୋଷ୍ଟ କରିଛନ୍ତି। ଏହାପୂର୍ବରୁ ଅଜୟ ପ୍ରଡ୍ୟୁସର ହିସାବରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ସାରିଥିବା ବେଳେ ଏଥର ନିଜ ଆକ୍ସନର ଜଲୱା ଦେଖାଇବେ ।  ଏହା ପୂର୍ବରୁ ଅଜୟଙ୍କ ପ୍ରଡକ୍ସନ ହାଉସ୍‌ର ଫିଲ୍ମ ‘ତ୍ରିଭଙ୍ଗ’  ଓ ‘ଦି ବିଗ୍‌ ବୁଲ୍‌’ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇ ସାରିଛି। ଈଶା୨୦୦୨ ମସିହାରେ ‘କୋଇ ମେରେ ଦିଲ୍‌ ସେ ପୁଛେ’ ଫିଲ୍ମରେ ବଲିଉଡ ଡେବ୍ୟୁ କରିଥିଲେ। ଏହାପରେ ସେ ‘ନା ତୁମ୍‌ ଜାନୋ ନା ହମ୍‌’,  ‘କ୍ୟା ଦିଲ୍‌ ନେ କହା’, ‘କୁଛ ତୋ ହେ’, ଚୁରା ଲିଆ ହେ ତୁମନେ, ଧୁମ୍‌, ୟୁବା, କାଲ, ମେ ଏସା ହି ହୁଁ, ନୋ ଏଣ୍ଟ୍ରି, କ୍ୟାଶ୍‌, ଆଖେଁ ଆଜି ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୨ କନ୍ୟା ସନ୍ତାନ ଅଛନ୍ତି। ଏଥର ନିଜ ଆକ୍ଟିଂ ଦ୍ୱାରା ଈଶା ଦର୍ଶକଙ୍କ ଦ୍ୱାରା କେତେ ଆଦୃତ ହୋଇପାରୁଛନ୍ତି, ତାହା ଆଗକୁ ଜଣାପଡ଼ିବ।