ଫ୍ରିଜରେ ରଖନ୍ତୁନି ଏହି ସବୁ ଫଳ…..!

ପନିପରିବାର ଏବଂ ଫଳକୁ ସତେଜ ରଖିବା ପାଇଁ ସାଧାରଣତଃ ସମସ୍ତେ ଫ୍ରିଜର ବ୍ୟବହାର କରନ୍ତି। ଅଧିକାଂଶଙ୍କ ଘରେ ଫ୍ରିଜରେ ପନିବରିବା ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଏବଂ ଫଳ ମଧ୍ୟ ରଖାଯାଏ। ତେବେ ଏଭଳି କିଛି ଫଳ ରହିଛି ଯାହାକୁ ଫ୍ରିଜରେ ରଖିବା ଅନୁଚିତ। ସେଗୁଡିକୁ ଫ୍ରିଜରେ ରଖିବା ଦ୍ୱାରା ତା’ର ପୋଷକ ତତ୍ତ୍ୱ ନଷ୍ଟ ହୋଇପାରେ। ଏଥିସହ ତା’ହା ବିଷାକ୍ତ ମଧ୍ୟ ପାଲଟିପାରେ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଫଳକୁ ଫ୍ରିଜ୍‌ରେ ରଖିବା ମନା।

କଦଳୀ: କଦଳୀ ଏମିତି ଏକ ଫଳ ଯାହାକୁ କେବେ ବି ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଶୀଘ୍ର କଳା ପଡିଯାଏ। କଦଳୀର ଡେମ୍ଫରୁ ଇଥାଇଲିନ୍ ଗ୍ୟାସ୍ ବାହାରିଥାଏ, ଯାହା ଅନ୍ୟ ଫଳକୁ ମଧ୍ୟ ଶୀଘ୍ର ପଚାଇ ଦିଏ। ତେଣୁ କଦଳୀକୁ ଭୁଲ୍‌ରେ ବି ଫ୍ରିଜ୍ କିମ୍ବା ଅନ୍ୟ ଫଳ ସହ ମିଶାଇ ରଖିବା ଉଚିତ ନୁହେଁ।

ତରଭୁଜ: ଖରାଦିନେ ଲୋକେ ଅଧିକ ମାତ୍ରାରେ ତରଭୁଜ ଖାଇଥା’ନ୍ତି। ଏହା ଏକ ବଡ଼ ଫଳ ହୋଇଥିବାରୁ ଏହାକୁ ଗୋଟିଏ ଥରରେ ଖାଇବା କଷ୍ଟକର। ଏଭଳି ସ୍ଥିତିରେ ଅଧିକାଂଶ ଲୋକେ ତରଭୁଜକୁ ଖାଇବା ପରେ ଅବଶିଷ୍ଟାଂଶକୁ ଫ୍ରିଜରେ ରଖିଦିଅନ୍ତି। ତରଭୁଜକୁ କେବେବି ଫ୍ରିଜରେ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ସେଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ।

ସେଉ: ସେଉ ବା ଆପଲକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର ପାଚିଯାଏ। ଏଥିପାଇଁ ଆପଲକୁ ଫ୍ରିଜ ଭିତରେ ରଖିବା ଉଚିତ ନୁହେଁ। ଯଦି ଆପଣ ଆପଲକୁ ଦୀର୍ଘ ସମୟ ଧରି ରଖିବାକୁ ଚାହାନ୍ତି, ତେବେ ସେଗୁଡିକୁ କାଗଜରେ ଗୁଡାଇ ରଖନ୍ତୁ।

ଆମ୍ବ: ଆମ୍ବକୁ ଫ୍ରିଜରେ ରଖନ୍ତୁ ନାହିଁ। ଫ୍ରିଜରେ ରହିଲେ ଆମ୍ବରେ ଥିବା ଆଣ୍ଟିଅକ୍ସିଡାଣ୍ଟ କମିବା ଆରମ୍ଭ କରେ। ଏହି କାରଣରୁ, ଆମ୍ବର ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଏ। ଆମ୍ବକୁ କର୍ବାଇଡ୍ ଦେଇ ପଚା, ତେଣୁ ଏହା ପାଣି ସଂସ୍ପର୍ଶରେ ଆସିଲେ ଶୀଘ୍ର ନଷ୍ଟ ହୋଇଯାଏ।

ଲିଚି: ଖରା ଦିନର ସ୍ୱାଦିଷ୍ଟ ଫଳ ମଧ୍ୟରୁ ଗୋଟିଏ ହେଉଛି ଲିଚି। ଏହାକୁ ମଧ୍ୟ ଭୁଲ୍‌ରେ ଫ୍ରିଜରେ ରଖନ୍ତୁ ନାହିଁ। ଲିଚିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହାର ଉପର ଅଂଶ ସମାନ ରୁହେ କିନ୍ତୁ ଭିତରେ ନଷ୍ଟ ହେବାକୁ ଲାଗେ। ଏହା ବେଳେ ବେଳେ ବିଷାକ୍ତ ମଧ୍ୟ ପାଲଟିବା ସମ୍ଭାବନା ରହିଛି। ତେଣୁ ଏହାକୁ ଭୁଲ୍‌ରେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ।

ପୋଲାଭରମ୍ : ଏନଜିଟି ନିର୍ଦ୍ଦେଶ ବିରୁଦ୍ଧରେ ଓଡ଼ିଶାର ଆବେଦନକୁ ସ୍ୱୀକାର କଲେ ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବହୁଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପ ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ସ୍ୱୀକାର କରିବା ସହ ଅନୁଧ୍ୟାନ କରିବାକୁ ସମ୍ମତି ଦେଇଛନ୍ତି ଏକ କମିଟିର ସୁପାରିସ୍ ଆଧାରରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ସରକାରକୁ ତୁରନ୍ତ ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗତ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ, ଓଡ଼ିଶାର ଆବେଦନକୁ କୋର୍ଟ ଅନୁଧ୍ୟାନ କରିବେ । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଏହି ମାମଲାରେ ଏନଜିଟି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଓଡ଼ିଶା ତା’ର ଆବେଦନରେ ଯୁକ୍ତି ବାଢ଼ିଛି। ଓଡ଼ିଶା ତା’ର ଆବେଦନରେ ଦର୍ଶାଇଛି ଯେ, ଏନଜିଟିଙ୍କ ପାଖରେ ଏହି ମାମଲାରେ ନା ନୋଟିସ୍ ଜାରି ହୋଇଛି ନା କୌଣସି ଶୁଣାଣି ଅବା ଓଡ଼ିଶା ତା’ର ପକ୍ଷ ରଖିଛି। ଗୋଟିଏ କମିଟିର ସୁପାରିସକୁ ଏନଜିଟି ସ୍ୱୀକାର କରି ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପ୍ରକଳ୍ପ କର୍ତ୍ତୃପକ୍ଷ ସମେତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଏବଂ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ମଧ୍ୟ କମିଟିର ବିଭିନ୍ନ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଅଭିଯୋଗ କରିଛି ଯେ, ପ୍ରକଳ୍ପ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗକୁ ଅନୁଧ୍ୟାନ କରିବା କମିଟିର କ୍ଷମତା ବାହାରେ। ପ୍ରକଳ୍ପ ଯୋଗୁ ଆଦିବାସୀ ଲୋକମାନେ ବିସ୍ଥାପିତ ହେବେ ଓ ଓଡ଼ିଶାର କିଛି ଅଂଚଳ ଜଳମଗ୍ନ ହେବ। ଗତବର୍ଷ ସେପ୍ଟେମ୍ବର ମାସରେ ଏନଜିଟି ଏକ ନିର୍ଦ୍ଦେଶନାମା ଜାରି କରି ରାଜ୍ୟଗୁଡ଼ିକୁ ତୁରନ୍ତ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାକୁ କହିଥିଲେ। ସୂଚନାଯୋଗ୍ୟ, ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଆଦିବାସୀ ଅଧ୍ୟୁଷ୍ୟିତ ଅଂଚଳ ଜଳମଗ୍ନ ହେବ ଓ ବହୁ ଆଦିବାସୀ ଲୋକ ବିସ୍ଥାପିତ ହେବା ଦର୍ଶାଇ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରୁଛି। ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ଦାବି କରି ୨୦୦୭ ମସିହାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ସମିତି ସଭ୍ୟରେ ହାରିଥିଲେ, ଆଜି କେନ୍ଦ୍ରମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସେନାରୁ ଅବସର ପରେ ସରପଞ୍ଚ ହୋଇଥିଲେ ବାପା। ଆଉ ବାପାଙ୍କ ପଦାଙ୍କ ଅନୁସରଣ କରି ପୁଅ ବିଶ୍ୱେଶ୍ୱର ଟୁଡୁ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ହାରି ଯାଇଥିଲେ। ଦୁଇ ଦୁଇ ଥର ହାରିଥିବା ବିଶ୍ୱେଶ୍ୱରଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ମିଳିଥିଲା ପ୍ରଥମ ବିଜୟ। ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ଇଞ୍ଜିନିୟର ବିଶ୍ୱେଶ୍ୱର ଟୁଡୁ। ୧୯୬୫ ମସିହାରେ ମାର୍ଚ୍ଚ ୨୮ ତାରିଖରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲାକ୍‌ ସାନମୁଣ୍ଡାବଣୀ ପଞ୍ଚାୟତ ଖୁଣ୍ଟାପାଳ ଗାଁରେ ଜନ୍ମ ଗ୍ରହଣ କରିଥିଲେ ବିଶ୍ୱେଶ୍ୱର ଟୁଡୁ। ତାଙ୍କ ବାପା ଶୁକୁଲ ଟୁଡୁ ଭାରତୀୟ ସେନାରେ ଯବାନ ଥିଲେ। ଚାକିରିରୁ ଅବସର ପରେ ଗାଁକୁ ଫେରି ଆସିଥିଲେ ତାଙ୍କ ବାପା ଶୁକୁଲ ଟୁଡୁ। ପଞ୍ଚାୟତରେ ସେ ସରପଞ୍ଚ ହୋଇଥିଲେ। ପିଲା ବେଳେ ବିଶ୍ୱେଶ୍ୱର ଦେଖିଥିଲେ ରାଜନୀତିରେ ବାପାଙ୍କ ଗୋଟି ଚାଳନା। ରାଜନୀତିର ପାଠ ସେ ପ୍ରଥମେ ତାଙ୍କ ବାପାଙ୍କଠାରୁ ଶିଖିଥିଲେ। ବିଶ୍ୱେଶ୍ୱର ପିଲା ଦିନରୁ ମେଧାବୀ ଥିଲେ। ଗାଁ ପାଖ ଖୁଣ୍ଟାପାଳ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୧ ମସିହାରେ ପାରେଶ୍ଵର ବିଦ୍ୟାପୀଠରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‌ କରିଥିଲେ। ପରେ ରାଉରକେଲା ସ୍ଥିତ ସରକାରୀ ପଲିଟେକନିକରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାସ କରିଥିଲେ। ଇଞ୍ଜିନିୟରିଂ ପାସ୍‌ କରିବା ପରେ ବିଶ୍ୱେଶର ରେଙ୍ଗାଲି ଡ୍ୟାମ୍‌ରେ ଜୁନିଅର ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ପରେ ବାଲିମେଳା ଡ୍ୟାମ୍‌ରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି କରିଥିଲେ। ଛାତ୍ର ଜୀବନରୁ ସେ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ। ୩ ଦଶନ୍ଧି ଧରି ବନବାସୀ କଲ୍ୟାଣ ଆଶ୍ରମ ସହ ଜଡ଼ିତ ରହିଛନ୍ତି। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ତାଙ୍କର ଭଲ ସଂପର୍କ ଥିବା ଆଲୋଚନା ହେଉଛି। ବିଶ୍ୱେଶ୍ୱରଙ୍କ ବାପା ସରପଞ୍ଚ ଥିବାରୁ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ୨୦୧୨ ମସିହାରେ ନିଜ ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ନିର୍ବାଚନରେ ସେ ହାରି ଯାଇଥିଲେ। ପରେ ଜିଲ୍ଲା ପରିଷଦ ଆସନ ନିର୍ବାଚନରେ ଲଢ଼ି ପରାଜିତ ହୋଇଥିଲେ। ତେବେ ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିଥିଲେ। ଆଉ ମୟୂରଭଞ୍ଜବାସୀ ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ପକାଇଥିଲେ। ବହୁ ଭୋଟ୍‌ରେ ବିଜୟୀ ହୋଇଥିଲେ। ସାଂସଦ ହେବା ପରେ ବିଶ୍ୱେଶ୍ୱର ନିଜ ଅଞ୍ଚଳ ଓ ସମ୍ପ୍ରଦାର ବହୁ ଦାବି ସଂସଦରେ ଉପସ୍ଥାପନ କରିଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ, ରାଜ୍ୟ ବିଜେପି ଏସ୍‌ଟି ମୋର୍ଚ୍ଚାର ସଭାପତି, ମଧ୍ୟପ୍ରଦେଶର ସହ ପ୍ରଭାରୀ ସହ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାଛଡ଼ା ପଶ୍ଚିମବଙ୍ଗର ନିର୍ବାଚନରେ ଷ୍ଟାର୍‌ ପ୍ରଚାରକ ଭାବେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ମେଧାବୀ ବିଶେଶ୍ୱରଙ୍କ ବିବାହ ବୈଦିକ ରୀନିନୀତିରେ ହୋଇଥିଲେ। ସେ ସୁମିତ୍ରାଙ୍କୁ ବିବାହ କରିଥିଲେ। ତାଙ୍କୁ ଦୁଇ ଝିଅ ଓ ଜଣେ ପୁଅ। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟରିଂ ପଢୁଥିବା ବେଳେ ଅନ୍ୟ ଜଣେ ନର୍ସିଂ ପଢ଼ୁଛନ୍ତି। ପୁଅ ଯୁକ୍ତ ଦୁଇ ଛାତ୍ରରେ ପଢ଼ୁଛନ୍ତି। ବୁଧବାର ହୋଇଥିବା କ୍ୟାବିନେଟ୍‌ ସମ୍ପ୍ରସାରଣରେ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରଣାଳୟ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଆନନ୍ଦର ଲହରୀ ଖେଳି ଯାଇଛି। ସମର୍ଥକମାନେ ମିଠା ବାଣ୍ଟି ଆନନ୍ଦ ବନାଉଛନ୍ତି।

୧୫ରେ ଓଡ଼ିଶା ବନ୍ଦକୁ ସମର୍ଥନ କଲା କଂଗ୍ରେସ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଜୁଲାଇ ୧୫ତାରିଖରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ସମର୍ଥନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦରଦାମ ହୁହୁ ବଢ଼ିଚାଲିଛି। ଡିଜେଲ ଓ ପେଟୋଲ ଦର ଲିଟର ପିଛା ଶହେ ଟଙ୍କା ପାର ହେଲାଣି। ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡ଼ୁଛି। ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି, ଔଷଧ ଦର ଆକାଶଛୁଆ ହେଲାଣି। ୨୩ରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦିଆଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସୂଚନାଯୋଗ୍ୟ, ପେଟ୍ରୋଲିୟମ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମଏଲ), ଫରୱାର୍ଡ ବ୍ଲକ୍ , ସିପିଆଇ ଓ ସିପିଏମ୍  ପକ୍ଷରୁ ଜୁଲାଇ ୧୫ରେ ବନ୍ଦ ଡାକରା ଦିଆଯାଇଛି।

ଜିତିଲେ ୬ କୋଟି, ଅଲିମ୍ପିଆନଙ୍କ ପାଇଁ ଘୋଷଣା କଲେ ନବୀନ…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଟୋକିଓ ଅଲିମ୍ପିକରେ ଭାଗ ନେବାକୁ ଥିବା ଓଡ଼ିଆ କ୍ରୀଡ଼ାବିତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଆଥଲେଟଙ୍କୁ ୬ କୋଟି ଟଙ୍କା ଦିଆଯିବ । ସେହିପରି ରୌପ୍ୟ ପଦକ ବିଜେତାଙ୍କୁ ୪ କୋଟି ଟଙ୍କା, ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହିତ ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଲିମ୍ପିକରେ ଭାଗ ନେବାକୁଥିବା ସବୁ ଓଡ଼ିଆ ଆଥଲେଟଙ୍କ ସହ ଆଜି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିଆନ୍ ଦୂତୀ ଚାନ୍ଦ, ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ, ଭାରତୀୟ ମହିଳା ହକି ଦଳର ଭାଇସ୍ କ୍ୟାପଟେନ୍ ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। କ୍ରୀଡା ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଆର ଭିନୀଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

ହୀରାକୁଦ ଓ ସାତକୋଶିଆରେ ବର୍ଷତମାମ ଇକୋ-କଟେଜ୍ ସୁବିଧା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ବର୍ଷତମାମ୍ ଇକୋ-କଟେଜ୍ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଓ ସାତକୋଶିଆର ବାଲିପୁଟଠାରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟ କରିବ । ପିପିପି ମୋଡରେ ଏହି ଇକୋ-କଟେଜ୍ ନିର୍ମାଣ ଓ ପରିଚାଳନା ହେବ। ଚଳିତବର୍ଷ ମଧ୍ୟ ପ୍ରଥମଥର ପାଇଁ କୋରାପୁଟରେ ଇକୋ ରିଟ୍ରିଟ୍ କରାଯିବ ବୋଲି ଜଣାପଡ଼ିଛି। ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିପିପି ମୋଡରେ ରାଜ୍ୟରେ ବର୍ଷତମାମ ଇକୋ-କଟେଜ୍ ପ୍ରକଳ୍ପ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇକୋ-କଟେଜ୍ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଭିଜିଏଫ ପାଣ୍ଠି ସହ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ। ବର୍ଷତମାମ ଇକୋ-କଟେଜ୍ ସୁବିଧାର ସମ୍ଭାବନା ଥିବା ହୀରାକୁଦ, ବାଲିପୁଟ, ପାରାଦୀପ, ଦାରିଙ୍ଗିବାଡ଼ି, ପତି ସେନାପୁର ଓ କୋରାପୁଟ ଆଦି ସ୍ଥାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଓ କଟକ ଜିଲ୍ଲାର ବାଲିପୁଟ(ସାତକୋଶିଆ)ଠାରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦୁଇଟି ସ୍ଥାନରେ ପ୍ରକଳ୍ପ ନିମନ୍ତେ ପ୍ରାୟ ୬ଏକର ଲେଖାଏଁ ସ୍ଥାନ ଚିହ୍ନଟ କରାଯାଇଥିଲା ଓ ପ୍ରତ୍ୟେକ ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ୬.୨୫କୋଟି ଟଙ୍କା ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପର୍ଯ୍ୟଟନ ବିଭାଗର ପାନ୍ତନିବାସ ଓ ରାସ୍ତାପାର୍ଶ୍ୱର ସୁବିଧା କେନ୍ଦ୍ର ଗୁଡ଼ିକୁ ଘରୋଇ ସହଭାଗିତାରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଏହା ବିଶେଷ ଭାବେ ଆକୃଷ୍ଟ କରିପାରିବ। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।

୧୧ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୧୧ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଏଥିପାଇଁ ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୧ତାରିଖ ଦିନ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ବନ୍ୟା ଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ତା’ର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମହାନଦୀ ପ୍ରବାହିତ ହେଉଥିବା ତଳମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ମଧ୍ୟ ସୂଚନା ଦିଆଯାଇଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ମୋଟ ୬୪ଟି ସୁଇସ୍ ଗେଟ୍ ଥିବାବେଳେ କେତୋଟି ଗେଟ୍ ଖୋଲାଯିବ ଓ କେତେ ଗେଟ୍ ଦେଇ ଜଳ ନିଷ୍କାସନ ସେ ସମ୍ପର୍କରେ କିଛି ସୂଚନା ମିଳିନି।

ନୂଆ କରି ତିଆରି ହୋଇଥିବା ସହଯୋଗ ମନ୍ତ୍ରାଳୟ ଦାୟିତ୍ୱ ଶାହଙ୍କୁ କାହିଁକି ଦେଲେ ମୋଦି…..?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ କେନ୍ଦ୍ରର ମୋଦି ସରକାର ସହଯୋଗ ମନ୍ତ୍ରାଳୟ ନୂଆ କରି ତିଆରି କରିଛନ୍ତି। ଆଉ ଏହି ମନ୍ତ୍ରାଳୟର ପ୍ରଥମ ମନ୍ତ୍ରୀ ହୋଇଛନ୍ତି ଅମିତ ଶାହ। ଏହି ବିଭାଗକୁ ଅତିରିକ୍ତ ବିଭାଗ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଦେଇଛନ୍ତି। ଅନେକ ମନ୍ତ୍ରୀ ନୂଆ ଭାବରେ ସ୍ଥାନ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ଅମିତ ଶାହଙ୍କୁ ଏହି ବିଭାଗ କାହିଁକି ଦେଲେ ଏ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ଶାହଙ୍କୁ ଯେଉଁ ବିଭାଗର ଦାୟିତ୍ୱ ଦିଆଯାଇଛି ପୂର୍ବରୁ ସେ ଏହି ବିଭାଗରେ କାମ କରି ସାରିଛନ୍ତି ଯେତେବେଳେ ସେ ଗୁଜରାଟର କୋପରେଟିଭ ସୋସାଇଟିର ଅଧ୍ୟକ୍ଷ ଥିଲେ। ଗୁଜରାଟରେ ଶାହ କୁଆଡେ ଏହି ବିଭାଗକୁ ବହୁତ ଦକ୍ଷତାର ସହ ତୁଲାଇ ସେତେବେଳେ ରାଜ୍ୟରେ ପ୍ରଶଂସା ସାଉଁଟିଥିଲେ। ସମବାୟ ଆନ୍ଦୋଳନକୁ ମଜଭୁତ କରିବା ଓ ଏହାକୁ ନୀତିଗତ ଢାଞ୍ଚା ଦେବାକୁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହି ବିଭାଗ ତୃଣମୂଳ ସ୍ତରରେ ଲୋକଙ୍କୁ ସହଯୋଗ କରିବ ବୋଲି କୁହାଯାଉଛି। କୃଷି ଏବଂ ଗ୍ରାମୀଣ ମନ୍ତ୍ରାଳୟର ଗୁରୁତ୍ୱ ଯେପରି ରହିଛି ଏହି ସହଯୋଗ ମନ୍ତ୍ରାଳୟର ଗୁରୁତ୍ୱ ମଧ୍ୟ ସମାନ ରହିବ ବୋଲି ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ଏହି ବିଭାଗ ରହିଛି। ହେଲେ କେନ୍ଦ୍ରରେ ମୋଦି ସରକାର ଏହାକୁ ଏକ ମନ୍ତ୍ରାଳୟର ରୂପ ଦେଇଛନ୍ତି। ଏହି ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ଦିଗରେ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅମିତ ଶାହ ଗୁଜରାଟର ବିଜେପି କୋପରେଟିଭ ସେଲର ଅଧ୍ୟକ୍ଷ ରହିଥିଲେ। ସେ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କ (ଏଡିସିବି)ର ଅଧ୍ୟକ୍ଷ ଥିଲେ। ସବୁଠୁ କମ୍ ବୟସରେ ଶାହ (୩୬) ଏହି ଦାୟିତ୍ୱ ନେଇଥିଲେ ବୋଲି ଜଣାପଡ଼ିଛି। ଶାହ ତାଙ୍କର ପ୍ରଥମ ବର୍ଷ କାର୍ଯ୍ୟକାଳରେ ୬.୬୦ କୋଟି ଟଙ୍କାର ଲାଭ ଦେଖାଇଥିଲେ। ଏହା ପୂର୍ବରୁ ଏଡିସିବିର କ୍ଷତି ୨୦.୨୮ କୋଟି ଥିଲା ବୋଲି ଜଣାପଡ଼ିଛି। ଏହାପରେ ଗୁଜରାଟରେ ଅମିତ ଶାହ ଫାଦର ଅଫ୍ କୋଭରେଟିଭ୍ ମୁଭମେଣ୍ଟ ଭାବରେ ପରିଚିତ।

ବିଭାଜନ କରିପାରିବାର କ୍ଷମତା ଫେସବୁକ ପାଖରେ ରହିଛି: ସୁପ୍ରିମକୋର୍ଟ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ୨୦୨୦ ମସିହାରେ ଦିଲ୍ଲୀ ଦଙ୍ଗା ହୋଇଥିଲା। ଏହାକୁ ନେଇ ସୋଶାଲ ମିଡିଆ କମ୍ପାନୀ ଫେସବୁକକୁ ହାଜର ହେବା ପାଇଁ ଦିଲ୍ଲୀ ବିଧାନସଭା କହିଥିଲା। ତେବେ ଅନ୍ତରୀଣ ସୁରକ୍ଷା ମାଗିବାକୁ ଯାଇ ଫେସବୁକ ସୁପ୍ରିମକୋର୍ଟରେ ହାଜର ହୋଇଛି। ଫେସବୁକ୍ ପାଇଁ ହାଜର ହୋଇଥିବା ଓକିଲଙ୍କୁ କୋର୍ଟ କହିଛନ୍ତି ଯେ ଫେସବୁକ ଏକ ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜର ମତ ରଖନ୍ତି। ଏହାକୁ ସେମାନେ ନିୟନ୍ତ୍ରଣ କରିପାରିବେ ନାହିଁ। ପରେ କୋର୍ଟ କହିଛନ୍ତି ଏଭଳି ଧାଡିକିଆ ଯୁକ୍ତି ଗ୍ରହଣୀୟ ନୁହେଁ। ଫେସବୁକ ଏକ ଏପରି ଏକ ପ୍ଲାଟଫର୍ମ ଯେଉଁଠୁ ସାଧାରଣ ଜନତା ପ୍ରଭାବିତ ହୋଇପାରିବେ। ସମାଜର ପୋଲାରାଇଜେସନ ବା ବିଭାଜନ ଫେସବୁକ ଜରିଆରେ ହୋଇପାରିବ। ଫେସବୁକ ପାଖରେ ନିୟନ୍ତ୍ରଣ କରିପାରିବାର କ୍ଷମତା ନାହିଁ ବୋଲି କହିବା ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଫେସବୁକ୍ ସମସ୍ତଙ୍କ ସହିତ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ଯଦି କୈଣସି ପ୍ରସଙ୍ଗରେ ବିତର୍କ ହେଉଛି ଫେସବୁକରେ ତାହାଲେ ଏହା ଉପରେ ନଜର ରଖିବା ଦାୟିତ୍ୱ ଫେସବୁକର। କାରଣ ଏହି ବିତର୍କ ଅଣାୟତ ହେଲେ ଗୋଟିଏ ପ୍ରସଙ୍ଗକୁ ନେଇ ବିଭାଜନ ହୋଇପାରିବ। ଏହା ଦ୍ୱାରା ସାମାଜିକ ବିପଦ ମଧ୍ୟ ରହିଛି ବୋଲି କୋର୍ଟ କହିଛନ୍ତି। ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିହା ବେଳେ ସୋଶାଲ ନେଟୱାର୍କ କମ୍ପାନୀ ବିରୋଧରେ ଅନେକ ଦେଶରେ ଆରମ୍ଭ ହୋଇଥିବା ଯୁକ୍ତିକୁ ଉଲ୍ଲେଖ କରି କହିଛନ୍ତି ଯେ ଫେସବୁକ ଅସ୍ୱୀକାର କରିପାରିବ ନାହିଁ ଯେ ସେମାନେ ବିଭିନ୍ନ ପ୍ରସଙ୍ଗରେ ମତ ଏବଂ ନ୍ୟୁଜ ଫିଡ ପାଇଁ କିଛି ମାନବ ସମ୍ୱଳ ଏବଂ ଆଲଗୋଦରିମ ବ୍ୟବହାର କରନ୍ତି। ଏ ବାବଦରେ ଫେସବୁକ ପାଖରେ ଜ୍ଞାନକୌଣଳ ରହିଛି ଯିଏକି ବିଭିନ୍ନ ପ୍ରସଙ୍ଗକୁ ନଜର ଦେଇପାରିବ। ତେବେ ସୁପ୍ରିମକୋର୍ଟର ଏହି ବେଞ୍ଚ ମଧ୍ୟ କହିଛି ଯେ ରାଘବ ଚଢ଼ାଙ୍କ ନେତୃତ୍ୱରେ ଦିଲ୍ଲୀ ବିଧାନସଭା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ କମିଟି ଦିଲ୍ଲୀ ଦଙ୍ଗା ମାମଲାରେ ଫେସବୁକକୁ ଦୋଷୀ ସାବ୍ୟସ୍ତ କରିବା ଉଚିତ ନୁହେଁ।

ସାବଧାନ ଟ୍ୱିଟର! ନୂଆଦିଲ୍ଲୀରୁ ନୂଆ ଆଇଟି ମନ୍ତ୍ରୀ ଦେଲେ ଚେତାବନୀ…….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ ଆମେରିକାନ୍ କମ୍ପାନୀ ଟ୍ୱିଟରକୁ ନେଇ ଚେତାବନୀ ଦେଇଛନ୍ତି। ଭାରତରେ କାମ କରୁଛ ମାନେ ଭାରତର ଆଇନ୍ ମାନିବାକୁ ହେବ ବୋଲି ବୈଷ୍ଣବ କହିଛନ୍ତି। ବୈଷ୍ଣବଙ୍କ ପୂର୍ବରୁ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ମଧ୍ୟ ଏହି ପ୍ରସଙ୍ଗରେ ସମାନ କଥା କହିଥିଲେ। ଅର୍ଥାତ୍ ମନ୍ତ୍ରୀ ବଦଳିଛନ୍ତି ହେଲେ ସରକାରର ଆଭିମୁଖ୍ୟ ବଦଳିନାହିଁ ବୋଲି ଅଶ୍ୱିନୀ ଦାୟିତ୍ୱ ଗ୍ରହଣ କରିବା ପରେ ନିଜ ପ୍ରତିକ୍ରିୟାରେ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଇଟି ନିୟମକୁ ନେଇ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଭାରତ ସରକାରଙ୍କ ନିୟମ ମାନିବାକୁ ହେବ ବୋଲି ହାଇକୋର୍ଟ ଆଜି ଟ୍ୱିଟରକୁ କହିଛନ୍ତି। ଆଗାମୀ ଦିନରେ ଏ ପ୍ରସଙ୍ଗରେ ଟ୍ୱିଟର ସୁରକ୍ଷା ମାଗିଲେ ମିଳିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥିସହ ଟ୍ୱିଟରକୁ ଏକ ସତ୍ୟପାଠ ମାଗିଛନ୍ତି। ଯେଉଁଥିରେ ଟ୍ୱିଟର କ’ଣ ସବୁ ପଦକ୍ଷେପ ନେଇଛି ନୂଆ ଆଇଟି ନିୟମକୁ ନେଇ ବିସ୍ତୃତ ଭାବରେ ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ଆଜି ଏହି ମାମଲାରେ ଶୁଣାଣି ବେଳେ ଟ୍ୱିଟର କହିଛି ଯେ ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପାଳନ କରିବାକୁ ଆଉ ୮ ସପ୍ତାହ ଆବଶ୍ୟକ। ଏହାପୂର୍ବରୁ କିନ୍ତୁ ମଙ୍ଗଳବାର ହାଇକୋର୍ଟ ଟ୍ୱିଟରକୁ ମାତ୍ର ଦୁଇ ଦିନ ସମୟ ଦେଇଥିଲେ। ଯାହାର ଅବଧି ଆଜି ଶେଷ ହେଉଛି।ନୂଆ ନିୟମ ପାଳନ ପାଇଁ ଟ୍ୱିଟର ଅନେକ ସମୟ ମାଗିଛି। ହେଲେ ଏଯାବତ ପୂରଣ ହୋଇନାହିଁ। ଆହୁରି ଦୁଇ ସପ୍ତାହ ଟ୍ୱିଟର ମାଗିଛି। ତେଣୁ ଏବେ ଭାରତ ସରକାର ଯଦି କିଛି ପଦକ୍ଷେପ ନେବେ ତାହେଲେ ସୁରକ୍ଷା ଦେଇହେବ ନାହିଁ ବୋଲି ବିଚାରପତି ଜଷ୍ଟିସ ରେଖା ପଲ୍ଲୀ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର ଧର୍ମେନ୍ଦ୍ର ଚତୁରଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରିଥିଲା ଟ୍ୱିଟର। ହେଲେ ସେ ଇସ୍ତଫା ଦେବା କାରଣରୁ ଏବେ ଏହି ପଦବୀ ଖାଲି ପଡ଼ିଛି। ଯାହାକି ନୂଆ ଆଇଟି ନିୟମର ଗାଇଡଲାଇନକୁ ପୂରଣ କରୁନାହିଁ।