ଅଶ୍ୱିନୀଙ୍କୁ ରେଳ, ଧର୍ମେନ୍ଦ୍ରଙ୍କ ହାତରୁ ଗଲା ପେଟ୍ରୋଲିୟମ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ୱୀନ ବୈଷ୍ନବଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ରେଳ ମନ୍ତ୍ରାଳୟ ପୀୟୁଷ ଗୋଏଲଙ୍କ ପାଖରେ ଥିବା ବେଳେ ଆଇଟି ମନ୍ତ୍ରାଳୟ ରବିଶଙ୍କର ପ୍ରସାଦଙ୍କ ପାଖରେ ଥିଲା। ରବି ଶଙ୍କର ମୋଦିଙ୍କ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ସେହିପରି ନୂଆ କରି ତିଆରି ହୋଇଥିବା ମିନିଷ୍ଟ୍ରୀ ଅଫ୍ କୋଅପରେସନର ଦାୟିତ୍ୱ ଦିଆଯାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ। ଶାହଙ୍କ ପାଖରେ ଏହା ଅତିରିକ୍ତ ବିଭାଗ ଭାବରେ ରଖିଛନ୍ତି ସରକାର। ସେହିପରି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମନସୁଖ ମାଣ୍ଡବୀୟଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ଡାକ୍ତର ହର୍ଷ ବର୍ଦ୍ଦନଙ୍କ ପାଖରେ ଥିଲା। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି। ମନସୁଖ ମାଣ୍ଡଭୀୟ ଗୁଜରାଟର ରାଜ୍ୟସଭା ସାଂସଦ। ସେହିପରି ପୀୟୂଷ ଗୋୟେଲଙ୍କ ପାଖରେ ଥିବା ରେଳ ବିଭାଗକୁ କାଢ଼ି ନିଆଯାଇ ଟେକ୍ସଟାଇଲ୍ ମନ୍ତ୍ରାଳୟ ଦିଆଯାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ୨୦୧୪ରୁ ମୋଦି ସରକାରରେ ପେଟ୍ରୋଲିୟମ ବିଭାଗରେ ଥିବା ଏହି ମନ୍ତ୍ରୀଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ଧର୍ମେନ୍ଦ୍ରଙ୍କ ପାଖରେ ଥିଲା। ପୀୟୂଷ ଗୋୟେଲଙ୍କୁ ବୟନ ଶିଳ୍ପ ମନ୍ତ୍ରାଳୟ, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ହରଦୀପ ସିଂ ପୁରୀଙ୍କ ପାଖରେ ଥିଲା। ଏବେ ହରଦୀପଙ୍କୁ ଧର୍ମେନ୍ଦ୍ରଙ୍କ ପାଖରେ ଥିବା ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଏହାସହ ହରଦୀପ ପୁରୀଙ୍କୁ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ ଦେଇଛନ୍ତି ସରକାର। ଦିଲ୍ଲୀର ସାଂସଦ ମୀନାକ୍ଷୀ ଲେଖିଙ୍କୁ ବିଦେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ। ବିଦେଶ ରାଷ୍ଟ୍ରମନ୍ତ୍ରୀ ସହ ସଂସ୍କୃତି ବିଭାଗ ସମ୍ଭାଳିବେ ମୀନାକ୍ଷୀ ଲେଖୀ। ପୁରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ ମିଳିଥିବା ବେଳେ ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ବିଭାଗ କିରଣ ରିଜଜୁଙ୍କ ପାଖରେ ଥିଲା। ଏବେ ରିଜଜୁଙ୍କୁ ସଂସ୍କୃତି ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ସେହିପରି ଯୁବ ଓ କ୍ରୀଡ଼ା ସହ ସୂଚନା ସହିତ ସୂଚନା ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ଥିଲା ପ୍ରକାଶ ଜାଭଡେକରଙ୍କ ପାଖରେ। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ଏଲଜେପି ସାଂସଦ ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ମିଳିଥିବା ବେଳେ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।  ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଆୟୁଷ, ବନ୍ଦର, ଜାହାଜ ପରିବହନ ଦାୟିତ୍ୱ, ନାରାୟଣ ରାଣେଙ୍କୁ ଏମଏସଏମଇ ମନ୍ତ୍ରାଳୟ ଦାୟିତ୍ୱ, ଏହା ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ଥିଲା। ଏହା ଅତିରିକ୍ତ ଭାବରେ ଗଡ଼କରୀଙ୍କ ପାଖରେ ଥିବାରୁ ଏବେ ଏମଏସଏମଇ ବିଭାଗ ନାରାୟଣ ରାଣେଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ। ଯିଏକି ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ସେହିପରି ମୟୂରଭଞ୍ଚର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସହ ଜଳଶକ୍ତି ସହ ଆଦିବାସୀ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

‘ବିକାଶ ପାଇଁ ସରକାର’ ମୋଦି ଦେଲେ ନୂଆ ନାରା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଜି ନୂଆ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନାରା ଦେଇଛନ୍ତି। ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ମୋଦି ‘ବିକାଶ ପାଇଁ ସରକାର’ର ନାରା ଦେଇଛନ୍ତି। ଲୋକଙ୍କ ଆଙ୍କାକ୍ଷା ପୂରଣ କରିବା ପାଇଁ ତାଙ୍କ ସରକାର ଆଗାମୀ ଦିନରେ କାମ ଜାରି ରଖିବ ବୋଲି ସେ ଏହି ଅବସରରେ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ‘ବିକାଶ ପାଇଁ ସରକାର’ର ନାରା ବାବଦରେ ଉଲ୍ଲେଖ କରିଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇଛି। ଦ୍ୱିତୀୟ ଇନିଂସର ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ୧୨ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କର ପଦୋନ୍ନତୀ ହୋଇଥିବା ବେଳେ ଅନେକ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସରକାର। ତେବେ ଶପଥ ନେଇଥିବା ସମସ୍ତ ମନ୍ତ୍ରୀଙ୍କୁ ଅଗଷ୍ଟ ୧୫ ଯାଏ ଦିଲ୍ଲୀରେ ରହିବାକୁ କୁହାଯାଇଥିବା ସୂଚନା ରହିଛି। ଏହି ଅଦଳ ବଦଳ ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଡାକ୍ତର ହର୍ଷବର୍ଦ୍ଦନ, ରମେଶ ପୋଖରିଆଲ୍ ନିଶଙ୍କ, ରବିଶଙ୍ଗର ପ୍ରସାଦ, ପ୍ରକାଶ ଜାଭଡେକର, ଡି.ଭି ସଦାନନ୍ଦ ଗୌଡ଼ା, ଥାୱରଚନ୍ଦ ଗେହଲଟ, ସନ୍ତୋଷ କୁମାର ଗଙ୍ଗୱାର, ବାବୁଲ ସୁପ୍ରିୟୋ, ଧୋତ୍ରେ ସଞ୍ଜୟ ଶାମରାଓ, ରତନ ଲାଲ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁଶ୍ରୀ ଦେବାଶ୍ରୀ ଚୌଧୁରୀ ପ୍ରମୁଖ ଇସ୍ତଫା ଦେଇଛନ୍ତି। ଏହି ସମୟରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ ଓ ଓଡ଼ିଶାର ଅଶ୍ୱିନ୍ ବୈଷ୍ଣବ ମନ୍ତ୍ରୀ ହୋଇଛନ୍ତି। ପଶୁପତି କୁମାର ପାରସ, ପୂର୍ବ କ୍ୟାବିନେଟରେ କ୍ରୀଡ଼ା ମନ୍ତ୍ରୀ ଥିବା କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ମନ୍ତ୍ରୀ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ନେଇଛନ୍ତି।

ମମତାଙ୍କୁ ଛାଡ଼ି ମୋଦିଙ୍କ ହାତ ଧରିଲେ, ଏବେ ହେଲେ କେନ୍ଦ୍ରମନ୍ତ୍ରୀ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅନେକ ଚେହେରା ସାମିଲ୍ ହୋଇଛନ୍ତି। ଅନେକ ନୂଆ ଚେହେରା ରହିଛନ୍ତି। ମୁଖ୍ୟତଃ ଆଗାମୀ ଦିନରେ ଯେଉଁଠି ବିଧାନସଭା ନିର୍ବାଚନ ରହିଛି, ଯେଉଁଠି ବିଜେପି ଦୁର୍ବଳ ରହିଛି, ନିର୍ବାଚନରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଛନ୍ତି ସେହିସ୍ଥାନ ମାନଙ୍କରେ ଥିବା ସାଂସଦଙ୍କୁ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି। ଏପରି ଜଣେ ନେତା ହେଉଛନ୍ତି ନୀତୀଶ ପ୍ରମାଣିକ। ଯିଏକି ଶିକ୍ଷକ ଥିଲେ। ହେଲେ ପରେ ଟିଏମସିରେ ସାମିଲ ହୋଇ ମମତାଙ୍କ ନିକଟତର ହୋଇଥିଲେ। ପରେ ଅସନ୍ତୋଷ ପ୍ରକାଶ କରି ବିଜେପିରେ ସାମିଲ ହୋଇଥିଲେ। ଏବେ ମୋଦି ତାଙ୍କୁ ମନ୍ତ୍ରୀ କରାଇଛନ୍ତି। ନୀତୀଶ ପ୍ରମାଣିକ ପଶ୍ଚିମବଙ୍ଗ ରାଜନୀତିରେ ରାଜବଂଶ ପରିବାରର। ସେ ପଶ୍ଚିମବଙ୍ଗର କୁଚ ବିହାର ଆସନରୁ ସାଂସଦ ହୋଇଛନ୍ତି। ନୀତୀଶ ପ୍ରମାଣିକ ପ୍ରଥମେ କିନ୍ତୁ ଶିକ୍ଷକ ଥିଲେ। ଏକ ପ୍ରାଇମେରୀ ସ୍କୁଲରେ ସେ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ଏହାପରେ କିନ୍ତୁ ରାଜନୀତି ପ୍ରତି ନୀତୀଶଙ୍କ ରୁଚି ବଢ଼ିଥିଲା। ଆଉ ଟିଏମସି ସହ ସେ ତାଙ୍କର ଯାତ୍ରା  ଆରମ୍ଭ କରିଥିଲେ। ସେ ଟିଏମସିରେ ଜଣେ ଯୁବ ନେତା ଭାବରେ ମାନ୍ୟତା ପାଇଥିଲେ। ନିଜ ରାଜନୀତିକ ଯାତ୍ରା ଭିତରେ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି। ହେଲେ ୨୦୧୮ରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ। ଏହାପରେ ପଞ୍ଚାୟତ ନିର୍ବାଚନରେ ​​ମଧ୍ୟ ପ୍ରମାଣିକ ଟିଏମସି ବିରୋଧରେ ୩୦୦ରୁ ଅଧିକ ପ୍ରାର୍ଥୀ ଦେଇଥିଲେ। ଅନେକ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ​​ଜିତିଥିଲେ। ଦୀନହାଟା ବିଧାନସଭା ଆସନରୁ ସେ ବିଧାୟକ ଭାବରେ ନିର୍ବାଚନରେ ​​ଜିତିଥିଲେ। ଏହାପରେ ରାଜ୍ୟରେ ବିଜେପି ନିଜର ପ୍ରଭାବ ବିସ୍ତାର କରୁଥିବା ବେଳେ ଅନେକ ନେତାଙ୍କୁ ସାମିଲ କରାଇବାରୁ ଲକ୍ଷ୍ୟ ରଖିଥିଲା। ଆଉ ପ୍ରମାଣିକଙ୍କୁ ବିଜେପି ଦଳରେ ସାମିଲ୍ କରାଇଥିଲା। ବିଜେପି ମଧ୍ୟ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ​​ଲୋକସଭା ଟିକେଟ ଦେଇଥିଲା। ବିଜେପିରୁ ଟିକେଟ ପାଇବା ପରେ ନୀତୀଶ ପ୍ରମାଣିତ କୁଚ ବିହାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ନିର୍ବାଚିତ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆସନ ପୂର୍ବରୁ ଟିଏମସି ଦଖଲରେ ଥିଲା। କିନ୍ତୁ ନୀତୀଶଙ୍କ ଭାବମୂର୍ତ୍ତି ଆଗରେ ଶାସକ ଦଳର ପ୍ରାର୍ଥୀ ହାରିଥିଲେ। ଏବେ ସେ ଦୁଇ ବର୍ଷ ପରେ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଆଉ ପ୍ରଥମ ଥର ପାଇଁ କୁଚ ବିହାରର ଜଣେ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

ମୋଦି କ୍ୟାବିନେଟରେ ‘ହନୁମାନ’ଙ୍କୁ ଅପମାନ …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ମୋଟ୍ ୪୩ ଜଣ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଏହି ମନ୍ତ୍ରୀ ତାଲିକାରେ ଏଲଜେପି ସାଂସଦ ପଶୁପତି ପାରସ ରହିଛନ୍ତି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯିବ ବୋଲି ସୂଚନା ମିଳିସାରିଛି। ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକରେ ମଧ୍ୟ ସାମିଲ୍ ଥିବା ନେଇ ସୂଚନା ରହିଛି। ତେବେ ପାରସ ମନ୍ତ୍ରୀ ହେଉଥିବା ଜଣାପଡ଼ିବା ପରେ ଅସନ୍ତୋଷ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ଏଲଜେପି ସାଂସଦ ଚିରାଗ ପାସଓ୍ୱାନ। ଯିଏକି ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ୱାନଙ୍କ ପୁଅ। ସେ କହିଛନ୍ତି, ଏଲଜେପିରୁ ପଶୁପତି ପାରସ ଦଳ ବିରୋଧୀ ହେତୁ ଦଳରୁ ବହିଷ୍କୃତ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି। ଦଳ ଏହାକୁ ବିରୋଧ କରୁଛି। ପ୍ରଧାନମନ୍ତ୍ରୀଙ୍କ ଅଧିକାର ରହିଛି ସେ କାହାକୁ ମନ୍ତ୍ରୀ କରାଇବେ। ଏଥିପ୍ରତି ଦଳ ଏବଂ ତାଙ୍କର ସମ୍ମାନ ରହିଛି। କିନ୍ତୁ ପାରସ ଏଲଜେପିର ସଦସ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ ବୋଲି ବିହାର ବିଧାନସଭା ନିର୍ବାଚନ ବେଳେ କହିଥିଲେ ଚିରାଗ। ଏଭଳି ପରିସ୍ଥିତିରେ ପାରସ ମୋଦି କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି। ଯାହାକୁ ନିଜେ ହନୁମାନ ବିରୋଧ କରୁଛନ୍ତି। ଯେହେତୁ ଚିରାଗଙ୍କ ଅନିଚ୍ଛା ସତ୍ତ୍ୱେ ପାରସ ମନ୍ତ୍ରୀ ହେବାକୁ ଯାଉଛନ୍ତି ତେଣୁ ଏହା ଚିରାଗଙ୍କ ପାଇଁ ଅପମାନ। ଏହାର କାରଣ ହେଉଛି ଚିରାଗ ପାସୱାନ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିନାହାଁନ୍ତି, ବରଂ ନିର୍ବାଚନ ସମୟରେ ସେ ତାଙ୍କର ବିଶ୍ୱସ୍ତତ ବୋଲି ମଧ୍ୟ ପ୍ରମାଣ କରିଛନ୍ତି।ଯେତେବେଳେ ଏଲଜେପିର ପ୍ରତିଷ୍ଠାତା ରାମ ବିଲାସ ପାସୱାନ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ସହ ମେଣ୍ଟ କରିବାକୁ ରାଜି ହୋଇନଥିଲେ, ସେତେବେଳେ ଚିରାଗ ହିଁ ​​ବିଜେପି ସହିତ ରହିବାକୁ ରାମବିଳାଶଙ୍କୁ ପ୍ରବର୍ତ୍ତାଇଥିଲେ। ଏହା ବ୍ୟତୀତ, ବିହାର ବିଧାନସଭା ନିର୍ବାଚନରେ ​​ଚିରାଗ ପାସୱାନଙ୍କ ଏଲଜେପି ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ବିରେୋଧରେ ପ୍ରାର୍ଥୀ ଦେଇନଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ବିରୋଧୀ ମୋଦି ସରକାରଙ୍କୁ କୃଷି ଆଇନ, ନାଗରିକତ୍ୱ ଆଇନ ଉପରେ ଘନ ଘନ ଆକ୍ରମଣ କରୁଥିଲେ ସେତେବେଳେ ଚିରାଗ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ଡା ହର୍ଷବର୍ଦ୍ଧନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା, ଓଡ଼ିଶାରୁ ମନ୍ତ୍ରୀ ହେବେ ୨ ଜଣ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିବା ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଶେଷରେ ଇସ୍ତଫା ଦେଇଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି। ଏହାର ଅର୍ଥ ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭର ମୁକାବିଲା କରିବା ପାଇଁ ଦେଶର ଜଣେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ରଣନୀତି ପ୍ରସ୍ତୁତ କରିବେ। ନୂଆଦିଲ୍ଲୀରୁ ସାଂସଦ ହୋଇଥିବା ହର୍ଷବର୍ଦ୍ଧନ ୨୦୧୯ରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାମ କରୁଥିଲେ। ମହାମାରୀ କରୋନାର ଦ୍ୱିତୀୟ ୱେଭକୁ ସରକାର ଠିକ ଭାବେ ମୁକାବିଲା କରିପାରୁ ନଥିବାରୁ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିଲେ। ସେହିପରି ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ଜିତିବା ପରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କୁ ଏମଏସ୍‌ଏମଇ ସହ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଏହି ପଦରେ ପ୍ରାୟ ୨ ବର୍ଷ ରହିବା ପରେ ସେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ହେବାକୁ ଯାଉଥିବାରୁ ପ୍ରତାପଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ସୂଚନାଯୋଗ୍ୟ, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨ ଜଣ ସଦସ୍ୟ ସ୍ଥାନ ପାଇବେ। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଟୁଡୁ ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବେ। ଏହି ଦୁଇ ଜଣ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ମୋଦିଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହାକୁ ମିଶାଇ ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ଭାବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାମ କରିବେ।

ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ମୟୂରଭଂଜ ସାଂସଦ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। କେନ୍ଦ୍ରମନ୍ତ୍ରୀ ରେସ୍‌ରେ ଅଛନ୍ତି ବିଶ୍ୱେଶ୍ୱର। ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶର ବିଜେପିର ସହ ପ୍ରଭାରୀ ଥିବା ବିଶ୍ୱେଶ୍ୱର ବିଜେପିର ରାଷ୍ଟୀୟ ସମ୍ପାଦକ ଅଛନ୍ତି । ଶ୍ରୀ ଟୁଡୁ ବର୍ତ୍ତମାନ ରାଜ୍ୟ ବିଜେପି ଅନୁସୂଚୀତ ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ୱେଶ୍ୱର ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନୀମଣ୍ଡଳରୁ ବିଜେପି ପକ୍ଷରୁ  ପ୍ରତିନିଧିତ୍ୱ କରିଥିଲେ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ସେହିପରି ଓଡ଼ିଶାରୁ ଆଉ ଦୁଇ ଚେହେରା ଅଶ୍ୱନିବୈଷ୍ନବ ଓ ବୈଜୟନ୍ତ ପଣ୍ଡାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିଲା ବେଳେ ଏବେ ସୁଦ୍ଧା ଅଛନ୍ତି ମାତ୍ର ୫୩ ମନ୍ତ୍ରୀ । ଅର୍ଥାତ୍ ଏବେ ବି ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ପ୍ରଧାନମନ୍ତ୍ରୀଙ୍କ ପାଖରେ ବିକଳ୍ପ ରହିଛି । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯିବ। ତେଣୁ ଉତ୍ତର ପ୍ରଦେଶରୁ ଅଧିକ ସଦସ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ସେହିପରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ମଧ୍ୟ ଫୋକସରେ ରଖାଯାଇଛି। ବିଶେଷ କରି ପ୍ରଶାସନିକ ସେବାର ଦକ୍ଷତା ରଖିଥିବା ନେତାଙ୍କୁ ମନ୍ତ୍ରୀ ପଦ ମିଳିବ।  ପଛୁଆ ବର୍ଗର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ନିଜର ଭୋଟ ବ୍ୟାଙ୍କକୁ ଆହୁରି ମଜଭୂତ କରିବାକୁ ଚାହୁଁଛି। ଉତ୍ତର ପ୍ରଦେଶ ବ୍ରାହ୍ମଣ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ। ରବିକିଶନ, ଅଜୟ ମିଶ୍ରା ଓ ହରିଶ ଦ୍ୱିବେଦୀ ମନ୍ତ୍ରୀ ପଦ ପାଇବା ରେସ୍‌ରେ ଅଛନ୍ତି। ଅର୍ଜୁନ ମେଘୱାଲ ବର୍ତ୍ତମାନ ସଂସଦୀୟ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି। ତାଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ମନ୍ତ୍ରୀ ପଦ ମିଳିବ। କାରଣ ଏହି ପଦରେ ଥିବା ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକା ରାଜ୍ୟପାଳ ଭାବେ ଗତକାଲି ନିଯୁକ୍ତି ପାଇଛନ୍ତି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କଂଗ୍ରେସରୁ ବିଜେପିକୁ ଆସି ରାଜ୍ୟସଭା ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯିବ। ଏଥିପାଇଁ ଗତକାଲି ଠାରୁ ସେ ଦିଲ୍ଲୀରେ ଡେରା ପକାଇଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ନାରାୟଣ ରାଣେ, ଏଲଜେପିର ପଶୁପତି ପାରସ, ଆପନା ଦଳର ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ବରୁଣ ଗାନ୍ଧି, ଆରସିପି ସିଂହ, ଲଲନ୍ ସିଂହ, ରାହୁଲ୍ କାସୱାନ ଓ ସିପି ଯୋଶୀଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି।

୮ ଜୁଲାଇ, ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଶୁଭଫଳ ପ୍ରାପ୍ତି ହେବ।

ବୃଷ: କେହି ଜଣେ ଭଲ ବନ୍ଧୁ ଦୂରେଇଯିବା କାରଣରୁ ମନ ଅସ୍ଥିର ରହିପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

ମିଥୁନ: ଅସୁସ୍ଥ ଅନୁଭବ କରିବେ। ଅନାବଶ୍ୟକ ଖର୍ଚ୍ଚ ହେବ। ରାଜନୀତି, କଳା ଓ ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ।

କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ହୋଇପାରେ। ଠକାମୀରେ ପଡ଼ିପାରନ୍ତି।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। ଅଟକି ରହିଥିବା କାମଟିକୁ ସଂପୂର୍ଣ୍ଣ କରିବେ। ଆର୍ଥିକ ସଙ୍କଟକୁ ନେଇ ଚିନ୍ତିତ ରହିବେ।

କନ୍ୟା: ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ କବଳିତ କରିପାରେ। ବ୍ୟବସାୟରେ ସମସ୍ୟା ଲାଗି ରହିବ।

ତୁଳା: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ଅସାବଧାନତା କାରଣରୁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି।

ଧନୁ: ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଉତ୍ତମ ବୁଝାମଣା କାରଣରୁ ପରିବାରରେ ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରହିବ।

ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଭାଇମାନଙ୍କ ସହିତ ମତଭେଦ ଦେଖାଦେଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନା କଲେ ଭଲ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ନିନ୍ଦିତ ହୋଇପାରନ୍ତି। ଆଶା ପୂରଣ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

ମୀନ: ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ।