ଆଇଟି ଆକ୍ଟ ୬୬ଏ ରଦ୍ଦ ପରେ ବି ବ୍ୟବହାର ହେଉଛି, କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମାର୍ଚ୍ଚ ୨୪, ୨୦୧୫ରେ ଆଇଟି ଆକ୍ଟର ଧାରା ୬୬ଏ ରଦ୍ଦ ହୋଇଛି। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏହି ଧାରାକୁ ରଦ୍ଦ କରିଥିଲେ। ହେଲେ ଏହାପରେ ବି ସାରା ଦେଶର ପୁଲିସ ୬୬ଏକୁ ବ୍ୟବହାର କରି ମାମଲା ରୁଜୁ କରୁଛନ୍ତି। ମୁଖ୍ୟତଃ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ବେଳେ ପୁଲିସ ଧାରା ୬୬ଏକୁ ବ୍ୟବହାର କରୁଛି। ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହିଚ ଚିନ୍ତାପ୍ରକଟ କରିଛନ୍ତି। ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଆର ନରିମନ, କେଏମେ ଜୋସେଫ୍ ଏବଂ ବିଆର ଗଭାଇ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯାହା ବି ହେଉଛି? ଦୁଇ ସପ୍ତାହ ମଧ୍ୟରେ ଏହାର ଜବାବ କେନ୍ଦ୍ର ସରକାର ରଖିବା ଦରକାର ବୋଲି କୋର୍ଟ କହିଛନ୍ତି। ପିପୁଲ ୟୁନିଅନ ଫର ସିଭିଲ ଲିବର୍ଟିଜ (ପିୟୁସିଏଲ) ଏ ନେଇ ଏକ ଆବେଦନ କରିଥିଲା। ଏହି ଆବେଦନ ଉପରେ କୋର୍ଟ ପ୍ରଥମେ ବିଚାର କରି ନୋଟିସ କରିଥିଲେ। ଏବେ ଏହି ଧାରା ଅନୁଯାୟୀ କେତୋଟି ମାମଲା ରୁଜୁ ହୋଇଛି ସେ ନେଇ କୋର୍ଟ ଜବାବ ମାଗିଛନ୍ତି। ଆବେଦନକାରୀଙ୍କ ଓକିଲ ସଞ୍ଜୟ ପାରିଖ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ଧାରା ରଦ୍ଦ ହେବା ସତ୍ତ୍ୱେ ବ୍ୟବହାର ହେଉଛି। ତେଣୁ ମୋଟ୍ କେତୋଟି ମାମଲା ରୁଜୁ ହୋଇଛି ସର୍ବଭାରତୀୟ ସ୍ତରରେ ଏହି ଧାରା ଅନୁଯାୟୀ କୋର୍ଟ ଏ ନେଇ କେନ୍ଦ୍ରକୁ ଜବାବ ମାଗିବା ଦରକାର ବୋଲି ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଏହି ଧାରା ରଦ୍ଦ ହେବା ବେଳେ ୧୧ଟି ରାଜ୍ୟରେ ମୋଟ୍ ୨୨୯ଟି କେସ ପେଣ୍ଡିଂ ଥିଲା। କିନ୍ତୁ ଧାରା ୬୬ଏ ରଦ୍ଦ ହେବା ପରେ ୧,୩୦୭ଟି ମାମଲା ରୁଜୁ ହୋଇଛି। ୫୦୭ଟି କେସ୍ ପେଣ୍ଡିଂ ରହିଛି। ଆବେଦନକାରୀଙ୍କ ଓକିଲ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶର ସମସ୍ତ ଜିଲ୍ଲା କୋର୍ଟ ଏବଂ ପ୍ରଶାସନକୁ ଏହି ଧାରା ୬୬ଏ ରଦ୍ଦ ହୋଇଛି ବୋଲି ବିଜ୍ଞପ୍ତି ପଠାଇବାକୁ ପେବୃଆରୀ ୧୫, ୨୦୧୯ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାପରେ ବି ୬୬ଏ ରଦ୍ଦ ହେଉଛି। ତେବେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଛନ୍ତି, ଯଦିଓ ଧାରା ୬୬ଏ ରଦ୍ଦ ହୋଇଛି। ହେଲେ ଆଇନର ମୂଳ ଧାରରେ ଏ ବାବଦରେ ଉଲ୍ଲେଖ ହୋଇନାହିଁ। ଯେଉଁଠି ଏହି ଆଇନ ବାବଦରେ ଉଲ୍ଲେଖ ରହିଛି ସେଠାରେ ଶେଷରେ ରଦ୍ଦ ହୋଇଛି ବୋଲି ଉଲ୍ଲେଖ ରହିଛି। ତେଣୁ ପୁଲିସ ମାମଲା ରୁଜୁ କରିବା ବେଳେ ବୁଝୁଛି ମୂଳ ଆଇନରେ ଧାରା ୬୬ଏ ରଦ୍ଦ ହୋଇନି। ତେଣୁ ପୁଲିସ ଧାରା ୬୬ଏକୁ ବ୍ୟବହାର କରୁଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୪, ୨୦୧୫ରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଦୁଇ ଦିନ ପାଇଁ ମୁମ୍ୱାଇ ବନ୍ଦ ରହିଥିଲା। ଏହାକୁ ପ୍ରତିବାଦ କରି ଫେସବୁକରେ ଦୁଇ ମହିଳା ଏହାକୁ ବିରୋଧ କରିଥିଲେ। ପରେ ପୁଲିସ ଗିରଫ କରିଥିଲା। ଏହାକୁ ବିରୋଧ କରି ଜଣେ ଆଇନଜୀବୀର ଛାତ୍ର ମାମଲା ଦାୟର କରିଥିଲେ। ପରୋ କୋର୍ଟ ମାମଲାର ଶୁଣାଣି କରି ଧାରା ୬୬ଏକୁ ରଦ୍ଦ କରିଥିଲେ।

ତିରଥ ମୁଖ୍ୟମନ୍ତ୍ରୀ ଆସନ ହରାଇଲେ, ଏବେ ମମତାଙ୍କ ପାଳି…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଖିଲେ ରାଗରେ ଫଁ ଫଁ ହେଉଥିବା ମମତା ନିକଟରେ ଏହି ଦୁଇ ନେତାଙ୍କ ପାଖକୁ ଆମ୍ୱ ପଠାଇଛନ୍ତି। ଆଉ ବିବାଦ ନୁହେଁ ଆମ୍ୱ ରସ ପିଇ ଆଗକୁ ଏକାଠି ହୋଇ କାମ କରିବା ବୋଲି ଏହି ଉପହାରର ରାଜନୀତିକ ଭାଷା ବୋଲି ବୁଝାଯାଉଛି। କିନ୍ତୁ ଆମ୍ୱ ଉପହାରର ଅସଲ ଉଦ୍ଦେଶ୍ୟ କିଛି ଅଲଗା ରହିଛି। କାରଣ ମୋଦି ନଚାହିଁଲେ ମମତା ହୁଏତ ମୁଖ୍ୟମନ୍ତ୍ରୀ ଆସନ ହରାଇପାରନ୍ତି। ଚାରି ମାସରୁ କମ୍ ସମୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସାମ୍ୱିଧାନିକ ସଙ୍କଟକୁ ହେବ ଦେଖି ଇସ୍ତଫା ଦେଇଛନ୍ତି ତିରଥ ସିଂ ରାଓ୍ୱତ। ଏବେ ନୂଆ ମଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ। ତେବେ ତିରଥ ଇସ୍ତଫା ଦେବାର କାରଣ ବିଜେପିକୁ ଯେତିକି ବ୍ୟଥିତ କରିନି ସେତିକି ବ୍ୟଥିତ କରିଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ। କାରଣ ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତା ବାନାର୍ଜୀ ବିଜେପି ନେତା ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାସ୍ତ ହୋଇଛନ୍ତି। ମମତା ନିର୍ବାଚନ ହାରିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତେଣୁ ତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ମେ ମାସରେ ସେ ଶପଥ ନେଇଥିବାରୁ ନଭେମ୍ୱର ସୁଦ୍ଧା ସେ ନିର୍ବାଚିତ ହୋଇ ବିଧାନସଭାକୁ ଯିବା ଦରକାର। ଏହାରି ଭିତରେ କିନ୍ତୁ କୋଭିଡ୍ ପାଇଁ ନିର୍ବାଚନ  ପ୍ରକ୍ରିୟା ଉପରେ ରୋକ୍ ଲାଗିଛି। ଅନ୍ୟପଟେ ସରକାରୀ ବିଶେଷଜ୍ଞ ଟିମ୍ କହିଛନ୍ତି ସାମାଜିକ ଦୂରତା ଏବଂ ମାସ୍କ ନପିନ୍ଧିଲେ ଆଗାମୀ ଦିନରେ ସେପ୍ଟେମ୍ୱରରୁ ନଭେମ୍ଲର ମଧ୍ୟରେ କୋଭିଡର ତୃତୀୟ ଲହର ପିକରେ ପହଞ୍ଚିପାରେ। ତେଣୁ କେନ୍ଦ୍ର ସରକାର ମଧ୍ୟ କୋଭିଡ କଟକଣାର କୌଣସି ପ୍ରକାର ଅବହେଳ ନହେବା ଦରକାର ବୋଲି  ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାର୍ଚ୍ଚ ମାସରେ ସାଂସଦ ତିରଥ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ ବିଧାନସଭାର ସଦସ୍ୟ ହୋଇନଥିବାରୁ ୬ ମାସ ମଧ୍ୟରେ ଅର୍ଥାତ୍ ସେପଟେମ୍ୱର ମଧ୍ୟରେ ନିର୍ବାଚିତ ହେବାକୁ ପଡ଼ିବ। କିନ୍ତୁ କୋଭିଡ ପାଇଁ ନିର୍ବାଚନ କମିଶନ ଉପ ନିର୍ବାଚନ ବାବଦରେ ନିରବ ରହିଛନ୍ତି। ଆକଳନ କରାଯାଉଥିଲା ଶାସକ ଦଳ ବିଜେପି ନିର୍ବାଚନ କମିଶନଙ୍କ ଉପରେ ଚାପ ପ୍ରୟୋଗ କରି ଉତ୍ତରାଖଣ୍ଡରେ ନିର୍ବାଚନ କରାଇପାରେ। କାରଣ ଏହି ରାଜ୍ୟରେ କୋଭିଡର ସ୍ଥିତି ଏତେ ଖରାପ ନାହିଁ। ହେଲେ ନିର୍ବାଚନ କମିଶନ ଉପନିର୍ବାଚନ ନେଇ ନିରବ ରହିବା ପରେ ତିରଥ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ମମତା ମେ ୫ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ନଭେମ୍ୱର ୫ ସୁଦ୍ଧା ସେ ବିଧାନସଭାକୁ ନିର୍ବାଚିତ ହେବା ଦରକାର। ରାଜ୍ୟରେ କୋଭିଡ ପରିସ୍ଥିତି ବେଳେ ବିଧାନସଭା ନିର୍ବାଚନ ହୋଇଛି। ହେଲେ ଉପ ନିର୍ବାଚନ ବାବଦରେ ନିର୍ବାଚନ କମିଶନ କାହିଁକି ଘୋଷଣା କରୁନି ସେ ନେଇ ମମତା ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଯଦି ପିଏମ୍ ଗ୍ରୀନ ସିଗନାଲ ଦିଅନ୍ତି ତାହେଲେ ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ଘୋଷଣା କରିପାରେ। ପଶ୍ଚିମବଙ୍ଗରେ ଏବେ ୭ଟି ବିଧାନସଭ ଆସନରେ ନିର୍ବାଚନ ହେବ। ମମତା ନିନ୍ଦିଗ୍ରାମରେ ନିର୍ବାଚନ ଲଢି ପରିଣାମ ଭୋଗିବା ପରେ ଏବେ ତାଙ୍କର ପୂର୍ବତନ ବିଧାନସଭା ଆସନ ଭାବାନିପୁରରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ନିର୍ବାଚନ ବେଳେ ଭବାନୀପୁରରୁ ନିର୍ବାଚିତ ହୋଇଥିବା ଟିଏମସି ବିଧାୟକ ଇସ୍ତଫା ଦେଇଛନ୍ତି। ସେହିପରି ବିଜେପିର ଦୁଇ ସାଂସଦ ବିଧାନସଭା ଆସନରେ ଜିତିଥିଲେ ମଧ୍ୟ ଇସ୍ତଫା ଦେଇଛନ୍ତି। ସେହିପରି ଆଉ ଦୁଇଟି ଆସନରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ଭୋଟ୍ ଗ୍ରହଣ ପୂର୍ବରୁ ପ୍ରାଣ ହରାଇଥିଲେ। ତେଣୁ ମୋଟ୍ ୭ଟି ଆସନରେ ତେଣୁ ଉପନିର୍ବାଚନ ହେବ। ନିଜେ ମୁଖ୍ୟମନ୍ତ୍ରୀ ମମତା ଏବଂ ତାଙ୍କ ସରକାରର ଅର୍ଥ ଏବଂ କୃଷି ମନ୍ତ୍ରୀ ବିଧାନସଭାର ସଦସ୍ୟ ହୋଇନଥିବାରୁ ଏବେ ଚିନ୍ତିତ। ଯଦିଓ ମମତା ବାନାର୍ଜୀ କୋଭିଡରେ ସଂକ୍ରମିତ ନହୋଇ ସୁସ୍ଥ ରହିଛନ୍ତି। ହେଲେ କୋଭିଡ ପାଇଁ ଉପୁଜିଥିବା ପରିସ୍ଥିତି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ନେଇ ଯାଇପାରେ। ଅନ୍ୟପଟେ ବିଧାନସଭା ନିର୍ବାଚନ ବେଳେ ଦୁଇ ଟିଏମସି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ତେଣୁ ଏବେ ଏହି ଦୁଇ ଆସନରେ ଉପନିର୍ବାଚନ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ଏହି ନିର୍ବାଚନରେ ବିଧାୟକ ମାନେ ଭାଗ ନେବେ ତେଣୁ ନିର୍ବାଚନ କରିବାକୁ ଆଗ୍ରହ ଦେଖାଇଛନ୍ତି ନିର୍ବାଚନ କମିଶନ।

ଅଧୀରଙ୍କୁ ବଳି ପକାଇ ଦିଦିଙ୍କୁ ଖୁସି କରାଇବ କଂଗ୍ରେସ ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜୁନ୍ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ କଂଗ୍ରେସର ଲୋକସଭାର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ତଥା ବିରୋଧୀ ଦଳ ନେତା ପଦରୁ କଂଗ୍ରେସ ହଟାଇବାକୁ ଯୋଜନା କରୁଛି। ଦଳ ଏଭଳି ବିଚାର କରିବା ପଛର ଦୁଇଟି ତର୍କ ଏବେ ସାମ୍ନାକୁ ଆସିଛି। ଗୋଟିଏ ହେଉଛି ଉଭୟ ସଂସଦ ଏବଂ ବାହାରେ ଶାସକ ବିଜେପିକୁ ଘେରିବାରେ ଅଧୀର ବିଫଳ ହୋଇଛନ୍ତି ଆଉ ଗୋଟିଏ କାରଣ ମମତା ବାନାର୍ଜୀଙ୍କ ନିକଟତର ହେବାକୁ ଯାଇ ଅଧୀରଙ୍କୁ ବଳି ପକାଇବାକୁ କଂଗ୍ରେସ ବିଚାର କରୁଥିବା ସୂଚନା ରହିଛି। ସୂଚନା ଅନୁଯାୟୀ ଅଧୀର ଏବଂ ମମତା ପରସ୍ପରକୁ କଂଗ୍ରେସ ଦିନରୁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଚାର କରୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଅଧିରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିବା ବେଳେ କଂଗ୍ରେସ ଚିତପଟାଙ୍ଗ ମାରିଛି। ଏବେ ବିଜେପି ବିରୋଧରେ ମମତାଙ୍କ ଟିଏମସି ଅଧିକ ଆକ୍ରମଣାତ୍ମକ ରହିଛି। ତେଣୁ ଆଗକୁ ୟୁପି ବିଧାନସଭା ନିର୍ବାଚନ ସହିତ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଟିଏମସି ବିଜେପି ପାଇଁ ଅଧିକ ଚ୍ୟାଲେଞ୍ଜ ହେବ। ତେଣୁ ଏବେ ଟିଏମସି ସହିତ ମତଭେଦ ଦୂର କରି ମୋଦିଙ୍କୁ କେମିତି କ୍ଷମତାରୁ ହଟାଇ ହେବ ସେ ନେଇ ପ୍ରୟାସ ହେବା ଦରକାର ବୋଲି କଂଗ୍ରେସ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ରଫ୍ ଖାତାରେ ରାଜନୀତିର ଗଣିତ କଷି ଏଭଳି ବିଚାର କରୁଛି। ଏବେ ବିରୋଧୀ ଦଳ ନେତା ଭାବରେ ମନୀଷ ତେୱାରୀ କିମ୍ବା ଶଶି ଥରୁରଙ୍କୁ କଂଗ୍ରେସ ବସାଇପାରେ। ତିୱାରୀ ପଞ୍ଜାବର ଆନନ୍ଦପୁର ସାହିବର ସାଂସଦ କିନ୍ତୁ ପୂର୍ବ ୟୁପିରେ ତାଙ୍କର ଭୋଟ୍ ବ୍ୟାଙ୍କ ରହିଛି। ସେହିପରି ମମତା ବାନାର୍ଜୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଏଥିସହ ସେ ଜଣେ ବ୍ରାହ୍ମଣ ନେତା। ସେହିପରି କେରଳ ସାଂସଦ ଶଶୀ ଥରୁର ଅନେକ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କରି ହଲାପଟା କରିଛନ୍ତି। ହେଲେ ଅଧୀରଙ୍କୁ ଏହି ପଦରୁ ହଟାଇବା ସେପର୍ଯ୍ୟନ୍ତ ସମ୍ଭବ ନୁହେଁ ଯେ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଗ୍ରୀନ ସିଗନାଲ ଦେଇ ନାହାନ୍ତି। କାରଣ ସେ ରାହୁଲଙ୍କ ନିକଟତମ ବ୍ୟକ୍ତି। ସେହିପରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବିରୋଧୀ ଦଳର ନେତା ଭାବରେ ଦଳର କିଛି ସାଂସଦ ସମର୍ଥନ କରୁଥିବା ଜଣାପଡ଼ିଛି। ହେଲେ ରାହୁଲ ଏହି ପଦ ପାଇଁ ନିଜକୁ ପ୍ରସ୍ତୁତ କରିନଥିବା ୨୦୧୯ସାଧାରଣ ନିର୍ବାଚନରେ ପରାଜୟ ପରେ ଦେଇ ସାରିଛନ୍ତି। ଉଭୟ ଥରୁର ଏବଂ ତିୱାରୀ ଜି -୨୩ଗୋଷ୍ଠୀର ରହିଛନ୍ତି। ଯେଉଁମାନେ ଦସ୍ତଖତ କରି ସୋନିଆ ଗାନ୍ଧୀଙ୍କୁ କହିଥିଲେ ଦଳରେ ବ୍ୟାପକ ସଂସ୍କାର ଆଣିବାକୁ ହେଲେ ଆମୁଳ ଚୂଳ ପରିବର୍ତ୍ତନ ହେବା ଦରକାର। ଏହାପରେ ସୋନିଆ ଗାନ୍ଧୀ ଯଦିଓ ଦାବି ଶୁଣିବାକୁ ରାଜି ହୋଇଛନ୍ତି। ଆଗାମୀ ଦିନରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି। ହେଲେ ଏହି ଜି-୨୩ ନେତା ଏବେ କୋଣଠେସା।

 

ସବୁ ଖେଳାଳି ମସ୍ତିରେ ମସଗୁଲ୍, ହେଲେ ଲଣ୍ଡନ ରାସ୍ତାରେ ସିରାଜ୍ କରୁଛନ୍ତି ଏମିତି କାମ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ହୁଏତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳିବାକୁ ସୁଯୋଗ ମିଳିନାହିଁ। କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ସେ ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଆଶାବାଦୀ ଅଛନ୍ତି। ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପରେ ସବୁ ଭାରତୀୟ ଖେଳାଳି ବାୟୋ-ବବଲରୁ ବାହାରି ପରିବାର ସହ ଛୁଟି ମନାଉଛନ୍ତି। କିନ୍ତୁ ସିରାଜ ଖାଲି ସମୟ ଉପଯୋଗ ନିଜକୁ ଫିଟ୍ କରାଇବାରେ ଲାଗିଛନ୍ତି। ସିରାଜ୍ ସୋଶାଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କୁ ଇଂଲଣ୍ଡର ରାସ୍ତାରେ ନିର୍ମିତ ପାହାଚରେ ୱାର୍କ ଆଉଟ୍ କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି। ସିରାଜ୍ ଭିଡିଓ ଶେଆର୍ କରି ୱାର୍କଆଉଟ୍ କରୁଥିବା ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ପେସ୍ ବୋଲର ସିରାଜଙ୍କୁ ପାହାଚରେ ଦ୍ରୁତ ଗତିରେ ଚଢ଼ୁଛନ୍ତି ଏବଂ ଏହାସହ ତଳକୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି। ସିରାଜ୍ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିଲେ। ସିରାଜ୍ ନିଜର ଡେବ୍ୟୁ ସିରିଜରେ ଦମଦାର ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହା ପରେ ସେ ଯେତିକି ସୁଯୋଗ ପାଇଛନ୍ତି, ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ତାଙ୍କୁ ସୁଯୋଗ ମିଳିନଥିଲା। ଫାଇନାଲ୍ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଯଦି ସିରାଜ୍ ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥାନ୍ତେ, ତାହେଲେ ପରିଣାମ ଅଲଗା ହୋଇଥାନ୍ତା ବୋଲି ଅନେକେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଅଗଷ୍ଟରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ନଟ୍ଟିଂହାମରେ ଖେଳାଯିବ। ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ମୋଟ ୫ଟି ଟେଷ୍ଟ ଖେଳିବ। ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ଯାଏ ଖେଳାଯିବ।

ଶାସ୍ତ୍ରୀଙ୍କ ସ୍ଥାନ ନେବେ କି ଦ୍ରାବିଡ? ବଡ଼ ବୟାନ ଦେଲେ କପିଲ୍ ଦେବ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ ଇଣ୍ଡିଆର ହେଡ୍ କୋଚ୍ ରବି ଶାସ୍ତ୍ରୀ ସିନିୟର ଖେଳାଳିଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟରେ ବେଞ୍ଚ ଷ୍ଟ୍ରେନ୍ଥକୁ ମଜଭୁତ୍ କରିବା ଲାଗି ରାହୁଲ୍ ଦ୍ରାବିଡଙ୍କୁ କୋଚ୍ ଦାୟିତ୍ୱ ଦିଆଯାଇଛି। ଜୁଲାଇ ୧୩ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଦ୍ରାବିଡଙ୍କୁ ଭାରତୀୟ ଦଳର କୋଚ୍ କରାଯାଇଛି। ଏଭଳି ସ୍ଥିତିରେ ଏବେ ସବୁଠି ଗୋଟିଏ ପ୍ରଶ୍ନ ଯେ ଶାସ୍ତ୍ରୀଙ୍କ ସ୍ଥାନରେ କ’ଣ ଦ୍ରାବିଡ୍ ଭାରତୀୟ ଟିମର ପରବର୍ତ୍ତୀ କୋଚ୍ ହେବେ କି? ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ। ବିଶ୍ୱକପ୍ ବିଜେତା କ୍ୟାପଟେନ୍ କପିଲ୍ ଦେବ ଶାସ୍ତ୍ରୀଙ୍କ ସମ୍ବନ୍ଧରେ କହିଛନ୍ତି, ମୋତେ ଲାଗୁନି ଯେ ଏ ବିଷୟରେ କହିବାର କିଛି ଆବଶ୍ୟକତା ଅଛି। ଆଗ ଶ୍ରୀଲଙ୍କା ସିରିଜକୁ ଶେଷ ହେଉ, ତାପରେ ଜଣାପଡ଼ିବ ଆମର ପ୍ରଦର୍ଶନ କେମିତି ରହିଲା। ଯଦି ଆପଣ ନୂଆ କୋଚଙ୍କୁ ସୁଯୋଗ ଦେବାକୁ ପ୍ରୟାସ କରୁଛନ୍ତି, ତାହେଲେ ଏଥିରେ କୌଣସି ଭୁଲ୍ ନାହିଁ। ଯଦି ରବି ଶାସ୍ତ୍ରୀ ଭଲ କାମ କରିବା ଜାରି ରଖନ୍ତି, ତାହେଲେ ତାଙ୍କୁ ହଟାଇବାର କୌଣସି ଆବଶ୍ୟକ ନାହିଁ। ସମୟ ସବୁ କହିବ। ମୋ ମତରେ ଏଭଳି ଆଲୋଚନା ଉଭୟ କୋଚ୍ ଓ ଖେଳାଳିଙ୍କ ଉପରେ ଅଯଥା ଚାପ ପକାଇବ। କପିଲ୍ ଦେବ ଆହୁରି କହିଛନ୍ତି, ଭାରତ ପାଖରେ ଏକ ବଡ଼ ବେଞ୍ଚ୍ ଷ୍ଟ୍ରେନ୍ଥ ରହିଛନ୍ତି। ଯଦି ଖେଳାଳିମାନେ ସୁଯୋଗ ପାଆନ୍ତି ଏବଂ ଭାରତ ଦୁଇଟି ଟିମ୍ ଏକକାଳୀନ ଖେଳାଇ ଇଂଲଣ୍ଡ ଓ ଶ୍ରୀଲଙ୍କାରେ ବିଜୟ ପାଇଁ ଦାବି କରେ, ତାହେଲେ ଏହାଠାରୁ ବଡ଼ ଆଉ କିଛି ହୋଇନପାରେ। ଯଦି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁଛି, ତାହେଲେ କିଛି ଖରାପ ନୁହେଁ। କିନ୍ତୁ ଏକା ସାଙ୍ଗରେ ଦୁଇ ଟିମ ଉପରେ ଚାପ ପକାଯିବା ଉଚିତ୍ ହେବ କି ନାହିଁ, ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ।ସୂଚନାଯୋଗ୍ୟ, ରବି ଶାସ୍ତ୍ରୀଙ୍କ କୋଚିଂରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଭଲ ରହିଆସିଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଶାସ୍ତ୍ରୀଙ୍କ କୋଚିଂରେ ଟିମ୍ ଇଣ୍ଡିଆ ଦୁଇଥର ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ହରାଇବାରେ ସଫଳ ହୋଇଛି। ଅନ୍ୟ ବିଦେଶ ଗସ୍ତରେ ମଧ୍ୟ ଭାରତର ପ୍ରଦର୍ଶନରେ ଅନେକ ସୁଧାର ଆସିଛି। କିନ୍ତୁ ଶାସ୍ତ୍ରୀଙ୍କ କୋଚିଂରେ ଭାରତ ଥରେ ବି ଆଇସିସି ଟ୍ରଫି ଜିତିପାରିନାହିଁ। ଅନ୍ୟପକ୍ଷରେ ଦ୍ରାବିଡଙ୍କ କୋଚିଂରେ ଭାରତ ୨୦୧୮ରେ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା।

କ୍ରିକେଟ୍ ଖେଳିବେ ଅନୁଷ୍କା …..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇବେ ମିସେସ୍ କୋହଲି। ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଳିଙ୍କ ଭଳି ସେ ମଧ୍ୟ ମାରିବେ ଚଉକା ଛକା । ବିରୋଧୀ ଦଳ ବଲ୍‌ର କରିବେ ସାମ୍ନା। ପଡିଆରେ କରିବେ ରନ୍‌ର ବର୍ଷା। ସେହିପରି ବଲିଂ କରି ଅନ୍ୟ ଦଳକୁ କରିବେ କ୍ଲିନ୍ ବୋଲ୍ଡ। ଅଭିନେତ୍ରୀରୁ କ୍ରିକେଟର ପାଲଟିବେ ଅନୁଷ୍କା ଶର୍ମା। ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକ୍‌ରେ ନଜର ଆସିବେ ଅନୁଷ୍କା। ଦୀର୍ଘ ଦିନ ପରେ ସେ ଏହି ଫିଲ୍ମରେ ବଡ ପରଦାକୁ ବ୍ୟାକ୍ କରିବେ। ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅନୁଷ୍କା। ହାତରେ ବଲ୍ ଏବଂ ବ୍ୟାଟ୍ ଧରି ପଡିଆରେ ଏବେ ଠାରୁ ହିଁ ଅଭ୍ୟାସ କରୁଛନ୍ତି ମିସେସ୍ କୋହଲି। ଝୁଲନ୍ ଗୋସ୍ୱାମୀଙ୍କ ଜର୍ସି ପିନ୍ଧି ଅନୁଷ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଝୁଲନ୍ ଏବଂ ଅନୁଷ୍କା ଉଭୟଙ୍କୁ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ମୁତାବକ କୁହାଯାଉଛି ଯେ, ଏହି ବାୟୋପିକ ଫିଲ୍ମର ସୁଟିଂ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଔପଚାରିକ ରୂପେ କୌଣସି ଘୋଷଣା କରାଯାଇନାହିଁ।

ଝୁଲନ୍ ଗୋସ୍ୱାମୀ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଜଣେ ଦକ୍ଷ ବୋଲର୍। ସେ ‘ଚକ୍‌ଦହା’ ଏକ୍ସପ୍ରେସ୍ ରୂପେ ବେଶ୍ ପରିଚିତ। ଝୁଲନ୍ ନିଜ ନାଁରେ ଅନେକ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୯ ବର୍ଷ ପୂରଣ କରିସାରିଥିବା ଝୁଲନ୍ ନିଜ କ୍ୟାରିଅର୍‌ରେ ୩୦୦ରୁ ଅଧିକ ୱିକେଟ ହାତେଇ ସାରିଛନ୍ତି। ଝୁଲନ୍ ଇଣ୍ଟରନ୍ୟାସନାଲ କ୍ରିକେଟରେ ୩୩୩, ୧୦୮ଟି ୱାନ୍ ଡେ’ ମ୍ୟାଚ୍‌ରେ ୨୩୬ଟି ୱିକେଟ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟ ଭାବେ ଇତିହାସ ରଚି ସାରିଛନ୍ତି।

ବିଗ୍ ବି’ଙ୍କ ବଙ୍ଗଳାରେ ବୁଲିବ ବୁଲଡୋଜର…..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବିଗ୍ ବିଙ୍କ ଘରେ ବୁଲିବ ବୁଲଡୋଜର । ବିଏମ୍‌ସି ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ଘର । ଆଉ ଏହି ବଙ୍ଗଳା ହେଉଛି ବଲିଉଡର ମହାନାୟକ ଅମିତାଭଙ୍କ ମୁମ୍ବାଇର ପ୍ରଥମ ଘର ‘ପ୍ରତିକ୍ଷା’ । ମିଳିଥିଲା ସୂଚନା ଅନୁସାରେ ଅମିତାଭଙ୍କ ଜୁହୁ ସ୍ଥିତ ବଙ୍ଗଳାର ୮ରୁ ୯ ଫୁଟ୍ ଯାଏ ଭାଙ୍ଗିପାରେ ବିଏମ୍‌ସି । ଅମିତାଭଙ୍କ ଜୁହୁ ସ୍ଥିତ ବଙ୍ଗଳାର କାନ୍ଥ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଛି ମୁମ୍ବାଇ ମହାନଗରପାଳିକା । ଏହି ପାଚେରୀ ଭାଙ୍ଗିବା ପାଇଁ ୨୦୧୭ରେ ବିଗ୍ ବି’ଙ୍କୁ ନୋଟିସ କରାଯାଇଥିଲା । ତେବେ ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ନୋଟିସର ଜବାବ ଏଯାଏଁ ବିଗ୍ ବି’ ପକ୍ଷରୁ ମିଳିନାହିଁ । ଏନେଇ ଏବେ ବିଏମ୍‌ସି ଆକ୍ସନ ମୋଡକୁ ଆସିଛି । ସେପଟେ ଏବେ ଏହି ପ୍ରସଙ୍ଗକୁ ନେଇ ଓ୍ବାର୍ଡ ନମ୍ବର  ୯୦ର କର୍ପୋରେଟର ତୁଲିପ ମିରାଣ୍ଡା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ବିଏମସି ୨୦୧୭ରେ ଅମିତାଭ ବଚ୍ଚନଙ୍କୁ ରାସ୍ତା ପ୍ରଶସ୍ତିକରଣ ନେଇ ନୋଟିସ୍‌ ଦେଇଥିଲା। କିନ୍ତୁ କୌଣସି ପ୍ରତିକ୍ରିୟ ମିଳିନଥିଲା। ଯଦି ନୋଟିସ୍‌ ଜାରି ହୋଇଥିଲା ତେବେ ବିଏମସି ତାଙ୍କ ପାଖରୁ ଜାଗା କାହିଁକି ନେଲା ନାହିଁ ? ବିଏମସି ନୋଟିସ୍‌ ଦେବା ପରେ ପୁଣି ଥରେ ଅପିଲ୍‌ କରିବାର ଆବଶ୍ୟକତା ନାହିଁ।’ ଏହା ସହ ବିଏମସି ଜାଣିଶୁଣି ଅମିତାଭଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଳମ୍ବ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ୨୦୧୭​‌​‌ରେ ବିଏମସି ନୋଟିସ୍‌ କରିବା ସହ କିଛି ଲୋକଙ୍କ ପାଖରୁ ଜମି ଅଧିଗ୍ରହଣ ମଧ୍ୟ କରିଥିଲା। ଏହା ବ୍ୟତୀତ ୨୦୧୯ରେ ‘ପ୍ରତିକ୍ଷା’ର ବିଲକୁଲ୍‌ ପାଖାପାଖି ରହୁଥିବା ଅଭିନେତାଙ୍କ ପଡ଼ୋଶୀ କେ.ଭି. ସତ୍ୟମୂର୍ତ୍ତିଙ୍କ ବଙ୍ଗଳା ଭଙ୍ଗାଯାଇଥିଲା। କିନ୍ତୁ ସୁପରଷ୍ଟାରଙ୍କ ବଙ୍ଗଳା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। କର୍ପୋରେଟର ଏନେଇ ପ୍ରଶ୍ନ ଉଠାଇବା ପରେ ବିଏମସି ଜବାବ ରଖିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ‘ପ୍ରତିକ୍ଷା’ ପ୍ଲଟ୍‌ ଅଧିଗ୍ରହଣ ହେବ। ଏନେଇ ଜମି ମାପ କରିବାକୁ ସିଟି ସର୍ଭେ କାର୍ଯ୍ୟାଳୟକୁ କୁହାଯାଇଛି ।

୫ ଜୁଲାଇ, ସୋମବାର – ଆଜିର ରାଶିଫଳ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ। ପାରିବାରିକ ସମସ୍ୟାର ସମାଧାନ ହେବ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ବହୁ ଦିନର ଆଶା ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ଆୟ ବୃଦ୍ଧି ହେବ।

ମିଥୁନ: ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବେ। ସାମାଜିକ ପ୍ରତିଷ୍ଠା ଏବଂ ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତାବରଣ ରହିବ।

କର୍କଟ: ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ପ୍ରେମ କ୍ଷେତ୍ରରେ ସଫଳ ହେବେ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ସିଂହ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ମିଳିବ।

କନ୍ୟା: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପରିଶ୍ରମ ଅନୁସାରେ ଆଶାଜନକ ପାରିଶ୍ରମିକ ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ସବୁ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ।

ବିଛା: ସୁସ୍ଥ ରହିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ।

ଧନୁ: ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ହେବ। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସହକର୍ମୀଙ୍କ ସାହାଯ୍ୟ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।

କୁମ୍ଭ: ଦିନଟି ଶୁଭଫଳ ପ୍ରଦାନ କରିବ। ପୂର୍ବ ଅପେକ୍ଷା ଆୟ ବଢ଼ିବ। ସମସ୍ତଙ୍କ ସହିତ ସୁସମ୍ପର୍କ ବଜାୟ ରହିବ।

ମୀନ: କାର୍ଯ୍ୟ ବ୍ୟସ୍ତ ରହିବେ। କୌଣସି କାରଣରୁ ମନ ଭାରାକ୍ରାନ୍ତ ହୋଇପାରେ। ବ୍ୟବସାୟରେ କମ୍‌ ଲାଭ ମିଳିବ।