ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼, ସରକାରୀ ନିୟମକୁ ଆଖିଠାର ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ନାହିଁ ନ ଥିବା ଭିଡ଼ । କୋରୋନା ଟିକା ନେବା ପାଇଁ ଆସି ସମାଜିକ ଦୂରତା ଭୁଲିଗଲେ ଲୋକ । ଆଜି ଟିକା ପାଇଁ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଟିକା ପାଇଁ ଲୋକେ ହାଉଯାଉ ହୋଇ ନିୟମକୁ ଆଖିଠାର ମାରିଛନ୍ତି । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୂରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ବେଗୁନିଆପଡ଼ା ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଥିଲାଗି ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇ ଥିଲେ । ହେଲେ ସେଠାରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହଉଯାଉ ହୋଇ ଭିଡ଼ ଜମାଇଥିଲେ । ଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପହଁଚି ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିଥିଲେ । ଲୋକେ ଟୀକା ଦେବା ପାଇଁ ଭିଡ଼ ହେଉଥିବାରୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଖଣ୍ଡିଆନଇ ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାକୁ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ପ୍ରଧାନ ଶୁଭାରମ୍ଭ କରିଥିଲେ । ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉପୁଜିଥିବା ସମସ୍ୟାକୁ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମରେ ଆରମ୍ଭ ହୋଇଛି । ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସୁବିଧା ଆଉ ଅସୁବିଧା ବିଷୟରେ ଉପସ୍ଥିତ ବ୍ୟକ୍ତି ଜଣାଇଥିଲେ । ଏହି ଅବସରରେ ପିଇଓ ପ୍ରଦୀପ କୁମାର ଦାସଙ୍କ ସହ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ଗଠିତ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ଏବିସିଡି ପବ୍ଲିକ ସ୍କୁଲ ପରିସରରେ ଆଜି ବେଗୁନିଆପଡା ବ୍ଲକ ର ସମସ୍ତ ଘରୋଇ ବିଦ୍ୟାଳୟ ମାନଙ୍କୁ ନେଇ ଘରୋଇ ବିଦ୍ୟାଳୟ ସଂଘ ଗଠିତ ହୋଇଯାଇଛି । ଏଥିରେ ବହୁ ବିଦ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ କରୋନା ସମୟରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ବିଭିନ୍ନ ଅସୁବିଧା ନେଇ ଗତି କରୁଛି ତାହାର ସୁଧାର ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଏକ ନୂତନ ସଂଘ ଗଠନ ହୋଇଥିଲା ।

ଏଥିରେ ସଭାପତି ଭାବେ ଅଭୟ କୁମାର ସାହୁ, ସମ୍ପାଦକ ଭାବେ କେ. ଅଶୋକ କୁମାର ସେନାପତି, ଉପସଭାପତି ଭାବେ ଏମ୍. ସଂଜୀବ କୁମାର ରାଓ, ସହସମ୍ପାଦକ ଭାବେ ପୁରୁଷୋତ୍ତମ ସ୍ଵାଇଁ, କୋଷାଧ୍ଯକ୍ଷ ଭାବେ କବିରାଜ ଜେନା, ସଂଯୋଜକ ଟୁକୁନା ପ୍ରଧାନ, ଟେକ୍ନିକାଲ ସପୋର୍ଟର ଭାବେ ଟିଟୁ ରାଉତ, ଅମିୟ କୁମାର ଦାଶ, ଉପଦେଷ୍ଠା ଭାବେ ଶିକ୍ଷକ ପଙ୍କଜ କୁମାର ବେହେରା, ସୀମାଞ୍ଚଳ ଶତପଥୀ, ରାଜେନ୍ଦ୍ର କୁମାର ଜେନା ଙ୍କୁ ମନୋନୀତ କରାଯାଇଛି । ଏଥିରେ ପ୍ରଶାନ୍ତ କୁମାର ବିଶୋୟୀ,ସନ୍ତୋଷ କୁମାର ପାଢ଼ୀ, ରବିନ୍ଦ୍ର କୁମାର ସ୍ଵାଇଁ, ତପନ କୁମାର ଜେନା, ଶରତ କୁମାର ପରିଡା, ସଙ୍କର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାରଣା, ବିଜୟ କୁମାର ପାତ୍ର, ଶ୍ରୀରାମ ଭାଇ, ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ବାତେରାପଲ୍ଲୀ ର ଏକ ଘର ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା)- ଗଞ୍ଜାମ ଜିଲ୍ଲା କୋଦଳା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଆଇଆଇସି ଫାସୀ ପଞ୍ଚାୟତର ବାତରାପଲ୍ଲୀ ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରିଥିଲେ। ସାରା ରାତି ରହିଲା ପରେ ଆଜି ଦିନ ୧ ଘଂଟା ସମୟରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ,କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ସେଠାରେ ତାଲା ଭାଙ୍ଗିବା ପରେ ସେହି ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି।ପ୍ରକାଶ ଥାଉ କି ଯେ ଗତ କିଛିଦିନ ତଳେ କଞ୍ଚଣା ଛକ ନିକଟରୁ ୯୫୦ କେଜି ଗଞ୍ଜେଇରୁ ଉର୍ଦ୍ଧ୍ବ ଓ ଭାଟପଡା ଛକ ନିକଟରୁ ୩୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ପ୍ରାୟ ୨ ମାସ ଭିତରେ କୋଦଳା ପୋଲିସକୁ ତିନୋଟି ସଫଳତା ମିଳିଛି।ଏହି ଅଞ୍ଚଳରେ ପ୍ରାୟତଃ ଗଞ୍ଜେଇ ବେପାରୀ ସୁରଟ,ମୁମ୍ବାଇ ଓ କୋଲକତା କୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ବୋଲି ଚର୍ଚା ଜୋର ଧରିଛି। ଯାହାଫଳରେ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡବ୍ୟଥା ବଢି ଚାଲିଛି।ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଗଞ୍ଜେଇ ବେପାରୀ ମାନେ ବେଧଡ଼କ ଗଞ୍ଜେଇ ବ୍ୟାପାର କରି ଆସୁଛନ୍ତି। ଏହାକୁ ନେଇ କେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟ ଆସାମୀ ଧରା ଯାଉଛି ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ମାଡିଛି ତାହା ଦେଖିବାକୁ ବାକି ରହିଲା।

କୋଦଳାରେ ୭୨ ତମ ବନ ମହୋତ୍ସବ ପାଳିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- କୋଦଳା କୋର୍ଟ ପରିସରରେ ଠାରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀମତୀ ମୁନ ରାଣୀ ମିଶ୍ର, ପ୍ରଥମ ଶ୍ରେଣୀ ବିଚାରପତି ସୁକନ୍ୟା ଶତପଥି, ବରିଷ୍ଠ ଦେୱାନୀ ବିଚାରପତି ସଦ୍ୟାଶ୍ନତା ପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ, କୋଦଳା ବନପାଳ କୋରା ପ୍ରସାଦ ଜେନା,ପୋଲସରା ବନପାଳ ସୁକାନ୍ତ କୁମାର ପଟ୍ଟନାୟକଙ୍କ ସମେତ ଭଞ୍ଜନଗରସହକାରୀ ବନ ସଂରକ୍ଷକ ଶ୍ରୀଯୁକ୍ତ ପ୍ରଭାକର ନାୟକ କୋର୍ଟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ l ବୃକ୍ଷ ହିଁ ଜୀବନ, ବୃକ୍ଷ ଯୋଗୁଁ ହିଁ ଅମ୍ଳଜାନ ଆବଶ୍ୟକ ହୁଏ ବୋଲି ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ l ଏଥିସହ ପ୍ରତେକ ବର୍ଷ ଅଧିକାରୁ ଅଧିକା ଚାରା ରୋପଣ ସହ ବୃକ୍ଷ ରୋପଣ କରିବାକୁ ଯୁବପୀଢ଼ିଙ୍କୁ ଆହ୍ବାନ କରିଥିଲେ। ଏହି ଅବସରରେ କୋଦଳା ବାର ଆସୋସିସନର ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ହର ପ୍ରସାଦ ସାହୁ, ତାରିଣୀ ଚରଣ ପଟ୍ଟନାୟକ, ନୀଳାଞ୍ଚଳ ପୋଲାଈ, ଭଗବାନ ହୋତା ଓ ସପ୍ନ କୁମାର ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇଥିଲେ l

ସର୍ବଭାରତୀୟ ସ୍ତରରେ ଟପ୍ପର ଆଇଟିଆଇ ଦୁଇ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କଳାହାଣ୍ଡି)- ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ବେ ଗତ ୨୦୨୦ ମସିହାରେ ସର୍ବଭାରତ ସ୍ତରରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଟ୍ରେଡ ଟେଷ୍ଟ (AITT) ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ( ITI) ର ଉଭୟ ବର୍ଗରେ ଦୁଇ ଜଣ ଛାତ୍ରଛାତ୍ରୀ ଦେଶରେ ଟପ୍ପର ହୋଇ ସମଗ୍ର ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତିି। ଦୁଇ ଜଣଙ୍କ ମଧ୍ୟରେ ଯଥାକ୍ରମେ ଝିଅଙ୍କ ମଧ୍ୟରେ ଯଥାକ୍ରମେ ପୂଜା ମାହାର ଓ ପୁଅଙ୍କ ମଧ୍ୟରେ ସାଈଚରଣ ଦାସ ଅଟନ୍ତି। ତାଙ୍କର ଏହି ସଫଳତାରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ (ଏ ଓ ଏସ ସି ଏଫ୍) କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ଆମ୍ବେଦକର ଭବନରେ ଉଭୟଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏ

ଥିରେ ଫେଡେରେସନ୍ ର ସଭାପତି ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଫେଡେରେସନ୍ ର ଉପଦେଷ୍ଟା ମୁକୁନ୍ଦ ନିଆଲ,ବସନ୍ତ ନାଏକ,ତିଲକ ରାମ ନିଆଲ, ଯୋଗେଶ୍ୱର ସାଗର, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଉପ-ସଭାପତି ବିଭୀଷଣ ନାଏକ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ସଂପାଦକ ଇନ୍ଦ୍ରମଣି ବାଗ, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ ଙ୍କ ସମେତ ରତ୍ନାକର ବେମାଲ, ସଞ୍ଜୟ ନିଆଲ, ଢଗଢମାଳି ନାଏକ, ଜ୍ୟୋତି ପ୍ରକାଶ ମହାନନ୍ଦଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲାର ଉଭୟ କୃତୀ ସନ୍ତାନଙ୍କୁ ତାଙ୍କର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଉଭୟେ ନିଜର ପାରିବାରିକ ଜୀବନରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିଲେ ହେଁ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିଥିବା ଯୋଗୁଁ ଉପସ୍ଥିତ ସଦସ୍ୟ ଓ କର୍ମକର୍ତ୍ତା ମାନେ ସାଧୁବାଦ ଜଣାଇଥିଲେ। ଭବିଷ୍ୟତରେ ତାଙ୍କର ଶିକ୍ଷା କ୍ଷେତ୍ରରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପାଇଁ ସଂଗଠନ ପୂର୍ଣ୍ଣ ପ୍ରାଣରେ ସହଯୋଗ ର ହାତ ବଢ଼ାଇବା ପାଇଁ ଆଗେଇ ଆସିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।

ବାଟ ଓଗାଳୁଛି ବିସ୍ଥାପନ ସମସ୍ୟା, ବ୍ୟୟ ଅଟକଳ ୫୭ରୁ ୭୦୮ କୋଟିରେ ପହଞ୍ଚିଲାଣି…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୋହନା)- ୩ ଦଶନ୍ଧି ବିତିଲାଣି। ହେଲେ ସରିପାରୁନି ଛେଳିଗଡ଼ ବୃହତ ଜଳସେଚନ ପ୍ରକଳ୍ପ କାମ । ବ୍ୟୟ ଅଟକଳ ୫୭ କୋଟିରୁ ଆସି ପହଞ୍ଚିଲାଣି ୭୦୮କୋଟିରେ । ମାତ୍ର ମଝିରେ ବାଟ ଓଗାଳିଛି ବିସ୍ଥାପନ ସମସ୍ୟା । ପ୍ରଶାସନ କିନ୍ତୁ କହୁଛି ବିସ୍ଥାପନ ସମସ୍ୟା ଦୂର କରିବାକୁ ଚାଲିଛି ଯୋଜନା । ଖୁବ୍‌ଶୀଘ୍ର ଗଜପତି ଛେଳିଗଡ଼ ବୃହତ ଜଳସେଚନ ପ୍ରକଳ୍ପର କାମ ଆରମ୍ଭ ହେବ । ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଛେଳିଗଡ଼ ଗାଁ ନିକଟ ଦେଇ ବହିଯାଇଥିବା ବଡ଼ଜୋର ନଦୀ ଉପରେ ଡ୍ୟାମ୍ ନିର୍ମାଣ ପାଇଁ ହୋଇଥିଲା ଯୋଜନା । ଏଥିପାଇଁ ୧୯୮୫ ମସିହାରେ ଜଳସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ନକ୍ସା  । ୧୯୮୯ରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା କାମ । ମାତ୍ର ୨୦୦୫ରେ ଏହା ୨ ଶହ କୋଟି ଏବଂ ୨୦୧୮-୧୯ରେ ଏହାର ବ୍ୟୟ ଅଟକଳ ୭୦୮ କୋଟିରେ ପହଞ୍ଚିଲାଣି ।

ତଥାପି ତୁଟୁନି ବିସ୍ଥାପନ ସମସ୍ୟା  କି ଆରମ୍ଭ ହୋଇପାରୁନି କାମ । ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜମିରେ ଚାଷ କରିବା ସମ୍ଭବ ନୁହେଁ, ତା’ ଛଡ଼ା ଘର କରିବା ପାଇଁ ମିଳୁଥିବା ସହାୟତା ରାଶି ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ । ଏନେଇ ବିସ୍ଥାପିତ ହେବାକୁ ଥିବା ପ୍ରମୋଦ କାର୍ଯ୍ୟୀ କହିଛନ୍ତି, ସରକାର ଆମକୁ ପାହାଡ଼ ଉପରେ ଥଇଥାନ କରିବାକୁ ଚାହୁଁଥିବା ବେଳେ ସେଠାରେ ଚାଷ କରିବାକୁ ଜାଗା ନାହିଁ। ପର୍ବତ ଉପରେ ଘର କରିବାକୁ ମିଳୁଥିବା ଟଙ୍କା ପର୍ଯ୍ୟାପ୍ତ ନୁହେଁ।

୭ରୁ ୧୭ ପ୍ରତିବାଦ; ୧୫ରେ ପେଟ୍ରୋଲ୍, ଡିଜେଲ୍‌ ନ କିଣିବାକୁ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ଅନୁରୋଧ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏହି ଗୋଟିଏ ଦିନ ଓଡ଼ିଶାବାସୀ ଏଥିରେ ସ୍ୱତଃପୂର୍ତ୍ତ ଭାବେ ସାମିଲ ହୋଇ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନକିଣିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏଥିପାଇଁ ଆମେ କାହାକୁ ବାଧ୍ୟ କରିବୁ ନାହିଁ। କୌଣସି ସ୍ଥାନରେ ପିକେଟିଂ କରିବୁ ନାହିଁ କି ପେଟ୍ରୋଲ ପମ୍ପ ଆଗରେ ଛିଡ଼ା ହେବୁ ନାହିଁ। ଆମେ କେବଳ ରାଜ୍ୟବାସୀଙ୍କୁ ନିବେଦନ କରୁଛୁ ଯେ ଯେଉଁମାନେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି କିଣୁଛନ୍ତି, ସେମାନେ ସେହି ଗୋଟିଏ ଦିନ ଏସବୁ ସାମଗ୍ରୀ କିଣନ୍ତୁ ନାହିଁ। ତା’ହେଲେ ହୁଏତ ଏହାର କିଛି ପ୍ରଭାବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ। ଜୁଲାଇ ୭ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ୭ ତାରିଖରେ ଆମେ ରାଜ୍ୟର ପ୍ରତି ବ୍ଲକ୍ ହେଡ୍‌କ୍ୱାର୍ଟର୍ସରେ ପ୍ରତିବାଦ କରିବୁ। ୯ ତାରିଖରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ କରିବୁ। ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରାଯିବ। ୧୭ ତାରିଖରେ ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ ଆମେ ସାଧାରଣ ଲୋକଙ୍କ ଠାରୁ ଦସ୍ତଖତ ଗ୍ରହଣ କରିବୁ। ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦିର ଦର ହ୍ରାସ କରାଯାଉ ବୋଲି କହି ଆମେ ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିବୁ ଓ ଏହାକୁ ଏକ ସ୍ମାରକପତ୍ର ଭାବେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବୁ। ପିସିସି ସଭାପତି ଆହୁରି କହିଛନ୍ତି ଯେ ଏଆଇସିସିର ନିର୍ଦ୍ଦେଶକ୍ରମେ ଦଳୀୟ ନେତା ଓ କର୍ମୀମାନେ ଗାଁ ଗାଁ ବୁଲି କୋଭିଡ୍‌ ରିପୋର୍ଟ ସଂଗ୍ରହ କରିବେ। ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ତା’ପରେ ସଂଗୃହୀତ ରିପୋର୍ଟକୁ ନୂଆଦିଲ୍ଲୀ ପଠାଯିବ। ଏଥିରୁ ଉପଲବ୍ଧ ହୋଇପାରିବ ଯେ କରୋନା ଯୋଗୁ ଲୋକେ କେତେ ହନ୍ତସନ୍ତ ହେଉଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର କଟକ, ଭୁବନେଶ୍ୱର, ମାଲକାନଗିରି, ସମ୍ବଲପୁର ଓ ବାଲେଶ୍ୱର ଆଦି ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି।

‘ପସନ୍ଦ ଆସୁନି ତ ଦେଖନି’: ଟୁଲକିଟ୍‌ ମାମଲାର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନା ଉପରେ କଂଗ୍ରେସର ତଥାକଥିତ ଟୁଲକିଟ୍‌ ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ଆବେଦନକାରୀଙ୍କୁ କରୋନା ଉପରେ ଆସିଥିବା ଟୁଲକିଟ୍‌ ପସନ୍ଦ ଆସୁନି, ତା’ହେଲେ ସେ ଏହାକୁ ଅଣଦେଖା କରନ୍ତୁ। ଏହା ଗୋଟିଏ ରାଜନୀତିକ ଦଳର ରାଜନୀତିକ ଅପପ୍ରଚାର। ଆମେ ଜନହିତ ଆବେଦନ ଜରିଆରେ ଏହାର ଶୁଣାଣି କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆପଣ ମନେ ରଖିବା ଉଚିତ ଯେ ଭାରତ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର। ଏପରି ତୁଚ୍ଛ ଆବେଦନ ଉପରେ ଶୁଣାଣି କରାଯାଇ ପାରିବ ନାହିଁ। ଆବେଦନକାରୀ ହାଇକୋର୍ଟ ଯାଇ ପାରନ୍ତି। ଏହାପରେ ଆବେଦନକାରୀ ଉକ୍ତ ଆବେଦନକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରି ନେଇଛନ୍ତି। ମହାମାରୀ କରୋନା ବେଳେ କଂଗ୍ରେସ ଦେଶକୁ ଓ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଟୁଲକିଟ୍‌ ପ୍ରସ୍ତୁତ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଟୁଲ୍‌କିଟ୍‌ରେ କଂଗ୍ରେସ ତା’ର କର୍ମୀମାନଙ୍କୁ କରୋନା ଭାଇରସର ବିଭିନ୍ନ ରୂପକୁ ମୋଦି ଓ ଇଣ୍ଡିଆନ ଷ୍ଟ୍ରେନ ଭାବେ ପ୍ରଚାର କରିବାକୁ କହିଥିଲା। ସେହିପରି କୁମ୍ଭ ମେଳାକୁ କରୋନାର ସୁପର ସ୍ପ୍ରେଡର ଭାବେ ବିବେଚନା କରିବାକୁ କଂଗ୍ରେସ ଅଭିଯାନ ଆରମ୍ଭ କରିବାକୁ ଟୁଲକିଟରେ କହିଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଥିଲେ। ଜଣେ ଓକିଲ ଏହାର ଏନଆଇଏ ଦ୍ୱାର ତଦନ୍ତ କରିବାକୁ ଆବେଦନ କରିଥିଲେ। ଯଦି ଅଭିଯୋଗ ସତ ହୋଇଥିବ, ତା’ହେଲେ କଂଗ୍ରେସ ପାର୍ଟିକୁ ମିଳିଥିବା ରାଜନୀତିକ ମାନ୍ୟତା ପ୍ରତ୍ୟାହାର କରିନେବାକୁ ଆବେଦନକାରୀ ଦାବି କରିଥିଲେ।ଆବେଦନକାରୀ ଓକିଲ ଶଶାଙ୍କ ଶେଖର ଝା ତାଙ୍କ ଆବେଦନରେ କଂଗ୍ରେସ ପାର୍ଟି, ଭାରତ ସରକାର ଓ ନିର୍ବାଚନ ଆୟୋଗକୁ ପକ୍ଷଭୁକ୍ତ କରିଥିଲେ। ସେ ତଥାକଥିତ କଂଗ୍ରେସ ଟୁଲକିଟ୍‌ ମାମଲାର କେନ୍ଦ୍ର ସରକାର ପ୍ରାରମ୍ଭିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

୧୨ ବିଜେପି ବିଧାୟକ ବର୍ଷକ ପାଇଁ ନିଲମ୍ବିତ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା କରିବା ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛନ୍ତି। ବିଧାୟକଙ୍କମାନେ ବାରମ୍ବାର ନାରାବାଜୀ ଓ ଆପତ୍ତିଜନକ ବ୍ୟବହାର ଯୋଗୁ ବାଚସ୍ପତି ସମସ୍ତଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ବିଧାୟକମାନେ ମହାରାଷ୍ଟ୍ରରେ ଓବିସି ସଂରକ୍ଷଣ ଆଇନକୁ ନେଇ ଗୃହକୁ ହୁଲସ୍ତୁଲ କରୁଥିଲେ। ସୁପ୍ରିମକୋର୍ଟ କିଛି ଦିନ ତଳେ ମହାରାଷ୍ଟ୍ର ସରକାର ଲାଗୁ କରିଥିବା ଓବିସି ସଂରକ୍ଷଣ ଆଇନକୁ ରଦ୍ଦ କରି ଦେଇଥିଲେ। ଏହାକୁ ପୁନଃ ଲାଗୁ କରିବା ପାଇଁ ବିଜେପି ବିଧାୟକମାନେ ଗୃହକୁ ଅଚଳ କରିଦେଇଥିଲେ। ନିଲମ୍ବିତ ସମ୍ପର୍କରେ ସୂଚନା ଦେଇ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେ ଓବିସି ସଂରକ୍ଷଣ ପାଇଁ ଆମର ୧୨ ଜଣ ବିଧାୟକଙ୍କ ବଳିଦାନ ଦେବାକୁ ପ୍ରସ୍ତୁତ। ନିଲମ୍ବିତ କରିବାକୁ ଅନେକ କାହାଣୀ ତିଆରି କରାଯାଉଛି। ବିଜେପିର କୌଣସି ସଦସ୍ୟ ଗୃହରେ ଆଦୌ ଗାଳିଗୁଲଜ କରିନାହାନ୍ତି। ସୂଚନାଯୋଗ୍ୟ, ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ସଂରକ୍ଷଣ ଆଇନକୁ ନେଇ ଗୃହକୁ ଅଚଳ କରିଦେଇଛନ୍ତି। ସେମାନେ ସଂରକ୍ଷଣ ପାଇଁ ଦାବି କରି ସହ ବାଚସ୍ପତିଙ୍କ ଚେୟାର ନିକଟକୁ ଯାଇ ହଙ୍ଗାମା କରିଥିବା କୁହାଯାଉଛି।