କୋହଲି କ୍ୟାପଟେନ୍ ପଦରେ ରହିବେ ନା ନାହିଁ, ୪ ମାସରେ ନିଷ୍ପତ୍ତି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଲଗାତର ତିନିଟି ଆଇସିସି ଟୁର୍ଣ୍ଣାମେଣ୍ଟ ହାରି ସାରିଛନ୍ତି । ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌, ୨୦୧୯ ଦିନିକିଆ ବିଶ୍ୱକପ ସେମିପାଇନାଲ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ବିରାଟ୍ କୋହଲିଙ୍କୁ ବିଫଳତା ମିଳିଛି। ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାଜୟ ପରେ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ପୂର୍ବତନ କ୍ରିକେଟ୍ ସବା କରିମ୍ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ବଡ଼ କଥା କହିଛନ୍ତି । ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ କରିମ୍ କହିଛନ୍ତି, କୋହଲିଙ୍କ ଉପରେ ଲଗାତର ଚାପ ବଢ଼ୁଛି ଏବଂ ତାଙ୍କ କ୍ୟାପଟେନ୍ସି ରହିବା ନା ନାହିଁ, ତାହା ଟି-୨୦ ବିଶ୍ୱକପ୍ ପରେ ଜଣାପଡ଼ିବ । ଯଦି ଭାରତ ଟି-୨୦ ବିଶ୍ୱକପ୍ ଜିତିବ, ତାହେଲେ କୋହଲିଙ୍କୁ କିଛିଟା ଆଶ୍ୱସ୍ତି ମିଳିବ । ନଚେତ୍ ତାଙ୍କ କ୍ୟାପଟେନ୍ସି ଉପରେ ଖଣ୍ଡା ଝୁଲିବ । ସବା କରିମ୍ କହିଛନ୍ତି, ଟି-୨୦ ବିଶ୍ୱକପ୍ ବିରାଟ୍ କୋହଲିଙ୍କ କ୍ୟାପଟେନ୍ କ୍ୟାରିୟର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୋହଲିଙ୍କ ଉପରେ ଲଗାତର ଚାପ ବଢ଼ୁଛି, କାରଣ ସେ ଜାଣିଛନ୍ତି ଯେ ନିଜେ ଏଯାଏ ଆଇସିସି ଟ୍ରଫି ଜିତିନାହାନ୍ତି । ଏବେ ସେ ଆଇସିସି ଟି-୨୦ ବିଶ୍ୱକପ୍ ଜିତିବାକୁ ଚାହିଁବେ । ଯଦି ତାଙ୍କ ନେତୃତ୍ୱରେ ଭାରତ ଟ୍ରଫି ଜିତିବାରେ ସଫଳ ରୁହେ, ତାହେଲେ କୋହଲିଙ୍କୁ କ୍ୟାପଟେନ୍ ପଦକ ରହିପାରିବ । କିନ୍ତୁ କୋହଲି ପରିସ୍ଥିତିକୁ ଦେଖି କୌଣସି ନିଷ୍ପତ୍ତି ନେବେ ଯେ ସେ କେତେ ଦିନ ଯାଏ କ୍ୟାପଟେନ୍ ପଦରେ ରହିବେ । କୋହଲି ଶ୍ରେଷ୍ଠ କ୍ୟାପଟେନ୍ ମଧ୍ୟରେ ଆସନ୍ତି, କିନ୍ତୁ ଆଇସିସି ଟ୍ରଫି ନଜିତିବା ତାଙ୍କ ପାଇଁ ବଡ଼ ଅବଶୋଷ । ସୂଚନାଯୋଗ୍ୟ, ଅକ୍ଟୋବାରେ ଟି-୨୦ ବିଶ୍ୱକପର ଆୟୋଜନ ଭାରତ ବଦଳରେ ୟୁଏଇ-ଓମାନରେ ହେବ । କରୋନା ମହାମାରୀ ଯୋଗୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତରେ ହେବ ନାହିଁ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ୮ଟି କ୍ୱାଲିଫାଇଙ୍ଗ୍ ଟିମ୍ ଭାଗ ନେବେ । ଏହି ସବୁ ମ୍ୟାଚ୍ ଗୁଡ଼ିକ ଓମାନରେ ଖେଳାଯିବ । ଏହା ପରେ ୪ ଟିମ୍ ସୁପର୍-୧୨ରେ ସ୍ଥାନ ହାସଲ କରିବେ।

ଅଭିନେତ୍ରୀ ୟାମୀ ଗୌତମଙ୍କୁ ଇଡିର ସମନ, ୭ରେ ହାଜର ହେବାକୁ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନିକଟରେ ବିବାହ କରି ମୁମ୍ବାଇ ଫେରିଥିବା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ୟାମୀ ଗୌତମଙ୍କ ଅଡ଼ୁଆ ବଢ଼ିଛି। ବିଦେଶ ମୁଦ୍ରା ନେଣଦେଣରେ ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ତାଙ୍କୁ ଜୁଲାଇ ୭ରେ ମୁମ୍ବାଇ ସ୍ଥିତି ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି। ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ଇଡି ପକ୍ଷରୁ ୟାମୀଙ୍କୁ ସମନ କରାଯାଇଛି। ଇଡି ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ବା ଫେମାକୁ ୟାମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏପରି ସମନ କରିଛି। ବିଦେଶରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲେ ହେଁ ସେ ନିୟମ ଅନୁସାରେ ଅଧିକାରୀମାନଙ୍କୁ ଜଣାଇ ନଥିଲେ। କିଛି ଟ୍ରାଞ୍ଜାକସନ ତଦନ୍ତ ପରିସର ଭୁକ୍ତ ହୋଇଥିବା ବେଳେ ଏହାର ଲିଙ୍କ ୟାମୀଙ୍କ ଆକାଉଣ୍ଟ ସହ ରହିଛି। ପ୍ରାଥମକି ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କାର ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ ୟାମୀଙ୍କୁ ଇଡି ସମନ କରିଥିଲା। ହେଲେ ସେ ବିଭିନ୍ନ ଆଳ ଦେଖାଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ନଥିଲେ। ସୂଚନାଯୋଗ୍ୟ, ବଲିଉଡର ଏକାଧିକ ଫିଲ୍ମରେ ୟାମୀ ଅଭିନୟ କରିଛନ୍ତି। ନିକଟରେ ସେ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ପ୍ରକୃତରେ ସେ ଗୋଟିଏ ବୟୁଟି ପ୍ରଡକ୍ଟର ବିଜ୍ଞାପନ କରି ପ୍ରଥମେ ଲୋକପ୍ରିୟତା ପାଇଥିଲେ। ଏହାପରେ ବଲିଉଡରେ ତାଙ୍କର ଏଣ୍ଟ୍ରି ହୋଇଥିଲା। ଉରି, କାବିଲ, ସନମ ରେ, ଭିକ୍କି ଡୋନର, ବାଲା, ବଦଲାପୁର ଭଳି ହିଟ୍‌ ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି। ଆଗକୁ ମଧ୍ୟ ତାଙ୍କରେ ଅନେକ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।

ଏଥର ହସାଇବାକୁ ନେବେ ଅଧିକ ଫି; ଶୀଘ୍ର ଫେରୁଛନ୍ତି କମେଡି କିଙ୍ଗ୍…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- କରୋନା ମହାମାରୀ ସମୟରେ ହସ ଭୁଲି ଯାଇଥିବା ଲୋକଙ୍କୁ ହସାଇବାକୁ ଖୁବ୍‌ ଶୀଘ୍ର ନିଜ ଗ୍ୟାଙ୍ଗ ସହ ଟିଭି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା।  ଏଥିପାଇଁ ନିର୍ମାତା ଫୁଲ୍‌ ଦମ୍‌ରେ ଲାଗିଥିବା ବେଳେ ନୂଆ ସିଜିନ ସହ ରିଟର୍ଣ୍ଣ  କରିବ କପିଲ ଶର୍ମା ଶୋ’ । ପୂର୍ବଥର ଅପେକ୍ଷା ଏଥର କିନ୍ତୁ ଦର୍ଶକଙ୍କୁ ହସାଇବାକୁ ମୋଟା ଅଙ୍କର ପାଉଣା ନେବେ କପିଲ । ପୂର୍ବରୁ କପିଲ ଶୋ’ ପିଛା ୩୦ ଲକ୍ଷ ଟଙ୍କା  ନେଉଥିବା ବେଳେ ଏବେ ସେ ଏହାକୁ ୫୦ ଲକ୍ଷ କରି ଦେଇଛନ୍ତି। ପୂର୍ବରୁ ପ୍ରତି ଶନିବାର ଓ ରବିବାର ପ୍ରସାରିତ ଏହି ପପୁଲାର ଶୋ ’ର ଟିଆରପି ଖୁବ୍‌ ଭଲ ରହୁଥିଲା। ପୂର୍ବରୁ ୨ଟି ଏପିସୋଡ଼ ପାଇଁ  ୬୦ ଲକ୍ଷ ନେଉଥିବା କପିଲ ଏବେ ଏହା ୧ କୋଟିକୁ ବଢ଼ି ଯାଇଛି। ଚଳିତ ସିଜିନ୍‌ରେ ନୂଆ ଫର୍ମାଟ ଆପଣା ଯିବ ବୋଲି ପୂର୍ବରୁ ନିର୍ମାତା ସୂଚନା ଦେଇ ସାରିଛନ୍ତି। ଚଳିତ ସିଜିନ ଲାଗି ନୂଆ ଟିମ୍‌ ଚୟନ କରାଯାଇଥିବା ବେଳେ ଅଧିକ କଳାକାର ଏବଂ ଲେଖକଙ୍କୁ ସୁଯୋଗ ଦିଆଯିବ । ତେବେ କପିଲଙ୍କ ଏହି ଶୋ’ରେ ପୂର୍ବ ପରି ଭାରତୀ ସିଂ, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ କୃଷ୍ଣା ଅଭିଷେକ ରହିବେ। ଏନେଇ କୃଷ୍ଣା ବି କିଛି ଦିନ ପୂର୍ବରୁ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ – ଖୁବ୍ ଶୀଘ୍ର ଫେରୁଛୁ। ଆମ ପ୍ରଥମ କ୍ରିଏଟିଭ ମିଟିଂ ବହୁତ ଭଲ ଥିଲା। ସୂଚନା ଅନୁଯାୟୀ, ଦ୍ୱିତୀୟ ଥର ବାପା ହେବା ପରେ କିଛି ଦିନ ପାଇଁ କପିଲ ଶୋ’ରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଚାହୁଁଥିଲେ। ଏହି କାରଣ ଯୋଗୁଁ ତାଙ୍କ ଶୋ’କୁ ଅଫ-ଏୟାର କରାଯାଇଥିଲା।ରିପୋର୍ଟ ମୁତାବକ, କପିଲ ଶର୍ମା ଗତ ମେ’ ୧୫ ତାରିଖରୁ ତାଙ୍କ ଟିମ୍ ସହ ଶୁଟିଂ ଆରମ୍ଭ କରିସାରିଛନ୍ତି।  ଖୁବ୍‌ ଶୀଘ୍ର ଏହାର ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି।

୩ ଜୁଲାଇ, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!!

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆର୍ଥିକ ଉନ୍ନତି ଦେଖା ଦେବ।

ମିଥୁନ: ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଭାଇଭଉଣୀଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ସିଂହ: ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

କନ୍ୟା: ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ତୁଳା: ସନ୍ତାନମାନେ ଆଜ୍ଞାଧୀନ ହେବେ। ଅପରାହ୍ନରେ ଶୁଭ ଖବର ଶୁଣି ଖୁସି ହେବେ। ଆୟ ଓ ବ୍ୟୟ ପ୍ରାୟତଃ ସମାନ ରହିବ।

ବିଛା: ଖୁସି ରହିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଗାଡ଼ି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ: ସବୁ ଦିଗରୁ ସଫଳତା ମିଳିବ। ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ।

ମକର: କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ବିରୋଧୀମାନେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକେ ଭୁଲ୍ ବୁଝାମଣାର ଶିକାର ହେବେ।

କୁମ୍ଭ: ଆଶା ଆକାଂକ୍ଷା ପୂରଣ ହେବ। ମାନସମ୍ମାନ ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହିତ ଥିବା ମନାନ୍ତର ଦୂର ହେବ।

ମୀନ: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ।