ରାଜ୍ୟ ସରକାର ଙ୍କ ମେଧା ଶକ୍ତି ର ବୃହତ ଅସଫଳତା ; ଆନ୍ଧ୍ର ସରକାର ସ୍ଥାପନ କଲେ ଭିତ୍ତି ପ୍ରସ୍ତର : ଶ୍ରୀ ଭୃଗୁବକ୍ସି ପାତ୍ର ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ବଂଶଧାରା ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ରାୟ ପ୍ରକାଶ ପରେ ଆଜି ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ରାଜ୍ୟ ଉପ ସଭାପତି ଶ୍ରୀ ଭୃଗୁବକ୍ସି ପାତ୍ର ଙ୍କ ନେତୃତ୍ୱ ରେ ୧୦ ଜଣିଆ ପ୍ରତିନିଧି ଦଳ ଓଡିଶା ର ଗଜପତି ଜିଲ୍ଲା ଅନ୍ତର୍ଗତ ସାହାରା ଠାରୁ ଆରମ୍ଭ କରି ପାଣି ଡ଼ଙ୍ଗର ପର୍ଯ୍ୟନ୍ତ ନଦୀ ତଟ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

ବଂଶଧାରା ନଦୀ ଜଳ ବିବାଦ କୁ ନେଇ ଆନ୍ଧ୍ର ସପକ୍ଷରେ ଏକପକ୍ଷଭାବେ ଟ୍ରିବ୍ୟୁନାଲ ରାୟଦେଇ ଥିବା କହି ରାଜ୍ୟ ଭାରତୀୟ ଜନତା ପାର୍ଟି ଓ ରାୟଗଡ଼ା ଜିଲ୍ଲା ଗୁଣପୁର ଜନସାଧାରଣ ଓ ଗଜପତି ଜିଲ୍ଲା ଜନସାଧାରଣ ବିରୋଧ କରିଥିବା ଦେଖିବାକୁ ମିଳିଛି । ଓଡିଶା ସରକାର ୨୦୦୫ ମସିହା ରେ ବଂଶଧାରା କୁ ନେଇ ଉପର ମୁଣ୍ଡ ରେ ଯେଉଁ ପାଣି ଡଙ୍ଗର ପ୍ରକଳ୍ପ ଯୋଜନା କରିଥିଲେ ତାହା ଦୀର୍ଘ ବର୍ଷ ହେବ କାର୍ଯ୍ୟକାରୀ ନ ହେବା ଫଳ ରେ ଆଜି ଆନ୍ଧ୍ର ଏହାର ଲାଭ ଉଠାଇ ଥିବା ଗଜପତି ବିଧାୟକ ଶ୍ରୀ ନାରାୟଣ ରାଓ ମତବ୍ୟକ୍ତ କରିଥିଲେ ।

ଏହି ପ୍ରତିନିଧି ଦଳ ପରିଦର୍ଶନ ରେ ଯିବା ସମୟ ରେ ନେରେଡ଼ି ଠାରେ ଆନ୍ଧ୍ର ର ପ୍ରକଳ୍ପ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଚାଲିଥିବା ଏବଂ ସେଠାରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ଧାର୍ମନା କ୍ରୀଷ୍ଣା ଦାସ , ଜଳ ସମ୍ପଦ ମନ୍ତ୍ରୀ ଅନିଲ କୁମାର ଯାଦବ ପ୍ରମୁଖ ଙ୍କ ଉପସ୍ଥିତି ଦେଖି ସରକାର ଙ୍କୁ ଦୃଢ ନିନ୍ଦା କରିବା ସହ ଏହା ଓଡିଶା ରାଜ୍ୟ ସରକାର ଙ୍କ ମେଧା ଶକ୍ତିର ଏକ ବୃହତ ଅସଫଳତା ବୋଲି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ଭାଜପା ଉପ ସଭାପତି ଶ୍ରୀ ଭୃଗୁ ପାତ୍ର ମତବ୍ୟକ୍ତ କରି ସରକାର ଙ୍କ ଉପରେ ବର୍ଷିଥିଲେ । ଟ୍ରିବ୍ୟୁନାଲ ର ରାୟ ଆସିବା ର ଦୀର୍ଘ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଦିଗରେ କୌଣସି ପ୍ରତିକ୍ରିୟାି ପ୍ରକାଶ ନକରିବା ଏବଂ ଚୁପ୍ ରହି ଟ୍ରିବ୍ୟୁନାଲ ର ରାୟ କୁ ମାନିନେବା ରାଜ୍ୟ ସରକାର ଙ୍କ ଅପାରଗତା କୁ ଦୃଷ୍ଟି ଆକର୍ଷଣ କରୁଛି ବୋଲି ପୂର୍ବତନ ସାଂସଦ ଶ୍ରୀ ଜୟରାମ ପାଙ୍ଗି ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି । ଯଥା ଶୀଘ୍ର ଏକ ଇଞ୍ଜିନିୟରିଂ ଟିମ ଗଠନ କରି ପାଣି ଡ଼ଙ୍ଗର ପ୍ରକଳ୍ପ କାର୍ଯ୍ୟକୁ ପୁରଣ କରିବା ଏବଂ ଟ୍ରିବ୍ୟୁନାଲ ଦେଇଥିବା ରାୟ ବିରୋଧ ରେ ସୁପ୍ରିମକୋର୍ଟ ର ଆଶ୍ରୟ ନେଇ ଓଡିଶା ସପକ୍ଷରେ ତଥ୍ୟ ଉପସ୍ଥାପନା କରିବାକୁ ରାଜ୍ୟ ଭାଜପା ପକ୍ଷରୁ ଦାବୀ କରଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେ ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିବ ପଟନାୟକ , ଉପ ସଭାପତି ଶ୍ରୀ ୱାଇ ଗଣପତି ରାଓ , ସାଧାରଣ ସମ୍ପାଦକ ଶ୍ରୀ କିଶୋର ପଣ୍ଡା , ସମ୍ପାଦକ ଶ୍ରୀ ରବି ଶଙ୍କର ଗମାଙ୍ଗ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ , ଜିଲ୍ଲା କମିଟି କୋଷାଧକ୍ଷ ଶ୍ରୀ ପେଦିନା ନାଗାରାଜୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଓଡ଼ିଶାକୁ ଶୀଘ୍ର ଆସିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’ ବିମାନ। ‘ଡାକୋଟା’ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ବିଜୁବାବୁଙ୍କ ‘ଡାକୋଟା’ ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଛି। ତେବେ ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଛି। ଡାକୋଟା ଆସିବା ପରେ ଏହାକୁ ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିଜୁବାବୁଙ୍କ ‘ଡାକୋଟା’ ଏବେ କୋଲକତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ପ଼ଡି ରହିଛି। ୧୯୪୭ ଅକ୍ଟୋବରରେ ଜାମ୍ମୁ ଓ କାଶ୍ମୀରରେ ଲାଗିରହିଥିଲା ଅସ୍ଥିରତା। ସେହି ସମୟରେ ମହାରାଜା ହରି ସିଂଙ୍କ ରାଜୁତିକୁ ଚାଲେଞ୍ଜ କରି ୨ ମାସ ତଳେ ଜନ୍ମ ନେଇଥିବା ପାକିସ୍ତାନ ଜୋରଦାର ଚେଷ୍ଟା ଚଳାଇଥାଏ ରାଜ୍ୟକୁ ନିଜ ଅକ୍ତି ଆରକୁ ନେବା ପାଇଁ।  ପାକିସ୍ତାନୀ ସେନା ସହଯୋଗରେ ଆତଙ୍କବାଦୀ ଆଗରେ ଦୁର୍ବଳ ହୋଇପଡୁଥାନ୍ତି ମହାରାଜା ହରି ସିଂଙ୍କ ସୈନ୍ୟବାହିନୀ। ଧୀରେ ଧୀରେ ପରିସ୍ଥିତି ଏତେ ଅଣାୟତ୍ତ ହୋଇପଡ଼ିଲା ଯେ, ରାଜଧାନୀ ଶ୍ରୀନଗର କବ୍‌ଜା କରିବାକୁ ପାକିସ୍ତାନ ସେନାକୁ ବାକିଥିଲା, ଆଉ ମାତ୍ର ୩୦ କିଲୋମିଟର। ଶେଷରେ ଭାରତ ସରକାରଙ୍କ ସାହାଯ୍ୟ ଲୋଡ଼ିଲେ ହରି ସିଂ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଅନୁରୋଧ କଲେ ହରି ସିଂ। ସେନା ପଠାଇ ଶ୍ରୀନଗର ରକ୍ଷା କରିବାକୁ ଅନୁରୋଧ କଲେ। ଏହି ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରବାଦପୁରୁଷ ତଥା ଦୁର୍ଦ୍ଧର୍ଷ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ଭୂମିକା ଥିଲା ଅତୁଳନୀୟ। ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରି ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ପହଞ୍ଚାଇବାର ଗୁରୁଦାୟିତ୍ୱ ନେଲେ ବିଜୁ ବାବୁ। ଅକ୍ଟୋବର ୨୭, ୧୯୪୭ରେ ହେଲା ଏହି ଦୁଃସାହସିକ ଅଭିଯାନ। ସୂର୍ଯ୍ୟ ଉଇଁବା ଆଗରୁ ଡିସି-ଥ୍ରୀ ଡାକୋଟା ବିମାନ ଧରି ଦିଲ୍ଲୀ ପାଲାମ ଏୟାରପୋର୍ଟରୁ ଶ୍ରୀନଗର ଅଭିମୁଖେ ବାହାରିଲେ ବିଜୁ ବାବୁ। ପ୍ରତିପକ୍ଷର ରାର୍ଡାରକୁ ଚକ୍‌ମା ଦେଇ ଓ ଗୁଳିଗୋଳାକୁ ଖାତିର ନ କରି ସଫଳତାର ସହ ଶିଖ୍ ରେଜିମେଣ୍ଟର ଯବାନଙ୍କୁ ଭୋରରୁ ଭୋରରୁ ପହଞ୍ଚାଇ ଦେଇଥିଲେ ଶ୍ରୀନଗରରେ ।ଏହାପରେ ଭାରତୀୟ ସେନାର ପଲ୍ଲା ଭାରି ହୋଇଥିଲା। ଆଉ ଏହି ଅଭିଯାନ ବାଟ କଢ଼ାଇଥିଲା ଭାରତରେ ଜାମ୍ମୁ-କାଶ୍ମୀର ମିଶ୍ରଣ ପାଇଁ।

ଅହଂକାରୀ ଭାଇରସ ବିରୋଧରେ ଟିକା ନାହିଁ କହି ରାହୁଲ ଗାନ୍ଧୀଙ୍କୁ ବାଣ ମାରିଲେ ସ୍ୱାସ୍ଥ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏହାକୁ ନେଇ ବର୍ଷିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଶୁକ୍ରବାର ରାହୁଲ ଗାନ୍ଧୀ କହିଛନ୍ତି ଜୁଲାଇ ମାସ ଆରମ୍ଭ ହୋଇଯାଇଛି। ହେଲେ ଟିକାକୁ ନେଇ କୌଣସି ଖୋଜ ଖବର ନାହିଁ। ଏହାର ଜବାବ ଦେବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାହୁଲ୍ ଗାନ୍ଧୀଙ୍କର ଅସୁବିଧା କେଉଁଠି ରହୁଛି? ସେ କିଛି ପଢ଼ୁଛନ୍ତି କି ନାହିଁ? ନା ସେ ବୁଝି ପାରୁନାହାନ୍ତି ? ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଅଂହକାରୀ ଏବଂ ଅଣଦେଖା କରୁଥିବା ଭାଇରସ ବିରୋଧରେ କୌଣସି ଟିକା ନାହିଁ। ଏଥିସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନିଜ ନେତୃତ୍ୱରେ ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।ଏହାପୂର୍ବରୁ ଗୁରୁବାର ହର୍ଷବର୍ଦ୍ଧନ ଟିକାକରଣ ନୀତିକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି, ‘ମୁଁ ନିଜେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ସଂପର୍କରେ ଅନେକ ନେତାଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ଦେଖିଛି। କିଛି ଅଳ୍ପ ତଥ୍ୟ ରଖୁଛି, ଏହି ତଥ୍ୟରୁ ଲୋକମାନେ ଏହି ଦାୟିତ୍ୱହୀନ ନେତାଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ ବିଷୟରେ ଜାଣିପାରିବେ। ଜୁନରେ କେନ୍ଦ୍ର ସରକାର ୭୫ ପ୍ରତିଶତ ମାଗଣା ଟିକାକରଣର ଦାୟିତ୍ୱ ନେବା ପରେ ୧୧.୫୦ କୋଟି ଡୋଜ ଯୋଗାଇ ଦେଇଛନ୍ତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସରକାରଙ୍କ ଟିକାକରଣ ନୀତିକୁ ଅନେକ ସମୟରେ ସମାଲୋଚନା କରୁଛନ୍ତି। ନିକଟରେ କରୋନା ଟିକା ଅଭାବକୁ ଦୂର କରିବା ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ଏହାର ଜବାବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ରାହୁଲ ଗାନ୍ଧୀ ଗୁଡାଏ ମିଛ ଏବଂ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରୁଛନ୍ତି। ଟିକାକରଣ ଯୋଗାଣକୁ ନେଇ ଅନେକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନେକ ରାଜ୍ୟରୁ ସ୍ୱଳ୍ପ ଯୋଗାଣକୁ ନେଇ ବାରମ୍ବାର ଅଭିଯୋଗ ଆସିଛି, କିନ୍ତୁ କେନ୍ଦ୍ର କହିଛି ଯେ ଏହା ଜନସଂଖ୍ୟା ଏବଂ ଆବଶ୍ୟକତା ଅନୁଯାୟୀ ଏହି ଟିକା ଯୋଗାଉଛି।

ସମ୍ୱିତ ପାତ୍ର ଓ ରମଣ ସିଂଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଛତିଶଗଡ଼ ସରକାର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ‘ଜାଲ୍ ଟୁଲକିଟ୍’ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟ୍ୱିଟ୍‌କୁ ନେଇ ଦାୟର ହୋଇଥିବା ଏଫ୍‌ଆଇଆର ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ଏହି ନିର୍ଦ୍ଦେଶକୁ ଏବେ ବିରୋଧ କରି ଛତିଶଗଡ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଛତିଶଗଡ ହାଇକୋର୍ଟ ଜୁନ୍ ୧୧ରେ ଦୁଇଟି ପୃଥକ ନିର୍ଦ୍ଦେଶ ଜାରି କରି ରମଣ ସିଂହ ଏବଂ ସମ୍ୱିତ ପାତ୍ରଙ୍କ ବିରୋଧରେ ଦାୟର ହୋଇଥିବା ସମାନ ଏଫ୍ଆଇଆରରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ଏଫଆଇଆର କେବଳ ରାଜନୀତିକ ଦଳ ମଧ୍ୟରେ ହୋଇଥିବା ମତଭେଦ ପାଇଁ ହୋଇଛି। ତେଣୁ ଦୁଇ ବିଜେପି ନେତାଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇଥିଲେ ରାଜ୍ୟର ସର୍ବୋଚ୍ଚ କୋର୍ଟ। ତେବେ ଛତିଶଗଡ଼ ସରକାର କିନ୍ତୁ ହାଇକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ବିଜେପି ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବିବାଦରେ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ସରକାର କହିଛନ୍ତି ଯେ, ହାଇକୋର୍ଟ ଭୁଲରେ ରମଣ ସିଂ ଓ ସମ୍ୱିତ ପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇଛନ୍ତି। ରାଜ୍ୟ ସରକାର ଆବେଦନରେ ତାଙ୍କର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ହାଇକୋର୍ଟ ସମ୍ବିଧାନର ଧାରା ୨୨୬କୁ ବ୍ୟବହାର କରିଛନ୍ତି। ଏହା ବିରଳ ମାମଲାରେ ବ୍ୟବହାର କରାଯିବା ଉଚିତ ବୋଲି କହି ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବାକୁ ଆବେଦନରେ ଦର୍ଶାଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ହାଇକୋର୍ଟ ବିଶେଷ ଅଧିକାର ବ୍ୟବହାର କରିବାରେ ତ୍ରୁଟି କରିଛନ୍ତି। କାରଣ ଟୁଲକିଟ ମାମଲାରେ ପ୍ରାଥମିକ ତଦନ୍ତ ବେଳେ ଟୁଲକିଟ୍ ଜାଲ ବୋଲି ଜଣାପଡ଼ିଛି।

ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାରେ ମମତାଙ୍କୁ ଜୋରଦାର ଝଟକା….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/କୋଲକାତା)- ନିର୍ବାଚନୀ ପରବର୍ତ୍ତୀ ହିଂସା ବିରୋଧୀ ବିଜେପିର ଏକ ମିଛ ପ୍ରହେଳିକା। ଏଭଳି କିଛି ହିଂସା ନାହିଁ, ସବୁ ସ୍ୱାଭାବିକ ରହିଛି ବୋଲି କହୁଥିବା ପଶ୍ଚିମବଙ୍ଗର ମମତା ସରକାରକୁ ଜୋରଦାର ଝଟକା ଦେଇଛନ୍ତି କୋଲକାତା ହାଇକୋର୍ଟ। ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ନିର୍ବାଚନ ପରେ ହୋଇଥିବା ହିଂସା ବାବଦରେ ସମସ୍ତ ମାମଲାରେ ଏଫଆଇଆର କରିବାକୁ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯେଉଁମାନେ ହିଂସାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଓ ରାସନ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସେଇମାନଙ୍କ ପାଇଁ ଲାଗୁ ହେବ ଯେଉଁମାନଙ୍କର କାର୍ଡ ନାହିଁ। ଖାଲି ଏତିକି ନୁହେଁ ଏହି ମାମଲାରେ ଏନଏଚଆରସି ଟିମର ତଦନ୍ତ ଅବଧିକୁ ବଢ଼ାଇଛନ୍ତି ହାଇକୋର୍ଟ। ଏବେ ଜୁଲାଇ ୧୩ ଯାଏ ଏନଏଚଆରସି ଏହି ମାମଲାର ତଦନ୍ତ କରିବ। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରହିବା ଦରକାର। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଅନେକ ଲୋକ ହିଂସାର ଶିକାର ହୋଇ ପଡ଼ୋଶୀ ରାଜ୍ୟକୁ ପଳାଇଛନ୍ତି। ପ୍ରାଣ ଭୟରେ ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି ବୋଲି ଅଭିଯୋଗ ରହିଛି। ହେଲେ ସରକାର ଏସବୁ ଅଭିଯୋଗକୁ ଗ୍ରହଣ କରୁନଥିଲେ। ପରେ ସେହି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏବଂ ଫେରାଇ ଆଣିବାକୁ ଏକ ପିଆଇଏଲ ଦାଖଲ ହୋଇଥିଲା। କୋର୍ଟ ଗତମାସରେ ଏହି ମାମଲାର ଶୁଣାଣି କରି ଜାତୀୟ ମାନବାଧିକାର କମିଶନଙ୍କୁ ହିଂସା ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଜଣିଆ ଟିମ୍ ଗଠନ କରିଥିଲେ ଜାତୀୟ ମାନବାଧିକାର କମିଶନ। ଏହି ଟିମ୍ ନିକଟରେ ଯାଦବପୁର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପଛରେ ଟିଏମସି ରହିଥିବା ଅଭିଯୋଗ ହୋଇଥିଲା। ଜୁନ୍ ୧୯ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ, ହିଂସା ଘଟଣାରେ ପଦକ୍ଷେପ ନେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ୱନ କରିଛନ୍ତି। ଏମିତି ହେଲେ ରାଜ୍ୟ କିଭଳି ଆଗକୁ ଯିବ? ସରକାରରେ ଯିଏ ରହୁ ଲୋକଙ୍କ ବିଶ୍ୱାସ ଜିଣିବା ଦରକାର। ସରକାର ମନ ଇଚ୍ଛା ଚାଲିପାରିବ ନାହିଁ। ଲୋକଙ୍କ ଜୀବନ ଏବଂ ସମ୍ପତ୍ତି କିଭଳି ସୁରକ୍ଷିତ ରହିବ ତାହା ସରକାରଙ୍କ ଦାୟିତ୍ୱ ବୋଲି କହିଥିଲେ ହାଇକୋର୍ଟ।

ବିଜେପି ବିଧାୟକଙ୍କ ନାରାବାଜୀ, ଠିକ ଭାବେ ଭାଷଣ ଦେଇପାରିଲେନି ରାଜ୍ୟପାଳ ଜଗଦୀପ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/କୋଲକାତା)- ଆଜିଠାରୁ ପଶ୍ଚିମବଙ୍ଗ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବିଧାନସଭାରେ ରାଜନୀତିକ ବୟାନବାଜୀ ଦେଖିବାକୁ ମିଳିଛି। ବିଜେପି ବିଧାୟକମାନେ ନିୟମିତ ଭାବେ ଗୃହରେ ନାରାବାଜୀ କରିବାରୁ ରାଜ୍ୟପାଳ ଜଗଦୀପ ଧାନକର ଠିକ୍‌ ଭାବେ ତାଙ୍କ ଭାଷଣ ଦେଇପାରିନାହାନ୍ତି। ନାରାବାଜୀ ଯୋଗୁ ସେ ନିଜ ଭାଷଣକୁ କାଟଛାଣ୍ଟ କରି ଶେଷ କରିଛନ୍ତି। ବେଙ୍ଗଲରେ ଦେଖା ଦେଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସା ପାଇଁ ଶାସକ ଟିଏମସିକୁ ବିଜେପି ବିଧାୟକମାନେ ଦାୟୀ କରି ନାରା ଦେଇଥିଲେ। ଏହାପରେ ସେମାନେ ‘ଜୟ ଶ୍ରୀରାମ’ ନାରା ଦେଇ କକ୍ଷତ୍ୟାଗ କରିଥିଲେ। କକ୍ଷତ୍ୟାଗ କରିବା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, “ନିର୍ବାଚନୀ ପରବର୍ତ୍ତୀ ହିଂସା ଗୋଟିଏ ବଡ଼ ପ୍ରସଙ୍ଗ। ସବୁ କିଛି ଶେଷ ହେବା ଯାଏ ଏହି ଲଢ଼େଇ ଚାଲିବ।” ସୂଚନାଯୋଗ୍ୟ, ନବ ଗଠିତ ମମତା ବାନାର୍ଜୀ ସରକାରଙ୍କ ଏହା ପ୍ରଥମ ବିଧାନସଭା ଅଧିବେଶନ। ଜୁଲାଇ ୮ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଜୁଲାଇ ୭ରେ ରାଜ୍ୟର ବଜେଟ ବିଧାନସଭାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ଅଧିବେଶନ ସମୟରେ ଉଠିବ। ମମତା ସରକାର ରାଜ୍ୟପାଳଙ୍କୁ ବିଦା କରିବା ପାଇଁ ଗୃହରେ ସଂକଳ୍ପ ଆଣିବାର ସମ୍ଭାବନା ମଧ୍ୟ ରହିଛି। ଅନ୍ୟପକ୍ଷରେ ଆଜି କ୍ୟାଲକାଟା ହାଇକୋର୍ଟ ରାଜ୍ୟ ପୁଲିସ୍‌କୁ ନିର୍ବାଚନୀ ପରବର୍ତ୍ତୀ ହିଂସା ସହ ଜଡ଼ିତ ସମସ୍ତ ଘଟଣାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣିଆ ଖଣ୍ଡପୀଠ ହିଂସାରେ ଆହତ ଲୋକମାନଙ୍କୁ ସମସ୍ତ ମେଡିକାଲ ସୁବିଧା ଓ ପ୍ରଭାବିତ ଲୋକଙ୍କୁ ରାସନ ଯୋଗାଇବାର ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଛନ୍ତି। ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଠିକ୍‌ ଭାବେ ଯୋଗାଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହାବାଦ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ବାଚନୀ ପରବର୍ତ୍ତୀ ହିଂସାର ସମସ୍ତ ଫାଇଲକୁ ସଂରକ୍ଷିତ ରଖିବାକୁ ମଧ୍ୟ କହିଛନ୍ତି। ଜୁଲାଇ ୧୩ ଯାଏ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ଘଟଣାର ତଦନ୍ତ କରାଯିବ ଓ ଜୁଲାଇ ୧୩ରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡ଼ୁଆରେ ସଲିସିଟର ଜେନେରାଲ ତୁଷାର ମେହେଟା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଜେପିର ପଶ୍ଚିମବଙ୍ଗ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଦେଶର ସଲିସିଟର ଜେନେରାଲ ତୁଷାର ମେହେଟା ଅଡ଼ୁଆରେ ପଡ଼ିଛନ୍ତି। ହଠାତ୍‌ ତାଙ୍କୁ ଭେଟିବା ପାଇଁ ଶୁଭେନ୍ଦୁ ଅଧିକାରୀ ଯାଇଥିବାରୁ ମମତା ବାନାର୍ଜୀଙ୍କ ଟିଏମସି ଏହାକୁ ବିରୋଧ କରିଛି। ଏପରି କି ଦଳର ୩ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତୁଷାରଙ୍କ ବହିଷ୍କାର ଦାବି କରିଛନ୍ତି। ଶୁଭେନ୍ଦୁଙ୍କ ନାଁରେ ଏକାଧିକ ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ଏହାର ତଦନ୍ତ ସିବିଆଇ କରୁଛି। ସିବିଆଇ ପକ୍ଷରୁ ମାମଲା ଦେଶର ସଲିସିଟିର ଜେନେରାଲ ଭାବେ ତୁଷାର ମେହେଟା ଲଢ଼ୁଛନ୍ତି। ଏପରି ସ୍ଥିତିରେ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଶୁଭେନ୍ଦୁ ଅଧିକାରୀ ପହଞ୍ଚିବା ଘଟଣାକୁ ଟିଏମସି ସହଜରେ ଗ୍ରହଣ କରିପାରି ନାହିଁ।ତେବେ ତୁଷାର ମେହେଟା ନିଜ ପ୍ରତିକ୍ରିୟାରେ ଶୁଭେନ୍ଦୁଙ୍କୁ କୌଣସି ପ୍ରକାରର ଭେଟି ନାହାନ୍ତି ଓ ସେ ବିନା ନିମନ୍ତ୍ରଣରେ ଅଫିସରେ ପହଞ୍ଚିଥିଲେ ବୋଲି କହିଛନ୍ତି। ଟିଏମସି ସାଂସଦମାନେ ଲେଖିଥିବା ଚିଠିରେ କହିଛନ୍ତି, “ଅଧିକାରୀଙ୍କ ବିରୋଧରେ ଥିବା ଏକାଧିକ ଅପରାଧିକ ମାମଲାର ତଦନ୍ତ ସିବିଆଇ କରୁଛି। ହିସବୁ ମାମଲାରେ ସିବିଆଇ ପକ୍ଷରୁ ତୁଷାର ମେହେଟା କୋର୍ଟରେ ଉପସ୍ଥିତ ରହୁଛନ୍ତି। ତେଣୁ ସେଭଳି ଜଣେ ବ୍ୟକ୍ତିଙ୍କୁ ଶ୍ରୀ ମହେଟା ଭେଟିବା ତାଙ୍କ ପଦର ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି। ତେଣୁ ତାଙ୍କୁ ଦେଶର ସଲିସିଟର ଜେନେରାଲ ପଦରୁ ତୁରନ୍ତ ବିଦା କରାଯିବା ଉଚିତ।” ଅନ୍ୟପକ୍ଷରେ ମେହେଟା କହିଛନ୍ତି, “ଶୁଭେନ୍ଦୁ ଅଧିକାରୀ ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ମୋ ବାସଭବନ ସ୍ଥିତ ଅଫିସକୁ ଆସିଥିଲେ। ପୂର୍ବରୁ କୌଣସି ସୂଚନା ନ ଦେଇ ସେ ଏଠାକୁ ଆସିଥିଲେ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ମୁଁ ମୋ ଚ୍ୟାମ୍ବରରେ ମିଟିଂ କରୁଥିବାରୁ ମୋ କର୍ମଚାରୀମାନେ ତାଙ୍କୁ ଅପେକ୍ଷାଗୃହରେ ବସାଇବା ସହ ଚା’ ପିଇବାକୁ ଦେଇଥିଲେ। ମୋ ବୈଠକ ସରିବା ପରେ ମୋ ପିଏ ମୋତେ ଅଧିକାରୀ ଭେଟିବାକୁ ଆସିଥିବା ସମ୍ପର୍କରେ ଖବର ଦେଇଥିଲେ। କିନ୍ତୁ ମୁଁ ତାଙ୍କୁ ଭେଟି ନ ପାରିବାର ଅକ୍ଷମତା ପ୍ରକାଶ କରିବା ସହ ଖବର ପିଏଙ୍କ ହାତରେ ଦେଇଥିଲି। ଏହାପରେ ସେ ମୋ ପିଏଙ୍କ ସହ କଥା ହୋଇ ମୋ ସହ ବିନା କୌଣସି ଭେଟରେ ଚାଲି ଯାଇଥିଲେ। ତେଣୁ ମୁଁ ଅଧିକାରୀଙ୍କ ସହ ବୈଠକ କରିଛି ବୋଲି ଏଠି ପ୍ରଶ୍ନ ଆସିବା ଠିକ୍‌ ନୁହେଁ।” ଏହାକୁ ନେଇ ବିବାଦ ଧୀରେଧୀରେ ବଢ଼ିବାରେ ଲାଗିଛି।

ଚାରି ମାସରେ ଦୁଇ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଉତ୍ତରାଖଣ୍ଡରେ ଚାରିମାସରେ ଦୁଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଆଜି ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ଏଥିପାଇଁ ଅପରାହ୍ନ ୩ଟାରେ ଶାସକ ଦଳ ବିଜେପିର ବିଧାୟକ ଦଳ ବୈଠକ ବସିବ। ଶୁକ୍ରବାର ବିଳମ୍ୱିତ ରାତିରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ୱତ ଇସ୍ତଫା ଦେଇଛନ୍ତି। ମାତ୍ର ତିନି ମାସ ସେ ଏହି ପଦବୀରେ ରହିବା ପରେ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ରାତି ୧୧ଟାରେ ଇସ୍ତଫା ଦେବା ବେଳେ ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମଦନ କୌଶିକଙ୍କ ସମେତ ଅନେକ ବିଜେପି ବିଧାୟକ ଥିଲେ। ଇସ୍ତଫା ଦେବା ପରେ ତିରଥ ମିଡିଆକୁ ପ୍ରତିକ୍ରିୟା ଦେବା ପରେ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି। ତିରଥ ସିଂ ରାୱତ କହିଛନ୍ତି ଯେ ନିର୍ବାଚନ ଆୟୋଗର ଧାରା ୧୫୧, ୧୬୪ ଅନୁଯାୟୀ ସାମ୍ବିଧାନିକ ସଙ୍କଟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିବା ଠିକ୍ ହେବ ଭାବି ଇସ୍ତଫା ଦେଇଥିବା ସୂଚନା ରହିଛି। ଏମଏଲସି ରୁ ବିଧାନସଭା, ସାଂସଦ ପରେ ମୁଖ୍ୟମନ୍ତ୍ରୀ ଭଳି ଦାୟିତ୍ୱ ଦେଇଥିବାରୁ ସେ ଦଳ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଏତକ କହିବା ପରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ଏଥି ସହ ବିଜେପି ରାଜ୍ୟ ସଭାପତି ମଦନ କୌଶିକ କହିଛନ୍ତି ଯେ ଶନିବାର ବିଜେପି ବିଧାନସଭା ଦଳର ଏକ ବୈଠକ ହେବ ଏବଂ ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବ ବୋଲି ସେ କହିଛନ୍ତି। ଯିଏ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ, ତାଙ୍କର କାର୍ଯ୍ୟକାଳ ମାତ୍ର ୭-୮ ମାସ ହେବ। କାରଣ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ତିରଥ ସାଂସଦ ହୋଇଥିବାରୁ ସେପ୍ଟେମ୍ୱର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ଦରକାର। ହେଲେ ବର୍ଷେରୁ କମ୍ ସମୟ ରହିଛି ବିଧାନସଭା ନିର୍ବାଚନକୁ। ତେଣୁ ରାଜ୍ୟରେ ଉପନିର୍ବାଚନ ହୋଇପାରିବ ନାହିଁ। ହେଲେ ଜଣେ ବିଧାୟକ ନହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ନିହାତି ଦରକାର। ତେଣୁ ଏସବୁ ସ୍ଥିତିକୁ ଦେଖି ତିରଥ ଇସ୍ତଫା ଦେଇଛନ୍ତି।

୧୯ରୁ ସଂସଦର ମୌସୁମୀ ଅଧିବେଶନ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାମାରୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୧୩ ତାରିଖ ଯାଏ ଚାଲିବ ଓ ପୂରା ଅଧିବେଶନରେ ୨୦ଟି କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡ଼ିଛି। ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୩ୟ ସପ୍ତାହରେ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ମୌସୁମୀ ଅଧିବେଶନ ବି ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେବ। ଅଧିବେଶନ ବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସମସ୍ତ ଗାଇଡଲାଇନକୁ ପାଳନ କରାଯିବ। ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ବସିଥିଲା। ଏହି ସମୟରେ ସେ ସମସ୍ତ ମନ୍ତ୍ରୀମାନଙ୍କୁ ବିରୋଧୀମାନେ କରୋନା ସଙ୍କଟକୁ ନେଇ ଉଠାଉଥିବା ପ୍ରଶ୍ନକୁ କାଉଣ୍ଟର କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ମହାମାରୀ କରୋନାକୁ ନେଇ ଯଦି ବିରୋଧୀ କୌଣସି ମିଛ ଅଭିଯୋଗ କରୁଥିବେ, ତା’ହେଲେ ଏହାର ପର୍ଦ୍ଦାଫାସ କରିବାକୁ ଉପଯୁକ୍ତ ଦସ୍ତାବିଜ ମୌସୁମୀ ଅଧିବେଶନକୁ ଧରି ଆସିବା ପାଇଁ ମଧ୍ୟ ମୋଦି ସବୁ ମନ୍ତ୍ରୀମାନଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ପୂରା ଯୋଜନା କରିଛନ୍ତି। ମହାମାରୀ କରୋନାକୁ ମୁକାବିଲା କରିବାରେ ସରକାରୀ ବିଫଳତା ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିବେ ବୋଲି କୁହାଯାଉଛି। ଏହାବାଦ ବେକାରୀ ଓ ବିଭିନ୍ନ ଅଧ୍ୟାଦେଶ ସମ୍ପର୍କରେ ମଧ୍ୟ ବିରୋଧୀ ନିଜର ସ୍ୱର ଶାଣିତ କରିବେ।

ଐତିହାସିକ ୱିମ୍ବଲଡନ୍ ମ୍ୟାଚ୍ ଜିତିଲେ ସାନିଆ-ବୋପନ୍ନା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତର ସାନିଆ ମିର୍ଜା ଓ ରୋହନ୍ ବୋପନ୍ନାଙ୍କ ଅଭିଜ୍ଞ ଯୋଡ଼ି ୱିମ୍ବଲଡନ୍ ଓପନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସାନିଆ ଓ ବୋପନ୍ନା ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡରେ ନିଜ ଦେଶର ରାମକୁମାର ରାମନାଥନ ଓ ଅଙ୍କିତା ରାଇନାଙ୍କୁ ସିଧାସଳଖ ୬-୨, ୭-୬ ସେଟରେ ହରାଇଛନ୍ତି । ଏଥିସହ ଓପନ୍ ଯୁଗରେ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଦୁଇ ଭାରତୀୟ ଟିମ୍ ପରସ୍ପର ବିରୋଧରେ ଖେଳୁଥିଲେ । ରାମନାଥନ ଏହି ମ୍ୟାଚ୍ ଜରିଆରେ ଗ୍ରାଣ୍ଡସ୍ଲାମ୍ ପଦାର୍ପଣ କରିଛନ୍ତି, ଯିଏ ୨୧ଥର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ କ୍ୱାଲିଫାଇଙ୍ଗ୍ କରିବାରେ ବିଫଳ ହୋଇସାରିଛନ୍ତି । ମ୍ୟାଚର ପ୍ରଥମ ସେଟକୁ ସାନିଆ ଓ ବୋପନ୍ନା ସହଜରେ ଜିତି ନେଇଥିଲେ, କିନ୍ତୁ ଦ୍ୱିତୀୟ ସେଟରେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା । ଚାରିଜଣଙ୍କ ମଧ୍ୟରୁ ବୋପନ୍ନା ନିଜର ଦମଦାର ସର୍ଭିସ୍ ଓ ବେସଲାଇନରେ ଗ୍ରାଉଣ୍ଡ ଷ୍ଟ୍ରୋକ୍ ଦ୍ୱାରା ସବୁଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ। ସାନିଆ ଓ ଆମେରିକାର ବେଥାନି ମ୍ୟାଟେକ୍ ସାଣ୍ଡସଙ୍କ ଯୋଡ଼ି ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ଅଙ୍କିତା ଓ ତାଙ୍କ ଆମେରିକୀୟ ଯୋଡ଼ିଦାର ଲରେନ୍ ଡେଭିସ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ରାଇନା ଓ ଡେଭିଡ୍ ଗୁରୁବାର ବିଳମ୍ବିତ ରାତିରେ ଆମେରିକାର ଆସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କ ନିକଟରୁ ସିଧାସଳଖ ସେଟରେ ହାରିଯାଇଥିଲେ । ଆମେରିକାର ୧୪ତମ ସିଡ୍ ଯୋଡ଼ି ଅଙ୍କିତା ଓ ଡେଭିସଙ୍କୁ ୬-୩, ୬-୨ ସେଟରେ ହରାଇଥିଲେ । ଏହି ମ୍ୟାଚଟି ମାତ୍ର ୭୦ ମିନିଟ୍ ଧରି ଚାଲିଥିଲା । ବୋପନ୍ନା ଓ ଦିବିଜ ଶରଣ ପୁରୁଷ ଡବଲ୍ସର ପ୍ରଥମ ରାଉଣ୍ଡରୁ ଆଗକୁ ବଢ଼ି ପାରିନାହାନ୍ତି ।