ଗୁଣୁପୁର ବନଖଣ୍ଡ ବିଭାଗ ଦ୍ୱାରା ୭୨ ତମ ବନ ମହୋତ୍ସବ ପାଳିତ ….!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଣପୁର) – ଅଦ୍ୟ ତା ୦୨/୦୭/୨୦୨୧ ରିଖ ଦିନ ଗୁଣପୁର ଉପଖଣ୍ଡସ୍ଥ ରାମନାଗୁଡା ବ୍ଲକ ଅନ୍ତର୍ଗତ ରୋବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରୋବାଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣ , ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ।

ଗୁଣପୁର ବନଖଣ୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ପରିସର ଓ ଚିକିତ୍ସାଲୟ ପରିସର ରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ବନଖଣ୍ଡ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମହାନ୍ତି , ବାଙ୍କିଲି ପଞ୍ଚାୟତ ସରପଞ୍ଚ ଶ୍ରୀ ବିଶି କେଶନ କଣ୍ଡାଗୋରୀ ଓ ବନପାଳ ଶ୍ରୀ ଭଗବାନ ସାରକା, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ମେଡିକାଲ କର୍ମଚାରୀ , ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସକାଳେ ଅଳସକୁ କରନ୍ତୁ ବାଏ ବାଏ, ଖଟ ଉପରେ ହିଁ କରନ୍ତୁ ଯୋଗ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଯୋଗ ଓ ପ୍ରାଣାୟାମ ମଣିଷକୁ ଫିଟ୍‌ ରଖିଥାଏ। ଶରୀରରେ ନୂଆ ଉର୍ଜ୍ଜା ସୃଷ୍ଟି କରିଥାଏ। ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମଣିଷ ଏଥିପ୍ରତି ଧ୍ୟାନ ଦେଇନଥାଏ। ଯେଉଁପାଇଁ ମାନସିକ ଅବସାଦରେ ଦିନ ଅତିବାହିତ କରିଥାଏ ବୋଲି ମତପ୍ରକାଶ ପାଉଛି। ଏଥିରୁ ମୁକ୍ତି ପାଇବା ଯୋଗ କରିବାକୁ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ସକାଳେ ଅଳସକୁ କରନ୍ତୁ ବାଏ ବାଏ, ଖଟ ଉପରେ କରନ୍ତୁ ଯୋଗ।

ଶବାସନ- ଧ୍ୟାନ ପାଇଁ ସକାଳ ସମୟ ସବଠୁ ଭଲ। ସକାଳୁ ନିଦ ଭାଙ୍ଗିବା ମାତ୍ରେ ହଠାତ୍ ଉଠି ନ ବସି ଶେଯରେ ଆଖି ବନ୍ଦ ରଖି ସିଧା ଶୋଇ ରୁହନ୍ତୁ। ହାତର ପାପୁଲିକୁ ଉପରକୁ ଖୋଲି ରଖନ୍ତୁ। ଟିକେ ଲମ୍ବା ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ପ୍ରତିଟି ନିଶ୍ୱାସ ପ୍ରଶ୍ୱାସରେ ପେଟ ଫୁଲିବା ଓ କମିବା ପରି ଯୋଗ କରନ୍ତୁ । ଲାଭ: ଏହା ଶରୀର ଓ ସ୍ନାୟୁକୁ ଶିଥିଳ କରାଏ। ମସ୍ତିଷ୍କକୁ ଶାନ୍ତ କରାଏ। ମୁଣ୍ଡବିନ୍ଧା, ଅବସନ୍ନତା ଓ ଅବସାଦ କମ୍‌ କରେ ।

ଫୁଲ୍‌ ବଡି ଷ୍ଟ୍ରେଚ୍- ସକାଳର ଅଳସ ଭାଙ୍ଗିବାରେ ଫୁଲ୍‌ ବଡି ଷ୍ଟ୍ରେଚ୍ ଏକ ସୁବିଧା ଓ ସହଜ ଉପାୟ। ଖଟରେ ବସି ଦୁଇ ହାତକୁ ଦୁଇ କାନର ପଛକୁ ନେବା ସହ ଦୁଇ ଗୋଡ଼ ଆଗକୁ ସିଧା ଲମ୍ବାଇ ରଖନ୍ତୁ। ତାପରେ ଦୁଇ ହାତର ପାପୁଲିକୁ ଯୋଡ଼ି ଆଗକୁ ଝୁକିବା ସହ ପଛକୁ ଫେରନ୍ତୁ। ଲାଭ: ମାଂସପେଶୀକୁ ସତେଜ କରାଇବା ସହ ଶ୍ୱାସକ୍ରିୟା ସୁଚାରୁ ରୂପେ କରାଏ।

ମାଉଣ୍ଟେନ ପୋଜ- ଏହି ପୋଜକୁ ଖଟରେ ନ କରି ତଳେ କରିବାକୁ ପଡ଼େ। ସିଧା ଛିଡ଼ା ହୋଇ ଦୁଇ ହାତର ପାପୁଲିକୁ ନମସ୍କାର ପୋଜରେ  ମୁଣ୍ଡ ଉପରେ ରଖି ବଡ଼ିକୁ ଷ୍ଟ୍ରେଚ୍‌ କରନ୍ତୁ। ଲାଭ: ନିତମ୍ବ, ଆଣ୍ଠୁ, ତଳିପେଟ ଓ ଗୋଇଠିକୁ ଶକ୍ତ କରାଏ ।

ପବନ ମୁକ୍ତାଶନ- ଖଟରେ କିମ୍ବା ତଳେ ସିଧା ଶୋଇ ରୁହନ୍ତୁ। ଡାହାଣ ଗୋଡ଼କୁ ଭାଙ୍ଗି ଆଣ୍ଠୁକୁ ଡାହାଣ ପାଖ କାନ୍ଧରେ ଲଗାନ୍ତୁ। ଦୁଇ ହାତରେ ଆଣ୍ଠୁକୁ ଜାବୁଡ଼ି ଧରନ୍ତୁ। ସେହିପରି ଆସନ ବାମ ପାଖ ଗୋଡ଼ରେ ମଧ୍ୟ କରନ୍ତୁ। ପରେ ଦୁଇ ଗୋଡ଼କୁ ଏକା ସହ ଭାଙ୍ଗି ଦୁଇ ହାତ ସାହାଯ୍ୟରେ ଆଣ୍ଠୁ ପାଖରୁ ଜାବୁଡ଼ି ଧରନ୍ତୁ। ଠିକ୍ ଯେପରି ନିଜକୁ କୁଣ୍ଢାଇଲା ପରି।ଲାଭ: ତଳିପେଟ, ଜଘଂ ଓ ନିତମ୍ବକୁ ସକ୍ରିୟ କରାଏ। ପେଟ ବଢ଼ିବାକୁ ଦିଏ ନାହିଁ, ଏହା  ପେଟ ବଢିବାକୁ କମ୍ କରେ। ବାଇସେପ, ଟ୍ରାଇସେପ୍ ଓ ମାଂସପେଶୀକୁ ଶକ୍ତ କରାଏ। ଇଣ୍ଟେନଷ୍ଟାଇନକୁ ସଙ୍କୁଚିତ କରାଏ l

 

ଭୁବନେଶ୍ୱରରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରୀ ମାରିଛି ପେଟ୍ରୋଲ ଦର। ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟଙ୍କା ଟପିଥିବା ବେଳେ ଆଜି ଭୁବନେଶ୍ୱରରେ ଏହା ଶହେ ଅତିକ୍ରମ କରିଛି। ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିଲା। ଆଜି ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି। ସେହିପରି ଡିଜେଲ ଦର ଲିଟର ପିଛା ୯୭.୨୫ ପଇସା ରହିଛି। ସେହିପରି କଟକରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଏଠାରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି। ମାଲକାନଗିରିରେ ପୂର୍ବରୁ ପେଟ୍ରୋଲ ଦର ଶହେ ପାର୍ କରିଥିଲା ବେଳେ ଆଜି ସେଠାରେ ଏହାର ଦର ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଛି। ସେହିପରି ଡିଜେଲ ଦାମ୍‌ ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ରହିଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କୁ ଏହା ଖୁବ୍ ବାଧୁଛି। ଏନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କରୋନା ପାଇଁ ଲକ୍‌ଡାଉନ୍‌ ହେଉଥିବା ଯୋଗୁ ଅନେକ ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରାଜନୀତି ନ କରି ତୈଳ ଦର ହ୍ରାସ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହେଉଛି। ତୈଳ ଦର ବଢୁଥିବା ବେଳେ ରାଜ୍ୟରେ ଗୁରୁବାର (ଗତକାଲି) ଠାରୁ ବସ୍ ଭଡ଼ା ମଧ୍ୟ ବଢ଼ିଛି। ଅଟୋମେଟିକ ମେକାନିଜିମ ଆଧାରରେ ବସ ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୮ ପଇସା ବଢ଼ିଛି। ସେହିଭଳି ସୁପର ପ୍ରିମିୟମ୍‌ ବସ୍‌ର ଭଡ଼ା କିଲୋମିଟର ପିଛା ୧୨ ପଇସା ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ୨୦ଟି ଜିଲ୍ଲାରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। ଗତକାଲି ଠାରୁ ଏହି ସବୁ ଜିଲ୍ଲା ବସ୍‌ ଗଢ଼ିଲାଣି।

ଓଡ଼ିଶାରେ ୬୪ବର୍ଷ ଧରି ନିଶା ନିବାରଣ ଆଇନ ଅକାମୀ, ସେପ୍ଟେମ୍ବର ୧୫ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଦେଶ ସ୍ୱାଧୀନତାର ମାତ୍ର ୧୦ବର୍ଷ ପରେ ଓଡ଼ିଶାରେ ନିଶାଦ୍ରବ୍ୟ କାରବାରକୁ ନିଷେଧ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ନିବାରଣ ଆଇନ-୧୯୫୬’ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ୬୪ବର୍ଷ ମଧ୍ୟରେ ଅନେକ ସରକାର ରାଜ୍ୟରେ ରହିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିବା ଏହି ଆଇନକୁ କାର୍ଯ୍ୟକାରୀ ନିମନ୍ତେ ଉଦ୍ୟମ କରିନାହାନ୍ତି। ଏହି ଆଇନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ହାଇକୋର୍ଟରେ ଗତ ୨୦୧୩ ମସିହାରେ ଆଡଭୋକେଟ୍ ଅରୁଣ କୁମାର ବୁଧିଆ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାଏର କରି ଏହି ଓଡ଼ିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ୨୦୨୧ ଏପ୍ରିଲ ୫ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଏହି ମାମଲାରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ରଖିବାପରେ ବିଫଳ ହେବାପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ . ମୁରଲୀଧର ଓ ଜଷ୍ଟିସ ଏସକେ ପାଣିଗ୍ରାହୀଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଏହି ମାମଲାରେ ସରକାର ତାଙ୍କ ପକ୍ଷ ରଖି ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ନିୟନ୍ତ୍ରଣ ପାଇଁ କେତେକ ପଦକ୍ଷେପ ନେଇଥିବା ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ମାତ୍ର ଆବେଦନକାରୀ ଯୁକ୍ତି ବାଢ଼ିଥିଲେ ଯେ ଓଡ଼ିଶା ନିବାରଣ ଆଇନ ଅନ୍ତର୍ଗତ ନାକେବଳ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ କଟକଣା ରହିଛି ବରଂ ସବୁ ପ୍ରକାରର ମଦ ବିକ୍ରି ଓ ପ୍ରସ୍ତୁତି ଉପରେ କଟକଣା ଅଛି। ତେବେ ସରକାରୀ ଓକିଲ ଡିକେ ମହାନ୍ତି ଏହି ମାମଲାରେ ଖଣ୍ଡପୀଠଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବେ ବୋଲି କହିବା ପରେ କୋର୍ଟ ମାମଲାର ଶୁଣାଣି ଜୁନ୍ ୨୨ତାରିଖକୁ ଧାର୍ଯ୍ୟ କରିଥିଲେ। କିନ୍ତୁ ସରକାରୀ ଓକିଲ ପୁଣିଥରେ ଏହି ମାମଲାରେ ସତ୍ୟପାଠ ଦାଖଲ ପାଇଁ ଅଧିକ ଦିନ ସମୟ ଲୋଡ଼ିଛନ୍ତି। ଖଣ୍ଡପୀଠ ଏହି ଆଇନ ଉପରେ ସରକାରଙ୍କୁ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ନିବାରଣ ଆଇନ-୧୯୫୬ର ପ୍ରାବଧାନ ଅନୁସାରେ ରାଜ୍ୟରେ ମଦ ଓ ନିଶାଦ୍ରବ୍ୟ ପ୍ରସ୍ତୁତି, ବିକ୍ରି ଓ ସେବନ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ଓଡ଼ିଶା ନିବାରଣ ଆଇନ-୧୯୩୯କୁ ଉଚ୍ଛେଦ କରି ଏହି ଆଇନକୁ ଅଣାଯାଇଥିଲା। ରାଜ୍ୟ ବିଧାନସଭାରେ ଗୃହୀତ ଏହି ଆଇନକୁ ୧୯୫୭ ମସିହା ଫେବୃୟାରୀ ୨୧ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା। ଯାହାକି ୧୯୫୭ ଏପ୍ରିଲ ୧୦ତାରିଖରେ ଓଡ଼ିଶା ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଥିଲା। ମାତ୍ର ପରିତାପର ବିଷୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି, ଗେଜେଟ୍ ବିଜ୍ଞପ୍ତି ସତ୍ତ୍ୱେ ଗତ ୬୪ବର୍ଷ ଧରି ରାଜ୍ୟର କୌଣସି ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି । ଗତ ୨୧ବର୍ଷ ଧରି ରାଜ୍ୟରେ ବିଜେଡିର ସରକାର ରହିଥିଲେ ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରିବା ବଦଳିରେ ଅବକାରୀ ଟିକସ ମାଧ୍ୟମରେ ରାଜକୋଷକୁ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏହି ଆଇନ କାହିଁକି କାର୍ଯ୍ୟକାରୀ କରାଯାଉନି ଓ ହାଇକୋର୍ଟରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ସେ ନେଇ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନି।

୧୫ ପର୍ଯ୍ୟନ୍ତ ଧାନମଣ୍ଡି ଖୋଲୁ: ବିଜେପିର ଧାରଣା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ସମସ୍ତ ପଞ୍ଜିକୃତ ଚାଷୀଙ୍କଠୁ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ପ୍ରତିବାଦ ସହ ଯୋଗାଣ ନିଗମ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇ ଥିବାବେଳେ ବିଜେପି ବିଧାୟକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଦାବି କରିଛନ୍ତି। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିବା ପାଇଁ ବିଜେପି ବିଧାୟକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ରବି ଫସଲ ଧାନ କିଣା ଅତ୍ୟନ୍ତ ଅବ୍ୟବସ୍ଥିତ ହୋଇଛି। ଗତ ଖରିଫ ଫସଲ ସିଜନ ସମୟରୁ ସରକାରଙ୍କ ପରିଚାଳନାଗତ ଭୁଲ୍ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ବିଧାନସଭାରେ ବିଜେପି ବିଧାୟକମାନ ଏହି ପ୍ରସଙ୍ଗ ଉଠାଇବା ସତ୍ତ୍ୱେ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ନାହିଁ। ଟୋକନ ବ୍ୟବସ୍ଥା, ଯୋଗାଣ ନିଗମ ତଥା ଜିଲ୍ଲା ଧାନକ୍ରୟ ବ୍ୟବସ୍ଥାରେ ତାଳମେଳ ଅଭାବ ଥିବାରୁ ଚାଷୀଙ୍କ ଠାରୁ ଧାନ କିଣାଯାଇ ପାରୁ ନାହିାଁ ଧାନ କିଣାର ସଂପୂର୍ଣ୍ଣ ବ୍ୟବସ୍ଥା ମିଲରମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁ ନାହିଁ । ରବି ଫସଲର ଧାନ କ୍ରୟ ପାଇଁ ରାଜ୍ୟର ସମସ୍ତ ମଣ୍ଡିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ଖୋଲା ରଖିବାକୁ ଦଳର ବିଧାୟକମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି। ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ୫ ହଜାର ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି। ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୧ ହଜାର ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।ଟୋକନ୍ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ୍ ଲ୍ୟାପସ ହୋଇଛି। ମଣ୍ଡିରେ ପଡିଥିବା ଧାନ ଗଦା ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ କରୁଛି। ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦିଆଯିବା ସହ ତୁରନ୍ତ ବାକି ଥିବା ଧାନକୁ କିଣିବା ପାଇଁ ଦାବି କରାଯାଇଥିଲା। ଜୁନ୍ ୩୦ ତାରିଖ ସୁଦ୍ଧା ଧାନ ସବୁ କିଣାଯିବ ବୋଲି ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେବା ପରେ ବି ଏଯାବତ୍ ମଣ୍ଡିରୁ ଗୋଟିଏ ବସ୍ତା ଧାନ ଉଠିଲା ନାହିଁ। ପଞ୍ଜିକୃତ ଚାଷୀ ଏବଂ ଅକାମୀ ହୋଇଥିବା ଟୋକନରେ ସମସ୍ତ ଧାନ କିଣିବା ଦାବିରେ ଆଜି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଧାନମଣ୍ଡି ଏବଂ ସିଏସଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଆଗାମୀ ଦିନରେ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି । ଆଜି ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଘେରାଉ ଓ ରାସ୍ତାରୋକ କାର୍ଯ୍ୟକ୍ରମ ହୋଇଥିଲା।

ଅନ୍ତିମ ଶିକ୍ଷା ବର୍ଷରେ ଦେଶରେ ୨୨ ପ୍ରତିଶତ ସ୍କୁଲରେ ଥିଲା ଇଣ୍ଟରନେଟ୍ ସୁବିଧା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ୨୦୧୯-୨୦ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ସପ୍ତାହେ ଥିବା ବେଳେ ଭାରତରେ କୋଭିଡ ସଂକ୍ରମଣ ଯୋଗୁଁ ଦେଶ ବ୍ୟାପୀ ଲକଡାଉନ୍ ହୋଇଥିଲା। ଏହା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ପାଠ ପଢ଼ା ହେଉଛି ଅନ୍ ଲାଇନ୍ ମୋଡରେ। ଯଦି ସ୍ମାର୍ଟ ଫୋନ୍ ନାହିଁ ତାହେଲେ ପାଠ ପଢ଼ା ଏକ ପ୍ରକାର ଠପ୍। ଓଡ଼ିଶା ସରକାରଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଇଜେସନ ଜରିଆରେ ପାଠ ପଢ଼ାଇବାକୁ ପ୍ରୟାସ କରୁଛନ୍ତି। ଏହାରି ଭିତରେ କିନ୍ତୁ ଏକ ସର୍ଭେ ରିପୋର୍ଟ ଆସିଛି ଯାହାକି ବର୍ତ୍ତମାନର ସ୍କୁଲ ଗୁଡ଼ିକ କେତେ ଡିଜିଟାଇଜେସନ ବା ଇଣ୍ଟରନେଟ ଭିତ୍ତିଭୂମି କେତେ ସବଳ ରହିଛି ଜଣାପଡ଼ିଛି। ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ ଭାରତରେ କେବଳ ୨୨% ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି। ୨୦୧୯-୨୦ରେ ୧୨% ସରକାରୀ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଥିବାବେଳେ ୩୯% ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ଥିଲା। ଯଦି ସ୍କୁଲ ଗୁଡ଼ିକରେ ଏହିପରି ଦୁର୍ବଳ ଇଣ୍ଟରନେଟ ସୁବିଧା ରହିଛି ତାହେଲେ ଦେଶରେ ସ୍କୁଲ ଗୁଡ଼ିକ କିଭଳି ପିଲାଙ୍କୁ ପାଠ ପଢ଼ାଉଥିବେ ଏବେ ଚିନ୍ତା କରିବାର ସମୟ ଆସିଛି। ଯଦିଓ ସରକାର ଅନ୍ ଲାଇନ ଜରିଆରେ ପିଲାଙ୍କୁ ପାଠ ପଢ଼ାଯାଉଥିବା କଥା କହୁଛନ୍ତି ହେଲେ ଖୋଦ୍ ଶିକ୍ଷା ମନ୍ତ୍ରାଳୟର ରିପୋର୍ଟ ବଖାଣିଛି କେତେ ସଫଳ ହୋଇଥିବ ୨୦୨୦-୨୧ରେ ଅନ୍ ଲାଇନ୍ ପାଠ ପଢ଼ା।ୟୁନିଫାଏଡ୍ ଡିଷ୍ଟ୍ରିଟ୍ ଇନଫରମେସନ ସିଷ୍ଟମ ଫର୍ ଏଜେକେସନ ପ୍ଲସ (UDISE +) ରିପୋର୍ଟ ଅନୁଯାୟୀ ଦେଶର ୧୫ ଲକ୍ଷରୁ ଅଧିକ ସ୍କୁଲରୁ ଏହି ସର୍ଭେ ସଂଗ୍ରହ କରାଯାଇଛି। ଦେଶର ୨୬ କୋଟି ସ୍କୁଲର ଅଧିକାଂଶ ପିଲା ବର୍ଷେ ଦୁଇ ମାସ ହେବ ସ୍କୁଲ୍ ଯାଇ ନାହାନ୍ତି। ପିଲାମାନେ ଡିଜିଟାଲ୍ ମୋଡରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଜୁମ୍ ଭଳି ଆପ ଶିକ୍ଷା ଦାନରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଅନେକ ରାଜ୍ୟରେ ଶିକ୍ଷକମାନେ ବିଦ୍ୟାଳୟକୁ ଆସି ସେମାନଙ୍କ ଖାଲି ଶ୍ରେଣୀ ଗୃହରେ ପାଠ ପଢ଼ାଉଥିବାର ନଜିର ରହିଛି। ଶିକ୍ଷକ ମାନେ ବ୍ଲାକବୋର୍ଡ ଏବଂ ଲାବୋରେଟୋରୀରେ କୌଣସି ପାଠ ପଢ଼ାଇ ଏହାକୁ ଲାଇଭ୍ କରୁଛନ୍ତି ନଚେତ ରେକର୍ଡିଂ କରି ପିଲାଙ୍କ ଅଭିଭାବକଙ୍କ ଇ-ମେଲ ଓ ହ୍ୱାଟସଆପ ଆଦିରେ ରେକର୍ଡିଂ ଭିଡିଓ ପଠାଉଥିବାର ନଜିର ରହିଛି। UDISE +ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି କେରଳରେ ୯୦% ରୁ ଅଧିକ ବିଦ୍ୟାଳୟରେ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲରେ କମ୍ପ୍ୟୁଟର କାମ କରୁଥିଲା। ଯାହାକି ଦେଶରେ ସର୍ବାଧିକ। ଏହାପରେ ଛତିଶଗଡ (୮୩%), ଝାଡଖଣ୍ଡ (୭୩%), ତାମିଲନାଡୁ (୭୭%), ଗୁଜୁରାଟ (୭୪%) ଏବଂ ମହାରାଷ୍ଟ୍ର (୭୧%) ରହିଛି। ତେବେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ କମ୍ପ୍ୟୁଟର ଅଧିକ ଥିଲା। ସେହିପରି ଆସାମ (୧୩%), ମଧ୍ୟପ୍ରଦେଶ (୧୩%), ବିହାର (୧୪%), ପଶ୍ଚିମବଙ୍ଗ (୧୪%), ତ୍ରିପୁରା (୧୫%), ଉତ୍ତରପ୍ରଦେଶ (୧୮%), କମ୍ପ୍ୟୁଟର ରହିଛି ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ। ତେବେ ୟୁପିରେ ଥିବା ମୋଟ୍ ସରକାରୀ ସ୍କୁଲରେ ୫ ପ୍ରତିଶତରୁ କମ୍ ସ୍କୁଲରେ କମ୍ପ୍ୟୁଟର ରହିଥିବା ଜଣାପଡ଼ିଛି। କେବଳ ତିନୋଟି ରାଜ୍ୟ କେରଳ (୮୮%), ଦିଲ୍ଲୀ (୮୬%) ଏବଂ ଗୁଜୁରାଟ (୭୧%) ସ୍କୁଲରେ ଇଣ୍ଟରନେଟ୍ ସବୁଧା ରହିଛି। ସବୁଠୁ ବଡ଼ କଥା ହେଲା ଦେଶର ୯୦% ସ୍କୁଲରେ ହାତ ଧୋଇବା ସୁବିଧା ରହିଛି। ୨୦୧୨-୧୩ରେ କିନ୍ତୁ ଏହା ୩୬ ପ୍ରତିଶତ ଥିଲା।

ରାଜସାକ୍ଷୀ ହେବା ପରେ ଇଡିକୁ ୧୭.୨୫ କୋଟି ଦେଲେ ନୀରବ ମୋଦିଙ୍କ ଭଉଣୀ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଳାତକ ଘୋଷିତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭଉଣୀ ପୂରବୀ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ଘଟଣାରେ ରାଜସାକ୍ଷୀ ହୋଇଯାଇଛନ୍ତି। ସେ ରାଜସାକ୍ଷୀ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବ୍ୟାଙ୍କ ଆକାଉଣ୍ଟକୁ ୧୭.୨୫ କୋଟି ଟଙ୍କା ପଠାଇଛନ୍ତି। ଋଣ ଜାଲିଆତି ଘଟଣାରେ ପୂରବୀ ଓ ତାଙ୍କ ସ୍ୱାମୀ ଏମ ମେହେତାଙ୍କ ନାଁରେ ମଧ୍ୟ ମାମଲା ହୋଇଥିଲା। ତେବେ ଉଭୟ ରାଜସାକ୍ଷୀ ହେବାକୁ ସହମତି ପ୍ରକାଶ କରିବାରୁ ସେମାନଙ୍କ ନାଁକୁ ଅଭିଯୁକ୍ତ ତାଲିକାରୁ ବାଦ ଦିଆଯାଇଛି। ଏହାପରେ ସେ ବ୍ରିଟେନରେ ଥିବା ତାଙ୍କର ଗୋଟିଏ ଆକାଉଣ୍ଟରୁ ଏହି ପରିମାଣର ଟଙ୍କା ଭାରତ ସରକାରଙ୍କ ପାଖକୁ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ପୂରବୀ ମୋଦି ଭାରତ ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକାଉଣ୍ଟକୁ ବ୍ରିଟେନର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ୨୩୧୬୮୮୯.୦୩ ଆମେରିକୀୟ ଡଲାର ପଠାଇଛନ୍ତି। ଏହାଦ୍ୱାରା ଇଡି ଭାରତୀୟ ମୁଦ୍ରାରେ ଋଣ ଜାଲିଆତି ଘଟଣାରେ ପ୍ରାୟ ୧୭.୨୫ କୋଟି ଟଙ୍କା ଉଦ୍ଧାର କରିପାରିଛି। ଜୁନ୍‌ ୨୪ରେ ପୂରବୀ ମୋଦି ଇଡିକୁ କହିଥିଲେ ଯେ ତାଙ୍କ ଭାଇ ନୀରବ ମୋଦି ତାଙ୍କ ଅଜାଣତରେ ତାଙ୍କ ନାଁରେ ଲଣ୍ଡନରେ ଥିବା ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି। ଏଥିରେ କିଛି ଟଙ୍କା ମଧ୍ୟ ରହିଛି। ତେବେ ଏହି ଟଙ୍କା ସହ ପୂରବୀଙ୍କର କୌଣସି ଲିଙ୍କ ନନାହିଁ ବୋଲି ସେ ଇଡିକୁ କହିଥିଲେ। ଏଥିସହ ସେ ଅଭିଯୁକ୍ତ ତାଲିକାରୁ ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ନାଁ ହଟାଇବା ପାଇଁ ରାଜସାକ୍ଷୀ ହେବାକୁ ଆଗ୍ରହ ଦେଖାଇଥିଲେ। ସେ ଇଡିକୁ ସବୁ ସତ କଥା କହିବା ସହ ଟଙ୍କା ଫେରାଇବାକୁ ଚାହିଁଥିଲେ। ଏହାପରେ ଇଡି ଉଭୟଙ୍କ ନାଁକୁ ଅଭିଯୁକ୍ତ ତାଲିକାକୁ ହଟାଇ ରାଜସାକ୍ଷୀ ଭାବେ ରଖିଛି। ସୂଚନାଯୋଗ୍ୟ, ପିଏନବିରୁ ୧୩,୫୦୦ କୋଟି ଟଙ୍କାର ଋଣ ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ନୀରବ ମୋଦି। ତାଙ୍କ ସହ ମାମୁ ମେହୁଲ ଚୋକ୍ସି ମଧ୍ୟ ସାମିଲ ଥିଲେ। ଉଭୟ ଋଣ ଜାଲିଆତି କରିବା ପରେ ଭାରତରୁ ଫେରାର ହୋଇଯାଇଛନ୍ତି। ନୀରବ ଲଣ୍ଡରେ ଗିରଫ ହୋଇ ଜେଲରେ ଥିବା ବେଳେ ମେହୁଲ ଚୋକ୍ସି ଡୋମିନିକାରେ ଜେଲରେ ଅଛନ୍ତି। ଉଭୟଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ କରୁଛନ୍ତି।

ନିଜ ଘର ବିକି ଦେଲେ ରୋହିତ୍ ଶର୍ମା…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତୀୟ ଦିନିକିଆ ଟିମର ଭାଇସ୍-କ୍ୟାପଟେନ୍ ରୋହିତ୍ ଶର୍ମା ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ପରେ ଟିମ୍ ଏବେ ବ୍ରେକ୍ ନେଇଛି । ରୋହିତ୍ ଏହି ବ୍ରେକର ଭରପୂର ଫାଇଦା ଉଠାଇଛନ୍ତି ଏବଂ ନିଜର ଲୋନାଭଲା ସ୍ଥିତ ସମ୍ପତ୍ତିକୁ ବିକି ଦେଇଛନ୍ତି । ରୋହିତ୍ ନିଜର ଏହି ପ୍ରପର୍ଟୀକୁ ୫.୨୫ କୋଟି ଟଙ୍କାରେ ବିକିଛନ୍ତି । ରୋହିତ ଶର୍ମାଙ୍କ ଏହି ଘର ୬,୨୫୯ ବର୍ଗଫୁଟରେ ନିର୍ମିତ ଏବଂ ସେ ଏହାକୁ ଜୁନ୍ ୧ ତାରିଖରେ ରେଜିଷ୍ଟର କରିଥିଲେ। ସୂଚନା ଅନୁସାରେ, ଚଳିତ ବର୍ଷ ମେ ୨୯ ତାରିଖରେ ଏହି ଡିଲ୍ ଫାଇନାଲ୍ ହୋଇଥିଲା। ଏହି ଡିଲ୍ ପାଇଁ ରୋହିତ ୨୬ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟିର ଭରଣ କରିଛନ୍ତି । ମୁମ୍ବାଇର ସୁଷମା ଅଶୋକ ସରାଫ ନାମକ ଜଣେ ବ୍ୟକ୍ତି ରୋହିତଙ୍କ ଏହି ସମ୍ପତ୍ତି କିଣିଛନ୍ତି। ଟିମ୍ ଇଣ୍ଡିଆର ଅନେକ କ୍ରିକେଟରମାନେ ବିନିଯୋଗ ଉଦ୍ଦେଶ୍ୟରେ ପ୍ରପର୍ଟୀ କିଣନ୍ତି କିମ୍ବା ପରିବାର ସହିତ ଛୁଟି କାଟିବା ପାଇଁ ସେମାନେ ବାହାରେ ସମ୍ପତ୍ତି କିଣିଥାନ୍ତି। ଲୋନାଭଲା ଲୋକଙ୍କ ପସନ୍ଦର ହିଲ୍ ଷ୍ଟେସନ୍। ମୁମ୍ବାଇ ଓ ପୁଣେର କିଛି ଧନୀ ଲୋକ ସପ୍ତାହାନ୍ତ ବିତାଇବା ପାଇଁ ସେଠାରେ ଫାର୍ମହାଉସ୍ କିମ୍ବା ଭିଲ୍ଲା କିଣନ୍ତି। କରୋନା ମହାମାରୀ ସମୟରେ ମୁମ୍ବାଇର ଧନୀ ଲୋକମାନେ ସହରର ଗହଳିଠାରୁ ଦୂରରେ ଅନ୍ୟ ଘର କିଣୁଛନ୍ତି। ଏହାବ୍ୟତୀତ ଆଲିବାଗ ଓ କର୍ଜନରେ ମଧ୍ୟ ଲୋକେ ପ୍ରପର୍ଟୀ କିଣୁଛନ୍ତି। ତେବେ ରୋହିତ କାହିଁକି ଏହି ଘର ବିକ୍ରି କଲେ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ। ଘରର କ୍ରେତା ବ୍ୟତୀତ ଏକ ୱେବସାଇଟରେ ପ୍ରକାଶିତ ରିପୋର୍ଟରେ ଆଉ କିଛି ଉଲ୍ଲେଖ କରାଯାଇ ନାହିଁ। ବର୍ତ୍ତମାନ ରୋହିତ ଇଂଲଣ୍ଡରେ ପତ୍ନୀ ଏବଂ ଝିଅ ସହିତ ଛୁଟି ମନାଉଛନ୍ତି। ଏହା ପରେ ତାଙ୍କ ସମେତ ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ଏକ ବଡ଼ ମିଶନ ଆରମ୍ଭ କରିବେ। ଭାରତ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହା ପରେ ଖେଳାଳିମାନେ ଆଇପିଏଲ୍ ଖେଳିବେ ଏବଂ ଅକ୍ଟୋବର ଶେଷ ସପ୍ତାହରେ ଟି-୨୦ ବିଶ୍ୱକପରେ ଭାଗ ନେବ।

ପୁଣି ବାଜି ମାରିଲା ‘ତାରକ ମେହେତା କା ଉଲଟା ଚଷମା’….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଅରମାକ୍ସ ମିଡିଆ ତରଫରୁ ଚଳିତ ସପ୍ତାହର ଟପ୍-୧୦ ଶୋ’ର ତାଲିକା ଜାରି ହୋଇଛି। ଏଥର ଏହି ତାଲିକାରେ ଜବରଦସ୍ତ ଟୁଇଟ୍ ଦେଖିବାକୁ ମିଳିଛି । ଗୋଟିଏ ପଟେ ‘ତାରକ ମେହେତା କା ଉଲଟା ଚଷମା’ର ଦବଦବା ରହିଥିବା ବେଳେ ବାରିଷ୍ଟର୍ ବାବୁ ଜବରଦସ୍ତ କମବ୍ୟାକ୍ କରିଛି । ଟପ୍-୧୦ ଶୋ’ ତାଲିକାରେ କିଛି ରିଏଲିଟି ଶୋ’ ମଧ୍ୟ ବାଜି ମାରିଛନ୍ତି । ସବ୍ ଟିଭିରେ ପ୍ରସାରିତ ସୁପରହିଟ୍ କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’ ୧୨ ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ ହସାଇବାରେ ସଫଳ ରହିଛି । ଏହାର ବହୁତ ଫ୍ୟାନ୍ ଫଲୋଇଂ ମଧ୍ୟ ରହିଛନ୍ତି । ଟିଆରପି ମାମଲାରେ ଏହି କମେଡି ଶୋ’ ଏବେ ଏକ ନମ୍ବର ସ୍ଥାନରେ ରହିଛି । ଏଥର ମଧ୍ୟ ଏହି କମେଡି ଶୋ’ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛି । ସେହିପରି ଷ୍ଟାର୍ ପ୍ଲସରେ ପ୍ରସାରିତ ସୁପରହିଟ ଟିଭି ସିରିଏଲ୍ ‘ଅନୁପମା’ରେ ପ୍ରତିଦିନ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । ଏଥିପାଇଁ ଏହି ଶୋ’ ଏବେ ସମସ୍ତଙ୍କର ପସନ୍ଦ ହୋଇସାରିଛି । ରୂପାଲି ଗାଙ୍ଗୁଲି ଓ ସୁଧାଂଶୁ ପାଣ୍ଡେ ଷ୍ଟାରର୍ ‘ଅନୁପମା’ ଏହି ସପ୍ତାହର ଟିଆରପି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଡାନ୍ସିଂ ରିଏଲିଟି ଶୋ’ ସୁପର୍ ଡାନ୍ସର-୪ ତାଲିକାର ତୃତୀୟ ସ୍ଥାନରେ ରହିଛି। ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍ ରିଏଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌-୧୪ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଶିବାଙ୍ଗୀ ଯୋଶୀ ଓ ମୋହସିନ୍ ଖାନ୍ ଷ୍ଟାରର୍ ‘ୟେ ରିସ୍ତା କ୍ୟା କେହଲାତା ହେ’ ଚଳିତ ସପ୍ତାହରେ ପଞ୍ଚମ ସ୍ଥାନ ହାସଲ କରିଛି । ସେହିପରି ମାଧୁରୀ ଦିକ୍ଷୀତଙ୍କ ଡାନ୍ସ ରିଏଲିଟି ଶୋ’ ଡାନ୍ସ ଦିୱାନେ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି । ଏହି ରିଏଲିଟି ଶୋ’ର ରେଟିଂ ଲଗାତର ବଢ଼ୁଛି । ତେବେ ବାକି ସିରିଏଲ୍ ମଧ୍ୟରେ ଷ୍ଟାର୍ ପ୍ଲସରେ ପ୍ରସାରିତ ‘ଇମଲୀ’ର ଟିଆରପି ଲଗାତର ଘଟୁଛି ।

ଶୋଇଥିବା ସରକାରକୁ ଉଠାଇବାକୁ ଆଜି ଅନଶନରେ ବସିବେ ଜିମ୍‌ ମାଲିକ ସଂଘ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆସନ୍ତା ୧୬  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଅନଲକ୍‌ ଲାଗୁ ହୋଇଥିବା ବେଳେ  କରୋନା କଟକଣା ମଧ୍ୟରେ ଜୀବିକାକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ମଧ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବିୟୁଟି ପାର୍ଲର, ସ୍ପା ଓ ଜିମ୍‌ ମାଲିକଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ିଛି।

ଆମେ ଖାଇବାକୁ ପାଉନୁ, ପିଲାଙ୍କୁ ପାଠ ପଢ଼ାଇ ପାରୁନୁ ଆଦି ଦାବିରେ ଗତକାଲି ବିୟୁଟି ପାର୍ଲର, ସ୍ପା ମାଲିକ ସଂଘ  ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ  ଆଜି ଅନଶନରେ ବସିବେ ଜିମ୍ ମାଲିକ ସଂଘ ।

କରୋନା କଟକଣା ପାଇଁ ଫିଟନେସ୍‌ ଶିଳ୍ପ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛି । ଜିମ ମାଲିକଙ୍କ ସହ ଏଥିରେ କାର୍ଯ୍ୟରତ ବା ଏହା ଉପରେ ନିର୍ଭରଶୀଳ ପ୍ରାୟ ୩୦ ହଜାର ପ୍ରଫେସନାଲ ଟ୍ରେନର ଓ ଡାଏଟସିଆନ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେଣୁ ଜିମ ଖୋଲିବାକୁ ସଂଘ ଅନୁରୋଧ କରିଛି ।

ମୁଖ୍ୟତ ଶୋଇଥିବା ସରକାରକୁ ଉଠାଇବାକୁ ଓ ଜିମ୍‌ ଇଣ୍ଡଷ୍ଟ୍ରିକୁ ବଞ୍ଚାଇବାକୁ ଏହି ଦାବି କରିଛୁ।  ମାସ ମାସ ଧରି ଜିମ୍‌ ବନ୍ଦ ଥିବାରୁ ଆମେ ଏବେ ବଞ୍ଚିବା ପାଇଁ ୨ ଓଳି ଖାଇବାକୁ ସଂଘର୍ଷ କରୁଛୁ । ପିଲାଛୁଆଙ୍କ ପାଠପଢ଼ା, ବୟସ୍କଙ୍କ ମେଡିସିନ ଖର୍ଚ୍ଚଲାଇବା କଷ୍ଟକର ହୋଇପଡ଼ୁଛି। ତେଣୁ ସରକାର ଆମ ପାଇଁ ଆର୍ଥିକ ସାହାଯ୍ୟ ପ୍ୟାକେଜ ଘୋଷଣା ସହ ଆମକୁ ଋଣ ଯୋଗାଇବାକୁ ଦାବି କରିଛନ୍ତି ଅଲ୍ ଓଡ଼ିଶା ଜିମ୍ ମାଲିକ ସଂଘ ସଭାପତି  ସତ୍ୟଜିତ ଦାସ।

ଏହା ପୂର୍ବରୁ ମଧ୍ୟ ଘରଭଡା, ବ୍ୟାଙ୍କ ଋଣ ଉପରେ ସୁଧ, ବିଦ୍ୟୁତ୍‌ ବିଲ୍  ଆଦି ଛାଡ କିମ୍ବା କୋହଳ କରିବା ଦାବିରେ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା । ଦେଶରେ ଅନେକ ରାଜ୍ୟରେ ଜିମ୍‌  ଖୋଲି ସାରିଥିବାବେଳେ ଏଠାରେ କାହିଁକି ସରକାର ଅନୁମତି ଦେଉନାହାନ୍ତି ବୋଲି ସଂଘ ପ୍ରଶ୍ନ କରିଛି ।

ସୂଚନାଯୋଗ୍ୟ, ବ୍ୟୁଟିପାର୍ଲର ଓ ସ୍ପା ଖୋଲିବା ଦାବିରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ନିକଟରେ ବିୟୁଟିପାର୍ଲର ସଂଘ ପକ୍ଷରୁ ଗତକାଲି ବିକ୍ଷୋଭ କରାଯାଇଥିଲା।  ବିୟୁଟିସିଆନ୍‌ ଓ ସ୍ପା’ ମାଲିକମାନେ ପ୍ଲାକାର୍ଡ ଧରି ସେଲୁନ୍‌ ଖୋଲିବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ୨ ମାସ ଧରି ସ୍ପା ଓ ବ୍ୟୁଟିପାର୍ଲର ବନ୍ଦ ଯୋଗୁ ମାଲିକ ଓ କର୍ମଚାରୀମାନେ ବହୁ ଅସୁବିଧାରେ ଅଛନ୍ତି। ତେଣୁ ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କହିଛି।