ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ, ଖୋଲିଲେ ଅନେକ ଗୁମର ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଦୀର୍ଘଦିନର ବ୍ୟବଧାନ ପରେ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କ ଦଳର ଜଣେ ବରିଷ୍ଠ ଉପସଭାପତି ତଥା ୭ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଓ ଡାକ୍ତର ଦାମୋଦର ରାଉତଙ୍କ ପରେ ବିଜେଡିରେ ଥାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବାର ସାହସ ଦେଖାଇଥିବା ସୌମ୍ୟରଞ୍ଜନ ଅବଶ୍ୟ ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକ ଭାବେ ନିଜର ମତ ରଖିଛନ୍ତି। କର୍ମୀ ଓ ସାଧାରଣ ଲୋକଙ୍କଠୁ ଦୂରେଇ ରହି ନବୀନ ହାତଗଣତି ରାଜନେତା ଓ ପ୍ରଶାସକଙ୍କ ଗହଣରେ ରହୁଥିବା, ରାଜ୍ୟର ପ୍ରଶାସନିକ କାର୍ଯ୍ୟର ଖବର ତାଙ୍କ ପାଖରେ ପହଂଚୁ ନଥିବା, ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଇ ସତ୍ୟ ଓ ସମାଲୋଚନାକୁ ଚପାଇ ଦିଆଯାଉଥିବା ଭଳି କିଛି ଗୁମର ଦିଗକୁ ଇଙ୍ଗିତ କରି ସୌମ୍ୟ ପରୋକ୍ଷରେ ଦଳ, ସୁପ୍ରିମୋ ଓ ସରକାରର ପରିଚାଳନାଶୈଳୀ ଉପରେ ବି ପ୍ରଶ୍ନଚିହ୍ନ ଲଗାଇଛନ୍ତି।

ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ତାଙ୍କ ମାଲିକାନାରେ ଥିବା ଦୈନିକ ‘ସମ୍ବାଦ’ରେ ଆଜି ଆମ ଘରର ହାଲଚାଲ ସ୍ତମ୍ଭରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?’ରେ ଯାହା ଲେଖିଛନ୍ତି ସେଥିରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହି କଥା କହିବାକୁ ଯାଇ ସୌମ୍ୟ ଗତ କିଛିବର୍ଷ ଧରି ରାଜ୍ୟରେ ବିଶେଷକରି ବିଜେଡି ଓ ସରକାରର ଅନାଲୋଚିତ ଦିଗକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସୌମ୍ୟଙ୍କ ମତରେ ୨୫ ବର୍ଷ ତଳେ ରାଜନୀତିରେ ସମ୍ପୂର୍ଣ୍ଣ ଅପରିଚିତ ନବୀନ ନିରବଚ୍ଛିନ୍ନ ଭାବେ ଓଡ଼ିଶାର ଶାସନ କ୍ଷମତାରେ ରହିବା ଓ ପ୍ରତିଥର ଅଧିକ ଜନସମର୍ଥନ ପାଇବା ନିଶ୍ଚିତ ଭାବେ ସ୍ୱାଧୀନ ଭାରତରେ ଏକ ଅଲୌକିକ ସଫଳତା। ଅନାହାର ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ନବୀନଙ୍କୁ ଜାତୀୟ ଓ ବିଶ୍ୱସ୍ତରରେ ମିଳୁଥିବା ପ୍ରଶଂସା କଥା ଉଲ୍ଲେଖ କରି ସୌମ୍ୟ ସିଧାସଳଖ ରାଜ୍ୟରେ କୋଭିଡଜନିତ ମୃତ୍ୟୁକୁ ନେଇ ପ୍ରଶାସନିକ ସ୍ତରରେ ପରିସଂଖ୍ୟାନର ଖେଳକୁ ଦର୍ଶାଇଛନ୍ତି।

ରାଜ୍ୟ ସରକାର କୋଭିଡଜନିତ ମୃତ୍ୟୁକୁ ଲୁଚାଇ ଥିବା ତଥା ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଛି ବୋଲି ସୌମ୍ୟ ଅଭିଯୋଗ କରିବା ସହ କଳେବଳେ କୌଶଳେ ପ୍ରଥମ ହେବାର ନିଶା ଓ ଅତୀତର ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ ବୋଲି କହିଛନ୍ତି। ସୌମ୍ୟଙ୍କ ଏହି କଥା ହିଁ ଓଡ଼ିଶା ସରକାର ତଥା ନବୀନଙ୍କୁ ମିଳିଥିବା ପ୍ରଶଂସାର ବାସ୍ତବ ରହସ୍ୟକୁ ପଦାରେ ପକାଇ ଦେଇଛି। ପ୍ରଶାସନ ଏବେ କାହା ଇଙ୍ଗିତରେ ଚାଲୁଛି ତାହା ରାଜ୍ୟବାସୀ ଜାଣନ୍ତି। କଳେବଳେ କୌଶଳେ ପ୍ରଥମ ହେବାର ନିଶା କଥା କହି ସୌମ୍ୟ ପରୋକ୍ଷରେ ଏଭଳି ଏକ ଦିଗକୁ ଇଙ୍ଗିତ କରିଛନ୍ତି ଯାହା ନବୀନ ସରକାରର ଏପର୍ଯ୍ୟନ୍ତ ସଫଳତାର ପ୍ରମାଣପତ୍ର ଉପରେ କଳାଦାଗ ବି ଲଗାଇ ଦେଇଛି।

କେବଳ ସେତିକି ନୁହେଁ, କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ଶ୍ୱେତପତ୍ର ମୁଖ୍ୟମନ୍ତ୍ରୀ ପ୍ରକାଶ କରି ନିଜର ସାହାସିକତାର ପରିଚୟ ଦିଅନ୍ତୁ ବୋଲି ନବୀନଙ୍କୁ ତାଙ୍କ ଦଳର ବିଧାୟକ ସୌମ୍ୟରଞ୍ଜନ ଆହ୍ୱାନ ଦେବା ପରୋକ୍ଷରେ ରାଜ୍ୟ ପ୍ରଶାସନ ଉପରେ ସୌମ୍ୟଙ୍କ ବିଶ୍ୱାସ ନଥିବାକୁ ବି ପ୍ରମାଣିତ କରାଇଛି।

ସୌମ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ କୌଣସି କର୍ମୀ ଓ ସାଧାରଣ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହାତଗଣତି କେତେଜଣ ରାଜନେତା ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି। କରୋନା କଟକଣାରେ ଏହି ହାତଗଣତିଙ୍କ ସଂଖ୍ୟା ଆହୁରି ବି ସୀମିତ ହୋଇଯାଇଛି। ତେଣୁ କରୋନା ତଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେତେ ଅବଗତ ଅଛନ୍ତି ଓ ତାଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚୁଛି କି ନାହିଁ ସେ ନେଇ ମଧ୍ୟ ସୌମ୍ୟ ସନ୍ଦେହ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି।

ସେହିପରି ସୌମ୍ୟ ମଧ୍ୟ ରାଜ୍ୟରେ ଗଣମାଧ୍ୟମ କିଭଳି ନିୟନ୍ତ୍ରଣ ହେଉଛି ତାର ଗୁମର ଖୋଲିଛନ୍ତି। ଗଣମାଧ୍ୟମ ନିୟନ୍ତ୍ରିତ ହେଉଥିବାରୁ ପ୍ରଶାସନ ଲୁଚାଉଥିବା କଥା ପଦାକୁ ଆସିପାରୁନି କିମ୍ବା ଦଳୀୟକର୍ମୀମାନେ କହିବାର ସୁଯୋଗ ପାଉନାହାନ୍ତି। ଗଣମାଧ୍ୟମର ସତ୍ୟ ଓ ସମାଲୋଚନାକୁ ଶୁଣିବାକୁ ଅଭ୍ୟାସ କଲେ ଜଣେ ଅଧିକ ସ୍ୱଚ୍ଛ ଓ ସାହାସୀ ହୋଇଥାଏ। ଗଣମାଧ୍ୟମ ମୁକ୍ତ ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚି ପାରିବ ବୋଲି ସୌମ୍ୟ ପରୋକ୍ଷରେ କହିଛନ୍ତି। ତେବେ ଗଣମାଧ୍ୟମକୁ କିଏ ନିୟନ୍ତ୍ରଣ କରୁଛି ଓ ସମାଲୋଚନା ଶୁଣିବାର ସାହାସ କାହାର ନାହିଁ ସେ ନେଇ ସୌମ୍ୟ ନିରବ ରହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ବିଜେଡି ସୁପ୍ରିମୋ ଯଦି କୌଣସି କର୍ମୀ ଓ ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁନଥିବା ଦଳର ଖୋଦ୍ ଜଣେ ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ କହିପାରୁଛନ୍ତି, ତେବେ ବିଜେଡି ଚଳାଉଛି କିଏ?

ସୌମ୍ୟଙ୍କ ଆଜିର ଆଲେଖ୍ୟ ୨୦୧୪ ସେପ୍ଟେମ୍ବର ୨୦ ତାରିଖରେ ତାଙ୍କର ଏହି ‘ସମ୍ବାଦ’ରେ ପ୍ରକାଶିତ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବୟାନ ସହ ମେଳ ଖାଉଛି। ଶ୍ରୀ ଘଡ଼େଇଙ୍କୁ ଏହି ବୟାନ ପାଇଁ ମଧ୍ୟ ଦଳରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ଶ୍ରୀ ଘଡ଼େଇ ସେତେବେଳେ ଏକ ସାକ୍ଷାତକାରରେ ‘ଭାରତରେ ନବୀନ ଏକ ଆଶ୍ଚର୍ଯ୍ୟ’ ଓ ନବୀନ ନିଜେ କିଛି କରନ୍ତି ନାହିଁ, ସେ ମେଣ୍ଟାଲି-ଫିଜିକାଲି ‘ଡଲ୍‌’ ବୋଲି କହିଥିଲେ। କେ.ପି.ପି.ପି କବଜାରେ ରାଜ୍ୟ ଶାସନ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଓ ବିଜେପି ଡରୁଛନ୍ତି ବୋଲି କହି ସେ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ସିଧାସଳଖ ହାମ୍‌ଲା କରିଥିଲେ। ଅବଶ୍ୟ ରାଜନୀତିକ ବାଧ୍ୟବାଧକତା ପାଇଁ ଏବେ ଶ୍ରୀ ଘଡ଼େଇଙ୍କ ଉପରୁ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିନିଆଯାଇଛି। ସେହିପରି ନବୀନଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରି ଡାକ୍ତର ଦାମୋଦର ରାଉତଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି।

ଏବେ ଦେଖିବାର କଥା ରହିଲା, ସୌମ୍ୟରଞ୍ଜନ ଯେଉଁ ନିରୁତା ଓ ଅପ୍ରିୟ ଅନାଲୋଚିତ କଥା ନିଜ ସମ୍ବାଦପତ୍ର ମାଧ୍ୟମରେ ରାଜ୍ୟବାସୀଙ୍କ ଜାଣିବା ପାଇଁ ରଖିଛନ୍ତି ସେଥିରୁ ଦଳ,ସୁପ୍ରିମୋ, ସରକାର ଓ ରଣନୀତିକାର ତାକୁ ସକାରାତ୍ମକ ଭାବେ ନେଉଛନ୍ତି ନା ତାଙ୍କୁ ବି ବଳି ପକାଉଛନ୍ତି ତାହା ସମୟ କହିବ?

ବିଜେଡିର ‘ତେଲ’ ରାଜନୀତି: ଭୟ ନା ଅସନ୍ତୁଷ୍ଟଙ୍କୁ ଚେକ୍ ଦେବାକୁ ଚୁପ୍‌ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ୨୨ଟି ଜିଲ୍ଲାରେ ଆଜି ପେଟ୍ରୋଲ ଦର ୧୦୦ଟଙ୍କା ଉପରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଲିଟର ୯୯ଟଙ୍କା ୮୫ପଇସା ରହିଛି। ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଥିବାବେଳେ ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ଶାସକ ବିଜେଡି ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିଛି। ସାମାନ୍ୟ ତୈଳ ଓ ଏଲପିଜି ଦର ବଢ଼ିଲେ ରାଜରାସ୍ତା ଓ ବିଭିନ୍ନ ଫୋରମରେ ଲଢ଼େଇ କରୁଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ମୁହଁରେ ତାଲା ପକାଇ ଦେଇଛି। ବିଜେଡିର ଏଭଳି ଦୋମୁହାଁ ନୀତିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ବିଜେଡି ଏବେ ବିଜେପିର ମୁଖ୍ୟ ଗୁମାସ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି। ଗତ କିଛିଦିନ ଧରି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ଟଙ୍କାରେ ପହଂଚିଲାଣି।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଜୁନ୍ ପହିଲାରେ ପେଟ୍ରୋଲ ଲିଟର ପିଛା ୯୫ଟଙ୍କା ୨୨ ପଇସା ଥିବାବେଳେ ଜୁନ୍ ୨୯ରେ ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ୯୯ଟଙ୍କା ୯୬ ପଇସାରେ ପହଂଚିଛି। ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୫ଟଙ୍କା ବୃଦ୍ଧି ପାଇଥିବାବେଳେ ମାଲକାନଗିରିରେ ଲିଟର ପିଛା ୧୦୫ଟଙ୍କା ଛୁଇଁବାକୁ ବସିଲାଣି। ୨୦୨୦ ମେ’ ମାସରେ ରାଜ୍ୟର ବିଜେଡି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ପ୍ରତିଶତ ଭ୍ୟାଟ୍ ବୃଦ୍ଧି କରିବାବେଳେ ଲିଟର ପିଛା ପେଟ୍ରୋଲ ଦର ୬୮.୫୮ଟଙ୍କା ଓ ଡିଜେଲ ୬୬.୭୦ଟଙ୍କା ରହିଥିଲା।

ପେଟ୍ରୋଲ ଉପରେ ୩୨ ପ୍ରତିଶତ ଓ ଡିଜେଲ ଉପରେ ୨୮ପ୍ରତିଶତ ଭ୍ୟାଟ ଓଡ଼ିଶା ନେଉଛି । କିନ୍ତୁ ଗତବର୍ଷକ ମଧ୍ୟରେ ତୈଳ ଦରରେ ଲିଟର ପିଛା ୩୨ରୁ ୩୫ଟଙ୍କା ବଢ଼ିଥିବାବେଳେ ଶାସକ ବିଜେଡି କିନ୍ତୁ ସମ୍ପୂର୍ଣ୍ଣ ନିରବ ରହିଛି। କରୋନା ମହାମାରୀ ଯୋଗୁ ସାଧାରଣ ଲୋକେ ଜୀବିକା ହରାଇ ବଂଚିବା ପାଇଁ ସଂଘର୍ଷ କରୁଥିବାବେଳେ ଦରଦାମ ବୃଦ୍ଧିର ବୋଝ ସେମାନଙ୍କ ନିମନ୍ତେ ଅସହ୍ୟ ହେବାରେ ଲାଗିଛି। ଏପଟେ ତୈଳଦର ହୁହୁ ହୋଇ ବଢ଼ି ଚାଲିଛି, ତା’ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଅନୁରୂପ ବଢ଼ୁଛି। କିନ୍ତୁ ଲୋକଙ୍କ ସ୍ୱାର୍ଥ କଥା କହି ଭୋଟ୍ ହାତେଉଥିବା ରାଜନୀତିକ ଦଳଗୁଡ଼ିକ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି ।

ଆଶ୍ଚର୍ଯ୍ୟର କଥା, ୨୦୦୫-୦୬ ମସିହାରୁ ୨୦୧୪ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ରାଜରାସ୍ତାରେ କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ବିଜେଡି ପ୍ରତିବାଦ କରୁଥିଲା, ଆଉ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବାପରେ ତୈଳଦର ବୃଦ୍ଧିକୁ ବିଜେଡିର ସ୍ୱର ନରମ ପଡ଼ିଥିଲା । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପୁଣିଥରେ ତୈଳଦର ବୃଦ୍ଧି ବିରୁଦ୍ଧରେ ସ୍ୱରକୁ ଶାଣିତ କରି ରାଜରାସ୍ତାକୁ ଓହ୍ଲାଇଥିଲା। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରେ ତୈଳଦର କ୍ରମାଗତ ବୃଦ୍ଧି ପାଉଥିବା ସତ୍ତ୍ୱେ ବିଜେଡି ନିରବ ରହିଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି କୌଣସି ରାଜନୀତିକ କାର୍ଯ୍ୟକ୍ରମ କରିପାରୁଛି ନା ନିଜେ ଭ୍ୟାଟ୍ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେଉଛି। ବିଜେଡିର ‘ତେଲ’ ରାଜନୀତି ସତେଯେମିତି ବିଜେଡି ରଣନୀତିକାରଙ୍କ ତଣ୍ଟିରେ ମାଛକଣ୍ଟା ଭଳି ଲାଗିଛି । ନା ଗିଳିପାରୁଛନ୍ତି ନା କାଢ଼ି ପାରୁଛନ୍ତି।

ତେଲ ଦରବୃଦ୍ଧି : ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ତୈଳଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆସନ୍ତା ୭ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଥାଳି, ଖଞ୍ଜଣି, ପ୍ଲାକାର୍ଡ, ବ୍ୟାନର ଓ ପତାକା ଧରି ବିକ୍ଷୋଭ ସହ ସାଇକେଲ ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି ମାଧ୍ୟମରେ କଂଗ୍ରେସ ନିଜର ପ୍ରତିବାଦ ଜଣାଇବ। ଏଆଇସିସି ନିର୍ଦ୍ଦେଶରେ ଓଡ଼ିଶା ପିସିସି ପକ୍ଷରୁ ଏସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି। ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି।

ଲୋକମାନଙ୍କ ଏପରି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଏଆଇସିସି ତରଫରୁ ଦେଶର ସବୁ ବ୍ଲକ, ନଗର, ଜିଲ୍ଲା ଓ ପ୍ରଦେଶ ସ୍ତରରେ କଂଗ୍ରେସ ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସହ ସାଇକେଲ ଯାତ୍ରା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

୭ତାରିଖ ସକାଳେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି,ଖଞ୍ଜଣି ବଜେଇ ପ୍ଲାକାର୍ଡ଼, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଧାନର କ୍ୟୁଂଟାଲ ପ୍ରତି ଏମ୍‌ଏସପି ୨୯୩୦ ଟଙ୍କାକୁ ବୃଦ୍ଧିକରିବା, ଧାନକିଣିବାର ଟୋକନ ଅବଧିକୁ ଜୁନ-୩୦ ପରିବର୍ତେ ଜୁଲାଇ-୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା, କଟନୀ ଓ ଛଟନୀକୁ ସଂପୂର୍ଣ୍ଣ ବନ୍ଦ କରିବା, ଖରିଫ ଋତୁରେ ସମସ୍ତ ଚାଷୀଙ୍କୁ ରିହାତି ଦରରେ ବିହନ, ସାର ଓ କୀଟନାଶକ ଦ୍ରବ୍ୟ ଅବିଳମ୍ବେ ପ୍ରଦାନ କରିବା ଓ ରବି ଋତୁରେ ଚାଷୀଙ୍କର ଧାନକୁ ନ କଣିବା ଦ୍ୱାରା ଧାନ ଗଜା ହୋଇ ନଷ୍ଟ ହେବା ଫଳରେ ଅବିଳମ୍ବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନେଇ କେନ୍ଦ୍ର- ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଧାରଣା, ବିକ୍ଷୋଭ କରିବାକୁ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲା ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନେ ତୃଣମୂଳସ୍ତରର କର୍ମକର୍ତ୍ତା ଓ ସାଥିମାନଙ୍କୁ ଏକତ୍ର କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

ସେହିପରି ୯ତାରିଖରେ ଜିଲ୍ଲା ସଦର ମହକୁମା ସମେତ ପୌରପରିଷଦ, ଏନଏସିରେ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ଜନସାଧାରଣଙ୍କୁ ଅବଗତ କରାଇବା ନିମେନ୍ତ ସାଇକେଲରେ ପ୍ଲାକାର୍ଡ଼ ଓ ପତକା ଲଗାଇ ଅନ୍ୟୁନ ୫ କିଲୋମିଟର ସାମୁହିକ ଯାତ୍ରା କରିବାକୁ ଶ୍ରୀ ପଟ୍ଟନାୟକ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି ।

ସେହିପରି ଜୁଲାଇ ୧୪ରେ ଏକ ସାଇକେଲ ଯାତ୍ରା ଭୁବନେଶ୍ୱରସି୍ଥତ କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥନିବାସ, କଳ୍ପନା ଛକ, ରାଜମହଲ, ବିମାନ ବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସପିଟାଲ ପର୍ଯ୍ୟନ୍ତ ଯିବ।

ସେହିପରି ଜୁଲାଇ ୧୭ ତାରିଖରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିବାକୁ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। କୋଭିଡ୧୯ର ଗାଇଡଲାଇନକୁ ପାଳନ କରି ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି।

ପଞ୍ଚାୟତୱାରି ‘କାଳିଆ’ ତାଲିକା ସାର୍ବଜନୀନ କର: ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ଆଜି ୩୧୮କୋଟି ଟଙ୍କା କୋଭିଡ୍ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାକୁ ନେଇ ବିଜେପି ପ୍ରତିକ୍ରିୟା ବ୍ୟକ୍ତ କରିଛି। ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି କହିଛି। ଏହାସହିତ ତୁରନ୍ତ ପଂଚାୟତିୱାରି କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରିବାକୁ ଦାବି କରିଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି।

ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟ ସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର। ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଉଛନ୍ତି ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ପଂଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ। କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି।

ମନ୍ତ୍ରିପରିଷଦ ବୈଠକ ପୂର୍ବରୁ ସିନ୍ଧିଆ ଏବଂ ସର୍ବାନନ୍ଦଙ୍କୁ ନେଇ ବଢ଼ିଲା ଚର୍ଚ୍ଚା…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିପରିଷଦ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ୟାବିନେଟ, ସ୍ୱତନ୍ତ୍ର ରାଜ୍ୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ବୈଠକ ଯୋଗ ଦେବେ। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ସେ ନେଇ ଚର୍ଚ୍ଚା ବଢ଼ିଛି। କାରଣ ଏହି ବୈଠକରେ ମୋଦି ମନ୍ତ୍ରୀ ମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ସେମାନଙ୍କ ରିପୋର୍ଟ ଦେବେ ବୋଲି କୁହାଯାଉଛି। ଏଥିସହ ମୋଦି ଏହି ବୈଠକରେ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ବାବଦରେ ଘୋଷଣା କରିପାରନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ବିଭିନ୍ନ ମନ୍ତ୍ରୀଙ୍କ କାମର ସମୀକ୍ଷା କରିଥିଲେ। ଏହି ସମୟରେ କିଛି ମନ୍ତ୍ରୀଙ୍କ ସହ ମୋଦି ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିଥିବା ସୂଚନା ରହିଛି। ଏବେ କିଏ ହେବେ ମନ୍ତ୍ରୀ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲା, ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କେନ୍ଦ୍ର କ୍ୟାବିନେଟରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଏନଡିଏରେ ସାମିଲ ଥିବା ଅନ୍ୟାନ୍ୟ ଦଳ ଏଲଜେପି, ଜେଡିୟୁ ଭଳି ଦଳର ଅନେକ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଆସାମରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି। ତେଣୁ ସର୍ବାନନ୍ଦ ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ତେଣୁ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରିପଦ ଦେଇ ରାଜ୍ୟରେ ଦଳ ମଧ୍ୟରେ ସମ୍ଭାବ୍ୟ କନ୍ଦଳରେ ତାଳି ପକାଇବାକୁ କେନ୍ଦ୍ର ଯୋଜନା କରିଛି। ସେହିପରି ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଯଦିଓ ସିନ୍ଧିଆ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ହାରିଥିଲେ। ହେଲେ ଏବେ ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେଇ ମଧ୍ୟପ୍ରଦେଶର ଗ୍ୱାଲିଅର ଭଳି ଅଞ୍ଚଳରେ ବିଜେପି ନିଜର ପ୍ରଭାକୁ ଆହୁରି ମଜବୁତ କରିବାକୁ ଯୋଜନା ରଖିଛି। କାରଣ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ବ୍ୟବଧାନ ସେତେ ବଡ଼ ନାହିଁ। ଅନ୍ୟପଟେ ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ମୋଦି ସହଯୋଗୀ ଦଳର ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ବୋଲି ଜଣାପଡ଼ିଛି। ପାଖାପାଖି ୨୭ ଜଣ ସମ୍ଭାବିତ ନେତାଙ୍କ ନାମ ପ୍ରସ୍ତୁତ ହୋଇ ସାରିଛି। ଏବେ ମୋଦି ସରକାରରେ ଆରଆଇପି ଦଳର ସାଂସଦ ରାମଦାସ ଅଠାଓ୍ୱାଲାଙ୍କୁ ଛାଡ଼ି ଦେଲେ ଆଉ ସମସ୍ତେ ବିଜେପିର ସାଂସଦ। ତେଣୁ ଜେଡିୟୁ, ଅପନା ଦଳ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳକୁ ନିଜ ଟିମରେ ସାମିଲ୍ କରି ମୋଦି ସରକାର ନୂଆ ଜୋଶରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ।

କଂଗ୍ରେସ କଳିରେ ତାଳି ପକାଇବାକୁ ଉଦ୍ୟମ, ସିଦ୍ଧୁ ହେବେ ଦଳର ପଞ୍ଜାବ ମୁଖ୍ୟ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କଳିରେ ତାଳି ପକାଇବାକୁ ଦଳର ହାଇକମାଣ୍ଡ ଉଦ୍ୟମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧରେ ପୂର୍ଣ୍ଣଛେଦ ଟାଣିବାକୁ ଦଳର ହାଇକାଣ୍ଡ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ବିବାଦର ସମାଧାନ ପାଇଁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଯିବ। ଏହା ମଧ୍ୟରେ ସିଦ୍ଧୁଙ୍କ ନାଁ ରହିବ। ଅର୍ଥାତ କଂଗ୍ରେସର ପଞ୍ଜାବ ମୁଖ୍ୟ ଭାବେ ସିଦ୍ଧୁ କାମ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଖୁବଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବ। ସେହିପରି ଦଳୀୟ ହାଇକମାଣ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ସନ୍ତୁଷ୍ଟ ନଥିବା ଏହି ସୂତ୍ରରେ କୁହାଯାଇଛି। ଦଳରେ ସାଂଗଠନିକ ପରିବର୍ତ୍ତନ ସହ ପଞ୍ଜାବରେ କ୍ୟାବିନେଟ ସଂପ୍ରସାରଣ ହେବାର ମଧ୍ୟ ସମ୍ଭାବନା ରହିଛି। ବିବାଦ ମଧ୍ୟରେ ଗତକାଲି ସିଦ୍ଧୁ ଦିଲ୍ଲୀ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ତିକ୍ତତା ସମ୍ପର୍କରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅବଗତ କରାଇଥିଲେ। ଏଥିସହ ତାଙ୍କୁ ଦଳର ପଞ୍ଜାବ ମୁଖ୍ୟ କରିବାକୁ ସେ ଦାବି କରିଥିଲେ। ସିଦ୍ଧୁଙ୍କୁ ଏହି ସମୟରେ ଅନ୍ୟ ପଦ ଦେବାକୁ ରାହୁଲ ଓ ପ୍ରିୟଙ୍କା ବୁଝାଇଥିଲେ। କିନ୍ତୁ ସେ କିଛି ବି ବୁଝି ନଥିଲେ। ଶେଷରେ ଦଳୀୟ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟ କରିବା ସପକ୍ଷରେ ମତ ଦେଇଛନ୍ତି। ହେଲେ ସେ ଏକାକୀ ଏହି ପଦରେ ରହିବେ ନାହିଁ। ତାଙ୍କ ସହ ଆଉ ଜଣେ ନେତା ମଧ୍ୟ ରାଜ୍ୟର ମୁଖ୍ୟ ଭାବେ ସମାନ କ୍ଷମତାର ସହ କାମ କରିବେ। କିଛି ଦିନ ତଳେ ପଞ୍ଜାବର ଅବହୋର ନିର୍ବାଚନ ମଣ୍ଡଳୀରେ ସିଦ୍ଧୁ ନିଜକୁ ୨୦୨୨ ବିଧାନସଭା ନିର୍ବାଚନର କ୍ୟାପ୍ଟେନ ବୋଲି କହି ହୋର୍ଡିଂ ମାରିଥିଲେ। ଏହି ନିର୍ବାଚନ ମଣ୍ଡଳୀକୁ ପିସିସି ସଭାପତି ସୁନୀଲ ଝକର ପ୍ରତିନିଧିତ୍ୱ କରୁଛନ୍ତି। ଏଠାରେ ସିଦ୍ଧୁ ନିଜକୁ କ୍ୟାପ୍ଟେନ ଭାବେ ବିବେଚନା କରି ପୋଷ୍ଟର ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କ’ଣ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖିଆ ହେବାକୁ ଚାହୁଁଛନ୍ତି କି? ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଥିଲା। ଯଦି ସିଦ୍ଧୁ କଂଗ୍ରେସ ମୁଖିଆ ହୁଅନ୍ତି, ତା’ହେଲେ ସେ ହିଁ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ନେବେ। ଏଭଳି ସ୍ଥିତିରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଦବଦବା ହ୍ରାସ ପାଇବାର ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅମରିନ୍ଦର ସିଂହ ମଧ୍ୟ ନିଜ ସମର୍ଥକ ବିଧାୟକ ଓ ନେତାମାନଙ୍କୁ ନେଇ ବୈଠକ କରିବା ସହ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ନୂଆ ବିବାଦର ସୂତ୍ରପାତର ଆଶଙ୍କା ପ୍ରକାଶ ପାଇଛି। ଏହାପୂର୍ବରୁ ବିବାଦର ସମାଧାନ ପାଇଁ ସିଦ୍ଧୁ କଂଗ୍ରେସ ଗଠନ କରିଥିବା ୩ ଜଣିଆ କମିଟି ଆଗରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ଅମରିନ୍ଦର ସିଂହଙ୍କ ସହ ମଧ୍ୟ ଏହି କମିଟି ସହ ଆଲୋଚନା କରିଥିଲେ। କମିଟି ପକ୍ଷରୁ ଉଭୟଙ୍କ ବୟାନ ଓ ନିଜର ପ୍ରସ୍ତାବକୁ ଦଳର ହାଇକମାଣ୍ଡଙ୍କୁ ଦିଆଯାଇଥିଲା। ଏହାକୁ ଆଧାର କରି ହାଇକମାଣ୍ଡ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଧାନକିଣା ଓ ପକ୍କାଘର ଯୋଗାଣ ଅନିୟମିତତା: ୫ ଦିନ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେପି…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଚାଷୀଙ୍କଠୁ ଧାନ କିଣିବା ଓ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ଦାବିରେ ବିଜେପି ଆସନ୍ତା ଜୁଲାଇ ୧ରୁ ୯ତାରିଖ ମଧ୍ୟରେ ୫ଦିନ ଧରି ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ଧାନକିଣା ଦାବିରେ ଜୁଲାଇ ୧ ଓ ୨ରେ  ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ଦାବିରେ ଜୁଲାଇ ୭ରୁ ୯ ୩ଦିନ ଧରି ସମସ୍ତ ବ୍ଲକ ସମ୍ମୁଖରେ ବିଜେପି ପ୍ରତିବାଦ କରିବ।  ଚାଷୀମାରଣ ନୀତି ଓ ଗରିବଙ୍କୁ ପକ୍କାଘରରୁ ବଂଚିତ କରାଯିବାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଜେଡି ସରକାରକୁ କଡ଼ା ସମାଲୋଚନା କରିବା ସହ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି। ମୋଦି ସରକାରଙ୍କ ବିକାଶ କାର୍ଯ୍ୟରେ ଫୋକସ ଓଡିଶା। ଓଡିଆ ଲୋକଙ୍କ ବିକାଶରେ ରାଜ୍ୟ ସରକାର ବାଧକ ସାଜିଛି। ଓଡ଼ିଶାର ଗରିବ, ଅସହାୟ, ଚାଷୀ ଓ ତୃଣମୂଳସ୍ତରରେ ଥିବା ଲୋକମାନଙ୍କ ପାଇଁ ମୋଦି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ପଠାଉଛନ୍ତି। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁ କେନ୍ଦ୍ରୀୟ ଅନୁଦାନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନି। ଓଡିଆ ଲୋକଙ୍କ ବିକାଶରେ ରାଜ୍ୟ ସରକାର ବାଧକ ସାଜିଛି। କିନ୍ତୁ ବିଜେପି ନୂଆ ଓଡିଶା ଗଢିବା, ଓଡିଆଙ୍କ ହକ୍ ପାଇଁ ଲଢିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡ଼ିକରେ ପଡ଼ିରହିଛି। ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି। ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଗତ ୨୫ ତାରିଖ ଦିନ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦିଆଯିବା ସହ ତୁରନ୍ତ ବାକି ଥିବା ଧାନକୁ କିଣିବା ପାଇଁ ଦାବି କରାଯାଇଥିଲା। ୩୦ ତାରିଖ ସୁଦ୍ଧା ଧାନ ସବୁ କିଣାଯିବ ବୋଲି ଯୋଗାଣ ନିଗମ ଅଧିକାରୀ ପ୍ରତଶ୍ରୁତି ଦେବା ପରେ ବି ଏଯାବତ୍ ଧାନ କିଣିବା ନେଇ କୌଣସି ପନ୍ଥା ବାହାର କରାଯାଇନାହିଁ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ୫୬ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଧାନକିଣାରେ ହେଉଥିବା ଅନିୟମିତତାର ପର୍ଦ୍ଦାଫାସ୍ କରିଛନ୍ତି। ସେହିପରି ୨୦୨୨ ମସିହା ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତିା କିନ୍ତୁ ରାଜ୍ୟସରକାର ଏଠି ପାତରଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତିା ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତିା ଏସଇସିସି ତାଲିକା ଅନୁଯାୟୀ ରାଜ୍ୟ ସରକାର ସମସ୍ତଙ୍କୁ ଘର ଯୋଗାଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତିା କିନ୍ତୁ ବାସ୍ତବରେ ଅନେକ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ପକ୍କା ଘର ଖଣ୍ଡେ ପାଇ ନାହାନ୍ତିା କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ୮ ଲକ୍ଷ ୧୭ ହଜାର ପକ୍କା ଘର ଯୋଗାଇବା ନେଇ ଅର୍ଥ ପ୍ରଦାନ କରିଛନ୍ତିା ତେଣୁ ରାଜ୍ୟରେ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ କୋଭିଡ୍ ଗାଇଡଲାଇନକୁ ପାଳନ କରି ଆସନ୍ତା ଜୁଲାଇ ୧ ଏବଂ ୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ଜୁଲାଇ ୧ ଓ ୨ ତାରିଖରେ ଚାଷୀଙ୍କ ସହ ବିଜେପି କର୍ମକର୍ତ୍ତାମାନେ ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସ୍ଥାନୀୟ ସିଏସ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବୋ ସେହିପରି ସମସ୍ତ ଯୋଗ୍ୟ ହତାଧିକାରୀଙ୍କୁ ପକ୍କାଘର ଯୋଗାଇବା ଦାବିରେ ଆସନ୍ତା ଜୁଲାଇ ୭,୮,୯ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ତରଫରୁ ପ୍ରତିବାଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର,ପୃଥ୍ୱୀରାଜ ହରିଚନ୍ଦନ ଓ ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି କର୍ମୀ ମାନେ ନିରୁତ୍ସାହିତ – ଲେନିନ ମହାନ୍ତି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପ୍ରେସ ମିଟ ଓ ଚାଷୀ ଆନ୍ଦୋଳନ ଉପରେ ଜବାବ ରଖିଲା ବିଜେଡି l ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,ପଶ୍ଚିମବଙ୍ଗ ରେ ଦଳର ପରାଜୟ, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକ ରେ ସାଙ୍ଗଠନିକ ସମସ୍ୟା ଦେଖାଦେବାପରେ ବିଜେପି କର୍ମୀ ମାନେ ନିରୁତ୍ସାହିତ l ତେଣୁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ  ବିନା ତଥ୍ୟ ଓ ସତ୍ୟ ରେ ଏହା କହିଛନ୍ତି l ଆଉ ବଜେପି ରାଜ୍ୟ ସଭାପତି ହିସାବରେ ଏହା ତାଙ୍କ ଦାଇତ୍ୱ l କିନ୍ତୁ ଗତ ଦେଢ଼ ବର୍ଷ ହେବ  ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟ ରେ କୃଷି ଆଇନ କୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରୁଛନ୍ତି l ତାକୁ ଏଡାଇ ଯାଇଛନ୍ତି ସମୀର l ସେହିପରି ଧାନ ର  ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣ କରିବା ପାଇଁ ନିର୍ବାଚନ ଇସ୍ତାହାର ରେ ଥିବାବେଳେ ସେକଥା କହିଲେ ନାହିଁ । ଭୁଲିଗଲେ l ଏହା ସହିତ ଏମ ଏସ ସ୍ୱାମୀନାଥନ କମିଶନ ରିପୋର୍ଟ କୁ ଲାଗୁ କରିବା କଥା ମଧ୍ୟ ଭୁଲିଗଲେ l କିନ୍ତୁ ଓଡିଶା ଲୋକ ଏହାକୁ ଭୁଲି ନାହାନ୍ତି l ରାଜ୍ୟ କୁ ମଧ୍ୟ ଅଣଦେଖା କରୁଛି କେନ୍ଦ୍ର l ଏଥିରେ ଧାନ ପାଇଁ ୬୬୨୦ କୋଟି କେନ୍ଦ୍ରୀୟ ସବସିଡି ଏ ପର୍ଯ୍ୟନ୍ତ ରାଜ୍ୟକୁ ମିଳିନାହିଁ l ସେହିପରି ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ ଏ ପର୍ଯ୍ୟନ୍ତ କେନ୍ଦ୍ର ଉଠାଇ ନାହିଁ l ଆଉ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ରେ ଲେନିନ ମହାନ୍ତି କହିଛନ୍ତି ସମୀର ମହାନ୍ତି ବୋଧେ ଜାଣି ନାହାନ୍ତି ଗ୍ରାମ୍ୟ ଗୃହ ନିର୍ମାଣ ରେ କେନ୍ଦ୍ର ଆମକୁ ଭୁୟସୀ ପ୍ରସଂଶା କରିବା  ସହିତ ପୁରସ୍କୃତ କରିଛି l  ତେବେ ସମୀର ରାଜ୍ୟ କଥାକୁ ଜାଣି ଜାଣି ଭୁଲିଯାଇଛନ୍ତି । ଆଉ ଭୁଲେଇବାକୁ ଚେଷ୍ଟା କରିଛନ୍ତି l ଓଡିଶା ଲୋକଙ୍କ ମତି ଭ୍ରମ କରିବା ପାଇଁ ଚେଷ୍ଠା କରୁଛନ୍ତି । କିନ୍ତୁ ଯେତେ ଚେଷ୍ଠା କଲେ ମଧ୍ୟ ମତି ଭ୍ରମ ଲାରିପାରିବେ ନାହିଁ ବୋଲି କହିଛନ୍ତି ଲେନିନ l

ଆମ୍ୱ ରସରେ ଦୂର ହେବ ମୋଦି-ମମତା ବିବାଦ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ​​ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା। ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବାନ୍ଦୋପାଧ୍ୟାୟ ପ୍ରସଙ୍ଗରେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ୱ ପଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଏହା ଦୁଇ ଜଣଙ୍କ ମଧ୍ୟରେ ସ୍ୱଭାବରେ ପରିବର୍ତ୍ତନରେ ଆଭାସ ନା ବିବାଦ ସମାଧାନ କରି ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ଉପହାର ତାହା ଆଗାମୀ ଦିନରେ ଜଣାପଡ଼ିବ। ମମତା ଏବେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆମ୍ବ ପଠାଇ ଚାଲିଥିବା ରାଜନୀତିକ ତିକ୍ତତାରେ ଫୁଲଷ୍ଟପ ପକାଇବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି। ମମତା ବାନାର୍ଜୀ ହିମସାଗର, ମାଲଦା ଏବଂ ଲକ୍ଷ୍ମଣବାଗ ଆଦି ବିଭିନ୍ନ ପ୍ରକାରର ଆମ୍ବ ମୋଦିଙ୍କ ନିକଟକୁ ପଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଆମ୍ବ ଡାଲା ମଧ୍ୟ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି। ତେବେ ଆମ୍ବ ପଠାଇବା ପରେ ବିଜେପି ଏବଂ ଟିଏମସି ମଧ୍ୟରେ ଥିବା ସମ୍ପର୍କର ତିକ୍ତତା କେତେ କମିଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ଇତି ମଧ୍ୟରେ ବିଜେପି ନିର୍ବାଚନ ପରବର୍ତ୍ତୀ ହିଂସା ଓ ନାରଦା ଷ୍ଟିଙ୍ଗ ଅପରେସନକୁ ପ୍ରସଙ୍ଗ କରି ମମତାଙ୍କୁ ଘେରିବାକୁ ଚେଷ୍ଟା କରିଛି। ଉଭୟ ଦଳ ପରସ୍ପର ଉପରେ ଆକ୍ରମଣ ଏବଂ ପ୍ରତି ଆକ୍ରମଣ କରୁଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ମାନବ ଅଧିକାର ଆୟୋଗ ହିଂସା ଘଟଣାର ତଦନ୍ତ କରିବାକୁ ଯାଇଥିଲେ। ହେଲେ ଆକ୍ରମଣର ଶିକାର ହୋଇଥିଲେ। ଏଥିପାଇଁ ଟିଏମସି ଉପରକୁ ପ୍ରଶ୍ନ ଉଠିଛି। ଏବେ ଏନଏଚଆରସି ତାର ରିପୋର୍ଟ କୋର୍ଟରେ ଦାଖଲ କରିଥିବା ସୂଚନା ରହିଛି। ଜୁଲାଇରେ ସଂସଦର ପ୍ରଥମ ଅଧିବେଶନ ବସିବ ବୋଲି ଆକଳନ କରାଯାଉଛି। ଏହି ସମୟରେ ବେଙ୍ଗଲରେ ଚାଲିଥିବା ନିର୍ବାଚନୀ ହିଂସାକୁ ପ୍ରମୁଖ ଅସ୍ତ୍ର କରି ବିଜେପି ଟିଏମସିକୁ ଘେରିବ ବୋଲି ଯୋଜନା କରିଥିବା ସୂଚନା ରହିଛି। ହେଲେ ମୋଦି, ଶାହ ଦିଦିଙ୍କ ଦ୍ୱାରା ପଠାଯାଇଥିବା ଆମ୍ୱ ଖାଇବା ପରେ ସେହି ପୁରୁଣା ସ୍ୱଭାବ ରହୁଛି ନା ନରମ ମନୋଭାବ ରଖୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ। ସୂଚନାଯୋଗ୍ୟ, ୨୦୧୧ ପାଖରୁ ମମତା ମୋଦିଙ୍କୁ ଆମ୍ୱ ପଠାନ୍ତି ବୋଲି ଜଣାପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ସହିତ ବଲିଉଡ ହିରୋ ଅକ୍ଷୟ କୁମାର ଏକ ହାଲକାଫୁଲକା ସାକ୍ଷାତକାର କରିଥିଲେ। ଏହି ସମୟରେ ମମତା ତାଙ୍କ ପାଖକୁ ଆମ୍ୱ ପଠାନ୍ତି ବୋଲି ମୋଦି କହିଥିଲେ।

ଜାପାନ ରାଜଧାନୀରେ ଦମ୍ ଦେଖାଇବେ ଭାରତୀୟ ସେନା….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତୀୟ ସେନା ଯେ କେବଳ ସୀମାରେ ଦେଶର ସୁରକ୍ଷା କରୁଛନ୍ତି ତାହା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେନା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଯାହାଦ୍ୱାରା କ୍ରୀଡ଼ାବିତ୍ କିମ୍ବା ସେନାବାହିନୀରେ ଯୋଗ ଦେଇଥିବା ଆଥଲେଟମାନଙ୍କୁ ସେମାନଙ୍କୁ ବାସ୍ତବ ସ୍ଥାନ ମିଳିଥାଏ। ଅତୀତରେ ଭାରତୀୟ ସେନାରୁ ଅନେକ ଆଥଲଟେ୍ ଦେଶ ପାଇଁ ଅଲିମ୍ପିକରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏଥର ଟୋକିଓ ଅଲିମ୍ପିକରେ କେଉଁ ଭାରତୀୟ ସେନା ଆଥଲେଟ୍ ଭାବେ ଯୋଗ ଦେବେ, ଆସନ୍ତୁ ଜାଣିବା ।

ଅମିତ୍ ପଙ୍ଘଲ (ବକ୍ସିଂ): ୧୯୯୫ ମସିହା, ଅକ୍ଟୋବର ୧୬ ତାରିଖରେ ଜନ୍ମିତ ଅମିତ୍ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ସୁବେଦାର ଅଛନ୍ତି । ଏହି ୨୫ ବର୍ଷୀୟ ବକ୍ସର୍ ୨୦୧୯ରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୨୦ରେ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେ ଟୋକିଓ ଅଲିମ୍ପିକରେ ୫୨ କେଜି ବର୍ଗରେ ଭାରତର ପ୍ରତିନିଧତ୍ୱ କରିବେ । ଅମିତ୍ ମଧ୍ୟ ଭାରତର ବଡ଼ ପଦକ ଆଶା ।

ମନିଷ କୌଶିକ (ବକ୍ସିଂ): ମନିଷ ବର୍ତ୍ତମାନ ଭାରତୀୟ ସେନାରେ ଯୁଗ୍ମ କମିଶନ ଅଫିସର୍ ଭାବେ କାର୍ୟ୍ୟମରତ ଅଛନ୍ତି । ହରିୟାଣାର ଏହି ବକ୍ସର୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ହ୍ୟାରୀ ଗାର୍ସାଇଡଙ୍କ ବିପକ୍ଷ କ୍ୱାଲିଫାଇଙ୍ଗ ରାଉଣ୍ଡ ଜିତିବା ସହ ସେ ଶେଷ ଭାରତୀୟ ବକ୍ସର୍ ଭାବେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଟୋକିଓ ଅଲିମ୍ପିକରେ ୬୩ କେଜି ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ ।

ସତୀଶ କୁମାର (ବକ୍ସିଂ): ୧୯୮୯ରେ ଜନ୍ମିତ ସତୀଶ ୨୦୦୮ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଏହା ପରଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବକ୍ସିଂ ଇଭେଣ୍ଟରେ ଭାଗ ନେଇଛନ୍ତି । ଏହି ହେଭିୱେଟ୍ ବକ୍ସର୍ ଜଣଜ ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି । ୩୨ ବର୍ଷୀୟ ସତୀଶ ଏସିଆନ୍ ବକ୍ସିଂ ଅଲିମ୍ପିକ୍ କ୍ୱାଲିଫାୟରରେ ଓଟଗୋନବାୟେର ଦାଇଭିଙ୍କୁ ହରାଇ ପ୍ରଥମ ଭାରତୀୟ ବକ୍ସର ଭାବେ ଟୋକିଓ ଟିକେଟ୍ କାଟିଥିଲେ । ଅଲିମ୍ପିକରେ ସେ ୯୧ କେଜି ବର୍ଗରେ ପ୍ରତିନିଧତ୍ୱ କରିବେ ।

ଅବିନାଶ ସାବଲେ (ଆଥଲେଟିକ୍ସ): ୧୯୯୪ରେ ଜନ୍ମିତ ଅବିନାଶ ସ୍କୁଲ୍ ଜୀବନ ପରେ ହିଁ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଚଳିତ ବର୍ଷ ପଟିଆଲାରେ ଆୟୋଜିତ ଫେଡେରେସନ୍ କପରେ ସେ ୩୦୦୦ ମିଟର୍ ଷ୍ଟିପଲଚେଜରେ ୮:୨୦.୨୧ ମିନିଟରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ୨୬ ବର୍ଷୀୟ ଏହି ଆଥଲେଟ୍ ୨୦୧୯ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ । ସେ ଟୋକିଓରେ ନିଜ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ।

ନୀରଜ ଚୋପ୍ରା (ଜାଭେଲିନ୍): ୧୯୯୭ରେ ଜନ୍ମିତ ନୀରଜ ୨୦୧୬ରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ ଯୋଗ ଦେଇଥିଲେ । ସେ ଭାରତ ପକ୍ଷରୁ ଜାଭେଲିନ୍ ଥ୍ରୋ’ରେ ପ୍ରତିନିଧିତ୍ୱ କରନ୍ତି । ସେ ମାର୍ଚ୍ଚ ୨୦୨୧ରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୮୮.୦୭ ମିଟର୍ ଜାଭେଲିନ୍ ଥ୍ରୋ’ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହି ୨୩ ବର୍ଷୀୟ ଆଥଲେଟ୍ ୨୦୧୮ରେ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଦମଦାର ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଅଲିମ୍ପିକରେ ତାଙ୍କ ଠାରୁ ଦେଶ ନିଶ୍ଚିତ ପଦକ ଆଶା କରୁଛି ।

ଅର୍ଜୁନ ଲାଲ ଜଟ୍ ଓ ଅରବିନ୍ଦ ସିଂହ (ରୋଇଂ): ଅର୍ଜୁନ ଜଟ୍ ଓ ଅରବିନ୍ଦ ସିଂହ ୨୦୧୭ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୁହେଁ ପୁନେସ୍ଥିତ ଆର୍ମି ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟରେ ରୋଇଂ ତାଲିମ ନେଉଛନ୍ତି। ଅର୍ଜୁନ ଓ ଅରବିନ୍ଦ ଟୋକିଓରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ୍ ଫାଇନାଲ୍ ରେସରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରୁଷ ଲାଇଟୱେଟ୍ ଡବଲ୍ ସ୍କଲ୍ସ ଇଭେଣ୍ଟ ପାଇଁ ଟୋକିଓ ଟିକେଟ୍ କାଟିଛନ୍ତି । ଦୁହେଁ ଭାରତର ଏକମାତ୍ର ରୋଇିଂ ଯୋଡ଼ି ଭାବେ ଟୋକିଓରେ ପ୍ରତିନିଧିତ୍ୱ କରିବେ ।

ବିଷ୍ଣୁ ସର୍ବାନନ୍ (ସେଲିଂ): ବିଷ୍ଣୁ ୨୦୧୭ରେ ଭାରତୀୟ ସେନାରେ ନାଏବ ସୁବେଦାର ଭାବେ ଯୋଗ ଦେଇଥିଲେ । ସେ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ । ତାଙ୍କ ପିତା ଜଣେ ଦକ୍ଷ ସେଲର୍, ଯିଏ ମାଡ୍ରାସ୍ ସାପର୍ସ ସେଲର୍ । ପିତାଙ୍କ ଠାରୁ ପ୍ରେରଣା ପାଇଁ ବିଷ୍ଣୁ ୨୦୧୪ରେ ସେଲିଂରେ ପାଦ ଥାପିଥିଲେ । ବିଷ୍ଣୁ ଗତ ଦୁଇ ବର୍ଷ ଧରି ମାଲତାରେ ଟ୍ରେନିଂ ନେଇ ଆସୁଛନ୍ତି ଏବଂ ସେ ମୁସାନ୍ନା ସେଲିଂ ଚାମ୍ପିୟନଶିପରେ ଭାଗ ନେଇ ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ ।

ପ୍ରବୀଣ ଯାଦବ (ଆର୍ଚେରୀ): ୧୯୯୬ରେ ଜନ୍ମିତ ପ୍ରବୀଣ ଯାଦବ ଭାରତୀୟ ସେନାରେ ହାବିଲଦାର ଅଛନ୍ତି ଏବଂ ସେ ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟରେ ତାଲିମପ୍ରାପ୍ତ ଅଛନ୍ତି । ସେ ଟୋକିଓ ଅଲିମ୍ପିକରେ ଭାରତ ପକ୍ଷରୁ ରିକର୍ଭ ବର୍ଗରେ ପ୍ରତିନିଧିତ୍ୱ କରିବେ । ୨୦୧୯ରେ ବିଶ୍ୱ ଆର୍ଚେରୀ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତି ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ । ୨୦୦୫ ପରେ ସେ ପ୍ରତମ ଭାରତୀୟ ଭାବେ ଏହି ବର୍ଗରେ ଅଲିମ୍ପିକ୍ ଟିକେଟ୍ କାଟିଛନ୍ତି ।

ତରୁଣଦୀପ ରାଏ (ଆର୍ଚେରୀ): ୧୯୮୪ରେ ଜନ୍ମିତ ତରୁଣଦୀପ ରାଏ ସିକ୍କିମରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ କାମ କରୁଛନ୍ତି । ସେ ଭାରତ ପକ୍ଷରୁ ଆର୍ଚେରୀରେ ପ୍ରତିନିଧିତ୍ୱ କରନ୍ତି । ୨୦୦୩ରେ ମାତ୍ର ୧୯ ବର୍ଷ ବୟସରେ ସେ ଆର୍ଚେରୀରେ ଡେବ୍ୟୁ କରିଥିଲେ । ସେ ୨୦୦୫ ଓ ୨୦୧୯ରେ ରୌପ୍ୟ ବିଜେତା ବିଶ୍ୱ ଚାମ୍ପିୟନଶିପ୍ ଟିମର ସଦସ୍ୟ ଥିଲେ । ଏହି ୩୭ ବର୍ଷୀୟ ଆର୍ଚର୍ ୨୦୧୦ ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ମେଡାଲ୍ ଜିତିବାର ଗୌରବ ଅର୍ଜନ କରିଥିଲେ।